Unknown

 

 

 

 

 

 

 

 

 

 

ରଜ୍ଜୁ ରଜ୍ଜୁ ଭୁଜଙ୍ଗ ଭୁଜଙ୍ଗ

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

 

—ରଜ୍ଜୁ ସବୁବେଳେ ରଜ୍ଜୁ ଓ ଭୁଜଙ୍ଗ ମଧ୍ୟ ସବୁବେଳେ ଭୁଜଙ୍ଗ । ରଜ୍ଜୁରେ ଭୁଜଙ୍ଗକୁ ଦେଖିବା ଏବଂ ଭୁଜଙ୍ଗରେ ରଜ୍ଜୁ ଦେଖିବା, ସେଇଟି ହେଉଛି ମାୟା ।

 

ସେହି ମାୟାକୁ କାଟିପାରିଲେ ସତ୍ୟ ।

 

ସୂଚୀପତ୍ର

 

୧.

ପ୍ରତିରୋଧ, -ସବଳ ସଦୃଶ

୨.

ରାଜନୀତିକୁ ଫେରିବା

୩.

ବୋମାବିଜ୍ଞାନର ମରଦ

୪.

କିଏ ବା କେଉଁମାନେ ଦାୟୀ ?

୫.

ସହଜିୟାଙ୍କ ସମାଧାନ

୬.

ଧର୍ମ-ନିରପେକ୍ଷତା ଏବଂ....

୭.

ସଂଗ୍ରାମରୁ ସମାଜସେବୀ

୮.

ନୂଆ ଉତ୍ସାହରେ ସର୍ବୋଦୟ

୯.

ପ୍ରାଚ୍ୟ-ପାଶ୍ଚାତ୍ୟ ପ୍ରସଙ୍ଗ

୧୦.

ଡହଳ ବିକଳ ହୋଇ

୧୧.

ସହସ୍ରାବ୍ଦୀର ତିନିବରଷ

୧୨.

ସମାଜସେବା ଓ ସଂଗ୍ରାମ

୧୩.

କେତେ କିଏ ଉତ୍ସର୍ଗୀକୃତ

୧୪.

ସ୍ଵାଧୀନ ଭାରତ ସୁଖଦେବ

୧୫.

ଖୁସୀରେ କୌପୀନଗ୍ରହଣ

୧୬.

ଯେଉଁଠି ସେଇଠି, କିନ୍ତୁ କେଉଁଠି ?

୧୭.

ମହାତ୍ମାଙ୍କର ଅଶ୍ଳୀଳ ବଚନ

୧୮.

କେବଳ କୋଡ଼ିଏଙ୍କର ପୃଥିବୀ

୧୯.

ଭୋଗଲାଳସା ଯାଉନାହିଁ

୨୦.

ଉଚ୍ଚଶିକ୍ଷା ବହୁତ ଉଚ୍ଚ

୨୧.

ଆମକୁ ଡାକୁନାହିଁ କାହିଁକି ?

୨୨.

ସମ୍ମୋହାତ୍ ସ୍ମୃତିବିଭ୍ରମଃ

୨୩.

ବିଚ୍ଛିନ୍ନ ଉତ୍କଳର ତଲାଶରେ

୨୪.

ଜାଲିଆନ୍‌ୱାଲାବାଗ୍ ଓ ସାହିତ୍ୟ

୨୫.

ଗାନ୍ଧୀ-ଆହ୍ୱାନ : ଗାନ୍ଧୀ-ସାହିତ୍ୟ

୨୬.

ଫୁଲଗଛଟି ମରିଯାଉଛି

୨୭.

ରାଜନୀତି ଫେରିଆସୁ

୨୮.

ଶୂନ୍ୟ ମନ୍ଦିର : ପୂର୍ଣ୍ଣ ମନ୍ଦିର

୨୯.

ଗାନ୍ଧିଜୀ ଚିରପ୍ରାସଙ୍ଗିକ

୩୦.

ପୃଷ୍ଠ ଓ ପୋଷକତା

୩୧.

ଆମେରିକାରେ ଆଉଥରେ (୮)

୩୨.

ଆମେରିକାରେ ଆଉଥରେ (୯)

୩୩.

ସମାଜର କର୍ତ୍ତବ୍ୟ

୩୪.

ଢାଙ୍କୁଣିଟାଏ ଓ ଛାଙ୍କୁଣିଟାଏ

୩୫.

ଜାଗ୍ରତ ଥିବୁ ଲୋ ସୁନାଝିଅ !

୩୬.

ହାରିବାରୁ ହେତୁଚିନ୍ତା

୩୭.

ରଥେ ତୁ'ବାମନଂ ଦୃଷ୍ଟ୍ୱା

୩୮.

ସାହିତ୍ୟବହିର ଶବ୍ଦଟିଏ

୩୯.

ବ୍ରହ୍ମର ଶୀତଳୀକରଣ

୪୦.

ଆମେରିକାରେ ଆଉଥରେ (୧୦)

୪୧.

ଆମେରିକୀରେ ଆଉଥରେ (୧୧)

୪୨.

ଧିକ୍ ଆମ ରାଜନୀତିର ଜୀବନ

୪୩.

ବୃହତ୍ ଆଦିବାସୀ-ବିଳାପ

୪୪.

ସଂସାର ଦାବିଦେଲା

୪୫.

ଦୂରକୁ କାହିଁକି ଯାଉଛ ?

୪୬.

ବାପୁଜୀନଗରରେ ବିଜ୍ଞାନ

୪୭.

ନିନ୍ଦି ନିନ୍ଦି ଯୁଗେ ଗଲା

୪୮.

ରଜ୍ଜୁ ରଜ୍ଜୁ, ଭୁଜଙ୍ଗ ଭୁଜଙ୍ଗ

Image

 

ପ୍ରତିରୋଧ,-ସବଳ ସଦୃଶ

 

ଉତ୍ତର ଆମେରିକାର ହାତୀପରି ଭୂମିଟା ସରୁଆ ହୋଇ ହୋଇ ଯେଉଁଠାରେ ଦକ୍ଷିଣ ଆମେରିକା ସହିତ ଆସି ଯୋଡ଼ି ହୋଇଯାଇଛି, ସେହି ଦେଶଟିର ନାମ କଲମ୍ବିଆ । ଏକାଧିକ ସଂସ୍କୃତି ଓ ଏକାଧିକ ପ୍ରକାରର ସମୂହଙ୍କୁ ନେଇ କ୍ରମଶଃ ଗଢ଼ି ହୋଇଆସିଥିବା ଦେଶଟିଏ, ବହୁତ କିସମର ଆର୍ଥିକ ସ୍ତର, ବହୁତ ପ୍ରକାରର ସ୍ଵାର୍ଥ, ତେଣୁ ବହୁତ ପ୍ରକାରର ବିଗ୍ରହରେ ସଦାସକ୍ରିୟ ଭୂମିଟିଏ । ହିସାବ କହୁଛି, ସେଠାରେ ଶହେରେ ବୟାଅଶୀ ଜଣ ହେଉଛନ୍ତି ଧନୀମାନେ ଧାର୍ଯ୍ୟ କରି ଦେଇଥିବା ଦାରିଦ୍ର୍ୟର ସୀମାରେଖାଠାରୁ ନିମ୍ନରେ । ଦେଶରେ ଏକ ମଜବୁତ ଅନ୍ନସଂସ୍ଥାନର ମୂଳଦୁଆ ତିଆରି ହୋଇ ପାରିନାହିଁ ବୋଲି ଜଗତୀକରଣ ନାମକ ଆମେରିକୀୟ ଉତ୍ସବଟିର ମାଡ଼ଗୁଡ଼ିକ ସତେଅବା ସିଧା ସିଧା ଆସି କଲମ୍ବିଆରେ ବାଜୁଛି । ସରକାର ରହିଛି, ମାଫିଆମାନେ ରହିଛନ୍ତି । ଗରିଲାମାନେ ସଦାସକ୍ରିୟ, ନିଶା କାରବାରି ମଧ୍ୟ ଅଭୟାରଣ୍ୟବତ୍ ସେଠା ଦୈନନ୍ଦିନ ଜୀବନକୁ କାବୁକରି ରଖିଛନ୍ତି । ଗରିବମାନଙ୍କର ରାତି ପାହୁ ନାହିଁ । ଗରିବ କହିଲେ କୃଷକକୁଳ ଏବଂ କୃଷ୍ଣକାୟମାନେ ! ଯେତେ ଯେତେ ଉପକାରୀ ଏବଂ ଉଦ୍ଧାରକାରୀ ମାମୁଁମାନେ ସେହି ଉପରେ ହିଁ ନିଜ ନିଜ ଭିତରେ ଖଣ୍ଡା ବୁଲାଉଛନ୍ତି– ହତ୍ୟାଟା ହିଁ ହରିବୋଲରେ ପରିଣତ ହୋଇ ରହିଛି । ଦରିଦ୍ର ମାଡ଼ ସିନା ଖାଉଛି, ମାତ୍ର ରାତି ପାହୁନାହିଁ । ସମସ୍ତେ ବନ୍ଧୁ ହୋଇ ତା’ ଦୁଆରରେ ଆସି ପହଞ୍ଚି ଯାଉଛନ୍ତି,—ଭଳି ଭଳି ପ୍ରତିଶ୍ରୁତି ଦେଉଛନ୍ତି । ତଥାପି ଦୁର୍ଗତିର ଅନ୍ତ ନାହିଁ । ବୁଲି ବୁଲି ସତେ ଅବା ବିଶ୍ଵାସ ତୁଟିଗଲା ପରି ଦରିଦ୍ର ପକ୍ଷଟି ଏଣିକି ଅନ୍ୟ ବାଟରେ ସଜାଡ଼ି ହେବାକୁ ଆରମ୍ଭ କରୁଛି । ନିଜ ବୁଦ୍ଧିରେ ନିଜର ବିବେକ ଅନୁସାରେ ଏବଂ ନିଜ ଉପରେ ରହିଥିବା ବିଶ୍ଵାସକୁ ମୂଳ ସମ୍ବଳ କରି ଏକ ପ୍ରପୀଡ଼ିତ ଜନସମୂହ ତାକୁ ଆବୋରି ରହିଥିବା ସଂଗଠିତ ଅନ୍ଧାରଗୁଡ଼ାକର ପ୍ରତିରୋଧ କରିବାକୁ ଯାଉଛି । ଏହି ନୂଆପଦକ୍ଷେପଟିକୁ ସେମାନେ Uprising ବା ଜାଗରଣ ବୋଲି ନାମକରଣ କରିଛନ୍ତି ।

 

ଏହି ୨୦୦୩ ମସିହାରୁ ହିଁ ସେହି କାର୍ଯ୍ୟକ୍ରମଟି ଆରମ୍ଭ ହୋଇଛି । ସେହି ଭୂମିରମୂଳ ଅଧିବାସୀ ଓ ସେମାନେ ଗଢ଼ିଥିବା ଅଲଗା ଅଲଗା ସଂଗଠନମାନେ ଏଣିକି ଅଲଗା ଅଲଗା ରହିବେ ନାହିଁ ଓ ଯୁଦ୍ଧଟିକୁ ଏକାଠି ଲଢ଼ିବେ । ସମ୍ମିଳିତ ଭାବରେ ହିଁ ସକଳ ପ୍ରତିବାଦ ହେବ । ସେହି ‘ଜାଗରଣ'ର ଏକ ବିସ୍ତୃତ ବ୍ୟାଖ୍ୟା ଦେଇ ସେମାନେ ନିଷ୍ପତ୍ତି କରିଛନ୍ତି : (୧) ‘ଜାଗରଣ'ଟି ଆମ ଜୀବନର ଯାବତୀୟ-ସାଂସ୍କୃତିକ, ସାମାଜିକ, ରାଜନୀତିକ ତଥା ଆର୍ଥିକ ସକଳ କ୍ଷେତ୍ରରେ ଘଟିବ; (୨) ନିଜର ବଳ ଉପରେ ନିର୍ଭର କରି ହିଁ ଆମେ ଆମକୁ କାବୁ କରି ରଖିଥିବା ପ୍ରତିକୂଳ ସ୍ଥିତିଗୁଡ଼ିକ ସହିତ ପ୍ରକୃତରେ ଏକ ଜୁଆଖେଳରେ ହିଁ ଅବତୀର୍ଣ୍ଣ ହେବାକୁ ଯାଉଛୁ, କାରଣ ଗୋଟିଏ ଗୋଟିଏ ଜନସମୂହ ହିସାବରେ ଆମେ ତିଷ୍ଠି ରହିବା ପାଇଁ ସଂକଳ୍ପ ଗ୍ରହଣ କରିଛୁ ! (୩) ଏହି ଜାଗରଣଟି ଦ୍ଵାରା ଆମେ ଆମର ଆଧ୍ୟାତ୍ମିକତାକୁ ତା'ର ଯୁଗ ଯୁଗର ଅସହାୟତାର ଚକ୍ରାନ୍ତ ମଧ୍ୟରୁ ମୁକ୍ତ କରି ଆଣିବୁ । ଏହାରି ଦ୍ଵାରା ହିଁ ଆମେ ଆମ ସମୂହଗୁଡ଼ିକର ସମ୍ମାନକୁ ଫେରାଇ ଆଣିପାରିବୁ । ଆମେ ନିଜ ଉପରେ ହିଁ ସବୁଠାରୁ ଅଧିକ ଆସ୍ଥା ରଖିବୁ ଏବଂ ଯାବତୀୟ ଭୟକୁ ପରିହାର କରିବୁ । (୪) ଏହା ଏପରି ଗୋଟିଏ ସର୍ବାଙ୍ଗୀନ ଆସ୍ପୃହାର ଆନ୍ଦୋଳନ ହେବ, ଯାହାକି ଆମର ଏହି ଭୂମିରେ ଲାଗି ରହିଥିବା ଯୁଦ୍ଧଗୁଡ଼ିକର : ଅବସାନ ନିମନ୍ତେ ସକାରାତ୍ମକ ପରିବେଶଗୁଡ଼ିକୁ ଯୋଗାଇଦେବ । ଏହି ଯୁଦ୍ଧଟା ହିଁ ତ ଆମକୁ ଯାବତୀୟ ମନୁଷ୍ୟତାରୁ ବଂଚିତ କରି କେତେ କୁଆଡ଼େ ତଳକୁ ତଥା ଘୋର ଅସମର୍ଥତା ମଧ୍ୟକୁ ଟାଣି ଟାଣି ନେଇଯାଇଛି । ଏହି ଯାବତୀୟ ବର୍ବରତାର ଅବସାନ ଘଟିବ ! ହାତରେ ନାନାବିଧ ଅସ୍ତ୍ର ଧରି ଯେଉଁ ବର୍ବରତା ଆମ ଆଦିବାସୀ, କୃଷ୍ଣକାୟ ଓ କୃଷକମାନଙ୍କୁ ନାରଖାର କରି ଆସିଛି, ଆମେ ସେହି ବର୍ବରତାର ଅବସାନ କରିବୁ । ଆମ ଭିତରୁ ଯେଉଁମାନଙ୍କୁ ବଳପୂର୍ବକ ସେହି ଯୁଦ୍ଧମାନଙ୍କରେ ନେଇ ଭର୍ତ୍ତି କରି ଦିଆଯାଇଛି, ସେମାନଙ୍କୁ ଆମେ ଉଦ୍ଧାର କରି ଆଣିବୁ । ଆମର ଏହି ଜାଗରଣ ପ୍ରକୃତରେ ଶାନ୍ତିର ପଥଟିଏ ଅନୁସରଣ କରିବ ଏବଂ ଶାନ୍ତିର ସନ୍ଧାନ କରିବ । ଏହି କାର୍ଯ୍ୟରେ ପୂର୍ଣ୍ଣ କ୍ରିୟାଶୀଳ ହୋଇ ରହିଥିବ । (୫) ମୂଳତଃ, ଏହା ଏପରି ଏକ ଜାଗରଣ ହେବ, ଯାହାକି ଆମକୁ ଆମ ଭିତରୁ ହିଁ ବଳବାନ୍ କରାଇ ଆଣିବ; ଆମର ସଂସ୍କୃତି ମଧ୍ୟରେ ପୁନର୍ବାର ପୂର୍ବରୁ ସେହି ପ୍ରାଣଶକ୍ତିଟିକୁ ଆଣିଦେବ, ଆମ ନିଜର ସାମୂହିକ ଶାସନ-ପରମ୍ପରାଗୁଡ଼ିକୁ ପୁନଃପ୍ରତିଷ୍ଠିତ କରିବ,-ଆମ ନିଜର ନ୍ୟାୟ-ବ୍ୟବସ୍ଥାକୁ ବିକଶିତ କରାଇବ । କାରଣ, ସେହିପରି ହୋଇପାରିଲେ ଯାଇ ଆମେ ନିଜର ଭୂମିଟି ଉପରେ ଆପଣାର ନିୟନ୍ତ୍ରଣକୁ କାଏମ୍ ରଖିପାରିବୁ ଏବଂ ଆମର ପ୍ରତିରୋଧଟିକୁ ସବଳ କରିପାରିବୁ । (୬) ଆମରଜାଗରଣ ଆମ ଭିତରୁ ବାସ୍ତୁହରା ହୋଇ ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହୋଇଥିବା ସମଗୋଷ୍ଠୀମାନଙ୍କୁ ପୁନର୍ବାର ଫେରାଇ ଆଣିବା ନିମନ୍ତେ ଉଦ୍ୟମ କରିବ, –ଆନ୍ଦୋଳନ କରିବ । (୭) ‘ଜାଗରଣ’ ଆମକୁ ଜଣେ ଆଉ ଜଣକର ନିକଟବର୍ତ୍ତୀ କରି ଆଣିବ, ଆମେ ପରସ୍ପରକୁଭରସା ତଥା ଅବଲମ୍ବନଗୁଡ଼ିକୁ ଯୋଗାଇଦେବା । ଆମ ଜୀବନ ଯୋଜନାଗୁଡ଼ିକର ବିକାଶ କରିବାରେ ସତତ କ୍ରିୟାଶୀଳ ହୋଇ ରହିପାରୁଥିବା । ପରିସ୍ଥିତି ସମ୍ପୂର୍ଣ୍ଣ ପ୍ରତିକୂଳ ହୋଇ ରହିଥିବ, ଯୁଦ୍ଧ ଓ କନ୍ଦଳ ସେହିପରି ଲାଗିଥିବ, ତଥାପି ଆମେ ସେହି ବିକାଶସାଧନର ପ୍ରୟାସରୁ ଆଦୌ ନିରସ୍ତ ହେବାନାହିଁ । (୮) ଏକ ସର୍ବପ୍ରଥମ କାର୍ଯ୍ୟକ୍ରମ ସ୍ଵରୂପ ଆମେ ପୁନର୍ବାର ଥରେ ଏକାଠି ହେବା; ପ୍ରଥମେ ନିଜର ସମ୍ପ୍ରଦାୟ ଅର୍ଥାତ୍ ସମୂହଟି ସହିତ ,-ଏବଂ ତା'ପରେ ସମସ୍ତ କଲମ୍ବିଆର ଅବହେଳିତ ଏବଂ ଅତ୍ୟାଚାରିତମାନଙ୍କ ସହିତ ଏକାଠି ବସିବା । (୯) ଏହି ଜାଗରଣଟିର ମାଧ୍ୟମରେ ଆମେ ନିଜର ଦେଶବାସୀଙ୍କୁ ଦେଖାଇଦେବା ଯେ, ଆମେ ଭୂମିପୁତ୍ର ସର୍ବପୁରାତନ ଅଧିବାସୀମାନେ ମଧ୍ୟ ଏହି ସମୁଦାୟ କଲମ୍ବିଆ ନାମକ ଜାତୀୟ ଏକକଟିର ଏକ ଅପରିହାର୍ଯ୍ୟ ତଥା କ୍ରିୟାଶୀଳ ଅଙ୍ଗ ଏବଂ, ସେଥିପାଇଁ ଆମେ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ମୋଟେ ଇଚ୍ଛା କରୁନାହୁଁ । ଗୋଟାଏ ଅଳସୁଆ ରାଷ୍ଟ୍ରଶାସନ କେଉଁ ଅନିଶ୍ଚିତ ସୁକାଳରେ ଆମର ସମସ୍ୟାଗୁଡ଼ିକର ସମାଧାନ କରିଦେବ ବୋଲି ଆମେ ଆଦୌ ସବୁଦିନ ନିମନ୍ତେ କିଛି ନକରି, ବସି ରହିବାକୁ ଇଚ୍ଛା କରୁନାହୁଁ ।

 

ଇଏ ତ ଆମ ସମସ୍ତଙ୍କର ବାଟ, ସାରା ପୃଥିବୀଯାକର ବାଟ । ସଳଖ ହୋଇ ଦିଶିଯାଉଛି ସିନା, ମାତ୍ର ହୁଏତ ଆଦୌ ସେତେ ସହଜ ନୁହେଁ । କେଡ଼େ ସହଜ ଓ ସଳଖ କଥାଗୁଡ଼ିକୁ ନେଇ ପୃଥିବୀରେ କେତେ ଥାନରେ ବିପ୍ଳବ ତଥା ଜାଗୃତି ନିମନ୍ତେ ଆହ୍ଵାନଗୁଡ଼ିକୁ ଦିଆଯାଇ ଆସିଛି । ଜୀବନର ନିମ୍ନତମ ଆବଶ୍ୟକ ଗୁଡ଼ିକରୁ ବଂଚିତ ହୋଇ ରହିଥିବା ଲୋକମାନେ କେଡ଼େ ସଳଖ ଭାବରେ ସେହିସବୁ କଥାରେ ବିଶ୍ଵାସ କରିଛନ୍ତି ଓ ସେହିସବୁ ଆହ୍ଵାନ ମଧ୍ୟକୁ ଡେଇଁ ପଡ଼ିଛନ୍ତି । ତଥାପି ସଳଖମାନେ କାହିଁକି, ମଝିବାଟରୁ ହିଁ ବଙ୍କା ହୋଇ ଯାଇଛନ୍ତି, ସେହି ବିଷୟରେ ଖୁବ୍ ବେଶୀ ଆନ୍ତରିକ ଆଲୋଚନା ଓ ଗବେଷଣା ହୋଇନାହିଁ । ହଁ, ବୁଦ୍ଧିଜୀବୀମାନେ କିଛି କିଛି କରିଛନ୍ତି, ଏବଂ ନିତାନ୍ତ ତଟସ୍ଥ ତଥା ନିରପେକ୍ଷ ଭାବରେ ବହିର ସୂତ୍ର ଓ ଶୃଙ୍ଖଳାଗୁଡ଼ିକୁ ମାନି ମୂଳତଃ ଆପଣାର ପ୍ରୀତ୍ୟର୍ଥେ ସେଗୁଡ଼ିକୁ କରିଛନ୍ତି । ପୁନଶ୍ଚ, ଖୋଜେ କ୍ଷମତା ଅକ୍ତିଆର କରୁ କରୁ ପୂର୍ଣ୍ଣବିପ୍ଳବୀମାନେ ନାନାକାରଣରୁ ପ୍ରତିକ୍ରିୟାଶୀଳ ପାଲଟି ଯାଇଛନ୍ତି । ସେମାନେ ଯେଉଁ ଅତ୍ୟାଚାରୀମାନଙ୍କୁ ସିଂହାସନରୁ ହଟାଇଥିଲେ, ସେହି ଅତ୍ୟାଚାରୀମାନଙ୍କର ଅନୁକରଣ କରିଛନ୍ତି । ବଂଚନା ଗୁଡ଼ିକରପୁନରାବୃତି ହୋଇଛି । ଏଠାରେ ଆଲୋଚ୍ୟ ଆମ କଲମ୍ବିଆ ଦେଶରେ କ’ଣ ଏତିକି ଜାଗରଣର ବୋଲକୁ ମାନି ସଳଖ ପଥଗୁଡ଼ିକରେ ଅଗ୍ରସର ହେବା ତଥାପି ସହଜ ହେବ ? ରଜା, ରାଷ୍ଟ୍ର, ମାଫିଆ, ନିଶା ବେପାରୀ-ସମସ୍ତେ ଆସି ତୁମର ଗୋଡ଼ଗୁଡ଼ିକୁ ଖସାଇ ଦେବାଲାଗି ପରାକ୍ରମୀ ଅଭିସନ୍ଧିମାନ ଆରମ୍ଭ କରିଦେବେ । ଉତ୍ତରପଟୁ ଆମେରିକା ମାଡ଼ି ଆସିବ । ତେଣୁ, ନୂଆ ସଂକଳ୍ପଟି ସହିତ ନୂତନ ଗବାକ୍ଷଟିଏ ଖୋଲି ନିତାନ୍ତ ସଳଖ ମନରେ ଟାଣ ମୂଳଦୁଆଟିଏ ପକାଇବା ନିମନ୍ତେ ମନ କରିଥିବା ସେ ବନ୍ଧୁମାନେ ତଥାପି ଥିର ଖୋଜଗୁଡ଼ିକୁ ପକାଇ ଅଟଳ ଅବିଚଳ ଭାବରେ ଆଗକୁ ଯାଇପାରିବେ ତ ? ହୁଏତ, ସେହିମାନଙ୍କ ଭିତରେ ମତଭେଦ ହେବ ଓ ସେଗୁଡ଼ିକୁ ଆଳ କରି ପ୍ରୟାସଟି ଭାଗ ଭାଗ ହୋଇଯିବ-। ନେତାମାନେ ପ୍ରତ୍ୟେକେ ନିଜ ନିଜକଥାରେ ଅଡ଼ି ବସିବେ ।

 

ଆମେ ଇଚ୍ଛା କଲେ ଏବର କଲମ୍ବିଆରୁ ଆମର ନିଜ ଦେଶଟିକୁ ଆସିବା ଲାଗି ହୁଏତ କ୍ଷଣେ ମଧ୍ୟ ଉଛୁର ଲାଗିବ ନାହିଁ । ଏଠାରେ ତ କେତେ ଭଳି ଅସମର୍ଥତା ଓ ଅସହାୟତା, କେତେ ଭଳି ବଂଚନା ଏବଂ କେତେ ଭଳି ଧୋକା । ପଣ୍ଡିତମାନେ ଚଗଲା ନ ହେବାପାଇଁ ପରାମର୍ଶ ଦେବେ । ରାଜପୁରୁଷମାନେ ଫଉଜ ଓ ପଲଟଣ ଧରି ତୁମ ଡଙ୍ଗରରେ ଆସି ପହଞ୍ଚିଯିବେ, ତୁମର ଗୋଡ଼ଗୁଡ଼ିକ ତଥାପି ଦମ୍ଭ ହୋଇ ରହି ପାରିବତ ? ତୁମ ନାମରେ କୋଟି କୋଟି ଟଙ୍କା ଖରଚ କରିବାର ଦାୟିତ୍ଵରେ ରହିଥିବା ଆଜ୍ଞାମାନେ ତୁମର ମୂଳଦୁଆଟିକୁ ତୁମେମାନେ ନିଜେ ଗଢ଼, ତାହାରି ଉପରେ ସମ୍ମିଳିତ ହୁଅ ଏବଂ ନିଜର ବିବେକରେ ହିଁ ରାସ୍ତାଗୁଡ଼ିକୁ ବାହାର କର ବୋଲି ପ୍ରକୃତରେ ଇଚ୍ଛା କରୁଛନ୍ତି ତ ? ତୁମେମାନେ ବି ସେମାନଙ୍କ ଭଳି ଏହି ଦେଶର ନାଗରିକ ହିସାବରେ ଆପଣାକୁ ଗଢ଼ି ଆଣ, ସେମାନଙ୍କର ସମସରି ବୋଲି ଅନୁଭବ କର, –ବହିଟାରେ ଯେତେ ଯାହା ଲେଖା ହୋଇଥିଲେ ମଧ୍ୟ ସେମାନେ ତଥାପି ବାଟ ଛାଡ଼ିବେ କି ? ଯେଉଁମାନେ ତୁଚ୍ଛା ଦୟା ଦେଖାଇବା ସକାଶେ ପ୍ରାୟ ନିୟତି ନିର୍ଦ୍ଦେଶିତ ହୋଇଆସିଥିବା ପରି ଅନୁଭବ କରି ଆସିଛନ୍ତି, ତାଙ୍କରି ଦୟାରେ ପୂର୍ଣ୍ଣ ନିର୍ଭର ହୋଇ ରହିଥିବା ସେହି ଭାଗ୍ୟହୀନମାନେ, ମୋରି ପରି ପରିପକ୍ଵତା ହାସଲ କରି ମୋର ସମସ୍କନ୍ଧ ସାଥୀ ରୂପେ ଏହି ଦେଶର ଦାୟିତ୍ଵଗୁଡ଼ିକୁ ଗ୍ରହଣ କରିବେ, ମୁଁ କ'ଣ ସହଜରେ ସେହି କଥାଟିକୁ ବୁଝିବି, ରାଜି ହେବି ଏବଂ ନିଜର ବିଶେଷ ହୁକୁମତଗୁଡ଼ିକୁ ଛାଡ଼ିଦେବି ? ହଁ, ଗତ ଏତେବର୍ଷ ମଧ୍ୟରେ ଗରିବଙ୍କ ଭିତରୁ ନିମ୍ନତମ ସ୍ତରରସମାଜ ଭିତରୁ ମଧ୍ୟ ଥୋକେ ପାଠ ପଢ଼ିଲେ, ଆଉ ଫେରିଲେ ନାହିଁ । ନିଜକୁ ସେହି ବୃହତମାନଙ୍କର ଖୁଆଡ଼ର ବୋଲି ଭାବିଲେ ଏବଂ ସେଇଆଡ଼େ ରହିଗଲେ । ସେମାନେ କ’ଣ ଫେରି ଆସିପାରିନଥାନ୍ତେ ? ତେଣୁ, ଅସଲ ଯେଉଁ ଜାଗରଣଗୁଡ଼ିକ ନିମନ୍ତେ ଯୁଗାତ୍ମାଟି ଅପେକ୍ଷା କରି ରହିଛି, ସତକୁ ସତ ତାହାରି ପଟଟିକୁ ବାଛି ବସିଲେ ସେଥିରୁ ଯେଉଁ ନୂତନ ଦୀକ୍ଷାଗ୍ରହଣଟି ଆବଶ୍ୟକ ହେବ, ସେଇଟି ପାଇଁ ଅତ୍ୟନ୍ତ ସଚେତନ ଭାବରେ ଆପଣାକୁ ମଣ ନକଲେ ତାହା ବାରମ୍ବାର ଫସର ଫାଟି ଯାଉଥିବ । ଭଗାରିମାନେ ହସିବାରେ ଲାଗିଥିବେ । କଲମ୍ବିଆର ସମସ୍ୟା ପ୍ରକୃତରେ ଆମ ସମସ୍ତଙ୍କର ସମସ୍ୟା, -ପରିବର୍ତ୍ତନକାମୀ ମନୁଷ୍ୟମାନଙ୍କର ସମସ୍ୟା । ସଂକଳ୍ପବଦ୍ଧ ସମଧର୍ମୀମାନଙ୍କର ସମସ୍ୟା । ଆମର ଚିହ୍ନା କଣ୍ଢେଇମାନେ ଏଥିରେ ଆଦୌ ସାହାଯ୍ୟ କରିବେ ନାହିଁ । ତେଣୁ, ଚାଲ ବନ୍ଧୁ ଖୋଜି ବାହାରିବା, -ସମସ୍ତଙ୍କପାଇଁ ମୂଳଦୁଆଟିକୁ ତିଆରି କରିବା ।

Image

 

ରାଜନୀତିକୁ ଫେରିବା

 

ଗୋଟାଏ ପ୍ରକାରର ବେହେଲରେ ବହୁତ ଲୋକ ଅନେକ ସମୟରେ କହିଥାନ୍ତି ଏବଂ ଏବେ ମଧ୍ୟ କହୁଛନ୍ତି ଯେ, ଯେଉଁସବୁ ମନୁଷ୍ୟଙ୍କୁ ଆଉ ଆଦୌ କିଛି ନ ମିଳୁଛି, ସେଇମାନେ ଯାଇ ରାଜନୀତିରେ ପଶୁଛନ୍ତି । ସତକୁ ସତ ସେହି ଭଳି ଲୋକମାନେ କ'ଣ ଆମ ରାଜନୀତି ଭିତରକୁ ପଶି ଆସିଲେ ଓ ଏହି କେତେଟା ବର୍ଷ ଭିତରେ ଏଠାରେ ସବୁକିଛିକୁ ଭଣ୍ଡୁର କରି ପକାଇଲେ କି ? ଗୋଟାଏ ନବସ୍ଵାଧୀନ ଦେଶର ସବାମୂଳଅର୍ଥ ହେଉଛି ବହୁ ବହୁ ନବନିର୍ମାଣ ପାଇଁ ଅପେକ୍ଷା କରିଥିବା ଦେଶ । ସେହି ବହୁନିର୍ମାଣ ତଥା ନବୀକରଣର ଭବିଷ୍ୟ-ଚିତ୍ରଟିଏ ନିଜ ସମ୍ମୁଖରେ ଥାପି ସଂଗ୍ରାମଟିଏ ଲଢ଼ିବା, ତାହାହିଁ ସ୍ଵାଧୀନତା ସଂଗ୍ରାମ । ସେହି ଚିତ୍ରଟି ହିଁ ଉଦ୍‌ବୁଦ୍ଧ କରାଏ, ବଳ ଦିଏ, ଚେତା ଆଣେ, ଏକଜୁଟ କରାଏ ଏବଂ ବିଧାତାର ମଧ୍ୟ ଏପରି ବରାଦ ଯେ, ଉପସ୍ଥିତ ଅପେକ୍ଷାଗୁଡ଼ିକ ଅନୁସାରେ ସମର୍ଥ ନେତୃତ୍ଵଟିଏ ଓ ଏପରିକି ସମର୍ଥ ସେନାପତିଟିଏ ଆସି ପହଞ୍ଚି ଯାଇଥାଏ । ଭାରତବର୍ଷର ସ୍ଵାଧୀନତା ସଂଗ୍ରାମକୁ ନିରୀକ୍ଷଣ କଲେ ସେହି ସତ୍ୟଟି ସତେଅବା ଆହୁରି ଅଧିକ ସ୍ପଷ୍ଟ ଭାବରେ ଦୃଷ୍ଟିଗୋଚର ହୁଏ । ସ୍ଵାଧୀନତାଲାଭର ପରବର୍ତ୍ତୀ ପଚାଶ ବର୍ଷ ଯାହା ଆମକୁ ସଚଳ କରି ରଖିଥାନ୍ତା ଏବଂ ଆମକୁ ସାବାଳକ କରି ଆଣିଥାନ୍ତା, ସେହି ରାଜନୀତି ସତକୁସତ କୁଆଡ଼େ କାହିଁକି ହାତଛଡ଼ା ହୋଇ ରହିଗଲା ? ସେହି ରାଜନୀତି ଆମକୁ ଚିତା କାଟିଦେଲା ନା ଆମେ ସେହି ରାଜନୀତିକୁ ଚିତା କାଟି ଆଉ କ'ଣ ସବୁ ହେବାରେ ମନ ବଳାଇଲୁ ଏବଂ କାଳଟାକୁ ଉଚ୍ଛନ୍ନ କରିଦେଲୁ ! ଏବଂ, ସେହି ପ୍ରକ୍ରିୟାରେ ସ୍ଵଂୟ ବି ଉଚ୍ଛନ୍ନ ହେଲୁ ।

 

ରାଜନୀତି ଗଲା, ରାଜନୀତିକ ଦଳମାନେ ରହିଲେ । ସାମନାରେ ଆଗ ଏକନିର୍ଦ୍ଦିଷ୍ଟ ରାଜନୀତିକ ପରିପୂର୍ଣ୍ଣତାର ଆଦର୍ଶଟିଏ ବା ଆଦର୍ଶମାନେ ରହିଲେ ସିନା ସେହି ଅନୁସାରେ ତଦନୁରୂପ ଦଳମାନେ ଗଢ଼ା ହୁଅନ୍ତି । ତେବେ ସିନା ଯେଉଁମାନେ ଭିନ୍ନ ଭିନ୍ନଦଳରେ ଥାଆନ୍ତି, ସେମାନେ ସ୍ଵୟଂ ପତିଆରାଟିଏ ପାଉଥାନ୍ତି ଏବଂ, ସେମାନେ ଥିବାରୁ ସେମାନଙ୍କର ରାଜନୀତି ମଧ୍ୟ କମ୍ ପତିଆରା ପାଏ ନାହିଁ । ଲୋକମାନେ ବି ତୁମକୁ ବୁଝିପାରନ୍ତି । ତେଣୁ, ଏକ ସୁସ୍ଥ ଅର୍ଥାତ୍ ନିର୍ଭରଯୋଗ୍ୟ ଗତିଶୀଳତା ଅବ୍ୟାହତ ରହିଥାଏ । ଭିନ୍ନ ଭିନ୍ନ ରାଜନୀତିକ ଦଳ ଥାଆନ୍ତି ଓ ସେମାନଙ୍କର ଭିନ୍ନ ଭିନ୍ନ ଭୂମିକା ରହିଥାଏ ସତ, ତଥାପି କେତେ କ'ଣ ଆଗକୁ ଯାଉଥାଏ ଏବଂ ସମ୍ପୃକ୍ତ ସକଳ ପକ୍ଷକୁ ଆତ୍ମପ୍ରତ୍ୟୟ ଦେଉଥାଏ । ବିଭିନ୍ନ ଦଳର କାର୍ଯ୍ୟକ୍ରମମାନଙ୍କରେ ତଫାତ୍ ରହିଥିଲେ ମଧ୍ୟ ତଥାପି ବୁଝାମଣା ରହିଥାଏ, ଦ୍ଵନ୍ଦ ମଧ୍ୟରେ ସମନ୍ଵୟଟିଏ ଥାଏ ଏବଂ ସେହି ସମନ୍ୱୟ ଦେଶ ତଥା ଦେଶର ଜନଗଣଙ୍କ ଲାଗି କେବଳ ଶୁଭକର ଯେ ହୁଏ ତା’ ନୁହେଁ, ବୋଧଗମ୍ୟ ମଧ୍ୟ ହୋଇଥାଏ । ଏହି ଦୃଷ୍ଟିରୁ ଭାରତବର୍ଷର ଏହି ଚଳନ୍ତି ତଥାକଥିତ ରାଜନୀତିର ପଡ଼ିଆଟାକୁ ଅନାଇଲେ ଅସଲ ରାଜନୀତି ସତେଅବା କେଉଁଠି ହେଲେ ଦେଖାଯାଉ ନାହିଁ । ଏହି ବୀରମାନେ ରାଜନୀତିର ଗୋଟିଏ ଗୋଟିଏ ଛାଉଣିରେ ଆସି କାହିଁକି ପଶିଛନ୍ତି କେଜାଣି ? ଆପେ କେଉଁ ଅସଲ ଘରଭିତରୁ ଧର୍ମଛଡ଼ା ହୋଇ ବାହାରି ଆସିଥିବା ପରି ସେମାନେ ପ୍ରାୟ ଏକ ଅତିହାସ୍ୟାସ୍ପଦ ଦାନବଦର୍ପରେ ଦେଶ-ନିୟତିର ଏହି ରାଜନୀତିକ ଘରଟିକୁ ପୂରା ମାଡ଼ି ବସିବାର ମତଲବରେ ଧାଇଁଛନ୍ତି । ନେତାଏ ନିମ୍ନମାନଙ୍କୁ କାମୁଡ଼ି ଧରିଛନ୍ତି ଏବଂ ନିମ୍ନମାନେ ନେତାମାନଙ୍କୁ ମଧ୍ୟ ଗଦ ସୁଙ୍ଘାଇ ରଖିଛନ୍ତି । ବାମ, ଡାହାଣ ଉଭୟଙ୍କ ନିମନ୍ତେ ବିଧିବାମ ହେଉଛି । ଗୋଟିଏ ଗଣତନ୍ତ୍ର ଭିତରେ ରାଜନୀତିକ ଦଳଗୁଡ଼ିକର ଯେ ଗୋଟିଏ ନିର୍ଦ୍ଦିଷ୍ଟ ଶୃଙ୍ଖଳା ସବାଆଗ ରହିବ, ସେ କଥାଟିକୁ ଏମାନେ ପୁରା ପାସୋରି ଦେଇଛନ୍ତି । ଯାହାହେଉ ପଛକେ ଆମେ କ୍ଷମତାରେ ହିଁ ରହିବୁ–ଏହିପରି ଏକ ଅତିପାରଙ୍ଗମ ନିର୍ଲଜ୍ଜତା ସେମାନଙ୍କର ପ୍ରଧାନତମ ଆୟୁଧ ହୋଇଛି । ତେଣୁ, ଯାବତୀୟ ତନ୍ତ୍ରକୁ ଯାବତୀୟ ଅର୍ଥରେ ଏକ ପୁରୀଷମୟ ଅତନ୍ତ୍ରରେ ପରିଣତ କରିଦେବାକୁ ମୋଟେ ଟିକିଏମଧ୍ୟ ବିଳମ୍ବ ହେଉନାହିଁ ।

 

ଦଳବଦଳ କରିବାକୁ ଗୋଟିଏ ନିତିଦିନିଆ ନାଟରେ ପରିଣତ କରିଦେବାର ଯେଉଁ ଅଣଆଚାରମାନେ ଏହି ଦେଶର ଚିତ୍ତବିନୋଦନ କରିବାରେ ଲାଗିଛନ୍ତି, ଆପଣ କେବେ ସେଗୁଡ଼ିକର ଧାତୁଗତ ଚରିତ୍ରକୁ ଆଦୌ କୌଣସି ରାଜନୀତିକ ନିକିତି ଉପରେ ପକାଇ ଦେଖିଛନ୍ତି ତ ? କିଏ କ'ଣ ପାଇଁ କୋଉ ଦଳରେ ଥାଏ ? କିଏ କ'ଣ ପାଇଁ ଦଳ ବଦଳାଇ ଆଉ ଗୋଟିଏ ଦଳକୁ ଯାଏ ? ଏହିସବୁ ଯାବତୀୟ କ୍ରିୟାଡ଼ମ୍ବରର ପଶ୍ଚାତରେ ପ୍ରକୃତରେ କେଉଁ ରାଜନୀତିର ପ୍ରେରଣା ରହିଥାଏ ? ଆମ ହାତପାଆନ୍ତାଏହି ଭଳି ଏକ ସର୍କସରେ କାଳ କାଟୁଥିବା ମହାନ୍‍ମାନେ ତ ପୁଞ୍ଜା ପୁଞ୍ଜା ବି ରହିଛନ୍ତି, ଯେଉଁମାନେ ନିଜ ରାଜନୀତିକ କରିତ୍‍ କର୍ମାପଣକୁ ଆପଣାର କୁଟୁମ୍ବ ନିମନ୍ତେ ବି ବ୍ୟବହାର କରୁଛନ୍ତି । ବିଚରାମାନେ ଏହି ଦେଶକୁ ଏହି ଅପକର୍ମଟି ଦ୍ଵାରା ଏକ ଲାଖରାଜିରେ ପରିଣତ କରି ସାରିଲେଣି । ଗୁହାଳଗୁଡ଼ାକୁ ଯେତିକି ଅସମ୍ଭବ ପ୍ରକାରେ ଅସନା ଓ ଅସମ୍ଭାଳ କରିବାରେ ଲାଗିଛନ୍ତି, ସେତିକି ସେତିକି ନିଜର ତୋଡ଼ଗୁଡ଼ାକୁ ଉଚ୍ଚରୁ ଆହୁରି ଉଚ୍ଚ କରିବାରେ ଲାଗିଛନ୍ତି । ଏହି ପୁଙ୍ଗବମାନଙ୍କର ଆଦୌ କୌଣସି ଦେଶ ଅଛି ଟି ? ଏବଂ, ସେମାନଙ୍କର ଦୟାଦରବାର ରୂପେ ଯେଉଁ ଶାସନନାମକ ଧାଆଁ ଧପଡ଼ ଚାଲିଛି, ତାହାକୁ ଚାଲୁ ରଖିଥିବା ଉଚ୍ଚତମ କାରିନ୍ଦାମାନଙ୍କର ମଧ୍ୟ ଆଦୌ କୌଣସି ଦେଶ ଅଛି କି ? ସେମାନେ ଏହି ଦେଶର ଲୁଣ ଖାଇ ବଢ଼ିଛନ୍ତି, ବହୁଙ୍କୁ ବଞ୍ଚିତ କରି ଉଚ୍ଚ ଥାନମାନଙ୍କରେ ଜଣେ ଜଣେ ସାହେବଙ୍କ ସଦୃଶ ମସ୍ତୀ କରୁଛନ୍ତି, ଗୋଟାଏ ଏଡ଼େବଡ଼ ଦେଶର ଶାସନଥାନ ଗୁଡ଼ିକୁ ସତେଅବା ଏକ ଅନ୍ତଃପୁର ପରି କାଇଦା ଭିତରେ ରଖିଛନ୍ତି । ଏମାନେ କେବେହେଲେ ଏହି ଦେଶରଏକ ରାଜନୀତିକ ତଥା ନିୟତିଗତ ଭବିଷ୍ୟଚିତ୍ର ରହିଛି ବୋଲି ଅନୁଭବ କରିବାକୁ ମଧ୍ୟ ଦଣ୍ଡେ ମନ କରିଛନ୍ତି ? ଏକ ଗଣତନ୍ତ୍ରରେ ମୁଁ ମୂଳତଃ ସେହି ଚିତ୍ର ତଥା ସେହି । ନିୟତିଟି ପାଖରେ ହିଁ ଅଙ୍ଗୀକାରବଦ୍ଧ ବୋଲି ବିଚାର କରିଛନ୍ତି ? ଯୋଜନାଗୁଡ଼ିକ ଫସରଫାଟି ଯାଉଛି, ହିତଗୁଡ଼ିକୁ ଭୂତ ଖାଇ ଯାଉଛନ୍ତି ଏବଂ ସେହି ଅପକର୍ମରେ ସେମାନେ procurer ଭାବରେ କାମ କରୁଛନ୍ତି ଏବଂ ସେହି କଳୁଷ କରୁଥିବାର ସଲାମୀ ସ୍ୱରୂପ ନିଜ ଘରକୁ ଭାଗ୍ୟଗୁଡ଼ାକୁ ବୋହି ନେଇ ଯାଉଛନ୍ତି । ପଢ଼ିଥିବା ଏତେଏତେ ପାଠ ଓ ଈଶ୍ଵର ଦେଇଥିବା ବିବେକଗୁଡ଼ିକୁ ମାଟି କରି ଦେଉଛନ୍ତି ।

 

ପାଠରେ ଆଉ କୌଣସି ଦାୟିତ୍ଵବୋଧ ନାହିଁ । ପାଠ ପଢ଼ୁଥିବାମାନଙ୍କର ନାହିଁ ଅଥବା ପାଠ ପଢ଼ାଉଥିବା ମାନଙ୍କର ନାହିଁ । ତେଣୁ ଏହି ଭୂମିର ଭବିଷ୍ୟତଟି ପ୍ରତି କୌଣସି ଅଙ୍ଗୀକାରବଦ୍ଧତା ନାହିଁ । ଆମେ ଯେଉଁମାନେ ପାଠ ପଢ଼ାଉଛୁ, ଆମର ପୀଠମାନଙ୍କୁ ଆସୁଥିବା ସେହି ପିଲାମାନେ ଓ ତରୁଣମାନେ ଆମପାଖରୁ ଯେଉଁ ଅସଲ ସମର୍ଥତାଗୁଡ଼ିକୁ ଲାଭ କରିବାର ଅଭିଳାଷ ନେଇ ଆସୁଛନ୍ତି, ଆମେ ସେମାନଙ୍କୁ ସେହି ସମର୍ଥତାମାନ ଦେବାରେ କେଡ଼େ, ଅଯୋଗ୍ୟ ବୋଲି ପ୍ରମାଣିତ ହୋଇ ସାରିଲୁଣି । ଭୂମିକୁ ଚିହ୍ନିବା ସେହି ଭୂମିଟି ନିମନ୍ତେ ତିଆରି ହେବା, ଏକ ସହଜ ସମର୍ପଣ–ବୁଦ୍ଧି ସହିତ ତିଆରି ହେବା, ସେଇଟି ସିନା ଆମ ପାଠର ଅସଲ କଥା ହୋଇଥାଆନ୍ତା । ଆମକୁ ଭୂଇଁରୁ ଗୋଟାସୁଦ୍ଧା ଛଡ଼ାଇନେବା ଏବଂ ଓଲଟି ସେହି ଭୂମି ଉପରେ ହିଁଗୋଟାଏ ମହାର୍ଘ ବୋଝ ହୋଇ ରହିବା ନିମନ୍ତେ ବିଧିବଦ୍ଧ ଭାବରେ ଫୁଙ୍ଗୁଳା ଏବଂ ଅଲକ୍ଷଣା ହେଇ ତିଆରି ହେବା,–ଏବେ ଏଇଟା ହିଁ ଆପଣାର ଜୟ ଜୟକାର କରିବାରେ ଲାଗିଛି । ଗୁରୁମାନଙ୍କ ଠାରୁ ନିତାନ୍ତ ଗୋଟାଏ ସାଧାରଣ ଗୋରୁର ବିବେକମଧ୍ୟ ହୁରୁଡ଼ି ଯାଇ ସାରିଲାଣି । ସୂତାଏ ମଧ୍ୟ ରାଜନୀତିକ ମାୟା ଅର୍ଥାତ୍ ସଚେତନତା ରହିଥିଲେ ଏଇଟା ଏତେ ଦୁର୍ବାର ଭାବରେ ସମ୍ପୃକ୍ତ ପକ୍ଷମାନଙ୍କୁ ମାଡ଼ି ବସିନଥାନ୍ତା । ଧର୍ମର, ମାନବର ଯାବତୀୟ ଧର୍ମମୂଲ୍ୟଗତ କଳ୍ପନାରେ ରାଜନୀତିର କିଞ୍ଚିତ୍ ଖିଅ ଲାଗିଥିଲେ ମଣିଷମାନେ ପରସ୍ପରକୁ ଅବଶ୍ୟ ଲୋଡ଼ୁଥାନ୍ତେ, ଯାବତୀୟ ପୁଣ୍ୟ ଓ ଶ୍ରେୟର ଅର୍ଜନରେ ଅନ୍ୟ ମଣିଷମାନଙ୍କ ନିମନ୍ତେ ଅପେକ୍ଷା ରଖୁଥାନ୍ତେ ,–ଚଣ୍ଡପଣ କରିବାକୁ ଲଜ୍ଜାବୋଧ କରୁଥାନ୍ତେ । କେବଳ ନିଜ ପାଇଁ ଏହି ମର୍ତ୍ତ୍ୟଭୁବନରେ ସ୍ଵର୍ଗଟାଏ ଆଣି ଥାପିଦେବାକୁ କଦାପି କଂସେଇ ହୋଇ ବାହାରି ପଡ଼ୁନଥାନ୍ତେ । ଏବଂ, ସର୍ବୋପରି, ଏକ ରାଜନୀତିକ ବିବେକ-ସଚେତନତା ରହିଥିଲେ କୌଣସି ରାଷ୍ଟ୍ର ସେମାନଙ୍କୁକେବେହେଲେ ଧର୍ମାନ୍ଧ କରି ପାରୁନଥାନ୍ତା । ସେତେବେଳେ, ଯେତେ ଅଧିକ କ୍ଷମତା ଲାଭ କରିଥିଲେ ମଧ୍ୟ ରାଷ୍ଟ୍ର ତଥାପି ଲୋକବିବେକକୁ ମାନି ଆପଣାକୁ ସମ୍ଭ୍ରମର ଭଦ୍ରଗାରଗୁଡ଼ିକ ଭିତରେ କାଇଦାରେ ରଖି ମଧ୍ୟ ପାରୁଥାନ୍ତା । ଏହି ଲୋକ ବିବେକର ସର୍ବପ୍ରଥମ ପରିପ୍ରକାଶ ହେଉଛି ଏକ ରାଜନୀତିକ ବିବେକ ରୂପେ ।

 

ଭାରତବର୍ଷର ସାହିତ୍ୟ ଏବେ ନିଜକୁ ଆଧୁନିକ ବୋଲି କହିଲାଣି । ଆଧୁନିକବୋଲି ବାରି ହୋଇ ପଡ଼ିବେ ବୋଲି କ'ଣ ସେମାନେ ସାହିତ୍ୟ ବୋଲି ଗୋଟିଏ ଅଲଗାଦ୍ଵୀପରେ ଯାଇ ରହିଯାଉଛନ୍ତି କି ? ମଣିଷମାନେ ଏହି ପୃଥିବୀରେ ଭାରି ଏକୁଟିଆବୋଲି ସେମାନେ କହିଲେଣି । ପ୍ରେମ ଏକୁଟିଆ, ଦୁଃଖ ଏକୁଟିଆ, –ଏହି ପରି କେତେକେତେ ଚକିତକାରୀ ଉଦ୍‍ଗାରରମାନ । ଶହେ କୋଟି ମଣିଷଙ୍କ ସହିତ କୌଣସି ଡୋର ବାନ୍ଧି ପାରୁନାହାନ୍ତି ବୋଲି ହୁଏତ ସେମାନେ ଆପଣାକୁ ନିଃସଙ୍ଗ ବୋଲିଘୋଷଣା କରିବାରେ କେତେ ବ୍ୟସ୍ତ ରହିଛନ୍ତି । ସେମାନଙ୍କର ଚତୁର୍ଦ୍ଦିଗର ପୃଥିବୀଟିକୁ ସେମାନେ ଡରୁଛନ୍ତି କି ? ଜୀବନକାତର ହେଲେ ସାହିତ୍ୟପୁରର ସାଧବମାନେ ସତକୁ ସତ ଏତେ ସ୍ଵାଧୀକାରପ୍ରମତ୍ତ ହୁଅନ୍ତି ଓ ଦୁର୍ଦ୍ଦାନ୍ତମାନଙ୍କର ପଟକୁ ଆଉଜି ହୋଇ ରହିଥାନ୍ତି, ଭାରତବର୍ଷର ଆଧୁନିକ ସାହିତ୍ୟର ଦର୍ପଣ ଉପରେ ତାହାର ଭଳି ଭଳି ନଜିର ଅବଶ୍ୟ ମିଳିଯିବ । ଆଧୁନିକ ବୋଲାଉଥିବା କୌଣସି ସାହିତ୍ୟ ଏପରି ଚାହାଳୀଚୋର ହେବାକୁ କାହିଁକି ମନ କରେ କେଜାଣି ?

 

ତେଣୁ, ଏଥର ରାଜନୀତିକୁ ଫେରିବା । ରାଜନୀତିକ ସଚେତନତା ଅର୍ଥାତ୍‍ ଭୂମିଟିଏ ପ୍ରତି ରହିଥିବା ସେହି ଦାୟିତ୍ଵବୋଧର ସଚେତନତା । ଏକ ବର୍ତ୍ତମାନ ସଚେତନତା ଏବଂ ଏକ ପରସ୍ପର-ସଚେତନତା । ଶହେ କୋଟି ମନୁଷ୍ୟଙ୍କ ଭିତରେ ହିଁ ମୁଁ ଜଣେ, ଏହାକୁ ମୁଁ ମୋର ଏକ ଭାଗ୍ୟ ବୋଲି ଗ୍ରହଣ କରିବି । ଏପରି ଏକ ଭାଗ୍ୟର ଅଧିକାରୀ ମୁଁ ହୋଇଛି ବୋଲି ଖୁସୀ ହେଉଥିବି ଏବଂ ସେହି ଖୁସୀରେ ହିଁ ନିଜକୁ ଅନୁରୂପ ମାର୍ଗରେ ଯୋଗ୍ୟ ମଧ୍ୟ କରୁଥିବି । ଦେଶକୁ ଲୁଟିନେଇ ମୋଟେ କୌଣସିଗତକୁ ପଳାଇବିନାହିଁ । ଏବଂ, ଭଗବାନଙ୍କର ବରାଦଏପରି ଯେ, ମଣିଷମାନେ ସଚେତନ ହେଲେ ମୂଷାମାନେ ଅବଶ୍ୟ ଧରା ପଡ଼ିଯିବେ । ପଚାଶ ବର୍ଷର ନାନାବି ଧଉଦାସୀନତା ଓ ଅବଜ୍ଞା ପରେ ବର୍ତ୍ତମାନ ଏପରି ମୁହୂର୍ତ୍ତଟିଏ ଆସି ପହଞ୍ଚିଛି, ଯେତେବେଳେ କିଆମର ଏହି ପୋଖରୀଟିର ଏକ ସଂପୂର୍ଣ୍ଣ ପଙ୍କୋଦ୍ଧାର ଆବଶ୍ୟକ ହେଉଛି । ଶାସନରେ ପଙ୍କୋଦ୍ଧାର ହେବ, ଶିକ୍ଷାରେ ପଙ୍କୋଦ୍ଧାରହେବ, ସାହିତ୍ୟରେ ପଙ୍କୋଦ୍ଧାର ହେବ, ମିଛ ଦରବରମାନେ ଗୋଟାପଣେ ଧରା ପଡ଼ିଯିବେ । ଏହାକୁ ଶାସ୍ତ୍ରର ଭାଷାରେ ଏକ ଅତିକ୍ରମଣ ବୋଲି କୁହାଯାଇପାରିବ । ଏଥିଲାଗି ଆମ ଭିତରୁ ପ୍ରତ୍ୟେକେ ନିଷ୍ପତ୍ତିଟିଏ ଗ୍ରହଣ କରି ଆଗକୁ ପହୁଣ୍ଡ ପକାଇ ପାରିବେ । ହାଇ୍‍କମାଣ୍ଡରୁ ଆଦେଶ ଆସିବା ଯାଏ ଆଦୌ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଶିକ୍ଷାବିଭାଗରୁ ଅନୁରୂପ ନିର୍ଦ୍ଦେଶନାମାଟିଏ ଆସିବା ଯାଏ ଜଣେ ଶିକ୍ଷକଙ୍କୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ସେ ରାଜନୀତି ଯିବ, ଏହି ନୂଆ ରାଜନୀତିଟି ଅନୁସାରେ ପ୍ରସ୍ତୁତ ହେବାଲାଗି ମୁହୂର୍ତ୍ତଟି ଆସି ପହଞ୍ଚିଗଲା ପରି ଅନୁଭବ ହେବ । ତା'ପରେ କେହି କାହାକୁ ଗିଳି ପକାଇବା ସକାଶେ ଆଦୌ କୌଣସି ଉତ୍ସାହ ଦେଖାଇବ ନାହିଁ । ନେତାକର୍ମୀକୁ ମୋଟେ ଗିଳି ପକାଇବ ନାହିଁ, ଅଧ୍ୟାପକମାନେ ମଧ୍ୟ ଛାତ୍ରମାନଙ୍କୁ ପିଟିପକାଇବାକୁ ମନ କରିବେ ନାହିଁ । ଭବିଷ୍ୟତରେ ସେହି ଅଭିଳଷିତ ଶିଶୁଟିକୁ ଧରି ରଖିଥିବା ଜନନୀଭଳି ବର୍ତ୍ତମାନଟିକୁ ପ୍ରତ୍ୟକ୍ଷ, କରିବା, ଧର୍ମତଃ ତାହାହିଁ ରାଜନୀତିକ ସଚେତନତା । ଏତେ ବଡ଼ ଭାରତବର୍ଷଏତେ ବଡ଼ ଏହି ପୃଥିବୀ ନିମନ୍ତେ କେତେବଡ଼ ଭବିଷ୍ୟଟିଏ ବସ୍ତୁତଃ ଅପେକ୍ଷା କରି ରହିଛି । ଆମପାଇଁ, ମୋ ପାଇଁ ଏବଂ ତୁମ ପାଇଁ ଅପେକ୍ଷା କରି ରହିଛି ।

Image

 

ବୋମାବିଜ୍ଞାନର ମରଦ

 

ବିଜ୍ଞାନ ହେଉଛି ମନୁଷ୍ୟ-ଜ୍ଞାନର ଏକ ବୃହତ୍ ତଥା ଗୌରବପୂର୍ଣ୍ଣ କୀର୍ତ୍ତି । ଆଉ କୋଉଟିକୁ ସାନ ବା ଗୌଣ କରି ଦେଖାଇବାର କୌଣସି ଉଦ୍ଦେଶ୍ୟ ନରଖି ସର୍ବଦା କୁହାଯାଇ ନପାରିବ କାହିଁକି ଯେ ବିଜ୍ଞାନର ବଳରେ ହିଁ ମନୁଷ୍ୟ ସାବାଳକ ହେବାର ତା’ର ଏହି ସାମ୍ପ୍ରତିକ ଅଧିକାରଟିକୁ ଲାଭ କଲା ! ଆମକୁ କେତେଆଡ଼ୁ ସାଉଁଟି ଆଣି ଗୋଟିଏ ଘରେ ଏକଜୁଟ କରାଇଲା, ଏକାବେଳକେ ସମଗ୍ର ପୃଥିବୀକୁ ଦେଖିପାରିବା ନିମନ୍ତେ ଅନୁରୂପ ଆଖିଗୁଡ଼ିକୁ ଯୋଗାଇଦେଲା ଏବଂ ଆମକୁ କେତେ କେତେ ଅଭାବନୀୟ ପ୍ରତିଶ୍ରୁତି ପାଇଁ ଭାଜନ କରି ବି ଆଣିଲା । ତାହାରି ଭିତରେ ଏହି ବୋମା-ତିଆରିର ବିଜ୍ଞାନଟିକୁ ଆପଣ କୀର୍ତ୍ତି ନା ଅକୀର୍ତ୍ତି କ'ଣ ବୋଲି କହିବେ ? ବୋମା ଅର୍ଥାତ୍ ଏହାର ଯାବତୀୟ ଅଦ୍ୟତମ ଅର୍ଥରେ ଆମେ ପରମାଣୁ ବୋମାକୁ ହିଁ ବୁଝିବା । ଏବଂ ପରମାଣୁ ବୋମା ନାମକ ସେହି ପ୍ରସଙ୍ଗଟି ମଧ୍ୟରେ ପ୍ରବେଶ କରିବା ମାତ୍ରକେ ସଦା ଆଗ ଆଲବର୍ଟ ଆଇନଷ୍ଟାଇନ୍ ହିଁ ଏକ ବଡ଼ ମେଘଖଣ୍ଡ ରୂପେ ଆମ ଆଖି ସମ୍ମୁଖରେ ଆସି ଆବିର୍ଭୂତ ହୋଇ ଉଠିବେ ! ହଁ, ସେଇ ମହାତ୍ମା ଆଇନ୍‌ଷ୍ଟାଇନ, ଅତ୍ୟନ୍ତ ମହନୀୟ ଆଲବର୍ଟ ଆଇନଷ୍ଟାଇନ୍ । ବିଚକ୍ଷଣ ମସ୍ତିଷ୍କଧାରୀ ନିତ୍ୟସ୍ମରଣୀୟ ଆଲବର୍ଟ ଆଇନଷ୍ଟାଇନ୍ ।

 

ସାମାନ୍ୟ ଅଣୁଟା ଯେ, ଆପଣାର ଗର୍ଭରେ ଅଭୂତପୂର୍ବ ଶକ୍ତିକୁ ଧାରଣ କରି ରଖିଛି, ନିଜ ଦ୍ୱାରା ଉଦ୍‌ଭାବିତ ଗାଣିତିକ ତଥ୍ୟଟିଏ ବାଢ଼ି ଦେଇ ଶ୍ରୀ ଆଇନଷ୍ଟାଇନ୍ ସର୍ବପ୍ରଥମେ ହିଁ ବିଶ୍ଵର ଅଧିବାସୀଙ୍କୁ ଏକଥା ଶୁଣାଇଥିଲେ । ସେହି ଶକ୍ତିଟି ଯେ ପୃଥିବୀନାମକ ଆମର ଏହି ପ୍ରିୟ ଜୀବନ-ସଂସ୍ଥାନଟିର ସଂହାର ନିମନ୍ତେ ମଧ୍ୟ କାରଣ ହୋଇପାରେ, ସେକଥା କେବଳ ସେଇ ସେତେବେଳେ ଅନୁମାନ କରିପାରିଥିବେ । ତା'ପରେ ଆମ ପୃଥିବୀଟାକୁ କି ଦଶାଟାଏ ଘଟିବ ବୋଲି ଅପେକ୍ଷା କରି ରହିଥିଲା କେଜାଣି, ଆଇନଷ୍ଟାଇନ୍ ସେହି କ୍ଷେତ୍ରରେ ଗୋଟାଏ ବୋମା ତିଆରି କରିବାର ପ୍ରସ୍ତାବନେଇ ଆମେରିକା ସରକାରଙ୍କର ଦ୍ଵାରସ୍ଥ ହେଲେ । ଦ୍ଵିତୀୟ ବିଶ୍ଵଯୁଦ୍ଧର ଅପରପକ୍ଷଟା ବୋମା ତିଆରି କଲାଣି । ତେଣୁ ଆମେ ମଧ୍ୟ ଆଉ ବିଳମ୍ବ ନକରି ଆମ ଘରେ ମଧ୍ୟଗୋଟାଏ ଯନ୍ତାଳ ବସାଇଦେବା, ସିଏ ଏହି ପ୍ରସ୍ତାବଟିକୁ ବାଢ଼ି ଦେଲେ । ରାଷ୍ଟ୍ରର ପାଟିରୁ ଲାଳ ବୋହିବା ଖୁବ୍‍ ସ୍ଵାଭାବିକ । ଏଯାଏ ଯେତିକି ସମ୍ବାଦ ମିଳୁଛି, ଜର୍ମାନୀରେ ଆଦୌ ସେପରି କୌଣସି ପ୍ରକଳ୍ପ ଆରମ୍ଭ ହୋଇନଥିଲା । ତେଣୁ, ପ୍ରଥମ ଫଳଟି ଆମେରିକାରେ ଫଳିଲା । ଆଇନଷ୍ଟାଇନଙ୍କର ଅଭିଭାବକତ୍ଵରେ ଫଳିଲା, –ଗୋଟାଏ ନୂଆ ପ୍ରମାଦଯୁଗର ଆରମ୍ଭ ହେଲା । ହିରୋସିମାରେ ବାହାଦୁରୀଟା ସିଧା ପ୍ରମାଣିତ ହୋଇଗଲା । ବିଚରା ବୈଜ୍ଞାନିକ ଆଇନଷ୍ଟାଇନ୍ ! ତାଙ୍କ ବିବେକ ଘରେ ଏକ ଧ୍ଵଜଭଙ୍ଗଆରମ୍ଭ ହେଲାବେଳକୁ ବେଳ ପ୍ରକୃତରେ ବଡ଼ ଉଛୁର ହୋଇ ଯାଇଥିଲା । ମହାନ୍‍ହୃଦୟ ଆଇନଷ୍ଟାଇନ୍ ଏଥିପାଇଁ ଆପଣାକୁ ଧିକ୍କାର ଦେଲେ । ଆଉଥରେ ପୃଥିବୀକୁ ଜନ୍ମହୋଇ ଆସିଲେ ସିଏ ବୁଲାବିକାଳି ହୋଇ ପେଟ ପୋଷିବେ ପଛକେ ଆଉ ମୋଟେ ବୈଜ୍ଞାନିକ ହେବେନାହିଁ ବୋଲି ଚଟକଣା ମାରିଦେଲା ପରି କେତେ କଥା ବି କହିଲେ । ତାଙ୍କ ପ୍ରତି ଆମର ବହୁତ ସହାନୁଭୂତି ଜାତ ହେଲା । ତଥାପି ସବୁ ଉଛୁର ହୋଇଯାଇଥିଲା ।

 

ଆଇନଷ୍ଟାଇନ ଧରାଧାମରୁ ବିଦାୟନେଇ ଚାଲିଗଲେ, କିନ୍ତୁ ବୋମାବିଜ୍ଞାନକୁ ପାଳକ ପଡ଼ିଲା । ଆଗ ବଡ଼ ବଡ଼ ରାଷ୍ଟ୍ରମାନେ ହୁଡ଼ିଲେ-ବେଶୀ ଦରମା ଦେଇସେମାନେ ବୈଜ୍ଞାନିକମାନଙ୍କୁ ଗୋଲାମ ପରି ଖଟାଇଲେ । ଶକ୍ତି ଭିତରେ ଆହୁରି ଶକ୍ତି, ଆହୁରି ଶକ୍ତି ଭିତରେ ତଥାପି ଆହୁରିଶକ୍ତି,-ଶେଷକୁ ଆଖିବୁଜା ଶକ୍ତି ହିଁ ଶକ୍ତି, ଯେଉଁଠି ପହଞ୍ଚିଲେ ମଣିଷମାନେ ତୁମକୁ ମୋଟେ ଦେଖାଯିବେ ନାହିଁ । ଖାଲି ପ୍ରତିଦ୍ଵନ୍ଦ୍ଵୀମାନେ ଦେଖାଯିବେ । ଏବଂ ସେମାନଙ୍କୁ ଟପିଯିବା ନିମନ୍ତେ ହିଁ ତୁମ ଭିତରେ ଭୟଙ୍କର ମତଲବମାନ ରହିଥିବ । ହଁ, ଯୁଦ୍ଧର ସେହି ପରବର୍ତ୍ତୀ କାଳରେ ରାଷ୍ଟ୍ରମାନଙ୍କୁ ବିବିଧ କୌଶଳରେ ସ୍ଵାଭିମାନୀ କରି ପକାଇବାର ପାଞ୍ଚ କରିଥିବା ଶୀତଳ ଯୁଦ୍ଧଟି ମଧ୍ୟ ପ୍ରାୟ ଏକ ଆଦର୍ଶସ୍ଥାନୀୟ ଗୋଳିଆ ପାଣିକୁ ପାଣି ଯୋଗାଇଦେଲା । ଆମେରିକା ରାଷ୍ଟ୍ରର ହାତରେ ସମ୍ବଳ ବେଶୀ, ତେଣୁ ତା’ର ପ୍ରୟୋଗଶାଳାରେ ଅଧିକ ସଂଖ୍ୟକ ବଳଦ । ସାଧାରଣ ମଣିଷର ନିତାନ୍ତ ସ୍ଵାଭାବିକ ବିବେକଗୁଡ଼ିକ ମାଡ଼ ଖାଇଗଲା । ପୃଥିବୀଯାକର ବୋମାବିଜ୍ଞାନୀ ମଉକା ସଜିଲ କରି ସେଇଠି ଯାଇ ପହଞ୍ଚିଗଲେ । ସେମାନେ ସତକୁ ସତ କୋଉ ବିଜ୍ଞାନକୁ ଭଲ ପାଉଥିଲେ ? ନା,–ସର୍ବାଧିକ ଅର୍ଥ କମାଇବାର ଲାଳସାରେ ସେଇ ସବାବଡ଼ ହାଟଟାରେ ଯାଇ ବିକ୍ରି ହୋଇ ଯାଇଥିଲେ ? ମଣିଷମାନେ, ବିଶେଷକରି ଏତେ ଏତେ ସୂକ୍ଷ୍ମାତିସୂକ୍ଷ୍ମ ଆଇନାଗୁଡ଼ାକ ଉପରେ ଦେଖୁଥିବା ମଣିଷମାନେ କ'ଣ ପ୍ରକୃତରେ ଏତେ ଏତେ ସର୍ବନାଶୀ ପ୍ରକୋପଗୁଡ଼ାକ ଆଡ଼କୁ ମନକରି ପାରିଥାଆନ୍ତେ ?

 

ଏଡ଼ୱାର୍ଡ଼ ଟେଲର ହେଉଛନ୍ତି ସେହି ତୁଙ୍ଗ ବୋମା ତିଆରି-କ୍ଷେତ୍ରର ବୈଜ୍ଞାନିକ, ଯିଏକି ବିଜ୍ଞାନର ନୌକାରେ ବସି ମୁଖ୍ୟ କୈବର୍ତ୍ତର ଭୂମିକାରେ ଆମେରିକା ନାମକ ରାଷ୍ଟ୍ରଟିକୁ ସିଦ୍ଧିଲାଭର କେତେ ତୁଠରେ ନେଇ ପହଞ୍ଚାଇ ଦେଇପାରିଛନ୍ତି । ଏହି ସେପ୍ଟେମ୍ବର ମାସରେ ତାଙ୍କର ଦେହାନ୍ତ ହେଲା ବୋଲି ବିଶ୍ଵ ସମ୍ବାଦରେ ବାହାରିଛି । ସିଏ ତ ଗଲେ, ଯିବାକଥା ଗଲେ, ଉଶ୍ଵାସ ହୋଇ ଏବେ କେତେ କୁଆଡ଼େ ନିଶ୍ଵାସଟିଏ ହୋଇ ହୁଏତ ବୁଲୁଥିବେ, କେହି ଯାହାର ଅନ୍ତ ହିଁ ପାଇବେ ନାହିଁ । ଏମିତି ଜଣେ ଜଣେ ଚାଲିଗଲେ ମହୀ ଉଶ୍ଵାସ ହୁଏ ବୋଲି ପୁରାଣରେ କେତେ କେତେ ଆଖ୍ୟାୟିକାରେ ଲେଖା ହୋଇରହିଛି । ମାତ୍ର ଟେଲର ଚାଲିଗଲା ପରେ ପୃଥ୍ଵୀଟା ଉଶ୍ଵାସ ହେଲା କି ? ଏପରିକି ତାଙ୍କୁ ଅମାପମାପ ସୁଯୋଗମାନ ଯୋଗାଇଦେଇ ପୃଥିବୀର ଭୟଙ୍କରତମ ବୋମାମାନଙ୍କୁ ଘରେ ଗଣ୍ଠିକରି ରଖିଥିବା ତାଙ୍କ ନିଜ ରାଷ୍ଟ୍ର ଆମେରିକାଟା, ମଧ୍ୟ ଉଶ୍ଵାସ ହେବ କି-? ଏତେ ବିଜ୍ଞାନ ଭିତରେ ଏହି ବୋମା ବିଜ୍ଞାନଟା କାହିଁକି ସତେଅବା ଗେଲରେ ଗେଲରେ ଆସି ହାବୁଡ଼ି ଗଲା, ଯାହାକି ଏହି ଗୋଟା ପୃଥିବୀଟାକୁ ମଧ୍ୟ ଧମକାଇ ରଖିବାକୁ ସାହସ କଲା-? ଏହି ଧମକ କ୍ରମେ ଅଧିକ ଭୀଷଣ ହେବ,–ଭୟମାନେ ହିଁ ଧମକ ଦେଇ ମଣିଷର ସହଜ ଶୁଭ ଭାବନା ତଥା ସଦ୍‌ଭାବନାଗୁଡ଼ାକୁ ଅଧିକରୁ ଅଧିକ ନିର୍ମମ ଭାବରେ ସାବାଡ଼ କରି ରଖିବେ-। ସେହି ଭୟାନକ ଉତ୍ସାହଟା କ୍ରମେ ପୃଥିବୀର ଅଧିକରୁ ଅଧିକ ରାଷ୍ଟ୍ରଙ୍କୁ ଆକର୍ଷିତ କଲାଣି-। ସାରା ପୃଥିବୀର ମଣିଷ ଗୋଟିଏ ଗାଆଁ ପରି ଏକାଠି ରହିବେ, ପରସ୍ପର ସହିତ ଏକାଠି ଅଛନ୍ତି ବୋଲି ଖୁସି ହେବେ, ଏବେ ତ ସାନ ଏବଂ ନିତାନ୍ତ ସାନ ରାଷ୍ଟ୍ରମାନେ ପରମାଣୁବୋମାର ଅଧିକାରିତ୍ଵ ଲାଭକରି ସେହି ସନାତନ ସତ୍ୟର ମର୍ଯ୍ୟାଦାଟିକୁ ବୁଡ଼ାଇଦେବାକୁ ବାହାରିଛନ୍ତି । ଏକ ବଡ଼ ଆଚମ୍ବିତ କଥା ହେଉଛି ଯେ, ଏହି ପୃଥିବୀଟା ତା'ର ଅନ୍ୟାନ୍ୟ ପ୍ରୟୋଗଶାଳାମାନଙ୍କରେ ମୂଳତଃ ହୃଦୟ ଉପରେ ନିର୍ଭର କରି ସେ ପରବର୍ତ୍ତୀ ଭବିଷ୍ୟତଟିକୁ ସୁସ୍ଥ କରି ଗଢ଼ିହେବ ବୋଲି ଏକାଧିକ ସତ୍ୟର ସନ୍ଧାନପାଉଥିବା ବେଳେ ବୋମାଗୁଡ଼ାକୁ ଦଶଟାଯାକ ହାତରେ ଧାରଣ କରିଥିବା ପରି ରାଷ୍ଟ୍ରମାନେ କାହିଁକି ଏସବୁ ବୈରୀପଣ କରି ବାହାରିଛନ୍ତି, ତାହାର ଗୁମରଟିକୁ କିଏ ଉଖାରି ବତାଇ ଦେଇପାରିବ ?

 

ଏହି ବୈଜ୍ଞାନିକମାନେ ବିଜ୍ଞାନକୁ ଏପରି ମତିହୀନ ଭାବରେ ରାଷ୍ଟ୍ର ହାତରେ ସମର୍ପି ଦେବାକୁ ମନ କଲେ କାହିଁକି ? ପୃଥିବୀରେ ଖୁବ୍ କମ୍ ସଂଖ୍ୟକ ରାଷ୍ଟ୍ର ଅଛନ୍ତି, ଯେଉଁମାନେ କି ପ୍ରକୃତରେ ଲୋକସମୂହଙ୍କର ଉଦୟ ଇଚ୍ଛା କରନ୍ତି । ଅସଲ ବିଜ୍ଞାନ ତଆଖିଗୁଡ଼ିକୁ ଆଣି ଦେଇଯାଏ-। ଏବର ରାଷ୍ଟ୍ରମାନେ ଯେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ କୋଟି କୋଟି ମନୁଷ୍ୟଙ୍କୁ ଅତ୍ୟନ୍ତ ବ୍ୟାଧିତ ଭାବରେ ନିର୍ଭରଶୀଳ କରି ରଖିଛନ୍ତି,–ଏଠାରେ ଖାଲି ବୀମା ନୁହେଁ, ବିଜ୍ଞାପନ, ହାଟବଜାର, ଅର୍ଥନୀତି, ପାଠପଢ଼ା, ସବୁଗୁଡ଼ାକ ସେହି ରାଷ୍ଟ୍ର ନାମକ ଅସୁରୁଣୀ ହାତରେ ଠୁଳ ହୋଇ ରହିଛି । ବିଳାସ ବଢ଼ୁଛି, ବରବାଦ ବଢ଼ୁଛି, –ସଂସାରରେ ମନୁଷ୍ୟ ଜୀବନରେ ଯେ ଅଧିକରୁ ଅଧିକ ଉନ୍ମୋଚନକାରୀନାନା ଲକ୍ଷ୍ୟ ରହିଛି, –ଆଧୁନିକ ରାଷ୍ଟ୍ରଶକ୍ତି ବର୍ଷ ବର୍ଷର ଚକ୍ରାନ୍ତ ଫଳରେ ତୁମ ଆମ ପରି ମନୁଷ୍ୟପଥିକ ମାନଙ୍କଠାରୁ ସେହି ପ୍ରତ୍ୟୟଟିକୁ ହରଣ କରି ନେଇଛି । ପୃଥିବୀଟା ପଛେ ବିଲୁପ୍ତ ହୋଇଯାଉ, ଅଥଚ ଆମେ ରହିଥାଉ, ଆମର ହାକିମୀ ଚାଲୁ ବୁଝାଇ ଖିଳ ମଣିଷଙ୍କୁ ଆମ ଅଧୀନକୁ ନ ଆଣିପାରିଲେ ଆମ ସୈନ୍ୟବଳ, ଅସ୍ତ୍ରବଳ ଓ ବଜାର ବଳ ମଧ୍ୟ ଅଲବତ ତାହା ସାଧ୍ୟ କରିବା ସକାଶେ ମହଜୁଦ ହୋଇ ରହିଥାଉ, ଏହିପରି ଏକ ଅବିବେକ ଦ୍ୱାରା ବାଧ୍ୟ ହୋଇ ରହିବାକୁ ପୃଥିବୀଯାକର ବୋମା-ମାଲିକମାନେ ଆମକୁ ଧମକ ଦେବାରେ ଲାଗିଛନ୍ତି, ଅଥଚ ବୈଜ୍ଞାନିକମାନେ ତଥାପି ସେଇ ପଟଟାର ଗୋତି ଖଟୁଛନ୍ତି, କାହିଁକି କେଜାଣି-? ପୃଥିବୀରେ ସବୁଠାରୁ ଅଧିକ ପଇସା ବୋମାରେ ଯାଉଛି । ଭୟ ବଢ଼ାଇବାରେ ଏବଂ ବାଧ୍ୟ କରିବାରେ ହିଁ ଖର୍ଚ୍ଚ ହେଉଛି । ଗଣତନ୍ତ୍ରମାନେ ମଧ୍ୟ ପ୍ରାୟ ସେହି ଝାମେଲା ଭିତରେ ପଡ଼ି ସଢ଼ି ପଚି ଗଲେଣି-। ମଣିଷକୁ ଅନ୍ତତଃ ରାଷ୍ଟ୍ରମାନଙ୍କର ପ୍ରଚାର ବିଭାଗର ଏହି ନାନାବିଧ ଚାତୁର୍ଯ୍ୟର କ୍ଷେତ୍ରରେ ଅଧିକରୁ ଅଧିକ ପରିମାଣରେ ଭୋଗନିର୍ଭର କରି ରଖାଯିବାର ଫନ୍ଦିମାନ ଲାଗି ରହିଛି ଓ ତାହାରି ଏକାଧିକ ଛଳରେ ତା’ ମୁଣ୍ଡର ପଗଡ଼ିଟାକୁ ତା'ମୁଣ୍ଡରୁ କାଢ଼ି ନିଆଯାଉଛି । ଏହି ରାତି ପ୍ରକୃତରେ କୋଉଦିନ ପାହିବ ?

 

ଅନ୍ତତଃ କିଛି ମଣିଷ ଅନ୍ୟପ୍ରକାରେ ଭାବିଲେ, ସଚଳ ହେଲେ ଏବଂ ସଂକଳ୍ପ କଲେ ଏହି ପୃଥିବୀର ବିଜ୍ଞାନ ମନୁଷ୍ୟର ବନ୍ଧୁ ରୂପେ କାର୍ଯ୍ୟରେ ଲାଗିପାରନ୍ତା । ମନୁଷ୍ୟକୁ ମନୁଷ୍ୟ ସହିତ ଯୋଡ଼ନ୍ତା, ହୃଦୟ ହୃଦୟ ମଧ୍ୟରେ ସେତୁଗୁଡ଼ିକୁ ପକାଇ ପାରନ୍ତା । ବୈଜ୍ଞାନିକମାନେ ଗୋଲାମୀ ଛାଡ଼ିଲେ ପୃଥିବୀରେ ସେହି ଅନ୍ୟ ନେତୃତ୍ଵଟିକୁ ଦେଇପାରନ୍ତେ । ବିଜ୍ଞାନମାନେ ସମ୍ପୂର୍ଣ୍ଣ ସକାରାତ୍ମକ ତଥା ସର୍ବସ୍ଵୀକାରିଭାବରେ ପୃଥିବୀରେ ବହୁ ପାଶମୁକ୍ତି ର ପ୍ରକ୍ରିୟାରେ ନିମିତ୍ତ ହୋଇପାରନ୍ତେ । ବିଜ୍ଞାନ ଏକ ପୂର୍ଣ୍ଣଜୀବନ-ବିଜ୍ଞାନର ଭୂମିକାରେ ଅବତୀର୍ଣ୍ଣ ହୋଇପାରନ୍ତା । ଏହି ଗାରମାନେ ହଟିଯାଆନ୍ତେ, ଘୃଣାମାନେ ଖର୍ବ ହୁଅନ୍ତେ । ଏଥିପାଇଁ କୌଣସି ଅତିଶକ୍ତିମାନ୍ ରାଷ୍ଟ୍ରର କୌଣସି ଆବଶ୍ୟକତା ଆଦୌ ନାହିଁ, –ସତ୍ୟର ଆଗ୍ରହ, ସତ୍ୟାଗ୍ରହର ହିଁ ଆବଶ୍ୟକତା ରହିଛି । ଏହି ବୋମାମାନଙ୍କର ଜଞ୍ଜାଳ ମଧ୍ୟରୁ ବାହାରି ଯାଇ ଥିର ହୋଇ ସତକୁ ସତ ଅନାଇ ପାରିଲେ ଆମେ ସୁନିଶ୍ଚିତ ଭାବରେ ଦେଖିବାକୁ ପାଇବା ଯେ, ପୃଥିବୀରେ ସବୁ ମଣିଷଙ୍କୁ ସମକ୍ଷରେ ରଖି ଯାହା କିଛି ଯେଉଁଠାରେ ଘଟୁଛି, ତାହା ସତ୍ୟାଗ୍ରହୀମାନଙ୍କ ଦ୍ଵାରା ଘଟୁଛି । ଗୋଲାମମାନଙ୍କ ଦ୍ଵାରା ମୋଟେ ଘଟୁନାହିଁ । ସତ୍ୟାଗ୍ରହୀମାନେ ନିଜର ଗାଆଁ କହିଲେ କ୍ରମେ ସମଗ୍ର ପୃଥିବୀକୁ ହିଁ ବୁଝୁଛନ୍ତି-। ସେମାନଙ୍କର ମଧ୍ୟ ଦେଶ ରହିଛି, ଭାଷାମାନେ ରହିଛନ୍ତି,–ତଥାପି ଆନୁଗତ୍ୟର ଦ୍ଵାରଗୁଡ଼ିକ ତମାମ ମଣିଷଙ୍କର ନିୟତିଟି ଆଡ଼କୁ ମୁକୁଳା ହୋଇରହିଛି । ଏକ ନୂଆ ସଂଗ୍ରାମ ଜନ୍ମଲାଭ କରୁଛି-। ନୂଆ ସୌହାର୍ଦ୍ଦ୍ୟ ତଥା ସଭାବନାଟିଏ ମଙ୍ଗରେ ବସିଛି । କ'ଣ ସବୁ ଘଟିଯାଉଛି, ପୂର୍ବର ଚିହ୍ନା ଧିସାଗୁଡ଼ାକୁ ଦେଇ ସେଗୁଡ଼ିକୁ ମୋଟେ ବୁଝି ହେଉନାହିଁ । ଆଖିରୁ ପୁରୁଣା ନେଞ୍ଜରାଗୁଡ଼ିକୁ ପୋଛିଦେଇ ପାରିଲେ ଜଳଜଳ ଦିଶୁଛି । ଭିତରେ ଦିଶୁଛି, ବାହାରେ ଦିଶୁଛି ।

Image

 

କିଏ ବା କେଉଁମାନେ ଦାୟୀ ?

 

ସେମାନେ ସଭାରେ ବସି ସେଦିନ ଆନୁଷ୍ଠାନିକ ଭାବରେ ବିତର୍କଟିଏ କରୁଥିଲେ । ଠିକ୍, ଇସ୍କୁଲିଆ ପିଲାଙ୍କ ପରି । ଯୋଗକୁ ସେଦିନ ବୋଧହୁଏ ଶନିବାର ହିଁ ଥିଲା । ଆମେ ସବୁ ସ୍କୁଲରେ ପାଠ ପଢ଼ୁଥିବା ସମୟରେ ଶନିବାର ସକାଳୁଆ ସ୍କୁଲ ସରିଗଲେ ଆମର ବି ଏହିପରି ବିତର୍କ ସଭା ହେଉଥିଲା । ସେଥିରେ ଅଂଶଗ୍ରହଣ କରି ଆମକୁ କେଡ଼େ ଖୁସି ଲାଗୁଥିଲା । ଭଲ କହିଲେ ବୀର ପରି ଲାଗୁଥିଲା । ଆଲୋଚ୍ୟ ଏହି ଲେଖାଟିରେ ମୁଁ ଯେଉଁ ବିତର୍କ ଅନୁଷ୍ଠାନଟିର କଥା କହୁଛି, ଓଡ଼ିଶା ଅନଗ୍ରସର କାହିଁକି ? 'ସେହି ବିଷୟଟିର ସେଥିରେ ଚର୍ଚ୍ଚା ହେଉଥିଲା । ଆଲୋଚକମାନେ ସତେ ଅବା କୌଣସି ସ୍ଵୟମ୍ବର ସଭାରେ ଆସି ବସିଥିବା ଭଳି ଦେଖା ଯାଉଥିଲେ । ଜଣେ ଜଣେ ଖାରବେଳ ଭଳି ଦିଶୁଥିଲେ । ହଲପ ମାରି କହୁଛି, ସେମାନେ କେହି ସ୍ଵୟଂ ଅନଗ୍ରସର ନଥିଲେ । ଅଗ୍ରସର ଏବଂ ଅତି ଅଗ୍ରସର ମଣିଷମାନେ ଭୂମିଟାର ଅନଗ୍ରସରତା ସମ୍ବନ୍ଧରେ, ଏକ ବିତର୍କରେ ବସି ଆଲୋଚନା କରିବା, ଏଇଟା କ'ଣ କେଉଁ ଅପବିଧାତାର ଚଗଲାପଣ ହେତୁ ଏକ ଅନଗ୍ରସର ରାଜ୍ୟରେ ହିଁ ସମ୍ଭବ ହୁଏ କି? ଜଗତର ନାଥ ଜଗନ୍ନାଥଙ୍କୁ ଯଦି ତୁମେ ଏହି ପ୍ରଶ୍ନଟିକୁ ପଚାରିବାକୁ ଇଚ୍ଛା କରିବ, ତେବେ ସିଏ ତୁମକୁ ଦେଖୁ ଦେଖୁ ଏମିତି ଠୋ ଠୋ ହସିବାକୁ ଆରମ୍ଭ କରିବେ ଯେ ତୁମେ ହଠାତ୍ ମୋଟେ କିଛି ବୁଝି ପାରିବ ନାହିଁ ଏବଂ ଛାନିଆ ହୋଇ ସେଠାରୁ ପଳାଇ ଆସିବ । କେତେ ବର୍ଷତଳେ ଓଡ଼ିଶା ରାଜ୍ୟ ଦରିଦ୍ର କାହିଁକି ବୋଲି ପ୍ରାୟ ଏହି କଦରରେ ବହିଟିଏ ବାହାରିଥିଲା । ତାହାକୁ ଅଦରିଦ୍ରମାନେ ହିଁ ଲେଖି ବାହାର କରିଥିଲେ । ଯେଉଁମାନେ ସରସ୍ଵତୀଙ୍କୁ ଆଶ୍ରା କରି ରହିବା ଭଳି ଜୀବିକାଟିଏ ଆଦରି ନିଅନ୍ତି, ସେମାନେ ଆଗ ଲକ୍ଷ୍ମୀଙ୍କ ଠାରୁ ସ୍ୱୀକୃତି ପାଇ ତା’ପରେ ଆପଣାର ଧନ୍ଦା ଭିତରେ ଆସି କ୍ରିୟାଶୀଳ ହୋଇଥାଆନ୍ତି, ଏଇଟା କ'ଣ ଓଡ଼ିଶା ତଥା ଭାରତବର୍ଷରେ ସତ୍ୟ ଯୁଗରେ ବି ଥିଲା ?

 

ଅର୍ଥାତ୍ ଅଗ୍ରସର ଏବଂ ଅତି ଅଗ୍ରସରମାନେ ହିଁ ଅନଗ୍ରସରମାନଙ୍କ ବିଷୟରେ ଆଲୋଚନା କରିବେ । ପ୍ରମୋଦଶାଳା ପରି ତଥାକଥିତ କର୍ମଶାଳାମାନଙ୍କର ଆୟୋଜନ କରିବେ-। ଏକ ପ୍ଲାଜାସଦୃଶ ପୀଠସ୍ଥାନରେ ସେମାନେ ବସିବେ ଏବଂ କିଏ କେତେ ଜ୍ଞାନ ଘାଣ୍ଟିଛି, ତାହାରି ମର୍ଯ୍ୟାଦାବନ୍ତ ପରିଚୟମାନ ଦେବେ । ସ୍ଵାଧୀନଭାରତର ସରକାର ମଧ୍ୟ ସବୁ ବୁଝି ଯାଇଥିବା ପରି ଏହି ବାବଦରେ ବାର୍ଷିକ କେତେକୋଟି ଟଙ୍କା ଖର୍ଚ୍ଚ କରୁଥିବେ, ସେକଥା ଆପଣ ଖୁବ୍ ବୁଝି ପାରିବେ । ସ୍ଵୟଂ ଅଗ୍ରସରମାନଙ୍କର ପଲରେ ଥିଲେ ଏବଂ ଗେଲବସରଟିଏ ହୋଇଥିଲେ ହୁଏତ ଅଧିକଚଟ୍ କରି ବୁଝି ଯାଇପାରିବେ । ସେଠି ଆଦିବାସୀମାନେ କାହାନ୍ତି, ଯେଉଁଠି ଆଦିବାସୀଙ୍କ ବିଷୟରେ ସମ୍ଭ୍ରାନ୍ତ ସଭାମାନ ବସିଛି । ସେଠି ଶିଶୁଶ୍ରମିକ କାହାନ୍ତି, ଯେଉଁଠିୁ ଶିଶୁଶ୍ରମିକଙ୍କ ବିଷୟରେ ନିତାନ୍ତ ଲୋମଶ ଶୋଷକମାନେ ପଣ୍ଡିତମାନଙ୍କୁ ଡକାଇ ପ୍ରତିକାରମାନ ଖୋଜି ବାହାର କରିବା ନିମନ୍ତେ ସମ୍ପାନମାନ ମଣ୍ଡାଇବାରେ ଲାଗିଛନ୍ତି ? ଏବଂ, ଯେଉଁଠାରେ ପ୍ରତ୍ୟେକ ମନୁଷ୍ୟର ଅଧିକାର ବିଷୟରେ ପୃଥିବୀରପ୍ରାୟ ସକଳ ଅଧିକାରର ଖଞ୍ଜଗୁଡ଼ିକୁ ଦଖଲ କରି ନେଇଥିବା ଦାନବମାନେ ଏକାଡେମିକ୍ ଆସରମାନ ଜମାଇ ବସୁଛନ୍ତି, ସେଠାରେ ପ୍ରାୟ ସର୍ବବିଧ ଅଧିକାରରୁ ବଳବନ୍ତମାନଙ୍କ ଦ୍ୱାରା ବଂଚିତ କୋଟି କୋଟି ମଣିଷମାନଙ୍କୁ କାହିଁକି କେହି ଡାକୁନାହାନ୍ତି-? ଭାରତବର୍ଷର ନିରକ୍ଷରଙ୍କୁ ସାକ୍ଷର କରିବା ପାଇଁ, ଇସ୍କୁଲ ମାଡ଼ି ପାରୁନଥିବା ପିଲାମାନଙ୍କୁ ନାନା ପ୍ରଲୋଭନର ପ୍ରତୀତିମାନ ଦେଇ ଇସ୍କୁଲକୁ ଆଣିବାର ସମ୍ଭାବନାମାନ ସୃଷ୍ଟି କରୁଥିବା କର୍ତ୍ତାମାନଙ୍କର ଏତେ ଏତେ ଜାକଜମକପୂର୍ଣ୍ଣ ସର୍ବବିଧ ଅଭିନୟରେ ଆମକୁ ପ୍ରାୟ ସେହି ଏକା କଥା ହିଁ ଦେଖିବାକୁ ମିଳିବ । ମନେ ହେବ, ଆମର ଏହି ଭାଗ୍ୟହୀନ.ଘରଗୁଡ଼ାକୁ ସଜାଡ଼ିବାର ବାହାନାରେ ଆମ କପାଳକୁ ଆଉ କେଉଁ ସ୍ଵର୍ଗରୁ ଏହି କୁଣିଆମାନେ ଆମକୁ ଆହୁରି କୌଣସି ନୂଆ ମାର୍ଗରେ କଲବଲ କରିବା ଲାଗି ଆସି ପହଂଚି ଯାଇଛନ୍ତି କି ? ଆମର ଭାଗ୍ୟ ପୋଖରୀରେ ଓଧ ହୋଇ ପହଁରିବା ନିମନ୍ତେ ଫିସାଦ କରି ଆସିଛନ୍ତି, କି ? ଗତ ପଞ୍ଚାବନ ବର୍ଷ ହେଲା ସେହି ତାମସାଟା ହିଁ ଲାଗି ରହିଛି । ତେବେ ଓଡ଼ିଶାର ଅନଗ୍ରସରତା ପାଇଁ ପ୍ରକୃତରେ କିଏ ଦାୟୀ ? ଇଏ କହିଲେ ସିଏ ଦାୟୀ, ସିଏ କହିଲେ ଇଏ ଦାୟୀ । ମୁଁ କହିଲା ତୁ ଦାୟୀ, ତୁ କହିଲା ମୁଁ ଦାୟୀ । ଜଣେ କହିଲା, ଅମଲାମାନେ ଦାୟୀ, ଆଉ ଜଣେ କହିଲା ନେତାମାନେ ଦାୟୀ । ଅଥଚ, ଯେଉଁମାନେ ଏସବୁ କଥା କହୁଥିଲେ, ସେମାନଙ୍କ ମଧ୍ୟରେ ଅମଲା ରହିଥିଲେ, ନେତା ବି ରହିଥିଲେ ! ଭିନ୍ନ ଭିନ୍ନ ଗୋଠର ନେତାମାନେ ରହିଥିଲେ । ଅମଲାମାନେ ଗୋଟାଏ ଗୋଟାଏ ନେତାଙ୍କ ପରି ଦିଶୁଥିଲେ, ନେତାମାନେ ମଧ୍ୟ ଗୋଟାଏ ଗୋଟାଏ ଅମଲାଙ୍କ ପରି ଦିଶୁଥିଲେ । କେହି ଆଦୌ ମଲାଙ୍କ ପରି ଦିଶୁନଥିଲେ । ଓଡ଼ିଶା କହିଲେ ସେମାନେ ସତେ ଅବା ମୋଟେ ପାଞ୍ଚ ବା ଦଶବର୍ଷର ଗୋଟାଏ ମାତ୍ର କାଲିକାର ପିଲା ବା କାଲିକାର ବ୍ୟାପାର ପରି କଳ୍ପନା କରୁଥିଲେ । ଅର୍ଥାତ୍, ସେମାନେ କ୍ଷମତାରେ ଥିବା ସମୟରେ ସବୁ ଠିକ୍ ଥିଲା, ମାତ୍ର ସେମାନେ ଯାଇ ଅନ୍ୟମାନେ କ୍ଷମତାକୁ ଆସିବା ପରେ ସବୁ ବିଗିଡ଼ି ଗଲା, –ଏହି ପରି ଗୋଟାଏ ଚିତ୍ରଦେବା ଲାଗି ସମ୍ପୃକ୍ତ ମାହାପୁରୁମାନେ ପୁରାଆଣ୍ଟରେ ନିଜର କଥାଗୁଡ଼ିକୁ କହି ଚାଲିଥିଲେ । ଅପରପକ୍ଷରେ, ଏହି ଅମଲାମାନେ ଯେତେବେଳେ ସଚିବାଳୟ ନାମଧେୟ ମାଲଗାଡ଼ିଟିର ସ୍ଵୟଂ ଡ୍ରାଇଭର ଅଥବା ଗାର୍ଡ଼ ଥିଲେ, ସେତେବେଳେ ଗାଡ଼ିଟି କେଡ଼େ ସୁନ୍ଦର ଭାବେ ଘର୍ ଘର୍ ଚାଲି ଯାଉଥିଲା, ମାତ୍ର ବୟସଟାର ପ୍ରକୋପରୁ ଏମାନେ ସେଠାରୁ ବାହାରି ଆସିବା ପରେ ସବୁ କିଛି ବିଗିଡ଼ିଗଲା । ମୁଁ ସତ କହୁଛି ପାଠକେ, ଆମେ ଇସ୍କୁଲ ପିଲା ବିତର୍କ କରୁଥିବା ସମୟରେ କେବେହେଲେ ଏତେ ଅବାଗିଆ ହୋଇ ଆଦୌ କିଛି କହିବାକୁ ସାହସ ହିଁ କରୁନଥିଲୁ । ଗୋଟାଏ ସର୍ବନିମ୍ନ ଆନ୍ତରିକତା ସର୍ବଦା ରହିଥିଲା । ବୟସ କଞ୍ଚା ହୋଇଥିଲେ ମଧ୍ୟ ଆମେ ତାହାକୁ ବେଶ୍ ହୃଦୟଙ୍ଗମ କରୁଥିଲୁ । ଆନ୍ତରିକତାକୁ ଆମେ ସାଧୁତା ବୋଲି କହିଲେ ମଧ୍ୟ ଅଲବତ ଚଳିଯିବ । କେତେବର୍ଷ ତଳର ଗୋଟିଏ ଘରୋଇ ଆଲୋଚନାସଭାର କଥା ଏଠାରେ ଖୁବ୍ ମନେ ପଡ଼ିଯାଉଛି । ସେଠାରେ ଅବସରପ୍ରାପ୍ତ ଶିକ୍ଷାବିଭାଗୀୟ ଦୁଇଜଣ ନିର୍ଦ୍ଦେଶକ ମହଜୁଦ ରହିଥିଲେ । ଉଭୟେ ବିଲାତରୁ ଡିଗ୍ରୀ ଧାରଣ କରି ଆମ ଘରେ ଏଠି ଏଡ଼େ ଏଡ଼େ ଉଚ୍ଚ ଥାନମାନ ମଣ୍ଡନ କରି ରହିଥିଲେ ।

 

ସେତେବେଳେ ଭାରତବର୍ଷ ସ୍ଵାଧୀନତା ଲାଭ କରିବାର ପ୍ରାଥମିକ ଉତ୍ସାହ ପର୍ବଟି ତଥାପି ରହିଥାଏ । କ'ଣ ସବୁ ଘଟୁଛି ବୋଲି ଖୁବ୍ ଆସ୍ଥା ରହିଥାଏ । ଆମ ହାକିମମାନେ, ଅମଲାମାନେ ଆମର ବୋଲି ସାଧାରଣ ମାନସରେ ପ୍ରତ୍ୟୟମାନ ମଧ୍ୟ ଥାଏ । ମନ୍ତ୍ରୀମାନେ ମୋଟେ ସେତେ ଚଗଲା ହୋଇନଥାନ୍ତି ଓ ଜାଣିସିଆଣିଆ ହେବାଲାଗି ସେତେ ସାହସ ବି କରିନଥାନ୍ତି । ସେଦିନ ଉଭୟ ଗୁରୁଜନ କିଛି ହେଲାନାହିଁ ବୋଲି ଆପଣା ଆପଣା ସ୍ୱଭାବର ଶୈଳୀରେ ଆପଣାର ମତଗୁଡ଼ିକୁ ଦେଇଥିଲେ । ଜଣେ ତ ରାଗରେ ଗରଗର ହୋଇ ଓଡ଼ିଶାରେ ଶିକ୍ଷାର ଉନ୍ନତି ତଥା ଅଗ୍ରଗତି ପାଇଁ କିଛି କରି ହେଲା ନାହିଁ ବୋଲି ଉଗ୍ର ଉଦ୍‌ଗାରମାନ କରି ଚାଲିଲେ ଏବଂ ଯାହାକୁସାରେ ପାଇଲେ ସତେ ଅବା ତା ଦିହରେ ଶିଙ୍ଗଟାଏ ଭୁଷିଦେବାରେ ଆଦୌ ପଶ୍ଚାତ୍‍ପଦ ହୋଇନଥିଲେ । ଆଉ ଜଣେ ମଧ୍ୟ କ୍ଷୋଭ ପ୍ରକାଶ କଲେ ଏବଂ ପଦ୍ମକେବଳ ଘୁଞ୍ଚି ଘୁଞ୍ଚି ଯାଉଛି ବୋଲି ମନ୍ତବ୍ୟଟିଏ ଦେଲେ । କ୍ରମେ ମୋତେ ମଧ୍ୟ କିଛିମତ ଦେବାକୁ କୁହାଗଲା-। ଦୁଇ ଗୁରୁଜନଙ୍କୁ ସମ୍ବୋଧନ କରି ମୁଁ କେବଳ ଏତିକିମାତ୍ର କହିଥିଲି : ଆଜ୍ଞା ଦୁଇଜଣ ତ ରାଜ୍ୟର ଶିକ୍ଷା-ଭାଡ଼ିରେ ଏଡ଼େ ଉଚ୍ଚ ଥାନମାନଙ୍କରେଯାଇ ରହିଥିଲେ, –କରିଥିଲେ ତ କାହିଁ କ’ଣ କରିପାରିଥାନ୍ତେ । ଆପଣମାନେ ଦୃଢ଼ଭାବରେ କିଛି କରିବାକୁ ଅର୍ଥାତ୍ କିଛି ବଦଳାଇବାକୁ ଚାହିଁଥିଲେ କିଏ ଆପଣମାନଙ୍କୁ ବାଧା ଦେଇଥାନ୍ତା ? ଏବଂ, ବାଧା ଦେଇଥିଲେ ଏକ ଲୋକଶାସନର କର୍ମକର୍ତ୍ତା ହିସାବରେ ହୁଏତ ଆପଣମାନେ ସେହି ସ୍ଥିତିଟାକୁ ଲୋକସମକ୍ଷକୁ ଆଣି ପାରିଥାନ୍ତେ । ସେପରି କିଛି ଘଟିଥିଲେ ଲୋକବିବେକ ଆପଣମାନଙ୍କର ସପକ୍ଷରେ ଯାଇଥାନ୍ତା ଏବଂ, ସେତିକି କ'ଣ କୌଣସି ଅର୍ଥରେ କମ୍ ହୋଇଥାନ୍ତା ? କହିବା ବାହୁଲ୍ୟ, ମୋର କଥାଗୁଡ଼ିକ ସେଦିନ ସେହି ମହୀରୁହ ଦୁହିଁଙ୍କୁ ଭାରି ଅପ୍ରସନ୍ନ କରି ପକାଇଲା । ସେମାନେ ଏପରି ଘଟଣାଟିଏ ଘଟିବ ବୋଲି ଆଦୌ ଆଶା କରିନଥିଲେ । ସମ୍ଭବତଃ ଶ୍ରୋତାମାନେ ବି ଟିକିଏ ଚଙ୍ଗଚଙ୍ଗ ହୋଇ ଉଠିଲେ । ଘାଆଟାକୁ ନ ଚିରିଲେ ଆପଣଘାଆକୁ ଭଲ ବା କିପରି କରିପାରିବେ-? ଆମ ବିତର୍କମାନଙ୍କରେ ଏହିପରି କୌଣସି କୁସଂସ୍କାରକୁ ରକ୍ଷା କରି କେହି କିଛି ହେଲେ ଉଖାରିବାକୁ ଇଚ୍ଛା କରନ୍ତି ନାହିଁ । ନିଜ ପାଖରେ କାଇଲି ହେବା ତ ଅଧିକ ଦୂରର କଥା । ସେଦିନ ଏତେ ଏତେ ଦୋଷାରୋପର ସ୍ରୋତ ବୋହିଲା, ଦାୟିତ୍ଵର ଫିଙ୍ଗାଫିଙ୍ଗି ଦ୍ଵାରା କେତେ କ'ଣ ଆତ୍ମପ୍ରସାଦ ଲାଭ କରାଗଲା, କିନ୍ତୁ ଦୁଇଟା କଥା କେହି କହିଲେ ନାହିଁ । ଯେଉଁଠାରେ, ଏପରିକି ଯେଉଁ ରାଜ୍ୟରେ ବା ଯେଉଁ ଦେଶରେ, ଅଗ୍ରସର ଓ ଅତି ଅଗ୍ରସରମାନେ ରାଜ୍ୟର ଅନଗ୍ରସରତା ବିଷୟରେ ସତେ ଫୁଲେଇନାନୀ ବନି ଅଦାଲତ ବସାନ୍ତି । ସେଠି ଗୋଟାଏ ନିର୍ଦ୍ଦିଷ୍ଟ ମତଲବରୁ ହିଁ ହୁଏତ ସେପରି କଥାମାନ ମୋଟେ ପଡ଼େ ନାହିଁ । ଏଠାରେ ଅଗ୍ରସର ଏବଂ ଅତିଅଗ୍ରସରମାନେ ବାଟ ଓଗାଳି ରହିଛନ୍ତି, ଯଥାସମ୍ଭବ ସବୁକିଛିକୁ ମାଡ଼ି ବସିଛନ୍ତି ଏବଂ ଏହି ପୁଷମାସଟାକୁ ଏକ ଏକଚାଟିଆ ଅମଙ୍ଗପଣିଆରେ ଅଧିକରୁ ଅଧିକ କାଳ । କେବଳ ସେହିମାନେ ହିଁ ଭୋଗ କରିବେ ବୋଲି ଆପଣାର ପିତ୍ତନାଡ଼ୀଗୁଡାକୁ ଫୁଲେଇ ରଖିଛନ୍ତି ବୋଲି ଯେ ରାଜ୍ୟଟା ବା ଦେଶଟା ଅନଗ୍ରସର ହୋଇ ପଡ଼ିରହିଛି, ସେହି ସତକଥାଟା ସେମାନେ ପ୍ରକୃତରେ କିପରି ବା କହନ୍ତେ ? ଏବଂ 'କେବେ କହୁକହୁ କହି ପକାଇଲେ ମଧ୍ୟ ମେ ଭୂଇଁଟା ସତକୁ ସତ ଅନ୍ୟପ୍ରକାରେ ଗଢ଼ା ହେବାର ବାଟ ଫିଟି ଯାଆନ୍ତା । ଏହି ରାଜ୍ୟ ଜୟରେ ଧର୍ମ ଥିଲାପରି ଲାଗନ୍ତା ଏବଂ ଏହି ମର୍ତ୍ତ୍ୟମଣ୍ଡଳରେ ଏକ ଅଭିନବ ସହ ଉଦ୍ୟମର ସୂତ୍ରପାତ ହୋଇପାରନ୍ତା ସିନା, ମାତ୍ର ବାବୁମାନଙ୍କର ଆସନଗୁଡ଼ାକ ଭାଙ୍ଗି ଯାଆନ୍ତା-। ତେଣୁ, କେହି ଜଣେ ହେଲେ ପୂରା ସଫା ଗଳାରେ କହି ପାରିଲେ ନାହିଁ ଯେ, ଆରେ ଆମେ ପରସ୍ପରକୁ କ'ଣ ପାଇଁ କାଦୁଅ ଫିଙ୍ଗି ଏପରି ଭୁରୁଡାଇ ହେଉଛୁ ? ଚାଲ, ସଫାହୋଇ ମସ୍ତକ ଉଚ୍ଚ କରି କହିଦେବା ଯେ ଏହି ଅନଗ୍ରସରତା ନିମନ୍ତେ ଆମେ ସମସ୍ତେ ଦାୟୀ । କେବଳ ତୁ ଦାୟୀ ନୋହୁ କିମ୍ବା କେବଳ ମୁଁ ଦାୟୀ ନୁହେଁ–ଆମେ ସମସ୍ତେ ଦାୟୀ । ଆମେ ସେହି ଗୋଟିଏ ଗୁହାଳର ଗାଈ । ଏତିକିରେ ହୁଏତ ଆକାଶରୁ ପୁଷ୍ପବୃଷ୍ଟି ବି ହୁଅନ୍ତା, ଦେବତାମାନେ ପୂର୍ଣ୍ଣପ୍ରସନ୍ନ ହୋଇ ସାଧୁ ସାଧୁ ବୋଲି କହନ୍ତେ । କେତେଗଣ୍ଡି ଫିଟିଯାଆନ୍ତା ଏବଂ ଏଠି ମଣିଷମାନଙ୍କ ଭିତରେ କେତେ ବିଶ୍ୱାସ ସମ୍ଭବ ହୁଅନ୍ତା । ଆଖର ସେହି ବିଶ୍ୱାସ ହିଁ ଜିତନ୍ତା ।

 

ବିତର୍କଟି ସତକୁ ସତ ସଫଳ ହୋଇଥାନ୍ତା । ପକ୍ଷଗୁଡ଼ିକ ପରସ୍ପରର ନିକଟବର୍ତ୍ତୀ ହୋଇଆସିଥାନ୍ତେ । ତା'ପରେ ଦ୍ଵିତୀୟ ଆର ପର୍ଯ୍ୟାୟଟି ଆଡ଼କୁ ପଥ ଉନ୍ମୋଚିତ ହୋଇଯାଇଥାଆନ୍ତା । ନେତା କହିଥାନ୍ତି, ଏଣିକି ମୁଁ ଧିସା ବଦଳାଇବି, ଧର୍ମକୁ ଆସିବି, ଏହିଁ ଭୂମିଟିକୁ ଆମ ସମସ୍ତଙ୍କର ଭୂମି ବୋଲି ସ୍ୱୀକାର କରିନେବି । ମୁଁ ଆଉ ଭଗବାନଙ୍କ ପାଖରେ ମୋଟେ ଦ୍ରୋହୀ ହେବି ନାହିଁ । ଅମଲା ବା ହାକିମଟିଏ ବି ଅଲଗା ବାଗିର୍ ହେବ ଲାଗି ନିଜ ପାଖରେ ବଚନବଦ୍ଧ ହୁଅନ୍ତା । ଆଉ ସମସ୍ତେ ଏହି ରାଜ୍ୟଟାକୁ ଖୋଳ କରିଦେବାରେ ଲାଗିଥିଲେ ମଧ୍ୟ ମୁଁ ତଥାପି ଅନ୍ୟଭଳି ହେବି । ଲୋକପ୍ରତ୍ୟୟର ଯୋଗ୍ୟ ହେବି ଏବଂ ଆପଣାକୁ ସେହି ଅନୁସାରେ ମୋ ଦାୟିତ୍ୱ କ୍ଷେତ୍ରରେ ନିୟୋଜିତ ରଖିବି ! ମୋ ଉପରର ଶାସକ-ନେତା ଅନ୍ଧାର ଗୁଡ଼ାକର ପଟ ନେଇ ମୋତେ ବି ବାଧ୍ୟ କରି ରଖିବାର ଫିକର କରୁଥିଲେ ମଧ୍ୟ ମୁଁ ତଥାପି ଲୋକଙ୍କ ପଟରେ ରହିବି । ନେତାଠାରୁ ଲୋକଙ୍କ ବିଷୟରେ ମୁଁ ଅଧିକ ଜାଣିଛି, ଅଧିକ ବୁଝିଛି ଏବଂ ଅଧିକ ସଚେତ ହୋଇପାରିଛି ବୋଲି ପ୍ରମାଣ ଦେବି । ମୁଁ ଅନ୍ୟ ପ୍ରକାରେ ହେବି । ସେଦିନ ସେହି ସଭାରେ ଉପସ୍ଥିତ ଥିବା କେତେ ଅଧ୍ୟାପକ ଯଦି ଏଣିକି ଏକ ଅଲଗା । ବିବେକର ଅଧ୍ୟାପକ ହେବାକୁ ନିଜ ପାଖରେ ସଂକଳ୍ପ କରନ୍ତେ ତେବେ ଏତେ ବିଳମ୍ବ ହୋଇ ଯାଇଥିଲେ ମଧ୍ୟ କେଡ଼େ ଅସମ୍ଭବ ସମ୍ଭବ ହୋଇପାରନ୍ତା । ଭାରତବର୍ଷ ସ୍ଵାଧୀନ ହେବାପୂର୍ବରୁ ପ୍ରତି ୨୬ ଜାନୁଆରୀ ଦିନ ଆମ ଭାବି ଭାଗ୍ୟର ପତାକା ତଳେ ନିଜ ଭୂମିମାତୃକାର ବନ୍ଦନା ପରେ ଆମେ ଏକତ୍ର ସେହିପରି ଏକ ଶପଥପତ୍ର ପାଠ କରୁଥିଲୁ । ତାହା କେତେକେତେ ସଂହତିର ଶକ୍ତି ଯୋଗାଇ ଦେଉଥିଲା ଓ ଆମକୁ ଯୋଗ୍ୟରୁ ଯୋଗ୍ୟତର କରାଇ ନେଉଥିଲା । ଏବେ ଏହି ସ୍ୱାଧୀନ ଭାରତରେ ଆମର ବିତର୍କମାନେ ଆମକୁ ସେହିପରି ଏକ ଶପଥ ନେବାର ପ୍ରେରଣା ମଧ୍ୟ କାହିଁକି ନଦେବେ ?

Image

 

ସହଜିୟାଙ୍କ ସମାଧାନ

 

ଭାରତବର୍ଷରେ ସମସ୍ୟା କୁଢ଼ କୁଢ଼ । ସ୍ଵାଧୀନତା ପରେ ଏହି ଦେଶର ସର୍ବବିଧ ନେତୃତ୍ଵ ସୁସ୍ଥ ମନରେ ସେଗୁଡ଼ିକର ସମ୍ମୁଖୀନ ହୋଇଥାଆନ୍ତା । ନେତୃତ୍ଵମାନେ ତାହା କଲେନାହିଁ,–ଖେଳିଲେ, ଭାଷଣ ମାରିଲେ,–ସେଥିରୁ ନିଜେ ମଧ୍ୟ ଲାଭବାନ ହେଲେ, ଖୁବ୍‍ ହେଲେ-! ଲାଭବାନ ହେଲେ ବୋଲିତ ସମସ୍ୟାଗୁଡ଼ାକର ସାମ୍ନା କଲେନାହିଁ । ଏବେ ଯହୁଁ କାଳର ବରାଦ ଅନୁସାରେ ଭିତରର କଳୁଷଗୁଡ଼ାକ ପଦାକୁ ବାହାରିଆସୁଛି, ଶିଳ ଶିଳୁପୁଆ ପ୍ରମାଣର ପୁଙ୍ଗବମାନେ ମଧ୍ୟ ଧରାପଡ଼ି ଯାଉଛନ୍ତି, ସେଇଥିରେ ସେମାନେ କ୍ରମେ ଛାନିଆ ହେବାକୁ ଆରମ୍ଭ କଲେଣି କି କ'ଣ, ନିତାନ୍ତ ବିହ୍ୱଳ ଭାବରେ ସମାଧାନମାନ ଉଦ୍‌ଗାରି ପକାଇବାରେ ଲାଗିଲେଣି । ତଥାପି ଲୁଚି ରହିଛନ୍ତି, ତଥାପି ମୁହଁଗୁଡ଼ାକୁ ବହୁ ଚତୁରପଣରେ ବହଳ କରି ରଖିଛନ୍ତି ଏବଂଓହ୍ଲାଇବାକୁ ରାଜି ହେଉନାହାନ୍ତି । ସେମାନଙ୍କୁ ଆଉ କେଉଁମାନେ ସିଧା ଦରବାରମାନଙ୍କରେ ପଶି ଜବରଦସ୍ତି ବାହାରକୁ ବାହାର କରି ଆଣିବେ ବୋଲି ସେମାନେ ଅପେକ୍ଷା କରିଛନ୍ତି କି ? ବିହ୍ୱଳ ମଣିଷମାନେ ସଚରାଚର ସେହି ଭଳି ହୁଅନ୍ତି । ଆଖର ବେଳଗୁଡ଼ିକ ଆସି ପହଞ୍ଚିଯିବା ଯାଏ କେଡ଼େ ଆତ୍ମକାମୀ ସରାଗରେ ଘାଲେଇ ହୋଇପଡ଼ିଥାଆନ୍ତି । ଖବରକାଗକମାନଙ୍କରେ ସମ୍ପ୍ରତି ସେହିମାନଙ୍କର ଲେଖା ବେଶୀ ବାହାରୁଛି ଏବଂ ଉପସ୍ଥିତ ସ୍ଥିତିଟି ନିମନ୍ତେ ଉପାୟ ବତାଇବାକୁ ଚେଷ୍ଟା କରୁଛି । ସେମାନେ ତଥାପି ଆଉ କିଛି କାଳ କୋଉ ଆଳରେ ଲୁଚି ରହିଯିବେ ଅର୍ଥାତ୍ ଭିତରେ ଚୋର ଏବଂ ବାହାରେ ରାଜସାକ୍ଷୀ ହୋଇ ବର୍ତ୍ତିଯିବେ ବୋଲି ଉଦ୍ୟମ କରୁଛନ୍ତି । ସେହି ଉଦ୍ୟମରେ କିଛି କିଛି ବୌଦ୍ଧିକ ଉଦ୍ୟମ ମଧ୍ୟ ଅନ୍ତର୍ଗତ ହୋଇ ରହିଛି ।

 

କିଏ କହୁଛି, ଏକମାତ୍ର ଏମିତି କର, ଆଉ କିଏ କହୁଛି ଏକମାତ୍ର ସେମିତି କର । କିଏ କହୁଛି ଶିକ୍ଷାର ପ୍ରସାର ଦ୍ୱାରା ହିଁ ଦୁର୍ଗତି ଯିବ, –ଆଉ କିଏ କହୁଛି ଶାସକମାନେ ସାଧୁ ହେଲେ ସମସ୍ୟାମାନେ ଚାହୁଁ ଚାହୁଁ ଅନ୍ତର୍ହିତ ହୋଇଯିବେ । ଗାନ୍ଧୀଙ୍କୁ ସ୍ମରଣ କରିଆଉ କିଏ କହୁଛି, ଭାରତବର୍ଷ ଏତେ ବା ଏତେ ଲକ୍ଷ ଗାଆଁରେ ରହିଛି ବୋଲି ମହାତ୍ମା କହିଥିଲେ, ତେବେ ଶାସନ ଗ୍ରାମାଭିମୁଖୀ ହେଉ ! ଆଜି ହିଁ ଜଣେ ଉଚ୍ଚ କଦରର ନେତା ଲୋକମାନେ ନିଜ ସ୍ୱାର୍ଥକୁ ପଛରେ ପକାଇଦେଇ ସମୂହର କଲ୍ୟାଣରେ ମନଯୋଗୀ ହୋଇପାରିଲେ ଦେଶର ସବୁଯାକ ସମସ୍ୟା ସମାହିତ ହୋଇଯିବ ବୋଲି କହିଥିବାର ଖବରକାଗଜରେ ପଢ଼ିଲି । ଏମାନେ ସମସ୍ତେ ଭାରି ସଚେତନ, ମନେ ହେଉଛି ଜଣେ ସାଧାରଣ ସାଧୁ ମଣିଷ ତୁଳନାରେ ପ୍ରଦର୍ଶନ-କୌଶଳର କ୍ଷେତ୍ରରେ ଅନେକ ଗୁଣଅଧିକ ସଚେତନ, –ହାତୀ ପରି ସଚେତନ; ମାତ୍ର ସେମାନେ ବାଢ଼ି ଦେଉଥିବା ସମାଧାନଗୁଡ଼ିକ ଭଲା ସେତିକି ପରିମାଣରେ ସଚେତନ ହୋଇଥାଆନ୍ତି । ଯଦି, ତେବେ ସିନା ସେମାନଙ୍କ ଭିତରେ ସାଧୁ ଇଚ୍ଛାଟିଏ ରହିଛି ବୋଲି କିଛି ଇଙ୍ଗିତ ମିଳନ୍ତା । ସମସ୍ତେ ବଡ଼ ବିରକ୍ତ ,–ତେଣୁ ବ୍ୟାଖ୍ୟାରେ ଧୁରନ୍ଧର, ଗାଳି ଦେବାରେ କୋଉ ରାଜାଙ୍କର ସାନରାଣୀ ପରି ଶତଜିହ୍ଵ,–କାରଣ ଉଖାରିବାରେ ଧନ୍ୱନ୍ତରୀ, ବ୍ରତ ବହି ଘାଣ୍ଟି ନିଦାନଗୁଡ଼ିକୁ ଜାଣି ପାରିଛନ୍ତି ବୋଲି ସିଏ ଏତେ ପ୍ରତିଭା ସମ୍ପନ୍ନ ଭାବରେ କଥାଗୁଡ଼ିକୁ ଉପସ୍ଥାପିତ କରିପାରୁଛନ୍ତି । ଅର୍ଥନୀତିର ଅଧ୍ୟାପକ ମଧ୍ୟ ସେତିକି ଯାଏ ଯାଇ ପାରୁଛନ୍ତି ଏବଂ ସମାଧାନ ପାଖକୁ ଆସିବା ବେଳକୁ ସେମାନଙ୍କ ବନ୍ଧାଡ଼ ଲାଗିଲା ପରି ଗୋଟାଏ ଗାରରେ ପାଇଟି ସାରି ଦେଉଛନ୍ତି । ଯଦି ରାଜନେତାମାନେ ଆପଣାର ଦାୟିତ୍ୱ ବିଷୟରେ ଅଧିକ ଜାଗରୁକ ହୁଅନ୍ତେ, –ଯଦି ଅମଲାତନ୍ତ୍ର ଅଧିକ ତତ୍ପର ତଥା ଗତିଶୀଳ ହୋଇପାରନ୍ତା, ଯଦି ସରକାର ଦୁର୍ନୀତିକୁ ରୋକିପାରନ୍ତା, ଇତ୍ୟାଦି ଇତ୍ୟାଦି । ସତେ ଅବା ପ୍ରତ୍ୟେକେ ସମାଧାନ ନିଶ୍ଚୟ ଥିବ ବୋଲି ଅନୁମାନ କରି ଗୋଟାଏ ଗନ୍ଧମାର୍ଦ୍ଦନ ପର୍ବତକୁ ଆଣି ତୁମ ଆଗରେ ଥୋଇ ଦେଉଛନ୍ତି ।

 

ବ୍ରହ୍ମାଣ୍ଡଯାକର ବିଧାତା ଆମ ତଥାକଥିତ ପରମ୍ପରାର ନାନା ହୀନ ଓ କ୍ଷୁଦ୍ରବୁଦ୍ଧିମାନଙ୍କ ଭିତରେ କେଉଁ ଚକ୍ରାନ୍ତରେ ପଡ଼ି ଯାଇଛନ୍ତି କେଜାଣି, ଆମ ପ୍ରଜ୍ଞାଶୀଳମାନେ ମଧ୍ୟ ପ୍ରାୟ ସେହି ସହଜ ସମାଧାନଗୁଡ଼ିକର ବାଡ଼ଟିକୁ ଡେଇଁ ମୋଟେ ଅଧିକ ମଧ୍ୟକୁ ସାହସ କରୁନାହାନ୍ତି । ଏମାନେ ମଧ୍ୟ ଭଗବାନଙ୍କ ଭୋଗ କରିବାର ଅପବରାଦ ମାନଙ୍କରେ ମାତି ଏକାଧିକ ପ୍ରକାରେ ଆତ୍ମଘାତୀ ହୋଇସାରିଛନ୍ତି ବୋଲି ଆପଣା ପ୍ରଜ୍ଞା କ୍ଷେତ୍ରର ଆହ୍ୱାନଗୁଡ଼ିକୁ ଠଉରାଇ ପାରୁନାହାନ୍ତିକି ? କିଏ କହୁଛି, କେବଳ ଆଧ୍ୟାତ୍ମିକ ମାର୍ଗକୁ ଫେରି ଆସିଲେ ଯାଇ ଉପସ୍ଥିତ ଦୁର୍ଗତିରୁ ମୁକ୍ତି ପାଇବା ସମ୍ଭବ ହେବ । ଜଗନ୍ନାଥିଆ ପ୍ରଚାରକମାନେ କହୁଛନ୍ତି, ଜଗନ୍ନାଥଙ୍କର ଶରଣନିଅ, ରିଷ୍ଟ ଅଲବତ କଟିଯିବ-! କିଏ ବହୁକାଳରୁ ଧର୍ମ ନାମରେ ତୁଚ୍ଛା ଅହିଫେନର ସେବନ କରି ଆସିଥିବା ପରି କେଡ଼େ ଖଞ୍ଜରେ ଆଣି କଥାଟାଏ ବାଢ଼ି ଦେଉଛି ଯେ ଏଥର ଧର୍ମପଥକୁ ଆସ, ଅନ୍ଧାର ଦୂର ହୋଇଯିବ-। ବିଗତ ବହୁ ମୋହାଚ୍ଛନ୍ନତାର କବଳରେ ପଡ଼ି ଭାରତଭୂମିରେ ଧର୍ମମାନେ କିପରି କାଳକ୍ରମେ ସତେଅବା କୋଉ ଡାଆଣୀ ପେଟରୁ ବାହାରିଥିବା ଭଳି ଭଳି ଅଧର୍ମ ଭିତରେ ହିଁ ଆପଣାର ମହତ ହରାଇ ସାରିଲେଣି, ପୃଥିବୀକୁ ନିତାନ୍ତ କିଞ୍ଚିତ୍ ଭଲ ପାଉଥିବା କିଏସେକଥା ଅଙ୍ଗେ ନିଭାଉ ନାହିଁ କହିଲେ ! ଏଥର ଦଶହରା ଉପଲକ୍ଷେ ପ୍ରକାଶିତ ସ୍ୱତନ୍ତ୍ର ଅବୟବର ପତ୍ରିକାରେ ଦେଖିଲି, ଭିନ୍ନ ଭିନ୍ନ ଦାର୍ଶନିକ ଗମାତରେ 'ଭାରତବର୍ଷ’ ଶୀର୍ଷକରେ ଚାରି କି ପାଞ୍ଚ କବିଙ୍କର କବିତାମାନ ବାହାରିଛି । ଏଗୁଡ଼ିକ ସେମାନେ ଲେଖିବାକୁ ଚିନ୍ତା କରିଥିବା ଗୋଟିଏ ଗୋଟିଏ ଦୀର୍ଘ Themeର କିୟଦଂଶ ବୋଲି କବିମାନେ ସୂଚନା ମଧ୍ୟ ଦେଇଛନ୍ତି । ସମସ୍ତେ ହେଉଛନ୍ତି ଆଧୁନିକ କବି । ସେମାନେ ଆପଣାର ଶବ୍ଦଧାଡ଼ି ମାନଙ୍କରେ ଗାଳି ପକାଇଥିବା ଭାବର ସନ୍ଧିଗୁଡ଼ାକରୁ ଯେ କୌଣସି ପ୍ରକାରେ ଖବର ନେଇପାରିଲେ ଲାଗୁଛି, ସତେଯେପରି ଏମାନେ କୋଉ ନଡ଼ିଆ ଗଛରଉଚ୍ଚ ଶୂନ୍ୟରେ ବସାମାନ ବୁଣି ବାୟା ଚଢ଼େଇଙ୍କ ପରି ଦୋଳି ଖେଳିବାରେ ଲାଗିଛନ୍ତି-। ଏବଂ ତଳେ ଲୋକଜୀବନଟା ଯେ ଇତି ମଧ୍ୟରେ କେତେ ସରି ହେଲାଣି, ତେଣିକି ଆଦୌ କୌଣସି ନିଘା ହିଁ ନାହିଁ । ଆଧୁନିକ ସାହିତ୍ୟ ଏହିପରି ହାଉଲେ ହାଉଲେ ସାଆନ୍ତମାନଙ୍କ ପାଖକୁ ଆଉଜି ପଡ଼ି ଉଦାସୀନ ହେବାକୁ ନିରାପଦ ମଣିଲା କେଜାଣି କାହିଁକି ? ଏହିପରି ଆପଣାର ଅସଲ ଭୂମିଗୁଡ଼ିକରେ ନିମକହରାମ ହୋଇ ସିଏ ବି ଅତ୍ୟନ୍ତ ଅନୁଦାର ଏବଂ ଅତ୍ୟନ୍ତ ଅବିବେକ ହୋଇଗଲା ନାହିଁ ତ ? ଆଉ ଗୋଟିଏ ପତ୍ରିକାର ଦଶହରା-ଅବସରୀୟ ସମ୍ପାଦକୀୟ ପ୍ରତିବେଦନରେ କ’ଣ ଲେଖାହୋଇଛି ପାଠକମାନେ ଅବହିତ ହୁଅନ୍ତୁ : 'ଓଡ଼ିଶାର ଦରିଦ୍ର ଜନସାଧାରଣ ସ୍ୱାଭାବିକ ଭାବେ ଶାନ୍ତ, ସହିଷ୍ଣୁ ଓ ଧର୍ମଭୀରୁ । ଆପଦ କାଳରେ ପ୍ରତିକ୍ରିୟାଶୀଳ ନହୋଇ ବିଶ୍ୱବିଧାତା ଜଗନ୍ନାଥଙ୍କୁ ସ୍ମରଣ କରିବା ସେମାନଙ୍କ ଜୀବନାଦର୍ଶ । ଏହା ସେମାନଙ୍କ ଦୁଃଖଭାରକୁ ଲାଘବ କରିଥାଏ । ଏହି ପରି ଦମ୍ଭଯୁକ୍ତ ଧାରଣାଟି ଏ ଓଡ଼ିଶାର ଅସାଧାରଣମାନଙ୍କୁ ଅସାଧାରଣ ଭାବରେ ପ୍ରସ୍ତରବିତ୍ ହୋଇ ରହିବା ନିମନ୍ତେ ଏକ ଆସୁରିକ ସ୍ଥିରଚିତ୍ତତା ଯୋଗାଇ ଆସିଛି କି ? ଠିକ୍ ଶହେବର୍ଷ ତଳର ସେହି ନାନା ବିହ୍ୱଳତାପୂର୍ଣ୍ଣ ଉତ୍କଳସମ୍ମିଳନୀର କାଳରୁ ହିଁ ଅସାଧାରଣମାନେ ଅନଙ୍ଗଭୀମ ବନି ଆମ ଭୂମିର ବେଢ଼ାଟାଭିତରେ ଗଞ୍ଜପା ଖେଳିବାରେ ଲାଗିଛନ୍ତି । ରାଜନୀତିରେ ଗଞ୍ଜପା, ଶାସନରେ ଗଞ୍ଜପା, କଚେରୀ ମାନଙ୍କରେ ଗଞ୍ଜପା, ଶିକ୍ଷା ମହକୁମାରେ ଗଞ୍ଜପା । ସର୍ବୋପରି ସଂସ୍କୃତି ଏବଂ ସାହିତ୍ୟରେ ମଧ୍ୟ ଗଞ୍ଜପା । ଅସାଧାରଣମାନେ ଗଞ୍ଜପା ଖେଳୁଛନ୍ତି ଏବଂ ସାଧାରଣମାନେ ଗଞ୍ଜଣା ଭୋଗୁଛନ୍ତି । ଏବଂ, ମତ୍ତ ମହାମାନ୍ୟମାନେ କେଡ଼େ ଛଇରେ କୋଉ ଜାଗାଘରର ଉଦ୍ଦଣ୍ଡ ବାଳକମାନଙ୍କ ପରି ଧରି ନେଇଛନ୍ତି ଯେ, ଦରିଦ୍ର ଜନସାଧାରଣ ମୋଟେ ପ୍ରତିକ୍ରିୟାଶୀଳ ନୁହନ୍ତି, ସେମାନେ ଶାନ୍ତ, ସହିଷ୍ଣୁ ଏବଂ ଧର୍ମଭୀରୁ-। ଅସାଧାରଣମାନେ କେଉଁ ଆତ୍ମଦୁର୍ବିପାକର କବଳରେ ପଡ଼ି ସର୍ବବିଧମାର୍ଗରେ କେବଳ ନିଜକୁ ଜଗନ୍ନାଥ ବୋଲି ମଣୁଛନ୍ତି କେଜାଣି ? ଅସଲ ଜଗନ୍ନାଥଜନସାଧାରଣଙ୍କର ବକ୍ଷ ତଳେ ବିରାଜମାନ ଅଛନ୍ତି । ବ୍ରହ୍ମ ରୂପେ ରହିଛନ୍ତି । ତାଡିବାର ସକଳ ସ୍ୱଭାବ–ଲକ୍ଷଣକୁ ଅବଶ୍ୟ ବହନ କରୁଛନ୍ତି । କାଳେ କାଳେ ସାଧାରଣଙ୍କର ହାଡ଼ ତଳେ ରହିଥିବା ଜଗନ୍ନାଥ ହିଁ ବେଳ ଜାଣି ବାହାରି ଅସାଧାରଣମାନେ ନିଜ ଭିତରେ ଦର୍ପିଷ୍ଠ କରିରଖିଥିବା ହିରଣ୍ୟକଶିପୁମାନଙ୍କୁ ସଳଖ କରିବାକୁ ଆସିଛନ୍ତି । ବର୍ତ୍ତମାନ ସମଗ୍ର ପୃଥିବୀରେ ବାଦ, ରାଜନୀତି ଓ ଧର୍ମର ନିର୍ବିଶେଷରେ ଯାହା ଘଟିବ ବୋଲି ଏକ ଯୁଗନିନାଦ ଆରମ୍ଭ ହୋଇଗଲାଣି, ତାହା ଓଡ଼ିଶୀ ଅଥବା ଭାରତବର୍ଷକୁ କଦାପି ବାଦ୍ ଦେବନାହିଁ । ଏଠାରେ ମଧ୍ୟ ମରୁଡ଼ି ଯିବ, ମେଘ ବରଷିବ ।

 

ବୌଦ୍ଧଧର୍ମର କ୍ରମବଦ୍ଧ ଇତିହାସରେ ସହଜଯାନ ହେଉଛି ଏକ ବିଶେଷ ସାଧନାଏବଂ ବିଭୂ-ଉପାସନାର ମାର୍ଗ । ସହଜ ଶବ୍ଦଟି ଭାରତୀୟ ସନ୍ଥସାଧନା ମଧ୍ୟକୁ ବି ସ୍ଥାନବିଶେଷରେ ସଂକ୍ରମିତ ହୋଇଆସିଛି । ଓଡ଼ିଶାର ବୋଲି ଚିହ୍ନଟ କରାଯାଉଥିବା ଚର୍ଯ୍ୟାଚର୍ଯ୍ୟ ସରାହପାଦ ମଧ୍ୟ ସହଜ ସାଧନାର ସନ୍ଦର୍ଭଟିଏ ବାଢ଼ିଛନ୍ତି । ସେହି ସହଜ ସାଧନାରୁ କ୍ରମେ କର୍ପୂରଯାକ ଉଡ଼ି ବାହାରିଯିବା ସଂଗେ ସଂଗେ ସେଥିରୁ ସହଜିୟା ନାମକ ଗୋଟିଏ ସମ୍ପ୍ରଦାୟ ବି ସମ୍ଭବ ହୋଇଆସିଛି । ଆମ ଅସାଧାରଣମାନେ ଅଜାଣତରେ ହେଲେ ମଧ୍ୟ ଆପଣାକୁ ସେହି ସହଜିୟାମାନଙ୍କର ତାଲିକାରେ ଆଣି ଅନ୍ତର୍ଭୁକ୍ତ କରି ପକାଇଛନ୍ତି । ଏକ ଅବକ୍ଷୟର ବାହକ ବନିଛନ୍ତି । କେଡ଼େ ତୋରା ଦେଖା ଯାଉଛନ୍ତି ସତ, କିନ୍ତୁ ଅବକ୍ଷୟର ନମୁନା ହୋଇ ବୁଲୁଛନ୍ତି । କ୍ଷମତାରେ ହୁଡ଼ିଛନ୍ତି, ଶାସନରେ ହୁଡ଼ିଛନ୍ତି, ପ୍ରାୟ ସବୁଯାକ ସୁଯୋଗର ଏକାଧିପତି ହୋଇଥିଲେ ମଧ୍ୟ ଆପଣାର ଅଯୋଗ୍ୟତା ଗୁଡ଼ାକୁ ଜାହିର କରୁଛନ୍ତି । ସେହିମାନେ ହିଁ ସହଜ ସମାଧାନମାନ ବାହାର କରି ପରିବର୍ତ୍ତନର ପ୍ରକ୍ରିୟାକୁ ଗଡ଼ାଇ ଦେଉଛନ୍ତି । ଦେଶ ସ୍ଵାଧୀନ ହେବାପରେ ଯେଉଁସବୁ ପରିବର୍ତ୍ତନ ଅବଶ୍ୟମ୍ଭାବୀ ଥିଲା, ସେହିଗୁଡ଼ି କୁଟାଳିଦେବାରେ ଲାଗିଛନ୍ତି । ମଣିଷ ଭିତରେ ରହିଥିବା ବ୍ରହ୍ମ ସହିତ ଖୁରି ଖାଉଛନ୍ତି ।

 

ଅସାଧାରଣମାନେ ସହଜ ହେଲେ ଯାଇ ଦୁର୍ଗତି ଯିବ । ସେମାନେ ଯେତେ ଅସ୍ୱୀକାର କରୁଥିଲେ ମଧ୍ୟ ଏଠି କୋଟି କୋଟି ସାଧାରଣଙ୍କର ଯେ ନିଜର ଭୂମିଟିଏ ରହିଛି, ଭବିଷ୍ୟତ ନାମକ ଏକ ନିତ୍ୟପ୍ରୟାସ ରହିଛି, ସେମାନେ ଆଜି ସିନା ସେହି ସତ୍ୟଟିକୁ ବୁଝୁନାହାନ୍ତି, ମାତ୍ର କାଲି ଅଲବତ୍ ବୁଝିବେ । ବାଧ୍ୟ ହେବେ, ବଦଳିବେ, ନଚେତ୍ କାଳ ପାଖରେ ଅପରାଧୀ ହେବେ । ସେମାନେ ଯେ ଅପରାଧୀ, ତାହା ଓଡ଼ିଶାର ଏହି ତୁହାକୁ ତୁହା ଦୁର୍ବିପାକରୁ ପ୍ରମାଣିତ ହୋଇଯାଉଛି-। ମହାବାତ୍ୟାନାମକ ଦୁର୍ବିପାକ, ମରୁଡ଼ି ନାମକ ଦୁର୍ବିପାକ, ବନ୍ୟା ଏବଂ ଅତିବୃଷ୍ଟିର ଦୁର୍ବିପାକ । ଆମ ପିଲାଙ୍କର ପାଠସ୍ଥାନମାନଙ୍କରେ ଲାଗି ରହିଥିବା ଦୁର୍ବିପାକ । ସମସ୍ୟାଗୁଡ଼ିକର ସମ୍ମୁଖୀନ ନହୋଇ ଗମ୍ଭୀରମାନଙ୍କରେ କର୍ମଶାଳା କରୁଥିବାର ଦୁର୍ବିପାକ, ଏହି ଭୂମିର ନୌକର ହୋଇ ଏଠା ଭାଷାକୁ ଅବଜ୍ଞା କରୁଥିବାର ଦୁର୍ବିପାକ, –ଏଠାରେ ଏକ ଦେଶୀସାମ୍ରାଜ୍ୟବାଦକୁ ଜାରି ରଖିବାର ଦୁର୍ବିପାକ । ନିତାନ୍ତ ଅଧମ ନ ହୋଇଥିଲେ ସେମାନେକଦାପି ଏହି ଅନାଚରଣମାନ କରନ୍ତୁ ନାହିଁ-। ଆପଣାର ଚଉକାଠ ମଧ୍ୟ ସେମାନଙ୍କୁ ସେମାନଙ୍କର ଉଚିତ ଦାୟିତ୍ୱଗୁଡ଼ିକ ବିଷୟରେ ବେଳେବେଳେ ହେଜାଇ ଦେଉଥିବା ସମୟରେ ସେମାନେ ତାହା ଶୁଣି ପାରୁଥାନ୍ତେ । ଏତେ ଏତେ ପାଠ ପଢ଼ିଛନ୍ତି, ହଜାର ହଜାର ପେଟରୁ ପଡ଼ି କଟାଯାଇ ସେମାନଙ୍କୁ ଦରମା ମିଳୁଛି । ଗୋଟାଏ ଗୋଟାଏ ଗଡ଼ଜାତ ରାଜାଙ୍କର ମର୍ଯ୍ୟାଦାମାନ ମିଳୁଛି, ତଥାପି ସେମାନେ କ'ଣ ପାଇଁ ଆପଣାକୁ ଅଗାଡ଼ି କରି ରଖିଛନ୍ତି ? ଚାଲ, ଆମେ ସାଧାରଣମାନେ ଏହି prodigal ମାନଙ୍କଦ୍ୱାରକୁ ଯାଇ ଝାଞ୍ଜ ମୃଦଙ୍ଗ ବଜାଇ ସେମାନଙ୍କୁ ଆକୃଷ୍ଟ କରିବା ଅସାଧାରଣଙ୍କରନାନା ଆତ୍ମକ୍ଷୟକାରୀ ଅହମିକା ମଧ୍ୟରୁ ଆମ ସାଧାରଣଙ୍କର ଭାଗ୍ୟରୂପୀ ମହାସମୁଦ୍ରମଧ୍ୟକୁ ବାହାର କରି ଆଣିବା, ସେମାନଙ୍କୁ ଶାପମୁକ୍ତ କରାଇବା ।

Image

 

ଧର୍ମନିରପେକ୍ଷତା ଏବଂ....

 

ଦେଶ ସ୍ଵାଧୀନ ହେବା ପରେ କଥାଟା ଇଉରୋପରୁ ଆସିଲା । ଯେଉଁ ପ୍ରାଜ୍ଞମାନେ ସଭାଟିଏ ମଣ୍ଡାଇ ଆମ ଦେଶର ସମ୍ବିଧାନ ତିଆରି କରୁଥିଲେ, ସେମାନେ ପ୍ରାୟ ସମସ୍ତେ ଇଂରାଜୀରେ ଭାବୁଥିଲେ । ସେତିକିବେଳେ Secular ଶବ୍ଦଟିର ଏକ ସ୍ଥାନୀୟ ସମଶବ୍ଦ ଖୋଜିବାକୁ ଯାଇ ସେମାନେ ସମ୍ଭବତଃ ସଂସ୍କୃତ ଭାଷାରୁ ନାଡ଼ଟିଏ ସଂଗ୍ରହ କରି ଧର୍ମନିରପେକ୍ଷତା ନାମକ ଏହି ନୂଆ କଥାଟିକୁ ସର୍ଜନା କରିଥିଲେ । ଯାହା ସଂସ୍କୃତରେ ଚଳୁଛି, ତାହା ବସ୍ତୁତଃ ଓଡ଼ିଆରେ କାହିଁକି ନ ବଳିବ ବୋଲି ବିଶ୍ଵାସ କରୁଥିବା ଆମେ ମଧ୍ୟ ଏହି ଶବ୍ଦଟିକୁ ଆମ ଘରେ ଆଣି ବ୍ୟବହାର କଲୁ । ଭଲ ହେଲା, ଆମ ଭାଷାକୁ ନୂଆ ଶବ୍ଦଟିଏ ଆସିଲା । ଆମେ ଶବ୍ଦଟି ଦ୍ୱାରା ଯାହା କିଛି ବୁଝୁଥାଉ ଅଥବା ବୁଝୁନଥାଉ ପଛକେ, ଆମକୁ ବେଶ୍ ଆରେଇଗଲା ।

 

ରାଷ୍ଟ୍ର ପାଇଁ ଧର୍ମନିରପେକ୍ଷତା, ବ୍ୟକ୍ତି ପାଇଁ ଧର୍ମ । ବ୍ୟକ୍ତି ତାର ଧର୍ମ ଆଚରଣ କରିବ ଏବଂ ସେଥିପାଇଁ ଅଭିପ୍ରେତ ସହଜ ପରିବେଶଗୁଡ଼ିକୁ ଯୋଗାଇ ଦେଇପାରିବା ନିମନ୍ତେ ରାଷ୍ଟ୍ର ହିଁ ଧର୍ମନିରପେକ୍ଷ ହେବ । ଅଧିକ ସଳଖ ଭାବରେ କହିଲେ, ବ୍ୟକ୍ତି ଧର୍ମନିରପେକ୍ଷ ହେବ ନାହିଁ, ସିଏ ଧର୍ମସ୍ଥ ହେବ । ଧର୍ମରେ ରହିବ । ନିଜ ପାଇଁ ଧର୍ମର ମାର୍ଗଟିଏ ଗ୍ରହଣ କରି ନେଇଥିବ । ତାର ସେହି ଗ୍ରହଣ କରି ନେଇଥିବାର ପ୍ରକ୍ରିୟାରେ ରାଷ୍ଟ୍ର ଆଦୌ କୌଣସି ହସ୍ତକ୍ଷେପ କରିବ ନାହିଁ । ପୃଥିବୀରେ ମଣିଷ ମଣିଷ ତଥାସମୂହ ସମୂହ ଭିତରେ ଗଠିତ ହେବାରେ ଲାଗିଥିବା ସମ୍ପର୍କଗୁଡ଼ିକ ଏପରି ସଦାଚଞ୍ଚଳ ହୋଇଯାଇଛି ଯେ, ଯିଏ ଯେଉଁ ତଥାକଥିତ ଧର୍ମରେ ଜନ୍ମଗ୍ରହଣ କରିଛି, ସିଏ ଧର୍ମସ୍ଥ ହେବାର ତାର ପ୍ରୟାସଗୁଡ଼ିକର କ୍ଷେତ୍ରରେ କଦାପି ଖାସ୍ ତାହାରି ଭିତରେ ଆବଦ୍ଧ ହୋଇ ରହିପାରିବ ନାହିଁ । ସେଇ ପୁରୁଣା ପାଞ୍ଜଟା ଅନୁସାରେ ତ ଏବେ ହିନ୍ଦୁ ଘରେ ଜନ୍ମ ହୋଇଥିବା ମଣିଷଟିଏ ନିଜକୁ ହିନ୍ଦୁ-ବୋଲାଉଛି ,–ଖ୍ରୀଷ୍ଟିଆନ୍, ମୁସଲମାନ ଏବଂ ଶିଖ୍ ଘରମାନଙ୍କରେ ଜନ୍ମଗ୍ରହଣ କରିଥିବା ବାପୁଡ଼ାମାନେ ମଧ୍ୟ ନିଜକୁ ସତେଅବା କୋଉ ଖାତାର ନିୟମଗୁଡ଼ାକୁ ମାନି ଖ୍ରୀଷ୍ଟିଆନ୍, ମୁସଲମାନ ଅଥବା ଶିଖ୍ ବୋଲି କହୁଛନ୍ତି । ଧର୍ମବଜାରର ଖାତାମାନେ ମୁଖ୍ୟତଃ ସେଇ ମୂର୍ଚତା ଅନୁସାରେ ହିଁ ଆପଣାକୁ ସଚଳ କରି ରଖିଛନ୍ତି । ବ୍ରାହ୍ମଣ ଘରେ ଜନ୍ମ ହୋଇଛି ବୋଲି ଯିଏ କାନ୍ଧରେ ପଇତା ଖିଏ ପକାଇଛି, ସିଏ ବି କେଡ଼େ ସରାଗରେ ନିଜକୁ ବ୍ରାହ୍ମଣ ବୋଲି ଚିହ୍ନଟ କରାଉଛି । ମଣିଷମାନଙ୍କର ଅସଲ ପରିଚୟମାନ ସେହିସବୁ ସନ୍ତକ ଭିତରେ କେଡ଼େବାଗରେ ବୁଡ଼ିଯାଉଛି; ମଣିଷମାନଙ୍କର ଅସଲ ଜୀବନଟାକୁ ବଡ଼ ଅବାଗିଆ କରିରଖିଛି । ମାତ୍ର, ସତକୁ ସତ ହିନ୍ଦୁମାନେ କାହାନ୍ତି, ମୁସଲମାନମାନେ ଅଥବା ଖିରସ୍ତାନଓ ଶିଖମାନେ ବି କାହାନ୍ତି ? କୋଉ ଉତ୍ସାହୀ ସତେଅବା ତା ଭିତରେ ଆହୁରି କ'ଣସବୁ ତାତି ଭର୍ତ୍ତି ହୋଇ ରହିଥିବା ପରି ନିଜ ଧର୍ମର ସନ୍ତକଗୁଡ଼ାକୁ ପୃଥିବୀଯାକର ଅଧିକରୁ ଅଧିକ ମଣିଷଙ୍କ ଉପରେ ଲଦି ଦେଇଆସିବ ବୋଲି ଧାଇଁବାରେ ଲାଗିଛି, –କିଏ ଦେଉଳଟାଏ ଭାଙ୍ଗି ପକାଇ ତା ଭଗବାନକୁ ପରିତୁଷ୍ଟ କରି ରଖିବା ନିମନ୍ତେ ନିଶା ଖାଇ ବାହାରିଛି । ଧର୍ମସ୍ଥ ହିନ୍ଦୁଟିଏ ବା ଧର୍ମସ୍ଥ ମୁସଲମାନଟିଏ ଯାହା କସ୍ମିନକାଳେ କରନ୍ତା ନାହିଁ, ଏବେ ଅଧିକ ଜାକଜମକରେ ତାହାରି ପତଙ୍ଗ-ନୃତ୍ୟ ଲାଗି ରହିଛି ।

 

ଇତିହାସରୁ ଦେଖିବା, ରାଜାମାନେ ପ୍ରାୟ ସବୁକାଳେ ପୃଥିବୀର ଧର୍ମଗୁଡ଼ାକୁ । ମାଡ଼ି ବସିବାରେ ହିଁ ସର୍ବାଧିକ ପ୍ରଚଣ୍ଡତା ପ୍ରଦର୍ଶନ କରିଛନ୍ତି । ମନୁଷ୍ୟମାନଙ୍କୁ ଅଧିକରୁ । ଅଧିକ ଆନ୍ତରିକତା ସହିତ ଧର୍ମସ୍ଥ ହେବାରେ ଅନୁକୂଳ ଜଳବାୟୁଟିଏ ଯୋଗାଇ ଦେବାସିନା ଯଥାର୍ଥ ରାଜଧର୍ମ ହୋଇଥାଆନ୍ତା, ମାତ୍ର କେଉଁ ଉନ୍ମତ୍ତତା ଭିତରେ ପଶିଯାଇ ସେମାନେ ଧର୍ମମାନଙ୍କ ଉପରେ ସର୍ଦ୍ଦାରି ଜାହିର କରିଛନ୍ତି କେଜାଣି ? ଅଧିକାଂଶ ଏହି ରାଜାମାନେ ହିଁ ପୃଥିବୀର ମନ୍ଦିରମାନଙ୍କୁ ତୋଳାଇଛନ୍ତି, ସତେ ଅବା କୋଉ ଭଗବାନଙ୍କର ପ୍ରସାଦ ଲାଭ କରିଥିବାରୁ ହିଁ ରାଜାମାନେ ଅଧିକ ପ୍ରତାପଶାଳୀ ହୋଇପାରିଛନ୍ତି ବୋଲି ପ୍ରଜାମାନଙ୍କର ମନରେ ଏକ ମନ୍ଦ ବିଶ୍ୱାସ ଆଣି ପୂରାଇ ଦେଇଛନ୍ତି । ମନୁଷ୍ୟମାନଙ୍କୁ ଧର୍ମସ୍ଥ ହେବା ଅର୍ଥାତ୍ ଧର୍ମରେ ବାଟ ଚାଲିବାର କ୍ଷେତ୍ରରେ ସେମାନେ ବହୁ ଅନ୍ୟମନସ୍କତାକୁ ଆଣି ଭର୍ତ୍ତି କରି ଦେଇଛନ୍ତି । ସେକାଳରେ ରାଜା ଏବଂ ଏକାଳରେ ଆମର ଏହି ରାଷ୍ଟ୍ରମାନେ । ଧର୍ମନିରପେକ୍ଷତା ହିଁ ଯେକୌଣସି ସୁସ୍ଥ ରାଷ୍ଟ୍ରରମୂଳ ଧର୍ମ ହୋଇ ରହିଥିବା ଉଚିତ । ଲୋକଧର୍ମକୁ ଅଗ୍ରସର କରାଇନେବା, ତାହାହିଁ ରାଷ୍ଟ୍ରର ଧର୍ମ । ମାତ୍ର, ରାଷ୍ଟ୍ରମାନେ କାହିଁକି ଜଗତଜିତା ହୋଇ ଗୋଟାଏ ଗୋଟାଏ ତଥାକଥିତ ଧର୍ମକୁ ନିଜର ଆତ୍ମଜବତ୍ ଗ୍ରହଣ କରି ନେଉଛନ୍ତି କେଜାଣି ? ଲୋକମାନଙ୍କୁ ଧର୍ମସ୍ଥ ହୋଇ ବଂଚିବାର ପ୍ରକୃତ ପ୍ରୟାସଗୁଡ଼ିକର କ୍ଷେତ୍ରରେ ସେମାନେ ତା’ଦ୍ୱାରା ବହୁତ ହାନି ହିଁ ପହଞ୍ଚାଇବାରେ ଲାଗିଛନ୍ତି । ଲୋକମାନେ ଧର୍ମସ୍ଥ ହୋଇରହିବାର ଅସଲ ପ୍ରତ୍ୟୟ ତଥା ସରାଗରେ ମଜବୁତ ହୋଇ ରହିଲେ ସମ୍ଭର୍ବତଃ ସନ୍ତକମାନଙ୍କର ହିଁ ଏକ ଆବୁରାଜାବୁରା ଗନ୍ତାଘର ପ୍ରାୟ ହୋଇ ରହିଥିବା ଧର୍ମମାନଙ୍କୁ ନେଇ ପୃଥିବୀରେ ଆଦୌ ତକରାଳ ଲାଗନ୍ତା ନାହିଁ । ମଣିଷମାନେ ଧର୍ମସ୍ଥରହି ଆପଣାକୁ ଚିହ୍ନନ୍ତୁ ଓ ପରସ୍ପରକୁ ଚିହ୍ନନ୍ତୁ ବୋଲି ରାଷ୍ଟ୍ର ଇଚ୍ଛା କରୁଥିଲେ ରାଷ୍ଟ୍ରମାନେ କଦାପି ଅଭଦ୍ର ହୁଅନ୍ତେ ନାହିଁ । ଏବଂ, ଅପରପକ୍ଷରେ, ରାଷ୍ଟ୍ର ଭଦ୍ର ହୋଇଥିଲେ ସତକୁ ସତ ମନୁଷ୍ୟମାନଙ୍କର ହିଁ ବଳ ବଢ଼ନ୍ତା; ଜ୍ଞାନର ବଳ, ବିବେକର ବଳ, ସକଳପାର୍ଥକ୍ୟ ସତ୍ତ୍ୱେ ପରସ୍ପରକୁ ସ୍ୱୀକାର କରି ନେବାର ବଳ ଏବଂ ଜଣେ ଜଣେ ମନୁଷ୍ୟହିସାବରେ ଏକ ଯଥାର୍ଥ ସମ୍ମାନବୋଧର ବଳ । ତେବେ ଧର୍ମନାମରେ ପୃଥିବୀ ତମାମଅଫିମ ଗିଳାଇବାର ଏହି ଅବାଣିଜ୍ୟମାନେ ବା କାହିଁକି ଲାଗି ରହିଥାଆନ୍ତେ ? ଧର୍ମନାମରେ ଦେଉଳମାନେ କାହିଁକି ବା, ଭଙ୍ଗା ହୁଅନ୍ତେ ଏବଂ ମଣିଷମାନେ କାହିଁକି ହଣାହଣି ହୁଅନ୍ତେ ? ଏହି ହଣାହଣି କରୁଥିବା ଅପଶକ୍ତି–ପୀଡ଼ିତ ସେହି ବିଶେଷ କାଟର ମଣିଷମାନେ ଏବେତ ଗୋଟାଏ ଗୋଟାଏ ଗୋଷ୍ଠୀବାନ୍ଧି ଯାବତୀୟ ଚଳନ୍ତି ଧାର୍ମିକତାର ସତେଅବା ଏକମାତ୍ର ପଞ୍ଜୀକୃତ ପ୍ରତିନିଧି ବୋଲି ପରିଚୟ ଦେଇ ବାହାରିଛନ୍ତି ।

 

ଭାରତବର୍ଷକୁ ଏହି ରୋଗ ଅପେକ୍ଷାକୃତ ନୂଆ ହୋଇ ପ୍ରବେଶ କରିଛି । ରାଷ୍ଟ୍ରକୁ ଅଧିକାର କରିଥିବା ମତୁଆଲାମାନେ ଏହା ପଛରେ ଧ୍ଵଜା ଉଡ଼ାଇ ନିନାଦ ଦେଉଛନ୍ତି ଏବଂ ଭାରତବର୍ଷ କହିଲେ ଯେଉଁ ଧ୍ୟାନମୂର୍ତ୍ତିଟି ସବାଆଗ ଆମ ଆନୁଗତ୍ୟର ଆକାଶରେ ଝଟକି ଉଠୁଥିଲା, ସେମାନେ ତାହାକୁ ଏକ ଇଚ୍ଛାକୃତ ଚକ୍ରାନ୍ତ ଦ୍ୱାରା ଚହଲାଇ ଦେବାକୁ ବହୁ ବୀରପଣ ଦେଖାଇ ଦାଣ୍ଡରେ ବାହାରି ପଡ଼ିଛନ୍ତି । ତ୍ରିଶୂଳ, ଗଦା, ରଥଯାତ୍ରା, ଦେଉଳଟାଏ ଭାଙ୍ଗି ଦେଉଳଟାଏ ଗଢ଼ିବା–ଏହି ସନ୍ତକଗୁଡ଼ାକୁ ହିଁ ସେମାନେ ରାଜନୀତିର ମାର୍କା ଦେଇ ଚକଚକ କରି ଦେଖାଇବାରେ ଲାଗିଛନ୍ତି । ମଣିଷମାନଙ୍କୁ ଧର୍ମସ୍ଥତାର ଯାବତୀୟ ଆହ୍ୱାନକ୍ଷେତ୍ର ତଥା ଦାୟିତ୍ୱକ୍ଷେତ୍ରରୁ ଟଳାଇନେବାର ଷଡ଼ଯନ୍ତ୍ର କରୁଛନ୍ତି । ଅତୀତରେ ଏହି ଭୂମିରେ, କେତେ ମନ୍ଦିର ଭଙ୍ଗା ହୋଇଛି, –ସେହିଗୁଡ଼ାକର ଉଲୁଗୁଣା ଦେଇ ସଂପ୍ରତି ଏମାନେ ମଧ୍ୟ ଆମକୁ ସେହି ବର୍ବର ପଛଟାକୁ ଫେରାଇ ନେବାକୁ ଇଚ୍ଛା କରୁନାହାନ୍ତି ତ ! ଅଥଚ, ଭାରତବର୍ଷ ଯଦି ତାହାର ସେହି ପାରମ୍ପରିକ ଅସଲ ପରିଚିତିଟିକୁ ଭୁଲିଯିବ, ତେବେ ଏହି ପୃଥିବୀ ଲାଗିଦେବା ଲାଗି ତାହାର ପ୍ରକୃତରେ ଆଉ କେଉଁ ବାଉଁଟି ବାକି ରହିବ କେଜାଣି ? ଦେଶର ବାବାଜୀମାନେ ମଧ୍ୟ ରାଷ୍ଟ୍ରର ଅଧିକାରୀମାନଙ୍କ ସହିତ ଧିସା ମିଳାଇ କେଡ଼େସୁଖ ଅନୁଭବ କରୁଛନ୍ତି । ନିତାନ୍ତ ସନ୍ତକଗୁଡ଼ାକୁ ହିଁ ଧର୍ମର ସର୍ବସାର ବୋଲି ଦର୍ଶାଇବାରେ ସେମାନେ କାହିଁକି ଏପରି ଉତ୍ସାହିତ ହୋଇ ଉଠିଛନ୍ତି କେଜାଣି ! ତେଣୁ, ସାରା ପୃଥିବୀ ପରି ଭାରତବର୍ଷ ଲାଗି ଅର୍ଥାତ୍ ଭାରତୀୟ ଧର୍ମସ୍ଥମାନଙ୍କ ଲାଗି ଧର୍ମରେରହିବାର ଏକ ଆହ୍ବାନ ଆସି ଉପସ୍ଥିତ ହୋଇଛି । ଅସଲ ଶକ୍ତି ସନ୍ତକମାନଙ୍କରେ ନାହିଁ, ଧର୍ମସ୍ଥତାରେ ହିଁ ରହିଛି । ଧର୍ମସ୍ଥତାର ଆଧାରଭୂମିଟି ଉପରେ ପରସ୍ପରକୁ ଆବଶ୍ୟକ ସ୍ୱୀକୃତିଗୁଡ଼ିକୁ ଦେଇ ଅବଲୋକନ କରିପାରିଲେ ଯେଉଁ ଭାରତୀୟତାକୁ ଓ ଏପରିକି ଯେଉଁ ସାନ୍ନିଧ୍ୟଟିକୁ ଆମେ ହୃଦୟ ମଧ୍ୟରେ ଅତ୍ୟନ୍ତ ସଚଳ ଭାବରେ ଅନୁଭବ କରିବାକୁ ଆରମ୍ଭ କରିବା, ତାହାକୁ କଦାପି କେବଳ ବିଶେଷ ବିଶେଷସନ୍ତକକୁ ନିର୍ଭର କରି ରହିଥିବା ଏ ଧର୍ମ ଅଥବା ସେ ଧର୍ମ ବୋଲି କୁହାଯାଇ ପାରିବନାହିଁ । ଭଗବାନଙ୍କୁ ତଥା ସତ୍ୟକୁ କେବଳ ମୋର ବୋଲି କହି ବାର ଦାନବ ବୁଦ୍ଧିଟାକୁ ମୋଟେ ମନ ଯିବ ନାହିଁ । କେବଳ ଆତ୍ମୀୟତା ହିଁ ମୀମାଂସକ ହୋଇ ରହିବ । ସମ୍ଭବତଃ ବର୍ତ୍ତମାନ ମୁହୂର୍ତ୍ତଟିଏ ଆସି ପହଞ୍ଚିଛି ଯେତେବେଳେ ଧର୍ମସ୍ଥମାନେ ମସ୍ତକଉଚ୍ଚ କରି ରାଷ୍ଟ୍ରଟା ପାଖରେ ସେହି ସତ୍ୟଟିକୁ ଘୋଷଣା କରି ଦେଇପାରିବେ ।

 

ଏକାଧିକ ଦୃଷ୍ଟାନ୍ତର ସମ୍ମୁଖୀନ ହୋଇ ଅନେକ ସମୟରେ ମନେ ହୋଇଥାଏ ଯେ, ଯେତେବେଳେ ଏକ ରାଷ୍ଟ୍ର ତାର ଲୋକସମୂହ ପ୍ରତି ଅସଲ ଓ ଅବଶ୍ୟକରଣୀୟଗୁଡ଼ିକୁ କରିବାରେ ଅସମର୍ଥ ହୁଏ, ସେତିକିବେଳେ ଧର୍ମଭ୍ରଷ୍ଟ ହୁଏ; ଅର୍ଥାତ୍ ଆଉ ଧର୍ମନିରପେକ୍ଷ ହୋଇ ରହିପାରେନାହିଁ ଓ ତେଣୁ ଧର୍ମୀୟତାକୁ ବ୍ୟବହାର କରି ଲୋକମନକୁ ଆଉ ଆଡ଼େବଙ୍କାଇ ନେବାକୁ ପାଞ୍ଚ କରେ । ଧର୍ମ ଭାରତବର୍ଷର ମୁଖ୍ୟ ସମସ୍ୟା ନୁହେଁ; ଖାଦ୍ୟ, କ୍ଷୁଧା ଅର୍ଥାତ୍ ଅନ୍ନ ହିଁ ମୁଖ୍ୟ ସମସ୍ୟା ବୋଲି ସ୍ୱାମୀ ବିବେକାନନ୍ଦ ଏକଦା ଚିକାଗୋ ଧର୍ମସଭାରେ କହିଥିଲେ । ଅବସ୍ଥାଗୁଡ଼ିକର ସମାଧାନଏବେ ମଧ୍ୟ ହେବାକୁ ବାକି ଅଛି । ଏବେ ମଧ୍ୟ ସବୁ ମଣିଷଙ୍କ ନିମନ୍ତେ ସେହି ସୁସ୍ଥ ପ୍ରାଥମିକ ଭିତ୍ତିଟି ସମ୍ଭବ ହୋଇ ପାରିନାହିଁ । ବହୁବିଧ ଅସାଧୁତାପୂର୍ଣ୍ଣ ଶାସନ ହେତୁ ରାଷ୍ଟ୍ର ତାହା କରି ପାରିନାହିଁ । ରାଜନୀତି ଅସାଧୁ ହୋଇଛି, ଶିକ୍ଷା ଅସାଧୁ ହୋଇଛି, ପ୍ରଶାସନଟା ଚଲାଖିପଣ କରି ସାଧାରଣ ପ୍ରଜାକୁଳଠାରୁ ଏତେ ଦୂରଛଡ଼ା ଓ ମୁହଁ ମୋଡ଼ା ହୋଇ ରହିଛି ଯେ, ଲୋକମାନେ ସେମାନଙ୍କୁ ଏହି ଦେଶର ପରିକର ରୂପେ ଗ୍ରହଣ କରିନାହାନ୍ତି । ଅଳପ ସଂଖ୍ୟାର ଏହି ମଣିଷଙ୍କୁ ଆଉ ଲାଜ ବି ମାଡ଼ୁନାହିଁ । ବୈକୁଣ୍ଠପତି ଓ କୈଳାଶପତିମାନେ ଶହେଗୁଣ ମଜା ମାରି ନେଉଛନ୍ତି । ବାହାରର ରାଷ୍ଟ୍ରୀୟ ଚାକଚକ୍ୟମାନେ ସତେଅବା ନିତାନ୍ତ ଯୋଜନାବଦ୍ଧ ଭାବରେ ଅସଲ ଅନ୍ଧାରଗୁଡ଼ିକୁ ସ୍ଥାୟୀ କରି କଲବଲ ହେଉଛନ୍ତି । ସେମାନେ ପ୍ରତିବାଦ କରନ୍ତେ, ସଂଗଠିତ ହୁଅନ୍ତେ–ସେଥିଲାଗି ବହୁ ଫସାଦପୂର୍ବକ ରାଷ୍ଟ୍ର ସେମାନଙ୍କୁ ଜାତି, ଧର୍ମ ଓ ଆହୁରି କେତେ କଣ ଭେଳିକି ଭିତରେ ମଣ କରି ରଖିବାର ବରାଦମାନ କରିବାରେ ଲାଗିଛି । ଉପରର ବେପାରିମାନେ ଏଥିରେ ରସିଦ ଯୋଗାଇ ଦେଉଛନ୍ତି । ଏ ରାଷ୍ଟ୍ର କଦାପି ଧର୍ମ ନିରପେକ୍ଷ ହୋଇପାରିବନାହିଁ । ମଣିଷମାନଙ୍କୁ ଠକିବ ସିନା, –ମଣିଷର ଭିତରେ, ତାର ସଚେତନ ସଂଘବଦ୍ଧତା ଗୁଡ଼ିକରେ ହିଁ ଶକ୍ତିମାନ ଅନ୍ୟ ସମ୍ଭାବନାମାନ ଲୁକାୟିତ ହୋଇରହିଛି ବୋଲି ଲୋକେ ଯେପରି କେବେହେଲେ ଚେତି ଉଠି ବସିବେ ନାହିଁ, ସେଥିଲାଗି ସବୁମନ୍ତେ ଜାଲ ବିଛାଇ ରଖିଥିବ । ହଣାମରା ଲାଗିଥିବ, ମାଫିଆମାନେ ପରମ ମସ୍ତୀରେ ଦେଶଟାକୁ ଉଠାଇବାରେ ପକାଇବାରେ ଲାଗିଥିବେ, ଏବଂ ନାନା ଭୁଲ ତତ୍ତ୍ୱକଥା କହି ଲୋକମାନସକୁ ଭାଲୁ ଧରାଇଦେବାର ଖଳଚେଷ୍ଟାମାନ ହେଉଥିବ ।

 

ବର୍ତ୍ତମାନ ଆଶା ଧର୍ମସ୍ଥମାନଙ୍କଠାରେ ହିଁ ରହିଛି । ଧର୍ମସ୍ଥମାନେ ହିଁ ଧର୍ମାନ୍ଧତାର ମୁକାବିଲା କରି ପାରିବେ । ଅସଲ ଭୂମିପ୍ରୀତି ତଥା ଈଶ୍ଵରପ୍ରୀତି ଗୁଡ଼ିକୁ ଜାଗୃତ କରାଇ ଆଣିପାରିବେ । ଏବଂ, ଗୋଟିଏ ସାମୂହିକ ନିୟତିର ଭିତ୍ତିପଟ ଉପରେ ସମୁଚିତଭାବରେ ପରସ୍ପରକୁ ଚିହ୍ନିନେବାର ଆଉ ପ୍ରକୃତରେ ଅନ୍ୟ କୌଣସି ବାଟ ରହିଛି କି ? ଜାତୀୟତା ନାମକ ସେହି ଭୂମିଗତ ମୂଲ୍ୟବୋଧଟିକୁ ବିଗାଡ଼ି ଦେବାରେ ସଂପ୍ରତିକ କେତେ ଆକର୍ଷକ ଶବ୍ଦମାନଙ୍କର ଆଶ୍ରୟ ନିଆଯାଉଛି । ଗୋଟିଏ ସମଗ୍ରକୁ କେତେମନ୍ତେ ଖଣ୍ଡ ଖଣ୍ଡ କରି ଦେଖାଇବାର ଅସମ୍ଭମମାନ କରାଯାଉଛି । ତେଣୁ, ଧର୍ମସ୍ଥମାନେ ପରସ୍ପରକୁ ଆବିଷ୍କାର କରନ୍ତୁ, ପଛରୁ ପ୍ରେରଣା ନିଅନ୍ତୁ ଓ ଆଗକୁ ସିଧା ହୋଇ ଅନାଇପାରନ୍ତୁ । ଅସଲ ସତ୍ୟ ସନ୍ତକଗୁଡ଼ାକରେ ଆଦୌ ନଥାଏ,–ଅସଲ ସତ୍ୟ ଏକସଚେତନ ପାରସ୍ପରିକତା ମଧ୍ୟରେ ରହିଥାଏ । ଦେଶ କହିଲେ ଯେ କାର୍ଯ୍ୟତଃ ସେହିପରି ଏକ ପାରସ୍ପରିକତାକୁ ବୁଝାଏ, ସେହି ସତ୍ୟଟିକୁ ସମ୍ବଳ କରି ସତ ହୃଦୟଗୁଡ଼ିକୁ ଚିହ୍ନି ପାରୁଥିବା ଆଗାମୀମାନେ ପଦାକୁ ବାହାରନ୍ତୁ, –ଅସତ୍ୟ ସହିତ ଅସହଯୋଗ କରନ୍ତୁ-। ସବାଆଗ ମୂଳକଥାଗୁଡ଼ିକୁ କହନ୍ତୁ, ସବୁ ମଣିଷଙ୍କୁ ଏକତ୍ର ଠୁଳକରି ଧରି ତାହାକୁ ହିଁ ଭାରତବର୍ଷ ବୋଲି କହନ୍ତୁ-। ଆମଲାଗି ସେହି ଭାରତବର୍ଷ ହିଁ ସତକୁ ସତ ଅପେକ୍ଷା କରି ରହିଛି ।

Image

 

ସଂଗ୍ରାମରୁ ସମାଜସେବୀ

 

ସେତେବେଳେ ଦେଶରେ ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହେବାପାଇଁ ଏକ ସଂଗ୍ରାମ ଚାଲିଥିଲା । ସେଥିରେ ଯୋଗ ଦେଇଥିବା ସମସ୍ତେ ଆପଣାକୁ ସଂଗ୍ରାମୀ ବୋଲି କହୁଥିଲେ । ମହାତ୍ମା ଗାନ୍ଧୀ ସଂଗ୍ରାମରେ ନେତୃତ୍ୱ ଦେଉଥିଲେ । ସିଏ ପ୍ରକୃତରେ ଏକ ଅଭିନବ ନେତୃତ୍ୱ । ସେଥିରେ ରାଜନୀତି ଥିଲା, ତଥାପି କେବଳ ରାଜନୀତି ଠାରୁ ବହୁତ କିଛି ଅଧିକ ମଧ୍ୟ ରହିଥିଲା । ସେହି ପୁରୁଣା ଗୁଳାଗୁଡ଼ାକରେ ଲାଖି ରହି ସେତେବେଳେ ଅନ୍ୟମାନେ କେତେ କିଏ ଅବଶ୍ୟ ରହିଥିଲେ, କିନ୍ତୁ ଦେଶର ଜନସମୂହ ସର୍ବଦା ମହାତ୍ମା ଗାନ୍ଧୀଙ୍କୁ ହିଁ ଅଧିକ ପରିମାଣରେ ବୁଝି ପାରୁଥିଲା । ସମଗ୍ର ବିଶ୍ୱ ମଧ୍ୟ ସେହି ସଂଗ୍ରାମର ଅଭିନବତାରେ କମ୍ ଚକିତ ହୋଇନାହିଁ । ଏବଂ, ସେହି ଅଭିନବ ବାଟଟିରେ ଭାରତବର୍ଷ ଯେତେବେଳେ ସତକୁ ସତ ବିଦେଶୀ ଶାସନଟାକୁ ହଟାଇ ଦେଇପାରିଲା, ସେତେବେଳେ ପୃଥିବୀଯାକର ଲୋକ ସତେ ଅବା ଏକ ସ୍ୱତନ୍ତ୍ରପରିମଳର ମାନ୍ୟତା ଦେଇ ତାହାକୁ ସ୍ୱୀକୃତି ମଧ୍ୟ ଦେଲେ । ସାରା ପୃଥିବୀର ପରବର୍ତ୍ତୀ ସଂଗ୍ରାମ ତଥା ରାଜନୀତିଗୁଡ଼ିକୁ ମଧ୍ୟ ଗାନ୍ଧୀଦୃଷ୍ଟିର ସେହି ଅଭିନବ ପ୍ରକ୍ରିୟାଟି କମ୍ ପ୍ରଭାବିତ କରିନାହିଁ । ଏବେ ମଧ୍ୟ ପ୍ରଭାବିତ କରିବାରେ ଲାଗିଛି । ଏବେ ତ ସେହି ଆଗ କିସମର ରାଜନୀତିକ ସ୍ଵାଧୀନତା ଲାଭ କରିବା ନିମନ୍ତେ ସଂଗ୍ରାମ କରିବାର ପ୍ରାୟ ଅବକାଶ ହିଁ ନାହିଁ । ଏବେ ପୃଥୀମୁକ୍ତିର ପରବର୍ତ୍ତୀ ମନୁଷ୍ୟକାଂକ୍ଷାଗୁଡ଼ିକ ବୃହତ୍ତର ସୀମାଗୁଡ଼ିକ ଆଡ଼କୁ ଯହୁଁ ଯହୁଁ ମନ ବଳାଇବାକୁ ଆରମ୍ଭ କଲାଣି, ଗାନ୍ଧୀକଥାର ଆବେଦନଗୁଡ଼ିକ ତହୁଁ ତହୁଁ ଅଧିକ ଉପାଦେୟ ପରି ମନେହେଉଛି । ବଡ଼ ଆଚମ୍ବିତ ଲାଗୁଛି ଯେ, ଗାନ୍ଧୀ ଆଉ କେବଳ ଗୋଟାଏ ଦେଶର ନିଜୀ ସମ୍ପତ୍ତି ହୋଇ ରହିନାହିଁ । ସର୍ବୋଦୟ ଯଦି ସକଳ ମଣିଷଙ୍କର ଉଦୟକୁ ବୁଝାଏ, ତେବେ ତାହା ଏହି ଗୋଟାଏ ଦେଶରେ କାହିଁକି ଅମାରଧାନ ହୋଇ ରହିଥିବ ?

 

ସ୍ଵାଧୀନତା ପାଇଁ ସଂଗ୍ରାମ ଚାଲିଥିବା ସମୟରେ ଗାନ୍ଧୀ ପ୍ରାୟ ସକଳ ଅବକାଶରେ ଦୁଇଟି ସଂଗ୍ରାମ କଥା କହୁଥିଲେ । ଗୋଟିଏ ହେଉଛି ରାଜନୀତିକ ସଂଗ୍ରାମ, ଯାହା ଆମକୁ ବିଦେଶୀ ଶାସନରୁ ମୁକୁଳାଇ ଆଣିବ । ତା'ର ପରବର୍ତ୍ତୀ ସଂଗ୍ରାମଟି ହେଉଛି ସାମାଜିକ ସଂଗ୍ରାମ,–ଏବଂ, ଏହି ଦ୍ୱିତୀୟ ସଂଗ୍ରାମଟିକୁ ସେ ପ୍ରଥମଟି ଅପେକ୍ଷା ଅଧିକ କଷ୍ଟସାଧ୍ୟ ବୋଲି ବାରମ୍ବାର ଚେତାଇ ମଧ୍ୟ ଦେଉଥିଲେ । ତଥାପି ସମ୍ଭବତଃ ଆହୁରି ଆଚମ୍ବିତ କଥାଟିଏ ହେଉଛି ଯେ, ରାଜନୀତିକ ସଂଗ୍ରାମଟି ଚାଲିଥିବା ସମୟରେ ହିଁ ସେ ସାମାଜିକ ସଂଗ୍ରାମଟିକୁ ଆରମ୍ଭ ବି କରି ଦେଇଥିଲେ । ପଛକୁ ଅନାଇ ବର୍ତ୍ତମାନ ମନେ ହେଉଛି, ସେତେବେଳର ସେହି ସାମାଜିକ ସଂଗ୍ରାମର କାର୍ଯ୍ୟକ୍ରମଟି ରାଜନୀତିକ ସଂଗ୍ରାମଟି ସକାଶେ ମଧ୍ୟ ଏକ ଅନୁକୂଳ ସଚେତନତା ତଥା ସଂକଳ୍ପବଦ୍ଧତା ସୃଷ୍ଟି କରିବାରେ ଆଦୌ କମ୍ ସହାୟତା କରିନାହିଁ । ମହାତ୍ମାଗାନ୍ଧୀ ସେତେବେଳେ ତାହାକୁ ରଚନାତ୍ମକ କାର୍ଯ୍ୟକ୍ରମ ବୋଲି କହୁଥିଲେ ଏବଂ, ଯାବତୀୟ ଅର୍ଥରେ ତାହାକୁ ଏକ ପୂର୍ଣ୍ଣାବୟବ ସମାଜସେବାର କାର୍ଯ୍ୟକ୍ରମ ବୋଲି ନିଶ୍ଚୟ କୁହାଯାଇପାରିବ । ଖଦୀ କାମ, ଗ୍ରାମୋଦ୍ୟୋଗ, –ଏସବୁକୁ ସମାଜସେବା ବ୍ୟତୀତ ଆଉ କ'ଣ ବୋଲି କୁହାଯିବ-? ତା'ସହିତ କୁଷ୍ଠରୋଗ ଦୂରୀକରଣ ନିମନ୍ତେ ଏକ ସୁଯୋଜିତ ଉଦ୍ୟମ ଏବଂ ଏହି ସବୁ ଯାବତୀୟ ସେବାକାମ ଭାରତବର୍ଷର ଗାଆଁଗୁଡ଼ିକୁ ମୂଳ କ୍ଷେତ୍ର ରୂପେ ଗ୍ରହଣ କରି ଗାନ୍ଧୀ ତ ଲୋକମାନଙ୍କୁ ବୁଲି ବୁଲି କହୁଥିଲେ ଯେ ଭାରତବର୍ଷ ଯେଉଁ ସ୍ଵରାଜ୍ୟ ବା ସ୍ଵାଧୀନତା ନିମନ୍ତେ ସଂଗ୍ରାମରେ ବାହାରିଛି, ତାହା ବସ୍ତୁତଃ ସୂତାଖିଅରେ ହିଁ ଝୁଲୁଛି । ହିନ୍ଦିଭାଷାର ପ୍ରଚାର ମଧ୍ୟ ସେହି ରଚନାତ୍ମକ କାର୍ଯ୍ୟକ୍ରମର ଅନ୍ତର୍ଭୁକ୍ତ ଥିଲା । ସ୍ଵାଧୀନତା ପରେ କ’ଣ ଦେଶ ସେହି ଶାସକ ଇଂରେଜମାନଙ୍କର ଭାଷାଟା ଉପରେ ନିର୍ଭରଶୀଳ ହୋଇ ରହିବ ? ଏପରିକି, ସାହିତ୍ୟର ସଂସ୍କୃତ ଭାଷାନିର୍ଭର ସାଧୁ ଓ ସମ୍ଭାନ୍ତମାନେ ବ୍ୟବହାର କରୁଥିବା ହିନ୍ଦିଭାଷାର ପ୍ରଚାର ହେଉ ବୋଲି ଗାନ୍ଧିଜୀ ଇଚ୍ଛା କରୁନଥିଲେ-। ହିନ୍ଦିଭାଷୀ ଗାଆଁ ଗୁଡ଼ିକରେ ଯେଉଁ ଭାଷା ଲୋକମୁଖରେ ନିତ୍ୟଦିନର ଭାଷା ହୋଇ ଚାଲୁଛି, ଯେଉଁଥିରେ ଏକାଧିକ ଶତାବ୍ଦୀର ସଂସ୍ରବ ଫଳରେ ହିନ୍ଦି ଏବଂ ଉର୍ଦ୍ଦୁର ଶବ୍ଦମାଳା ମିଶାମିଶି ହୋଇ ରହିଛି, ସ୍ଵାଧୀନ ଭାରତରେ ସେଇଟି ହିଁ ରାଷ୍ଟ୍ରଭାଷା ରୂପେ ଚାଲିବ ବୋଲି ସେ ଲକ୍ଷ୍ୟ ରଖିଥିଲେ-। ସେହି ଭାଷାକୁ ଏକ ସ୍ଵତନ୍ତ୍ର ନାମକରଣ ଦ୍ଵାରା ହିନ୍ଦୁସ୍ତାନୀ ବୋଲି କୁହାଯାଉଥିଲା ।

 

ତେଣୁ ସେତେବେଳେ ସମାଜସେବା ଜାତୀୟ ସଂଗ୍ରାମର ଏକ ଅଂଶ ହୋଇରହିଥିଲା । ଆଖି ଆଗରେ ଏକ ଅନ୍ୟ ଭଳି ସମାଜର ଚିତ୍ରକୁ ଥାପନା କରି ରଖି ସଂଗ୍ରାମୀମାନ, ସେଥିରେ ନିୟୋଜିତ ହୋଇ ରହିଥିଲେ । ତଥାକଥିତ ସେବାର ତଥାକଥିତ ନାନା କାର୍ଯ୍ୟକ୍ରମ ଏବେ ମଧ୍ୟ କେବଳ ଭାରତବର୍ଷରେ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ବହୁ ସ୍ଫୁର୍ତ୍ତି ସହିତ ଚାଲିଛି । ଦୟାଳୁ ବଡ଼ମାନେ ଚିରକାଳ ଥିଲେ, ଏବେ ମଧ୍ୟ ଅଛନ୍ତି । ଦୟା ଓ ଦାକ୍ଷିଣ୍ୟକୁ ମୁକ୍ତିର ପଥ ବୋଲି କେତେ କେତେ ନୈତିକଧର୍ମ ଘୋର ନିଷ୍ଠା ସହିତ ଆଚରଣ କରୁଛନ୍ତି । ବହୁତ ଧର୍ମରେ ତ ସେବାକୁ ପୁଣ୍ୟ ଅର୍ଜନ କରିବାର ଏକ ସୁଲଭ ମାର୍ଗ ରୂପେ ଧରି ନିଆଯାଇଛି । ଦରିଦ୍ର ଅଛନ୍ତି । ଦୟାଳୁମାନେ ମଧ୍ୟ ରହିଛନ୍ତି । ତିମିରଗୁଡ଼ିକ ପ୍ରାୟ ଆଗପରି ପରମ ଆଣ୍ଟରେ ଘୋଟି ରହିଛନ୍ତି, ସତେ ଅବା ଦୟାଳୁ ଏବଂ ଉଦାର ଉଚ୍ଚ ମନା କେଡ଼େ ଲୋକଙ୍କ ନିମନ୍ତେ ଏକ ଆବଶ୍ୟକ ସଚଳତା ଯୋଗାଇ ଦେବାକୁ ଏବଂ ତଦ୍ୱାରା ସେମାନଙ୍କର ବିବେକକୁ ଯେଉଁଠି ସେଇଠି ଶାନ୍ତ ଓ ବହଳ କରି ରଖିବାକୁ ଖୋରାକ ଆଣି ଦେଇପାରୁଛନ୍ତି । ଅନ୍ୟପକ୍ଷରେ, ଗାନ୍ଧୀନେତୃତ୍ୱର ଅମଳରେ ଜାତୀୟ ମୁକ୍ତି ସଂଗ୍ରାମର କାର୍ଯ୍ୟକ୍ରମ ରୂପେ ଯେଉଁ ସମାଜସେବାର ଉଦ୍‌ବୋଧନ ଦିଆଯାଇଥିଲା, ଯାବତୀୟ ମାନଦଣ୍ଡିରେ ଏକ ତୁଳନା କରି ଦେଖିଲେ ତାହା ହେଉଛି ଏକାବେଳକେ ଏକ ଭିନ୍ନ ଅସ୍ପୃହାର ଓ ଏକଭିନ୍ନ ଆବେଦନର ଭୁରି ଭୁରି ସତ ଉଦାହରଣ କହି ଦେଉଛି ଯେ, ଦେଶରେ ଯେଉଁସବୁ ଭାଗରେ ସେହି ସେବାର ସଘନ କାର୍ଯ୍ୟକ୍ରମମାନ ଚାଲିଥିଲା, ସେହି ଅଂଚଳର ଅଧିବାସୀମାନେ ହିଁ ସ୍ଵାଧୀନତା ସଂଗ୍ରାମରେ ମଧ୍ୟ ବିଶେଷ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ଅଧିକ ସାହସର ପରିଚୟ ଦେଇଥିଲେ । ସମାଜସେବାରେ ମଧ୍ୟ ସମ୍ପୃକ୍ତ ଗୋଷ୍ଠୀଗୁଡ଼ିକୁ ସଂଗ୍ରାମୀ ହେବାର ଏପରି ଗୋଟିଏ ସମର୍ଥତା ଯେ ରହିପାରେ, ତାହା ଏହି ଗାନ୍ଧୀ ଯୁଗରେ ହିଁ ଜାଣି ହେଲା ।

 

ରାଜନୀତିକ ସ୍ୱାଧୀନ ଆସିଲା, ଅର୍ଥାତ୍ ଭାରତୀୟମାନେ ହିଁ ଦେଶକୁ ଶାସନକରିବା ଲାଗି ପୂର୍ଣ୍ଣ ସୁଯୋଗଟିଏ ଲାଭ କଲେ । ହୁଏତ କେତେ ସଂଗ୍ରାମୀ ସେଥି ନିମନ୍ତେ ପ୍ରାୟ ଟାକି ରହିଥିଲେ । ସେମାନେ ତେଣୁ କେଡ଼େ ସଳଖ ଭାବରେ ଏଥର ସଂଗ୍ରାମଟି ସରିଗଲା ବୋଲି ନିଜକୁ ବୁଝାଇଦେଇ ପାରିଲେ । ସେମାନେ କ୍ଷମତାକୁ ଗଲେ । ନିର୍ବାଚନରେ ଜିତିଲେ ରାଜା ହେଲେ । ଆଉ ଗୋଟିଏ ସଂଗ୍ରାମ ତଥାପି ବାକି ରହିଛି ବୋଲି ପାସୋରି ଦେଲେ । ରାଜନୀତିକ କ୍ଷମତା ଆସିବା ମାତ୍ରକେ ହିଁ ତାହାରି ବଳରେ ସରକାରୀ ସଦରମାନଙ୍କରୁ ନିର୍ଦ୍ଦେଶ ଦେଇ ଦେଶଟାକୁ ଦେଶ ଦେଖି ଆସିଥିବା ସ୍ୱପ୍ନଅନୁସାରେ ଗଢ଼ି ହୋଇଯିବ ବୋଲି ସେମାନେ ଆଉ କ'ଣସବୁ ମୋହ ଭିତରେ ପଡ଼ିଯାଇ ଭାବିବାକୁ ଆରମ୍ଭ କରିଦେଲେ । ସଂଗ୍ରାମ ବେଳର କେଡ଼େ ବଡ଼ ସଂଗ୍ରାମୀମାନେ କ୍ରମେ ଆପଣାକୁ କାହା ପାଖରେ ବିକିଦେଲେ କେଜାଣି, ସେମାନେ ତେଣିକି ଅଧିକତର ଆଚାର କ୍ଷେତ୍ରରେ ସରକାରୀ ସଦୃଶ ଦେଖାଗଲେ । ନିଷ୍ଠାପର ଭାବରେ ହୁଡ଼ିଗଲେ । ଆଗ ନିଜ ପାଖରେ ହୁଡ଼ିଲେ ଏବଂ ତେଣୁ ଦେଶ ପାଖରେ ହୁଡ଼ିଗଲେ । ଦାରିଦ୍ର୍ୟ ଦୂରୀକରଣର କେତେ ଫନ୍ଦା ବାହାରିଲା । ଶିକ୍ଷା, ସ୍ୱାସ୍ଥ, କର୍ମନିଯୁକ୍ତି, କୃଷି, ଶିଳ୍ପ-ଏହି ସବୁକିଛି ସରକାରୀ ଖାତାମାନଙ୍କରେ ଲେଖା ହୋଇ ବି ରହିଲା । ଗୋଟାଏ ସରକାରୀ ପ୍ରଚାର ବିଭାଗ ମଧ୍ୟ ରହିଲା, ଯାହାକି ସବୁ ଉଚିତ ପ୍ରକାରେ ଚାଲିଛି ବୋଲି ଦରବାରି ପ୍ରତ୍ୟୟମାନ ଦେବାରେ ଲାଗିଲା । ଖଦୀ ଆସିଲା, ଗ୍ରାମୋଦ୍ୟୋଗ ଆସିଲା । ବିଦେଶରୁ କୋଟି ପରିମାଣରେ କରଜ ଆସିଲା । ଯାବତୀୟଲୋକ-ଉନ୍ନୟନର କାର୍ଯ୍ୟରେ ସବା ଉପରେ ଜଣେ ଜଣେ କୋଧା ସରକାରୀ ସାଆନ୍ତ ହାବିଲଦାର ହୋଇ ରହିଲେ । କ୍ରମେ ବ୍ରିଟିଶ କାଇଦାରେ ସାନ ବଡ଼ ସବୁ କିଛି ଚାଲିଲା ସିନା, ମାତ୍ର ସର୍ବତ୍ର କ’ଣ ପାଇଁ ଶନି ପଶିଗଲା କେଜାଣି ?

 

ଯେଉଁମାନେ ଦେଶକୁ ନୂଆକରି ଗଢ଼ିବେ ବୋଲି ସରକାରୀ କ୍ଷମତାରେ ପଶିଥିଲେ, ସେମାନେ ବହୁ ତାତ୍କାଳିକତା ଦ୍ୱାରା ବାଧ୍ୟ ହୋଇ କ୍ରମେ ରାଜନୀତିରୁ ହୁଡ଼ିଲେ, କ୍ଷମତାରେ ଯେକୌଣସି ପ୍ରକାରେ ରହିବାର ଏକ ଅନମନୀୟ ଅଝଟପଣିଆରେ ପୂରା ବଳଦଙ୍କ ପରି କ୍ଷମତାର ରଜ୍ଜୁରେ ବାନ୍ଧି ହୋଇ ରହିବାର ରାଜକୀୟତାଟାକୁ ହିଁ ରାଜନୀତିର ଅ ଠାରୁ କ୍ଷ ପର୍ଯ୍ୟନ୍ତ ବୋଲି ବୁଝିଲେ । ଆଉମାନେ, ଯେଉଁମାନେ କ୍ଷମତା ଭିତରେ ନଥିଲେ କିମ୍ବା ପଶିପାରି ନଥିଲେ, ସେମାନେ ସେବାରଏକ କାର୍ଯ୍ୟକ୍ରମ ଭିତରେ ନିଜକୁ, ନେଇ ଗୁଛିଦେଲେ ଏବଂ ସମାଜସେବା କରୁଛନ୍ତି ବୋଲି, କହିହେଲେ । ସରକାରଙ୍କଠାରୁ ପ୍ରଚୁର ଅର୍ଥନିଧି ମିଳିଲା, ସରକାରିଆ ତତ୍ତ୍ୱାବଧାନରେ କାର୍ଯ୍ୟମାନ ଚାଲିଲା । ହଁ, ହରିଜନ ସେବା କରାଗଲା, ଆଦିବାସୀ ସେବା ବି ହେଲା । କୁଷ୍ଠସେବା ଓ ହିନ୍ଦି ପ୍ରଚାର ମଧ୍ୟ କାହିଁକି ବା ନ ହୋଇଥାଆନ୍ତା ? ସରକାରଙ୍କର ଖଦୀ ଓ ଗ୍ରାମୋଦ୍ୟୋଗ ବିଭାଗମାନ ରହିଲା । ସେହିସବୁ ତଥାକଥିତ ସେବା-ବିଭାଗ ଦ୍ୱାରା ଏତେ ମଣିଷ କାମ ପାଇବେ, ବିଧବାମାନେ କିଞ୍ଚିତ୍ ଆୟ କରିପାରିବେ, ଇତ୍ୟାଦି, ଇତ୍ୟାଦି କେତେ ଦୟାବନ୍ତ କଥାମାନ କୁହାଗଲା । ସରକାରସେହି ଗାନ୍ଧୀଙ୍କର ହିଁ କାର୍ଯ୍ୟ କରୁଛନ୍ତି ବୋଲି ଭଡ଼ିଙ୍ଗ ମାରିଲେ । ଆମ ପ୍ରିୟ ସମାଜ ସେବୀମାନେ ସେଥିରେ ମୁଣ୍ଡ ହଲାଇବା ବ୍ୟତୀତ ସତେ ଅବା ଅନ୍ୟ ଗତି ହିଁ ନଥିଲା । ସେମାନେ କ୍ଷମତାଧାରୀମାନଙ୍କର ବୋଲକରା ହୋଇ ରହିଲେ । ଏବଂ, ଏପରି ଏକ ଲଜ୍ଜାପୂର୍ଣ୍ଣ ବରାଦଗୁଡ଼ାକ ସେହି ଘୃଣ୍ୟ ରୀତିଗୁଡ଼ାକୁ ହିଁ ଅଧିକ ସ୍ଥାୟୀ କରିରଖିଲେ ।

 

ଗାନ୍ଧିଜୀଙ୍କର ରଚନାତ୍ମକ କାର୍ଯ୍ୟକ୍ରମରେ ଷୋଳଟି ଖନ୍ଦା ରହିଥିଲା ଏବଂ ପ୍ରତ୍ୟେକଟି ଖନ୍ଦାରେ ସେବା ଓ ସଂଗ୍ରାମ ଏକାଠି ଯୋଡ଼ା ହୋଇ ରହିଥିଲେ । ଲୋକମାନଙ୍କୁ ଅଧିକରୁ ଅଧିକ ନିର୍ଭରଶୀଳ କରିବା ସକାଶେ ନୁହେଁ, ସେମାନେ ଯେପରି ଏକ ସମୁଦାୟ ହିସାବରେ ପରସ୍ପରର ପରିପୂରକ ହୋଇ ରହିପାରିବେ, ସମ୍ମୁଖ ଆଡ଼କୁ ଅନାଇ ସମୁଚିତ ପରିବର୍ତ୍ତନଗୁଡ଼ିକ ଆଡ଼କୁ ପାହୁଣ୍ଡ ପକାଇ ପାରିବେ, ଆପଣାକୁ କେବେହେଲେ ହତବଳ ଅଥବା ହତଭାଗ୍ୟ ବୋଲି ଅନୁଭବ କରିବେ ନାହିଁ–ଆହୁରି ଅଧିକ ପ୍ରାଞ୍ଜଳ ଭାବରେ କହିଲେ, ନ୍ୟାୟ ପାଇଁ ଲଢ଼ିପାରିବେ, ଅନ୍ୟାୟମାନଙ୍କୁ ବିଧିନିର୍ଦ୍ଦିଷ୍ଟ ବୋଲି ମାନି ନେବେନାହିଁ, ବିଜ୍ଞାନର ପୂର୍ଣ୍ଣ ସୁଯୋଗ ଗ୍ରହଣ କରିପାରିବେ ଅଥଚ ଅଧିକରୁ ଅଧିକ ପ୍ରାଚୁର୍ଯ୍ୟ ମଧ୍ୟରେ ରହିବେ ବୋଲି ଆପଣାର ହୃଦୟଟାକୁ ଆଦୌ କୌଣସି ଯାନ୍ତ୍ରିକତା ପାଖରେ ବିକି ଦେବେନାହିଁ, –ସେହି ଉଦ୍ଦେଶ୍ୟରେ ହିଁ କାର୍ଯ୍ୟକ୍ରମ ଗୁଡ଼ିକର ପ୍ରବର୍ତ୍ତନ ହୋଇଥିଲା । ଲୋକନୀତିକୁ ଅସଲ ରାଜନୀତି ବୋଲି ମାନି ନିଆଯାଇଥିଲା । ତାଲିମ ଦିଆଯାଉଥିଲା, ଯେପରିକି ସ୍ୱାଧୀନ ଭାରତରେ ଜାତିଗତ ବାଛ ବିଚାର ରହିବ ନାହିଁ । ଆବଶ୍ୟକ ଭୂମିସଂସ୍କାର ହେବ, ଗ୍ରାମର ସମର୍ଥ ତଥା ସମ୍ପୃକ୍ତ ସମସ୍ତେ ମିଶି ଗାଆଁ ବିଷୟରେ ନିଷ୍ପତ୍ତି ଗ୍ରହଣ କରିବେ, ତାହାରି ପାଇଁ ମୂଳଦୁଆଟିଏ ପକା ହେଉଥିଲା । କୌଣସି ସରକାର କେବଳ ଦୟାଳୁତା ଦେଖାଇ ଏସବୁ କଦାପି କରିପାରିବ ନାହିଁ । ମହାତ୍ମା ଗାନ୍ଧୀ ପୁଣି ଆର୍ଥିକ ଅସମାନତାଗୁଡ଼ିକୁ ଯଥାସମ୍ଭବ ହ୍ରାସ କରି ଆଣିବାର କଥା ମଧ୍ୟ କହିଥିଲେ । ସରକାରଙ୍କର ଗତ ପଚାଶ ବର୍ଷର ଇତିବୃତ୍ତ ଯାହା କହୁଛି, କ'ଣ ସବୁ ବିଗିଡ଼ି ଯାଇଛିଏବଂ ଥାକ ତଥା ବ୍ୟବଧାନମାନେ ବଢ଼ିଛନ୍ତି । ଉପରବାଲାଙ୍କର ଔଦ୍ଧତ୍ୟ ବଢ଼ିଛି । ଅମଲାତନ୍ତ୍ରରେ ତଳୁ ଉପର ପର୍ଯ୍ୟନ୍ତ ତସ୍କରପଣ ବଢ଼ିଛି । ପାଠମାନେ ମଣିଷକୁ କେବଳ ଅଧିକ ନିଜମୁହାଁ ହୋଇ ରହିବାକୁ ସାହାଯ୍ୟ କରୁଛନ୍ତି । ଶୋଷଣ ବହୁଭୁଜ ହୋଇଛି । ତଥାକଥିତ ସାଂସ୍କୃତିକ ମୂଲ୍ୟଗୁଡ଼ିକୁ ବିକୃତ କରି ଦେଖାଇବାର ଅଲାଜୁକପଣ ଯାବତ୍ ପ୍ରକାରେ ବୃଦ୍ଧି ପାଇଛି । ଏବଂ, ତେଣେ ପ୍ରତିରୋଧ ଏବଂ ପ୍ରତିବାଦ କରିବାର ସାମର୍ଥ୍ୟ କମି କମି ଯାଇଛି । ବନ୍ଧୁ, ଦେଶ ମଣିଷମାନଙ୍କର ଚିନ୍ତା କଲାବେଳେ ତୁମର ସତକୁ ସତ ଗାନ୍ଧୀ କଥା ମନେପଡ଼ୁଛି ? ତେବେ ସଂଗ୍ରାମର କଥାହିଁ ସବାଆଗ ଚିନ୍ତା କର । ପ୍ରାୟ ସବୁଯାକ ବିଶ୍ୱାସ ବୁଡ଼ି ଯାଉଥିବା ସମୟରେ ତୁମେ ଅଳପରେ ଭଣ୍ଡି ନଯାଇ ଲୋକଶକ୍ତିକୁ ଜାଗୃତ କରାଅ । ଏହି ଅଭିଶପ୍ତ କାଳର ଘରଗୁଡ଼ାକରେ ବନ୍ଦ ହୋଇ ରହିଥିବା ଗବାକ୍ଷଗୁଡ଼ାକୁ ତୁମେ ବୃହତ୍ତର ପୃଥିବୀ ଆଡ଼କୁ ଖୋଲିଦିଅ । ଗାନ୍ଧୀର କଥାମାନ; ଆଦୌ ଆଦର୍ଶ କଥା ନୁହେଁ, –ଏକ ନୂତନ ଭିତ୍ତିଭୂମି ଉପରେ ବିଶ୍ୱମନୁଷ୍ୟ ଭିତରେ ଅପେକ୍ଷା କରି ରହିଥିବା ତାହା ଅସଲ ସାହସ ଗୁଡ଼ିକର କଥା ବୋଲି ବୁଲି ବୁଲି କହିବାକୁ ଆରମ୍ଭ କର । ଲୋକେ ନିଶ୍ଚୟ ତୁମ କଥା ଶୁଣିବେ ।

Image

 

ନୂଆ ଉତ୍ସାହରେ ସର୍ବୋଦୟ

 

ସର୍ବୋଦୟର କଥା ହେଉଛି ପୃଥିବୀଯାକର ସବୁ ମଣିଷଙ୍କର ସୁଖ ଓ ଉଦୟର । କଥା, ମଣିଷ ଏହି ପାରସ୍ପରିକତାର ପୃଥିବୀରେ କାଳକାଳରୁ ଦେଖି ଆସିଥିବା ସର୍ବୋତ୍ତମ ସ୍ଵପ୍ନ । ମହାତ୍ମା ଗାନ୍ଧୀ ଏହି ଦେଶରେ ସେହି ବିଚାରକୁ ହାତଗୋଡ଼ ଦେଇ ସାକାର କରିଥିଲେ ଏବଂ ଆମ ଦେଶର ସ୍ୱାଧୀନତା ସଂଗ୍ରାମକୁ ସେଇଟି ସହିତ କେଡ଼େ ପ୍ରାସଙ୍ଗିକ ଭାବରେ ଯୋଡ଼ି ବି ପାରିଥିଲେ । ବର୍ତ୍ତମାନ ତ ପୃଥିବୀରେ ବିଦ୍ୟାର ଅଭାବ ନାହିଁ, ବିଜ୍ଞାନ କୌଶଳର ଅଭାବ ନାହିଁ, ସମ୍ପଦ ବା ସାଧନର ଅଭାବ ନାହିଁ, –ତେବେ କାହିଁକି ସବୁ ମଣିଷଙ୍କର ପେଟ ନପୂରିବ, କାହିଁକି ସବୁ ପିଲା ପାଠ ନପଢ଼ିବେ ଏବଂ କ’ଣ ପାଇଁ ସବୁ ମଣିଷଙ୍କ ନିମନ୍ତେ କର୍ମଯୋଗାଣ ସମ୍ଭବ ନହେବ ? ପୃଥିବୀଟା, ଆମର ଦେଶଟା ଓ ଆମର ଏହି ରାଜ୍ୟଟା କ'ଣ ପାଇଁ ନାନା ଖଣ୍ଡସ୍ୱାର୍ଥରେ ବିଭକ୍ତ ହୋଇ ରହିଥିବ ? ପୃଥିବୀରେ କ’ଣ ପାଇଁ ଯୁଦ୍ଧ ଲାଗିବ ଓ ବୋମା ତିଆରି ହେବ ? ରାଷ୍ଟ୍ରମାନେ କେଉଁ କାରଣରୁ ଉଦୟକାମୀ ସମାଜଗୁଡ଼ିକର ବାଟକୁ ଓଗାଳି ଛିଡ଼ାହୋଇ ରହିଥିବେ ? ଏହି ଯାବତୀୟ ବସ୍ତୁ ସ୍ଥିତିଟିକୁ ଏକାଠି ସମ୍ମୁଖରେ ରଖି ସମାଧାନଟିଏ ଖୋଜି ବାହାରିଲେ ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବରେ ଯେଉଁ ମାର୍ଗଟି ଦୃଷ୍ଟିଗୋଚର ଅବଶ୍ୟ ହେବ, ତାହାରି ନାମ ହେଉଛି ସର୍ବୋଦୟ-। ପୃଥିବୀ ରୂପୀ ଏହି ମନୁଷ୍ୟ-ମହାଖଣ୍ଡ ପାଇଁ ସର୍ବବୃହତ୍ ଆହ୍ୱାନ ।

 

୧୯୫୫ ମସିହାର ପୁରୀ ସର୍ବୋଦୟ ସମ୍ମିଳନୀ କଥା ଖୁବ୍‍ ମନେ ଅଛି, । ସମ୍ମିଳନୀର ଦୁଇମାସ ପୂର୍ବରୁ କୋଡ଼ିଏ ତିରିଶି ଛାତ୍ରଛାତ୍ରୀଙ୍କୁ ନେଇ ମୁଁ ସେଠାକୁ ଯାଇଥିଲି । ଆଗନ୍ତୁକ ପ୍ରତିନିଧିମାନଙ୍କ ନିମନ୍ତେ ଆମେ ବାଉଁଶ ଓ ନଡ଼ିଆ ଚାଞ୍ଚ ଦେଇ ନିବାସମାନ ନିର୍ମାଣ କରୁଥିଲୁ । ଖରାଦିନର ବାଲିବଣ ଉପରେ ଦିନଯାକ କାମ ଓ ରାତିରେ ପାଠପଢ଼ା । ଉଦୁଉଦିଆ ଖରାବେଳେ ମାଇଲିଏ ବାଟ ଚାଲି ଚାଲି ଯାଇ ସମୁଦ୍ରରେ ସ୍ନାନ । ପ୍ରାୟ ପଚିଶ ବର୍ଷ ତଳର କଥା । ବିନୋବା, ଜୟପ୍ରକାଶ ଓ ସମସ୍ତଙ୍କର ପ୍ରେରଣା ମୟ ସମାଗମରେ ସେଦିନ ସର୍ବୋଦୟ ସତକୁ ସତ କେଡ଼େହାତ ପାଆନ୍ତାରେ ଆସି ପହଞ୍ଚି ଯାଇଥିବା ପରି ଲାଗୁଥାଏ ଓ ପୁଲକିତ କରି ପକାଉଥାଏ । ତା’ ପରେ ଏକାଧିକକାରଣ ହେତୁ ସବୁ ତୁନି ପଡ଼ି ଆସିଲା, ସମସ୍ୟାମାନେ ଅସମାହିତ ହୋଇ ରହିଥିଲେ ଏବଂ ତଥାପି ନେତୃତ୍ୱ ନିତାନ୍ତ ଅବସ୍ଥିତ ଭାବରେ ଶୀତଳ ପଡ଼ି ଯାଉଥିଲା । ରାଷ୍ଟ୍ରୀୟ ରାଜନୀତିଟା ମଧ୍ୟ ଏହି ପଚାଶ ବର୍ଷର ଅବଧି ଭିତରେ କେଡ଼େ ଅଣଅକ୍ତିଆର ଭାବରେ କୁଆଡ଼େ ସବୁ ଯାଇ ପଶିଯିବାର ମୁହଁ ପାଇଗଲା ଯେ, ଯୋଉମାନେ ମୀମାଂସକ ଥାନମାନଙ୍କରେ ବସି ଦେଶର ଶାସନକରିବାକୁ ଆସିଲେ, ସେମାନେ ସତେ ଅବା ନିଜର ସତ ମତଲବଗୁଡ଼ାକ ସମ୍ବନ୍ଧରେ ମଧ୍ୟ ସୁନିଶ୍ଚିତ ନଥିବା ପରି ଯେକୌଣସି ପ୍ରକାରେ କ୍ଷମତାରେ ହିଁ ରହିବାକୁ ଆପଣାର ସର୍ବପ୍ରଧାନ ତଥା ସର୍ବକାମ୍ୟ ବିଜୟ ବୋଲି ଭାବିଲେ । ଆମର ଏହି ପୂରା କାଳଟାକୁ ଭୋଗ କରିବା ବ୍ୟତୀତ ସତେ ଯେପରି ସେମାନଙ୍କର ବୁଦ୍ଧି ସେମାନଙ୍କୁ ଆଦୌ ଅନ୍ୟକିଛି ପରାମର୍ଶ ଦେଇ ପାରୁନଥିଲା । ବିଗତ ପଚାଶ ବର୍ଷ ଭିତରେ ବଡ଼ ପୃଥିବୀର ନିୟତିଗତ ବ୍ୟୂହଟା ମଧ୍ୟ କେତେ ବଦଳି ନଗଲା । ନୂଆଁ ହୋଇ ସ୍ୱାଧୀନ ହୋଇଥିବା ଦେଶର ସରକାରମାନେ ନାନାବିଧ ସାହୁକାରଙ୍କର ଜାଲ ଭିତରେ ଯାଇ ପଡ଼ିଗଲେ । ତଳୁ ପ୍ରାୟ କିଛି ହେଲେ ମଜବୁତ ହୋଇ ତିଆରି ହୋଇ ପାରିଲା ନାହିଁ । ଭାରତ ବର୍ଷରେ ଉପାସ, ଅଶିକ୍ଷା, ଦାରିଦ୍ର୍ୟ ସବୁ ଥିଲା ଓ ତଥାପି ଏଠି ପରମାଣୁ ବୋମାର ପରୀକ୍ଷା ହେଲା । ପୁରୁଣା ବର୍ବରତାମାନେ ପୁଣି ଦେଖାଦେଲେ । ଲୋକେ ଗାନ୍ଧୀବାଲାଙ୍କୁ କେତେ ମନେ ପକାଇଲେ ସିନା, ମାତ୍ର ଏମାନଙ୍କ ତୁଣ୍ଡରୁ ସୋରଶବ୍ଦ ପ୍ରାୟ କିଛି ହେଲେ ଶୁଣାଯାଉ ନଥିଲା । ସେମାନଙ୍କ ଭିତରୁ ଥୋକେ ବ୍ରତ ବଦଳାଇ ପରିବେଶବାଦୀ ହେଲେ-। ବଡ଼ ବଡ଼ ସମ୍ମାନ ପାଇଲେ ସିନା, ହୁଏତ ନିଜ ପାଖରେ କାଇଲି ହୋଇ ରହିଗଲେ-। ଆମ ସଂକଳ୍ପର ଅସଲ ଠାକୁରମାନେ କେତେଦିନ ଏପରି ଅପୂଜା ରହିବେ ବୋଲି ସମ୍ଭବତଃ ବିବେକଟା ବେଳେ ବେଳେ ଭିତରୁ ଖେଞ୍ଚା ମାରିଦେଇ ଯାଉଥିଲା ।

 

ସମଗ୍ର ପୃଥିବୀରେ ସର୍ବୋଦୟର ବିଶେଷ: ଆବେଦନଗୁଡ଼ିକ ଏବେ ଅଧିକ ଅବଶ୍ୟମ୍ଭାବୀ ହୋଇ ଆସୁଥିବା ପରି ଦିଶି ଦିଶି ଯାଉଥିବା ସମୟରେ ଭାରତବର୍ଷରେ ସର୍ବୋଦୟ ନିମନ୍ତେ ଅନୁରକ୍ତ ପୂର୍ଣ୍ଣ ପଥଟିଏ କ୍ରମଶଃ ତିଆରି ହୋଇଆସିଛି । ସେକାଳର ନେତା ଓ ପ୍ରବକ୍ତାମାନେ ଆଉ ପ୍ରାୟ ନାହାନ୍ତି । ଦେଶରେ ଆଦୌ କିଛି ଲାଗି ବି କୌଣସି-ଅଙ୍ଗୀକାରବଦ୍ଧତା ନଥିବା କେତେ କେତେ ବ୍ୟକ୍ତି ଗାନ୍ଧୀ ବା ସର୍ବୋଦୟର କୌଣସି ପ୍ରାସଙ୍ଗିକତା ନାହିଁ ବୋଲି ସତେ ଅବା କୁହାଟ ମାରି କହିବାକୁ ମଧ୍ୟ ଆରମ୍ଭ କଲେଣି । ତେଣୁ, ଦଳେ ତରୁଣହିଁ ନିମିତ୍ତ ହୋଇ ବାହାରିଛନ୍ତି । ସେମାନେ ମୋଟେର ବାହୁତ ହୋଇ ଏସବୁ ଭିତରକୁ ଆସି ନାହାନ୍ତି, କୋଉ ଗୁରୁଜନମାନଙ୍କର ପ୍ରେରଣାରେ ଏଣେ ପଶି ଆସିନାହାନ୍ତି, ସେମାନେ ବିଚାର କରି ସ୍ଵତଃ ଉଦ୍‌ବୁଦ୍ଧ ହୋଇ ଆସିଛନ୍ତି । ପୁରୁଣା ପୁଷ୍କରିଣୀଟିର ପଙ୍କୋଦ୍ଧାର ପାଇଁ ଏକତ୍ର ହୋଇଛନ୍ତି । ସେମାନେ ବଡ଼ମାନଙ୍କୁ ଅବଶ୍ୟ ଲୋଡ଼ିବେ, –କିନ୍ତୁ ମୁଖ୍ୟତଃ ଆଧୁନିକ ଜଗତ-ସଂକଟଟିର ପରିପ୍ରେକ୍ଷୀ ଉପରେ ହିଁ ସର୍ବୋଦୟକୁ ତଉଲି ଦେଖିବେ ଏବଂ ଆଗକୁ ବିକଳ୍ପଟିଏ ସ୍ଥିର କରିବେ । ଏକ ସମୀକ୍ଷାତ୍ମକ ସିଂହାବଲୋକନ କରିବେ ଏବଂ ତଦ୍ୱାରା ଆହୁରି ଆଗକୁପାହୁଣ୍ଡ ପକାଇପାରିବା ସକାଶେ କେତେକ ନୂଆ ବନ୍ଧନରେ ବାନ୍ଧି ହେବେ । ଆଗର ଗୁରୁଜନମାନଙ୍କ ପରି ଏକ ସମାଜିକ କ୍ରାନ୍ତି-ଦର୍ଶନକୁ ସେମାନେ ଆଦୌ କୌଣସି ଧର୍ମୀୟ ଅଥବା ଆଶ୍ରମୀୟ ଢାଞ୍ଚା ଭିତରେ ନେଇ ପକାଇ ଦେବାକୁ କୌଣସି ରୋମାଣ୍ଟିକ୍ ପ୍ରୟାସ ମଧ୍ୟରେ ଆପଣାକୁ ହୁଡ଼ାଇ ନେବେ ନାହିଁ । ଆପଣାର ସର୍ବମୂଳ ବିଶ୍ୱାସଗୁଡ଼ିକୁ ସେମାନେ ଜନଶକ୍ତି ଉପରେ ଆଧାରିତ କରି ରଖିବେ । ଆଗାମୀ ପରିବର୍ତ୍ତନଗୁଡ଼ିକର କାର୍ଯ୍ୟରେ ବୁଢ଼ାମାନେ କଦାପି ପାରିବେ ନାହିଁ, ବୁଢ଼ାମାନଙ୍କ ସଦୃଶ ସେମାନେ ମୋଟେ ଆଦର୍ଶବାଦୀ ହେବେ ନାହିଁ,–ଆଦର୍ଶବାନ୍‍ମାନଙ୍କର ଏକ ସଚେତନ ଭ୍ରାତୃମଣ୍ଡଳୀ ଭିତରେ ପରସ୍ପରକୁ ଅଗ୍ରସର କରାଇନେବେ । ତାରୁଣ୍ୟ ହିଁ ଆଗାମୀ ପୃଥ୍ଵୀନିର୍ମାଣର ପ୍ରଧାନତଃ ସନ୍ତକ ହେବ ବୋଲି ଯେଉଁମାନେ ବୁଝି ପାରିଲେଣି, ଏହି ତରୁଣ ଆଶାୟୀମାନଙ୍କୁ ସେମାନେ ଅଲବତ ବୁଝିବେ । ତରୁଣମାନଙ୍କୁ ବୁଝିଲେ ଯାଇ ଆମେ ଏହି ନିତାନ୍ତ ଅନ୍ୟ ମତଲବି ଚଳନ୍ତି ପୃଥିବୀଟାର କ୍ରମଶଃ ହାଲୁକା ହୋଇ ଆସିବାରେ ସାହାଯ୍ୟ କରିପାରିବା ।

 

ଏଥର ଏକାଠି ବସି ଏହି ନୂଆମାନେ ପ୍ରକୃତରେ ନିଜ ଭିତରେ କେଉଁ କଥାମାନ ପକାଇବେ ? ୟା'ର ବା ତା'ର ନିନ୍ଦା କରି ସେମାନେ ଏହି ବହୁମୂଲ୍ୟ ସୁଯୋଗଟିକୁ ନଷ୍ଟ କରିଦେବା ନିମନ୍ତେ ନିଜ ଭିତରେ ପରାଭୂତ ହୋଇ ବସିଥିବା ବଡ଼ମାନଙ୍କୁ ବାଟଛାଡ଼ି, ଦେବେ ନାହିଁ ତ ? ଭାରତବର୍ଷରେ ସର୍ବୋଦୟ ଆନ୍ଦୋଳନର ଅସଲ ଆହ୍ୱନଗୁଡ଼ିକ ହାତଛଡ଼ା ହୋଇଯିବା ପରେ ଆଗ ଧାଡ଼ିର ବଡ଼ମାନେ ଯେପରି ମୁଖ୍ୟତଃ ଆମେରିକା, ଜଗତୀକରଣ ଓ ସେହି କାଟର ଅନ୍ୟ କେତେ ସବୁର ନିନ୍ଦା କରି ଆସିଛନ୍ତି, ଆଗାମୀ ସମ୍ମିଳନୀରେ ସେହି ଗୁଡ଼ିକର ପୁନରାବୃତ୍ତ ହୋଇ ଶକ୍ତି ସାରି ଦିଆଯିବ ନାହିଁ ତ ? ତେବେ ନୂଆ ଉତ୍ସାହଗୁଡ଼ିକ ମଧ୍ୟ ମାଟି ହୋଇଯିବ । ତରୁଣମାନେ ମଧ୍ୟ ବୁଢ଼ା ହୋଇଗଲେଣି ବୋଲି ଏକ ସଂଶୟ ନିମନ୍ତେ, ଅବକାଶ ମିଳିଯିବ ଏବଂ ତା'ପରେ ହୁଏତ ସବୁ ତୁନ୍‌ ତାନ୍ ପଡ଼ିଯିବ । ଭାରତବର୍ଷରେ ସର୍ବୋଦୟ ଶିବିରର ପ୍ରଥମ କାର୍ଯ୍ୟଟି ହେଉଛି ସମସ୍ତଙ୍କୁ ଗୋଟିଏ ଚର୍ଚ୍ଚାର ମଣ୍ଡପରେ ଏକତ୍ର କରାଇବା ଅର୍ଥାତ ଏକତ୍ର ବସାଇବା । ଇନ୍ଦିରା ଗାନ୍ଧୀଙ୍କର ଜରୁରୀ ଅବସ୍ଥା କ'ଣ କିପରି କିମିଆ କଲା ଯେ ବିନୋବା ଏବଂ ଜୟପ୍ରକାଶଙ୍କ ମଧ୍ୟରେ ମତଭେଦ ହେଲା ଓ ତାପରେ ସମ୍ପୂର୍ଣ୍ଣ ବାହିନୀଟା ଦୁଇଭାଗ ହୋଇଗଲା । ଉଭୟ ତା ପରେ ପ୍ରାୟ ନିଜ ନିଜଗଉଁରେ prodigal son ମାନଙ୍କ ପରି ଆଚରଣ କଲେ, ଆହ୍ୱାନଗୁଡ଼ିକୁ ଆଗ ନଦେଖି ପାରସ୍ପରିକ ମତଭେଦଗୁଡ଼ିକୁ ଦେଖିଲେ । ସତେଅବା ସାଧାରଣ ନେତୃତ୍ଵ କ୍ଷେତ୍ରର ଅସଲ ବିନୟଗୁଡ଼ିକୁ ଭୁଲି ବାମ ଡାହାଣ ରୂପେ ବିଭକ୍ତ ହୋଇ ରହିଲେ । ସେଥିରୁ କିଞ୍ଚିତ୍ ଆତ୍ମପ୍ରସାଦ ବି ଲାଭ କଲେ କି ? ତା'ପରେ ଜୟପକାଶ ଓ ବିନୋବା ଉଭୟ ଗଲେ । ମଝିରେ ବାଡ଼ ପଡ଼ି ରହିଲା ଏବଂ ଦୁଇଟାଯାକ ପାଖ ଉଜୁଡ଼ି ହିଁ ଗଲା ।

 

ଏବେ ମଧ୍ୟ ବାଡ଼ ପଡ଼ିଛି–ଏକ ଆରଟିକୁ ଲୋଡ଼ିବାର ବିବେକଟା ଏବେ ମଧ୍ୟ ଯଥେଷ୍ଟ ପରିମାଣରେ ବଳିଷ୍ଠ ହୋଇ ପାରୁନାହିଁ । ଆମର ନିଜ ରାଜ୍ୟଟିରେ ତ ସେମାନେ ପରସ୍ପର ସହିତ ଏକତ୍ର ବସି ବି ପାରି ନାହାନ୍ତି । ଅପଡ଼ ହୋଇନାହିଁ; ସମ୍ଭବତଃ ଆଗ ସେପଟ କିଛି ପଦକ୍ଷେପ ନେଉ ଓ ଆମ ପାଖକୁ ଆସୁ ବୋଲି ଉଭୟ ଅପେକ୍ଷା କରି ରହିଛନ୍ତି, ତଥାପି ସ୍ଥିତାବସ୍ଥାଟା ଜାରି ରହିଛି । ଏହି ସମ୍ମିଳନୀରେ ସେହି ଶୀତଳ ଅନାବଶ୍ୟକ ଯୁଦ୍ଧଟିର ଅବସାନ ଘଟାଇବା ନିମନ୍ତେ ଏକ ସବଳ ପ୍ରଚେଷ୍ଟା ହେଉ । ବଡ଼ମାନେ ତ ଏପର୍ଯ୍ୟନ୍ତ ପାରିଲେ ନାହିଁ––କିନ୍ତୁ ତରୁଣମାନେ ନିଶ୍ଚୟ ପାରନ୍ତେ । ପାର୍ଥକ୍ୟଗୁଡ଼ିକୁ ଆଗ ତାଳ କରି ନଦେଖି ଆମ ଚତୁର୍ଦ୍ଦିଗରେ ନାନା କଷଣ ମଧ୍ୟରେ ଜର୍ଜର ଓ ହତାଶପ୍ରାୟ ହୋଇ ପଡ଼ିଥିବା ଲୋକଭୂମିକୁ ଉଚିତ ସମ୍ପୃକ୍ତି ଗୁଡ଼ିକ ସହିତ ବୁଝି ପାରୁଥିଲେ ସେମାନେ ତାହା କରିପାରିବେ । ସେହି ଭୂମିର ଆହ୍ୱାନମାନେ ଆଗ, ଆମେ ହେଉଛୁ ସତକୁ ସତ ସମ୍ମତ ହୋଇ ବାହାରିଥିବା ଗୋଟିଏ ଗୋଟିଏନମିତ୍ତ,–ଏତିକି ସ୍ୱୀକାର କରିନେଇ ପାରିଲେ ତା'ପରେ ବହୁତ କିଛି ଖୁବ୍ ସହଜ ହୋଇଯାଏ । ତେବେ ସମାନତାଗୁଡ଼ିକ, ମେଳଗୁଡ଼ିକ, ଆଗ ଦେଖାଯିବ । ଦେଶବାସୀଙ୍କର ଆସ୍ଥାଭାଜନ ହେବା ତା'ପରେ ଆଉ ମୋଟେ ବେଶୀ ଦୂର ପରିଲାଗିବ ନାହିଁ । ଏବଂ, ଭାରତବର୍ଷରେ ଏହା ଫଳରେ ଯେଉଁ ସଚଳତା ସମ୍ଭବ ହୋଇଆସିବ, ତାହା ସମଗ୍ର ପୃଥିବୀର ବି ଦୃଷ୍ଟି ଆକର୍ଷଣ କରିବ ଏବଂ ପୃଥିବୀର ବହୁତ କାମରେ ଲାଗିବ ।

 

ସ୍ଵାଧୀନତା-ଲାଭର ଢେର ପୂର୍ବରୁ ଏକଦା ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ମହାତ୍ମା ଗାନ୍ଧୀ କହିଥିଲେ ଯେ, ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ସତ୍ୟାଗ୍ରହ ଅସ୍ତ୍ରର ପ୍ରୟୋଗ ସକାଶେ ନିଶ୍ଚୟ ଅବକାଶ ରହିବ । ରାଜନୀତିକ ସ୍ଵାଧୀନତା ଆସିବା ପରେ ଅର୍ଥାତ୍ ଦେଶୀମାନେ ରାଷ୍ଟ୍ରୀୟ କ୍ଷମତାରେ ଅଧିରୂଢ଼ ହେବା ପରେ ଅନ୍ୟାୟ, ଅପଚାର ଓ ଅବିବେକ ଯେ ବନ୍ଦ ହୋଇଯିବ, ତାହା ଆଦୌ ଦାବି କରାଯାଇ ପାରିବ ନାହିଁ । ଅନ୍ୟାୟର ପ୍ରତିରୋଧ ହେବ ଏବଂ ଅବିବେକର ପ୍ରତିବାଦ ମଧ୍ୟ ହେବ । ସେହି ଅସ୍ତ୍ରଟି ହେଉଛି ଅସହଯୋଗ, –ସତ୍ୟାଗ୍ରହ । ଅସତ୍ୟର ଗତିରୋଧ କରିବା ନିମନ୍ତେ ସତ୍ୟାଗ୍ରହ, –ସ୍ୱାଧୀନ ଭାରତରେ ସେଇଟିକୁ କ'ଣ ପାଇଁ ନିଷିଦ୍ଧ କରି ରଖାଗଲା କାହିଁକି, –ଭାରତର ସର୍ବୋଦୟ,–ଶିବିରଅର୍ଥାତ୍ ଗାନ୍ଧୀ ଶିବିର ତାହାରି ଆଲୋଚନାକରୁ । ଦେଶରେ ତ ଏବେ କେତେ କ'ଣ କ୍ରୁରତା କୋଟି କୋଟି ମନୁଷ୍ୟଙ୍କୁ କାବୁ କରି ରଖିଛି, –ପ୍ରତ୍ୟହ ଆମ ଗଣତନ୍ତ୍ରକୁ ହତ୍ୟା କରାଯାଉଛି । ଅଥଚ କୌଣସି ସଂଗଠିତ ପ୍ରତିବାଦ ଅଥବା ପ୍ରତିରୋଧ ନାହିଁ-। ସତ୍ୟାଗ୍ରହକୁ ଭୁରୁଡ଼ାଇ ରଖିଥିବା ପର୍ଯ୍ୟନ୍ତ ସତ୍ୟର ଇଜ୍ଜତ କିଭଳି ରହିବ, ଯେତେ ଉଛୁର ହୋଇ ଯାଇଥିଲେ ମଧ୍ୟ କ୍ରମେ ତାହାର ଚର୍ଚ୍ଚା ହେଉ । ଏବଂ ସେଥିଲାଗି ନୂତନ ସାହସଟିଏ ଜନ୍ମଲାଭ କରୁ-। ଗାନ୍ଧୀ ଯେ ତଥାପି ପ୍ରାସଙ୍ଗିକ ହୋଇ ରହିଛନ୍ତି, ସର୍ବୋଦୟ ଶିବିରରୁ ବନ୍ଧୁମାନେ ସ୍ୱୟଂ ଗାନ୍ଧୀ ଲାଗି ପ୍ରାସଙ୍ଗିକ ହୋଇପାରିଲେ ଯାଇ ତାହାକୁ ବୁଝିପାରିବେ । ଏଠି ରାଷ୍ଟ୍ରୀୟ ନେତୃତ୍ଵ ଦେଶଲାଗି ପ୍ରାସଙ୍ଗିକ ହୋଇ ରହିବାର ଅଧିକାରଟିକୁ କୋଉ କାଳରୁ ହରାଇ ବସିଲାଣି-। ଅମଲାତନ୍ତ୍ର ସତେ ଅବା ନିଜ ରକ୍ଷାର ନାନା ଭଉଁରୀ ଭିତରେ ପଡ଼ି, ପ୍ରାସଙ୍ଗିକତା ହରାଇ ବସିଛି-। ଏହି ଦେଶର ସ୍ଵୀକୃତ ସରକାରୀ ଖାତାଗୁଡ଼ାକର ଉପଦ୍ରବ ମାନି ଶିକ୍ଷାନାମରେ ଯାହା ଚାଲିଛି, ତାହାର ମଧ୍ୟ ଏକ ସର୍ବନିମ୍ନ ପ୍ରାସଙ୍ଗିକତା ବୋଲି ଆଉକିଛି ହେଲେ ନାହିଁ । ସାହସ ଘରେ କୋଲପ ପଡ଼ିଛି-। ତେଣୁ ସତ୍ୟାଗ୍ରହୀମାନଙ୍କ ନିମନ୍ତେ ଅପେକ୍ଷା ରହିଛି । ଅସଲ ବନ୍ଧୁମାନଙ୍କ ଲାଗି ଅପେକ୍ଷା ରହିଛି-

 

ତରୁଣମାନେ ଯେ ନୂତନ ପଦକ୍ଷେପଟିଏ ଗ୍ରହଣ କରି ସର୍ବୋଦୟର ଶିବିରଟିକୁ ପୁନର୍ବାର ଏକଠୁଳ କରିବାର ବିଚାର କରିଛନ୍ତି, ତାହା ସତକୁ ସତ ବହୁତ ପ୍ରତ୍ୟୟ ନିମନ୍ତେ ଭରସାଟିଏ ଅବଶ୍ୟ ଯୋଗାଇଦେବ । ଭାରତବର୍ଷର ଯେ ନିଜର ବାଟଟିଏ ରହିଛି, ସେହି ସତ୍ୟଟି ଉଦ୍‍ଘାଟିତ ହୋଇ ଆସିବ ।

Image

 

ପ୍ରାଚ୍ୟ-ପାଶ୍ଚାତ୍ୟ ପ୍ରସଙ୍ଗ

 

ବସ୍ତୁବାଦ ପାଶ୍ଚାତ୍ୟରୁ ପ୍ରାଚ୍ୟକୁ ଆସି ନାହିଁ । ଆଧୁନିକ ବିଜ୍ଞାନକୁ ହିଁ ସବୁଠାରୁ ଅଧିକ ନିର୍ଭୁଲ୍‍ ଭାବରେ ପ୍ରାଚ୍ୟ ଲାଗି ପାଶ୍ଚାତ୍ୟର ସର୍ବବୃହତ୍ ଅବଦାନ ବୋଲି କୁହାଯାଇପାରିବ । ଖାଲି ପ୍ରାଚ୍ୟ ଲାଗି ନୁହେଁ, ସମୁଦାୟ ପୃଥିବୀ ଲାଗି ପାଶ୍ଚାତ୍ୟର ସର୍ବଶ୍ରେଷ୍ଠ ଅବଦାନ, ଯେଉଁଟି ସକାଶେ ପୃଥିବୀ ସର୍ବକାଳ ନିମନ୍ତେ ପାଶ୍ଚାତ୍ୟ ପାଖରେ ଅବଶ୍ୟ କୃତଜ୍ଞ ହୋଇରହିବ । ପୃଥ୍ଵୀ ନାମକ ଆମର ଏହି ସିଦ୍ଧି ଏବଂ ଏହି ସମ୍ବନ୍ଧଗତ ପରିମଳଟି, ଏହା କେବଳ ପ୍ରାଚ୍ୟରୁ ନୁହେଁ, ଅଥବା କେବଳ ପାଶ୍ଚାତ୍ୟର ନୁହେଁ; ଯାବତୀୟ ପ୍ରାସଙ୍ଗିକତା ସହିତ ତାହା ଆମ ସମସ୍ତଙ୍କର । ବସ୍ତୁବାଦ ଏହି ପୃଥିବୀରେ ଚିରକାଳ ଥିଲା । ଲୋଭୀମାନେ ଥିଲେ, ତେଣୁ ବସ୍ତୁବାଦ ମଧ୍ୟ ରହିଥିଲା । ଏପରିକି ଯେତେବେଳେ ବସ୍ତୁର ପରିମାଣ ପୃଥିବୀରେ ନିତାନ୍ତ ଅଳ୍ପ ଥିଲା, ସେତେବେଳେ ମଧ୍ୟ ବସ୍ତୁବାଦ ଥିଲା । ଅଧିକାର-ପ୍ରମତ୍ତତା ସକଳ ଯୁଗରେ ହିଁ ପୃଥିବୀ ଲାଗି ବହୁପ୍ରମାଦର କାରଣ ହୋଇ ରହିଥିଲା । ବସ୍ତୁ ସମସ୍ତଙ୍କ ପାଇଁ ଲୋଡ଼ା, ବସ୍ତୁ ହିଁ ମନୁଷ୍ୟର ଜୀବନରେ ସେହି ସର୍ବନିମ୍ନ ସମ୍ପନ୍ନତାଟିକୁ ଆଣିଦେବ, ଏକ ସମର୍ଥତାବୋଧର ସୁସ୍ଥଭିତ୍ତି ସମ୍ଭବ କରିବ, ଯାହାକି ମୂଲ୍ୟଗୁଡ଼ିକୁ ବଞ୍ଚିପାରିବା ନିମନ୍ତେ ଏକ ଅତ୍ୟାବଶ୍ୟକ ବସ୍ତୁ ସୁଗମତା ଅବଶ୍ୟ ଦରକାର । ସେଥିରୁ ବଂଚିତ ହୋଇ ରହିଥିବା ପର୍ଯ୍ୟନ୍ତ ମନୁଷ୍ୟ ଆପଣାର ମନୁଷୋଚିତ ମର୍ଯ୍ୟାଦାଗୁଡ଼ିକୁ କଦାପି ଉପଲବ୍ଧ କରିପାରିବ ନାହିଁ । ଅଳପ ମଣିଷ ଯେପର୍ଯ୍ୟନ୍ତ ଅଧିକ ବସ୍ତୁକୁ ଭୋଗ କରିବା ନିମନ୍ତେ ଲଣ୍ଡଭଣ୍ଡ ହେବାରେ ଲାଗିଥିବେ, ସେ ପର୍ଯ୍ୟନ୍ତ ଏହି ପୃଥିବୀ ବହୁ ଅସୁସ୍ଥତା ଭିତରେ କଲବଲ ହୋଇରହିଥିବ-। ଭୋଗୀମାନେ କ୍ଷମତାଗୁଡ଼ାକୁ ମାଡ଼ି ବସିଥିବେ, ଭାଗଦେବାକୁ ରାଜି ହେଉନଥିବେ ଏବଂ ତେଣୁ ସାମୁଦାୟିକ ଜୀବନକୁ ନାନା ପାଶବିକତା ଦ୍ୱାରା ନରଖର କରିବାରେ ଲାଗିଥିବେ-

 

ପ୍ରାଚ୍ୟ ଭୂଖଣ୍ଡର ଅନ୍ତର୍ଗତ ଆମର ଏହି ଭାରତବର୍ଷ ପାରମ୍ପରିକ ଭାବରେ ଭାଗ୍ୟବାଦ ଦ୍ୱାରା ପରିଚାଳିତ ହୋଇ ଆସୁଥିଲା । ସଚରାଚର କେବଳ ଆପେ ଭାଗ୍ୟବାନ ହୋଇ ରହିବାକୁ ଇଚ୍ଛା କରୁଥିବା ବିଚିତ୍ର ସ୍ଵାର୍ଥବାଦୀ ମଣିଷବର୍ଗମାନେ ବସ୍ତୁବାଦର ଅନୁଗ୍ରାମୀ ହୁଅନ୍ତି । ସେମାନଙ୍କର ସମାଜଟାରେ ପ୍ରାୟ ନିୟମତଃ ଅଧିକସଂଖ୍ୟକ ମନୁଷ୍ୟ ନାନାଭାବେ ବଂଚିତ ହୋଇ ରହିଥାଆନ୍ତି । କ୍ଷମତା ଅଳପଙ୍କର ହାତରେ ରହିଥାଏ । ଭାରତୀୟ ସମାଜରେ ସେହି ଅଳପମାନେ ହିଁ ଜାତିପ୍ରଥାର ଦୁର୍ନୀତିଟାକୁ ପ୍ରାୟ ଚିରଞ୍ଜୀବୀ ହୋଇ ରହିବା ନିମନ୍ତେ ପ୍ରଶ୍ରୟ ଦେଇ ଆସିଛନ୍ତି । ଜାତିପ୍ରଥାର ଉଦ୍‌ଗାତାମାନଙ୍କୁ ବସ୍ତୁବାଦୀ ନକହି ଆମେ ଆଉ ପ୍ରକୃତରେ କ'ଣ କହି ପାରିବା ? ଭାରତବର୍ଷ ସ୍ଵାଧୀନତା ଲାଭକରିବା ପରେ ଏବେ ମଧ୍ୟ ଏହି ଦେଶରେ ଯେ ଜାତିପ୍ରଥାଟା ବଳିୟାର ହୋଇ ରହିଛି, ତାହାହିଁ ସୂଚାଇଦେବା ଉଚିତ ଯେ, ଏସବୁ ନାଟକ ପଛରେ ବସ୍ତୁବାଦୀମାନେ ହିଁ ରକ୍ତଗୁଡ଼ାକୁ ହାତରେ ରଖି ହିରୋ ହୋଇଛନ୍ତି । ଶାସନ, ଶିକ୍ଷା, ଜୀବନବଣିଜର ଯାବତୀୟ ଉପଚାର ଓ କ୍ଷମତା, ଏହି ସବୁକିଛି ବସ୍ତୁବାଦୀମାନଙ୍କର କବଳ ଭିତରେ ରହିଛି । ଅନେକଙ୍କର ବହୁ ଅଧିକାରକୁ ଅପହରଣ କରିନେଇ ସେମାନେ କାଳଟାକୁ ଭକୁଆ କରି ରଖିଛନ୍ତି ଏବଂ ଚକଗୁଡ଼ିକୁ ଆଦୌ ଆଗକୁ ଗଡ଼ିବାକୁ ଦେଉନାହାନ୍ତି । ତେଣୁ, ଭାରତବର୍ଷ କହିଲେ ଯେଉଁ ସ୍ୱଭାବିକ ସଂହତିଟିକୁ ସବାଆଗ ବୁଝାଇବା ଉଚିତ, ସେଇଟି ପ୍ରାୟ କେଉଁଠାରେ ହେଲେ ନାହିଁ । ବୁଦ୍ଧିଗୁଡ଼ାକ ବସ୍ତୁବାଦୀ ସାଆନ୍ତମାନଙ୍କର ଭୋଗ ମଉଜଗୁଡ଼ିକୁ ତାଜା କରି ରଖିବାକୁ ଗୋଲାମୀ ଖଟୁଛନ୍ତି । ସାମୁଦାୟିକ ବିବେକଗୁଡ଼ିକୁ ଧ୍ଵଜଭଙ୍ଗ ଘାରିଛି ଓ କାଳଟା ଲଟାରେ ଯାଇ ପଶିଛି । ବାହାରିବାର ଉପାୟ ରହିଥିବା ପରି ପ୍ରତୀତ ହୋଇପାରୁନାହିଁ । ଧର୍ମମାନେ ଏହିପରି ଏକ ଅବ୍ୟବସ୍ଥାକୁ ହିଁ ସମର୍ଥନ ଜଣାଉଛନ୍ତି । ଗୁରୁମାନେ ବିସେହି ବସ୍ତୁବାଦୀ ପକ୍ଷଟା ଆଡ଼କୁ ବଡ଼ ବେସରମ ଭାବରେ ଆଉଜି ପଡ଼ିଛନ୍ତି । ତିମିରଗୁଡ଼ାକୁ ବହଳ କରି ରଖିବାରେ ଯାବତୀୟ ମନ୍ଦ ପ୍ରେରଣାକୁ ଆଣି ଯୋଗାଇ ଦେଉଛନ୍ତି । ଏକ ଅସକାଳର ପରଚର୍ଯ୍ୟା କରୁଛନ୍ତି । ଆପଣାକୁ ଏକ ପୂର୍ଣ୍ଣତର ପରିଚୟରେ ଆବିଷ୍କାର କରିବାର ଆଧୁନିକ ଅର୍ଥାତ୍ ବିଗତ ପ୍ରାୟ ଦେଢ଼ଶହ ବର୍ଷର ପ୍ରକ୍ରିୟାଟିରେ ପାଶ୍ଚାତ୍ୟ ପ୍ରାୟ ପୁରୋଧା ଭଳି ପ୍ରାଚ୍ୟକୁ ସହାୟତା କରି ଆସିଛି ଏବଂ ସେଥିପାଇଁ ଭାରତବର୍ଷ ମଧ୍ୟ ପାଶ୍ଚାତ୍ୟ ପାଖରେ ଅବଶ୍ୟ କୃତଜ୍ଞ ହୋଇରହିବ । ଆମ ପୁରାତନ ପ୍ରଜ୍ଞା ତ ପାରମ୍ପରିକ ରୀତିରେ ଆମ ଘରେ ଗାଦିବ୍ରହ୍ମ ହୋଇ ରହିଥିଲା, ପୂଜା ପାଉଥିଲା ସିନା, ମାତ୍ର ଆମର ସାମୂହିକ ଜୀବନାୟତନ ଗୁଡ଼ିକରେ ଅସ୍ପୃଶ୍ୟପ୍ରାୟ ହୋଇ ରହିଥିଲା । ଅଦୃଷ୍ଟ ହିଁ ମନୁଷ୍ୟମାନଙ୍କୁ ଦୈର୍ଘ୍ୟ ଓ ପ୍ରସ୍ଥ ଦେଇ ପୃଥିବୀକୁ ପଠାଇଛି ଓ ସେଥିରେ ତୁମେ ଆଦୌ କୌଣସି ହେରଫେର କରି ପାରିବ ନାହିଁ–ସେହି ତାମସିକ ଅସତ୍ୟଟାକୁ ଏଠି ଯାବତୀୟ ହୃଦୟହୀନତା ସହିତ ମନୁଷ୍ୟମାନଙ୍କ ଉପରେ ଏକ ପ୍ରାଣଘାତୀ ଅନ୍ଧବିଶ୍ୱାସ ରୂପେ ମଡ଼ାଇ ଦିଆଯାଇଛି । ଅଧ୍ୟାତ୍ମର ପ୍ରାଣମୟ ବାର୍ତ୍ତାଗୁଡ଼ିକୁ ସତେ ଅବା କୌଣସି ଦୁର୍ବୁତ୍ତ ଏଠି ଯାବତୀୟ ଜୀବନ-ସ୍ପର୍ଦ୍ଧାରଆକାଶ ଗୁଡ଼ିକରୁ ଅନ୍ତରାଳ କରି ରଖିଆସିଛି । ପାଶ୍ଚାତ୍ୟ ଆସି ପ୍ରାୟ ଏକବିଶ୍ୱ ଜିଜ୍ଞାସାର ଶ୍ରଦ୍ଧା ନେଇ ଆବିର୍ଭୂତ ହୋଇଛି ଓ ଆମକୁ ସେହି ଅମର ଓ ପ୍ରେରଣାମୟ ସମ୍ପଦଗୁଡ଼ିକ ବିଷୟରେ ସଚେତନ କରିଛି । ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମନିଷୀମାନେ ଏକାବେଳକେ ଏତେ ସଂଖ୍ୟାରେ ଅଦ୍ଭୁତପୂର୍ବ ନୂଆ ଆଖିଗୁଡ଼ିକୁ ସାକାର-କରି ଆଣି ଭାରତବର୍ଷକୁ ଯେ ନେତୃତ୍ୱ ଦେଇପାରିଲେ, ତାହାକୁ ଏକ ଆକସ୍ମିକ ଘଟଣା ବୋଲି କଦାପି କୁହାଯାଇ ପାରିବ ନାହିଁ । ତାହା ହେଉଛି ପାଶ୍ଚାତ୍ୟ ଏବଂ ପ୍ରାଚ୍ୟ ମଧ୍ୟରେ ଘଟିଥିବା ଏକ ନିତ୍ୟସ୍ମରଣୀୟ ସଂସ୍ରବର ଅମୃତଫଳ ! ପୁନଶ୍ଚ, ସବାଆଗ ଯାହା ମନେ ପଡ଼ିଯିବା ଉଚିତ, ପାଶ୍ଚାତ୍ୟ ସହିତ ବହୁବିଧ ସଂସ୍ରବ ସମ୍ଭବ ହେବାଫଳରେ ଭାରତବର୍ଷରେ ମଧ୍ୟ କ୍ରମଶଃ ଏକ ରାଜନୀତିକ ଜାଗରଣ ଦାନା ବାନ୍ଧି ଆସିଥିଲା ଓ ଶେଷକୁ ପରିପକ୍ୱ ହୋଇ ତାହା ପାଶ୍ଚାତ୍ୟ ଔପନିବେଶିକ ଶାସନକୁ ଏଠାରୁ ହଟାଇ ଦେଇପାରିଲା । ଏଥିପାଇଁ ଏହି ଭୂମିରେ ନିଜସ୍ଵ ମାର୍ଗଟିଏ ବାହାରିଲା ସତ, ମାତ୍ର ଅନ୍ୟ ସମସାମୟିକମାନଙ୍କ ସହିତ ମହାତ୍ମା ଗାନ୍ଧୀ ମଧ୍ୟ ଏହି କ୍ଷେତ୍ରରେ ପାଶ୍ଚାତ୍ୟ ପୃଥିବୀଟିରୁ କମ୍ ପ୍ରେରଣା ପାଇନଥିଲେ । ଅନ୍ୟପକ୍ଷରେ ପ୍ରାଚୀର ସମ୍ପର୍କ ପାଶ୍ଚାତ୍ୟକୁ ମଧ୍ୟ କମ୍ ଧନବାନ କରିନାହିଁ । ବିଶେଷ କରି ଚୀନ ଏବଂ ଭାରତବର୍ଷର ସାଂସ୍କୃତିକ ସମଗ୍ର ଜୀବନଦୃଷ୍ଟିଟି ଦ୍ୱାରା ୟୁରୋପ ମଧ୍ୟ ନିଜ ଦୃଷ୍ଟିଗତ ପରିମିତରେ କେତେ ଭାବାତ୍ମକ ଭାବରେ ପ୍ରଭାବିତ ତଥା ପ୍ରସାରିତ ହୋଇପାରିଛି । ଏବେ ତ ୟୁରୋପ ଓ ଆମେରିକାର ବିଶ୍ୱବିଦ୍ୟାଳୟମାନଙ୍କରେ ଭାରତୀୟ ବିଦ୍ୟାର ଏକାଧିକ ବିଭାଗର ଅଧ୍ୟୟନ ହେଲାଣି । ସେଠାରେ ସମ୍ଭବତଃ ଭାରତବର୍ଷ ଅପେକ୍ଷା ଅଧିକ ଶ୍ରଦ୍ଧା ତଥା ସହାନୁଭୂତି ସହିତ ସେଗୁଡ଼ିକର ଚର୍ଚ୍ଚା ଏବଂ ଅଧ୍ୟୟନ ହେଉଛି । ପ୍ରାଚୀର ପ୍ରତିନିଧିମୂଳକ ଐତିହ୍ୟଗୁଡ଼ିକୁ ଉପେକ୍ଷା କରି ପଶ୍ଚିମ ଜଗତର ଗାଡ଼ିଗୁଡ଼ିକ କଦାପି ଆଗକୁ ଯାଇପାରିବ ନାହିଁ ବୋଲି ତେଣେ ପୂରା ହୃଦୟଙ୍ଗମ ହୋଇ ଆସୁଛି ।

 

ଏପରିକି ସେଠାକାର ରାଜନୀତିକ ସମାଧାନଗୁଡ଼ିକୁ ପ୍ରାଚ୍ୟ ଉପରେ ଲଦି ଦିଆଯାଇ ପାରିବ ନାହିଁ ବୋଲି-ପାଖର ମଥାମାନେ କ୍ରମେ ଖୁବ୍ ଅନୁଭବ କଲେଣି । ଧନବଳ ତଥା ଅର୍ଥବଳ ଯେତେ ବଢ଼ିବାରେ ଲାଗିଥିଲେ ମଧ୍ୟ ତଥାପି ପ୍ରାଚ୍ୟ ନାମକ ଏହି ପ୍ରତିବେଶୀଟିର କଥାଗୁଡ଼ିକୁ ଯେ ଅବଶ୍ୟ ଶୁଣିବାକୁ ହେବ, ସେକଥାକୁ ସମ୍ପୃକ୍ତ ନେତୃତ୍ୱମାନେ ଖୁବ୍ ଉପଲବ୍ଧ କଲେଣି । ତୃତୀୟ ବିଶ୍ୱଟି ଅଧିକ ଦିନ ଅବିକଶିତ ହୋଇ ରହିଲେ, ଅର୍ଥାତ୍ ଅଶିକ୍ଷା, ଦାରିଦ୍ର୍ୟ, ଅସ୍ୱାସ୍ଥ୍ୟ କିମ୍ବା ଅନ୍ତର୍ଗତ ଅଭାବ ଗୁଡ଼ିକରେ ଘାଣ୍ଟି ହୋଇ ରହିଥିଲେ ତାହା ତଥାକଥିତ ବିକଶିତମାନଙ୍କ ନିମନ୍ତେ ବହୁତର ସମସ୍ୟାର କାରଣ ହୋଇ ଯେ ରହିଥିବ, ଏକଥା ତେଣେ କ୍ରମେ ଅଧିକ ପରିଷ୍କାର ହୋଇ ଆସିଲାଣି । ପୁରୁଣା କୂଟନୀତିର ରୋଗ ଅବଶେଷ ରୂପେ ତଥାପି ରହିଛି, ତଥାପି ସ୍ଥିତି ବଦଳୁଛି । ପାରମ୍ପରିକ ଧର୍ମ ମାର୍ଗଗୁଡ଼ାକର ସ୍ଥିତି ମଧ୍ୟ ବଦଳି ଯାଉଛି ! ଯଥାର୍ଥ ସାଧୁତାମାନେ ରହିଥିଲେ ପ୍ରାଚୀ ଏବଂ ପାଶ୍ଚାତ୍ୟ ପରସ୍ପର ପ୍ରତି ଗହଣଶୀଳ ହୋଇପାରିବେ ଏବଂ ସହାବସ୍ଥାନର, ନୂଆ ନୂଆ ସମ୍ଭାବନାକୁ ଯେ ସାକାର କରିଆଣିବେ, ତାହା ସ୍ପଷ୍ଟ ହେବାରେ ଲାଗିଛି । ବିଜ୍ଞାନ ତଥା ବୈଜ୍ଞାନିକ ସ୍ୱୀକୃତ କୌଶଳଗୁଡ଼ିକର ପଥକୁ ଆଉ କୌଣସି ପ୍ରକାରେ ରୋଧି ରଖାଯାଇ ପାରିବ ନାହିଁ । ଭାରତବର୍ଷରେ ସବା ତଳସ୍ତରର ଭୂମିରେ ଯେଉଁ ସବୁ ସ୍ଥୂଳ ସମସ୍ୟା ଏବେ ମଧ୍ୟ ଅସମାହିତ ରହି ଏହି ଦେଶକୁ ବହୁ ଅତ୍ୟାବଶ୍ୟକ ପରିବର୍ତ୍ତନର ଅଟକାଇ ରଖିଛି, ପୂର୍ଣ୍ଣବଳ ହୋଇ ସେଗୁଡ଼ିକର ସମ୍ମୁଖୀନ ହୋଇ ପାରିବାକୁ ହେଲେ ଦେଶରେ ଅଧିକବସ୍ତୁର ଆବଶ୍ୟକତା ରହିଛି । ଅର୍ଥାତ୍ ଅଧିକ ଖାଦ୍ୟ, କର୍ମ, ଶିକ୍ଷାରୁ ଆବଶ୍ୟକତା ରହିଛି । ଗୋଟିଏ କଥାରେ କହିଲେ ବିଜ୍ଞାନଦ୍ୱାରା ଯଥାର୍ଥଭାବରେ ଉପକୃତ ହେବାକୁ ହେଲେ ଏକ ଅନୁରୂପ ଓ ଅନୁକୂଳ ଭିତ୍ତିଭୂମି ଏବଂ ethoର ଆବଶ୍ୟକତା ରହିଛି । ସର୍ବୋପରି ଏକଂ ପ୍ରକୃତରେ ସମର୍ଥ ନେତୃତ୍ତିର ଆବଶ୍ୟକତା ରହିଛି: ଯେଉଁ ନେତୃତ୍ୱ ଏହି ଦେଶର ମାନବିକ ଭୂମିଟିକୁ ଅନ୍ତରଙ୍ଗ ଭାବରେ ଚିହ୍ନିଥିବ, ଯାବତୀୟ ଅନଗ୍ରସରତା ସତ୍ତ୍ୱେ ଦେଶକୁ ନିଜର ଦେଶ ବୋଲି ଦାୟିତ୍ୱ ସମ୍ପନ୍ନ ଭାବରେ ସ୍ୱୀକାର କରିନେଇ ପାରୁଥିବ, ଉନ୍ନୟନର ଅପେକ୍ଷାରେ ରହିଥିବା କୋଟି କୋଟି ମଣିଷଙ୍କସହିତ ନିଜକୁ ଅଙ୍ଗୀକାରବଦ୍ଧ କରି ରଖିଥିବ, ଠିକ୍‍ ସେହିଭଳି ଏକ ବଳଯୁକ୍ତ ନେତୃତ୍ଵ । କେବଳ ପାଶ୍ଚାତ୍ୟର ଅନୁକରଣ କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତିମାନେ ସେହି ନେତୃତ୍ୱ ଦେଇପାରିବେ ନାହିଁ । ସେମାନେ ତ ନାକ ଟେକିବେ, ଉପରେ ରହିଥିବେ, ଏହି ଦେଶରେ ଆତଯାତ ହେଉଥିଲେ ମଧ୍ୟ ବିଦେଶୀ ପରି ମଝି ବାଟରେ ବିମୂଢ଼ ପ୍ରାୟ ହୋଇ ରହିଥିବେ । ଏପରି ଦୁର୍ବ୍ୟାପାରଟା ରାଜନୀତିକ କ୍ଷମତାକୁ ବର୍ତ୍ତମାନ ପୂରାବଙ୍କା କରି ପକାଇଛି । ଅମଲାତନ୍ତ୍ରର ଥାଟଗୁଡ଼ାକୁ ମଧ୍ୟ ବହୁବିଧ ଅନିଚ୍ଛା ଦ୍ୱାରା ଜର୍ଜର କରି ରଖିଛି । ପାଠ ଭରଣ ଭରଣ ପଢ଼ା ହେଉଛି, ପାଠୁଆମାନେ ନିଜ ମତଲବଗୁଡ଼ାକର କ୍ଷେତ୍ରରେ ଭଣଭଣ ହୋଇ ଗନ୍ଧାଉଛନ୍ତି ଏବଂ ଭଳି ଭଳି ଛଇ ଦେଖାଉଛନ୍ତି । ଉପାର୍ଜିତ ବିଦ୍ୟାମାନେ ଖତ ଖାଇ ଯାଉଛନ୍ତି । ତେଣେ ବହୁ ଜଡ଼ତା ତଥା ବୃହତ୍ତର ଲୋକ ଜୀବନର କ୍ଷେତ୍ରଟାକୁ ଗ୍ରାସ କରି ରହିଛି । ଏକ ହୃଦୟହୀନ ଓ ଅସ୍ପୃହାହୀନ ଭାଗ୍ୟବାଦ କୋଟି କୋଟି ମଣିଷଙ୍କୁ କାବୁ କରି ରଖିଛି । ୟୁରୋପ ଆଧୁନିକ ବିଜ୍ଞାନ ଦ୍ଵାରା ଉପକୃତ ହୋଇପାରିବା ଆଗରୁ ହିଁ ସେଠାରେ ସମାଜରେ ପୂର୍ବାବଶ୍ୟକ କେତେ ପରିବର୍ତ୍ତନ ହୋଇଛି–ସାମନ୍ତବାଦକୁ ଧକ୍କାଦେଇ ଭାଙ୍ଗି ଅକର୍ମଣ୍ୟ କରି ଦିଆଯାଇଛି, ମଣିଷକୁ ମଣିଷର ସ୍ଵୀକୃତି ଦେଇପାରିବା ନିମନ୍ତେ ବାଟ ଛାଡ଼ିଦେବାପାଇଁ ଧର୍ମଗୁରୁମାନଙ୍କୁ ବାଧ୍ୟ କରାଯାଇଛି ଏବଂ ଆମ ଭାରତବର୍ଷରେ ପଚାଶବର୍ଷର ସ୍ଵାଧୀନତା ଲାଭ ପରେ ମଧ୍ୟ ନେତୃତ୍ଵମାନେ ଅତ୍ୟନ୍ତ ନିର୍ଲଜ୍ଜ ଭାବରେ ହିଁ ସାମନ୍ତବାଦୀ ଅସ୍ତାବଲମାନଙ୍କର ବନ୍ଧାହୋଇ ରହିଛନ୍ତି । ଏମାନେ ସତେ ଅବା ଏକନୂଆ ଉପନିବେଶବାଦକୁ ସ୍ଥାୟୀ କରି ରଖି ଆହୁରି ବହୁବର୍ଷ ଗଡ଼ଇ ଦେବାକୁ ପାଞ୍ଚ କରିଛନ୍ତି । ଲୋକଚିତ୍ତକୁ ଏବଂ ଲୋକକ୍ରୋଧକୁ ଖାସୁ କରି ରଖିବା ଲାଗି ବହୁବିଧ ପ୍ରଚାରର ଲୀଳା ଲାଗି ରହିଛି ।

 

ଅର୍ଥାତ୍, ପ୍ରାଚ୍ୟ ଦେଶମାନଙ୍କରେ ମୂଳଭୂତ ଢାଞ୍ଚାଗୁଡ଼ିକ ନ ବଦଳିଯିବା ପର୍ଯ୍ୟନ୍ତ ପାଶ୍ଚାତ୍ୟ ସହିତ ଆମ ସଂସ୍ରବର ଅସଲ ପ୍ରତିଶ୍ରୁତିଗୁଡ଼ିକ ଲାଗି ଆମେ କେବଳ ଲକ୍ଷ୍ମୀଛଡ଼ା ହୋଇ ରହିଥିବା । ପାଶ୍ଚାତ୍ୟର ବାହ୍ୟ ଚମକଗୁଡ଼ାକରେ ଭଣ୍ଡି ହୋଇ ଯାଉଥିବା ସିନା, ପାଶ୍ଚାତ୍ୟର ବିଶ୍ଵାବଦାନ ଗୁଡ଼ିକର ଅସଲ ମର୍ମଗୁଡ଼ିକୁ ଆଦୌ ଗ୍ରହଣ କରିପାରୁ ନଥିବା । ବିଳାସ ବଢ଼ୁଥିବ, ଉପେକ୍ଷା ବଢ଼ୁଥିବ, ନିଜ ଘରଟାକୁ ପ୍ରତ୍ୟାଖ୍ୟାନ କରି ଆମେ ପାଶ୍ଚାତ୍ୟ ଆଡ଼କୁ ହାତ ପତାଇ ରଖିଥିବା ଓ କଲବଲ ହେଉଥିବା । ସେତେବେଳେ ଯାଏ ଜଗତୀକରଣର ଯାବତୀୟ ନବ ସମ୍ଭାବନା ଆମର ମୁଣ୍ଡ ଉପରଦେଇ ଚାଲି ଯାଉଥିବ ସିନା, ମାତ୍ର ଆମେ ତାହାର ମୋଟେ ଯୋଗ୍ୟ ହୋଇପାରିବା ନାହିଁ । ତୁଚ୍ଛା ବିକି ହୋଇ ଯାଉଥିବା । ଆମରି ନେତାମାନେ ହିଁ ଆମକୁ ଧୋକାଦେବାରେ ଲାଗିଥିବେ ଓ ପାଶ୍ଚାତ୍ୟର ନ୍ୟସ୍ତସ୍ୱାର୍ଥମାନେ ମଧ୍ୟ ଆମ ଉପରେ । ସାମ୍ରାଜ୍ୟବାଦୀ ଜାଲଗୁଡ଼ିକୁ ବିସ୍ତାରି ରଖୁଥିବେ ।

Image

 

ଡହଳ ବିକଳ ହୋଇ

 

କେତେ ମଣିଷ ଅଛନ୍ତି, ଯେଉଁମାନଙ୍କର ମନ ମୋଟେ ସଂସାରରେ ଲାଗେ ନାହିଁ । ପିଲାଟି ଦିନରୁ ଭାରି ଉଦାସୀନ ହୋଇ ରହନ୍ତି । ଛଟପଟ ହେଉଥାଆନ୍ତି । ଗୁରୁଜନମାନେ କେତେପ୍ରକାରେ ସେମାନଙ୍କୁ ଏହି ସଂସାରଟାରେ ହଁ ନାନା ଖୁଣ୍ଟରେ ବାନ୍ଧି ରଖିବାକୁ ଚେଷ୍ଟା କରନ୍ତି, ତଥାପି କ'ଣ ପାଇଁ ମୋଟେ ପାରନ୍ତି ନାହିଁ । ଶେଷକୁ ହୁଏତ ଏପରି ଘଟେ ଯେ ସେହି ସଂସାର ବିରାଗୀମାନେ କାହାକୁ ନ ଜଣାଇ ସଂସାର ଭିତରୁ ଛୁ କରନ୍ତି । ଆଉ କ'ଣ ଖୋଜି ବାହାରନ୍ତି । ଖୋଜୁ ଖୋଜୁ ହୁଏତ କିଛି ପାଆନ୍ତି ଅଥବା ଯାହା କିଛି ପାଆନ୍ତି, ଯାହା କିଛି ଖୋଜୁଥିଲି ତାହା ପାଇଗଲି ବୋଲି ସେତିକିରେ ନିଜକୁ ବୁଝାଇ ବି ଦିଅନ୍ତି । ହଁ, ଖୋଜିବାର ସେହି ପ୍ରକ୍ରିୟାରେ ସେମାନେ ଗୁରୁ ମଧ୍ୟ କରନ୍ତି । ଗୁରୁମାନଙ୍କୁ ପରୀକ୍ଷା କରି ଦେଖୁଥାନ୍ତି କି କ'ଣ, ଅନେକ କ୍ଷେତ୍ରରେ ଗୋଟିଏ ଗୁରୁ ଛାଡ଼ି ଆହୁରି ଅନ୍ୟ ଗୁରୁ କରନ୍ତି । ବେଳେବେଳେ ସେମାନେ ଖୋଜୁଥିବା ଗୁରୁଟି ସେମାନଙ୍କୁ ସ୍ୱପ୍ନରେ ବି ଦେଖାଦିଅନ୍ତି ଓ ପଥର ସମାଚାର ଦିଅନ୍ତି । ଏହିପରି ସିଦ୍ଧିଟିଏ ଲାଭ ହୋଇଯାଏ ବହୁତ ସିଦ୍ଧ ସଂସାରତ୍ୟାଗୀ ନିଜର ଆସ୍ଥାନଟିଏ ସ୍ଥିର କରି ସେହିଠାରେ ଡେରା ପକାଇ ରହିଯାନ୍ତି । ସେମାନେ ସମ୍ପ୍ରଦାୟ କରନ୍ତି । ସମ୍ପ୍ରଦାୟର ଅର୍ଥ ଅଲଗା ଅଲଗା ନିଷ୍ଠା ତଥା ଅଲଗା ଅଲଗା ଆଚାର । ଅଲଗା ଅଲଗା ସନ୍ତକ । ଏହିପରି ଭାବରେ ଶିଷ୍ୟମଣ୍ଡଳୀଟିଏ ଗଠିତ ବି ହୋଇଯାଏ । ଅର୍ଥାତ୍, ଉଦଘୋଷିତ ସନ୍ତକ ଏବଂ ଆଚାରଗୁଡ଼ିକୁ ଗ୍ରହଣ କରିବାକୁ ହୁଏ । ହଁ, ଜଣେ ଜଣେ ଗୁରୁ ଶାସ୍ତ୍ର ମଧ୍ୟ ଲେଖନ୍ତି । ସେଗୁଡ଼ିକର ନିୟମନିଷ୍ଠ ପାରାୟଣକୁ ସଂସାରରୁ ମୁକ୍ତି ପଥ ବୋଲି ଧରି ନିଆଯାଏ । ସବୁ ଶିଷ୍ୟଙ୍କୁ ଯେ ସଂସାରତ୍ୟାଗ କରିବାକୁ ହୁଏ, ସେ କଥା ମୋଟେ ନୁହେଁ । ତେଣୁ ଗୃହୀ ଶିଷ୍ୟ ମଧ୍ୟ ଥାଆନ୍ତି । ଗୃହରେ ଅର୍ଥାତ୍ ସଂସାରରେ ରହିଥାଆନ୍ତି । ସଂସାର ତ୍ୟାଗ କରିବା ଭଳି ସେଡ଼େ ଭାଗ୍ୟ ଆମର କାହିଁ ବୋଲି କେଡ଼େ ସପ୍ରତିଭ ଭାବରେ କହୁଥାନ୍ତି !

 

ସବୁ ଯୁଗରେ ଓ ସବୁ ଧର୍ମସଂସ୍କୃତି ଭିତରେ ଗୃହୀ ଓ ଗୃହତ୍ୟାଗୀ ଉଭୟେ ଥାଆନ୍ତି । ସୁମାରି ନ କରି ମଧ୍ୟ ସର୍ବଦା କହି ହୋଇଯିବ ଯେ, ଗୃହତ୍ୟାଗୀମାନଙ୍କଠାରୁ ଅଧିକସଂଖ୍ୟକ ଗୃହୀ ରହିଥାନ୍ତି । ସଂସାରଟାକୁ ଚଳମାନ କରି ରଖିଥାନ୍ତି । ବୁଦ୍ଧି ଓ ଦୁର୍ବୁଦ୍ଧି ଉଭୟ ମାର୍ଗରେ ସଂସାରଟା ଚାଲିଥାଏ । ସଂସାରନାମକ ଜଞ୍ଜାଳଟାକୁ ନେଇ ଆଣି ଥୋଇବାରେ କ’ଣ କମ୍ ଡହଳ ବିକଳ ହେବାକୁ ପଡ଼େ । ପଣକୁ ସାତପଣ ଓ ସାତପଣକୁ ସତରପଣ କରିବାରେ ମଣିଷମାନେ ନ୍ୟାୟତଃ ଅଣନିଶ୍ୱାସୀ ହୋଇ ଦଉଡ଼ିବାରେ ଲାଗିଥାଆନ୍ତି । ମନଟାକୁ ଭୁଲାଇ ରଖିବା ନିମନ୍ତେ ଆଦର୍ଶମାନ ରହିଥାଏ, ରାଷ୍ଟ୍ର ଥାଏ, ରାଜନୀତି ଥାଏ । ଠାକୁରମାନେ ବି ମହଜୁଦ ଥାଆନ୍ତି । ଠାକୁରମାନଙ୍କ ପାଇଁ ମଧ୍ୟ ସଂସାରୀମାନଙ୍କୁ ଖୁବ୍ ଖଟିବାକୁ ପଡ଼େ । ନିଜର ଠାକୁରମାନଙ୍କୁ ଅନ୍ୟ ଯାବତୀୟ ଠାକୁରଗଣଙ୍କ ଅପେକ୍ଷା ଅଧିକ ଅଉଲ ବୋଲି କହିଲେ ଯାଇ ହୁଏତ ଯାହା କିଞ୍ଚିତ୍ ସାନ୍ତ୍ଵନା ମିଳେ-। ତୀବ୍ର ପ୍ରତିଯୋଗିତା ମାନ ଚାଲିଥାଏ । ଅମାର ଅମାର ଜ୍ଞାନ ସେହି ପ୍ରତିଯୋଗିତାରେ ହିଁ ଖରଚ ହେଉଥାଏ । ମୋ ଭାଷା ବଡ଼, ମୋ ଦେଶ ମହାନ୍, ମୋର ଭୂମିଟା ହେଉଛି ଦେବଭୂମି ଇତ୍ୟାଦି ଇତ୍ୟାଦି କେତେ ଗାଥା ଓ କଥାମାନ ! ଏସବୁ ନଥିଲେ ମଣିଷମାନଙ୍କର ବୁଦ୍ଧି, ଧନ ଓ ଅନ୍ୟଯାବତୀୟ ନାନା ଶକ୍ତି ଏହି ପୃଥିବୀରେ କିପରି ଭାବରେ ଯେ ଖରଚ ହେଉଥାନ୍ତା, ବେଳେବେଳେ ସେହି କଥା ଚିନ୍ତା କରିବାକୁ ମଧ୍ୟ ସାହସ ହୁଏ ନାହିଁ । ଏହି ସ୍ଥିତିଟି ଯେ କେବଳ ଆଗେ ଥିଲା, ଏବେ ନାହିଁ, ତାହା ଆଦୌ ଦାବି କରି କୁହାଯାଇ ପାରିବ ନାହିଁ । ଆଗେ ସ୍ଥୂଳ ଭାବରେ ଥିଲା, ଏବେ ବିଜ୍ଞାନର ପ୍ରସାଦରୁ ସୂକ୍ଷ୍ମାତିସୂକ୍ଷ୍ମ ପରିପାଟୀରେ ରହିଛି ! ଅଲବତ ରହିଛି-

 

ତେଣୁ, ସାରାଂଶରେ ଆମେ କାହିଁକି ନକହିବା ଯେ ତୁମେ ସଂସାର ଭିତରେ ଥାଅ ଅଥବା ସଂସାରତ୍ୟାଗୀ ହୋଇଛି ବୋଲି ଫୁଲେଇ ହେଉଥାଅ ପଛକେ, ସତକୁ ସତବଡ଼ ଡହଳ ବିକଳରେ ରହିଛି । ସଂସାର ଭଲ ଲାଗିଲା ନାହିଁ, ତେଣୁ ତୁମେ ସଂସାର ଛାଡ଼ିଲ କିମ୍ବା, ସଂସାର ଅଧିକ ଟାଣିଲା, ତୁମେ ତେଣୁ ଏହିଠାରେ ହିଁ ରହିଗଲ, ସେହି ଡହଳବିକଳ ହେବାଟା ହିଁ ଉଭୟ ବର୍ଗର ନିୟତିରେ କ'ଣ ପାଇଁ ରାଣୀପୋକ ସଦୃଶ ରହିଗଲା । ସଂସାର ତ୍ୟାଗୀମାନେ ମଧ୍ୟ ସଂସାରଟା ଭିତରେ ହିଁ ଗୋଟିଏ ଗୋଟିଏ ଟାପୁ ଆଦରି ରହିଲେ ଏବଂ ଚାହୁଁ ଚାହୁଁ ସେହି ସଂସାରର ଛାଞ୍ଚରେ ହିଁ ନିଜର ବାସ ଓ ମାମଲତଟିକୁ ବନାଇ ପକାଇଲେ । ତାହାକୁ ଏକ ଖାସ୍ ପୁଟ ଦେଇ ମଠ ବୋଲି କୁହାଗଲା, ପୀଠ ବା ଗୁରୁସ୍ଥାନ ବୋଲି ମଧ୍ୟ କୁହାଗଲା । ଜମି ରହିଲା, ତୋଟାରହିଲା, ଅନୁରକ୍ତ ଭକ୍ତମାନେ ସକଳ ଅର୍ଥରେ ପ୍ରଜାକୁଳ ହୋଇ ରହିଲେ । ସଂସାର କାଇଦାରେ ହିଁ ମଠ ଚାଲିଲା । ପର୍ବାନୁଷ୍ଠାନ ଇତ୍ୟାଦି ପୂର୍ଣ୍ଣ ସାଂସାରିକ ଆଡ଼ମ୍ବରରେ ଅବ୍ୟାହତ ରହି ପାରିଲା । ଆଦୌ କେଉଁଠି ହେଲେ କିଛି ଛାଡ଼ି ଆସିଥିଲା ପରି ମନେ ହେଲା ନାହିଁ । ଠାକୁରମାନେ କେଡ଼େ ସୁନ୍ଦର ବୋଲ ମାନି ପୂର୍ଣ୍ଣ ସାଂସାରିକ ଉପଚାରରେ ପିତୁଳା ହୋଇ ରହିଗଲେ । ଉପାସକମାନଙ୍କୁ ଏକ ଅଭାବନୀୟ ଆନନ୍ଦ ଅର୍ଥାତ୍ ଅସ୍ମିତା ଯୋଗାଇ ଦେଇ ସେମାନେ ସୁନାମୁକୁଟ ପିନ୍ଧିଲେ, –ହଁ, ଅଷ୍ଟଧାତୁରେ ନିର୍ମିତ ବି ହେଲେ । ଏହିସବୁ ନବୀନ ଏବଂ ଆହୁରି ନବୀନ ଭିଆଣକୁ ସଂସାରୀ ଏବଂ ସଂସାରତ୍ୟାଗୀ କେଡ଼େ ସହଜରେ ମାନି ବି ନେଲେ । ଖୁବ୍ ସୁଖ ଅବଶ୍ୟ ପାଇଲେ । ଡହଳ ବିକଳ ହୋଇ ଧାଇଁବାର ଯେଉଁ ସୁଖ, ତାହା ପ୍ରକୃତରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ସୁଖ, –ସଂପୂର୍ଣ୍ଣ ଭାବରେ ଏକ ବ୍ୟାଧିଗ୍ରସ୍ତ ସୁଖ । ପୃଥିବୀରେ ଏପରି ବହୁତ ମଣିଷ ଅଛନ୍ତି, ଯେଉଁମାନେ କି ବ୍ୟାଧିଗ୍ରସ୍ତ ହୋଇ ରହିବାକୁ ଭଲ ପାଆନ୍ତି, ବ୍ୟାଧିକୁ ଭଲପାଆନ୍ତି ଏବଂ ତେଣୁ ବ୍ୟାଧିକୁ ଆବୋରି ରହିଥାନ୍ତି । ପିତୁଳାଗୁଡ଼ାକୁ ଆବୋରି ରହିବା ମଧ୍ୟ ଏକ ବ୍ୟାଧି କି-? ଡହଳ ବିକଳ ହେବା,–ତେବେ ସେଇଟା ବି ଏକ ବ୍ୟାଧିନିଶ୍ଚୟ ହୋଇଥିବ । ଡହଳ ବିକଳ ହୋଇ ଧାଇଁବା, ଡହଳ ବିକଳ ହୋଇ ପାଇବା, ଦୁଇଟାଯାକ ବ୍ୟାଧି ।

 

ଏବଂ, ଦୁହେଁ ସୁଖବାଦୀ । ସଂସାରୀ ତଥା ସଂସାରତ୍ୟାଗୀ ଦୁହେଁଯାକ । ଡହଳ ବିକଳ ସଂସାରୀ ଯେଉଁପରି ସୁଖବାଦୀ, ଡହଳ ବିକଳ ସଂସାରତ୍ୟାଗୀ, ମଧ୍ୟ ସେହିପରି ସୁଖିବାଦୀ । ନିଜ ସୁଖ ପାଇଁ ସଂସାରରେ ବେକେଯାଏ ବୁଡ଼ି ରହିଥିବା ଏବଂ ନିଜ ସୁଖ ପାଇଁ ସଂସାରତ୍ୟାଗୀ ବାବାଜୀ ହେବା । ବ୍ରହ୍ମର ସଂସ୍ପର୍ଶ ଲାଭକୁ ଶାସ୍ତ୍ରରେ ଅବଶ୍ୟ ଅତ୍ୟନ୍ତ ସୁଖ୍ୟ ବୋଲି କୁହାଯାଇଛି । ଯେଉଁ ସୁଖଟି ପାଇପାରିଲେ ଆଉ ମୋଟେ ଡହଳ ବିକଳ ହେବାକୁ ପଡ଼େ ନାହିଁ, ଡହଳ ବିକଳ ମନୁଷ୍ୟକୁ ମୋଟେ କୌଣସି ଯଥାର୍ଥ ସ୍ପର୍ଶ ମିଳି ନଥାଏ ବୋଲି ସେ ଡହଳ ବିକଳ ହେବାରେ ଲାଗିଥାଏ କି ? ତା’ଭିତରେ ବହୁବିଧ ନିଃସ୍ଵତା ନିତ୍ୟ ଭୋଜନ କରିବାରେ ଲାଗିଥାଆନ୍ତି । ସବୁ ଥାଏ, ତଥାପି ନିଃସ୍ଵ ଲାଗୁଥାଏ । ସଙ୍ଗ ଲୋଡ଼ିଲେ ସିନା ସଙ୍ଗ ମିଳେ ! ଦୁନିଆଟାରେ ମୁଁ ନିସଙ୍ଗ ହୋଇ ରହିଗଲି ବୋଲି ରୋଦନ କରୁଥିବା ବିଚିତ୍ର ମଣିଷଟି ସତକୁ ସତ ଆଦୌ କୌଣସି ସଙ୍ଗ ଲୋଡ଼ୁଥାଏ ତ ? ଡହଳ ବିକଳ ମଣିଷ ସତେଅବା କୌଣସି ଅଭିଶାପ ପାଇଥିବା ପରି ଆପଣାକୁ ହିଁ କେନ୍ଦ୍ର ବୋଲି ଧରି ନେଇଥାଏ । ମାତ୍ର ଚାରିପାଖରେ ପରିଧିଟିଏ ନଥିଲେ ଓ ପରିଧିଟିଏ ନ ଲୋଡ଼ିଲେ ମୁଁ ଆଦୌ କିପରି କେନ୍ଦ୍ରଟିଏ ହେବାର ମର୍ଯ୍ୟାଦା ଲାଭ କରିପାରିବି ? ଡହଳ ବିକଳ ମଣିଷମାନେ ଆଦୌ କୌଣସି ପରିଧିକୁ ସ୍ୱୀକାର କରନ୍ତି ନାହିଁ ! ଲକ୍ଷ୍ମୀଛଡ଼ା ହୋଇ ରହନ୍ତି । ସଂସାରୀ ତଥା ସଂସାରତ୍ୟାଗୀ ଉଭୟଙ୍କ ଗୋଠରେ ହିଁ ସେହି ଲକ୍ଷ୍ମୀଛଡ଼ାମାନଙ୍କୁ ଖୁବ୍ ଭେଟିବାକୁ ମିଳେ । ବହୁ ସୁଖର ସମ୍ଭାବନା ଦ୍ୱାରା ଭରି ରହିଥିବା ଏହି ପୃଥିବୀଟାକୁ ଏତେ ଏତେ ଦୁଃଖ କାହିଁକି ଯୁଗେ ଯୁଗେ ହଡ଼ବଡ଼ କରି ରଖିଛି, ସେହି ଭେଟରୁ ହିଁ ତାହାର କିଛି ଜବାବ ମଧ୍ୟ ମିଳି ଯାଉଥାଏ ।

 

ଡହଳବିକଳ ମନୁଷ୍ୟମାନେ ପ୍ରକୃତରେ ବଡ଼ ଶ୍ରାନ୍ତ । ଡହଳବିକଳ ହେଉଥିବାରୁଏମାନେ ହାଲିଆ ହୋଇ ପଡିଥାନ୍ତି ବା ଏକାଧିକ କେଉଁସବୁ କାରଣ ହେତୁ ହାଲିଆ ହୋଇ ପଡ଼ିଥିବାରୁ ସେମାନେ ଡହଳବିକଳ ହୁଅନ୍ତି,–ସେକଥାର ପ୍ରକୃତରେ କିଏ ଉତ୍ତର ଦେଇପାରିବ ? 'ନା ନା ଶ୍ରାନ୍ତାୟ ଶ୍ରୀରସ୍ତି'ବୋଲି ଶାସ୍ତ୍ରରେ ଘୋଷଣା କରାଯାଇଛି । ଜଣେ ଶ୍ରାନ୍ତ ମନୁଷ୍ୟ କେବେହେଲେ ଲକ୍ଷ୍ମୀଙ୍କୁ ଲାଭ କରି ପାରିବ ନାହିଁ । ପୃଥିବୀରେ ଏତେ ଏତେ ସମ୍ପନ୍ନତା ଏବଂ ଏତେଏତେ ସମ୍ଭାବନା, –ତଥାପି କାହିଁକି ପୃଥ୍ଵୀମୟ ମନୁଷ୍ୟମାନଙ୍କର ଜୀବନଟା ଏପରି ଲକ୍ଷ୍ମୀଛଡ଼ା ହୋଇ ପଡ଼ିଛି ? ଶ୍ରାନ୍ତ ସହମାନେ ମଧ୍ୟ ହୁଏତ ଲକ୍ଷ୍ମୀଲାଭ କରିପାରନ୍ତି ନାହିଁ । ଏହି ପୃଥିବୀରେ କ’ଣ ପାଇଁ ସମୂହ ସମୂହ ଭିତରେ ଏତେ ଘୃଣା ଓ ଏତେ ଉପେକ୍ଷା ? ଗୋଟିଏ ସମୂହକୁ ଆଉ ଗୋଟିଏ ସମୂହ କାହିଁକି ଏତେ ଘୃଣା କରୁଛନ୍ତି ? ଏକ ଆରେକୁ ହିଂସ୍ର ବୋଲି ଧରିନେଇ ସେମାନେ ମୁଖ୍ୟତଃ ହିଂସ୍ରତାଗୁଡ଼ିକୁ ହିଁ ବଢ଼ାଇବାରେ ଲାଗିଛନ୍ତି ? ସେମାନଙ୍କର ଡହଳବିକଳ ତଥା ଉତ୍ତାପଗୁଡ଼ିକୁ ଦୃଷ୍ଟିପାତ କଲେ ସେମାନେ ବଡ଼ ଶ୍ରାନ୍ତ ହୋଇପଡ଼ିଛନ୍ତି ବୋଲି ବଡ଼ ସନ୍ଦେହ ହେଉଛି । ସେମାନଙ୍କର ଦେବତାମାନେ ବି ନିଶ୍ଚୟ ବଡ଼ ଶ୍ରାନ୍ତ ହୋଇପଡ଼ିଛନ୍ତି । ସଂସାରୀମାନେ ଶ୍ରାନ୍ତ ଓ ସଂସାରତ୍ୟାଗୀମାନେ ବିଅତ୍ୟନ୍ତ ଶ୍ରାନ୍ତ । ସୁଖବାଦୀମାନେ କ’ଣ ପାଇଁ କେବଳ ଆପଣାକୁ ହିଁ ଅଧିକରୁ ଅଧିକ ସୁଖଦ୍ଵାରା ମଣ୍ଡିତ ଓ ବ୍ୟସ୍ତ କରି ରଖିବାପାଇଁ ଇଚ୍ଛା କରୁଥାନ୍ତି କେଜାଣି ? ସଂସାରତ୍ୟାଗୀମାନେ ବି କ’ଣ କେବଳ ନିଜର ସୁଖଲାଗି ଏଠାରୁ ସେଠାକୁ ପଳାୟନ କରିଥାଆନ୍ତି ? ଆପଣାର ସାମର୍ଥ୍ୟଗୁଡ଼ିକୁ ସେମାନେ ଅନ୍ୟକାତର ହେବାରେ ହିଁ ନିଃଶେସିତ କରି ଦେଇଥାନ୍ତି । ସଂସାରୀ ଓ ସଂସାରତ୍ୟାଗୀ ଏପରି ନିର୍ବୋଧ ଭାବରେ ଉଭୟ ହିଁ ଖଣ୍ଡିଆ ହୋଇ ରହିଛନ୍ତି ବୋଲି ଦୁର୍ଦ୍ଦଶାରେ ପଡ଼ି ଡହଳ ବିକଳ ହେଉଛନ୍ତି କି ? ତଦ୍ଦ୍ୱାରା ବହୁ ପ୍ରତିଶ୍ରୁତିରେ ପରିପୂର୍ଣ୍ଣ ହୋଇ ରହିଥିବା ଆମ ସମସ୍ତଙ୍କର ପୃଥିବୀଟା ମଧ୍ୟ ଆମେ ଦେଖୁ ଦେଖୁ ଅଭାବନୀୟ ବହୁ ପ୍ରକାରେ ଖଣ୍ଡିଆ ହୋଇଯାଉଛି । ସତ୍ୟମାନେ ଖଣ୍ଡଖଣ୍ଡ ହୋଇଯାଉଛନ୍ତି, ସମର୍ପଣ-ବୁଦ୍ଧି ଖଣ୍ଡିଆ ହୋଇଯାଉଛି, ପ୍ରେମ ଓ ପ୍ରୀତିମାନେ ମଧ୍ୟ ଖଣ୍ଡିଆ କାହିଁକି ନହେବେ ?

 

ତେଣୁ ହେ ଗୁମ୍ଫାବାସୀ ସଂସାରୀମାନେ ଏବଂ ଗୁମ୍ଫାବାସୀ ସଂସାରତ୍ୟାଗୀମାନେ ! ତୁମେମାନେ ଏଠାଟାକୁ ସେଠା ସହିତ ଯୋଡ଼ି କରି ଦେଖିଲେ ଯାଇ ସିନା ପୁନର୍ବାର ଏହି ପୃଥ୍ଵୀ ନିୟତିର ଅସଲ ଘରଗୁଡ଼ିକର ସନ୍ଦେଶଟିକୁ ବୁଝିପାରିବ ! ଶକ୍ତିମାନ ହେବାର ବସ୍ତୁତଃ ଆଉ ଅନ୍ୟ କୌଣସି ମାର୍ଗ ହିଁ ନାହିଁ । ଗୁମ୍ଫାମାନଙ୍କ ଭିତରୁ ବାହାରି ଆସିବାର ଯେଉଁ ପ୍ରୀତି, ତାହାହିଁ ଅସଲ ବଳ, ଅସଲ ସେତୁ ଓ ଅସଲ ସମାଧାନ ! ଧର୍ମଗୁଡ଼ିକ କେତେମନ୍ତେ କେତେ ବାଟରେ ଯିବେ, ଭୂମିମାନେ କେତେ ଭଳି ନିଜସ୍ଵତାରେ ଆପଣାକୁ ପ୍ରତିଭାତ କରିବାରେ ଲାଗିଥିବେ, ଏବଂ ନିଜର ଅଭ୍ୟସ୍ତ hubris ଗୁଡ଼ିକୁ ପରିହାର କରିପାରିଲେ ଯାଇ ଆମେ ସେଗୁଡ଼ିକୁ ହିଁ ସବାବଡ଼ ପୃଥ୍ୱୀସତ୍ୟ ରୂପେ ପ୍ରତ୍ୟକ୍ଷ କରିପାରିବା । ତେଣୁ ବୈରାଗ୍ୟ ନୁହେଁ । ଅନୁରାଗ, ଅନୁରାଗଗୁଡ଼ିକୁ ଅଧିକରୁ ଅଧିକ ସମ୍ଭାବନାମୟ ତଥା ପ୍ରସାରଣ ସମର୍ଥ କରିବା ନିମନ୍ତେ ହିଁ ଆମର ଦୃଷ୍ଟାମାନେ ଆମକୁ ବୈରାଗ୍ୟର ଯାବତୀୟ କଥା କହିଯାଇଛନ୍ତି । ତେଣୁ, ଯଥାର୍ଥ ଭେଟଗୁଡ଼ିକ ସକାଶେ ବୈରାଗ୍ୟ ମୋଟେ କାମ ଦେବନାହିଁ । କେବଳ ଶ୍ରାନ୍ତ କରି ଦେଉଥିବ ସିନା, ଆଉ ଅଧିକ କିଛି କରି ପାରିବନାହିଁ । ବେଦରେ ପୁରୁଷସୂକ୍ତ ନାମକ ପ୍ରକରଣରେ ଭୟ ପରିହାର କରିବାରୁ ଏକ ଉଦ୍‌ବୋଧନ ଦିଆଯାଇଛି । ଭୟ ଛାଡ଼ିଲେ ଯାଇ ଏହି ଶ୍ରାନ୍ତି ମଧ୍ୟ ଦୂର ହୋଇଯିବ । ନିଜ ଭିତରେ ଏହି ସବୁକିଛି ଭିତରେ ଏବଂ ସର୍ବୋପରି ପରସ୍ପର ଭିତରେ । ବିଶ୍ଵାସମୟତାର ସେତୁଗୁଡ଼ିକ ସମ୍ଭବ ହୋଇପାରିବ । ଏବଂ ସେତେବେଳେ ଆମେ କାହାକୁ ସଂସାରୀ ବୋଲି କହିବା ଓ କାହାକୁ ସଂସାରତ୍ୟାଗୀ ବୋଲି କହିବା ? ସୂକ୍ତଟିରେ ଉଚ୍ଚାରିତ ହୋଇଛି; ଦିନଗୁଡ଼ିକ ରାତି ଭିତରେ ତଥା ରାତିଗୁଡ଼ିକ ଦିନ ଭିତରେ ପ୍ରବେଶ କରିବାକୁ ଯେପରି ଆଦୌ ଭୟ କରୁନାହାନ୍ତି, ହେ ମୋର ପ୍ରାଣ, ତୁ ମଧ୍ୟ ସେହିପରି ମୋଟେ ଭୟ କରିବୁ ନାହିଁ । ଏହି ମାସଗୁଡ଼ିକ ମଧ୍ୟ ବର୍ଷଟି ଭିତରେ ପ୍ରବେଶ କରିବାକୁ ଯେପରି କୌଣସି ଭୟ କରୁନାହାନ୍ତି, ସେହିପରି ହେ ମୋର ପ୍ରାଣ, ତୁ ମଧ୍ୟ କୌଣସି ଭୟ କରିବୁ ନାହିଁ ।' ତେଣୁ ଆମେ ଆଉ କାହିଁକି ଡହଳ ବିକଳ ହେବୁ ?

Image

 

Unknown

ସହସ୍ରାବ୍ଦୀର ତିନି ବରଷ

 

ତିନିବର୍ଷର ପୁରୁଣା କଥାଟାଏ ସିନା ହୋଇଗଲାଣି, ତଥାପି ଖୁବ୍ ମନେ ଅଛି । ଏକ ନୂଆ ସହସ୍ରାବ୍ଦୀ ଆସୁଛି ବୋଲି ବହୁତ ଲୋକ କେଡ଼େ ପୁଲକିତ ହୋଇ ଉଠିଲେ । ଶତାବ୍ଦୀ ଓ ସହସ୍ରାବ୍ଦୀ ଏକାବେଳକେ ଏକାଠି-ସତେ ଯେପରି ରଥଯାତ୍ରା ବେଳକୁ ନବକଳେବରର ବିରଳ ଯୋଗଟିଏ ମଧ୍ୟ ଆସି ପଡ଼ିବାକୁ ଯାଉଛି । ବହୁତ ମଣିଷ ଏହି ବିଶେଷ ଘଟଣାଟିକୁ ସ୍ଵାଗତ ଜଣାଇବେ ବୋଲି ଭବ୍ୟ ବିଧିମାନଙ୍କ ବିଷୟରେ କେତେମନ୍ତେ କଳ୍ପନା କରିବାକୁ ବାହାରି ପଡ଼ିଥିଲେ । ପତ୍ରିକାମାନଙ୍କର ବିଶେଷ ସଂଖ୍ୟାମାନ ବାହାରିଲା । କବିତା ତ ଭରଣ ଭରଣ ଲେଖାହେଲା । ସେଦିନ ଅଧରାତିରେ ଆତସବାଜିର ଶବ୍ଦରେ ଆକାଶ ପ୍ରତିଧ୍ୱନ୍ୱିତ ହେବାକୁ ଲାଗିଲା । ସତେଯେପରି ବିଶ୍ୱଯାକର ମଣିଷ ଦୀପାବଳି ଉତ୍ସବଟିଏ ପାଳନ କରୁଛନ୍ତି । ଅନ୍ଧାରରେ ଯାଅ, ଆଲୁଅରେ ଆସ ବୋଲି କହି ସେମାନେ ବହୁତ ଆହ୍ଲାଦରେ କାହାକୁ ବରଣ କରି ଆଣୁଥିବା ପରି ଅନୁଭବ କରୁଥିଲେ । ଅନ୍ଧାର ଯାଏ ଏବଂ ଆଲୁଅ ଆସେ,ଏଇଟା କ'ଣ ପ୍ରକୃତରେ କୋଉ ଭଗବାନଙ୍କର ବରାଦରେ ହୁଏ ? ବେଳେ ବେଳେତ ଗୋଟାଏ ଅନ୍ଧାର ଏପରି ଆସି ଆଲୁଅଟାକୁ ମାଡ଼ି ବସେ ଯେ, ଆଲୁଅର ବଳଟା କ'ଣ ପ୍ରକୃତରେ ଏତେ କମ୍‌ ବୋଲି ବିଶ୍ଵାସ ବି କରି ହୁଏନାହିଁ-। ସତ କହିଲେ, ଆଲୁଅ ନା ଅନ୍ଧାରଦୁଇଟା ମଧ୍ୟରୁ ଆମର ଏହି ଏଡ଼େ ଆପଣାର ଓ ନିତ୍ୟ–ଆତଯାତର ପୃଥିବୀରେ କାହାର ଭାଗ କମ୍ ଏବଂ କାହାର ବେଶି କେଜାଣି ?

 

ଦ୍ୱିତୀୟ ସହସ୍ରାବ୍ଦୀଟି ଆରମ୍ଭ ହେବା ପରେ ଯାଇ ପୃଥିବୀଟା ଏଡ଼େ ବଡ଼ ବୋଲି ଜଣାପଡ଼ିଥିଲା । ଆଧୁନିକ ବିଜ୍ଞାନ ନୂଆ ନୂଆ କୁଶଳତା ଆଣି ଯୋଗାଇ ଦେଲା ନିତାନ୍ତ ଏକପାଖିଆ ହୋଇ ଶୁଭୁଥିଲେ ମଧ୍ୟ ତଥାପି କହିବା "ଆଦୌ ଅସମୀଚୀନ ହେବ ନାହିଁ ଯେ, ନୂଆ ନୂଆ ଲୋଭ ଆଡ଼କୁ ମଧ୍ୟ ବାଟ ଫିଟିଗଲା । ସମୁଦ୍ରପଥରେ ବାଟମାନ ଖୋଲି ଯାଇଥିଲା । ନୂଆ ଜ୍ଞାନ ଓ ସେଥିରୁ ଉଦ୍ଭବ ହେଉଥିବା ନାନା ନୂଆକୌଶଳ ବଳରେ ମଣିଷ ଯେ କେତେ କେତେ ସମ୍ପନ୍ନତାର ଅଧିକାରୀ ହୋଇପାରିବ, ସେହି ନୂତନ ବୁଦ୍ଧିଟା ସତେଅବା ବିଶେଷ ଦର୍ପରେ ଆମ ଧରଣୀପୃଷ୍ଠକୁ ଅବତରଣକରି ଆସିଥିଲା । ଷୋଡ଼ଶ ଶତାବ୍ଦୀରେ ଖ୍ରୀଷ୍ଟିଆନ ଧର୍ମର ଏକ ବିଶେଷ ଶାଖା ବାହାରି ମଣିଷର ଆକାଂକ୍ଷାମାନଙ୍କୁ ସିଧା, ଭଗବାନଙ୍କ ପର୍ଯ୍ୟନ୍ତ ଲମ୍ବାଇ ଦେଇଥିଲା । ସେତେବେଳକୁ ଛପାକଳ ମଧ୍ୟ ବାହାରି ସାରିଥାଏ । ଇଂଲଣ୍ଡରେ ସତେ ଅବା ଆଗାମୀଯୁଗର ଏକ ସିଧା ଅନ୍ଦାଜ ଦେଇ ଏପରି ଗ୍ରନ୍ଥଟିଏ ଲେଖା ହୋଇଥିଲା, ଯାହାକି ନଲେଜ୍ ଇଜ୍ ପାର୍"ବୋଲି ଘୋଷଣା କଲା । ତେଣୁ, ମଣିଷ ଏଥର ପୂର୍ଣ୍ଣ ବିକ୍ରମସହିତ କେବଳ ମାଡି ମାଡି ଆଗକୁ ଚାଲିଯିବ, ସିଏ ଏହି ଅଳପର ସାନ ସନ୍ତୋଷଗୁଡ଼ିକୁ ବର୍ଜନ କରି ବହୁତର ଅଧିକାରୀ ହୋଇପାରିବ । ଏବଂ, ଆହୁରି ଏକ ସାଂଘାତିକ ଛକି ଜାଗାରେ ଆସି ସିଏ ଏ କଥା ମଧ୍ୟ ଜାଣିପାରିଲା ଯେ, ଏକତ୍ରଗୋଟିଏ ସଂଘର ପରାକ୍ରମ ସମ୍ଭବ କରିପାରିଲେ ସିଏ ପୃଥିବୀରେ ଚକ୍ରବର୍ତ୍ତୀ ମଧ୍ୟ ହୋଇପାରିବ । ସେହିଭଳି କେତେଟା ଉତ୍ତୁଙ୍ଗ ଦିବା ସ୍ୱପ୍ନରୁ ତା’ପରେ ଜାତୀୟତାବାଦର ଅମଙ୍ଗଳଟା ଜନ୍ମଲାଭ କରିଥିଲା କି ? ବୈଜ୍ଞାନିକ ଏକ ପ୍ରମାଣ ଆସି କହି ଦେଲା ଯେ, ଏହି ପୃଥିବୀ ହେଉଛି ବୀରମାନଙ୍କର ଉପଭୋଗ ନିମନ୍ତେ । ତାହା ହିଁ ନୂଆ ଡେଣା ଲଗାଇ ନିଜ ନିଜ ଭୂମିରେ ଫକଫକ ହେଉଥିବା ପୁଞ୍ଜିବାଦକୁ ସାମ୍ରାଜ୍ୟବାଦରେ ପରିଣତ କରିଦେଲା । ଲୋଭଟା ସତେଅବା ବିଶ୍ୱଜନୀନ ହେବା ନିମନ୍ତେ ଅନମନୀୟ ନାନାପ୍ରଶ୍ରୟ ପାଇ ବି ଗଲା . ସାମ୍ରାଜ୍ୟବାଦୀମାନେ ପରସ୍ପର ଉପରେ ଜୟଲାଭ କରିବା ସକାଶେ ନୂଆ ନୂଆ ଅସ୍ତ୍ରମାନ ବାହାର କଲେ । ଆଗେ ତ କେବଳସ୍ଥଳଭାଗରେ ଯୁଦ୍ଧ ହେଉଥିଲା, କ୍ରମେ ଜଳଭାଗକୁ ସଂକ୍ରମିତ ହୋଇ ଯାଇଥିଲା । ଏବଂ, ଆମର ଏହି ବିଗତ ବିଂଶ ଶତାବ୍ଦୀଟାରେ ତାହା ଗଗନମାର୍ଗକୁ ମଧ୍ୟ ପ୍ରସାରିତ ହୋଇଯାଇ ପାରିଲା ।

 

ଶକ୍ତି, କ୍ଷମତା, ରାଷ୍ଟ୍ରୀୟ ସମ୍ପନ୍ନତା ଏବଂ ଉଗ୍ର ଜାତୀୟତା, ବିଂଶ ଶତାବ୍ଦୀର ଆରମ୍ଭବେଳକୁ ତାହା ହିଁ ସତେ ଅବା ଆଧୁନିକ ଜାତୀୟ ସମୂହ ଗୁଡ଼ିକୁ ମାର୍ଗଦର୍ଶନକରାଇବାକୁ ତଥା ପ୍ରତିଷ୍ଠା ଦେବାକୁ ବିଶ୍ବର ସାମୁଦାୟିକ ସ୍ତରରେ ମଧ୍ୟ ସ୍ବୀକୃତହେବାରେ ଲାଗିଲା । ତଥାକଥିତ ଉପନିବେଶ ଗୁଡ଼ିକ ମଧ୍ୟ ପରାଧୀନତାର ଶୃଙ୍ଖଳରୁଆପଣାକୁ ମୁକ୍ତ କରିବାର ପ୍ରକ୍ରିୟାରେ ସେହି ମାର୍ଗଟିକୁ ଗ୍ରହଣ କରିବା ଲାଗି ଭାରିଉତ୍ସାହ ପାଇଥିଲେ । ରାଜନୀତିକ ପରାଧୀନତାରୁ ମୁକୁଳି ଆସିବାରେ ସେହିଉତ୍ସାହପୂର୍ଣ ନୂଆ ପର୍ଯ୍ୟାୟଟିରେ ସେମାନେ ସେହି ମାଲିକମାନଙ୍କର ଛାଚଗୁଡାକଦ୍ଵାରା ଆକୃଷ୍ଟ ହେଲେ; ଅର୍ଥାତ୍ ସେହି ମୂଲ୍ୟନ୍ୟାୟ ଗୁଡ଼ିକର ଅନୁସରଣ କରି ଆଧୁନିକହେଲେ, ନିଜ ନିଜ ଘରେ ସେହି ଅନୁରୂପ ଶିକ୍ଷାପ୍ରଣାଳୀଟାକୁ ହିଁ ଗ୍ରହଣ କଲେ, ସେମାନଙ୍କର ରାଜନୀତି ତଥା ରାଷ୍ଟ୍ରନୀତି ମଧ୍ୟ ସେହି ଅନୁକରଣରେ ଗଢ଼ା ହୋଇଗଲା ଓ ସେମାନଙ୍କର ନିଜର ମଧ୍ୟ ଯେ ଗୋଟିଏ ମୂଳଦୁଆ ରହିଥିଲା, ସେଇଟି ଚାହୁଁ ଚାହୁଁ ପୋତି ହୋଇ ଯାଇଥିଲା । ସେହି ବିଶେଷ ପ୍ରୀତିଟି ଫଳରେ ସେମାନେ ଚଳନ୍ତି ଅର୍ଥନୀତି ଓ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ପ୍ରାୟ ବଡ ଅଣଆୟତ୍ତ ଭାବରେ ବାନ୍ଧିହୋଇ ପଡିଥିଲେ ।

 

ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଦୁଇ ଦୁଇଟା ବିଶ୍ଵଯୁଦ୍ଧ ହୋଇଗଲା । ପ୍ରାୟ ସର୍ବତୋଭାବେ ୟୁରୋପୀୟ ଅମେଳ ଏବଂ ବୈମନସ୍ୟ ଗୁଡ଼ିକୁ ନିଠ କରି ଯୁଦ୍ଧ ହେଲାସତ, ମାତ୍ର ସମଗ୍ର ପୃଥିବୀଟାକୁ ଆକ୍ରାନ୍ତ ଏବଂ ଆଚ୍ଛନ୍ନ କରି ରଖିଥିଲା । ତେଣୁ, ଯୁଦ୍ଧ ସରିବାବେଳକୁ ସତେଅବା ପୃଥିବୀଟା ଯାକର ସବୁ ଅଂଚଳ ପ୍ରାୟ ଏକାଭଳି ଗୋଟିଏ ନୀଳକୁଣ୍ଡ ଭିତରୁ ବାହାରି ଆସିଥିଲା । ବିଜୟୀମାନେ ପୃଥିବୀଟାକୁ ପୂରା ନୂଆ କରି ଗଢ଼ିବେ ବୋଲି କେତେ ଦରବାରିଆ ଘୋଷଣା ସବୁ କଲେ । ମାତ୍ର, ଉତ୍ପାଦନ, ଉପଭୋଗ ତଥା ଜୀବନୋଦ୍ୟମ ଗୁଡ଼ିକର ପ୍ରାୟ ସକଳ କ୍ଷେତ୍ରରେ ସେମାନେ ସମସ୍ତେ ସେହି ଗୋଟିଏ ଧସାରେ ହିଁ କଳ୍ପନାକ ରୁଥିଲେ । ଏବେ ଜଗତୀକରଣ ନାମରେ ଯେଉଁସବୁ ହଟ୍ଟରୋଳ ପୃଥିବୀସାରା ଶୁଣାଯାଉଛି, ସେହି କାରଣରୁ 'ଏହି ନୂଆ ସମସ୍ୟାଟି ଜନ୍ମ ଲାଭ କରିଛି କି ? ପୃଥିବୀଟା ବଡ଼ ଅସହାୟ ଭାବରେ ନିର୍ଭର ଶୀଳହୋଇ ପଡ଼ିଛି, ଏକ ନୂତନ ଚାକଚକ୍ୟପୂର୍ଣ୍ଣ ଦାସତ୍ବ ପୃଥିବୀର ଅଧିକାଂଶ ଦେଶ ଓ ଅଧିକାଂଶ ସାଂସ୍କୃତିକ ପରିମଳ ନିମନ୍ତେ ଆତଙ୍କପ୍ରାୟ ଠିଆ ହୋଇ ରହିଛି । ତାହାର ସମ୍ମୁଖୀନ ହେବାକୁ ସତେ ଅବା ପ୍ରତିବାଦୀ ରାଷ୍ଟ୍ରମାନଙ୍କ ପାଖରେ ବଳ ହିଁ ନାହିଁ । ଅସ୍ତବଳ ଯେଉଁଠି ବେଶୀ, ଅର୍ଥବଳ ମଧ୍ୟ ସେହିଠାରେ ହିଁ ବେଶି । ତେଣୁ ସେହି ମହାବଳଟା ପାଖରୁ କରଜ ଉପରେ କରଜ ଆଣ, ଯଥାସମ୍ଭବ ବିକି ହୋଇଯାଅ ଓତଥାପି ବିବେକର ତାଡନାରେ ପ୍ରତିବାଦ ବି କରୁଥାଅ । ପୃଥିବୀର ନେତୃତ୍ବଟା ଏହିଧର୍ମସଙ୍କଟ ମଧ୍ୟରେ କ'ଣ ସବୁଦିନ ଘାଣ୍ଟି ହେଉଥିବ, –ଆଉ କେବେ ମଧ୍ୟ ନିସ୍ତାର ମିଳିବନାହିଁ ?

 

ଦୁଇ ବୃହତ୍ ଶକ୍ତି ମଧ୍ୟରେ ପୃଥିବୀଟା ଏକ ତଥାକଥିତ ଶୀତଳ ଯୁଦ୍ଧରେ ଯାଇଛନ୍ଦି ହୋଇ ଯାଇଥିଲା । ସାମ୍ୟବାଦ ଅଥବା ଗଣତନ୍ତ୍ର ଆଉ କାହାରି ହେଲେ କୌଣସିଇଜ୍ଜତ ରହିଲା ନାହିଁ । ଏକ ତୀବ୍ର ଏବଂ ହିଂସ୍ର ପ୍ରତିଯୋଗିତା ଆରମ୍ଭ ହେଲା । ଉଭୟ ହିଁ ବିଶ୍ବଯାକର ମଙ୍ଗଳକାରୀ ବୋଲି ଦେଖାଇ ହେଲେ ଓ ବିଚକ୍ଷଣ ନାନା ବଦାନ୍ୟତାର ଭାଣ କରି ପୃଥିବୀଟିକୁ ଗୋଟାପଣେ ନିଜ ପକ୍ଷକୁ ହିଁ ଆଉଜେଇ ନେବା ସକାଶେ କୂଟନୀତିର ଯାବତୀୟ ଧନ୍ଦା ଭିତରେ ଯାଇ ପଶିଗଲେ । ଅସ୍ତ୍ରରେ, ଅର୍ଥରେ ଏବଂ ଭଳି ଭଳି ଦୁର୍ବୃଦ୍ଧିରେ ଦୁଇ ରାଜାଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଲାଗି ଯାଇଥିଲା । ଦୁହେଁବେକୁବ୍ ବୋଲି ପ୍ରମାଣିତ ହେଲେ, ବହୁତ ସ୍ଥିତିରେ ହାସ୍ୟାସ୍ପଦ ବି ହେଲେ । ଆଦର୍ଶଚୂଲିକୁ ଗଲା, ରାଷ୍ଟ୍ରୀୟ ସର୍ଦାରିଗୁଡାକ ହିଁ ନାନା ଅରାଜନୀତିକ ମତଲବ ସହିତ ବୃଦ୍ଧିପାଇବାରେ ଲାଗିଲା । ପୃଥିବୀର ବହୁତ କ୍ଷତି ହେଲା । ପୃଥିବୀବ୍ୟାପୀ ମନୁଷ୍ୟମାନଙ୍କର ହୁଏତ ରାଜନୀତିର ଆଦର୍ଶଗୁଡ଼ିକରୁ ବିଶ୍ଵାସ ତୁଟି ଯାଉଥିଲା । ତା’ ସାଂଗକୁ ପରମାଣୁ ବୋମା ଆସି ପହଂଚିଗଲା ! ଏବଂ ଚାହୁଁ ଚାହୁଁ କେବଳ ସେଇଦୁଇଟାଯାକ ବୃହତ୍ ଦ୍ଵେତ ନୁହନ୍ତି, ମଉକା ପାଇବା ମାତ୍ରକେ କୁନି ଓ କୁଜି ଏକାଧିକରାଷ୍ଟ୍ର ବୋମା-ବିଜ୍ଞାନର ସେହି ବିନାଶକାରୀ କାର୍ଯ୍ୟରେ ନିଜର ମଥାମାନଙ୍କୁ ଖଟାଇବାରେ ଆଗଭର ହୋଇଗଲେ । ଏହି ସଙ୍କଟ ସମୟରେ ଗୋଟାଏ ବୃହତ୍ର ରାଷ୍ଟ୍ରର ହର୍ମ୍ୟଟା ଭାଗି ପଡ଼ିଲା । ତଥାପି ଯୁଦ୍ଧର ଭୟ ଗଲାନାହିଁ—ନାନାବିଧ ସ୍ଥାନୀୟ ହିଂସ୍ରତା ପ୍ରାୟ ଦାନବୀୟ ବହୁ ଉତ୍ସାହରେ ସେଥିଲାଗି ପୁରୋଗାମୀ ହୋଇ ବାହାରି ପଡ଼ିଲେ । ଏହି ପୃଥିବୀରେ ଆଖର କେଉଁଟା ରହିବ'ବା କେଉଁଟା ରହିବ ନାହିଁ, ବିଶ୍ୱଯାକର ବିବେକଟା ପ୍ରାୟ ଏହିପରି ଏକ ଅରାଜକତା ମଧ୍ୟରେ ଖୁବ୍ ଉତ୍ତେଜିତ ହୋଇରହିଲା । ପୃଥିବୀଟା ପଛେ ଧ୍ୱଂସ ହୋଇଯାଉ, ତଥାପି ଯେପରି ହେଲେ ଆମେ ରହିବା–ଏହିଭଳି ଏକ ଜଙ୍ଗଲୀ ଅବିବେଚନା ବିଂଶ ଶତାବ୍ଦୀର ଶେଷବେଳକୁ ଭାରି ମର୍ମନ୍ତୁଦ ଭାବରେ ଆକ୍ରାନ୍ତ କରି ରଖିଥିଲା ।

 

ଭାଗ୍ୟର କଥା, ଏଇଟା ହିଁ ଆମର ସମ୍ପୂର୍ଣ୍ଣ ଇତି ବୃତ୍ତ ଆଦୌ ନୁହେଁ । ମଣିଷପକ୍ଷରେ ଏବଂ ମନୁଷ୍ୟର ପ୍ରଜ୍ଞାଶକ୍ତିକୁ ବଳ ଦେଇ ଏବେ ମଧ୍ୟ ମୁଖ୍ୟତଃ ଆସ୍ଥାର ଏକ ସକାରାତ୍ମକ ମଣ୍ଡଳ ମଧ୍ୟରେ ସଚଳ କରି ରଖିଥିବା ବିଧାତାଟାପକ୍ଷରେ ସତକୁ ସତକେଡ଼େ ବଡ଼ଭାଗ୍ୟର ହିଁ କଥା । ଇତିହାସର ସେହି ଆରମ୍ଭବେଳୁ ହିଁ ପ୍ରାୟ ସମାନ୍ତରଭାବରେ ମନୁଷ୍ୟମାନଙ୍କର ହୃଦୟ ନାମକ ସେହି ଅନ୍ୟ ବିବେକଟି ମଧ୍ୟରେ ଏକବିଶ୍ୱାସ ରହି ଆସିଛି ଯେ, ଏହି ପୃଥିବୀ ଅବଶ୍ୟ ରହିବ । ସବୁ ପ୍ରତିବନ୍ଧକର ସାମ୍ନା କରି ଶେଷରେ ସତ୍ୟର ହିଁ ପ୍ରତିଷ୍ଠା ହେବ, ଅର୍ଥାତ୍ ଏପରି ଏକ ବିରାଦରୀର ପ୍ରତିଷ୍ଠା ହେବ, ଯାହାକି କେବଳ ନିଜକୁ ନୁହେଁ–ଏକାବେଳକେ ସମସ୍ତଙ୍କୁ ଦେଖିବ ଅର୍ଥାତ୍ ସମସ୍ତଙ୍କୁ ସ୍ୱୀକାର କରିବ, ଭାଗ ଦେବ । ଆମ ଧର୍ମମାନେ ସବୁଦିନେ ଭଗବାନଙ୍କର ରାଜ୍ୟଟା ହିଁ ଦିନେ ଧରାତଳକୁ ଅବତରଣ କରି ଆସିବ ବୋଲି ସ୍ୱପ୍ନ ଦେଖି ଆସିଛନ୍ତି । ସନ୍ଥମାନେ ସର୍ବତ୍ର ସେହି ଭରସାର ବାଣୀମଧ୍ୟ ଶୁଣାଇ ଆସିଛନ୍ତି । ମନୁଷ୍ୟମାନଙ୍କର ସାମୁଦାୟିକ ଜୀବନକ୍ଷେତ୍ରଗୁଡ଼ିକରେ ସେଥିପାଇଁ ଅନୁରୂପ ପ୍ରଚେଷ୍ଟାମାନ ମଧ୍ୟ ଅବିଚ୍ଛିନ୍ନ ରହିଛି । ଦ୍ଵିତୀୟ ମହାଯୁଦ୍ଧ ପରେ ସକଳ ବିଶ୍ୱକୁ ଅନ୍ଦାଜ ଭିତରକୁ ନେଇ ଯେଉଁ ମିଳିତ ଜାତିସଂଘର ପ୍ରଚେଷ୍ଟା ଚାଲିଛି, –ଆମେ ବିଶ୍ୱାସର ପଟେ ରହିଥିଲେ ଅବଶ୍ୟ ତାହାର ମର୍ମନିହିତ ଅଭିପ୍ରାୟଗୁଡ଼ିକୁ ବୁଝିବାରେ ସମର୍ଥ ହେବା ! ପୃଥିବୀରେ ସବୁ ମଣିଷ ସୁସ୍ଥ ରହିବେ, ସବୁ ପିଲା ପାଠ ପଢ଼ିବେ, ବିଜ୍ଞାନର କଲ୍ୟାଣକାରୀ ଉଦ୍ୟମଗୁଡ଼ିକ ମଧ୍ୟ ଅଧିକରୁ ଅଧିକ ଅନୁକୂଳତା ଲାଭ କରିବ ଏବଂ ସଙ୍କଟ ସମୟରେ ସବୁ ଦେଶର ପ୍ରତିନିଧିମାନେ ଏକାଠି ବସି ମତର ଆଦାନ ପ୍ରଦାନ କରିବେ ଓ ବାଟ ଭଳି ବାଟମାନଙ୍କୁ ବାହାର କରିବେ । ସେମାନଙ୍କ ବାଟରେ ମଧ୍ୟ ବହୁତ ବାଧା–ବହୁତ ମାନିରାଷ୍ଟ୍ରର ସ୍ଵାର୍ଥମାନେ ସେଠାରେ ମଧ୍ୟ ଅର୍ଗଳ ହୋଇ ଠିଆ ହୋଇଛନ୍ତି, କିନ୍ତୁ ତଥାପି ପୃଥିବୀର ସହଜ ମଣିଷମାନେ ଯେ କ୍ରମଶଃ ଅଧିକରୁ ଅଧିକ ସଂଖ୍ୟାରେ ସେହି କଥାଟିକୁ ବୁଝୁଛନ୍ତି ତଥା ସକ୍ରିୟ ଭାବରେ ସେଥିଲାଗି ସାମିଲ ହେଉଛନ୍ତି, ଏଥିରେ ମଧ୍ୟ ସନ୍ଦେହ ନାହିଁ । ବିଜ୍ଞାନ କହିଲେ ଏକ ସାଧାରଣ ଉଡ଼ା ଅର୍ଥରେ ଯାହାକୁ ବୁଝାଇ ଆସିଛି, ସେଥିରେ ମଣିଷମାନଙ୍କୁ ହିଁ ବିଜ୍ଞାନ ସହିତ ଆଣି ଯୋଡ଼ି ଦିଆଯାଇଛି । ଅନ୍ୟ ପକ୍ଷରେ ବିଜ୍ଞାନକୁ ମଣିଷ ସହିତ ଆଣି ଯୋଡ଼ିବାର ଯେଉଁ ଅନ୍ୟ ଅଭିନବ ବାସନା ଓ ପ୍ରୟାସଟି, ତାହାକୁ ମଧ୍ୟ ଆମେ ଏହି ବିଂଶ ଶତାବ୍ଦୀର ଶେଷ ଭାଗଟିର ଏକ ସ୍ମରଣୀୟ ଅବଦାନ ବୋଲି କହି ପାରିବା-! ସେହି ଚିନ୍ତା ଶିବିରର ଜଣେ ବୈଜ୍ଞାନିକ ହେଉଛନ୍ତି ଶ୍ରୀ ଫ୍ରିଜଫ୍ କାପ୍ରା । ଜନ୍ମଦେଶ ହଙ୍ଘେରୀ ଓ ବର୍ତ୍ତମାନ କର୍ମରତ ଯୁକ୍ତରାଷ୍ଟ୍ର ଆମେରିକାରେ । ବିଜ୍ଞାନକୁ ମନୁଷ୍ୟ ନାମକ ମୂଲ୍ୟାୟତନ ସହିତ ଆଣି ଯୋଡ଼ିବାର କ୍ଷେତ୍ର କାପ୍ରା ବହୁ ଆଲୋଡ଼ନର କାରଣ ହୋଇଛନ୍ତି । ଏବେ ତାଙ୍କ ଦ୍ୱାରା ଲିଖିତ ସଦ୍ୟତମ ପୁସ୍ତକ The Hidden Connections ପଢ଼ୁଥିଲି । ତାଙ୍କର ବିଶ୍ଳେଷଣ ଅନୁସାରେ ପୃଥିବୀଟାକୁ ପୂରା ଧ୍ୱଂସ ଓ ବିଲୁପ୍ତ କରିଦେବାର ସରଞ୍ଜାମମାନ କ୍ରମେ ଏପରି ମହାଶକ୍ତିଶାଳୀ ହୋଇ ଉଠିବାରେ ଲାଗିଛନ୍ତି ଯେ, ଆଖର ଏଠି ଆଦୌ କିଛି ରହିବ ବୋଲି ଭରସା କରି ହେଉନାହିଁ । ରାଷ୍ଟ୍ରମାନେ ମୁଖ୍ୟତଃ ଏହି ପକ୍ଷଟାରେ ରହିଛନ୍ତି । ମନୁଷ୍ୟ ନିତାନ୍ତ ବଳହୀନ ହେବାରେ ଲାଗିଛି । ତଥାପି, ଅନ୍ୟ ପକ୍ଷରେ ପୃଥିବୀ ମଣିଷ ମାତ୍ରକେ ଆମ ସମସ୍ତଙ୍କର ଘର ହୋଇ ରହିବ ବୋଲି ପ୍ରୟାସ ମାନ ବି ଲାଗି ରହିଛନ୍ତି । ଉଭୟ ପକ୍ଷରେ ସମାନ ଭାବରେ ବଳିଷ୍ଠ କାରଣମାନ ରହିଛି । ତେବେ, ଦୁଇ ମଧ୍ୟରୁ କେଉଁଟିର ବିଜୟ ହେବ ? ହିସାବ କରି, ମଥା ଖର୍ଚ୍ଚକରି କିଛି କହି ହେଉନାହିଁ । ଯାହାର ମନ ଯେଉଁଟା ଆଡ଼କୁ ଅଧିକ ତଳି କରି ରହିଛି-। ସିଏ ହୁଏତ ସେହି ଅନୁସାରେ ପରିଣାମଟା ବିଷୟରେ କିଛି ଅନୁମାନ କରୁଛି । ବିଜ୍ଞାନୀ କାପ୍ରା କହୁଛନ୍ତି, ଭିତରୁ ଭରସାଟାଏ ହେଉଛି ଯେ ପୃଥିବୀ ତଥାପି ରହିବ, ମଣିଷମାନେ ରହିବେ–ପ୍ରାୟ ଅଲୌକିକ ଭାବରେ ଏପରି କିଛି ଘଟିବ, ଯାହା ମୋଡ଼ମାନଙ୍କୁ ବଦଳାଇ ନେବ । ମନୁଷ୍ୟ ପକ୍ଷରେ ଓ ପୃଥିବୀଟା ପକ୍ଷରେ ମୋଡ଼ଟି ବଦଳିଯିବ । ସାଂପ୍ରତିକ ଘଟଣାବଳୀରୁ: କେତୋଟି ଦୃଷ୍ଟାନ୍ତ ଦେଇ କାପ୍ରା ନିଜର ଅନୁମାନକୁ ପୁଷ୍ଟ କରିଛନ୍ତି । ରୁଷିଆ ତଥା ଦକ୍ଷିଣ ଆଫ୍ରିକାରେ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଭାବରେ ଯାହା ଘଟିଲା, ସେ ତାହାରି ଉଲ୍ଲେଖ କରିଛନ୍ତି । ଉପରର ବୁଦ୍ଧିଟା ଦେଇ ଦେଖିଲେ ଘଟଣାମାନଙ୍କ ମଧ୍ୟରେ ଯେଉଁ କାର୍ଯ୍ୟକାରଣଗତ ସଂଲଗ୍ନତା ରହିଛି, ତାହା ବ୍ୟତୀତ ଆହୁରି କେତେ ସମ୍ଭାବନା ହୁଏତ ସୂତାକୁ ସୂତା ଲାଗି ରହିଛନ୍ତି । ସେହି ସୂତାଟିକୁ ମନ କଲେ ହିଁ ତାକୁ ଖୋଜିବାକୁ ମନ ହେବ । ଆହୁରି କେତେ କ'ଣ ଦ୍ୱାର ଖୋଲି ଯାଇପାରିବ ।

Image

 

ସମାଜସେବା ଓ ସଂଗ୍ରାମ

 

ଏଥର ଆରମ୍ଭରୁ ହିଁ ଶ୍ରୀଯୁକ୍ତ ଦାନିଲୋ ଦୋଲ୍‍ଚିଙ୍କ କଥା ମନେ ପଡ଼ିଯାଉଛି । ଶ୍ରୀଦୋଲ୍‍ଚି ପ୍ରତ୍ନତତ୍ତ୍ୱ-ବିଜ୍ଞାନର ଗବେଷକ ଏବଂ ଛାତ୍ର ଥିଲେ । ଇଟାଲୀ ଦେଶର ଛାତ୍ରଥିଲେ ଓ ସିସିଲି ଦ୍ୱୀପକୁ ଆପଣାର ଗବେଷଣା ନିମନ୍ତେ କ'ଣ ସବୁ ସର୍ବେକ୍ଷଣ ତଥା ତଥ୍ୟ ସଂଗ୍ରହ ସକାଶେ ଆସିଥିଲେ । ପ୍ରତ୍ନତତ୍ତ୍ୱରେ ପୁରାତନ ପଥରମାନଙ୍କର ପରୀକ୍ଷା କରାଯାଏ । ଦୋଲ୍‍ଚି ସେଠାରେ ପହଞ୍ଚୁ ପହଞ୍ଚୁ ସବାଆଗ ମଣିଷମାନଙ୍କୁ ଦେଖିଲେ । ସେହିମାନଙ୍କ ପାଖରେ ଅଟକି ଗଲେ । ଜୀଅନ୍ତା ମଣିଷମାନେ ପୁଣି ଏତେ ଅବଜ୍ଞା ଓ ଅବହେଳା-ଭିତରେ ରହିବାକୁ ବାଧ୍ୟ ହୁଅନ୍ତି ! ଦାରିଦ୍ର୍ୟଜନିତ ବହୁବିଧ ଦୁର୍ଗତି ଓ ଦୁରବସ୍ଥାର ଚରମ ଅବସ୍ଥା-କାମ କରିବାର ଶକ୍ତି ଦେହରେ ରହିଛି, ତଥାପି କାମ ନାହିଁ ଓ ରୋଜଗାର ନାହିଁ । ଅଶିକ୍ଷା, ଅସ୍ୱାସ୍ଥ୍ୟ, ଏଇଟା ହିଁ ନିତିଦିନର ଭାଗ୍ୟ-। ସେମାନେ ଜଣେ ଜଣେ ମନୁଷ୍ୟ ବୋଲି କ’ଣ ପାସୋରି ଯାଇଛନ୍ତି କି ? ଦୋଲ୍‍ଚିଙ୍କର ପ୍ରତ୍ନତତ୍ତ୍ୱ ସେତିକିରେ ରହିଲା । ସିଏ ମନୁଷ୍ୟ-ସମ୍ମାନର ଦାବିରେ ମନୁଷ୍ୟମାନଙ୍କର ନେତୃତ୍ୱ ନେଲେ-। ଏକ ଅଭିନବ ସଂଗ୍ରାମ ଆରମ୍ଭ କରାଇ ଦେଲେ । କର୍ତ୍ତାମାନଙ୍କୁଚେତାବନୀ ଦେଇ ଅଚେତନାମାନଙ୍କର ନିଦ ଭଙ୍ଗାଇ ଥିଲେ । ଅହିଂସା, ଅସହଯୋଗଏବଂ ସତ୍ୟାଗ୍ରହର ଏକ ଦୃଷ୍ଟାନ୍ତ ହୋଇ ରହିଲେ-। ଆମେ ତାଙ୍କୁ ସଂଗ୍ରାମୀ ନା ସମାଜସେବୀ କ’ଣ ବୋଲି କହିବା ?

 

ଶହେ ବର୍ଷ ତଳେ ରାଜାମାନଙ୍କର ବରାଦରେ ସ୍ୱାମୀ ବିବେକାନନ୍ଦ ଆମେରିକା ଗଲେ, ଧନୀଦେଶ ଆମେରିକାରୁ ସିଏ ନିଜ ଦେଶ ଭାରତବର୍ଷକୁ ଏକ ଅନ୍ୟ ବାସ୍ତବତାର ଦର୍ପଣ ଉପରେ ଦେଖିଲେ । ଅନ୍ନ ହିଁ ଭାରତରେ କୋଟି କୋଟି ମନୁଷ୍ୟଙ୍କର ସବାଆଗ ସମସ୍ୟା ବୋଲି ଏକ ଧର୍ମ ମହାସଭାରେ ଉଦ୍ଦୀପ୍ତ ଭାବରେ ଘୋଷଣା କରିଥିଲେ । ସେତେବେଳେ ତାହା ପ୍ରାୟ ସକଳ ସଂସାର ବିରାଗୀ ବାବାଜୀଙ୍କର ଶାନ୍ତି ଭଙ୍ଗ କରାଇ ଦେଲା । ଭୋକିଲା ମଣିଷମାନଙ୍କୁ ଆଗ ଅନ୍ନ ଯୋଗାଇବାର ପଥଗୁଡ଼ିକୁ ଉନ୍ମୁକ୍ତ କରି ନଦେଲେ ସେମାନେ ହଜାରେ ଧର୍ମାୟତା ଭିତରେ ଅତ୍ୟନ୍ତ ଭେଷରା ଭାବରେ ବୁଡ଼ିକରି ରହିଥିଲେ ମଧ୍ୟ ତଥାପି ଯାବତୀୟ ଈଶ୍ଵର-ପରିଚୟରୁ ବହୁ ଯୋଜନଦୂର ହୋଇ ରହିଥିବେ ବୋଲି ସିଏ ଦୃଢ଼ତାର ସହିତ କହି ପାରିଲେ । ପ୍ରତ୍ୟେକ ମନୁଷ୍ୟ ଭିତରେ ମୂଳରୁ ହିଁ ସୁନିର୍ଦ୍ଦେଶିତ ହୋଇରହିଥିବା ସତ୍ୟଟିକୁ ନିଜ ଜୀବନର ସ୍ତରକୁ ପ୍ରକଟ କରି ଆଣିବା ହେଉଛି ଯଥାର୍ଥଶିକ୍ଷା ବୋଲି କହି ସେ ଏକାବେଳକେ ଏକ ଅନ୍ୟ ପ୍ରତ୍ୟୟର ଉଚ୍ଚାଟନ ଆଣିଦେଲେ । ମୂଳତଃ ସେହି ଲକ୍ଷ୍ୟର ସାଧନ ନିମନ୍ତେ ତରୁଣମାନଙ୍କର ଏକ ଶକ୍ତିଶାଳୀ ବ୍ରତୀ । ଗୋଷ୍ଠୀ ଗଠନ କରିବାର ସ୍ଵପ୍ନ ଦେଖିଲେ ! କେତେ କେତେ ଜଡ଼ତାର ପରାକ୍ରମଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ଦୋହଲାଇ ଦେଇଥିଲେ । ଭାରତୀୟ ଧର୍ମକୁ ଏକ ଅଦ୍ଭୁତପୂର୍ବ ଅଧ୍ୟାତ୍ମର ସାହସ ଆଣି ଦେବା ନିମନ୍ତେ କେତେ ସଚଳ ହୋଇ ଉଠିଥିଲେ । ବହୁ ପ୍ରେରଣାର ଏକ ଉତ୍କଳ ଶିଖର ହେଲେ ।

 

ଏ କଥା ହେଉଛି ଯାବତୀୟ ଅର୍ଥରେ ଏକ ସଂଗ୍ରାମର କଥା । ଆମ ଚିରାଚରିତ ଅର୍ଥରେ ତାହାକୁ ସମାଜସେବା ବୋଲି ଆଦୌ କୁହାଯାଇ ପାରିବ ନାହିଁ । ଦୟା, ଦାନ, ଦାକ୍ଷିଣ୍ୟ, –ଏସବୁ କାଳ କାଳରୁ ଥିଲା, ଏବେ ମଧ୍ୟ ଖୁବ୍ ରହିଛି । ଯାହାର ଅଛି, ସିଏ ଯାହାର ନାହିଁ ତାକୁ ଦୟା କରିବ, ପୁଣ୍ୟ ଅର୍ଜିବ । ପରୋପକାର କରି ସ୍ୱର୍ଗ ଲାଭର ଯୋଗ୍ୟ ହେବ । ଆହୁରି ସିଧା ଭାବରେ କହିଲେ, ପୃଥିବୀରେ ମ୍ଳେଚ୍ଛ ବେଶର ସକଳବାଧ୍ୟତା ମଧ୍ୟରେ ଗୁଡ଼ିଏ ମନୁଷ୍ୟ ନରହିଲେ ସମ୍ପନ୍ନମାନଙ୍କର ସଂସାରଟା ମଧ୍ୟ ମୋଟେ ଚଳି ପାରିବ ନାହିଁ । ତେଣୁ ଯେଉଁମାନେ ଭାଗ୍ୟଶାଳୀ, ଯେଉଁମାନେ ସମ୍ପନ୍ନତଥା କ୍ଷମତାପନ୍ନ, ସେମାନେ ଆପେ ଏହି ପରି ଭାବରେ ସୁଖ ଭିତରେ ତିଷ୍ଠି ରହିବାକୁ ହେଲେ ସବୁ ମଣିଷଙ୍କୁ ମନୁଷ୍ୟ ବୋଲି ସ୍ୱୀକାର କରିବାର ସେହି ତୀର୍ଣ୍ଣ ସତ୍ୟଟିକୁଅବଶ୍ୟ ଅନ୍ତରାଳ କରି ରଖିବେ । ସବୁ ମଣିଷ ଚେତା ହେଲେ ଏବର ଏହି ବର୍ତ୍ତମାନରପୃଥିବୀ ମୋଟେ ଚାଲିବ ନାହିଁ । ସବୁ ମଣିଷ ମନୁଷ୍ୟୋଚିତ ମର୍ଯ୍ୟାଦା ଦାବି କରିବସିଲେ ପୃଥିବୀରେ ଗୋଳ ଲାଗିଯିବ । ତୁମ ନିଜ ଗାଁଟାରେ ମଧ୍ୟ କ’ଣ ଗୋଳ ଲାଗିବ ? ଏକାଳର ସମାଜସେବା ନାମକ ଅନ୍ୟ ଧନ୍ଦାଟି ଏହିପରି ଏକ ମଳିନତାପୂର୍ଣ୍ଣ ଦୃଷ୍ଟିରୁ ଆରମ୍ଭ ହୁଏତ ହୋଇଛି ଏବଂ କାଳକ୍ରମେ ଚଲାଖମାନେ ଅଧିକଚଲାଖ ହେବାରେ ଲାଗିଥିବା ସଂଗେ ସଂଗେ ପୃଥିବୀଟା ଅଧିକ ମଳିନ ହେବାରେ ଲାଗିଛି । ଅସମାନତାଗୁଡ଼ାକ ଅଧିକ କ୍ରୁର ହିଁ ହେଉଛନ୍ତି ।

 

ପୃଥିବୀର ଅଧିକ ରାଷ୍ଟ୍ରସତ୍ତା ଧୋବମାନଙ୍କ ହାତରେ ରହିଛି । ଜ୍ଞାନ ଓ ବିଜ୍ଞାନପ୍ରାୟ ସକଳ ପରିପାଟୀରେ ସେହିମାନଙ୍କର ଅକ୍ତିଆର ମଧ୍ୟରେ ନୌକରପଣ କରୁଛି । ଦେଶର ସଂବିଧାନମାନେ ପ୍ରାୟ ସର୍ବତ୍ର କେଡେ ଚାକଚକ୍ୟପୂର୍ଣ୍ଣ ଭାଷାରେ ଲେଖାଯାଇଛି ସିନା, ମାତ୍ର ଦୁଷ୍ଟ ସ୍ଥିତାବସ୍ଥାମାନେ ହିଁ ସାମୂହିକ ଜୀବନଗୁଡ଼ିକୁ ନିୟନ୍ତ୍ରଣ ମଧ୍ୟରେ ରଖିଛନ୍ତି । ଏବଂ, ଭଳି ଭଳି ସେବାର ସିରସ୍ତା ମାନ ଖୋଲି ଯାଉଛି ଏବଂ ପୃଥିବୀଟା ଦୟା ଓ ଧର୍ମରେ ରହିଛି ବୋଲି ଦେଉଳ ଉପରେ ଥିବା ପତାକାମାନେ ପ୍ରତିପାଦନକରି ଦେଉଛନ୍ତି । ଗୋଟିଏ କଥାରେ କହିଲେ, ଅତ୍ୟାବଶ୍ୟକ ସଂଗ୍ରାମଗୁଡ଼ିକୁ କରାଇ ଦିଆନଯିବା ସକାଶେ ସମାଜସେବାକୁ ସତେଅବା ଏକ ଢାଲ ପରି ବ୍ୟବହାର କରାଯାଉଛି । ଧୋବମାନଙ୍କର ଉଚ୍ଚ ମଣ୍ଡପରୁ ହିଁ ସାହିତ୍ୟ ଓ ସଂସ୍କୃତି ସବୁକିଛି । ସୁଯୋଗମାନଙ୍କର ଯାବତୀୟ କ୍ଷେତ୍ର ଅଳପଙ୍କ ପାଇଁ । ଏସବୁ କୌଣସି ଧର୍ମର କୋଉ ଭଗବାନଙ୍କୁ କଦାପି ଭଲ ଲାଗୁ ନଥିବ ସିନା, କିନ୍ତୁ ସଂସାରଟାକୁ ଶୀତଳ କରି ରଖିବା ନିମନ୍ତେ ଏତେ ବୁଦ୍ଧି ଖରଚ କରୁଥିବା ଉପରିସ୍ଥ ବହୁଚିତ୍ତମାନଙ୍କୁ ହିଁ ଭାରି ସୁହାଉଛି । ଏବେ ତ ବହୁ ଦେଶରେ ଜନକଲ୍ୟାଣ ରାଷ୍ଟ୍ର ବୋଲି ନୂଆ କଥାଟିକୁ ପାଉମାନେ ଭାରି ବ୍ୟବହାର କଲେଣି । ଆଚମ୍ବିତ କଥାଟି ହେଉଛି ଯେ ଜନମାନେ ରହିଛନ୍ତି, ଜନମାନଙ୍କର କଲ୍ୟାଣ ନିମନ୍ତେ ରାଷ୍ଟ୍ରମାନେ ସଦାତତ୍ପର ଏବଂ ସର୍ବଚଣ୍ଡ ହୋଇରହିଛନ୍ତି; ଅଳପ ଥିଲାବାଲା ରାଷ୍ଟ୍ରମାନେ ଅଧିକ ଥିଲାବାଲା ରାଷ୍ଟ୍ରମାନଙ୍କ ଠାରୁ କୋଟି କୋଟି ପରିମାଣ ଅର୍ଥର ଋଣ ଆଣି କଲ୍ୟାଣ କରିବାର ଯୋଜନା–ଜାଲଗୁଡ଼ିକୁ ବିସ୍ତାର କରି ରଖିଛନ୍ତି । ଏବର ଆମ ପୃଥିବୀଟା ଅନାଉ ଅନାଉ କିପରି ଗୋଟାଏ ମସ୍ତସ୍ତରୀୟ କଲ୍ୟାଣ-ହାଟରେ ପରିଣତ ହୋଇଗଲା, ସିଧା ସାଧାରଣ ତୁମ ଆମ ବୁଦ୍ଧିରେ ତାହାଆଦୌ ବୁଝି ହେଉନାହିଁ । ମାତ୍ର ତଥାପି ବହୁଭାଗ ଜନଗଣ ହିଁ ଅଭାବରେ ରହିଛନ୍ତି, ଅଧିକରୁ ଅଧିକ ପରିମାଣରେ ନିର୍ଭରଶୀଳ ହୋଇ ପଡ଼ୁଛନ୍ତି । ଜଗତୀକରଣ ନାଆଁରେ ସମଗ୍ର ପୃଥିବୀଟା ସତେ ଯେପରି ଗୋଟାଏ ବଜାରିଆ ଅବିବେକ ଭିତରେ ଛନ୍ଦି ହୋଇଯାଉଛି ! ସମାଜସେବାର ଏହି ଫନ୍ଦିଗୁଡ଼ିକ ପୃଥିବୀର ଅସଲ ସଂଗ୍ରାମଗୁଡ଼ିକୁ କ୍ରମେ ଗୌଣ କରି ପକାଉଛି କି ? କେତେ କେତେ ନୂଆ ଗୋଲାମୀ ଆସି ମଣିଷମାନଙ୍କୁ ନାନାବିଧ ସମ୍ଭ୍ରମପୂର୍ଣ୍ଣ ସୂତରରେ ଶକ୍ତିହୀନ କରିଦେବାରେ ହିଁ ଲାଗିଛି । ସମାଜସେବା ସତେ ଯେପରି ସୁନାର ଢାଙ୍କୁଣି ପରି ହୋଇ ସତ୍ୟ ଓ ଧର୍ମକୁ ବାଟ ଓଗାଳି ବସିଛି ।

 

ନାନାବିଧ ଅଭିପ୍ରାୟ ତଥା ନାନାବିଧ ଚତୁରତା ଦ୍ଵାରା ପୃଥିବୀର ପ୍ରାୟ ଅଧେ ମଣିଷଙ୍କୁ ଦୟା ପ୍ରଦର୍ଶନର ଲୋଭନୀୟ ନାନା ଫାଶ ପକାଇ ଏହାଦ୍ୱାରା ଆହୁରି ଅଧିକ ଅସମର୍ଥ ଏବଂ ନିର୍ଭରଶୀଳ କରି ପକାଇବାର ଏକ ଚକ୍ରାନ୍ତ କରାଯାଉ ନାହିଁ ତ ? ହୁଏତ ତାହାରି ସକାଶେ ପୁରୁଣା ତିମିରଗୁଡ଼ାକ ଏବେ ବି ବଳବତ୍ତର ହୋଇ ରହିଛି । ରାଷ୍ଟ୍ରଶକ୍ତି ବଳୀୟାର ହେବାରେ ଲାଗିଛି, ଲୋକଶକ୍ତି ବାଟ ଭୁଲି ଯାଉଛି । ଲୋକଶକ୍ତି ଆପଣାର ସ୍ଵାଭାବିକ ସାବାଳକତ୍ଵକୁ ଲାଭ କରି ତାହାରି ଆଧାର ଉପରେ ହିଁ ସତକୁ ସତ କଲ୍ୟାଣକାରୀ, ସବୁରି କଲ୍ୟାଣକାରୀ ସାମୂହିକ ବ୍ୟବସ୍ଥାଟିଏ କ୍ରମେ ସମ୍ଭବ କରିଆଣିବ, ସେହି କଥାଟି ସତେ ଅବା ଅଧିକରୁ ଅଧିକ ବିଡ଼ମ୍ବିତ ହେବାରେ ଲାଗିଛି । ବେପାରୀମାନେ ହିଁ ପୃଥିବୀଟାର ମଙ୍ଗ ଆବୋରି ବସିଛନ୍ତି । ସବୁଠାରୁ ଅଧିକ ପଇସାସଂହାର ଦିଗରେ ଖରଚ ହେଉଛି ! ଜ୍ଞାନ ଓ ବିଜ୍ଞାନ ସେହି ପୁରୁଣା ଦୁର୍ବୁଦ୍ଧିଗୁଡ଼ାଙ୍କର ହିଁ ଅଧିକ କାମରେ ଲାଗୁଛି । ଜାତୀୟତାବାଦ ବି ମନୁଷ୍ୟମାନଙ୍କୁ କମ୍ ବୋକା ଏବଂ ଜଳକା କରି ରଖିନାହିଁ । ସଂତ୍ରାସକାରୀମାନେ ବିଶ୍ୱବ୍ୟାପୀ ହେବାରେ ଲାଗିଛନ୍ତି ଓ ଭଲମଣିଷମାନେ ବାବାଜୀ ହୋଇ ରହିଯିବାକୁ ହିଁ ଅଧିକ ନିରାପଦ ବୋଲି ଭାବୁଛନ୍ତି । ସ୍ଵାମୀ ବିବେକାନନ୍ଦ ମନୁଷ୍ୟ ଭିତରେ ରହିଥିବା ଅସଲ ଶକ୍ତିଟିକୁ ଜାଗ୍ରତ କରି ଆଣିବା ବିଷୟରେ ଏକଦା ସିଂହପରି ଯେ ଏତେ ଗର୍ଜନ କରିଥିଲେ, ତାଙ୍କର ଉପାସକମାନେ ତାଙ୍କର ଗୁଡ଼ାଏ ମୂର୍ତ୍ତି ଗଢ଼ି ତାଙ୍କୁ ମଧ୍ୟ ନୀରବ କରି ରଖି ଦେଇଛନ୍ତି ! ପୃଥିବୀଯାକ ଅଧ୍ୟାତ୍ମକ ସତେଅବା ଅନୁରୂପ ନାନା ପୁରାତନ ଫିସାଦରେ ପିତୁଳାରେ ପରିଣତ କରି ଦିଆଯାଉଛି । ରାଜନୀତିଟା ଧାଈ ହୋଇ ସେହି ଫିସାଦିଆମାନଙ୍କର ହିଁ ପରିଚର୍ଯ୍ୟା କରୁଛି । ସାହିତ୍ୟଟା ମଧ୍ୟ ସତେଅବା ନିତାନ୍ତ ଧର୍ମଛଡ଼ା ହୋଇ ଅଧିକ ପରିମାଣରେ ମୃତ୍ୟୁର ନିରାନା କରିବାରେ ବଳ ସାରି ଦେଉଛି ।

 

ଏହିଠାରେ ହିଁ ଦାନିଲୋ ଦୋଲ୍‍ଚି ହୁଏତ ସବୁଠାରୁ ଅଧିକ ପ୍ରାସଙ୍ଗିକ ପରି ଲାଗୁଛନ୍ତି । ସିଏ ସବାତଳୁ ଆରମ୍ଭ କରିବାର ନିର୍ଦ୍ଦେଶନା ଦେଉଛନ୍ତି । ସବାତଳର ମଣିଷମାନେ ଚେତା ହେବେ-। ଅର୍ଥାତ୍ ଆପଣା ଶକ୍ତି ବିଷୟରେ ସଚେତନ ହେବେ । ବର୍ତ୍ତମାନର ଅବ୍ୟବସ୍ଥାଗୁଡ଼ିକ ଫଳରେ ଉପରର ମଣିଷମାନେ ହିଁ ଆପଣାକୁ ଏକମାତ୍ର ଚେତା ବୋଲି ଭାବୁଛନ୍ତି–କେବଳ ସେହିମାନେ ହିଁ ଏଠି ଏକମାତ୍ର ନେତା ବୋଲି ଧରି ନେଉଛନ୍ତି,– ସେହିମାନଙ୍କ ହାତରେ କ୍ଷମତା, ସେହିମାନଙ୍କ ହାତରେ ଅର୍ଥ ଏବଂ ଅସ୍ତ, ତେଣୁ ସେହିମାନେ ଅଲବତ ନେତା,–ଏଇଟା ହେଉଛି ନିପଟ ଗୋଟାଏ ଭ୍ରମାତ୍ମକ ସତ୍ୟ । ତେଣୁ ସବା ତଳେ ନିଦ୍ରାଭଙ୍ଗ ହେବ,–ଅନ୍ଧାରଟା ତା'ନିଜ ଭିତରେ ଆଲୋକର ପରିଚୟ ପାଇବ ଏବଂ ପୃଥିବୀରେ ନିଜ ଅଧିକାରଟାକୁ ଦାବି କରି ବାହାରିବ-। ତାହା ହିଁ ସଂଗ୍ରାମ କେହି ବଞ୍ଚିତ ରହିବେ ନାହିଁ, ଭାଗ୍ୟବାଦୀ ହୋଇ ରହିଯିବେ ନାହିଁ-। ପ୍ରତିବାଦ କରିବେ, ପ୍ରତିରୋଧ କରିବେ । ଏକ ଅନ୍ୟ ପରିବର୍ତ୍ତନ ନିମନ୍ତେ ସୈନିକ ହେବେ-। ପୁରାତନ ଚାଲାଖି ଗୁଡ଼ିକୁ ବାଟ ଛାଡ଼ି ଦେବାଲାଗି ମନା କରି ଦେଇପାରୁଥିବେ । ଜନଶକ୍ତି ଜାଗୃତ ହେଲେ ଯାଇ ପୃଥିବୀରେ ଅସଲ ଗଣତନ୍ତ୍ର ପ୍ରତିଷ୍ଠିତ ହେବାର ଦ୍ଵାର ଖୋଲିଯିବ, –ଜନଶକ୍ତି ଜାଗ୍ରତ ହେଲେ ସେହି ଭ୍ରାତୃ ଭାବନାଗୁଡ଼ିକୁ ମାଟିର ନିକଟବର୍ତ୍ତୀ କରି ଆଣିବ, ଯାହାକି ଏକଦା ନିଜକୁ ସମାଜବାଦ ଏବଂ ସାମାଜିକ ନ୍ୟାୟ ବୋଲି ଘୋଷଣା କରି ବାହାରିଥିଲା । ନେତୃତ୍ୱ ଉପରେ ଉପରେ ରହି ଗଲା, ଉପରୁ ଦୟା ଦେଖାଇଲା । କ୍ଷମତାକୁ ନିରଙ୍କୁଶ ହେବାଲାଗି ବାଟ ଛାଡ଼ିଦେଲା ଏବଂ ତେଣୁ ପୃଥିବୀଟା ବେପାରୀମାନଙ୍କ ହାତକୁ ଚାଲିଗଲା, ରାଜନୀତି ମଣିଷକୁ ଛାଡ଼ିଦେଇ ଅତ୍ୟନ୍ତ ନିର୍ଲଜ୍ଜ ଭାବରେ ପ୍ରଫେସନାଲ ବି ହୋଇଗଲା ।

 

ଏହି ଅବକାଶରେ ଏବେ ଏତେ ଏତେ କାର୍ଯ୍ୟକ୍ରମରେ ଆପଣାକୁ ଛନ୍ଦି ରଖିଥିବା ସ୍ୱେଚ୍ଛାସେବୀ ସଂଗଠନର କଥା ଆପେ ଆପେ ମନକୁ ଆସିଯାଉଛି । କେବଳ ଓଡ଼ିଶା ଅଥବା ଭାରତବର୍ଷରେ ନୁହେଁ, ସମଗ୍ର ପୃଥିବୀରେ ବିକାଶଶୀଳ ଦେଶମାନଙ୍କରେ ସେମାନେ ବହୁସଂଖ୍ୟାରେ ନିଜକୁ କାର୍ଯ୍ୟରତ କରି ରଖିଛନ୍ତି । ବିକାଶଶୀଳ ଦେଶମାନେ ଅର୍ଥାତ୍, –ସେଗୁଡ଼ିକରେ ସମ୍ପଦ ଏବଂ ସମ୍ଭାବନାମାନ ଅଛି, ଅଥଚ ଭିତ୍ତିଭୂମିଟାଏ ଯଥାର୍ଥ ଅନୁକୂଳ ହୋଇ ନିର୍ମିତ ହୋଇନାହିଁ ବୋଲି ସେଗୁଡ଼ିକର ଯଥାର୍ଥ ଉପଯୋଗ ହୋଇ ପାରୁନାହିଁ । ତଥାକଥିତ ରାଷ୍ଟ୍ର ଓ ସରକାରମାନେ ଅଛନ୍ତି, କିନ୍ତୁ ନାନାପାରମ୍ପରିକ କାରଣରୁ ସାମନ୍ତବାଦୀ ବହୁ ଭୟ ଏବଂ ଭୀରୁତା ମଧ୍ୟରେ ତୁଣ୍ଡିବନ୍ଧା ହୋଇ ପଡ଼ିଛନ୍ତି, ବୃହତ୍ତର ଜନଗଣଙ୍କୁ ନାନାପ୍ରକାରେ ବଞ୍ଚିତ କରି ସେମାନେ ପ୍ରଧାନତଃ, ଭୋଗ'ଭିତରେ ଅକର୍ମଣ୍ୟ ହୋଇ ରହିଛନ୍ତି । ଏକାନ୍ତ ଆବଶ୍ୟକ ପରିବର୍ତ୍ତନଗୁଡ଼ିକୁ ହେବାକୁ ଦେଉନାହାନ୍ତି । ତଳେ ମଣିଷମାନେ ପ୍ରକୃତ ଅର୍ଥରେ ଚେତାହେଲେ ସେମାନଙ୍କର ବର୍ତ୍ତମାନର ସିଂହାସନଗୁଡ଼ିକ ନିଶ୍ଚୟ ଟଳି ହିଁ ପଡ଼ିବ, ଏହିଭଳିଗୋଟାଏ ମର୍ମାନ୍ତକ ଭୟ ସେମାନଙ୍କୁ ଅତ୍ୟନ୍ତ ଜର୍ଜର କରି ରଖିଛି । ସ୍ୱେଚ୍ଛାସେବୀମାନେ ହିଁ ସବାତଳେ ସକ୍ରିୟ ରହିଛନ୍ତି । ରାଷ୍ଟ୍ର ଓ ସରକାରମାନେ କଲ୍ୟାଣ କାର୍ଯ୍ୟର ନାନାଫରମାସରେ ସ୍ୱେଚ୍ଛାସେବୀମାନଙ୍କୁ ଅର୍ଥଦାନ କରୁଛନ୍ତି । ଏବଂ ଏଯାବତ୍‍ ହିତାଧିକାରୀମାନଙ୍କ ପାଖରେ ସେହି ଉପାୟରେ ଯାଇ ପହଞ୍ଚି ପାରୁଛନ୍ତି । ସେହି ଯାବତୀୟ କାର୍ଯ୍ୟକ୍ରମରେ ସେବା ଅଛି, ଦୟା ଅଛି, ଲୋକ ହିତୈଷିତାର ଭଳି ଭଳି ଆୟୋଜନ ରହିଛି ସିନା, ମାତ୍ର ସଂଗ୍ରାମର କୌଣସି ନାମଗନ୍ଧ ନାହିଁ । ଅସଲ ସଂଗ୍ରାମଟାକୁ ଗଡ଼ାଇ ଦେଇ ଏଡ଼ାଇ ରଖିବା ନିମନ୍ତେ ସ୍ୱେଚ୍ଛାସେବୀମାନଙ୍କୁ ମଧ୍ୟସ୍ତିପ୍ରାୟ ମୁତୟନ କରାଯାଇଛି । କାର୍ଯ୍ୟକ୍ରମ ଆପାତତଃ ଯାହା ହୋଇଥାଉ ପଛକେ, ସେଚ୍ଛାସେବୀମାନଙ୍କର କାର୍ଯ୍ୟଗୁଡ଼ିକ ସବାତଳେ ଥିବା ମଣିଷମାନଙ୍କଭିତରେ ଅସଲ ଚେତନାଟି ମଧ୍ୟ ଜାଗୃତି ହୋଇ ଆସିବାରେ ଖୁବ୍ ସହାୟତା କରୁଛି । ପରୋକ୍ଷରେ ହେଲେ ମଧ୍ୟ ଅପେକ୍ଷା କରାଯାଉଥିବା ସଂଗ୍ରାମଗୁଡ଼ିକ ନିମନ୍ତେ ସେମାନଙ୍କୁ ସଚେତନ ତଥା ସଂଘବଦ୍ଧ କରି ଆଣୁଛି । ଯେତେ ଅସୁବିଧାର କଥାଟିଏହେଲେ ମଧ୍ୟ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକ ଲାଗି ମଧ୍ୟ ଏକ ସ୍ପଷ୍ଟ ନିଷ୍ପତ୍ତିର ମୂହୁର୍ତ୍ତଆସି ପହଞ୍ଚିଯିବା ପରି ଲାଗୁଛି । ସେମାନେ ଯାହାର ଖାଉଛନ୍ତି, ତାହାରି ପକ୍ଷରେ ରହିବେ ନା ଯେଉଁ ସଂଗ୍ରାମଟି ନିଜକୁ କ୍ରମଗଠିତ କରି ଆସୁଛି, ସେଇଟି ସହିତ ସହଯୋଗ କରିବେ ? ଏହାରିଦ୍ୱାରା ହିଁ ସେମାନଙ୍କର ଅସଲ ଗୋତ୍ରଟି କ୍ରମେ ଧରାମଧ୍ୟ ପଡ଼ିଯିବ ।

Image

 

କେତେ କିଏ ଉତ୍ସର୍ଗୀକୃତ

 

ସାଧୁମାନେ ସେହି ବେଦ ଓ ପୁରାଣମାନଙ୍କ ସମୟରୁ ମନୁଷ୍ୟମାନଙ୍କୁ ପରାମର୍ଶ ପ୍ରଦାନ କରି ଆସିଛନ୍ତି ଯେ, ଏକ ଉତ୍ସର୍ଗୀକୃତ ଜୀବନ ହେଉଛି ସକଳ ଅର୍ଥରେ ଏକସାର୍ଥକ ଜୀବନ । ଅର୍ଥାତ୍ ଜଣେ ମନୁଷ୍ୟ ସଦା କ'ଣଟିଏ ପାଇଁ ନିଜକୁ ଉତ୍ସର୍ଗୀକୃତ କରି ରଖିଥିବ ଏବଂ ସେହି ଅନୁସାରେ ହିଁ ନିଜର ଜୀବନଟିକୁ ବଞ୍ଚୁଥିବ ଓ ତେବେ ଯାଇସୁଖ ପାଇବ ଅର୍ଥାତ୍ ଏକ ସାର୍ଥକ ଜୀବନର ସୁଖ ଲାଭ କରିବ । ସତକୁ ସତ କ'ଣ ପାଇଁ ଜଣେ ବ୍ୟକ୍ତି ତା’ର ଜୀବନକୁ ଉତ୍ସର୍ଗ କରିବ, ଅବଶ୍ୟ ସେ ବିଷୟରେ ସାଧୁଗୋଷ୍ଠୀ ବେଶୀ କିଛି କହି ନାହାନ୍ତି । ପୃଥିବୀରେ ସବୁକାଳେ ବିଭିନ୍ନ ଆଦର୍ଶ ଅର୍ଥାତ୍ସତ୍ୟମୂଲ୍ୟ ନିଶ୍ଚୟ ରହିବ ଓ ତେଣୁ ଉତ୍ସର୍ଗୀକୃତ ହୋଇ ଜୀବନ ବଞ୍ଚିବାର କ୍ଷେତ୍ରରେ ମଣିଷ ମଣିଷ ମଧ୍ୟରେ ବିଭିନ୍ନତା ଅଲବତ ରହିବ । ଏହି ଅନ୍ୟ ବାସ୍ତବଟିକୁ ଆଗ ସ୍ୱୀକାର କରି ତା'ପରେ ଯାଇ ପୃଥିବୀର ମନୁଷ୍ୟମାନଙ୍କୁ ଅନୁରୂପ ପରାମର୍ଶ ଦେବାରେ ଯେକୌଣସି ଯୁଗରେ ମଧ୍ୟ ଅଧିକାଂଶ ସାଧୁ ସମର୍ଥ ହୋଇନାହାନ୍ତି, ସାଧୁମାନଙ୍କ ପ୍ରତି କୌଣସି ଅନାଦର ପ୍ରଦର୍ଶନ ନକରି ଆମକୁ ସେକଥାଟିକୁ ମଧ୍ୟସ୍ୱୀକାର କରିବାକୁ ପଡ଼ିବ । ସାଧନାର ବଳରେ ନିଜେ ବିଶ୍ୱାସ କରୁଥିବା ଏବଂ କୌଣସିଏକ ସ୍ୱତନ୍ତ୍ର ସିଦ୍ଧି ଲାଭ କରୁଥିବା ଜଣେ ଜଣେ ମହାନ୍ ଆତ୍ମା ଯେତେବେଳେ କ'ଣ ଗୋଟିଏ ପ୍ରୀତିରେ ପଡ଼ିଯାଇ ଧର୍ମଟିଏ ପ୍ରଚାର କରିଛନ୍ତି ଅଥବା ସମ୍ପ୍ରଦାୟଟିଏ ଗଢ଼ିଛନ୍ତି, ସେମାନେ ବି କ'ଣ ସଂସାରର ମନୁଷ୍ୟମାନଙ୍କୁ ଉତ୍ସର୍ଗୀକୃତ ହୋଇ ରହିବା ବିଷୟରେ କମ୍ ଉଦବୋଧନ ଦେଇଛନ୍ତି ! ସେହିପରି ଏକ ଅତ୍ୟୁତ୍ସାହରୁ ଆମ ପୃଥିବୀରେ ଗୁରୁ ଓ ଶିଷ୍ୟର ଏକ ଐଶ୍ୱର୍ଯ୍ୟପୂର୍ଣ୍ଣ ପରମ୍ପରାର ମଧ୍ୟ ସୃଷ୍ଟି ହୋଇଛି । ପୃଥିବୀରେ ବହୁ କିସମ ଧର୍ମର ବଖାଣ ହୋଇଛି ! ଖାସ୍ ଶାସ୍ତ୍ରମାନ ଲେଖା ହୋଇଛି ! ବେଳେବେଳେ ନିଜ ଗୁରୁଙ୍କ ନିମନ୍ତେ ଉତ୍ସର୍ଗୀକୃତ ହୋଇ ରହିବାର ଗୋଟାଏ ବିଶେଷ ତାପରେ କୋଟି କୋଟି ମନୁଷ୍ୟ ସତେ ଅବା ଭଗବାନଙ୍କ ସକାଶେ ଯେତିକି ଉତ୍ସର୍ଗୀକୃତ ହୋଇପାରି ନାହାନ୍ତି, ଆପଣାର ଗୁରୁଙ୍କଠାରେ ସତେଅବା ତାହା ତୁଳନାରେଅଧିକ ଉତ୍ସର୍ଗୀକୃତ ହୋଇ ରହିବାର ପ୍ରୟାସ କରିଛନ୍ତି । ଅଧିକାଂଶ ଗୁରୁମାନେ ମଧ୍ୟ ଅନେକ ସମୟରେ ଅଧିକ ଉଦାର ଭାବରେ ସେଥିଲାଗି ବାଟ ଛାଡ଼ି ଦେଇଛନ୍ତି ।

 

ସମ୍ଭବତଃ ସେହି କାରଣରୁ ଆମ ପୃଥିବୀଟାରେ ଧର୍ମ ଓ ସମ୍ପ୍ରଦାୟମାନେ ହିଁ ସମଧିକ ଚାକଚକ୍ୟରେ ଝଟକିବାରେ ଲାଗିଛନ୍ତି ଏବଂ ତଥାପି ଧର୍ମର ହାନି ଘଟୁଛି । ମଣିଷମାନେ ଧର୍ମମତ୍ତ ହୋଇ ପରସ୍ପର ଆଡ଼କୁ ଖଣ୍ଡା ଉଞ୍ଚାଉଛନ୍ତି । ପୁନଶ୍ଚ ମୋରି ଧର୍ମଟା ହିଁ ଏକମାତ୍ର ସତ ଧର୍ମ ଏବଂ ଆଉମାନେ କେବଳ ସେମିତି ସେମିତି ବୋଲିଏକ ଆଣ୍ଟ ବହୁତଙ୍କୁ କାବୁକରି ରଖିଥିବାରୁ ବହୁତ ଅତି–ଉତ୍ସର୍ଗୀକୃତ ମନୁଷ୍ୟ ସଂଘଗଠନ କରି ଆଉମାନଙ୍କୁ ନିଜର ବେଢ଼ଟା ଭିତରକୁ ଖୁବ୍ ଫୁସୁଲାଇ ଆଣିବା ପାଇଁ ବାହାରି ପଡ଼ୁଛନ୍ତି । ସେମାନେ ମଧ୍ୟ ତଦ୍ୱାରା ପ୍ରକୃତ ଭଗବାନଙ୍କର ସେବା କରୁଛନ୍ତି ବୋଲି ଆପଣାକୁ କେଡ଼େ ବାଗରେ ବୁଝାଇଦେଇ ପାରୁଛନ୍ତି । ବହୁ ଅନର୍ଥର କାରଣ ବି ହେଉଛନ୍ତି । ସେହି ଉତ୍ସର୍ଗବୋଧଟି ପୃଥିବୀଟାର ସାମ୍ପ୍ରତିକ ରାଜନୀତି ଭିତରକୁ ମଧ୍ୟ ସଂକ୍ରମିତ ହୋଇ ଆସୁଛି । ଗୋଟାଏ ଗୋଟାଏ ରାଜନୀତିକ ଆଦର୍ଶ ପଛରେ ମଧ୍ୟ । ସାଂଘାତିକ ଭାବନାମାନ ଅଛନ୍ତି, ଯେଉଁମାନେ କି ସାରା ପୃଥିବୀଟିକୁ ଗୋଟାଏ ଆଦର୍ଶର ଛତା ତଳେ ଏକଜୁଟ କରି ଆଣିବା ଲାଗି ଉଦ୍ଦଣ୍ଡ ଭାବରେ ତତ୍ପର ହୋଇପାରୁଛନ୍ତି । ସେମାନେ ସେହି ଅଭୀଷ୍ଟ ପୂରଣର ଏକ ସୁନିଶ୍ଚିତ ପ୍ରଥମ ଆବଶ୍ୟକତା ରୂପେ ରାଷ୍ଟ୍ରଶକ୍ତିର ମାଲିକ ବନୁଛନ୍ତି ଏବଂ ତା'ପରେ ଅତ୍ୟନ୍ତ ଉତ୍ସର୍ଗୀକୃତ ଭାବରେ ଯାବତୀୟ ଗାରକୁ ଡେଇଁପଡ଼ି ପୃଥିବୀଟାକୁ ଥରହର କରି ରଖିଛନ୍ତି । ବିଚରା ବିଜ୍ଞାନନାମକ ସେହି ଅଶେଷ ମଙ୍ଗଳକାରୀ ପ୍ରତିଶ୍ରୁତିଟି ମଧ୍ୟ ଇଜ୍ଜତ ହରାଇ ରାଷ୍ଟ୍ରୀୟରାଢ଼ମାନଙ୍କ ହାତରେ ବାଧ୍ୟ ଏବଂ ବଶ ହୋଇ ରହିଯାଉଛି । ପୃଥିବୀର ସର୍ବାଧିକପଇସା ରାଷ୍ଟ୍ରୀୟ ଅପଶକ୍ତିମାନଙ୍କୁ ଅଧିକ ସବଳ କରିବାରେ ବରବାଦ୍ ହୋଇଯାଉଛି ।

 

ଏକଦା ପୂର୍ଣ୍ଣ-ଉତ୍ସର୍ଗୀକୃତ ଭାବରେ ଆପଣାର ଆଦ୍ୟ ଯୌବନର ଆହ୍ୱାନଟିକୁ ମାନି ଇତାଲୀ ଦେଶର ମାର୍କୋପୋଲେ ଆପଣାର ବିଶ୍ୱ ଆବିଷ୍କାରର ଯାତ୍ରାରେ ବାହାରି ଯାଇଥିଲେ । ଏବଂ ଅନ୍ୟପକ୍ଷରେ, ଦେଶପରେ ଦେଶ ଲୁଣ୍ଠନ କରିବାରେ ଉନ୍ମତ୍ତ ହୋଇ ବାହାରି ପଡ଼ିଥିବା ଆମ ଚେଙ୍ଗିଜ୍ ଖାଁ ଅଥବା ତୈମୁରଲଙ୍ଗଙ୍କୁ ମଧ୍ୟଏକା ନ୍ୟାୟରେ କାହିଁକି ଉତ୍ସର୍ଗୀକୃତ ବୋଲି କୁହାଯାଇ ନ ପାରିବ ? ଏବର ସନ୍ତ୍ରାସବାଦୀମାନେ ମଧ୍ୟ ଆପଣା ଆପଣାର ବିଚାରରେ ନିଜକୁ ଉତ୍ସର୍ଗୀକୃତ ବୋଲି ଅବଶ୍ୟ ଧରି ନେଉଥିବେ ଏବଂ ଯେଉଁମାନେ ଆପଣାର ପ୍ରାଣକୁ ପାଣି ଛଡ଼ାଇ ବୋମାହାତରେ ନିଜେ ଜାଣି ଜାଣି ମରିବା ପାଇଁ ଅନ୍ୟମାନଙ୍କୁ ମାରିବେ ବୋଲି ପ୍ରସ୍ତୁତ ହୋଇ ଯାଉଛନ୍ତି, ସେମାନେ ମଧ୍ୟ କ'ଣ ପାଇଁ ଉତ୍ସର୍ଗୀକୃତ ହୋଇପାରିବାର ଖାତାରେ ଅନ୍ତର୍ଭୁକ୍ତ ହେବାରୁ ବଂଚିତ ହୋଇ ରହିବେ ? ସେମାନଙ୍କୁ ଆମେ ସିନା ଆମପଟୁ ସନ୍ତ୍ରାସବାଦୀ ବୋଲି କହୁଛୁ, ମାତ୍ର ସେମାନେ ନିଜକୁ ଅବଶ୍ୟ ଜଣେ ଜଣେ ଶହୀଦବୋଲି ଧରି ନେଉଥିବେ । ଯେଉଁମାନେ ସେମାନଙ୍କୁ ଏତେ ଏତେ ଇନ୍ତ ଜାମ କରି ପଠାଉଥିବେ ଏବଂ ସେଥିପାଇଁ ତାଲିମ ଦେଉଥିବେ, ସେମାନେ ବି ତ ଗୋଟାଏ କୌଣସି ଉଚ୍ଚ ଲକ୍ଷ୍ୟହାସଲ କରିବା ନିମନ୍ତେ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି ଅଲବତ ଭାବୁଥିବେ । ଏମିତି କୌଣସି ବ୍ୟକ୍ତି ଅଥବା ସମୂହ ଏହି ପୃଥିବୀରେ ପ୍ରକୃତରେ ଅଛନ୍ତି, ଯେଉଁମାନେ କି କୌଣସି ନା କୌଣସି ସ୍ଥାନରେ ଆପଣାକୁ ଉତ୍ସର୍ଗୀକୃତ କରି ରଖିନାହାନ୍ତି, ଅର୍ଥାତ୍ ସାମନାରେ ଲକ୍ଷ୍ୟଟିଏ ରଖି ଜୀବନ ବଂଚୁନାହାନ୍ତି ? କିଏ ସତ୍ୟ ଲାଗି ଉତ୍ସର୍ଗୀକୃତ ହୋଇ ରହିଛି ବୋଲି ଧରି ନେଇଥିବାରୁ ଭିନେ ଆଉ କିଏ ଅଥବା ଅନ୍ୟମାନେ ମୋଟେ ଉତ୍ସର୍ଗୀକୃତ ନୁହନ୍ତି ବୋଲି ଅବଶ୍ୟ ଭାବୁଥିବ ଏବଂ ସେହି ହେତୁ ଅନ୍ୟମାନେ ଅସତ୍ୟ ମଧ୍ୟରେ ରହିଛନ୍ତି ବୋଲି ଧରି ନେଇ ହୁଏତ ସେଇ କାରଣରୁ ବହୁତ ପୁଲକ ଅନୁଭବ କରୁଥିବ ସିନା, ମାତ୍ର ନିଜଟିକୁ ସତ୍ୟ ବୋଲି ମାନି ନେଇଛି ବୋଲି ଫରକ କିମ୍ବା ବିପରୀତ ହୋଇ ଦିଶୁଥିବା ଆଉ କାହାରିଟା ଯେ ତାକୁ. ନିତାନ୍ତ ଭ୍ରମ ବୋଲି ବି ପ୍ରତୀତ ହେଉଥିବ, ସେଥିରେ ସନ୍ଦେହ କରିବାପାଇଁ ଆଦୌ କୌଣସି ଅବକାଶ ରହିବା ଉଚିତ ହେବନାହିଁ । ତେଣୁ, ଆମେ କେତେଦୂର ସମୀଚୀନତା ସହିତ କହିପାରିବା ଯେ ଏହି ସନ୍ଦର୍ଭରେ ସତ୍ୟବୋଲି ଆଦୌ କିଛି ନାହିଁ ଅଥବା ଭ୍ରମ ବୋଲି ଆଦୌ କିଛି ନାହିଁ । କିନ୍ତୁ ଯଦି ସମସ୍ତେ ପ୍ରକୃତରେ ଆମେ ସମସ୍ତେ ସତ୍ୟରେ ଥାଆନ୍ତେ, ସତ୍ୟ ନିମନ୍ତେ ଉତ୍ସର୍ଗୀକୃତ ହୋଇ ଜୀବନଟିଏ ବଞ୍ଚୁଥାଆନ୍ତେ, ତେବେ ମୋ’ଟା ହିଁ ସତ୍ୟ ଓ ତା'ଟା ଭ୍ରମ ବୋଲି କହିବାର ଅବକାଶ ମଧ୍ୟ କାହିଁକି କେଉଁଠାରେ ରହନ୍ତା ?

 

ସମ୍ଭବତଃ ଆହୁରି ଅଧିକ ଅସଲ କଥାଟି ହେଉଛି, ଆମେ ସମସ୍ତେ ସିନା ଗୋଟିଏ କୌଣସିଟି ନିମନ୍ତେ ଉତ୍ସର୍ଗୀକୃତ ହୋଇ ବାଟଟିଏ ଚାଲୁଛୁ ବୋଲି ଭାବି କେଡ଼େ ଉତ୍ସାହିତ ହୋଇ ବାଟଟାକୁ ଚାଲିଥାଉ, କିନ୍ତୁ ହୁଏତ ଆଉ କେଉଁଠି ଯାଇ ଛନ୍ଦି ହୋଇ ପଡ଼ିଥାଉ । ଉପର ଚମଟାରେ ସିନା ଗୋଟାଏ କ'ଣ କେତେବଡ଼ ମାର୍କୀରବୋଲି ଦେଖା ଯାଉଥାଉ, ମାତ୍ର ସତ ମଞ୍ଜଟାର କ୍ଷେତ୍ରରେ ଆଉ କ'ଣଟାକୁ କୁଣ୍ଢାଇ କରିରହିଥାଉ । ଉପରର ମାର୍କା ବା ଭୂମିକାଟା ନିମନ୍ତେ କେତେ ଯଶ ଅର୍ଜନ କରୁ । ଗୋଟାଏ ଗୋଟାଏ ସର୍କସ ପାର୍ଟିର ସବାବଡ଼ ଖଲିଫ ବା ସବାମୋଟ ଫରିସ୍ତା ହୋଇ ରହିଥାଉ, ମାତ୍ର ନିଜର ସତ ଭିତର ଗୁଡ଼ିକର ସ୍ତରରେ ପ୍ରାୟ ପୂର୍ଣ୍ଣ ଆନୁଗତ୍ୟ ସହିତ ଆଉ କେଉଁ ଲାଳଗୁଡ଼ାକ ଭିତରେ ଯାଇ ଲାଗି ରହିଥାଉ । ଆଜ୍ଞା କହିଲେ, ଆମକୁ ଅବାକ୍ କରି ଯେଉଁ କ୍ଷମତାସୀନ ନେତାମାନେ ଦେଶଟାକୁ ନେଇ ରାତିଦିନ ବାହୁନିବାରେ ଲାଗିଛନ୍ତି ଅଥବା ଚମ୍ପା, ସାଆନ୍ତାଣୀଟାର ବେଶ ପରିଧାନ କରି ମଙ୍ଗରାଜଙ୍କର ସେବା କରିବା ବ୍ୟତୀତ ଆଉ ଆଦୌ କିଛି ହେଲେ କରୁନାହାନ୍ତି ବୋଲି ଗେଲେଇ ହେଉଛନ୍ତି, ସେମାନେ କ'ଣ ସତକୁ ସତ ଦେଶଟା ପାଖରେ ଉତ୍ସର୍ଗୀକୃତ ହୋଇ ରହିଛନ୍ତି ? ତେବେ, ଆମ ଦୁନିଆ ଲୋକଙ୍କୁ ଅବାକ୍ କରିଦେଇ ପୂରା ନିଜ ନିଜର ଅଲାଜୁକ ମର୍ଜିଟା ଅନୁସାରେ ହିଁ ଏ ଦଳରୁ ସେ ଦଳକୁ ଡେଇଁ ପଡ଼ିବାରେ କିପରି ଲାଗିଛନ୍ତି ? ଦିନମାନ ଅମାରଟାକୁ ଲୁଟିକରି ଯେଉଁମାନେ ରାତିକୁ ସଭାମଣ୍ଡପରେ ବସି ଏହି ଦେଶର କିମ୍ବା ଏହି ଭୂମିଷ୍ଟାର ପ୍ରାଚୀନ ସଂସ୍କୃତି ବିଷୟରେ ଟୋକେଇ ଟୋକେଇ ମାଟି ଗାଳି ଆମ ନିରୀହମାନଙ୍କୁ ବେକୁବ୍–ବନାଇବାରେ ଲାଗିଛନ୍ତି, ସେମାନେ କ’ଣ ନିଜ ପାଖରେ ସେପରି କରି ନିଜେ ବେକୁବ ବୋଲି ଉପଲବ୍ଧି କରିନାହାନ୍ତି ? ଏହି ଏତେଟା ବର୍ଷରେ ଯେଉଁମାନେ ରାଜ୍ୟଟାକୁ ଏସାଟାଏ ଅଥବା ତେସାଟାଏ କରିଦେବେ ବୋଲି କେଡ଼େ କେଡ଼େ ଦରବାରୀ ତୋଡ଼ ସହିତ ପ୍ରାୟ ଯାଉଣୁ ଆସୁଣୁ ଆମକୁ ତର୍ଜନୀ ଦେଖାଇ ଚେତାଇ ଦେଉଛନ୍ତି, ସେମାନେ କ'ଣ ସେହି, ଏସା ତଥା ତେସା ଲାଗି ଆପଣାକୁ ଉତ୍ସର୍ଗୀକୃତ କରି ରଖିଛନ୍ତି ? ଏଠି ତ ହିରୋ ହେବାରେ ଲାଗିଛନ୍ତି,–ଏବଂ ତେଣେ ନିଜ ପାଖର ଅସଲ ଅବଧାନଟି ପାଖରେ ଅହରହ ଅଯୋଗ୍ୟ ବୋଲି ପ୍ରମାଣିତ ହୋଇ ଯାଉଛନ୍ତି ।

 

ଖାଲି ବଡ଼ ବଡ଼ କଥାରେ ଏବଂ ବଡ଼ ବଡ଼ ମଣିଷମାନଙ୍କର ଜୀବନରେ ନୁହେଁ, ସାନ ଓ ତଥାପି ଗୋଟିଏ ଗୋଟିଏ ବିଶେଷ କ୍ଷେତ୍ରରେ ଯେଉଁମାନେ ଯଶ ଅର୍ଜନ କରନ୍ତି ଏବଂ ବହୁ ସିଦ୍ଧି ବି ଲାଭ କରନ୍ତି, ସେମାନେ କ'ଣ ସେହିସବୁ କ୍ଷେତ୍ରରେ ନିଜକୁ ଉତ୍ସର୍ଗୀକୃତ କରି ରଖିଥାନ୍ତି ? ଜଣେ ଡାକ୍ତର ବା ଜଣେ ଇଞ୍ଜିନିୟର କ'ଣ ସତକୁ ସତ ଡାକ୍ତରୀ ବିଦ୍ୟା ବା ଇଞ୍ଜିନିୟରୀ କୌଶଳ ଲାଗି ଉତ୍ସର୍ଗୀକୃତ ହୋଇ ରହିଥାଏ ଏବଂ ଏପରିକି ଆପଣାର ରୁଚିକୁ ପାଉଥାଏ ବୋଲି ସେହିସବୁ ବିଷୟକୁ ଅଧ୍ୟୟନ କରୁଥାଏ, କେତେ ମିହନ୍ତ କରି ପଢ଼ୁଥାଏ ଏବଂ ପ୍ରମାଣପତ୍ରଟିଏ ହାସଲ କରିବ ବୋଲି କଲବଲ ହୋଇ ଖଟୁଥାଏ ? ମୋ ପୁଅ ଡାକ୍ତର ହେଉ କିମ୍ବା ଇଞ୍ଜିନିୟର ହେଉ ବୋଲି ଉଚ୍ଚ ଅଭିଳାଷ ଥିବା ବାପାମାଆମାନେ ସନ୍ତାନମାନଙ୍କର ପିଲାଟିଦିନରୁ ସ୍ଵପ୍ନ । ଦେଖୁଥାନ୍ତି, ସେମାନେ ବା କ'ଣ ସକାଶେ ବା କାହା ପଛରେ ରହିଥାଆନ୍ତି ? ହଁ, ଏବେତ ଖେଳମାନଙ୍କରେ ମଧ୍ୟ ବିଶେଷ ନୈପୁଣ୍ୟମାନ ପ୍ରଦର୍ଶନ କରି ଗଜା ଖେଳାଳିମାନେ ମଧ୍ୟ ନାଆଁ କରୁଛନ୍ତି, –ଖବରକାଗଜମାନଙ୍କରେ ତାରକା ସଦୃଶ ଚିହ୍ନିତ ବି ହେଲେଣି । ସେମାନଙ୍କର ହାରଜିତ୍ ନେଇ ବଡ଼ ବଡ଼ ମଣିଷମାନେ ଅର୍ଥରାଶିର ବାଜି ମରାମରି ହେଉଛନ୍ତି, –ପଶାପାଲିରେ ବୃହତ୍ ପଣମାନ ରଖିଲେଣି । ଏବଂ, ସେହି କୀର୍ତ୍ତିଗୁଡ଼ିକର କ୍ଷେତ୍ରରେ ଏଡ଼େ ଏଡ଼େ ପ୍ରଖ୍ୟାତି ପାଇଛନ୍ତି ବୋଲି ଏଣେ ତୁଚ୍ଛାବ୍ୟାପାରୀମାନେ ମଧ୍ୟ ସେମାନଙ୍କୁ ଲୋଡ଼ିବାରେ ଲାଗି ଯାଉଛନ୍ତି । କୋଉ ସିଗାରେଟ କମ୍ପାନୀ ସେମାନଙ୍କର ପିଠିରେ, ଛାତିରେ ଓ ଏପରିକି ମୁଣ୍ଡରେ ପିନ୍ଧିଥିବା ଟୋପିଟାରେ ନିଜର ନାଆଁଟାକୁ କେଡ଼େ କେଡ଼େ ଅକ୍ଷରରେ ଲେଖାଇ ବିଜ୍ଞାପନ ବି କରାଇଲାଣି । ସେଥି ନିମନ୍ତେ ଲକ୍ଷ ଏବଂ କୋଟି ଖନ୍ଦାର ଅର୍ଥରାଶି ମଧ୍ୟ ଖଞ୍ଜି ଦେବାକୁ ତିଆରି ହୋଇଯାଉଛି । ବୀରମାନେ ତିରିଶି ନ ଡେଉଁଣୁ ମଧ୍ୟ କୋଟିପତି ବନି ଯାଉଛନ୍ତି । ସେମାନେ ନିଜର ମଜ୍ଜା ଭିତରେ ପ୍ରକୃତରେ କାହା ସକାଶେ ଉତ୍ସର୍ଗୀକୃତ ହୋଇ ରହିଛନ୍ତି, ସେକଥା ବିଜ୍ଞମାନେ ହିଁ ବିଚାର କରିପାରନ୍ତେ ।

 

ସବୁଠାରୁ ତ ବିଡ଼ମ୍ବିତ ମନେହୁଏ ଆମ ଶାସନର ସର୍ବୋଚ୍ଚ ଠଣାମାନଙ୍କରେ ହାକିମ ପଦରେ ନିଯୁକ୍ତ ହୋଇ ରହିଥିବା ଆମ ପାଟ ଅମଲାମାନଙ୍କର କରାମତିଟାକୁ ଦେଖି । ସେମାନେ ଏଡ଼େ ବଡ଼ ସରକାରଙ୍କର କେଡ଼େ କେଡ଼େ ରାଜ୍ୟମାନଙ୍କରେ ସବାଉପରେ ଥାଆନ୍ତି । ବିଭାଗୀୟ: ହାତୀଶାଳରେ ସବୁଠାରୁ ଅଧିକ ଶକ୍ତିଶାଳୀ କଲମଗୁଡ଼ାକୁ ଧରି ରହିଥାଆନ୍ତି । ବିଭାଗମାନଙ୍କର କୌଣସି ସୁମାରି ହିଁ ନଥାଏ । ଆହୁରି ଉପରେ ସେମାନଙ୍କର ଲଗାମକୁଧରି ବସିଥିବା ମନ୍ତ୍ରୀଟାଏ ହିଁ ସେମାନଙ୍କର ଭାଗ୍ୟ ନିରୂପଣ କରେ । ସେମାନେ କିଏ କେଉଁ ବିଭାଗରେ ରହିବେ, କେତେଦିନ ରହିବେ ଓ ତା’ପରେ ଆଉ କେଉଁଠାରେ କେଉଁ ଦାୟିତ୍ୱରେ ରହିବେ, ମନ୍ତ୍ରୀ ମହଲଟା ହିଁ ସେକଥା ସ୍ଥିର କରେ । ଏସବୁ ସତେ ଯେପରି ପୂରା ମର୍ଜି ମୁତାବକ । ତେଣୁ ଏ ବିଭାଗରେ ହୁଏତ ବର୍ଷ ପୂରିନଥାଏ, ତଥାପି ସେଇଟାକୁ ଯିବାକୁ ପଡ଼େ । ଶିକ୍ଷା ବିଭାଗରୁ ଜଙ୍ଗଲ, ଜଙ୍ଗଲରୁ ସଂସ୍କୃତି, ସଂସ୍କୃତିରୁ ପଶୁପାଳନ, –ତା'ପରେ ଅବକାରୀ ବି ଆସିପାରେ ଅଥବା ଆଉ ଯାହା କିଛି ମଧ୍ୟ ଆସିପାରେ । ଯିବାକୁ ହିଁ ହୁଏ । ତେଣୁ, କିଏ କହିପାରିବ ଏହି ହାତୀମାନେ ପ୍ରକୃତରେ କେଉଁଟି ନିମନ୍ତେ ଉତ୍ସର୍ଗୀକୃତ ହୋଇ ରହିଥାଆନ୍ତି । ସେମାନଙ୍କର ଅନ୍ତରତମ ରୁଚି ସତକୁ ସତ କେଉଁଟିକୁ ଶରଧା ରଖିଥାଏ ? ସର୍ତକୁ ସତ ଆଦୌ କୌଣସି ଶରଧା ରଖିଥାଏ କି ? ଦରମାଟା ସମ୍ପୂର୍ଣ୍ଣ ହିସାବ ଅନୁସାରେ ବୃଦ୍ଧି ପାଇବାରେ ଲାଗିଥାଏ । ଦେଶର ସର୍ବନିମ୍ନ ମୁଣ୍ଡପିଛା ଉପାର୍ଜନ ଯେତେ ତଳେ ଯାଇ ରହି ଥାଉ ପଛକେ, ଆମେରିକା ଅଥବା ଇଂଲଣ୍ଡର ପାଞ୍ଜି ଅନୁସାରେ ଦରମାର ହିସାବ ହୁଏ ଏବଂ ତେଣୁ ବାଆ ବତାସକୁ ମୋଟେ ଚିନ୍ତା ନଥାଏ ।

 

ମାତ୍ର ଏବେ ଟିକିଏ ଚିନ୍ତା କରିବା ତ, –ଯଦି ଜଣେ ଆଦୌ ରୁଚି ମୁତାବକ ସ୍ଵପ୍ନ ମୁତାବକ ଗୋଟିଏ ସ୍ଥାନରେ ନିଜକୁ ଉତ୍ସର୍ଗୀକୃତ କରିଥିବ, ସିଏ ବାହାରେ ଯେଡ଼େ କଦର ଭିତରେ ରହିଥିଲେ ମଧ୍ୟ ଏବଂ ମୁଠା ମୁଠା: ପଇସା ରୋଜଗାର କରୁଥିଲେ ମଧ୍ୟ ତା'ହୃଦୟଟା ପ୍ରକୃତରେ ସୁଖୀ କିମ୍ବା ଦୁଃଖୀ କ’ଣ ହୋଇଥିବ ! ଯେଡ଼େ ଉପରେ ରହିଥିଲେ ମଧ୍ୟ ହୁଏତ ତଥାପି ନିତାନ୍ତ ନିର୍ବାସିତ ଓ ନିଃସଙ୍ଗ ରାଜପୁତ୍ରଟି ପରି କାଳ କାଟୁଥିବ ସିନା, ତେଣେ ବିଧାତାଟା ମଧ୍ୟ କହିବାରେ ଲାଗିଥିବ ଯେ, କେବଳ ସିତକୁ ସତ ଉତ୍ସର୍ଗୀକୃତ ହୋଇପାରିଲେ ହିଁ ଏଠି ଘର ବୋଲି ଲାଗିବ, ଘରଟିକୁ ମୋର ବୋଲି ଅନୁଭବ ହୋଇପାରିବ ।

Image

 

ସ୍ୱାଧୀନ ଭାରତ ସୁଖ ଦେବ

 

ସ୍ୱାଧୀନ ଭାରତ ସୁଖ ନୁହେଁ, ସୁଯୋଗ ଦେବ । ସମସ୍ତଙ୍କୁ ସୁଯୋଗ ଦେବ । ସ୍ଵାଧୀନତାପ୍ରାପ୍ତିକୁ ଯୋଉମାନେ ଏଠି କେବଳ ଅପାର ସୁଖଲାଭର ଏକ ସଦାବର୍ତ୍ତକ୍ଷେତ୍ର ବୋଲି ମଣିଲେ, ସେମାନେ ଏହି କେତେଟା ଦଶନ୍ଧି ମଧ୍ୟରେ ଭାରତବର୍ଷକୁ ହଡ଼ପ କରିନେଲେ । ତୁଚ୍ଛା ଭୋଗିଲେ । ଯେତିକି ଭୋଗିଲେ, ସେତିକି କାଙ୍ଗାଳ ହେଲେ । ଉଦ୍ୟମ କଲେ ନାହିଁ, ଭୋଗିଲେ । ମାରିନେଲେ, ତୁଚ୍ଛା ଦୁହିଁ ନେଲେ । ଦୁହିଁ ନେବା ନିମନ୍ତେ କେତେ ନା କେତେ ମଉକା ସୃଷ୍ଟି କରି ବି ପାରିଲେ । ଏବଂ, ଏହି ଅକାର୍ଯ୍ୟଟିରେ ଶିକ୍ଷିତମାନେ ହିଁ ସମସ୍ତଙ୍କ ଠାରୁ ଅଧିକ ଚାଇଁ ବୋଲି ପ୍ରମାଣିତ ହେଲେ । ହଁ, ଯେଉଁମାନେ ସର୍ବପ୍ରଥମେ ଚାଇଁ, ସର୍ବପ୍ରଥମେ ଚତୁର, ସେମାନେ ସତେ ଅବା ଆଖିବୁଜି 'ସୁଖ ଓ ଆହୁରି ସୁଖ ପଛରେ ଏପରି ଦଉଡ଼ିବାରେ ଲାଗିଥାଆନ୍ତି ଯେ, କେଉଁଠାରେ କୌଣସି ଗାର ରହିଛି– ବୋଲି ଆଦୌ ହୋସ୍ ରଖିପାରନ୍ତି ନାହିଁ । ସେମାନଙ୍କର ପ୍ରକୃତରେ କୌଣସି ଦେଶ ନଥାଏ । ଭାରତବର୍ଷର ବିଗତ ପଚାଶ ବର୍ଷପରେ ଟିକିଏ ଥିର ହୋଇ ଚତୁର୍ଦ୍ଦିଗକୁ ଚାହିଁ ଦେଲେ ସେହି ସୁଖକାମନାର ଗହୀର ଭିତରେ ବାଇଆ ପଶୁମାନଙ୍କ ଭଳି ଧାଉଁଥିବା ଯେଉଁମାନେ ତୁମ ଦେହରେ ଆସି ଧକ୍କାବାଜି ଯାଉଥିବା ପରି ଲାଗନ୍ତି, ସେମାନଙ୍କର କୌଣସି ଦେଶ ନଥାଏ । କୌଣସି ଭୂମି ନଥାଏ । କଚେରୀ, ଇସ୍କୁଲ, ଶାସନର ଭଳି ଭଳି ସିରସ୍ତାମାନ, ରାଜନୀତି, ସଭାଭବନ, ସମ୍ମିଳନୀ,–ସର୍ବତ୍ର ସେହି ସୁଖକାମୀମାନେ ସବାଆଗରେ ହିଁ ରହିଥାଆନ୍ତି ।

 

ଦେଶର ସଂଗ୍ରାମୀମାନେ ଯେତେବେଳେ ଭାରତବର୍ଷକୁ ପରାଧୀନତାର ଶୃଙ୍ଖଳରୁମୁକ୍ତ କରିବେ ବୋଲି ଲଢ଼େଇ କରୁଥିଲେ, ସେତେବେଳେ ତ ସେମାନେ ଏପରି ଗୋଟିଏ ଅଭିନବ ରୀତିରେ ସଂଗ୍ରାମଟିକୁ ଲଡ଼ୁଥିଲେ ଯେ, ସମଗ୍ର ପୃଥିବୀଟା ଏହି ଦେଶଆଡ଼କୁ ବିସ୍ମିତ ହୋଇ ଅନାଇଥିଲା । ସେମାନେ କ'ଣ ସୁଖ ପାଇବେ ବୋଲି ସ୍ୱାଧୀନତା ହାସଲ କରିବା ପାଇଁ ଏତେ ଏତେ ଦୁଃଖକୁ ବରଣ କରିଥିଲେ ? ଆଘାତ ଦେଉନଥିଲେ, ଅଥଚ ହସି ହସି ମାଡ଼ ଖାଉଥିଲେ, ଗୁଳି ଆଗରେ ଯାଇ ଛିଡ଼ା ହୋଇ ଯାଉଥିଲେ । ସେମାନଙ୍କର ଆଖିଟା ଭିତରେ କ’ଣ ଗୋଟାଏ ଅନମନୀୟ ଅଥଚ କପଟର ହିତ ତାରୁଣ୍ୟ ସେମାନଙ୍କର ସବାବଡ଼ ବିଶ୍ୱାସରେ ପରିଣତ ହୋଇ ସେମାନଙ୍କୁ ଜଣେ ଜଣେ ସୈନିକ ରୂପେ ବାହାର କରି ଆଣିଥିଲା, ଯାହାକି ସେତେବେଳେ ସେମାନଙ୍କର ସାନ ଓ ବଡ଼ ସକଳ କାର୍ଯ୍ୟରେ ପ୍ରତ୍ୟକ୍ଷ ହୋଇ ଯାଉଥିଲା । ସ୍ୱୟଂ ଭଗବାନ୍ ଭାରତବର୍ଷର ପଟେ ରହିଛନ୍ତି ବୋଲି ପଦେ ପଦେ ଅନୁଭୂତ ହେଉଥିଲା । ଭାରତବର୍ଷକୁ ଅଧୀନ କରିରଖିଥିବା ସାମ୍ରାଜ୍ୟ-ଶକ୍ତିଟା ମଧ୍ୟ ସତେ ଅବା ଦ୍ରବି ଆସୁଥିଲା ଓ ସେଥିଲାଗି ଶେଷକୁବାଟ ହିଁ ଛାଡ଼ିଦେଲା ।

 

ସ୍ଵାଧୀନ ହେବାପରେ ଭାରତବର୍ଷରେ ଯେ ସୁଖର ଅବକାଶମାନ ବହୁଗୁଣିତ ହୋଇଛି, ସେଥିରେ କୌଣସି ସନ୍ଦେହ ନାହିଁ । କେତେ କୋଠାଘର ତିଆରି ହୋଇଛି, ଏକାବେଳକେ କୋଟି କୋଟି ଟଙ୍କାର କାରବାର ଲାଗିଛି, ସତର ଶହ ସୂତାରେ କେତେ ଭବ୍ୟ ଶାଳୀନତାର ଶାସନ ଚାଲିଛି । ନଦୀବନ୍ଧ, ଶୁଖିଲା ପାଚିଲା ରାସ୍ତା, ଗାଡ଼ି, ମୋଟର ଆଉ ଆକାଶ ଯାନ, ଏଡ଼େ ସୁଠାମ ତଥା ସୁଘଟଣ ବଜାରମାନ ଯେ, ସ୍ୱୟଂ ଇନ୍ଦ୍ରଙ୍କର ଆଖିଟା ମଧ୍ୟ ହୁଏତ କଳନା କରି ପାରିବ ନାହିଁ । ପାଠ ପଢ଼ିବାର ରାଜକୀୟ କେତେ କେତେ ବ୍ୟବସ୍ଥାଏବଂ ସିରସ୍ତା । ଏବଂ ସେହି ଅନୁସାରେ ମାଳ ମାଳ ଆମର ବାବୁମାନେ । ବୁଦ୍ଧି ଯେତିକି, କୌଶଳ ମଧ୍ୟ ସେତିକି । ଜ୍ଞାନ ଯେତିକି, ବିଜ୍ଞାନମଧ୍ୟ ସେତିକି । ନୂଆ ହୋଇ ସ୍ଵାଧୀନ ହୋଇଥିବା ଦେଶମାନଙ୍କ ଭିତରେ ଭାରତବର୍ଷ ହିଁ ଏକମାତ୍ର ଭୂମି, ଯେଉଁଠାରେ ଲୋକ ପ୍ରତିନିଧିମାନେ ଏକତ୍ର ବସି ଆମ ଶହେ କୋଟିମନୁଷ୍ୟଙ୍କର ଭାଗ୍ୟ ନିର୍ଦ୍ଦେଶନା ବି କରୁଛନ୍ତି । ସ୍ୱାଧୀନ ଭାରତବର୍ଷରେ ଶହେ ସାତଗୁଣ ଅଧିକ ବହି ଛାପା ହୋଇ ବାହାରୁଛି । ଏଠି କବି ମାଳ ମାଳ, କଥାକାର ମାଳ ମାଳ । ସଙ୍ଗୀତ, କଳା, ପରମ୍ପରା-ସବୁ ଥାନରେ ରସମୋଦିମାନେ ମଧ୍ୟ ମାଳ ମାଳ । ଏହି ଯାବତୀୟ ବରାଦଗୁଡ଼ାକୁ ଦେଖିବା ମାତ୍ରକେ କାହିଁକି କହିବାକୁ ଉତ୍ସାହ ନ ହେବଯେ ଏହି ଦେଶଟାକୁ ବର୍ତ୍ତମାନ ସ୍ଵୟଂ ବିଶ୍ୱକର୍ମା ହିଁ ବିଶେଷ ବୁଦ୍ଧି ଦେଇ ଅବଶ୍ୟ ଗଢ଼ିବାରେ ଲାଗିଛନ୍ତି । ସମ୍ଭବତଃ ବାହାରର ବଡ଼ ବଡ଼ ମଣିଷ ଏହିସବୁ ଲକ୍ଷଣକୁ ଦେଖି ଏବଂ କଳନା କରି କହିବାକୁ ଆରମ୍ଭ କଲେଣି ଯେ ଏହି ଚଳନ୍ତି ଶତାବ୍ଦୀରେଭାରତ ବିଶ୍ୱର ଏକ ବୃହତ୍ ଶକ୍ତିରେ ପରିଣତ ହୋଇଯିବ । ଆମ୍ଭ ଘରର ନୃପତି ଅର୍ଥାତ୍ ଯୌନ ପତିମାନେ ମଧ୍ୟ ପରମ ପୁଲକରେ ସେହି କଥାଗୁଡ଼ିକର ଦ୍ୱିରୁକ୍ତି କଲେଣି । ସେମାନେ ଏପରି କରି ଆମକୁ ଥୟ ଧରି ରହିବାକୁ ପରାମର୍ଶ ଦେଉଛନ୍ତି ।

 

ଗୋଟାଏ ପାଖରେ ସୁଖ ଏବଂ ଆଉ ଗୋଟିଏ ପାଖରେ ସୁଯୋଗ । ମନେହେଉଛି, ତୁଚ୍ଛା ସୁଖକାମୀମାନେ ସଚରାଚର ଏପରି ଏକ ଜୀବାଣୁ ଦ୍ଵାରା ପୀଡ଼ିତ ହୋଇ ରହି ଥାଆନ୍ତି ଯେ, ପ୍ରକୃତରେ ଯେଉଁଭଳି ସମ୍ଭମ ଭିତରେ ରହିଲେ ଏହି ସଂସାରଟାମଧ୍ୟ ଥୟ ହୋଇ ରହିବ, ସେହି ସମ୍ଭ୍ରମ ଭିତରେ ଆଦୌ ସମ୍ଭାଳି ରହି ପାରନ୍ତିନାହିଁ । ଏବଂ, ସଂପୂର୍ଣ୍ଣ ଭାବରେ ଅସଲ ସିଧା କଥାଟା ହେଉଛି ଯେ, ସଂସାର ଥୟ ହୋଇନରହିଲେ ସୁଖକାନୀମାନେ ମଧ୍ୟ କିପରି ସୁଖଭିତରେ ଥୟ ହୋଇ ରହିପାରିବେ ? ବୃହତ୍ତର ସଂସାରଟା ପାଇଁ ସେମାନେ ଏପରି ଅବଧିମାନ ସୃଷ୍ଟି କରିବାରେ ଲାଗିଥିବେଯେ, ସଂସାରଟା ସେମାନଙ୍କୁ କେବେହେଲେ ଅକ୍ଷତ ଭାବରେ ସୁଖ ଭୋଗ ଭିତରେ ଥୟହୋଇ ରହିବାକୁ ଛାଡ଼ିଦେବ ନାହିଁ । ହଁ, ସେକାଳେ ସିନା ସମ୍ଭବ ହେଉଥିଲା । ଏକାଳରେ ତାହା ମୋଟେ ହେବନାହିଁ । ସେକାଳରେ ମଝିଆଙ୍ଗୁଠିମାନେ ବିଶ୍ୱବିଧାତାର ବିଶେଷ ବରାଦ ଅନୁସାରେ ହିଁ କାଣିଆଙ୍ଗୁଠି ଠାରୁ ବଡ଼ ହୋଇ ତିଆରି ହୋଇଛନ୍ତି ବୋଲି ଭାଗ୍ୟଦ୍ୱାରା ଉପେକ୍ଷିତ ହୋଇ ରହିଥିବା ଅବରମାନଙ୍କୁ ବୁଝାଇ ଦେଉଥିଲେ ଓ ସଂପୃକ୍ତ ଅବରମାନେ ବୁଝନ୍ତୁ ନବୁଝନ୍ତୁ, ସତେଅବା ଚଳନ୍ତି ଶୈଳୀଗୁଡ଼ାକ ଦ୍ୱାରା ବାଧ୍ୟହୋଇ ସେହି କଥାଟିକୁ ଗ୍ରହଣ କରି ନେଉଥିଲେ । ସେକାଳର ଧର୍ମାଶମାନେ ମଧ୍ୟସେମାନଙ୍କୁ ଅନୁରୂପ ଭାବରେ ଜୀବନଭୀରୁ କରି ରଖିଥିଲେ । ଭାରତବର୍ଷରେ ତକର୍ମବାଦ ନାମକ ଅତିଦୁଷ୍ଟ ଅତତ୍ତ୍ୱଟା ମଣିଷମାନଙ୍କର ବିବେକଟାକୁ ସେହି ଅନୁସାରେ ଅନୁଗତ କରି ରଖିଥିଲା । ଦଶଟାଯାକ ଦିଗର ସାଂପ୍ରତିକ ଲକ୍ଷଣଗୁଡ଼ିକ କ୍ରମେ ତ କେଡ଼େ, ଫର୍ଚା କରି କହିବାକୁ ଆରମ୍ଭ କରି ଦେଇଛନ୍ତି ଯେ, –ଏକାଳେ ସେକଥାରେ ଆଉ କାହାରି ପ୍ରତ୍ୟୟ ହିଁ ରହିବ ନାହିଁ । ଏଣିକି ସୁଯୋଗର ଯୁଗ ଆସିବ । ସୁଯୋଗମାନେ ବହୁ ପ୍ରସ୍ଥ ଓ ବହୁଗୁଣିତ ହେବେ । କେବଳ କେତେଟା ସ୍ଵାର୍ଥ କିମ୍ବା କେତେଟା ବର୍ଗସକାଶେ ନୁହେଁ, ସୁଯୋଗ ସମସ୍ତଙ୍କ ସକାଶେ, ସୁଖରେ ତେଣୁ ସମସ୍ତେ ଅଧିକାରୀ ହେବେ, ସମସ୍ତେ ଭାଗ ପାଇବେ–ଅଲବତ ପାଇବେ ।

 

ସ୍ୱାଧୀନ ଭାରତର ସମ୍ବିଧାନରେ ମଧ୍ୟ ଯୁଗର ବୋଲଟା ଅନୁସାରେ ସେହି ସୁଯୋଗ ବିଷୟରେ ହିଁ ଯାବତୀୟ ଘୋଷଣା କରାଯ ! ଇଛି ଏବଂ ପ୍ରତିଶ୍ରୁତି ଦିଆଯାଇଛି । ସେଥିରେ ଭାରତବର୍ଷ କହିଲେ ଏହି ଦେଶରେ ସବୁ ମଣିଷଙ୍କୁ ହିଁ ବୁଝାଉଛି । ସମସ୍ତଙ୍କପାଇଁ ଅଧିକାର, ସମସ୍ତଙ୍କ ପାଇଁ କର୍ତ୍ତବ୍ୟ । ଏହି ଦେଶ ସମସ୍ତଙ୍କର ଏବଂ ସମସ୍ତେ ଏହି ଦେଶର ନାଗରିକ । ଏଠାରେ ଶୂଦ୍ର ବୋଲି କେହି ନାହାନ୍ତି ଏବଂ କେହି ବ୍ରାହ୍ମଣ ମଧ୍ୟ ନାହାନ୍ତି । ପୁଣି ସମସ୍ତେ ଶୂଦ୍ର ଏବଂ ସମସ୍ତେ ବ୍ରାହ୍ମଣ । ସ୍ଵାଧୀନ ଭାରତ ସମସ୍ତଙ୍କୁ ହିଁସୁଯୋଗ ଦେବ । ଇଏ ହେଉଛି ଭାରତବର୍ଷର ଇତିହାସରେ ପ୍ରକୃତରେ ଏକ ଅଭିନବ କଥା । ଏହା ହେଉଛି ଏପରି ଗୋଟିଏ ସତ୍ୟ ଯାହାକୁ ଏହି ଦେଶରେ ପ୍ରତିଷ୍ଠା କରିବାକୁ ହେବ । ସବୁ ପିଲା ପାଠ ପଢ଼ିବେ, ସବୁ ଲୋକେ କାମ ପାଇବେ ଓ ସବୁ ମଣିଷଙ୍କ ପାଇଁ ଆଇନ ରହିଥିବ । ଏହିସବୁ କଥା ତୁମ ଆମ ଗାଆଁରେ ଏବେ ମଧ୍ୟ ବାସ୍ତବ ତଥା ସାକାର ହୋଇପାରିନାହିଁ । ସହରରେ ମଧ୍ୟ କେଉଁଠାରେ ରହିଛି ? ସେହିଦୃଷ୍ଟିରୁ ଦେଶଟା ନିତାନ୍ତ ଲକ୍ଷ୍ମୀଛଡ଼ା ହୋଇରହିଛି । ଏବଂ, ଯେଉଁମାନେ ସ୍ୱାଧୀନ ଭାରତସେମାନଙ୍କୁ ସୁଖ ଦେବ ବୋଲି ବିଚାର କରିନେଇ ନିଜ ପାଇଁ ଯେକୌଣସି ମତେସୁଖଗୁଡାକୁ ହିଁ ଆବୋରି ରଖିଛନ୍ତି ସେହିମାନେ ହିଁ ଏହି ଦେଶକୁ ଲକ୍ଷ୍ମୀଛଡ଼ା କରିରଖିଛନ୍ତି । ଏବଂ, କୋଟି କୋଟିଙ୍କର ଭାଗ୍ୟକୁ ବାଟ ଓଗାଳି ରଖି ଏହି ଦେଶରେପାରିଧି କରିବାରେ ଲାଗିଛନ୍ତି । ପାଠକୁ ଏକଚାଟିଆ କରି ରଖିଛନ୍ତି, ହଜ୍ଜାର ହଜାରଦରମା ମାରି ନେଉଛନ୍ତି । ରାଜନୀତିକୁ ସତେଅବା ବାରବଙ୍କା କରି ରଖିଛନ୍ତି । ଭାବିଲାବେଳକୁ ସତକୁ ସତ ହସ ବି ମାଡ଼ୁଛି ଯେ, ସେମାନଙ୍କର ସଂଖ୍ୟା ଶହେ ଜଣରେ ପାଞ୍ଚମଧ୍ୟ ହେବ ନାହିଁ ସିନା, ମାତ୍ର ସେହିମାନେ ହିଁ ଏକାଳର ସବୁଯାକ ଘାଟରେ ସାଆନ୍ତ ହୋଇ ଜଗି ରହିଛନ୍ତି । ଅନେକଙ୍କର ଭାଗ୍ୟକୁ ଅଟକାଇ ରଖିଛନ୍ତି ଓ ଭାରତବର୍ଷକହିଲେ ସେହି ଶତକଡା ପାଞ୍ଚକୁ ହିଁ ବୁଝୁଛନ୍ତି । ପଞ୍ଚାନବେଙ୍କ ପିଠି ଉପରେ ଘୋଡାଚଡ଼ି ବିଧାତା ବନିଛନ୍ତି ।

 

ଏକ ସ୍ୱାଧୀନ ଦେଶ ତାହାର ପ୍ରତ୍ୟେକ ଅଧିବାସୀଙ୍କୁ ସର୍ବନିମ୍ନ ସୁଯୋଗ ଅବଶ୍ୟ ଦେବ-। ତାହାହିଁ ଯେକୌଣସି ଦେଶରେ ପ୍ରତ୍ୟେକ ନାଗରିକର ସର୍ବନିମ୍ନ ଅଧିକାର, ଅର୍ଥାତ୍ ସର୍ବନିମ୍ନ ନିରାପତ୍ତା । ସେଇଟି ହାସଲ ହୋଇନପାରିବା ପର୍ଯ୍ୟନ୍ତ ବିକ୍ଷୋଭ ରହିବ, ଅସନ୍ତୋଷ ରହିବ-। ଗୋଟିଏ ଦେଶ କାଗଜପତ୍ରରେ ଗୋଟିଏ ହୋଇ ଶାସିତ ହେଉଥିଲେ ହେଁ ବାସ୍ତବ ଜୀବନର କ୍ଷେତ୍ରରେ ସଂଗ୍ରାମମାନେ କୁହୁଳିବାରେ ଲାଗିଥିବେ । ଯେଉଁ ଅଳପ ବର୍ଗଟିପ୍ରାୟ ସବୁଯାକ ସୁଖକୁ ଆପଣାର ଅଙ୍ଗଭୋଗ ପରି ଅକ୍ତିଆର କରି ରଖିଥିବ, ସେଇଟି ବୃହତ୍ତର ଅବଶିଷ୍ଟ ବର୍ଗଟିକୁ ଯଥାସମ୍ଭବ ବୋକା ଅର୍ଥାତ୍ବଂଚିତ କରି ରଖିବା ସକାଶେ ଭଳି ଭଳି ଶୈଳୀରେ ଦୁର୍ବୁଦ୍ଧିମାନଙ୍କୁ ପ୍ରୟୋଗ କରିବାରେ ଲାଗିଥିବା ଭଳିଭଳି ଭାବପ୍ରବଣତାର ସାହାଯ୍ୟ ନିଆ ଯାଉଥିବ-। ମିଛଟାରେ ଦେଶକୁ ଜନନୀ ବୋଲି କୁହାଯିବ, ଆମେ ସରବେ ସେହି ଗୋଟିଏ-। ଜନନୀର ସନ୍ତାନ ବୋଲି ଟାପରାପ ବନ୍ଦନା-ଗୀତମାନଙ୍କ ଦ୍ୱାରା ଗଗନ ମଣ୍ଡଳପ୍ରକମ୍ପିତ ହେବାରେ ଲାଗିଥିବ-। ଏହି ସନ୍ଦର୍ଭରେ ତଥାକଥିତ ଧର୍ମମାନଙ୍କୁ ମଧ୍ୟ ହତିଆର ଭାବରେ ବ୍ୟବହାର କରାଯିବ-। ସାଧୁ ଓ ସାଧୀମାନେ ଧର୍ମପ୍ରବଚନ ପ୍ରଦାନ କରି ଜନ ବିବେକକୁ ଅନ୍ୟମନସ୍କ କରି ରଖିବାରେ ସହଯୋଗ କରୁଥିବେ, ଶାସକମାନେ ଯଥାର୍ଥ ଶାସନ ଅର୍ଥାତ୍ ଭିତ୍ତିଭୂମି ନିର୍ମାଣରେ ହୁଏତ ଅପାରଗ ହୋଇଥିବାରୁ ଠାକୁରମାନଙ୍କର ଅନୁଗ୍ରହ ଏହି ଭୂମି ପ୍ରତି ବିଶେଷ ଭାବରେ ରହିଛିବୋଲି ବଖାଣି ବୁଲୁଥିବେ । ସାହିତ୍ୟ ଏବଂ ସଂସ୍କୃତି ନାମରେ କେଡ଼େ ଉଚ୍ଚ ହୋଇ ଧୂଳିପୂଟଳ ମାନ ମନୁଷୋଚିତ କ୍ରୋଧଗୁଡ଼ିକରୁ ଆମକୁ ବିସ୍ତୁତ କରି ରଖିବାର ମନ୍ଦଚେଷ୍ଟାମାନ କରିବାରେ ଲାଗିଥିବେ । ପରମ୍ପରା ବିଷୟରେ ସଂକୀର୍ତ୍ତନ ଲାଗି ରହିଥିବ, ଅତୀତ ବିଷୟରେ ସଚେତନ ହୋଇ ରହିବା ହିଁ ଜଣେ ମନୁଷ୍ୟର ପ୍ରଧାନ କର୍ତ୍ତବ୍ୟବୋଲି ଚାରଣ ଓ ଭାଟମାନେ କେଡ଼େତୋଡ଼ ଦେଖାଇ କହିବାରେ ଲାଗିଥିବେ । ତଥାପିଅନାହାର ଥିବ, ଅଶିକ୍ଷା ରହିଥିବ, ଏବଂ ତସ୍କରମାନେ ଦେଶ ନାମକ ଏହି ଘରଟାକୁ ଲୁଟି ନେବାରେ ଲାଗିଥିବେ । ଭାରତବର୍ଷରେ ଯେଉଁମାନେ ଅଧିକ ସଂଖ୍ୟକଙ୍କୁବଂଚିତଓ ପ୍ରବଞ୍ଚିତ କରି ରଖି ମଧ୍ୟ ଆମର ଅଧିକରୁ ଅଧିକ ସୁଖ ନିମନ୍ତେ ଏହି ଦେଶ ଅବାଧ ବାଟି ଛାଡ଼ି ଦେଉ ବୋଲି ଇଚ୍ଛା କରୁଥିବା ସେହି ଅଳପ ତରଫିଟା ହିଁ ତ ଏବେ ତସ୍କରପଣ କରି ଆମର ବର୍ତ୍ତମାନଟାକୁ ଖୋଳ କରି ସାରିଲେଣି ।

 

ତେଣୁ ସୁଯୋଗ ଦିଅ, ଭାରତବର୍ଷର ସବୁ ମଣିଷଙ୍କୁ ପୂର୍ଣ୍ଣ ସୁଯୋଗ ଦିଅ । ଅନ୍ନର ସୁଯୋଗ, ବିଦ୍ୟାର ସୁଯୋଗ, ଖଣ୍ଡେ ଡିହ ଉପରେ ଟିପ ଟାଣ କରି ଛିଡ଼ା ହୋଇ ପରିପୂର୍ଣ୍ଣ ଅର୍ଥାତ୍ ଏକ ନିର୍ଭରଯୋଗ୍ୟ ବର୍ତ୍ତମାନର ଭୂମିରୁ ଏକ ଅଧିକ ମନୁଷ୍ୟୋଚିତ ଭବିଷ୍ୟତ ନିମନ୍ତେ ଚିନ୍ତା କରି ପାରିବାର ସୁଯୋଗ ଦିଆ । କାହାକୁ ପଛୁଆ ବୋଲି କହି ବିଶେଷ ଅନୁଗ୍ରହମାନ ଦେଖାଇବାର ଆଳରେ ତୁମେ ସେମାନଙ୍କୁ ସବୁଦିନ ସକାଶେ ପଛୁଆ କରି ରଖିବାର ଫିସାଦ କରନାହିଁ । ଅତ୍ୟନ୍ତ ସ୍ପଷ୍ଟ କଥା ଯେ ତୁଚ୍ଛା ଅଳପଙ୍କ ନିମନ୍ତେ ସୁଖଭୋଗର ଉଚ୍ଚ କାନ୍ଥ ମାନ ଛିଡ଼ା କରାଇ ରଖିବା ଲାଗି ଭାରତବର୍ଷର ସ୍ଵାଧୀନତା ସଂଗ୍ରାମ ଆଦୌ ଲଢ଼ା ହୋଇନଥିଲା । ତେଣୁ, ସବାଆଗ ସମସ୍ତଙ୍କ ନିମନ୍ତେ ସର୍ବନିମ୍ନ ପରିପୂରଣର ଅତ୍ୟାବଶ୍ୟକ ଉଦ୍ୟମଟିରେ ହିଁ ଭାରତବର୍ଷରେ ସର୍ବପ୍ରଥମ ପ୍ରୟାସଗୁଡ଼ିକ ହେଉ, ସବୁଠାରୁ ଅଧିକ ସାଧୁତାର ସହିତ ଭଦ୍ରମାନେ ସେହି କଥାର ଚିନ୍ତା କରନ୍ତୁ । ସେମାନେ ବଞ୍ଚିତମାନଙ୍କୁ ପାଖରେ ବସାଇ ସେହିମାନଙ୍କର ମତଗୁଡ଼ିକୁ ହିଁ ନ୍ୟାୟତଃ ଅଗ୍ରାଧିକାର ଦେଇ ସମାଧାନମାନ ବାହାର କରନ୍ତୁ । ସେତିକି ନିର୍ଭର ସମସ୍ତଙ୍କୁ ଆଗ ମିଳୁ । ତାପରେ ଯଦି ତୁମେ ଶହେରେ ପାଞ୍ଚ କି ଦଶ ଜଣ ଅଧିକ ସୁଖବା ଅଧିକ ଭୋଗ ଇଚ୍ଛା କରିବ, ତେବେ ତୁମକୁ ହୁଏତ କେହି ମୋଟେ ଈର୍ଷା କରିବେ । ନାହିଁ । ଭାରତ ନାମକ ଏହି ଦେଶର ସାଂସ୍କୃତିକ ମାଟିଟା କାଳକାଳରୁ ଯେଉଁ ବିଶେଷମୂଳ ଉପାଦାନଟି ଦ୍ୱାରା ଗଠିତ ହୋଇ ଆସିଛି, ପୃଥିବୀଯାକର ମନୁଷ୍ୟ ଯେଉଁ ସ୍ୱତନ୍ତ୍ର ଗବାକ୍ଷଗୁଡ଼ିକୁ ଦେଇ ଭାରତବର୍ଷ ଆଡ଼କୁ ଆକୃଷ୍ଟ ହେଉଛନ୍ତି, ସେଥିରେ ସେହି ଈର୍ଷାକୁ ଆଦୌ ସେପରି କୌଣସି ଗୁରୁତ୍ୱ ଦିଆଯାଇ ନାହିଁ । ଅନ୍ନ 'ହିଁ ଶେଷ ସମ୍ପତ୍ତି ନୁହେଁ–ଅନ୍ନେତର ଅନ୍ୟାନ୍ୟ ଏକାଧିକ ସମ୍ପଦ ରହିଛି, ଅନ୍ନର ପ୍ରଥମ ପ୍ରୟୋଜନଟି ମେଣ୍ଟିଗଲା ମାତ୍ରକେ ଭାରତବର୍ଷର ଶତକଡ଼ା ନବେଭାଗ ମନୁଷ୍ୟ ଯାହାକୁ ଅବଶ୍ୟ ଲୋଡ଼ିବେ, ସେମାନେ ଅନ୍ନ ପାଖରେ କଦାପି ଅଟକି ଯିବେ ନାହିଁ । ଭାରତର ଜୀବନ–ବାଣିଜ୍ୟରେ ଅନ୍ନକୁ ଆଦ୍ୟ ବୋଲି ଘୋଷଣା କରାଯାଇଛି ସତ, ମାତ୍ର ତାହାକୁ କଦାପି ସବୁକିଛି ବୋଲି ସ୍ୱୀକାର କରାଯାଇ ନାହିଁ । ସେହି ଭାରତୀୟ ଭୂମିଟିକୁ ହୁଡ଼ିଯାଇ ଯିଏ ଅଥବା ଯେଉଁମାନେ ଏକ ଅଲଗା ବ୍ୟାକରଣ ଅନୁସାରେ ସୁଖକୁ ଭଗବାନ ବୋଲି ମାନନ୍ତୁ ପଛକେ, ମାତ୍ର ତଥାପି ସର୍ବମୂଳ ଅଧିକାରଟିକୁ ସମସ୍ତଙ୍କୁ ଅବଶ୍ୟ ଦିଆଯାଉ ।

Image

 

ଖୁସୀରେ କୌପୀନଗ୍ରହଣ

 

ପରମ ସାଧକ ଶ୍ରୀରାମକୃଷ୍ଣ ପରମହଂସଙ୍କର ତିରୋଧାନ ପରେ ତାଙ୍କ ଜୀବିତଅବସ୍ଥାରେ ତାଙ୍କର ସାନ୍ନିଧ୍ୟରେ ରହିଥିବା କେତେ କିଏ ଛତ୍ରଭଙ୍ଗ ଦେଇ ଅନ୍ୟତ୍ର ଚାଲିଯାଇଥିଲେ । ଯେଉଁ ସଂସାର ଭିତରୁ ଦଣ୍ଡ ଘଡ଼ିଏ ବାହାରି ତାଙ୍କର ସମାଗମରେ, ବସିବା ଲାଗି ଯାଉଥିଲେ, ସେମାନେ ସେହି ସଂସାର ମଧ୍ୟକୁ ବାହୁଡ଼ି ଆସିଥିଲେ । କିନ୍ତୁ ବାରଜଣ ଯୁବାମନ ତାଙ୍କୁ ଛାଡ଼ିନଥିଲେ । ସେମାନେ ସ୍ୱୟଂ ଗୁରୁଙ୍କଠାରୁ ସନ୍ନ୍ୟାସରଦୀକ୍ଷା ନେଇଥିଲେ; ସେମାନେ ଯେ ଏଣିକି ଏକ୍ ନୂତନ ସଂସାର ନିମନ୍ତେ ଦୀକ୍ଷା ଗ୍ରହଣ କରିଛନ୍ତି, ତାହା ଚିହ୍ନଟ କରିଦେବା ଲାଗି ରାମକୃଷ୍ଣଦେବ ସେମାନଙ୍କୁ ଗୋଟିଏ ଗୋଟିଏ ନାମ ବି ଦେଇଥିଲେ । ଏବେ ଆମେ ଯାହାଙ୍କୁ ସ୍ୱାମୀ ବିବେକାନନ୍ଦ ବୋଲି ଚିହ୍ନଛୁ । ସିଏ ମଧ୍ୟ ତାଙ୍କରି ଭିତରେ ଥିଲେ । ରାମକୃଷ୍ଣ ତାଙ୍କୁ ତାଙ୍କର ସେହି ପୈତୃକନାମ 'ନରେନ୍ଦ୍ର’ ବୋଲି ସମ୍ବୋଧନ କରୁଥିଲେ । ଗୁରୁଙ୍କ ଅନ୍ତେ ଏହି ବାରଜଣ ଏବେ କୁଆଡ଼େ ଯିବେ ? ନିଜର ଭରଣପୋଷଣ କିପରି କରିବେ ? ଗୁରୁଙ୍କ ବାର୍ତ୍ତାର ପ୍ରସାର ନିମନ୍ତେ କ'ଣ ସବୁ କରିବେ ? ସେମାନଙ୍କର ଭାଗ୍ୟ ହେତୁ ସେମାନଙ୍କୁ ରହିବା ଲାଗି କଲିକତାରେ ଘରଟିଏ ମିଳିଲା, ଯାହାପାଇଁ ଭଡ଼ାଦେବାକୁ ପଡ଼ିଲା ନାହିଁ । ଏତିକି ବ୍ୟତୀତ ସେମାନଙ୍କର ସମ୍ପତ୍ତି ବା ସମ୍ବଳ ବୋଲି କିଛି ହେଲେ ନଥିଲା । ମାତ୍ର ସଂକଳ୍ପଟିଏ ରହିଥିଲା । ସେମାନେ ଏକତ୍ର ଯେଉଁଠି ରହିଲେ, ସେହିଠାରେ ଏକାଠି ବସି ଆଗକୁ ବାଟଗୁଡ଼ିକର ଚିନ୍ତା କରୁଥିଲେ । କାହାଣୀ କହୁଛି, ଘର ଭିତରେ ଥିବାତକ ସେମାନେ ସମସ୍ତେ କୌପୀନ ହିଁ ପରିଧାନ କରୁଥିଲେ । ସମସ୍ତଙ୍କ ପାଇଁ ସାରେମାତ୍ର ବସ୍ତ୍ର ଥିଲା ଏବଂ ତାହାକୁ ବାହାର ଘରେ ରଖାଯାଉଥିଲା । ବାହାରକୁ ଯିବାବେଳେ ସେଇଟିର ବ୍ୟବହାର ହେଉଥିଲା । ଅର୍ଥାତ୍, ଖଣ୍ଡ ଧୋତି ଓ ଖଣ୍ଡ କମିଜ ଯାହା ସାଧାରଣ ପରିଧାନ ରୂପେ କାମରେ ଲାଗୁଥିଲା । ବାହାର କାର୍ଯ୍ୟସାରି ଘରକୁ ଫେରିଆସି ସମ୍ପୃକ୍ତ ଯୁବା ବ୍ରତୀ ଜଣକ ସେହି ପରିଧାନକୁ ଦେହରୁ ଓହ୍ଲାଇ ସେହି ବାହାର ଘରେ ରଖି କେବଳ କୌପୁନୀଟି ପିନ୍ଧି ଘର ଭିତରକୁ ଆସୁଥିଲେ । ଏବେ ଏକଥା ଶୁଣିଲେ ଆମ ବହୁତଙ୍କୁ ବିଚିତ୍ର ହିଁ ଲାଗିବ ।

 

ଆମେ ହୁଏତ ଭାବିବା, ଏହି ତରୁଣ ସ୍ଵାମୀମାନେ ସେତେବେଳେ ପ୍ରକୃତରେ କେତେ କଷ୍ଟ ପାଇନଥିବେ ! ଖୁସି ହୋଇ କୌପୀନ ଗ୍ରହଣ କଲେ ପ୍ରକୃତରେ ଯେକୌଣସି କଷ୍ଟ ଲାଗେନାହିଁ, ଆମେ ସୁଖୀ ସଂସାରୀମାନେ ସେକଥା କାହୁଁ ବୁଝିବା ? କାହିଁକି ବା ବୁଝିବା ? ଆମେ ଯେଉଁମାନେ ବାଧ୍ୟ ହୋଇ କଉପୁନୀ ପିନ୍ଧୁ, ପ୍ରଧାନତଃ ଅନ୍ୟମାନଙ୍କ ଠାରୁ ଅଲଗା ହୋଇ ଦିଶିପାରିବୁ ବୋଲି ସିନା ସଚରାଚର ସେହିଭଳି କରିଥାଉ । ଭୋକମାନେ ପ୍ରଧାନତଃ ସେହି ଅଭିପ୍ରାୟରେ ହିଁ ଭିଆଣ ହୋଇଥାଆନ୍ତି କି ? ନିଜକୁ ପ୍ରଦର୍ଶିତ ନକଲେ ହୁଏତ ଆମର କୌଣସି ପରିଚିତି ହିଁ ରହିବ ନାହିଁ ବୋଲି ପୂରା ପ୍ରତ୍ୟୟଟା ଆମକୁ ଘାରି ରଖିଥାଏ ବୋଲି ଆମେ ପ୍ରାୟ ବାଧ୍ୟ ହେଲାପରି ଅଭ୍ୟସ୍ତ ଭାବରେ ପ୍ରଦର୍ଶନ ପ୍ରିୟ ହେବାର ରୀତିଟିଏ ଆଦରି ନେଇଥାଉ କି ? ଖାଲି ସନ୍ୟାସୀ ଅର୍ଥାତ ସଂସାର ତ୍ୟାଗୀମାନେ କ'ଣ ଏପରି ଭେକତତ୍ପର ହୋଇ ରହିଥାଆନ୍ତି ? ସଂସାରଟା ଭିତରେ ମଧ୍ୟ କେତେ କେତେ ମଣିଷ ସେହି ଭେକର ଫନ୍ଦିଟା ଭିତରେ ପଡ଼ି ରହିଥାନ୍ତି ଏବଂ ଯାହା ସେମାନେ ପ୍ରକୃତରେ ନୁହନ୍ତି, ତାହା ହିଁ ପ୍ରମାଣ କରିଦେବା ସକାଶେ ନିଜ ବିବେକ–ଘରର ଭିତର ପଟଟାରେ ନିତ୍ୟ ଧାବମାନ ହୋଇ ରହିଥାନ୍ତି । କୌପୀନବନ୍ତ ଖଳୁ ଭାଗ୍ୟବନ୍ତୀ’ ବୋଲି ଶାସ୍ତ୍ରରେ ଯାହା ଘୋଷିତ ହୋଇଛି, ବାଧ୍ୟ ହୋଇ ପ୍ରଦର୍ଶନ ରୂପେ କୌପୀନ ଗ୍ରହଣ କରିଥିବା ବ୍ୟକ୍ତିମାନଙ୍କୁ ଆଖି ଆଗରେ ରଖି ସେକଥା ଆଦୌ କୁହା ହୋଇନାହିଁ । ହଁ, ଅନେକେ ଏପରି ମଧ୍ୟଚିନ୍ତା କରିଥାନ୍ତି ଯେ ପ୍ରଥମ ଅବସ୍ଥାରେ କଷ୍ଟ ସହିଥିଲେ ଭଗବାନ ପଛକୁ ଅବଶ୍ୟ ସୁଖ ଦିଅନ୍ତି ଓ ଭଲରେ ବି ରଖନ୍ତି । ଖୁସିରେ କୌପୀନ ଗ୍ରହଣ କରିବାର କାହାଣୀଟି ପଛରେ ସେପରି କୌଣସି ହଧର୍ମିତା କେବେହେଲେ ନଥାଏ ! ଖୁସି ହୋଇ ଯାହା କିଛି କରାଯାଏ, ତାହା ପଛରେ ମୂଳତଃ ନିଜର ହିଁ ଏକ ନିଷ୍କପଟ ନିଷ୍ପତ୍ତା ହିଁ କାରଣ ହୋଇ ରହି ଥାଏ । ଭିତରୁ ନିଷ୍ପତ୍ତଟିଏ ଗ୍ରହଣ କରି ଜୀବନଟିଏ ବଞ୍ଚିବା,–ତାହା ହିଁ ବଳ ଦିଏ, ସଂକଳ୍ପର ଶ୍ରଦ୍ଧା ଆଣିଦିଏ.ଏବଂ କୌପୀନ ଗ୍ରହଣର କାହାଣୀଟିକୁ ମଳିନତା ଶୂନ୍ୟ କରି ରଖିଥାଏ । ଆପଣାକୁ ସମର୍ପିତ କରିବାରେ ହିଁ ଖୁସି; ବାଧ୍ୟ ହୋଇ ନୁହେଁ, ଖୁସି ହୋଇ । କେବଳ ତଥାକଥିତ ସନ୍ନ୍ୟାସୀମାନଙ୍କର କ୍ଷେତ୍ରରେ ନୁହେଁ, ସମ୍ଭବତଃ ଜୀବନର ସବୁ କ୍ଷେତ୍ରରେ ଆମେ ଯଥେଷ୍ଟ ସଂଗତି ସହିତ ସେହି କଥାଟିକୁ କହିପାରିବା । ଅଧ୍ୟୟନ ଖୁସି ହୋଇ, ଅଧ୍ୟାପନା ଖୁସି ହୋଇ, ସେବା ଖୁସି ହୋଇ, ବନ୍ଧୁତା ଖୁସି ହୋଇ-ଯାବତୀୟ ଉଦ୍ୟମ ଖୁସି ହୋଇ । ତାହା ହିଁ କୌପୀନ ଗ୍ରହଣକୁ ଏକ ସହଜ ଅର୍ଥାତ୍ ଉତ୍ତୋଳନକାରୀ ସ୍ତରକୁ ଉନ୍ନୀତ କରି ନେଇଥାଏ ।

 

ଏପରିକି ରାଜନୀତି ମଧ୍ୟ ଖୁସି ହୋଇ । ଏବଂ, ଯେତେ ବିରୋଧାଭାସ ଭଳି ଶୁଣା ଯାଉଥିଲେ ମଧ୍ୟ ତାହାକୁ ପୂର୍ଣ୍ଣ ନ୍ୟାୟ ସହିତ ଏକ କୌପୀନଗ୍ରହଣ ବୋଲି କୁହା ଯାଇପାରିବ । ଆମ ଦେଶରେ ଅଥବା ସାମ୍ପ୍ରତିକ ଏହି ପୃଥିବୀରେ ରାଜନୀତି କହିଲେ ଯେ କ୍ରମେ ଏକ ଅତି ପଙ୍କିଳ ବ୍ୟାପାରକୁ ବୁଝାଇଲାଣି, ତାହାଁ ରାଜନୀତିର ଅପରାଧ ନୁହେଁ । କେତେଭଳି ଇତର ଅନଭିପ୍ରାୟ ସହିତ ଯେଉଁମାନେ ରାଜନୀତି ଭିତରକୁ ଆସି ପହଞ୍ଚି ଯାଇଛନ୍ତି, କ୍ଷମତା ଚାହୁଛନ୍ତି, –ସେହିମାନେ ହିଁ ଯାବତୀୟ ପଙ୍କିଳତାକୁ ରାଜନୀତି ଭିତରେ ଆଣି ପୂରାଇ ଦେଇଛନ୍ତି । ଠିକ୍ ସେହିପରି ପୃଥିବୀରେ ଯେ ହିଂସ୍ରତା ବୃଦ୍ଧି ପାଉଛି, ଭୟ ବଢ଼ୁଛି, ଅବିଶ୍ଵାସ ବଢ଼ୁଛି ଏବଂ ଏହି ସବୁକିଛିର ଏକପରିଣାମ ସ୍ୱରୂପ କେତେ କେତେ ଉଚ୍ଚ ରାଜନୀତିକ ଆଦର୍ଶ ପ୍ରାୟ ପାଣି ଫାଟି ଯାଉଛିଏବଂ ଉଚ୍ଚ ଉଚ୍ଚ ଥାନକୁ ଅଧିକାର କରି ବସିଥିବା ମହାସିଦ୍ଧମାନେ ନିତାନ୍ତ ପାଜିଙ୍କପରି ଆଚରଣ କରୁଛନ୍ତି, ସେମାନେ ପ୍ରକୃତରେ ବାଧ୍ୟ ହୋଇ ବେଶଟାଏ ଲେଖା ପିନ୍ଧିଛନ୍ତି ସିନା, ସତକୁ ସତ ଆଉ କିଛିର ଲାଙ୍ଗୁଡ଼ଗୁଡ଼ାକୁ ପାଟିରେ ପୂରାଇ ଦର୍ପ ଦେଖାଉଛନ୍ତି । ସ୍ଵାମୀ ବିବେକାନନ୍ଦ ଏବଂ ତାଙ୍କର ସେହି ସହବ୍ରତୀମାନଙ୍କୁ ତ ଆମେ ପ୍ରଣାମ ଜଣାଇବା ଯେ, ଏମାନେ ଖୁସି ହୋଇ କୌପୀନ ଧାରଣ କରିଥିଲେ । ବାଧ୍ୟହୋଇ ଆଦୌ କିଛି କରିନଥିଲେ । ସେମାନଙ୍କୁ ଆମେ ବିଶେଷ ଭାବରେ ଭାଗ୍ୟବାନ ବୋଲି କହିବା ଯେ, ସେମାନେ ସେହି ଆରମ୍ଭ କାଳରୁ ହିଁ ଏକତ୍ର ଗୋଟିଏ ପଥକୁବାଛିଥିଲେ । ସେଇଥିଲାଗି ହିଁ ସୃକ୍ରିୟାଶୀଳତାର ପରବର୍ତ୍ତୀ ବର୍ଷମାନଙ୍କରେ ସମଗ୍ର ମାନବସମୂହ ନିମନ୍ତେ ଏକାଧିକ ଅଦ୍ଭୁତପୂର୍ବ ଜାଗୃତିର କାରଣ ହୋଇପାରିଲେ । ଠିକ୍ ଏହିପରି ଭାବରେ ହିଁ ଖୁସି ହୋଇ କୌପୀନ ଗ୍ରହଣ କରିଥିବା ଏହି ସହପଥିକମାନେ ପୃଥିବୀ ଲାଗି ଅର୍ଥାତ୍ ଭଗବାନଙ୍କ ଲାଗି ଏତେ ଏତେ କାର୍ଯ୍ୟ କରିପାରିଲେ । ଜଣେ ସନ୍ନ୍ୟାସୀ ଖୁସି ହୋଇ ବୈରାଗ୍ୟର ପଥଟିଏ ବାଛିପାରିଲେ ତାକୁ ସତେ ଅବା ଈଶ୍ୱରଙ୍କର ଏକ ବିଶେଷ ଅନୁକମ୍ପା ଫଳରେ ଏହି ପୃଥିବୀ ନିମନ୍ତେ ଏତେ ଏତେ ନିମିତ୍ତତ୍ଵ ସହଜଲବ୍ଧ ହୋଇ ଆସିଥାଏ । ତା'ପରେ ସିଏ ସଂସାର ଭିତରେ ରହୁ ବା ଆମ ବୁଝିବାକୁ ସଂସାର ତ୍ୟାଗ କରୁ, ସେଥିରେ ଆଦୌ କୌଣସି ଫରକ ରହେ ନାହିଁ । ଅନ୍ତତଃ ବିଧାତାଙ୍କ ନିମନ୍ତେ ଫରକ ବୋଲି କିଛି ରହେନାହିଁ ।

 

ଏଇଠି ପହଞ୍ଚି ଏବର ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର କଥା ପ୍ରାୟ ଆପେ ଆପେ ମନେ ପଡ଼ିଯାଉଛି । ଆମ ଚାରିପାଖରେ ଏହି ସଂଗଠନଗୁଡ଼ିକ ବର୍ତ୍ତମାନ ମାଳକୁମାଳ । ନୂଆ ସ୍ଵାଧୀନ ହୋଇଥିବା ରାଷ୍ଟ୍ରଗୁଡ଼ିକରେ ଅତ୍ୟାବଶ୍ୟକ ପଙ୍କୋଦ୍ଧାରଗୁଡ଼ିକ ସକାଶେ ଏବଂ ପରେ ଏକ ଜରୁରୀ ପୁନଃନିର୍ମାଣ ସକାଶେ ସମ୍ଭବତଃ ସରକାରମାନେ ମୋଟେ ଏକା ପାରିଲେ ନାହିଁ । ସେମାନେ ପ୍ରକୃତରେ ପରିପୂରକ ହିସାବରେ ନିଶ୍ଚିତରୂପେ ଆଉ କୌଣସି ସଂସ୍ଥାର ସହଯୋଗ ଦରକାର କରୁଥିଲେ । ଏବଂ ସେହି ଚାହିଦାପୂରଣ ନିମନ୍ତେ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ଗଢ଼ି ଉଠିଲେ । ଚାହୁଁ ଚାହୁଁ ଗଠିତ ହୋଇଥିଲେ ଏବଂ ଚାହୁଁ ଚାହୁଁ ବହୁସଂଖ୍ୟକ ବି ହୋଇଗଲେ । ସରକାର ଭାତିଆ ଯୋଗାଇଦେଲେ ସ୍ୱେଚ୍ଛାସେବୀମାନେ କାର୍ଯ୍ୟ କଲେ । ସ୍ୱେଚ୍ଛାସେବୀମାନେ ନ୍ୟାୟତଃ ତରୁଣ ବୟସର ଥିଲେ । ଏକ ସଂସ୍ଥାନ ମିଳିଯିବା ନିମନ୍ତେ ଥାନଟିଏ ଖୋଜୁଥିଲେ । ସତେଅବା ସେଇମାନଙ୍କର ଇଚ୍ଛା ପୂରଣ ହେବ ବୋଲି ଏହି ସ୍ଵେଚ୍ଛାସେବୀ ସଂଗଠନଗୁଡ଼ିକର ବେଳଟିଏ ଆସି ପହଞ୍ଚିଗଲା । ଦେଶ ବାହାରେ ପୃଥିବୀର ଧନୀ ଅଧଟାରୁ ମଧ୍ୟ ଅର୍ଥ-ସହାୟତା ଆସିଲା । ପୃଥିବୀର ଏକ ବୃହତ୍ତର ଖଣ୍ଡରେ ମଣିଷମାନେ ବହୁ ଅସମର୍ଥତା ମଧ୍ୟରେ ରହିଥିବେ, ଏ କଥାଟା କିଞ୍ଚିତ୍ ଅଧିକ ଦୂରକୁ ଦେଖିପାରୁଥିବେ ଆଖିଗୁଡ଼ିକୁ ଆଦୌ ସୁସ୍ଥ ମନେ ହେଲାନାହିଁ ଓ ସେମାନେ ଏଣିକି ସହାୟତାର ହାତଗୁଡ଼ିକୁ ଏଣେ ବଢ଼ାଇବା ଲାଗି ମନସ୍ଥ କଲେ । ସେମାନେ ଆଗ୍ରହୀ ହୋଇ ଅର୍ଥ ଠୁଳ କଲେ ଓ ଏଣେ ପଠାଇଲେ । ଅତୀତର ଇତିହାସରେ ରାଜାମାନେ ଅନ୍ୟ ରାଜ୍ୟଗୁଡ଼ିକୁ ଲୁଟି କରିବାକୁ ହିଁ ଯୁଦ୍ଧାଭିଯାନମାନ କରୁଥିଲେ । ସାମ୍ରାଜ୍ୟମାନଥାପନା କରି ସମ୍ପଦମାନ ବୋହି ନେଉଥିଲେ । ଏବଂ, ଗୋଟିଏ ଦେଶର କ୍ଷିପ୍ର ଉନ୍ନୟନ ଓ ଆଶୁ ପରିବର୍ତ୍ତନ ଲାଗି ଗୋଟିଏ ଦେଶ ଆଉଗୋଟିଏ ଦେଶକୁ ଆର୍ଥିକ ଅନୁଦାନ ଯୋଗାଇଦେବ, ଏପରି କେବେ ବି ଶୁଣାନଥିଲା । ସେକଥା ଆମର ଏ ଯୁଗରେ ଆସି ସମ୍ଭବ ହେଲା ।

 

ଏକ ସମଗ୍ରତର ଭାବରେ ତଉଲି ଦେଖିଲେ ସ୍ୱେଚ୍ଛାସେବୀ ସଂଗଠନମାନ ବାହାଦୂରୀ ପାଇଲା ଭଳି ବହୁତ କାର୍ଯ୍ୟ ଅଲବତ୍ କରିଛନ୍ତି । ବିଚକ୍ଷଣ ଭାବରେ ଆପଣା କାର୍ଯ୍ୟଦକ୍ଷତାର ପ୍ରମାଣ ଦେଇପାରିଛନ୍ତି । ଅଧିକାଂଶ ନବତ୍ସାଧୀନ ଓ ବିକାଶଶୀଳ ଦେଶରେ ରାଜନୀତି, ରାଜନୀତିକ ନେତୃତ୍ୱ, ରାଜ୍ୟର ଶାସନ ତଥା ଅମଲାମାନଙ୍କର ସ୍ଵଭାବ ଓ ଚରିତ୍ର ସାଧାରଣତଃ ଯେପରି, ସେହି ଦୃଷ୍ଟିରୁ ସେମାନେ ଯାହା କଦାପି କରିପାରି ନଥାନ୍ତେ, ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ତାହା ଅନେକତଃ କରିପାରିଛନ୍ତି । ରାଷ୍ଟ୍ରର ସାମନ୍ତମତି କଳଟା ଯୋଉଯାଏ କଦାପି ଯାଇପାରି ନଥାନ୍ତା, ଏମାନେ ସେତେଯାଏ ଯିବାପାଇଁ ସମର୍ଥ ହୋଇଛନ୍ତି ଏବଂ ଲୋକଜୀବନର ତୃଣମୂଳ ଆକାଂକ୍ଷା ତଥା ଅଭାବଗୁଡ଼ିକୁ ସ୍ପର୍ଶ କରିପାରିଛନ୍ତି । ତଥାପି ମୁଖ୍ୟତଃ Functionary ମାନଙ୍କର ପୂର୍ଣ୍ଣ ପାରଙ୍ଗମତା ସହିତ ଏହି ସକଳ କାର୍ଯ୍ୟର ସମ୍ପାଦନ କରିଛନ୍ତି । ଯୋଜନା ଉପରୁ ଆସିଛି, ବରାଦସବୁ ଉପରୁ ଆସିଛି; ଏପରିକି ଏଠି ମନୁଷ୍ୟମାନଙ୍କର କ୍ରିୟାଶୀଳତାମାନଙ୍କୁ ପ୍ରାୟ ପଙ୍ଗୁ କରି ରଖିଥିବା ଦୀର୍ଘ ସମସ୍ୟା ଗୁଡ଼ିକର ସମାଧାନଗୁଡ଼ିକ ମଧ୍ୟ ସେହି ଦୂର ବିଦେଶର ଅର୍ଥ-ସାହାଯ୍ୟକାରୀ ସଂସ୍ଥାମାନେ ବାହାର କରିଛନ୍ତି ଏବଂ ସେଥିଲାଗି ସେହିମାନଙ୍କର ଆକଳନ ଅନୁସାରେ ଅର୍ଥ ଖରଚ ଯୋଗାଇ ଦେଇଛନ୍ତି । ହିତାଧିକାରୀ ଦେଶର ସରକାର ଏବଂ ସ୍ୱେଚ୍ଛାସେବୀସଂସ୍ଥାମାନେ ପ୍ରାୟ ନିଖୁଣ ଭାବରେ ସେହିଗୁଡ଼ିକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ତାହା କରିବାର ପଦ୍ଧତିଗୁଡ଼ିକୁ ମଧ୍ୟ ସେମାନଙ୍କୁ ସେହି ବାହାରୁ ବତାଇ ଦିଆଯାଇଛି-। ଏସବୁ କ୍ଷେତ୍ରରେ କୌଣସି ଅସାଧୁତା ନାହିଁ ସତ, ମାତ୍ର ବହୁତ ବହୁତ ଅସଂଲଗ୍ନତା ସର୍ବଦା ରହିଯାଇଛି । ସ୍ୱେଚ୍ଛାସେବୀ ଓ ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଚି କାର୍ଯ୍ୟ ସାଧନ କରୁଥିବା ସଂସ୍ଥାଗୁଡ଼ିକର ଆନୁଗତ୍ୟ ସତେ ଅବା ବାସ୍ତବ ସମ୍ବନ୍ଧଗତ ସ୍ଥିତି ଦ୍ୱାରା ବାଧ୍ୟ ହୋଇ ସେହି ଉପର ପ୍ରତି ରହିଛି । ଉପର ଆଡ଼ୁ କେତେଭଳି ଶିବିର ଓ କର୍ମଶାଳା ହୋଇଛି । ଅଧିକ ଅଭିଜ୍ଞତା ନିମନ୍ତେ କର୍ମୀଙ୍କୁ ବିଦେଶ ପଠାଯାଇଛି । ଏପିରିକି ଏକାଧିକ କାରଣରୁ ସ୍ୱେଚ୍ଛାସେବୀମାନେ କ୍ରମେ ଆବଶ୍ୟକତାରୁ ଅଧିକ ପରିମାଣରେ ସଂଗଠନିଆ ହୋଇ ବି ଯାଇଛନ୍ତି । ସେମାନେ ନିଜର ଉନ୍ନତି ଦୃଷ୍ଟିରୁ ସଂସ୍ଥାରୁ ସଂସ୍ଥାକୁ ଯାଇଛନ୍ତି । ଅଧିକରୁ ଅଧିକ ବେତନ ପାଇଛନ୍ତି–ଯେତେ ଯେଉଁଠି ଯେଉଁ ଜମିଟାରେ ସେମାନଙ୍କୁ ଛାଡ଼ି ଦିଆଯାଇଛି, ସେମାନେ ସେଠାରେ ଧୁରନ୍ଧର ବଳିବର୍ଦ୍ଦଙ୍କ ପରି ସେହି ଜମିକୁ ଚଷି ଦେଇ ପାରିଛନ୍ତି ।

 

ଏବଂ, ସେମାନେ ପ୍ରକୃତରେ କିପରି ଭାବରେ କେଉଁ କୌପୀନଟିକୁ ଗ୍ରହଣ କରିଛନ୍ତି ? ଯେଉଁ କୌପୀନଟିକୁ ପିନ୍ଧିଛନ୍ତି, ତାହାକୁ କି ଭଳି ଖୁସିରେ ଗ୍ରହଣ କରିଛନ୍ତି ? ଯେଉଁ ଦରିଦ୍ର ଏବଂ ବଂଚିତଙ୍କ ନିମନ୍ତେ କେଡ଼େ ବଳବନ୍ତ ଭାବରେ ଏତେ ଏତେ କର୍ମର ସମ୍ପାଦନ କରିଛନ୍ତି ଓ କରୁଛନ୍ତି, ସେମାନଙ୍କ ସହିତ ସତକୁସତ । ହୃଦୟଟିଏ ଯୋଡ଼ି ପାରିଛନ୍ତି କି ? ସେହି ମାନଙ୍କ ସହିତ ନିଜର ନିୟତିଟିକୁ ଯୋଡ଼ି ଆହୁରି ଆଗରେ ରହିଥିବା ଉଦବେଳନଗୁଡ଼ିକରେ ମଧ୍ୟ ସେମାନଙ୍କ ସହିତ ସମ୍ମିଳିତହୋଇ ରହିବା ନିମନ୍ତେ କେବେ ଆପଣାକୁ ପ୍ରବର୍ତ୍ତାଇ ପାରିଛନ୍ତି କି ? ଅଥବା, କେବଳ ଏଇଟା ବା ସେଇଟାର ସମାଧାନ କରିଛନ୍ତି, ବାହାରୁ ଆସୁଥିବା ନିର୍ଦ୍ଦେଶନା ଅନୁସାରେ ସେଗୁଡ଼ିକୁ ବୀରମାନଙ୍କ ଭଳି ସାମନା କରିଛନ୍ତି; ମାତ୍ର ଯାବତୀୟ ସମସ୍ୟା ପଛରେ ଯେଉଁ ନିୟୁତ ନିୟୁତ ମଣିଷମାନେ ରହିଛନ୍ତି, ଆମ ସ୍ୱେଚ୍ଛାସେବୀମାନେ ସେମାନଙ୍କ ସହିତ ଶେଷଯାଏ ଗୁଛି ହୋଇ ରହିବାର କେବେ କଳ୍ପନା କରିଛନ୍ତି କି ? କୌପୁନୀ ତ କେତେପ୍ରକାରର ପିନ୍ଧିଛନ୍ତି ଓ ସେହି ଅନୁସାରେ କେତେପ୍ରକାରେ ପରିଚିତି ଦେଇପାରିଛନ୍ତି, କିନ୍ତୁ ଖୁସିରେ କୌପୀନଟିଏ ଗ୍ରହଣ କରିବାକୁ ମନ କରିଛନ୍ତି କି ? ଏବଂ, ସେମାନଙ୍କ ଦ୍ୱାରା ଉପକୃତ ହେଉଥିବା ସେହି ଅସୁମାରୀ ମଣିଷମାନେ, ସେମାନେ ଯଦି ଏମାନଙ୍କୁ ସବୁଦିନର ସମର୍ପିତ 'ମିତ୍ରଟିଏ ବୋଲି ଅନୁଭବ କରୁନଥିବେ, ତେବେ ତଦ୍ୱାରା ସେମାନେ କ'ଣ ତୁଚ୍ଛା ଭୁଲ କରୁଥିବେ ?

Image

 

ଯେଉଁଠି ସେଇଠି, କିନ୍ତୁ କେଉଁଠି ?

 

ଏଥର ପ୍ରାୟ ପଚାଶବର୍ଷ ପରେ ଓଡ଼ିଶାରେ ସର୍ବୋଦୟ ସମ୍ମିଳନୀ ହେଲା । ଦୀର୍ଘ ତିନିଟା ଦିନ ପ୍ରାୟ ଏକ ମହୋତ୍ସବ ପରି ଲାଗୁଥିଲା । ସମାରୋହ ଏବଂ । ସମାଗମରେ କେଉଁଠି କୌଣସି ତ୍ରୁଟି ନଥିଲା ! ଗୁଣୀ-ସମାଗମ ଏବଂ ଗଣସମାଗମ । ଉଭୟ ଥିଲା । ଗୁଣୀଙ୍କ ସଂଖ୍ୟା ଅଳପ, ଗଣଙ୍କ ସଂଖ୍ୟା ଅଧିକ । ଗୁଣୀମାନେ କହୁଥିଲେ, ଗଣମାନେ ଶ୍ରୋତା ହୋଇ ଶୁଣୁଥିଲେ । ଭାରତବର୍ଷରେ ଯାହା କିଛି ଯେତେବେଳେ ଜାଗରଣ ବୋଲି ହୁଏ, ସେତେବେଳେ ଗଣମାନଙ୍କୁ ମୁଖ୍ୟ ସରଞ୍ଜାମ ସଦୃଶ ବ୍ୟବହାର କରାଯାଏ । ଏବଂ ସକଳ କାରବାର ଗୁଣୀମାନେ କରନ୍ତି । ଗୁଣୀମାନେ ଡାକରା ଦିଅନ୍ତି ଏବଂ ଗଣମାନେ ପତାକା ହୋଇ ଉଡ଼ନ୍ତି । ସର୍ବୋଦୟ ଆନ୍ଦୋଳନ ମଧ୍ୟ ମୋଟାମୋଟି ସେହି ଧର୍ମଟିକୁ ହିଁ ମାନି ଆସିଛି । ଭାରତବର୍ଷୀୟ ପରମ୍ପରାରୁ ଅଲଗା ପ୍ରକାର ହେବାକୁ ଆଦୌ ଇଚ୍ଛା କରି ନାହିଁ । ସାହସ ବି କରି ନାହିଁ । ଏଠି ଗୁଣୀମାନେ ହିଁ ବହି ଲେଖନ୍ତି, ଝଗଡ଼ା କରନ୍ତି, ମିଶି ଯାଉଥାନ୍ତି ଏବଂ ଅଲଗା ହୋଇ ଯାଉଥାନ୍ତି । ନିଷ୍ଠାରେ ରହି ଥାଆନ୍ତି । ବୁଢ଼ା ହୁଅନ୍ତି । ଆମର ଏହି ସ୍ଵାଧୀନତାଟା ମଧ୍ୟ ଏକଦା ଗଣମାନଙ୍କ ନାମରେ ଲଢ଼ା ହୋଇଥିଲା । ଗୁଣୀମାନେ ହିଁ ସେହି ସ୍ଵାଧୀନତାକୁ ଭୋଗ କରୁଛନ୍ତି । ସେଦିନର ସଂଗ୍ରାମୀମାନେ ଏକାଳକୁ ଅନେକେ ପୃଥିବୀରୁ ବିଦା ହୋଇ ଚାଲିଗଲେଣି । ଯେଉଁମାନେ ଅଛନ୍ତି, ସେମାନେ ଗୋଟିଏ ବା କେତେଟା ସଂଘ ଗଢ଼ି ସେହି ସଂଗ୍ରାମୀ-ପରିଚୟର ବିଧିବଦ୍ଧ ପ୍ରମାଣ ଦେଖାଇ ସରକାରଙ୍କର ଭତ୍ତା ଗ୍ରହଣ କରୁଛନ୍ତି । ସେମାନଙ୍କୁ ମଧ୍ୟ ଆମେ କ୍ରମେ ସକଳ ନ୍ୟାୟରେ ଗୁଣୀ ବର୍ଗ ମଧ୍ୟରେ ଗଣି ଶିଖିଲୁଣି ।

 

କଟକ ବାରବାଟୀ ଷ୍ଟାଡ଼ିୟମରେ ସମାଗମଟା ହେବ ବୋଲି ଢେର ଦିନରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିଲା । ଖର୍ଚ୍ଚର ଅଟକଳ କରାଯାଇ ଅନୁରୂପ ମତେ ଚାନ୍ଦା ଆଦାୟ କରାଯାଇଥିଲା । ଓଡ଼ିଶା ବାହାରୁ ଏହି ଅବସରରେ ଏତେ ହଜାର ଶ୍ରୋତା, ବକ୍ତା ଏବଂ ବିଦାନ ଆସିବେ, ସେମାନେ ହେଉଛନ୍ତି ଓଡ଼ିଶାରେ ଆମ ସମସ୍ତଙ୍କର ଅତିଥି ଏବଂ ତେଣୁ ସେମାନଙ୍କ ଲାଗି ଆତିଥ୍ୟର ଆୟୋଜନ କରାଇବା ହେଉଛି ଆମ ଲାଗି ଏକ ସମ୍ମାନର ହିଁ ପ୍ରଶ୍ନ-ଏହିପରି ସିଧା ଅନ୍ତରକୁ ସ୍ପର୍ଶ କରିପାରୁଥିବାଭଳି କଥାମାନ କହି ଚାନ୍ଦା ଆଦାୟ କରାଯାଇଥିଲା । କହିବା ବାହୁଲ୍ୟ ଯେ ସମ୍ପୂର୍ଣ୍ଣ ସଜ୍ଜନମାନେ ହିଁ ଏଥିପାଇଁ ଚାନ୍ଦା ଦେଇଥିଲେ ଏବଂ, ବସ୍ତୁତଃ ଯେତିକି ଦରକାର, ତା'ଠାରୁ ଅଧିକ ଅର୍ଥ ଆଦାୟ ମଧ୍ୟ ହୋଇଥିଲା । ଭାରତବର୍ଷରେ ଏକାଧିକ ଅର୍ଥରେ ଏହି ସାଧୁ, ମାନସିକତାଟା ହିଁ ସର୍ବଦା ସବାଆଗରେ ରହି ଆସିଛି । ସେହି ମାନସିକତାଦ୍ୱାରାପ୍ରେରିତ ହୋଇ ଗାନ୍ଧୀଙ୍କୁ ଉଦାରତା ସହିତ ମହାତ୍ମା ବୋଲି କୁହାଯାଇଛି, ଗାନ୍ଧୀ–କାମକୁ ଏକ ଉତ୍ତମ କାମ ବୋଲି କୁହାଯାଇଛି ଏବଂ ଗାନ୍ଧୀ କାର୍ଯ୍ୟକ୍ରମର କେନ୍ଦ୍ରଗୁଡ଼ିକୁ ସମସ୍ତେ ଆଶ୍ରମ ବୋଲି ମଧ୍ୟ କହିଛନ୍ତି । ସର୍ବୋଦୟଟା ମଧ୍ୟ ସେହିଭଳି ଏକ ଦ୍ରବ୍ୟ । ହୋଇଥିବ ବୋଲି ବହୁତ ମଣିଷ ଅତ୍ୟନ୍ତ ସରଳ ପ୍ରେରଣାରେ ନିଶ୍ଚୟ ଅନୁମାନ କରି ନେଉଥିବେ । ତଥାପି ଏହି କଟକ ସମ୍ମିଳନୀରେ ପ୍ରସ୍ତୁତିପର୍ବରେ ଟିକିଏ ଟିକିଏ ଅନ୍ୟକଥା ମଧ୍ୟ ଶୁଣା ଯାଉଥିଲା । ଏଥର କେତେକ ତରୁଣ ଆଗଭର ହୋଇ ବାହାରିଥିଲେ; ସତେଅବା ଏକ ନିଷ୍କ୍ରିୟତା ମଧ୍ୟରୁ ଗାନ୍ଧୀ ସକ୍ରିୟତାକୁ ବାହାର କରିଆଣିବା ନିମନ୍ତେ ସମ୍ମିଳନୀକୁ ଏକ ଅବସର ପରି ବ୍ୟବହାର କରାଯାଇପାରିବ ବୋଲି ସେମାନେ ଆଶା ରଖୁଥିଲେ । କ’ଣ ଗୋଟାଏ ଯେପରି ଶୋଇ ରହିଥିଲା, ଏଥର ତାହାର ନିଦ ଭାଙ୍ଗିବ ବୋଲି ଆଶା କରିଥିଲେ । କୁଳୋତ୍ତମମାନେ ବସିବେ, କଥାଗୁଡ଼ିକୁ ପ୍ରକାଇବେ ଅର୍ଥାତ୍ କଥାଗୁଡ଼ିକର ସମ୍ମୁଖୀନ ହେବେ, ଚୁନୌତିଗୁଡ଼ିକ ବିଷୟରେ ସଚେତନ ହେବେ ଏବଂ ସେହି ସଚେତନ ମନ୍ଥନରୁ ଆଗକୁ ବାଟଟିଏ ଅଥବା ବାଟଗୁଡ଼ିକ ଫିଟିବ । ସତେଅବା ଏକ ନୂଆ ଗ୍ରହଣଶୀଳତା ସହିତ ସମ୍ପୃକ୍ତ ସମସ୍ତେ ଏକାଠି ମୁଖ୍ୟତଃ ସମୀକ୍ଷାରେ ବସିବେ ଏବଂ ପରସ୍ପରର ମାନଭଞ୍ଜନ କରିବେ । ଅମେଳଗୁଡ଼ାକରୁ ଆପଣାକୁ ମୁକ୍ତ କରିନେବେ ଓ ତା'ହେଲେ ମେଳଟା ଅର୍ଥାତ୍ ଧର୍ମଟା ଅଧିକ ଜରୁରୀ ମନେହେବ ।

 

ପ୍ରଥମ ଦିନର ଅଧିବାସ–ଉତ୍ସବଟାରୁ ହିଁ ଜଳ ଜଳ ହୋଇ ଜଣାପଡ଼ିଲା ଯେକୋଉଠାରେ କ’ଣ ନିଶ୍ଚୟ ଫସରଫାଟି ଯାଇଥିଲା । ପ୍ରଥମେ ପ୍ରାୟ ତିରିଶି ଚାଳିଶି ଜଣମଞ୍ଚ ମଣ୍ଡନ କରିବା ସକାଶେ ଉପରକୁ ଉଠିଗଲେ । ସେମାନଙ୍କ ମଧ୍ୟରେ ଜଣେ ହେଲେ ତରୁଣ ନଥିଲେ । ତରୁଣମାନେ ଘୋଷଯାତ୍ରାର ଅନ୍ୟାନ୍ୟ ଦାୟିତ୍ୱରେ ଥିଲେ । ସାଧାରଣ ଚର୍ଚ୍ଚାର କୌଣସି ସୋପାନରେ ସେମାନଙ୍କର ପାଟି ଶୁଣା ଗଲାନାହିଁ । ଏଣୁ, ଆଦୌ କୌଣସି ନୂଆ ଆଭିମୁଖ୍ୟର ସମ୍ଭାବନା ବିଷୟରେ ସାମାନ୍ୟତମ ଲକ୍ଷଣ ମଧ୍ୟ ପ୍ରକାଶ ପାଇନଥିଲା । ବୃଦ୍ଧ ବକ୍ତାମାନେ ଏବେମଧ୍ୟ ସେହି ପୁରୁଣା କଥାଗୁଡ଼ିକୁ ବଖାଣି ହେଉଥିଲେ,–ପ୍ରାୟ ଏକ ସ୍ମୃତିଚାରଣାର ଗଙ୍ଗଦତା ଭିତରେ ଆପଣାର ଅସଲ । ଅକ୍ରିୟତା ଓ ଅନୁହାରତାମାନଙ୍କୁ ଏକ ସଚେତନ ଭାବପ୍ରବଣତା ଦେଇ ଘୋଡ଼ାଇ ରଖିବାକୁ ପ୍ରୟାସ କରୁଥିଲେ କି ? ଯେଉଁମାନେ ଶୋଇ ରହିଥିଲେ, ସେମାନେ ଯେ କାହିଁକି ଶୋଇ ରହିଥିଲେ ଅର୍ଥାତ୍ ସମଗ୍ର ସ୍ଥିତିଟା ଏଠି ସେହିମାନଙ୍କ ଠାରୁ କେତେ । କ'ଣ ଆଶା କରୁଥିବା ସମୟରେ ସେମାନେ ଯେ ପ୍ରାୟ ବିଗତ କାହାଣୀଗୁଡ଼ିକୁ ଆବୋରିରହି ଚତୁର୍ମାସ୍ୟା ପାଳନ କରୁଥିଲେ ଓ କାହିଁ କି ଯେ ସେହିଭଳି କରୁଥିଲେ, ସେପରି କିଛି କଥା ପକାଇବା ନିମନ୍ତେ ସତେଅବା ଗୋଟାଏ ବଡ଼ ଅସୁସ୍ଥ ସମ୍ଭ୍ରମବୋଧ ସେମାନଙ୍କୁ ନିଜର ଭିତରୁ ହିଁ ବାଧା ଦେଉଥିଲା । ସେମାନେ ମୁଖ୍ୟତଃ ରିଲିଫ୍ କାମ କରୁଥିଲେ, ପରିବେଶକୁ ନେଇ ରୋଦନ କରୁଥିଲେ, –ଆପଣାର ଏକ ଦୁର୍ବଳ ବିବେକଯୁକ୍ତ ବ୍ୟାକରଣ ଅନୁସାରେ ସତେ ଅବା ଭିତରୁ ହିଁ ବୁଢ଼ା ହୋଇ ଯାଉଥିଲେ । ସର୍ବୋଦୟ ଯେ ଏକ ସାମାଜିକ ବିପ୍ଳବ ଓ ପରିବର୍ତ୍ତନ ନିମନ୍ତେ ନିଜର ସକଳ ଆତ୍ମିକ ସବଳତାକୁ ପୁଞ୍ଜିରେ ପରିଣତ କରିବ, କ୍ରମଶଃ ସେହି ପରିଚିତିଟି ଗୋପ୍ୟ ହୋଇଯିବାରେ ଲାଗିଥିଲା ।

 

ସେହି ଜରୁରୀ ଅବସ୍ଥାକାଳରୁ ଯେ ସର୍ବୋଦୟର ଥାଟଟା ଦୁଇଭାଗ ହୋଇରହିଛି, ସୂର୍ଯ୍ୟବଂଶୀମାନେ ଚନ୍ଦ୍ରବଂଶୀମାନଙ୍କ ସହିତ ପୁନର୍ବାର ମିଳିତ ହେବାକୁ ମୋଟେ ରାଜି ହେଉନାହାନ୍ତ, ଚତୁର୍ଦ୍ଦିଗର ଅନ୍ଧାରଗୁଡ଼ାକ ସହିତ ଲଢ଼ିବାଠାରୁ ପରସ୍ପର ସହିତ ଲଢ଼ିବା ଓ ପରସ୍ପରକୁ ବାସନ୍ଦ କରି ରଖିବାକୁ ଆପଣାର ସର୍ବପ୍ରଥମ କର୍ତ୍ତବ୍ୟ ବୋଲି ମଣୁଛନ୍ତି, ସେଇଟା ସେମାନଙ୍କୁ ଏବେ ମଧ୍ୟ ହାସ୍ୟାସ୍ପଦ ବୋଲି ବୋଧ ହେଉ ନାହିଁକି ? -ଦୁଇପକ୍ଷ ଗୋଟିଏ ଆଦର୍ଶ ପାଇଁ ନିଜକୁ ସଚଳ ରଖିଛନ୍ତି, ସାଧୁତାର କ୍ଷେତ୍ରରେ କୌଣସି ଅଭାବ ନାହିଁ, ଭବିଷ୍ୟର ଯାବତୀୟ ଉଦବେଳନରେ ସେମାନେ ଯେ ଲୋକନାମକ ସେହି ବିଶେଷ ପକ୍ଷଟିର ପ୍ରତିନିଧି ରୂପେ ଯାହା କିଛି କରିବେ ଓ କହିବେ, ସେଥିରେ କୌଣସି ସନ୍ଦେହ ନାହିଁ । ବିଗତ ତିରିଶି ବର୍ଷର ଅବଧି ମଧ୍ୟରେ ଭାରତବର୍ଷର ରାଜନୀତିକ ଘଣ୍ଟାଘଣ୍ଟି, ଶାସନ ତଥା ଲୋକସମ୍ପୃକ୍ତିର ପ୍ରାୟ ସର୍ବବିଧ କ୍ଷେତ୍ରରେ ଯେଉଁସବୁ ‘ଶଠତା ଏବଂ ମିଥ୍ୟା ପ୍ରାୟ ସର୍ବାଧିକାରୀ ହୋଇ ରହିଛି, ସେଗୁଡ଼ିକର ସମ୍ମୁଖରେ ସର୍ବୋଦୟ ହିଁ ହୁଏତ ସବୁଠାରୁ ଅଧିକ ସିଧା ଭାବରେ ଠିଆ ହୋଇ ପ୍ରତିବାଦ କରିଥାଆନ୍ତା । ଦେଶଟାଯାକ ତାହାହିଁ ଆଶା କରୁଥିଲେ । ମହାତ୍ମା ଗାନ୍ଧୀଙ୍କୁ ସ୍ମରଣ କରି ସେମାନେ ସର୍ବୋଦୟର ଶିବିରଟି ଆଡ଼କୁ କେତେ ନା କେତେ ଭରସା ସହିତ ଚାହିଁ ରହିଥିଲେ । କଟକ ସମ୍ମିଳନୀରେ ସବାଆଗ ସେହି କଥାଟି ହିଁ ପଡ଼ିଥାଆନ୍ତା । ଦୁଇପକ୍ଷ ଏକାଠି ବସି ସିଂହାବଲୋକନ କରିଥାନ୍ତେ । ବୀର ଭଳି ହିଁ ପରସ୍ପରକୁ ମାର୍ଜନା କରିଥାଆନ୍ତେ ଓ ଭବିଷ୍ୟତ ନିମନ୍ତେ ଅର୍ଥାତ୍ ବର୍ତ୍ତମାନର ଦୁଃସ୍ଥିତିରୁ ମୁକୁଳି ପାରିବା ନିମନ୍ତେ ସର୍ବୋଦୟ ଦ୍ୱାରା ସମର୍ଥିତ ବିଶେଷ ବାଟମାନ ବାହାର କରିଥାନ୍ତେ । ଦେଶରେ ଏକ ନୂତନ ଉଦବେଳନ ସୃଷ୍ଟି କରିବାରେ ନିମିତ୍ତ ହୋଇଥାନ୍ତେ । ସକଳ ରାଜନୀତିକ ଚହଲ ପହଲରୁ ବିଶ୍ୱାସ ତୁଟାଇ ଦେଇଥିବା ଦେଶବାସୀ ତଦ୍ଦ୍ୱାରା ହଜି ଯାଇଥିବା ରଜ୍ଜୁଗୁଡ଼ିକୁ ପୁନର୍ବାର ଫେରି ପାଇଥାଆନ୍ତେ ।

 

ଗାନ୍ଧୀ ଯିବାପରେ ଭାରତ ବାହାରେ ଗାନ୍ଧୀଧାରାକୁ ଏକ ପ୍ରକୃତ ଫଳଦାୟକ ପ୍ରେରଣା ରୂପେ ସ୍ୱୀକୃତି ଦେଇ ଯେତେ ଯେଉଁଠାରେ ପ୍ରତିବାଦର ପ୍ରଦର୍ଶନ ହେଉଛି, ସେଠାରେ ମୁଖ୍ୟତଃ ତରୁଣମାନେ ତାହା କରୁଛନ୍ତି । ଭାରତବର୍ଷରେ କାହିଁକି ସେମାନେ ଥାନ ପାଉନାହାନ୍ତି ? ଏକଥା ଗୁରୁଜନମାନେ ଗମ୍ଭୀର ଭାବରେ ଚିନ୍ତା କରିବା ଉଚିତ । ସେହି ,ଚିନ୍ତାଟି କଟକର ସମ୍ମିଳନୀ ଭିତରେ ମଧ୍ୟ ଚିନ୍ତା କରାଯାଇଥାନ୍ତା । ତରୁଣମାନଙ୍କୁ ମଞ୍ଚରେ ସାଙ୍ଗରେ ବସା ଯାଇଥାନ୍ତା, ସେମାନେ ପ୍ରଶ୍ନ କରିଥାନ୍ତେ,–ନିଜ ବିବେକକୁ ସଚଳ କରି ଗୁରୁଜନମାନଙ୍କ ପ୍ରଶ୍ନର ଉତ୍ତର ବି ଦେଇଥାନ୍ତେ ଏବଂ ସେହି ଉତ୍ତରଗୁଡ଼ିକୁ ଗୁରୁଜନମାନେ ଧୈର୍ଯ୍ୟର ସହିତ ଶୁଣିଥାନ୍ତେ । ସର୍ବୋଦୟର ମାର୍ଗଟା ଭିତରେ ପ୍ରାୟ ଏକ କରିସ୍ମାପୀଡ଼ିତ paternalism କ'ଣ ପାଇଁ ଏତେ କର୍ତ୍ତୃତ୍ଵ କମାଇ ରଖିଛି ଯେ, ସେହି ପୁରୁଣା ଧସାଟା ମୋଟେ ଛାଡ଼ି ହେଉନାହିଁ । ସର୍ବୋଦୟ କ'ଣ ସେହି କାରଣରୁ ନୂତନ ଯାବତୀୟ ପରିସ୍ଥିତିରେ ନିଜକୁ ସୃଜନଶୀଳ ଭାବରେ ଅଗ୍ରସର କରାଇ ନେବାରେ ପ୍ରାୟ ଅସମର୍ଥ ହୋଇ ରହିଆସିଛି କି ? ସେହି କାରଣରୁ ହିଁ ସମ୍ଭବତଃ ଏଥର ମଧ୍ୟ ସେହି ପୁରୁଣା ପାରିଭାଷିକତାର ଲାଙ୍ଗୁଳଗୁଡ଼ାକୁ ଧରି ଅତ୍ୟନ୍ତ ନଷ୍ଟାଲ୍‌ଜିକ୍ ଶୈଳୀମାନଙ୍କର କେତେ ବିହ୍ୱଳବାକ୍ୟ କୁହାଗଲା, ମାତ୍ର ସତ୍ୟାଗ୍ରହ ବିଷୟରେ କେହି ପ୍ରାୟ କିଛି ହେଲେ କହିଲେ ନାହିଁ । ସତ୍ୟ ଏବଂ ଅହିଂସାର ପ୍ରଶସ୍ତି ଖୁବ୍‍ ହେଲା । ସେହି କ୍ଲାସିକାଲ ସତ୍ୟତା କାଳକାଳରୁ ଥିଲା–ଏହି ଗାନ୍ଧୀମାର୍ଗ ହିଁ ନୂଆକରି ସତ୍ୟାଗ୍ରହର କଥା କହିଲା, ଏକ ସଂଗ୍ରାମରେ ତାହାର ପ୍ରୟୋଗ କଲା । ତେଣୁ, ସତ୍ୟାଗ୍ରହ କଥା ନକହି ସତ୍ୟ ଓ ଅହିଂସାର ଡମ୍ବରୁଗୁଡ଼ାକ ବଜାଇବାରେ ପ୍ରକୃତରେ ଆଉ କିଛି ଅଭିସନ୍ଧି ଆସି ରହିଗଲା, ଯାହାକି ଗାନ୍ଧୀ–ବିକଳ୍ପର ଅସଲ ଦୀପ୍ତିଗୁଡ଼ିକୁ ଭାରତବର୍ଷରେ କ୍ରମେ ବିସ୍ତୁତ କରି ରଖିଲା ? କୁଳବୃଦ୍ଧମାନଙ୍କର ଏହି ଭାରି ବଙ୍କାକୁଳୀନତାଟାକୁ ଦେଖି ତରୁଣମାନେ ହୁଏତ ପୁଣିଥରେ ଧୋକା ଖାଇଯିବା ପରି ଅନୁଭବ କରିଥିବେ ।

 

ଇଂରାଜୀ ଲେଖକ ଜନ୍ ରସ୍ମିନ୍‍ଙ୍କର ଏକ ପୁସ୍ତକ ପାଠ କରି ମହାତ୍ମା ଗାନ୍ଧୀ ସେଇଥିରୁ ସର୍ବୋଦୟର ବିଶେଷ ଧାରଣାଟିକୁ ଲାଭ କରିଥିଲେ । ସେହି ପୁସ୍ତକଟିରୁ ସୂତ୍ରାର୍ଥଟିଏ ପାଇ ସିଏ ସର୍ବୋଦୟ ନାମକ ପ୍ରତିଶବ୍ଦଟିଏ ମଧ୍ୟ ତିଆରି କରିଥିଲେ । ରକ୍ସିଙ୍କର ପୁସ୍ତକର ଶୀର୍ଷକଟିକୁ ସିଧା ଅନୁବାଦ କଲେ ତାହାକୁ ଅନ୍ତୋଦୟ ବୋଲି କୁହାଯାଇଥାଆନ୍ତା । ଅବଶ୍ୟ ଏକଥା ସତ ଯେ ସର୍ବୋଦୟ ମଧ୍ୟରେ ଅନ୍ତୋଦୟ କଥାଟି ଅବଶ୍ୟ ଅନ୍ତର୍ଗତ ହୋଇରହିବ । ତଥାପି, ଭାରତବର୍ଷରେ ହୁଏତ ସର୍ବୋଦୟ ବିଷୟରେ ଯେତେ ସ୍ଵପ୍ନ ଦେଖା ହୋଇଛି, ଅନ୍ତୋଦୟ ଅଭିମୁଖରେ ଆଦୌ ସେତେ ପଦକ୍ଷେପ ନିଆ ଯାଇନାହିଁ । ଅଂଶତଃ ସେହି କାରଣରୁ ସର୍ବୋଦୟ କ୍ରମଶଃ ସମ୍ଭ୍ରାନ୍ତମାନଙ୍କ ହାତରେ ଏକ ପୁଲକ–ପ୍ରଦାନକାରୀ ଦର୍ଶନ-ଚର୍ଚ୍ଚାରେ ସୀମିତ ହୋଇ ରହିଛି କି ? ଉପରେ ଥିବା ଲକ୍ଷ୍ମୀମନ୍ତମାନଙ୍କ ଆଗରେ ସର୍ବୋଦୟ ବିଷୟରେକଥାମାନ କୁହାଯାଇଛି ଓ ସେମାନଙ୍କର ଚିତ୍ତକୁ ସମସ୍ତେ ତଳର ବଞ୍ଚିତମାନଙ୍କ ଆଡ଼କୁ ଦୟାର୍ଦ୍ର କରି ଢଳାଇ ଆଣିବାର ଚେଷ୍ଟା କରୁଛନ୍ତି । ଭାରତବର୍ଷରେ ସଂପ୍ରତି ସରକାରଙ୍କ ସଦୃଶ ଧର୍ମର ପ୍ରବକ୍ତାମାନେ ତମଧ୍ୟ ସେତିକିଯାଏ ଯାଇ ପାରିଛନ୍ତି । ସର୍ବୋଦୟକୁ ସମ୍ଭ୍ରାନ୍ତତାର ସେହି ଚକ୍ରଟି ଭିତରୁ ଉଦ୍ଧାର କରାଯାଉ । ଏକଥା ତରୁଣମାନେ ହିଁ କରିବେ । ଅସଲ ଲୋକଶକ୍ତିକୁ ସେମାନେ ବସ୍ତୁତଃ ତଳଯାଏ ଯାଇ ଜାଗୃତ କରିପାରିବେ । ବୃଦ୍ଧମାନେ ବୟସ୍କମାନେ ସେମାନଙ୍କୁ ଆଶୀର୍ବାଦ କରନ୍ତୁ, ବୃହତ୍ତର ଏକାଧିକ ପରିଧିଗୁଡ଼ିକୁ ଦେଇ ସର୍ବୋଦୟକୁ ବୁଝିବା ନିମନ୍ତେ ତରୁଣମାନଙ୍କର ଅଭିନବ ତତ୍ପରତାଗୁଡ଼ିକୁ ସେମାନେ ଖୁସି ହୋଇ ଆଶୀର୍ବାଦ ଦିଅନ୍ତୁ ।

Image

 

ମହାତ୍ମାଙ୍କର ଅଶ୍ମୀଳ ବନ

 

ସେତେବେଳକୁ ମହାତ୍ମା ଗାନ୍ଧୀ ମହାତ୍ମା ହୋଇନଥାନ୍ତି । ୧୯୧୦ରୁ ଆହୁରି ପୂର୍ବର ଘଟଣା । ଦକ୍ଷିଣ ଆଫ୍ରିକାରେ ଆପଣା ମାର୍ଗଟିର ସର୍ବପ୍ରଥମ ପ୍ରୟୋଗ କରିସାରିବା ପରେ ସିଏ ସମ୍ଭବତଃ ଭାରତବର୍ଷର ଚିନ୍ତା କରୁଥାନ୍ତି । ହିନ୍ଦ୍ ସ୍ୱରାଜ୍ୟ ନାମକ ପୁସ୍ତକଟିକୁ ସେ ସେତିକିବେଳେ ଲେଖିଥିଲେ । ଏଇଟି ହେଉଛି ତାଙ୍କରଏକମାତ୍ର ପୁସ୍ତକ, ଯାହାକୁ କି ଗାନ୍ଧୀ ଏକ ପୁସ୍ତକର ଯୋଜନା କରି ସେହି ଅନୁସାରେ ଲେଖିଛନ୍ତି । ଆଉ ଯାହା କିଛିକୁ ଆମେ ଗାନ୍ଧିଜୀଙ୍କର ରଚିତ ପୁସ୍ତକ ରୂପେ ଏବେ ପାଉଛୁ, ସେଗୁଡ଼ିକୁ ସେ ଧାରାବାହିକ ଭାବରେ ନିଜ ଦ୍ୱାରା ସମ୍ପାଦିତ ସାପ୍ତାହିକ ପତ୍ରିକାଗୁଡ଼ିକରେ ଲେଖିଛନ୍ତି । ଏପରିକି, ତାଙ୍କର ଆତ୍ମଜୀବନୀଟିକୁ ମଧ୍ୟ ସେ ସେହିପରି ଧାରାବାହିକ ଭାବରେ ଲେଖିଛନ୍ତି । –ହଁ, ହିନ୍ଦ୍ “ସ୍ଵରାଜ୍ୟ ହେଉଛି’’ । ଏକାବେଳକେ ମିନି ଆକାରର ଏକ ବହି । ନିର୍ବିବାଦରେ ଖଣ୍ଡ ନିତାନ୍ତ ଚଟିବହି ବୋଲି କୁହାଯାଇ ପାରିବ । ଭାରତବର୍ଷକୁ କେଉଁସବୁ ଜୀବନମୂଲ୍ୟର ଭିତ୍ତି ଉପରେ ସେ ନିର୍ମାଣ କରିବାକୁ ଇଚ୍ଛା କରିଛନ୍ତି, ବହିଟିରେ ତାହାରି ଏକ ସମ୍ୟକ୍ ଝଲକ ହିଁ ଦିଆଯାଇଛି । ନ୍ୟାୟତଃ କହିବାକୁ ଗଲେ, କେବଳ ଭାରତବର୍ଷ ନୁହେଁ, ସମଗ୍ରପୃଥିବୀର ଆଗାମୀ ମନୁଷ୍ୟ ସଂହତିଟି କେଉଁସବୁ ମୂଳ ମୂଲ୍ୟର ମୂଳଦୁଆ ଉପରେ ଗଢ଼ା ହେବା ଉଚିତ, ବହିଟିରେ ମହାତ୍ମା ଗାନ୍ଧୀ ଆମକୁ ତାହାରି ସୂଚନା ଦେଇଛନ୍ତି ।

 

ବକଟେ ଆକାରର ଏହି ବହିଟିର ଯାହା ପ୍ରାୟ ଅବିଚ୍ଛିନ୍ନ ଭାବରେ ଚର୍ଚ୍ଚା କରାଯାଇଛି ଏବଂ ସାରା ପୃଥିବୀର ବହୁସଂଖ୍ୟକ ଗୁଣୀ, ମନୀଷୀ, ଏବଂ ବିଚାରକ ତାହାର ସଦର ମଫସଲକୁ ତଉଲି ଦେଖିବାକୁ ଉଦ୍ୟମ କରିଛନ୍ତି । କେତେ ତ ପୂରା ଫିଡ଼ିକି ଯାଇଛନ୍ତି । ଇଂଲଣ୍ଡସ୍ଥ ସେତେବେଳର ଜଣେ କଳ୍ପନାପ୍ରିୟ ସମାଜବାଦୀ ନାଟ୍ୟକାର ଶ୍ରୀଯୁକ୍ତ ବର୍ଣ୍ଣାଡ଼ ଶ’ ଗୋଟିଏ ପୂରା ନାଟକ ଲେଖି ଏହି ବିଷୟରେ ପୃଥିବୀବାସୀଙ୍କୁ ସାବଧାନ କରି ଦେଇଛନ୍ତି । ବହିଟିର ଭାଷା ଓ ବକ୍ତବ୍ୟ ଭାରି ସିଧା, ମାତ୍ର କୌଣସି ଅର୍ଥରେ ମୋଟେ ଅସୂୟାଯୁକ୍ତ ନୁହେଁ । ମାତ୍ର, ମଥାଟା ଉପରେ ପ୍ରାୟ ଗୋଟାସୁଦ୍ଧା ନିର୍ଭର କରୁଥିବାରୁ ଯେଉଁମାନେ ବେଶୀ ଆଗକୁ ଯାଇ ପାରୁନଥାନ୍ତି ଓ ତେଣୁ ସ୍ଵବିଚାରରେ ସ୍ୱଭାବତଃ ବଙ୍କା ହୋଇ ରହିଥାନ୍ତି, ସେମାନେ ସର୍ବଦା ଏକ ଅନ୍ୟରୀତିର ହୋଇ ରହିଥାଆନ୍ତି । ମନୁଷ୍ୟର ଗୋଟାସୁଦ୍ଧା ଆଲୁଅ କରି ପକାଇବେ ବୋଲି ଯାବତୀୟ ଅସଲ ଗାରଗୁଡ଼ିକର କ୍ଷେତ୍ରରେ ହୁଏତ ବେଶୀ ଦୂରଯାଏ ଦେଖି ପାରନ୍ତି ନାହିଁ । ଗାନ୍ଧୀ ପଣ୍ଡିତ ନଥିଲେ । ପ୍ରଜ୍ଞାବାନ୍ ଥିଲେ । ମନୁଷ୍ୟକୁ ସିଏ ସେହି ପ୍ରଜ୍ଞାର ହିଁ ଲମ୍ବ-ପ୍ରସ୍ଥଗୁଡ଼ିକର ମାଧ୍ୟମରେ ଦେଖିପାରନ୍ତି ଏବଂ ତେଣୁ ସତକୁ ସତ ଯାହାକିଛି ଦେଖନ୍ତି, ତାହା ହିଁ କହନ୍ତି ଏବଂ ତାହା ହିଁ ଲେଖନ୍ତି । ତେଣୁ ଆତ୍ମୀୟତା ଦେଇ ଜଗତକୁ ଦେଖନ୍ତି ଏବଂ ବେଳମୁଁ ଆମ ସମସ୍ତଙ୍କୁ ଚେତାଇ ଦିଅନ୍ତି । ନିତାନ୍ତ ତାତ୍କାଳିକତା ଗୁଡ଼ିକର ଏକ ମିଛ ଆତ୍ମସନ୍ତୋଷ ମଧ୍ୟରେ ପଡ଼ି ଯାଇଥିବା ମଣିଷମାନଙ୍କୁ ସେଗୁଡ଼ାକ ନିଶ୍ଚୟ ଖୁବ୍ ଅସୁଖ ମଧ୍ୟ ଲାଗୁଥିବ । ଅଳ୍ପଗୁଡ଼ାକୁ ସର୍ବସାର ବୋଲି କହି ଆବୋରି ଧରିଥିବା ଦମ୍ଭୀମାନଙ୍କୁ ସମ୍ଭବତଃ ହିନ୍ଦ୍ ସ୍ୱରାଜ୍ୟ ପୁସ୍ତକଟି ଆଦୌ ସୁଖକର ଲାଗିନଥିଲା । ସେତେବେଳେ ସାମ୍ରାଜ୍ୟବାଦର ମାଦକଟା ୟୁରୋପକୁ ବଡ଼ଅଣ ଅକ୍ତିଆର ଭାବେ ମାଡ଼ି ବସିଥିଲା । ୟୁରୋପର ବଣିଆ ମନଟା ହିଁ ଧରି ନେଇଥିଲା । ଯେ, ପୃଥିବୀର ସବୁଯାକ ମହାସାଗରରେ ଆମ ବାଣିଜ୍ୟ ବିସ୍ତାରର ଜାହାଜଟା ଯାଇ ପହଂଚି ସାରିବା ପରେ ଏଥର ଆମର ଦୃଷ୍ଟି ଓ ଅନ୍ଦାଜଗୁଡ଼ିକ ମଧ୍ୟ ସମଗ୍ର ସର୍ବତ୍ର ଅଲବତ ଜୀବନମୂଲ୍ୟ ରୂପେ ସ୍ୱୀକୃତ ହେବ ଏବଂ ସମସ୍ତେ ତାହାକୁ ହିଁ ଏକ ମୋକ୍ଷ–ପ୍ରଦାନକାରୀ ଚରୁ ରୂପେ ଅବଶ୍ୟ ଭୁଞ୍ଜିବେ । ତେଣୁ, ଚିନ୍ତା ବା ଶୋଚନାର ଆଉ କୌଣସି କାରଣ ହିଁ ନାହିଁ । ସେତେବେଳେ ମହାତ୍ମା ଗାନ୍ଧୀଙ୍କର ଏହି ଚଟି ବହି ଖଣ୍ଡିକଯେ ସେହି ଅତି ବିଶ୍ୱାସଟାକୁ ପ୍ରାୟ ମୂଳରୁ ହିଁ ଅସ୍ୱୀକାର କରୁଥିବା ପରି ଆସି ପହଂଚିଯିବ, ଏହା ଅବଶ୍ୟ ବୁଝି ହେଉଛି ।

 

“ହିନ୍ଦ୍ ସ୍ୱରାଜ୍ୟ"ବହିରେ ଗାନ୍ଧୀ ଗୋଟିଏ ଜାଗାରେ ଇଂଲଣ୍ଡର ପାର୍ଲାମେଣ୍ଟକୁ ବେଶ୍ୟା ବୋଲି କହିଥିଲେ । ଏକାନ୍ତ ଅଭଦ୍ର ଏହି କଥାଟିକୁ ଅନାମଧେୟ 'ଛାର କୃଷ୍ଣକାୟ କୁଲି ବାରିଷ୍ଟରଟାଏ ପୁଣି କହିବାକୁ ସାହସ କରିବ ? ତଥାପି ବହିଟା ବାହାରି ଥିବାର ପ୍ରାୟ ଶହେ ବର୍ଷ ପରେ ସମ୍ପୂର୍ଣ୍ଣ ସୁଚିନ୍ତିତ ଭାବରେ କୁହା ଯାଇପାରିବ ଯେ, କେବଳ ଗାନ୍ଧୀଙ୍କ ପରି ମଣିଷଟିଏ ହିଁ ସେହିପରି କଥାଟିଏ ପ୍ରକାଶ କରିବାକୁ ସମର୍ଥ ହୋଇଥାଆନ୍ତା । କେବଳ ସିଧା ମଣିଷଟିଏ ହିଁ ବଙ୍କା ବଙ୍କା ମଣିଷଙ୍କଦ୍ଵାରା ଶାସିତ ଏହି ପୃଥିବୀରେ ପ୍ରକୃତ ସତ କଥାଟିଏ ନିସଂକୋଚ, ହୋଇ କହି ଦେଇପାରିବ ଏବଂ ବହୁତ ମଣିଷଙ୍କର ଶାନ୍ତିରଂଗ କରିବ । ବେଶ୍ୟା ହେଉଛି ଏପରି ଏକ ଜୀବନର ଗୋଟିଏ ଛାତ ବା ଦୃଷ୍ଟାନ୍ତ, ଯାହାର ନିଜର କୌଣସି ମୂଳଭୂତ ତଥା ସ୍ଵନିର୍ବାଚିତ ଧର୍ମ ନଥାଏ । ଏବଂ, ତାକୁ ଯିଏ ମନ ସିଏ ଭୋଗ କରିପାରେ । ଯିଏ କ୍ଷମତାରେ ଥାଏ, ପାର୍ଲାମେଣ୍ଟକୁ ସେଇ ଭୋଗ କରେ ! ଆମ ଦଳଟାର ଅମୁକ ଅଥବା ସମୁକ ଲକ୍ଷ୍ୟ ରହିଛି ବୋଲି କାଗଜରେ ଲେଖା ହୋଇ ରହିଥାଏ ସିନା, ମାତ୍ର କାର୍ଯ୍ୟତଃ କ୍ଷମତାଧାରୀମାନଙ୍କ ନିମନ୍ତେ ହିଁ ସାହାଣଗୁଡ଼ିକ ମେଲା ହୋଇରହି ଥାଆନ୍ତି । ଭିତରେ ମୂଲ୍ୟବୋଧ ତଥା ସେହି ଅନୁସାରେ ବହୁ ପ୍ରଚାରିତ ସଂକଳ୍ପଗୁଡ଼ିକ କୋଉ ତଳେଯାଇ ପୋତି ହୋଇ ରହିଥାନ୍ତି । ଏଡ଼େ ଏଡ଼େ ବାଉଁଶବୋଲି ପ୍ରଚାରକରି ଆମରଣ ବାର ପ୍ରକାରର ଢମର ବାନାମାନେ ଫରଫର ଉଡ଼ନ୍ତି, ବିତ୍ତଲୋଭୀ ସ୍ୱାର୍ଥମାନେ ହିଁ ପୁରୋହିତ ବନି ଯୁଗଟାକୁ ଭୂତାଇ ଯାବତୀୟ ନିଷ୍ପତ୍ତା କରୁଥାନ୍ତି । ସେହି ତାତ୍କାଳିକ ମତଲବ ଗୁଡ଼ିକର ସିଦ୍ଧି ନିମନ୍ତେ ପାର୍ଲାମେଣ୍ଟ କୁବ୍ୟବହାର କରାଯାଏ । ଏବଂ ଲୋକଧର୍ମ ତଥା ଲୋକସତ୍ୟ ବର୍ଜିତ ହୋଇରହିଥାଆନ୍ତି ! ଆମର ଏହି ବିଂଶ ଶତାବ୍ଦୀରେ ବି ବହୁ ନୂଆ ନୂଆ ସ୍ଵାଧୀନ ଦେଶ ଜନ୍ମଲାଭ କଲେ, ସେମାନେ ସମ୍ବିଧାନ ବୋଲି ଗୋଟାଏ ବହିର ସର୍ଜନା କଲେ ଏବଂ ଦେଶ ହିତ ତଥା ଲୋକ ହିତ କରିବାର ଦ୍ୱାହି ଦେଇ ମଣିଷମାନଙ୍କୁ ଭୋଗ କଲେ । ମନୁଷ୍ୟ ନାମକ ବିବେକଟିକୁ ଖାସୁ କରି ରଖିଲେ । ଅସ୍ତ୍ର ବଢ଼ିଲା, ଦର୍ପ ବଢ଼ିଲା, ବେପାରର ଜଗତୀକରଣ ହେଲା–ଏବଂ ମସ୍ତ ମସ୍ତ ବିଧେୟକ ସଭାମାନେ କିଛି କରିପାରିଲେ ନାହିଁ । ସେମାନେ ସଫଳ ବୀରମାନଙ୍କ ପ୍ରୀତ୍ୟର୍ଥ ବେଶ୍ୟା ରୂପେ ବ୍ୟବହୃତ ହେଲେ । ଏତେ ପୂର୍ବରୁ ଏଡ଼ି ସତବାଣୀଟିକୁ କହି ଚେତା କରାଇଦେବା ପାଇଁ ଇଚ୍ଛା କରିଥିବା ଏବର ଗାନ୍ଧୀ ମହାତ୍ମା ଆମ ପୃଥିବୀ ଯାକର ବେଭାରଟାକୁ ଦେଖି ତାଙ୍କର କଥା ସତ ହେଲା ବୋଲି କ'ଣ ପ୍ରକୃତରେ ଖୁବ୍ ଖୁସୀ ହେଉଥିବେ ?

 

ଆମର ଏହି ସାଂପ୍ରତିକ ଚତୁର୍ଦ୍ଦିଗରେ ମଧ୍ୟ ଏତେ ଏତେ ସୌଧ ଓ ସଦନ ପରିପୂର୍ଣ୍ଣ ଠାଣିମାଣିରେ ସାହାଣ ମେଲା ହୋଇ ଛିଡ଼ା ହୋଇଛି । ତୁଚ୍ଛା କ୍ଷମତାକାଙ୍ଗାଳମାନଙ୍କର ଭୋଗ ନିମନ୍ତେ ହିଁ ମେଲା ପଡ଼ିଛି । ଯେଉଁମାନେ ଆସୁଛନ୍ତି, ସେମାନେ ତୁଚ୍ଛାକ୍ଷମତାରେ ରହିବେ ଏବଂ ଏହି ଯୁଗଟାକୁ ଭୋଗ କରିବେ ବୋଲି ଆସୁଛନ୍ତି । ମଝିରେ ବହ୍ଵାଡ଼ମ୍ବର ସହିତ ଗୋଟାଏ କ’ଣ ମହୋତ୍ସବ ସଦୃଶ ହେଉଛି, ଯାହାଦ୍ଵାରା କି ଇଏ ତାକ ପେଲି ବାହାର କରି ଦେଉଛି କିମ୍ବା ସିଏ ୟାକୁ ପେଲି ବାହାର କରି ଦେଉଛି । ଯିଏ ଆସୁ ନା କାହିଁକି, ସିଏ ନିର୍ଦ୍ଧାରିତ ମିଆଦଟାକୁ ହିଁ ଭୋଗ କରୁଛି । ଭୋଗ କରୁଛି, ଅର୍ଥାତ୍ ଧୋକା ଦେଉଛି । ସତେ ଯେପରି ତା'ଉପରେ କୌଣସି ପ୍ରତ୍ୟାଶା ରଖି ତାକୁ ଏହିସବୁ ସଦନକୁ ପଠାଇଥିବା ମଣିଷମାନଙ୍କର କଥା ତା'ର ମୋଟେ, ମନେ ପଡ଼ୁହିଁ ନାହିଁ । ସେମାନେ ପୁଣି ଗୋଟିଏ ଗୋଟିଏ ଦଳ ତରଫରୁ ଏଠାକୁ ଆସିଛନ୍ତି । ପ୍ରତ୍ୟେକଦଳ ପଛରେ ଗୋଟିଏ ଗୋଟିଏ ରାଜନୀତିକ ଆଦର୍ଶ ରହିଛି, ଆଦର୍ଶ ଅନୁସାରେ ବାଟଟିଏ ମଧ୍ୟ ଅବଶ୍ୟ ରହିଥିବ । ମାର୍ଗ ଅର୍ଥାତ୍ ଏକ ଅଙ୍ଗୀକାରବଦ୍ଧତା ଏବଂସେହି ଅନୁସାରେ ଏକ ସ୍ଵପ୍ନ ତଥା ସେହି ମୁତାବକ ଏକ ଆନୁଗତ୍ୟ । ସର୍ବୋପରି ସହସ୍ରସହସ୍ର ସହମନୁଷ୍ୟଙ୍କ ପ୍ରତି ଆନୁଗତ୍ୟ । ତାହାରି ନାମ ଲୋକତନ୍ତ୍ର, ପ୍ରତିନିଧିତ୍ଵ ଏବଂପାରସ୍ପରିକ ଆସ୍ଥା ସ୍ଥାପନ କରିବା ଏବଂ ଆସ୍ଥାର ଭାଜନ ହେବା । ଅର୍ଥାତ୍, ସେମାନେ ବସୁଥିବା ସଉଧଟି ପଛରେ କେଉଁ ପ୍ରତୀକଟିଏ ସଂଲଗ୍ନ ହୋଇରହିଛି ବୋଲି ସଉଧଟିର ଆଦୌ କୌଣସି ମର୍ଯ୍ୟାଦାବି ରହିଛି । ଭୋଗୀମାନେ କଦାପି ସେହି ମର୍ଯ୍ୟାଦାର ଯୋଗ୍ୟ ହୋଇପାରିବେ ନାହିଁ । ଏବଂ, ପ୍ରତୀକଟିକୁ ବାଦଦେଲେ ସଦନଗୁଡ଼ାକୁ ମଧ୍ୟ ଗାନ୍ଧୀ ଏକଦା ଯାହା କହିଥିଲେ, ସେଇଟି ବ୍ୟତୀତ ଆଉ କ'ଣ କୁହାଯାଇ ପାରିବ ?

 

ଏକ ନିର୍ଦ୍ଦିଷ୍ଟ ହିସାବରେ ଶାସନ ଚାଲିବ ବୋଲି ଏହି ଭଳି ଭଳି ଆଳୟମାନଙ୍କର ମଧ୍ୟ ସର୍ବଦା ଏକ ମର୍ଯ୍ୟାଦା ରହିଛି । ମାତ୍ର, ସେଠାରେ ଯେଉଁ ଉଚ୍ଚତମ ଅମଲାଟି ଆପଣାର ଗାଲ ଫୁଲାଇ ଏଡ଼ୁଟିଏ ହୋଇ ବସିଛି, ସିଏ ସେହି ମର୍ଯ୍ୟାଦା ଅନୁସାରେ ନିଜକୁ ସତକୁ ସତ ମଣି କରିପାରିଥିଲେ ଓ ସେଠି ଶାସନ ବୋଲି ମୁଲକଟାର ମଣିଷମାନେ ବୁଝୁଥିଲେ ସିନା ବସ୍ତୁତଃ କିଛି ଚାଲିଛି ବୋଲି ଅନୁମାନ କରାଯାଇପାରନ୍ତା ? ପୃଥିବୀଯାକ ଉଜୁଡ଼ିଯାଉ ପଛକେ କିନ୍ତୁ ମୋ ଚଉକିଟା ନିରାପଦ ରହିଥାଉ ବୋଲି ଯୋଉ ବାବୁଟା ନିରନ୍ତର ତା’ ଭୋଗଘରମାନଙ୍କର ଭଗବାନଙ୍କପାଖରେ ଆପଣାକୁ ଆଶ୍ରିତ କରି ରଖିଛି, ସିଏ ବିଚରା ଆଉ କ'ଣ ବା ଅଧିକ ନିମନ୍ତେ ସମର୍ଥ ହେବ ! ଗୋଟାଏ ଲାଞ୍ଛନାପୂର୍ଣ୍ଣ ସମାଜଟାରେ ସର୍ବଲମ୍ବୀମନ୍ତ ହୋଇ ରହିବା ସକାଶେ ସିଏ ତ ନିଜ ଭିତରର କେଉଁ ନିର୍ମମ ବୈରାଗୀଟା ସହିତ ସଲା କରି ଏହି ସୌଧଟା ଭିତରକୁ ଆସିଛି । କ୍ରମେ ଆପଣାକୁ ହୁଏତ ବୁଝାଇ ବି ଦେଇଛି ଯେ, ସିଏ । ସେଇଥି ସକାଶେ ହିଁ ବହୁ ମିହନ୍ତ କରି ପାଠ ପଢ଼ିଛି । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛିଏବଂ ସଫଳ ମନୁଷ୍ୟଟିଏ ବୋଲି ଗଣ୍ୟ ହୋଇଛି । ତେଣୁ, ତା'ବିବେକକୁ ଭରସା କରି ରହିଥିବା କୋଟି କୋଟି ଅନ୍ୟଙ୍କ ନିମନ୍ତେ ସିଏ କିପରି ଆଉ ଫୁରସତ୍‍ ପାଇବ ? ଅର୍ଥାତ୍ ଧର୍ମତଃ ସିଏ ବସୁଥିବା ଏହି ସଉଧଟା ମଧ୍ୟ ତାକୁ ଏକ ଭୋଗର କ୍ଷେତ୍ରବୋଲି ଲାଗୁଛି ।

 

ଏହା ପରେ ଚାଲ ଆମେ ବିଦ୍ୟାବନ୍ତମାନଙ୍କର ବିହାରଗୁଡ଼ିକ ଆଡ଼େ ଥରେ ଦୃଷ୍ଟିପାତ କରିବା । ବିଦ୍ୟାଗୁଡ଼ିକ ଅନୁସାରେ ସଉଧ ଏବଂ ସଦନ ଗୁଡ଼ିକ ସତେଅବା ସ୍ୱୟଂ ସରସ୍ୱତୀ ଦେବୀଙ୍କର ପାରିଧି ନିମନ୍ତେ ସେଗୁଡ଼ିକର ନିର୍ମାଣ ହୋଇଛି । ଗୋଟିଏଗୋଟିଏ ରାଣୀହଂସପୁର ପରି ଅନ୍ଦାଜ ଆଣି ଦେଉଛି । ଆଖି ଖୋସି ହୋଇ ଯାଉଛି । ମାତ୍ର ବିଦ୍ୟାମାନେ କାହାନ୍ତି ? ଅର୍ଥାତ୍ ବିଦ୍ଵାନମାନେ କାହାନ୍ତି ? ଆମର ଏହି ଯୁଗଟାରେ ସତେଅବା କେଉଁ ଅପଦୈବଟାଠାରୁ ବର ପାଇଥିବା ପରି ସେମାନେ ଏମିତି ଗୋଟାଏ ଗୋଟାଏ ଶେଠଙ୍କ ପରି ଦେଖାଯାଉଛନ୍ତି କାହିଁକି ? ସମସ୍ତେ କହୁଛନ୍ତି, ଆମ ଦେଶରେ ମେଧାର ଅଭାବ ନାହିଁ, ପ୍ରତିଭାର ଅଭାବ ବି ନାହିଁ । ସେଗୁଡ଼ାକ ମଣିଷର କାମରେ ତେବେ ଲାଗି ପାରୁନାହିଁ କାହିଁକି ? ଲୁଟି ନେବାକୁ, ଯଥାସଂଭବ ଅଧିକ ଲୁଟି ନେବାକୁ ହିଁ ସଫଳ ଜୀବନ ବୋଲି ବୁଝିବାକୁ ସେଠାରେ ଏତେ ଏତେ ପାଠର ବରାଦ ହୋଇ ରହିଛି କି ? ଅସଲ ବିଦ୍ୟା ସିନା ବିନୟ ଆଣି ଦିଅନ୍ତା, ତୁଚ୍ଛା ନିଜ ସ୍ୱାର୍ଥଟାରୁ ଅଧିକ ବୃହତ୍ କୌଣସି ମୂଲ୍ୟ ପାଖରେ ନିଜକୁ ସମର୍ପିତ କରି ରଖିବାର ଉତ୍ସାହ ବିଆଣି ଦିଅନ୍ତା-ଦୂରତା ଦୂର କରନ୍ତା; ପୃଥିବୀକୁ ଅଧିକ ସୁନ୍ଦର ଅର୍ଥାତ୍ ଅଧିକ ମଣିଷଲାଖି କରିବାର ମାର୍ଗଗୁଡ଼ିକୁ କାଢ଼ନ୍ତା ଏବଂ ଏହି ସୌଧଗୁଡ଼ିକ ସେଇଥିପାଇଁ ହିଁ ପ୍ରୟୋଗଶାଳା ପରି କାର୍ଯ୍ୟ କରୁଥାନ୍ତେ । ମହାତ୍ମାଙ୍କର ସେହି ସେକାଳର ଉପମାଟା ହିଁ ଭାରି ମନେ ପଡ଼ି ଯାଉଛି । ସେତେବେଳେ ବ୍ରିଟିଶ୍ ପାର୍ଲାମେଣ୍ଟକୁ ଉପଲକ୍ଷ୍ୟ ଭାବେ ବ୍ୟବହାର କରି ସିଏ ଏପରି ଉପମାଟିଏ ଦେଇଥିଲେ ସତ, ମାତ୍ର ଏବେ ନିଜ ଦେଶରେ ବିଦ୍ୟମାନ ଥିଲେ ହୁଏତ ତାହା ହିଁ କହନ୍ତେ । ଏବଂ, ତାଙ୍କ ମୂଲ୍ୟ-ପ୍ରେରଣାଗୁଡ଼ିକୁ ନିଜ ଜୀବନକୁ ପ୍ରବିଷ୍ଟ କରାଇ ପାରିଲେ, ଆମେ ମଧ୍ୟ ତାହା ହିଁ ଅନୁଭବ କରନ୍ତୁ ।

Image

 

Unknown

କେବଳ କୋଡ଼ିଏଙ୍କର ପୃଥିବୀ

 

ତଥ୍ୟ ହିସାବ ଦ୍ୱାରା ପୃଥିବୀର ହାଲତକୁ ଜାଣୁଥିବା ଗୋଟିଏ ବିଶ୍ୱାସଯୋଗ୍ୟ ସଂସ୍ଥା ଏବେ ଗୋଟିଏ ବିବରଣୀ ଦେଇ ପ୍ରକାଶ କରିଛି ଯେ, ଆମର ଏହି ପୃଥିବୀନାମକ ଘରେ ଶହେରେ ମାତ୍ର କୋଡ଼ିଏ ଜଣ ମନୁଷ୍ୟ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଛନ୍ତି । ଭାଷା ବଦଳାଇ କହିଲେ ସେହି କୋଡ଼ିଏ ଜଣ ମନୁଷ୍ୟ ହିଁ ଏହି ପୃଥିବୀକୁ ଭୋଗ କରୁଛନ୍ତି । ସେହି ଘରେ ବାକି ୮୦ ଜଣ ମନୁଷ୍ୟ କ'ଣ କରୁଛନ୍ତି ? ସେମାନେ କୋଡ଼ିଏ ଜଣଙ୍କର ଭୋଗଜୀବନ ସକାଶେ ବହୁଭାବେ ନିଯୁକ୍ତ ରହିଛନ୍ତି । ଘରଟାର ଅସଲ ଅଶାନ୍ତି କ'ଣ ସବା ଆଗ ଏହିଠାରେ କି ? ଅସମାନତା ହିଁ ସର୍ବପ୍ରଥମ କାରଣ । ଭୋଗ ଯୋଗାଇ ଦେବାରେ ସମାନତା ହାସଲ କରାଇବା,–ଏହା ଏକ ଅସମ୍ଭବ କଥା, ଏଇଟି ସମ୍ଭବତଃ ଏକ ବର୍ବର ମୋଟା ବୃଦ୍ଧିର କଥା । ମାତ୍ର, ସମସ୍ତଙ୍କ ନିମନ୍ତେ ସମାନ ସୁଯୋଗ ରହିବା ହିଁ ସର୍ବମୂଳ ଧର୍ମ । ସର୍ବନିମ୍ନ ସୁଯୋଗ,–ଏଇଟି ହେଉଛି ଜାତି, ଧର୍ମ ନିର୍ବିଶେଷରେ ମଣିଷମାତ୍ରକେ ସମସ୍ତଙ୍କର ଅଧିକାର । ପୁରୁଷରଅଧିକାର, ନାରୀର ଅଧିକାର; ବଡ଼ମାନଙ୍କର ଅଧିକାର ଓ ପିଲାମାନଙ୍କର ଅଧିକାର । ସେହି ସୁଯୋଗଟି ଯୋଗାଇ ଦେବା ଦ୍ୱାରା ହିଁ ମନୁଷ୍ୟର ମଙ୍ଗଳ, ପୃଥିବୀର ମଙ୍ଗଳ । ତୁମ ଆମ ଗାଆଁମାନଙ୍କରେ ମଧ୍ୟ ସେହି କଥାଟି ସମ୍ଭବ ହୋଇପାରି ନାହିଁ । ପ୍ରତ୍ୟେକଦେଶ ଏବଂ ମହାଦେଶରେ କୋଟି କୋଟି ମନୁଷ୍ୟ ବଞ୍ଚିତ ହୋଇ ରହିଛନ୍ତି । ଧନ ଭରି ରହିଛି, ମଥାମାନଙ୍କରେ ବିଜ୍ଞାନ ଭରି ରହିଛି, –ତଥାପି ସବୁ ମଣିଷଙ୍କର ଏହି ଘରଟା ଯେଉଁପରି ହୋଇପାରନ୍ତା, ଆଦୌ ସେପରି ହୋଇପାରୁ ନାହିଁ ।

 

ଏଇଠି ଆମ ନିଜ ଦେଶଟାରେ ଓ ନିଜ ରାଜ୍ୟଟାରେ ମଧ୍ୟ ଚତୁର୍ଦ୍ଦିଗରେ ଆତଯାତ ହେଉଥିବା ସାମୂହିକ ଜୀବନଟି ଉପରେ ଦୃଷ୍ଟିପାତ କଲେ ଆମକୁ ସେହି କୋଡ଼ିଏ ଓ ଅଶୀର ବେଭାରଗୁଡ଼ିକ ହିଁ ଦେଖାଯିବ । ସେହି ଗୋଟିଏ ମାମଲତ ସବୁଠାରେ ଚାଲିଛି ଓ ପୃଥିବୀଟାକୁ ବଡ଼ ଅସମାନ କରି ରଖିଛି । ବେଶୀ ପରିଚର୍ଯ୍ୟା ସେହି କୋଡ଼ିଏଙ୍କ ନିମନ୍ତେ ହେଉଛି । ଆମର ଏଠି ଜାତି-ପ୍ରୀତି ତଥା–ଜାତୀୟତାର ଉତ୍ସାହକୁ ପୁଞ୍ଜି କରି ଏତେ ଏତେ କୋଳାହଳ ହେଲା, –ସେହି କୋଳାହଳକୁ ଶକ୍ତିରୂପେ ବ୍ୟବହାର କରି ଆମେ ପରାଧୀନତାର ଶୃଙ୍ଖଳରୁ ମୁକ୍ତ ହେଲୁ । ତା'ପରେ କୋଡ଼ିଏଟା ହିଁ ସବୁ କିଛି ମାଡ଼ି ବସିଲା । ଶାସନ, ରାଜନୀତି, ସବୁଠାରେ କୋଡ଼ିଏଟା ଉପରେ ହିଁ ଆଖି ରହିଲା–ସେହି କୋଡ଼ିଏଙ୍କ ଭିତରୁ ଶାସକ ବାହାରିଲେ, ନେତା ବାହାରିଲେ, କେଡ଼େ ମଧୁର ଶପଥମାନ ବି କଲେ, କେଡ଼େ ଆଡ଼ମ୍ବରରେ ଦେଶଟାକୁ ଚଳାଇଲେ, ଅମୁକ ମସିହା ସୁଦ୍ଧା ଭାରତବର୍ଷକୁ ସମଗ୍ର ପୃଥିବୀରେ ଗୋଟିଏ ଅଗ୍ରଗାମୀ ଶକ୍ତିଶାଳୀ ଦେଶ ରୂପେ ତିଆରି କରିବେ ବୋଲି ହୁଁକାର ମାନ ଦେଲେ, ତଥାପି ସେହି ବିଳାସୀପକ୍ଷଟା ହିଁ ସକଳ ଅର୍ଥରେ ତଦ୍ୱାରା ଲାଭବାନ ହେଲା । ଦୟା–ପ୍ରଦର୍ଶନ ଦ୍ୱାରା ଅଶୀପକ୍ଷଟା ସକାଶେ କିଛି ବରାଦ ହେଲା ସିନା, କିନ୍ତୁ ସେଥିରୁ ମଧ୍ୟ ଅଧିକତର କ୍ଷେତ୍ରରେ ଅଧିକତର ଭାଗକୁ ଖଣ୍ଟ ଖାଇଗଲେ । ଏଇଟା କ'ଣ ବିଧାତା ଜାଣିଶୁଣି ବି ଭିଆଣ କରିଛି, ଯେପରିକି ସେହି କୋଡ଼ିଏଙ୍କ ପକ୍ଷରୁ ହିଁ ପ୍ରାୟ ନିୟମତଃ ସବୁଯାକ ଖଣ୍ଟ ବୁଦ୍ଧିଯାକ ବାହାରୁଛି ? କୋଡ଼ିଏ ଓ ଅଶୀ କୌଣସି ପାତରଅନ୍ତର ନକରି ଦେଶର ସବୁ ମନୁଷ୍ୟଙ୍କୁ ନାଗରିକ ବୋଲି ଘୋଷଣା କରାଗଲା । ସବୁ ମନୁଷ୍ୟସେହି ଅନୁସାରେ ସମାନ ଅଧିକାର ପାଇଲେ ସିନା, ସମ୍ପନ୍ନତାର ସବୁ ବୋଇତ ସେହି କୋଡ଼ିଏଙ୍କର ଭାଗ୍ୟଗଡ଼ିଆମାନଙ୍କୁ ସତେ ଅବା ନିର୍ଦ୍ଦେଶ ପାଇଥିବା ପରି ମୋହିଁବାରେ ଲାଗିଗଲେ ।

 

ଭାରତବର୍ଷଟା ଏତେ ଏତେ ଧର୍ମର ଦେଶ, ଏଠି ଯୁଗେ ଯୁଗେ କେଡ଼େ କେଡ଼େ ଉଦ୍‌ବୋଧନର ସନ୍ଦେଶମାନ ପ୍ରଚାରିତ ହୋଇଆସିଛି । ଇଶ୍ୱରଙ୍କର ଅର୍ଥାତ୍ ଇଶ୍ଵରସତ୍ୟର ବିଚାରରେ ବଡ଼ ସାନ କେହି ନାହାନ୍ତି ବୋଲି ଧର୍ମର ପ୍ରବକ୍ତାମାନେ କେତେଶାସ୍ତ୍ର ଲେଖିଛନ୍ତି,–ଏଗୁଡ଼ିକ କ'ଣ ପାଇଁ ସେହି କୋଡ଼ିଏଙ୍କର ସିନ୍ଦୁକ ଭିତରେ ପାଟଲୁଗା ହୋଇ ରହିଯାଇଛି କେଜାଣି-? ଅଶୀଭାଗର ପକ୍ଷଟିକୁ ଭାଗ୍ୟବାଦର ଭୁଲ ଭୁଲେଇୟା ମଧ୍ୟରେ ହିଁ ରହିଯିବାକୁ କ'ଣ କମ୍ ଅଫିମ ଯୋଗାଇ ଦିଆଯାଇଛି ? ମୋ ଭିତରେ ତଥା ଆଉ ସଭିଁଙ୍କ ଭିତରେ ବ୍ରହ୍ମ ବିରାଜିତ ରହିଛନ୍ତି ବୋଲି ଯେଉଁଠି ପୂର୍ଣ୍ଣ ପ୍ରସନ୍ନତା ସହିତ କୁହାଯାଇଛି, ସେଠାରେ ଜାତି ଭେଦଟାକୁ ମଧ୍ୟ କିପରି ସ୍ଵୀକାର କରାଯାଇଛି ଏବଂ ଏବେ ମଧ୍ୟ ଏଡ଼େ ନିଦକ ଭାବରେ ପାଳନ କରାଯାଉଛି-? ଧର୍ମ-ନେତାମାନେଏହି ବିଷୟରେ ପଦେ କଥା ମଧ୍ୟ କହୁନାହାନ୍ତି । ସେମାନେ ହୁଏତ ସେହି କୋଡ଼ିଏଜଣଙ୍କର ଖାତାରେ ଗୁରୁ ସ୍ଥାନରେ ଲିପିବଦ୍ଧ ହୋଇ ରହିଛନ୍ତି । ପୃଥିବୀ ପ୍ରଳୟ ହୋଇଯାଉ ପଛକେ, ତଥାପି ସେହି କୋଡ଼ିଏଙ୍କର ପୃଷ୍ଠପୋଷକତା ପାଇ ସେମାନଙ୍କର ଗାଦୀମାନେ ଯେମିତି ସେମିତି ରହିଥାଆନ୍ତୁ, ସେମାନେ ମନେ ମନେ ସେତିକିକୁ ଆବୋରି ରହିଛନ୍ତି କି ? ଅଧ୍ୟାତ୍ମର କୀର୍ତ୍ତନ ହେଉଥିବ, ଅଥଚ ଅସମାନତାମାନେ ପୂର୍ଣ୍ଣ ଆଣ୍ଟରେ ରହିଥିବେ, ଜଣେ ଧର୍ମସ୍ଥ ମନୁଷ୍ୟ ଏ କଥା କଦାପି ମାନି ନେଇ ପାରନ୍ତା ନାହିଁ । ସତ୍ୟଗୁଡ଼ିକୁ ଲୁଚାଇ ଏବଂ ହୁଡ଼ାଇ ରଖିବା ପାଇଁ ଏବେତ ଆମର ଅନେକଧର୍ମର ମହାନମାନେ ଦେଉଳ ଓ ମସଜିଦ୍‍ମାନଙ୍କୁ ନେଇ ଦେଶରେ ଗୋଳ ଜମାଇ ରହିବାରେ ସାହାଯ୍ୟ କରୁଛନ୍ତି । ସେହି କୋଡ଼ିଏ ପକ୍ଷଟାର ବରାଦରେ ସେମାନେ ଏଭଳି କରୁଛନ୍ତି କି ? ଠାକୁରମାନେ ହିଁ ଅଧିକରୁ ଅଧିକ ରାଜକୀୟତା ସହିତ ଦାଣ୍ଡମଣ୍ଡଣି ହେବାରେ ଲାଗିଛନ୍ତି, ତୁଚ୍ଛା ପ୍ରତୀକ ଗୁଡ଼ିକର କୀର୍ତ୍ତନ କରାଯାଇ ତାହାରି ମଉଡ଼ା ମଧ୍ୟରେ ସତ୍ୟମାନଙ୍କୁ ବିସ୍ତୃତ କରି ଦିଆଯାଉଛି ।

 

ଦେଶର ଶିକ୍ଷାଟା ମଧ୍ୟ ଦେଶର ସବୁ ମଣିଷଙ୍କୁ ଆଖି ଆଗରେ ରଖି ନୁହେଁ, ସେହି କୋଡ଼ିଏ ପଟର ପ୍ରତ୍ୟର୍ଥେ ଚାଲିଛି । କୋଡ଼ିଏ ପକ୍ଷଟାକୁ ନୂଆ ନୂଆ ଅବଜ୍ଞାରେ ପ୍ରଶିକ୍ଷିତ କରାଯାଉଛି । ସେମାନଙ୍କର ପିଲାମାନେ ପାଠର ନିଶୁଣି ଚଢ଼ି ଉପରକୁ ଓ ଆହୁରି ଉପରକୁ ଯାଉଥିବା ସଙ୍ଗେ ସଙ୍ଗେ ଯେପରି ନିଜ ଗୋଡ଼ତଳେ ରହିଥିବା ଭୂଇଁଟାକୁ ପୂରା ଭୁଲିଯିବେ, ରାଜଧାନୀର ବିଳାସୀପେଣ୍ଠମାନଙ୍କରେ ସାହେବମାନେ ବସି ତାହାର ବରାଦ କରୁଛନ୍ତି । ଅଶୀ ପକ୍ଷର ପିଲାଏ କ'ଣ ପଢ଼ିବେ ବା ନ ପଢ଼ିବେ, ସେ କଥା ମଧ୍ୟ ସେହି ମଞ୍ଚ ଉପରୁ ହିଁ ତିଆରି ହୋଇ ଆସୁଛି ଏବଂ ତାହାକୁ ବିଭାଗୀୟ ଯାନ୍ତ୍ରିକ ଚକ୍ରାନ୍ତରେ ଲଦି ଦିଆଯାଉଛି । ଅଶୀପକ୍ଷଟା ଯେପରି ବୋକା ବନି ଆହୁରି ବହୁ ବର୍ଷ ସେହି କୋଡ଼ିଏଙ୍କର ଗୋଲାମ ହୋଇ ରହିବେ, ତାହାରି ଦୁର୍ବୁଦ୍ଧିପୂର୍ଣ୍ଣ ଫିକରମାନ ହେବାରେ ଲାଗିଛି । ସଂସ୍କୃତିଟା ମଧ୍ୟ ସେହି କୋଡ଼ିଏଙ୍କର ମନୋରଞ୍ଜନ ନିମନ୍ତେ ଏକ ପଣ୍ୟ ରୂପେ ବ୍ୟବହୃତ ହେଉଛି । ସାହିତ୍ୟ ତଳି ଛାଡ଼ିଯିବାକୁ ହିଁ ଅସଲ ପେଖନା ରୂପେ ସ୍ୱୀକାର କରିନେଇଛି ନ୍ୟାୟତଃ ଏହି ବିଳାସୀପକ୍ଷଟାର ପ୍ରୟୋଜନ ନିମନ୍ତେ । ପ୍ରାୟ ଏକ ପ୍ରତ୍ୟୁତ୍ପନ୍ନମତି ଶୃଙ୍ଖାରିକତା ସହିତ ସାହିତ୍ୟ ଏବେ ଭାରି ଚକ ଚକ ଦିଶୁଛି । ଜୀବନ ପ୍ରକୃତରେ ଯାହା ନୁହେଁ, ତାହାରି ପ୍ରଦର୍ଶନଟା ହିଁ ବିଳାସୀମାନଙ୍କର ସାହିତ୍ୟିକ ମତି ତଥା ମିଜାଜଗୁଡ଼ିକୁ ଖୁବ୍ ମଜ୍ଜାଇ ରଖିଛି । ଲୋକସତ୍ୟ ଏବଂ ବିଶ୍ୱସତ୍ୟର ବାହାରେ ଏକ କବିସତ୍ୟ ଅଲବତ ରହିଛି ବୋଲି ସାହିତ୍ୟ ନାମକ ସାମନ୍ତସାହିର ମୁଦୁସୁଲିମାନେ ପ୍ରାୟ ଧରାପରା ହୋଇ କହିବାରେ ଲାଗିଛନ୍ତି ଓ ଜୀବନକୁ ଲୋଡ଼ି ବାହାରିବାର ସେହି ଅନ୍ୟ ସାହିତ୍ୟିକ ସାହସଟିର ମୁଷ୍କଛେଦନ କରି ରଖିଛନ୍ତି । ସାହିତ୍ୟଟାର ଶହେରୁ ଶହେ କାରବାରଟା କେବଳକୂଳସ୍ଥ ଏହି କୋଡ଼ିଏଙ୍କର ହିଁ ବିନୋଦନ ନିମନ୍ତେ ଏକ ଅଲଗା ମହକୁମା କରି ରଖା ହୋଇଥିଲେ ମଧ୍ୟ ତାହାକୁ ତେବେ ମଧ୍ୟ ଫୁଲାଇ ହୋଇ ସତେଅବା କାହାକୁ ଫୁସୁଲାଇ ରଖିବା ନିମନ୍ତେ କାହିଁକି ଯେ ଜାତୀୟ ସାହିତ୍ୟ ବୋଲି କୁହାଯାଉଛି, ସେକଥା ଉପଲବ୍ଧି କରି ବେଳେ ବେଳେ ସାହିତ୍ୟକୁ ମଧ୍ୟ ଭାରି ବିଡ଼ମ୍ବିତ ହୋଇ ରହିଥିବାପରି ଅବଶ୍ୟ ଲାଗୁଥିବ ।

 

ଏବଂ, ଯେଉଁମାନେ ଆମର ଏହି ବାରମ୍ବାର ଧୋକା ଖାଇ ଆସିଥିବା ଭୂଇଁଟାରେ ସ୍ଵାଭିମାନ ବିଷୟରେ ଲୋକମାନଙ୍କୁ ସଚେତନ କରିବେ ବୋଲି ରଥରେ ବସି ବାହାରିଥାଆନ୍ତି, ସେମାନେ ବି ତ ଖୁଦ ଓ ମଳୁଖ ସମସ୍ତେ କେବଳ ସେହି କୋଡ଼ିଏଙ୍କର ସାହିରୁ ଆସିଥାଆନ୍ତି । ଅଶୋକ ଏବଂ ଖାରବେଳଙ୍କ ଠାରୁ ଆରମ୍ଭ କରି ଚାଖି ଖୁଣ୍ଟିଆ ଓ ଶୂକଦେଈଙ୍କ ପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କୁ ସେମାନେ ନିଜ Gadget ଗୁଡ଼ାକର ଗୁହାଳରେ ସତେ ଅବା ଦାମୁଡ଼ି କରି ବାନ୍ଧି ରଖିଥାନ୍ତି । ଆଉ ଥୋକେ ଏହି କରଣିଟାକୁ ପୂଜ୍ୟପୂଜା–ବୋଲି କହନ୍ତି । ବିଚରା ଅଶୀପକ୍ଷରୁ ସେହି ଅନ୍ୟମାନେ–ସେମାନେ ଅନାଇ ରହିଥାନ୍ତି, କିଛି କହି ପାରନ୍ତି ନାହିଁ । କ'ଣ ପାଇଁ ସମୟ ସମୟରେ ଭାରିଛାନିଆ ଲାଗେ ଭାବିବା ବେଳେ ଯେ, ଯଦି ଏଠି ପ୍ରକୃତରେ ଶହେରେ ଶହେ ସ୍ୱାଭିମାନୀ । କେବେ ‘ହୋଇଯାଆନ୍ତେ, ତେବେ ପୃଥିବୀରେ ହୁଏତ ଗୋଟାଏ ମହାସମର ମଧ୍ୟଘଟାଇ ଦେଇପାରନ୍ତେ ! ଚତୁର୍ଦ୍ଦିଗରେ ଏହି ସମ୍ପୂର୍ଣ୍ଣ ସଂସାରଟାକୁ ଗୋଟାଏ ଗଡ଼ଜାତପରି କରି ରଖନ୍ତେ । ଶହେ ବର୍ଷ ତଳେ ଆମ ଓଡ଼ିଶାର ଗଡ଼ଜାତି ରଜାମାନେ ଏହି ମୋଗଲବନ୍ଦୀରେ ଯେତେବେଳେ ଠାଏ ଠାଏ ଓଡ଼ିଶାକୁ ଏକ ପୂର୍ଣ୍ଣାଙ୍ଗ ମୂଲକରେ ପରିଣତ କରିବେ ବୋଲି ଉଦାର ଭାଷଣମାନ ଦେଉଥିଲେ, ସେତେବେଳେ ସେମାନଙ୍କର ନିଜ ନିଜ ରାଜ୍ୟରେ ହଜାର ହଜାର ମଣିଷ ସେହି ମଣିଷମାନଙ୍କ ଦ୍ୱାରା ହିଁ ଅତ୍ୟାଚାରିତ ହେବାରେ ଲାଗିଥିଲେ ଏବଂ ଅନ୍ଧାରରେ ସଢ଼ୁଥିଲେ । ଏବଂ ଇହାଦେ ପୃଥିବୀର ଏହି କୋଡ଼ିଏ ଭାଗ ବିଳାସ ପକ୍ଷରେ ରହିଥିବା ମଣିଷମାନେ କ'ଣ ସେହିପରି ପୂରା ପୃଥିବୀଟାକୁ ଏକ ଗଡ଼ଜାତ କରି ରଖିବା ଲାଗି ମନସ୍ଥ କରି ରଖିଛନ୍ତିକି ? ସେହି କୋଡ଼ିଏଙ୍କର ପାଖଟାରେ ଅନେକ ସାଧୁ ତଥା ସଜ୍ଜନ ଏପରି ମସ୍ତିଷ୍କ ଅବଶ୍ୟ ରହିଥାନ୍ତି, ଯେଉଁମାନେ କିଞ୍ଚିତ୍ ଅବଶୋଷ ପ୍ରକଟ କରି ବେଳେ ବେଳେ କହିଥାନ୍ତି ଯେ, ଅଧିକ ଓ ତହୁଁ ଅଧିକ ସୁଖ ଏବଂ ସମ୍ଭୋଗର ପିଛା ଧରି ସେମାନେ କ୍ରମେ ଏପରି ବସ୍ତୁବାଦୀ ହୋଇ ପଡ଼ିଛନ୍ତି ଯେ ଯେତେ ଇଚ୍ଛା ଥିଲେ ମଧ୍ୟ ଆଉ ଏବେ ମୋଟେ ଥମି ରହି ପାରୁନାହାନ୍ତି । ତେଣୁ, ସେମାନେ ବଡ଼ ଆଶଙ୍କିତ ହୋଇ କହନ୍ତି ଯେ, ବାକି ଅଶୀଙ୍କ ଲାଗି ଯଦି ସେହି ସୁଖଗୁଡ଼ିକୁ ଆଣି ଜୁଟାଇ ଦିଆଯାଏ, ଅର୍ଥାତ୍ ଯଦି ସେମାନଙ୍କର ପେଟ ପୂରେ, ଦେହ ଲୁଚେ, ମୁଣ୍ଡ ଉପରେ ବାଳଟିଏ ରହେ ଓ ସେମାନଙ୍କର ପିଲାମାନେ ପାଠ ପଢ଼ିବାର ସୁଯୋଗ ଲାଭ କରନ୍ତି, ତେବେ ଏହି ଗୋଟା ପୃଥିବୀଟା ହିଁ ବସ୍ତୁବାଦୀ ହୋଇଯିବ । ଭିତରେ ସତକୁସତ କ'ଣ ସବୁ ଫିସାଦକୁ ଘୋଡ଼ାଇ ରଖି ସେମାନେ ଏହିପରି ପୃଥ୍ଵୀ ହିତୈଷୀର ଭେଷ ପିନ୍ଧି ସେଭଳି କଥା କହନ୍ତି କେଜାଣି ? ଅନ୍ନମୟ ଜୀବନଭରଣାର ସରଞ୍ଜାମ ଗୁଡ଼ିକ ପ୍ରାୟ ଏକ ଦାନବୀୟ ଆଦିମତା ସହିତ ଯେ ଶହେରୁ ମାତ୍ର କୋଡ଼ିଏଙ୍କ ପାଖରେ ଉଦ୍‌ବୃତ୍ତ ପରିମାଣରେ ରହିଛି, ଯାହା କିଛି ଯୁକ୍ତି ଦେଇ ମଧ୍ୟ ତାହାକୁ ରୋକି ରଖାଯାଇ ପାରିବ ନାହିଁ । ଯଦି ସମସ୍ତଙ୍କର ପେଟଟା ସତକୁ ସତ ପୂରେ ଏବଂ ଅନ୍ନମୟ ଆବଶ୍ୟକତାମାନ ଅନ୍ତତଃଏକ ଆଖିଦୃଶିଆ ନିଶ୍ଚୟତା ସହିତ ସତକୁ ସତ ମେଣ୍ଟିଯିବାର ଏକ ଆର୍ଥିକ ତଥା ରାଜନୀତିକ ମୂଳଦୁଆ ସମ୍ଭବ ହୋଇଯାଏ, ତେବେ ମଣିଷର ବିବେକକୁ ସହାନୁଭୂତି ସହିତ ବୁଝୁଥିବା ପ୍ରଜ୍ଞାଟି ହୁଏତ କହିବ ଯେ, ସେପରି ଏକ ସ୍ଥିତିରେ ପୃଥିବୀରେ ଆଜିଭଳି ଏତେ ସ୍ୱାର୍ଥ-କାମନା ରହିବ ନାହିଁ, ଈର୍ଷା ରହିବ ନାହିଁ, ଭୟ ମଧ୍ୟ ରହିବନାହିଁ । ଏବଂ, ସବୁଠାରୁ ଅଧିକ ମହତ୍ଵପୂର୍ଣ୍ଣ କଥାଟିହେଉଛି ଯେ, ସମ୍ଭବତଃ ସେତେବେଳେ ଅଧିକ ମଣିଷ ପରସ୍ପରର ଅଧିକ ନିକଟବର୍ତ୍ତୀ ହୋଇ ଆସିବାକୁ ହିଁ ଭିତରୁ ଏକ ଆସ୍ପୃହା ଅନୁଭବ କରିବେ । ଏବେଯାଏ ପ୍ରାୟ ଆକାଶଉଚ୍ଚ ଏକ କଳ୍ପନାକ୍ଷେତ୍ରରେ ସ୍ଥାପନା ହୋଇ ଯୁଗେ ଯୁଗେ ପୂଜା ପାଉଥିବା ଜୀବନ-ମୂଲ୍ୟଗୁଡ଼ିକ ମଧ୍ୟମାଟିର ଅଧିକ ନିକଟବର୍ତ୍ତୀ ହୋଇ ଆସିବ । ମଣିଷ ଆଉ କିଛି ଲୋଡ଼ିବ, ସ୍ୱାଭାବିକଭାବରେ ଲୋଡ଼ିବ, ଖୁସୀ ହୋଇ ଲୋଡ଼ିବ । ବୃହତ୍ତର ମୂଲ୍ୟଗୁଡ଼ିକୁ ସୂତ୍ର ରୂପେ ବ୍ୟବହାର କରି ପରସ୍ପର ସହିତ ସତେ ଅବା ଏକ ସକାରାତ୍ମକ ମାୟାରେ ଯୋଡ଼ିହୋଇ ରହିବାକୁ ମନ କରିବ ଏବଂ ସେହି ଅନୁସାରେ ନିଜର ଅର୍ଥନୀତି ତଥା ରାଜନୀତିର ମୂଳ ଆଭିମୁଖ୍ୟଗୁଡ଼ିକରେ ମଧ୍ୟ ପରିବର୍ତ୍ତନ ଆଣିବା ଲାଗି ମନ କରିବ । ଅନୁରୂପ ଭାବରେ କ୍ରିୟାଶୀଳ ହେବ ।

 

ତେବେ, ପୃଥିବୀର କୋଡ଼ିଏଙ୍କ ଭିତରୁ ଯେଉଁମାନେ ଆଗାମୀଟାରେ ସବାଆଗ ଶୁଭର ସ୍ଥାପନା ହେଉ ବୋଲି ଇଚ୍ଛା କରୁଛନ୍ତି, ସେମାନଙ୍କର ମୂଳ ଧର୍ମଟି ବର୍ତ୍ତମାନ କିଭଳି ହେବା ଉଚିତ-? ଯେଉଁମାନେ ବଞ୍ଚିତ ହୋଇ ରହିଛନ୍ତି, ଯେଉଁମାନଙ୍କର ଅନ୍ନସ୍ତର ଏବେ ମଧ୍ୟ କୌଣସି ସମାଧାନ ମିଳିନାହିଁ, ଯେଉଁମାନେ ପଛରେ ଅଛନ୍ତି ଓ ପୃଥିବୀରେ ଏକାଧିକ ଅନାବଶ୍ୟକ ଦୂରତାକୁ ଭିଆଇ ରଖିବାରେ ମଧ୍ୟ ବହୁ ପ୍ରକାରେ ପକ୍ଷ ହୋଇ ରହିଛନ୍ତି, କୋଡ଼ିଏ ପକ୍ଷଟା ସେମାନଙ୍କୁ କତିକୁ ଆଣିବାକୁ ଲାଗି ଆପଣାର ଉଦ୍ୟମଗୁଡ଼ିକୁ ଅଧିକରୁ ଅଧିକ ସତ୍ଵର କରୁ, ବିଶ୍ୱବ୍ୟାପୀ ଏକ ନୂଆ ପ୍ରତ୍ୟୟକୁ ଜନ୍ମ ଦେଉ । ସକଳ ଅର୍ଥରେ ସେଇଟିକୁ ମଧ୍ୟ ଧରାପୃଷ୍ଠରେ ଏକ ନୂତନଚେତନାର ଅବତରଣ ବୋଲି କୁହାଯାଇ ପାରିବ କି ?

Image

 

ଭୋଗଲାଳସା ଯାଉନାହିଁ

 

ଲାଳସା ଯାଉନାହିଁ, ତେଣୁ ଭୋଗଲାଳସା ବି ଯାଉନାହିଁ । ତୁମେ ଯେଡ଼େ ବଡ଼ମଣିଷଟାଏ ହୋଇଥାଅ ପଛକେ, ଯଦି ଲାଳସା ରହିଛି ଏବଂ ସେଇଟାର ତାଡ଼ନାରେ ତୁମେ ଏଠୁ ସେଠାକୁ ବା ସେଠୁ ଏଠାକୁ ହେବାରେ ଲାଗିଛ, ତେବେ ଠିକ୍ ଏହିପରି ଭାବରେ ହନ୍ତସନ୍ତ ହେଉଥିବା ଭଗବାନ ଏଠି ଥାଆନ୍ତି, ସେଠି ମଧ୍ୟ ଥାଆନ୍ତି । ନଦିୟା କହ ଅଥବା ବୃନ୍ଦାବନ କହ, ପୁରୀ କହ ଅଥବା ପଣ୍ଢରପୁର କହ, ଏସବୁ ଥାନ ଏହି ପୃଥିବୀରେ ହିଁ ଗୋଟିଏ ଗୋଟିଏସ୍ଥାନ । ବେଳେବେଳେ ଭାରି ଜାଣିବା ପାଇଁ ଇଚ୍ଛାହୁଏ, ବାଉଳା ବଡ଼ମାନେ କ'ଣ ପାଇଁ ଗୋଟିଏ ଗୋଟିଏ ଥାନକୁ ଭଗବାନଙ୍କର ଖାସ୍‍ ସ୍ଥାନ ବୋଲି ନିଠ କରି ପକାଇଥାନ୍ତି କେଜାଣି ? ସେମାନେ କଣ ତଥାକଥିତ ସଂସାରୀମାନଙ୍କୁ ଏକ ପୂରା ଅଡ଼ୁଆ ଭିତରେ ପକାଇ ରଖିବାକୁ ଚିନ୍ତା କରୁଥାନ୍ତି କି ? ମନୁଷ୍ୟ ମାତ୍ରକେ ସମସ୍ତେ ଏହି ସଂସାର ଭିତରେ ହିଁ ଜନ୍ମ ଗ୍ରହଣ କରିଥାନ୍ତି । କ'ଣସବୁ ଅନିଚ୍ଛା କିମ୍ବା ଅଭାବର କାରଣରୁ ସେମାନଙ୍କୁ ସଂସାର ଭଲ ଲାଗେ ନାହିଁ ? ଅତିରିକ୍ତ ପରିମାଣରେ ଆନମନା କରି ରଖିଥାଏ, –ଏଡ଼େ ବଡ଼ ଘରେ ଦି ଦିନରକୁଣିଆ ବୋଲି ଲାଗେ ଅର୍ଥାତ୍ ଏଡେ ବଡ଼ ମେଳ ଭିତରେ ଥାଇ ମଧ୍ୟ ଏକୁଟିଆ ଲାଗେ ? ଏହି ସଂସାରରେ ଆପଣାକୁ ବିଶେଷ ଗେହ୍ମା ବୋଲି ଭାବି ସେମାନେ କ'ଣ ସବୁ ଛାଏଁ ଛାଏଁ ପାଇଯିବେ ବୋଲି ବିଚାର କରିଥିଲେ କେଜାଣି, ନିଜକୁ ଜଣେ ଛେଉଣ୍ଡ ବୋଲି ଭାବନ୍ତି ? ଘର ଛାଡ଼ନ୍ତି । ଭାବନ୍ତି, ଏହ ସଂସାରଟାରେ ହିଁ ନିଜ ପେଟ ଭିତରର ସବୁଯାକ ଲାଳସାକୁ ରଖି ଦେଇଯିବେ, –ଏଠାରୁ କେବଳ କେତେଟା ଖାଲି ହାଣ୍ଡି ସାଙ୍ଗରେ ନେଇ ଥିରିକରି ବାହାରି ଯିବେ ଏବଂ ସେହି ଅନ୍ୟ କେଉଁ ସ୍ଥାନଟିରେ ହାଣ୍ଡିମାନଙ୍କୁ ଭର୍ତ୍ତି କରିନେଇ ପାରିବେ । ଏହି କେଡ଼େ ସହଜ ସଂଜ୍ଞାଟାଏ ବାହାର କରି ସେମାନେ ତାହାକୁ ମୁକ୍ତି ବୋଲି କହନ୍ତି । ମୋକ୍ଷ ହୋଇଯାଆନ୍ତି, ବିଚରା ବିଶ୍ୱବାସୀଙ୍କୁ ତାଟକା କରି ରଖନ୍ତି । ବାବୁ ତୁମେ ଯେଉଁଠାରେ ଥାଅ ପଛକେ, ମୂଳତଃ ଲାଳସାଗୁଡ଼ାଏ ରହିଥିବା ପର୍ଯ୍ୟନ୍ତ ତୁମେ ତାହାରି ନିତ୍ୟ ତାଡ଼ନା ଅଥବା ନିତ୍ୟ ବିସ୍ଫୋରଣ ଭିତରେ ରହିଥିବା ସଳଖ ସତ୍ୟଗୁଡ଼ିକୁ ବିଡ଼ମ୍ବିତ କରି ରଖିଥିବ ଓ ଛଟପଟ ହେବାରେ ଲାଗିଥିବ ।

 

ଯାବତୀୟ ଲାଳସା ପଛରେ ସମ୍ଭବତଃ ଏକ କାମାସକ୍ତ କୋପ ଭାରି ମାମଲତକାର ପରି ହୋଇ ରହିଥାଏ, ଯାହାକି ମଣିଷଟାକୁ ଯାବତୀୟ ସତ୍ୟ ପାଖରେ ପ୍ରାୟ ଜଣେ ଚାହାଳି ଚୋର କରି ରଖିଥାଏ । ପ୍ରାୟ ଏହି ଭଳି ଚାହାଳି-ଚୋର ବନି ଯଦିସଂସାର ଛାଡ଼ିଥିବା କେହି ତଥାକଥିତ ବୈରାଗ୍ୟମୂର୍ତ୍ତି ମନୁଷ୍ୟ ସୌଭାଗ୍ୟ କ୍ରମେ ଗୁରୁଟିଏ ହୋଇପାରିଥାଏ, ଗୋଟିଏ ପୀଠ ବା ଧାମ ନିର୍ମାଣ କରିଥାଏ, ଆଗରୁ ରହି ଆସିଥିବା ଶହେଟା ସମ୍ପ୍ରଦାୟଟାରୁ ନିଜକୁ ନିଆରା କରି ଦେଖାଇବା ନିମନ୍ତେ ଯଦି ସେ ନିଜର ବୋଲି କହି ପାରିବା ଭଳି ଶହେ ଏକ ନମ୍ବରର ସମ୍ପ୍ରଦାୟଟିଏ ଗଢ଼ି ପାରିଥାଏ, ତେବେ ସିଏ ଆମ ଚାହାଳିଚୋରି ମାନଙ୍କୁ ଖୁବ୍ ସହଜରେ ଆକର୍ଷିତ କରି ନେଇଯାଇପାରେ । ସେହିମାନେ ହିଁ ଗୁରୁ ଆଶ୍ରା କରନ୍ତି । ଭଗବାନଙ୍କ ଆଶ୍ରା ଅପେକ୍ଷା ଗୁରୁ ଆଶ୍ରାକୁ ଅଧିକ ମଣନ୍ତି । ତା'ପରେ ଲାଳସାମାନେ ସତେ ଅବା ଅଧିକ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଭାବରେ ସେଇଠାରେ ରହିଯାଆନ୍ତି । ତଥାକଥିତ ଅଭୟଟାଏ ପାଇଗଲେ ବୋଲି ଭୟାଳୁମାନେ ତେଣିକି ନିର୍ମଳ ଅନ୍ତସ୍କରଣରେ ସେହି ସମ୍ପ୍ରଦାୟ ମାର୍କା ଆନୁଗତ୍ୟଟା ମଧ୍ୟରେ ବନ୍ଧା ପଡ଼ି ରହିଯାଆନ୍ତି । ହୁଏତ ସହସ୍ର ସହସ୍ର ସୁମାରିରେ ସେହି କାଟର ଆଉମାନେ ବି ରହିଥାନ୍ତି, ଯେଉଁମାନଙ୍କୁ ଗୁରୁଭାଇ ବୋଲି କୁହାଯାଏ । ତା'ପରେ କେବଳ ଆନନ୍ଦ ହିଁ ଆନନ୍ଦ ଏବଂ ପୁଲକ ହିଁ ପୁଲକ । ଏହିପରି ଭାବରେ ଗୋଟିଏ ଏଭଳି ସଂସାରିକତା ଅର୍ଥାତ୍ ସଂସାରଲିପ୍ତତା କ୍ରମେ ପ୍ରାଣବନ୍ତ ହୋଇଆସେ, ଯାହାକି ଏକ ଖାସ୍‍ମାର୍କା ପ୍ରେମାଞ୍ଜନ ଦ୍ଵାରା ଆଖିଟାକୁ ଢାଙ୍କି ରଖେ, ଲାଳସାଟାର ପ୍ରାୟ ଏକ ବିସ୍ମୟକର ବୈଧୀକରଣ ହୋଇଯାଏ ଏବଂ ସର୍ବବିଧ ଅର୍ଥରେ ନିଜର ଲାଳସାମାନଙ୍କୁ ମଧ୍ୟ ଧରି ତରିଯିବା ପରି ଲାଙ୍ଗୁଳଟାଏ ବି ମଳିଯାଏ ।

 

ଅଧ୍ୟାତ୍ମ ଚିରକାଳ ରହିଛି; ଅନ୍ତରାକରଣ ଏବଂ ବହିରାକାଶ ଉଭୟଟିକୁ ହିଁ ନିରନ୍ତର ଭରିକରି ରହିଛି । ଅର୍ଥାତ୍ ମୋ ଭିତରର ଏହି ପୃଥିବୀଟିରେ ତଥା ମୋବାହାରେ ମୋତେ ଥାନ ଦେଇ ରହିଥିବା ଏହି ବିଶ୍ୱମହାଖଣ୍ଡରେ । ଦୁର୍ଯ୍ୟୋଗବଶତଃ କାହାକୁ ସେଥିରୁ ହୁଏତ କେନାଏ କିମ୍ବା ଚେନାଏ ମାତ୍ର ଦୃଶ୍ୟ ହୋଇଛି ଓ ସିଏ ସେତିକିକୁ ସବୁଯାକ ବୋଲି ଘୋଷଣା କରିଛି । ଆପଣାକୁ ଗୁରୁ ବୋଲି ପ୍ରଚାର କରିଛି । ଏହିପରି ଗୋଟାଏ ଗୋଟାଏ ଓଲିମାପଣର ପଛରେ ଧାଇଁ କେତେଭଳି ପାଣ୍ଡିତ୍ୟପୂର୍ଣ୍ଣ ପ୍ରସାଧାନ ଦ୍ୱାରା ସେଗୁଡ଼ିକ ଅନୁସାରେ ଭାଷ୍ୟମାନେ ବି ଲେଖା ହୋଇଛନ୍ତି । ପୁନଶ୍ଚ କେତେକେ ଦିଗ୍‍ବିଜୟରେ ବାହାରି ଜଗଦ୍‌ଗୁରୁ ବି ବୋଲାଇଛନ୍ତି । ଅଧ୍ୟାତ୍ମ ନାମକ ପୂର୍ଣ୍ଣ ଭୂମଣ୍ଡଳଟିକୁ ସେମାନେ ନାନା ତାତ୍କାଳିକ ସ୍ଥାନୀୟ ମଣ୍ଡଣି ଦେଇ ଘୋଡ଼ାଇ ପକାଇଛନ୍ତି । ଅନ୍ୟାନ୍ୟ ମାର୍ଗମାନଙ୍କୁ ମ୍ଳେଚ୍ଛ ବୋଲି କହି କାଟି ଦେଇଛନ୍ତି ଓ ନିଜ ଖୋଳଟାକୁ ନିଆରା ଓ ଅଲଗା କରି ଚିହ୍ନାଇ ରଖିବା ଉଦ୍ଦେଶ୍ୟରେ ଭଳି ଭଳି ଚିତା, ପଇତା ଏବଂ ଚଳଣିମାନ ବାହାର କରିଛନ୍ତି । ପ୍ରତୀକ ଗୁଡ଼ାକର ଜୟଜୟକାର ହୋଇଛି । ପ୍ରତିମାତୃଷ୍ଣା ଦ୍ଵାରା ଆମ ମଣିଷମାନଙ୍କର ଅସଲ ତୃଷାଗୁଡ଼ିକୁ ଅତ୍ୟନ୍ତ ଇହ ବୁଦ୍ଧିଯୁକ୍ତ ଭାବରେ ବଙ୍କେଇ ଏକାବେଳକେ ଖାଦ କରି ଦିଆଯାଇଛି । ଲାଳସାମାନେ ଜବରଦସ୍ତ ହୋଇ ରହିଛନ୍ତି, ଓ ରାଜତ୍ କରିଛନ୍ତି । ଆମର ଏହି ପୃଥିବୀଟାକୁ ଅନ୍ଧାର କରି ରଖିବାରେ ଖୁବ୍ ସାହାଯ୍ୟ କରିନାହାନ୍ତି । ଧର୍ମ ଧର୍ମରେ ପ୍ରତିଦ୍ୱନ୍ଦିତା ବି ଲାଗିଛି । ସତେଅବା ଗୋଟାଏ–ଯୁଦ୍ଧରେ ଜୟ ଲାଭ କରିବାର ମତଲବରେ ଧର୍ମମାନେ ରଜାମାନଙ୍କର ଶରଣ ବି ନେଇଛନ୍ତି । ଗୋଟାସୁଦ୍ଧା ନିଜ କାମରେ ଲଗାଇ ପାରିବା ନିମନ୍ତେ ରଜାମାନେ ମଧ୍ୟ ସେମାନଙ୍କୁ ଜାଗିରିମାନ ଛାଡ଼ି ଦେଇଛନ୍ତି, ଦେଉଳ ଗଢ଼ି ଦେଇଛନ୍ତି । ସେହି ପ୍ରକ୍ରିୟାଟା ଭିତରେ ପୃଥିବୀଟା ଏବେ ମଧ୍ୟ ବଡ଼ ହରବର ହୋଇ ରହିଛି । ଜଣେ ଜଣେ ମନୁଷ୍ୟ ହିସାବରେ ଆମେ ସକଳେ ଯେ ଅସୁମାରି ପ୍ରତିଶ୍ରୁତି ନେଇ ଏହି ପୃଥିବୀକୁ ଆସିଛୁ, କୁସୁମ ସଦୃଶ ଉନ୍ମୋଚିତ ହୋଇ ଉଠିବା ନିମନ୍ତେ ଆମ ଭିତରେ ଯେ ଏକ ଦିବ୍ୟତ୍ଵ ଅପେକ୍ଷା କରି ରହିଛି, ଏହି ଲାଳସାଗ୍ରସ୍ତ ଧର୍ମ, ସମ୍ପ୍ରଦାୟ ଓ ସେଗୁଡ଼ିକରେ ମଙ୍ଗୁଆଳ ହୋଇ ବସିଥିବା ଗୁରୁମାନେ ଆମକୁ ଏହି ବିଷୟରେ ନାନା ଚତୁରତାରେ ଭୁଲାଇ ଦେବାର ଚେଷ୍ଟା କରିଛନ୍ତି ।

 

ଲାଳସାର ସବାବଡ଼ ବ୍ୟଞ୍ଜନା ହେଉଛି ଯେ, ଭଗବାନ ହେଉଛନ୍ତି ସବା ଆଗ ମୋର । ଅର୍ଥାତ୍ ସବା ଆଗ ମୁଇଁ ତାଙ୍କୁ ଅଧିକାର କରି ରହିଛି । କେବଳ ମୋରି ଦେଉଳଟାରେ ସିଏ ମନ୍ତୁରା ହୋଇ ସତେ ଅବା ମୋରି ପ୍ରୀତ୍ୟର୍ଥେ ବସିଛନ୍ତି । ମୁଁ ଭଗବାନଙ୍କର–ଏହା ଆଧ୍ୟାତ୍ମର କଥା-। ଏକ ଅନ୍ୟ ପ୍ରକାରର କଥା, ଅସଲ ସଖ୍ୟାରକଥା ଏବଂ ଅସଲ ଅଙ୍ଗୀକାରବଦ୍ଧତାର କଥା । ମୁଁ ଭଗବାନଙ୍କର ବୋଲି ସତକୁ ସତଏକ ଉପଲବ୍ଧି ଆଡ଼କୁ ମନ ବଳିଲେ ଏହି ଖିଳ ସଂସାରଟିମଧ୍ୟ ନିଜର ଅତି ଆପଣାର ହୋଇ ଦୃଷ୍ଟିଗୋଚର ହୁଏ । ସଂସାର ଭଲ ଲାଗେ, ଏଠୁ ତାଙ୍କ ଯାଏ ପାହାଚ ପଡ଼ି ରହିଥିବା ପରି ଅନୁଭବ ହୁଏ । ସମସ୍ତଙ୍କର, ତେଣୁ ମୋର । ତାହା ହିଁ ଆମକୁ ଲାଳସାର ଫାଶରୁ ମୁକ୍ତ କରେ । ସଂସାରର ଫାଶରୁ ନୁହେଁ, ସଂସାର ସହିତ ଯୁକ୍ତ ହୋଇ ରହିଲେ ଯାଇ ଲାଳସାର ଫାଶରୁ ମୁକ୍ତି ମିଳେ । ସ୍ୱୟଂ ଭଗବାନ ହିଁ ଗୋଟିଏ ସେତୁ ପରି ଅନୁଭୂତ ହୁଅନ୍ତି-। ସତେ ଅବା ହାତ ଧରି ସୋପାନ ପରେ ସୋପାନ ବାଟ କଢ଼ାଇନିଅନ୍ତି । ଯଥାର୍ଥ ଗୁରୁମାନେ ତାହା ହିଁ କରନ୍ତି । ସେମାନେ ମଧ୍ୟ ବାଟ ଦେଖାଇ ଦିଅନ୍ତି । ମୋଟେ ଗିଳି ପକାଇବାର ମନ୍ଦ ବୁଦ୍ଧି କରନ୍ତି ନାହିଁ ! ହୁଏତ ପାଦେ ଆଗକୁ ଯାଇ କହିହେବ ଯେ, ଗିଳି ପକାଇବାକୁ ଲାଳସା ରଖିଥିବା ଗୁରୁଟିଏ ହିଁ ଧର୍ମ ଓ ସମ୍ପ୍ରଦାୟ ଆଡ଼େ ଅଧିକତର ଶରଧା ରଖିଥାଏ । ପୃଥିବୀଟାକୁ ମାଦଳ ଏବଂ ନିର୍ଭରଶୀଳ କରି ରଖିବାରେ ଏମାନେ କାହିଁକି ଏତେ ବେଶୀ, ଆହ୍ଲାଦ ପାଆନ୍ତି, କେଜାଣି ? ମଣିଷମାନେ ମାଦଳ ହୋଇ ନ ରହିଲେ ସେମାନେ ସ୍ଵୟଂ ବାଟଟିଏ ଚାଲିବାର ମହତ୍ତର ସୂତ୍ରଟିଏ ପାଇଯିବେ ଓ ତେଣୁ ଆଉ ସେମାନଙ୍କର ଅନୁସରଣ କରିବେ ନାହିଁ ବୋଲି ସେମାନେ ଭୟ କରୁଥାଆନ୍ତି କି ? ହୁଏତ, ଏହି କିସମର ଗୁରୁମାନେ ଆପେ ମଧ୍ୟ ଆଦୌ କୌଣସି ବାଟ ଚାଲୁନଥାନ୍ତି । ଅଟକି ଯାଇଥାନ୍ତି, ଅର୍ଥାତ୍ ଶ୍ରଦ୍ଧା ହରାଇ ବସିଥାନ୍ତି । ତେଣୁ ନିଜେ ପ୍ରକୃତରେ ଯେତିକି, ମାତ୍ର ସେତିକିର ଯୋଗ୍ୟ ହୁଅନ୍ତି । ଭୋଗର ଲାଳସାଗୁଡ଼ାକ ସେମାନଙ୍କୁ ପୂରା ମଞ୍ଜ ଭିତରୁ ହିଁ କାମୁଡ଼ିକରି ରହିଥାଏ-

 

ଅଧ୍ୟାତ୍ମ କହିବ, ସାନ ମାୟାଟାକୁ ସମ୍ପ୍ରସାରିତ କରିପାରିଲେ ଯାଇ ଲାଳସା ଯିବ । ନିଜର ଭୋଗକୁ ସମ୍ପ୍ରସାରିତ କରିପାରିଲେ ଭୋଗ ଲାଳସାକୁ କାଟି ହେବ । ନିଜ ସୁଖ, ନିଜର ମୁକ୍ତି ନିତାନ୍ତ ଏକଆଖିଆ ହୋଇ ଏହି ବୃହତ୍ତର ଭିତରୁ ପଳାୟନ ଅଥବା ଆତ୍ମସନ୍ତୋଷ ଯାବୁଡ଼ି ଧରିଥାଏ । ସହଭାଗିତା ହେଉଛି ସବୁଠାରୁ ଅଧିକ ସଳଖ ମାର୍ଗ ଯାହାଦ୍ଵାରା କି ଲାଳସା ଯାଏ ତଥା ଆପଣାର ଅଭ୍ୟସ୍ତ ଅତି ଛୋଟ ବୃତ୍ତଟିକୁ ଡେଇଁ ବୃହତ୍ତରଟିକୁ ବଞ୍ଚିହୁଏ । ଯଦି ସିଏ ପ୍ରକୃତରେ ଏହି ପୃଥିବୀରେ ରହିଛନ୍ତି, ତେବେ ମୁଁଏଠାରେ ଉଦାସୀନ ରହିପାରିବି କିପରି, ଉପେକ୍ଷା ଏବଂ ଅବଜ୍ଞା ଦେଖାଇ ଆଉ କେଣେ ପଳାଇ ବା କିପରି ଯାଇପାରିବି ? ଉପେକ୍ଷା ଦ୍ୱାରା ଯେ ସାନ୍ନିଧ୍ୟଜନିତ କୌଣସି ମୁକ୍ତି କଦାପି ମିଳିପାରିବ ନାହିଁ, ଜୀବନବାଚୀ ଯାବତୀୟ ପ୍ରଜ୍ଞା ପୃଥିବୀସାରା ଯୁଗେ ଯୁଗେ ଏହି ବାର୍ଭାଟିକୁ ଦେଇ ଆସିଛନ୍ତି । ଏହି ତଥାକଥିତ ଅଳପକୁ ବାଦ୍ ଦେଇ ଭୂମା କଦାପି ଉପଲବ୍ଧ ହେବନାହିଁ । ଭୂମାର ଯାବତୀୟ ବୋଧକୁ ଆପଣାର ଅଳପଟା ଭିତରେ ଜବରଦସ୍ତି ଖୁନ୍ଦିକରି ରଖିବାର ଚେଷ୍ଟା କଲେ ତୁମେ ଠିକ୍ ସେହିପରି ଈଶ୍ୱରଦ୍ରୋହୀ ହୋଇ ରହିଥିବ ।

 

ଆମର ଏହି ଆଧୁନିକ ପୃଥିବୀଟିରେ ଏକାଧିକ ଶୁଭ ଶକୁନ ସୂଚନା ଦେବାକୁ ଆରମ୍ଭ କରିଦେଲେଣି ଯେ, ଆଗାମୀ ଅଧ୍ୟାତ୍ମ ମୁଖ୍ୟତଃ ଏକ ସହଭାଗିତାର ମାଧ୍ୟମରେ ହିଁ ନିଜକୁ ପ୍ରକଟ କରିବ ହିଁ କରିବ । କେବଳ ସମସ୍ତ ପୃଥିବୀର ଶହେଆଠ ନାମର ମାୟାରେ ଛନ୍ଦି ହୋଇ ରହିଥିବା କୌଣସି ଠାକୁର ନୁହନ୍ତି, ଆମ ଗାଆଁର ଠାକୁର ମଧ୍ୟ ଆମକୁ କ୍ରମେ ସେହି ସହଭାଗିତାର ଉଦ୍‌ବୋଧନ ଦେବେ । ଅଧ୍ୟାତ୍ମର ପ୍ରତିଷ୍ଠା ଆମ ଗାଆଁରେ ମଧ୍ୟ ହେବ । ପ୍ରାଚୀନ, ତାମିଲ କବିଙ୍କର ସେହି ମହିମାମୟ କଥାଟି ଅନୁସାରେ ସମସ୍ତ ପୃଥିବୀ ହିଁ ଗୋଟିଏ ଗାଆଁ ପରି ଲାଗିବ ! ଭୟ ଯିବ, ତେଣୁ ଲାଳସା ଯିବ, ପ୍ରମତ୍ତତାମାନେ ମଧ୍ୟ ବିଦା ହୋଇ ଚାଲିଯିବେ । ସହଭାଗିତା ନିମନ୍ତେ ସେହି ଅଭିନବ ଶ୍ରଦ୍ଧା ଏବଂ ତାହାରି ଅନୁରୂପ ଏକ–ସଂକଳ୍ପ ତଥା ସକ୍ରିୟ ସ୍ୱୀକୃତି ପ୍ରଦାନ, –ତା’ପରେ ଏହି ସକଳ ମାର୍କାର ଦେଉଳଗୁଡ଼ାକ ସତକୁ ସତ ଗୋଟିଏ ସତ୍ୟ-ପରିଚୟରେ ଉତ୍କଳ ହୋଇ ଦେଖାଯିବେ । ଏହି ପୃଥିବୀଟା ଯେ ପ୍ରକୃତରେ ସେହି ଜଣେ ପରମ କାରିଗରର ବରାଦ ଅନୁସାରେ ଗଢ଼ି ହୋଇଯିବାରେ ଲାଗିଛି, ତାହାପ୍ରମାଣ ପାଇବା ନିମନ୍ତେ ଆମକୁ ଆଉ କୌଣସି ଶାସ୍ତ୍ର ଘାଣ୍ଟିବାକୁ ମଧ୍ୟ ପଡ଼ିବ ନାହିଁ । ଅସଲ ଗୁରୁମାନେ ତେଣିକି ବେଳଟି ଆସି ପହଞ୍ଚିଗଲା ବୋଲି ଆପ୍ରାଣ କରିପାରିବେ ଏବଂ ନିଜକୁ ସେହି ଅନୁସାରେ ମଣେଇ ନେବେ । ଯେଉଁମାନେ ନ ପାରିବେ, ସେମାନେଧରା ପଡ଼ିଯିବେ । ସମ୍ପ୍ରଦାୟଗୁଡ଼ିକର ମଧ୍ୟ ପରୀକ୍ଷା ହୋଇଯିବ । ଚିତା,ପଇତା ଆଦିର ବଜାରଟା ପୂରା ମାନ୍ଦା ପଡ଼ିଯିବ । ସ୍ଵର୍ଗର ଭଗବାନମାନେ ସତେ ଅବା କ'ଣ ଗୋଟାଏ ଆକର୍ଷଣ ଫଳରେ ଏହି ପୃଥ୍ଵୀ ଉପରକୁ ଅବତରଣ କରିଆସିବେ ! ସେମାନେ ସିଧା ସିଧା ଏହି ମନୁଷ୍ୟମାନଙ୍କର ସମୂହଗୁଡ଼ିକର ହୃଦୟ ଭିତରକୁ ହିଁ ଓହ୍ଲାଇଆସିବେ । ସେହିଠାରୁ ହିଁ କଥା କହିବେ ।

 

ବୃହତ୍ତର ସହିତ ବୈରୀପଣ, ତାହା ହିଁ ବାନ୍ଧି ପକାଏ, –ଲାଳସାକୁ ବହୁବିଧ କରେ । ଭୀତି ଦେବାରେ ଲାଗିଥାଏ । ଲାଳସାଗୁଡ଼ାକୁ ଛାଡ଼ି ହୁଏନାହିଁ ଓ ପ୍ରାୟ ଯୁଗପତ ଭାବରେ ଲାଳସାମାନେ କାହିଁକି ଯାଉନାହାନ୍ତି ବୋଲି ଏକ ଉପଯୁକ୍ତ ଆତ୍ମଗ୍ଲାନିରେ ଘାଣ୍ଟି ହେବାକୁ ହୋଇଥାଏ ଏବଂ ଯାହାକୁ ମାଗି ଆଣିଥିବା ନାନା ବିବେକ ଦ୍ୱାରା ଚାଳିତ ହୋଇ ଆମେ ନର୍କ ବୋଲି କହୁଥାଉ, ସେଇଟାକୁ ମୋଟେ ଛାଡ଼ିହୁଏ ନାହିଁ ଏବଂ କଳ୍ପିତସ୍ଵର୍ଗଟା ମଧ୍ୟ ସୁଦୂର ପରାହତ ହୋଇ ରହିଥାଏ । ସିଏ ପ୍ରକୃତରେ ଏକ ଅତ୍ୟନ୍ତ ଦୁଃଖଦାୟକ ଜୀବନ, –ତୁମେ ସଂସାରରେ ଥାଅ ଅଥବା ସଂସାର ଛାଡ଼ି ଆସିଲ ବୋଲି ନିଜକୁ ବୋଧଗୁଡ଼ିକୁ ଦେଇ ଗୁରୁ ନିର୍ଣ୍ଣିତ କରି ଦେଇଥିବା କୌଣସି ବୃନ୍ଦାବନରେ ବି ଥାଅ, ଲାଳସା ଛାଡ଼େ ନାହିଁ । ସତେ ଅବା ଏକ ସାନ୍ତ୍ୱନା ଦେଇ ପାରୁଥିବା ଆରୋପଦ୍ରବ୍ୟ ବୋଲି ବିଚାରି ତାଙ୍କୁ ମଧ୍ୟ ବଡ଼ସିଙ୍ଗାର ଅଥବା ନବଯୌବନ ଭେଶରେ ସଜାଇ ଦିଆହୁଏ, ତାଙ୍କ ଲାଗି ବତିଶି ବ୍ୟଞ୍ଜନର ମଣୋହିବାଢ଼ି ଦିଆହୁଏ । ତଥାପି ଲାଳସା ନାମକ ସାପଟାକୁ ବେକରୁ ମୋଟେ କାଢ଼ି ଦେଇ ହୁଏନାହିଁ । ତେଣୁ, ଏହି ପୃଥିବୀ ଭିତରକୁ ଆପଣାକୁ ସମ୍ପ୍ରସାରିତ କରିଦେବାକୁ ହୁଏ, ଆପଣାର ଜୀବନରେ ଯାହା କିଛି ଅର୍ଥ ଓ ସତ୍ୟ ଆଣି ଦେଉଥିବା ସହ ମଣିଷମାନଙ୍କଦ୍ଵାରା ବିଭବଯୁକ୍ତ ହୋଇ ରହିଥିବା ଏହି ପୃଥିବୀକୁ ଆପଣାର ଗୃହ ବୋଲି ସ୍ୱୀକାର କରି ନେବାକୁ ହୁଏ ।

Image

 

ଉଚ୍ଚଶିକ୍ଷା ବହୁତ ଉଚ୍ଚ

 

ଆମର ଏହି ଭୂଇଁରେ ଉପରଟା ଭାରି ଜକଜକ, ଯେକୌଣସି ରାଜ୍ୟର ମୁକୁଟ ବାଗିର-। ଏଣେ ପାଦଦେଶଟା ଯେଡ଼େ ଖୋଡ଼ିଆ ହୋଇଥାଉ ପଛକେ କିମ୍ବା ମଥାଟାରେ ତୁଚ୍ଛା ମ୍ଳେଚ୍ଛଟାଏ ସବୁକିଛି ମାଡ଼ି ବସିଥିଲେ ମଧ୍ୟ ମୁକୁଟଟା, ମଥାନଟା ସତକୁ ସତ ଅତ୍ୟନ୍ତ ରସଶାଳୀ,–କେବଳ ଭାଗ୍ୟଶାଳୀମାନଙ୍କର ବେହରଣ ନିମନ୍ତେ ହିଁ ଉଦ୍ଦିଷ୍ଟ । ଶିକ୍ଷା ନାମକ ମହକୁମାଟା ମଧ୍ୟ ଠିକ୍ ସେହି ଅନୁସାରେ ବରାଦ ହୋଇ ରହିଛି । ସବାତଳେ, ଅର୍ଥାତ୍ ତୁମ ଆମର ଗାଆଁମାନଙ୍କରେ ମୂଳ ପଟାଳିଟାରେ ସବୁକିଛି କେବଳ ଅରମା ଏବଂ ଅବଛା ହୋଇ ପଡ଼ିଛି । ସେଗୁଡ଼ିକରେ ତୁମେ ପୂରା ସାହେବୀ କାଇଦାରେ ଯାହା ବୁଣ ପଛକେ, ସବୁକିଛି ଖାଲି ନଳିତା ଓ ନାଣ୍ଡି ବଗୁଲିରେ ପରିଣତ ହୋଇଯାଉଛି । ଯେତେ ଯେତେ ବିଶେଷଜ୍ଞ ଦିନରାତି ମୁଣ୍ଡ ଖର୍ଚ୍ଚ କରି ଯେତେ ଯାହା ଉଦ୍ଭାବନ କଲେ ମଧ୍ୟ କାଗଜଗୁଡ଼ାକ ଅନୁସାରେ ମୋଟେ ସେଠାରେ ପାଣି ଉଠି ପାରୁନାହିଁ, ଘୋଳିଆଗୁଡ଼ାକ ମୋଟେ ବନ୍ଦ ହେଉନାହିଁ । ସତେ ଯେପରି ଯିଏ ଯେତେ ବଡ଼ ତଦ୍‍ବିର କରିବା ନିମନ୍ତେ ଏହି ଆଖୁବାଡ଼ିଟା ଭିତରେ ପଶୁଛି, ସିଏ ବଗୁଲିଆ ହୋଇଯାଉଛି । ମାତ୍ର, ଉଚ୍ଚଶିକ୍ଷାରେ ମଧ୍ୟ ସେହି ବଗୁଲିଆମାନେ ହିଁ ଅଛନ୍ତି କି ନାହିଁ, ତୁମେ ସେକଥା ମୋଟେ ସାହସ କରି କହି ପାରିବ ନାହିଁ-। କୋଠାଗୁଡ଼ାକ ସତକୁ ସତକେଡ଼େ ଉଚ୍ଚ । କାଇଦାମାନେ ତେଣିକାର କେଉଁ ମଣିରାଜପୁର ଅଥବା ମହାଜ୍ଞାନଗଡ଼ରୁ ଆମଦାନୀ ହୋଇ ଆସିଛନ୍ତି । ସେଠାରେ ଭାଷାଟା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଗୋଟାଏ । ରାଜଭାଷା, –ସତେଅବା କେବଳ ଶାସକମାନଙ୍କୁ ଗଢ଼ି ଥୋଇଦେବା ନିମନ୍ତେ ଖାନଦାନୀ ତାରକସୀ କାରିଗରୀ ଦେଇ ତିଆରି ହୋଇଛି । ବହିମାନେ ଅକଥନୀୟ ଭାବରେ ମୋଟା, –ଉପାଧ୍ୟାୟମାନେ ଅତ୍ୟନ୍ତ ପୃଥୁଳ, ସରଳ ଓ ସିଧାଗୁଡ଼ାକୁ ଜଟିଳଏବଂ ଗମ୍ଭୀର କରି ପାରିବାରେ ବହୁତ ଧୁରନ୍ଧର । ସେମାନେ ସମସ୍ତେ ଏହି ଦେଶରେ ଜନ୍ମ ହୋଇଛନ୍ତି ସିନା, କିନ୍ତୁ ଏପରି ଏକ ଅନ୍ୟ ସାହୀର ମାଆମାନଙ୍କ ଠାରୁ ସ୍ତନ୍ୟପାନ କରି ଗ୍ରନ୍ଥି ଯୁକ୍ତ ହୋଇ ବଢ଼ିଛନ୍ତି ଯେ, ସବୁବେଳେ ସେହି ଉପରକୁ ଓ ଆହୁରି ଉପରକୁ ନଜର କରି ରହିଛନ୍ତି । ତଳେ ଗୋଟାଏ ମୂଳଦୁଆ ଅଛି ଏବଂ ତାହାରିଉପରେ ସେମାନେ ଠିଆ ହୋଇଛନ୍ତି ବୋଲି ହାଉଲେ ହାଉଲେ ପାସୋର ବି'ଗଲେଣି । ଏମାନଙ୍କୁ ଆମ ଏଇଠିକାର ହିଁ ପୁଅ ଅଥବା ପୁତୁରା ବୋଲି କହିବାକୁ ସତକୁ ସତବଡ଼ ଡର ବି ଲାଗିଲାଣି । ହଁ ସଙ୍ଗାତ, ହଁ ମିତ, ଅବଶ୍ୟ ମନେ ରଖ ଯେ, ଏହି ଉଚ୍ଚଶିକ୍ଷାଟା ପ୍ରକୃତରେ ଖୁବ୍ ଉଚ୍ଚ, ଖୁବ୍ ଉଚ୍ଚ ।

 

ପ୍ରଥମେ ଉଚ୍ଚଶିକ୍ଷାର ଏହି ପେଣ୍ଡମାନେ ଆଦୌ ଏତେ ସଂଖ୍ୟାରେ ନଥିଲେ । ବିଶ୍ୱବିଦ୍ୟାଳୟ ନାମକ ଏହି ମହାକେନ୍ଦ୍ରମାନେ ତ ଏକାବେଳକେ ଏବେ ଯାଇ ଅବତାର ଗ୍ରହଣ କଲେ । ସ୍ଵାଧୀନତା ପରେ କେଉଁ ଅନୁକୂଳ ପବନମାନେ ଆମର ଚିତ୍ତକୁ ଦୃଷ୍ଟକରି ପକାଇଲେ କେଜାଣି, ଆମ ଗାଆଁଗଣ୍ଡା ମାନଙ୍କୁ ବି ଏହି କୋଠାମାନେ ସଂକ୍ରାମିତ୍ର ହୋଇଗଲେ । ଘରେ ପଖାଳଭାତ ଖାଇ କଲେଜକୁ ଯାଇପାରିବ, ଏହାଠାରୁ ବଳି ଆଉ ଅଧିକ ସୌଭାଗ୍ୟର ବିଷୟ କ'ଣ ହୋଇପାରେ ? ତେଣୁ, ପୁଅମାନଙ୍କ ସହିତ ଝିଅମାନେ ବି ପଢ଼ିଲେ । ସରକାରୀ ସାଙ୍ଗକୁ ସମ୍ଭବତଃ ଆହୁରି ଅଧିକ ସଂଖ୍ୟାରେ ବେସରକାରୀ କଲେଜମାନେ ସ୍ଥାପିତ ହେଲେ । ଶିକ୍ଷାର ଆଗ୍ରହଟା ସହିତ ରାଜନୀତିକ ଆଗ୍ରହଟା ମଧ୍ୟ ଖୁବ୍ କାନ୍ଧ ପତାଇଦେଲା । ବେଳ ଜାଣି ବିଶ୍ୱବିଦ୍ୟାଳୟଟାଏ ବି ଖୋଲି ଯାଇଥିଲା । ତାହାରି ତରଫରୁ ପରୀକ୍ଷା ନିଆଗଲା ଏବଂ ଯୋଗ୍ୟତାସୂଚକ ଔପଚାରିକ କାଗଜଟିଏ ମିଳିଯାଇପାରିଲା । ଆଦୌ ମୁଣ୍ଡ ଖର୍ଚ୍ଚ କରିବାକୁ ପଡ଼ିଲା ନାହିଁ । ମଡେଲଗୁଡ଼ାକ ତ ସେହି ବ୍ରିଟିଶ ଅମଳରୁ ରହିଥିଲା । ତେଣୁ ସବୁ ସେହି ଛାଞ୍ଚମାନଙ୍କ ଅନୁସାରେ ପ୍ରାଣ ପାଇ ଉଠିଲା । ହଁ, ଦେଶର ସରକାର ଅବଶ୍ୟ ଉଚ୍ଚଶିକ୍ଷାର କ୍ଷେତ୍ରରେ କ'ଣସବୁ ପରିବର୍ତ୍ତନ ଅଣାଇବାର ଶୁଭେଚ୍ଛା ସହିତ ଦୁଇଟା ଅଢ଼େଇଟା କମିଶନ ମଝିରେ ମଝିରେ ବସାଇ ନୂଆ ନୂଆ ଉତ୍ସାହର ସୃଷ୍ଟି କରିଥିଲେ ସିନା, କିନ୍ତୁ ସେମାନଙ୍କର ସୁପାରିଶଗୁଡ଼ିକ ବହି ହୋଇ ରହିଲେ । ଶିକ୍ଷା ସମ୍ପର୍କୀୟ ଗବେଷଣାମାନଙ୍କରେ କାମରେ ଲାଗିପାରିଲେ । ଗୋଟାଏ ସ୍ୱାଧୀନ ଦେଶର ପ୍ରତ୍ୟାଶାଗୁଡ଼ିକୁ ବେକ ମୋଡ଼ି ଦେଇ ମାରିଦେବାର ଅପପ୍ରୟାସଗୁଡ଼ିକ ସତକୁ ସତ ଏହି ଉଚ୍ଚଶିକ୍ଷାନାମକ ମଜଲିସଟାଠାରୁ ଆରମ୍ଭ ହୋଇଛି କି ? –ବେଳେ ବେଳେ ଅନ୍ତରଟା ଭିତରେ କେଉଁ ପାପଟା ଆସି ଛୁଇଁ ପକାଏ କେଜାଣି, ଏପରି ଭାବିବାକୁ ପ୍ରକୃତରେ ଖୁବ୍ ମନହୁଏ । ଦେଶର ଆତ୍ମାଟା କୋଉଠି କ୍ରୋଧରେ ଦାନ୍ତ କଡ଼ମଡ଼ କରି ଉଠେ ।

 

ବୌଦ୍ଧକାଳର ଶିକ୍ଷାତୀର୍ଥଗୁଡ଼ିକର ସେହି ବିହାରଗୁଡ଼ିକ ଏବଂ ସେହି ଭବ୍ୟନାମଟିକୁ ମାଗି ଆଣି ଆପଣାର ନାମକରଣ କରାଇବା ଆମର ଏହି ଉଚ୍ଚଶିକ୍ଷାର ବିହାରମାନେ, ଉପାଧ୍ୟାୟମାନେ କ'ଣ କ'ଣ ପଢ଼ାଇବେ, ତାହା ଆଗରୁ ଖନ୍ଦା କାଟିଲେଖି ଦିଆଯାଇଛି । ସେହି ଗୁଳାରେ ହିଁ ଯିବାକୁ ହେବ । ନିର୍ଘଣ୍ଟ ଅନୁସାରେ ଶ୍ରେଣୀରେ ଯାଇ ପଢ଼ାଇଦେବ ଏବଂ ସେତିକିରେ କାମ ଶେଷ । ତା'ପରେ ତୁମେ ଯାହା ମଧ୍ୟ କର କିମ୍ବା ନକରି ପଛକେ, ମୋଟେ କିଛି କହିବାକୁ ହିଁ କେହି ନାହାନ୍ତି । କେତେଟା ଇଂରାଜୀ ବହିକୁ ଘାଣ୍ଟି ତୁମେ ଯେତିକି ଅଧ୍ୟାପନା ନାମରେ ବାଢ଼ି ଦେଉଛି, ସେତିକିକୁ ନିତାନ୍ତ ଏକନିଷ୍ଠ ଭାବରେ ବର୍ଷ ବର୍ଷ ଧରି ଗାଳି ପକାଉଥିଲେ ମଧ୍ୟ କେହି କହିବାକୁ ନାହାନ୍ତି । ନନାମାନଙ୍କ ଅନୁସାରେ ଯଜମାନମାନେ ମଧ୍ୟ ସେହିପରି ପ୍ରାୟ ପରମ୍ପରା କ୍ରମେ ନିଜକୁ ପ୍ରାୟ ଯନ୍ତ୍ରବତ୍ ଅନୁକୂଳିତ କରି ନେଲେଣି । ମନନ ଅଥବା ମନ୍ଥନର କୌଣସି ଅବକାଶ ହିଁ ନାହିଁ । ଡାଇଲଗ୍ ଧନ୍ଦାରେ ପଶିଗଲେ ବରଂ ବିପଦ ଘଟିବାର ସମ୍ଭାବନା ରହିଛି । ହଁ, ଜଣେ ଜଣେ ଅଧିକ ଚତୁର ଗୁରୁଦେବମାନେ ଟୀକା ପୁସ୍ତକମାନ ଲେଖି ଦେଇଛନ୍ତି; ତୁମେ ସେହିଗୁଡ଼ିକୁ ପଇଟାଇ ରଖିବ । ବୁଝୁ ନ ବୁଝି ଗୀତାକୁ ପଇଟାଇ ରଖିଲାପରି ଅଧିକ ନିଶ୍ଚିତ ଭାବରେ ସେଇଟା ବି କାମ ଦେବ ଗୁରୁମାନଙ୍କୁ ପ୍ରସନ୍ନ କରି ରଖିବାର ଅର୍ଥାର୍ଥୀ ବୁଦ୍ଧିଟା ଅପେକ୍ଷା ସହଜତର ମାର୍ଗ ଯେଆଉ କେଉଁଠି ନାହିଁ, ଥରେ ତାହାର ଗୁମର ପାଇଗଲେ ଏହି ଗଜା ଯୌବନର ବୟସରେ ମଧ୍ୟ ଛାତ୍ରଟିର ବୁଢ଼ା ହୋଇଯିବାକୁ ଇଚ୍ଛା ହେବ । କିଛି ନବୁଝିଥିଲେ ମଧ୍ୟ ଚଳିବ, –ଖାଲି ଯୋଗ୍ୟ ଭାବରେ ଉକାଳି ଦେଇପାରିଲେ ହେଲା । ଆଖର ଲକ୍ଷ୍ୟଟା ତପ୍ରାମାଣିକ ସେହି କାଗଜଟିକୁ ହିଁ ହାତରପାଞ୍ଚ କରିବା । ପୂରା ରାଣ ପକାଇ କୁହାଯାଇପାରିବ ଯେ, ତୁମରୁ ଅନେୱାଲା କର୍ମଜୀବନରେ ଅର୍ଥାତ୍ ଚାକିରି ଖଣ୍ଡ ଧରିକିଛି ବେତନ ପାଇବାର ନିର୍ଦ୍ଧାରିତ ସେହି ନାଟ୍ୟ ମନ୍ଦିରମାନଙ୍କରେ ତୁମର ଏହି ଅଧିତ ପାଠମାନେ ମୋଟେ ଲୋଡ଼ା ହେବେ ନାହିଁ । ବରଂ ଅପାଠମାନେ ହିଁ ଅଧିକ ଉପକାର କରିବେ । ଏବଂ, ତୁମେ ମଧ୍ୟ ରାଣ ପକାଇ କହିଲ, ଜୀବନରେ ଏହି ପଠିତ ଚିଜଗୁଡ଼ିକ ସତକୁ ସତ ତୁମ ସହିତ ରହିବେ ଓ ତୁମେ ମଧ୍ୟ ସେହି ମାର୍ଗରେ ମଧ୍ୟ ରହିବ ବୋଲି ସ୍ଥିର କରି କ'ଣ ତୁମେ ଏହି ବିଷୟଗୁଡ଼ିକୁ ବାଛିଛି ଏବଂ ଅଗତ୍ୟାଦିକଦାର ହେଉଛି-? ନା ଯାହା ଜୁଟିଗଲା, ସେଇଟାକୁ ହିଁ ଗର୍ଭସ୍ଥ କରି ନେଉଛି ? ବିଶ୍ୱାସ କର, ତୁମେ ଯଦି ସୁଚାରୁ ରୂପେ ଚାକିରିଟାଏ କରି ମାମଲତମାନଙ୍କୁ ନେଇଆଣି ଥୋଇପାରିଲ, ତେବେ ତୁମକୁ କେହି ତୁମର ପାଠ ବିଷୟରେ ପଚାରିବେ ନାହିଁ । କାଲର ମାଆମାନେ କାଲର ଠାର ଗୁଡ଼ାକରୁ ହିଁ ସବୁକିଛି ଅଲବତ ବୁଝି ନେଇପାରିବେ ଓ ତୁମ ପ୍ରତି ସଦୟ ହୋଇ ରହିଥିବେ ।

 

ବିଶ୍ୱବିଦ୍ୟାଳୟ ନାମକ ଯେଉଁ ପରିମଳ ଏବଂ ପରମ୍ପରା ପୃଥିବୀରେ କ୍ରମ ବିକଶିତ ହୋଇ ଏଯାଏ ଆସିଲାଣି, ସେଥିରେ ଉଚ୍ଚ ଅଧ୍ୟୟନ ନିମନ୍ତେ ମୋଟେ ସମସ୍ତଙ୍କ ଲାଗି ସାହାଣଟା ଖୋଲା ହୋଇ ରହିନଥାଏ । ଯାହାର ରୁଚି ଥାଏ, ସେଇ ସେଠାରେ ଅଧ୍ୟୟନ କରିବା ସକାଶେ ଯାଏ । ବିଶେଷ ଭାବରେ ହିଁ ଆପଣାର ଯୋଗ୍ୟତାର ପ୍ରମାଣ ଦେଲେ ହିଁ ସେଠାକୁ ଯାଇହୁଏ । କେଉଁ ଧୂର୍ତ୍ତମାନେ କୋଉ ଅଶୁଭକୂଟ କରି ଆମ ଦେଶର ଚାକିରିଗୁଡ଼ାକୁ ବିଦ୍ୟାଧ୍ୟୟନ ସହିତ ନେଇ ଯୋଡ଼ି ରଖିଛନ୍ତି । ଯେ, ସେଠାରେ ଯିଏ ପାରୁଛି ସିଏ ଯାଇ ପଶିଯାଇ ପାରୁଛି । ପଇସା ଗୁଞ୍ଜି ଦେଇ ମଧ୍ୟ ପଶି ହେଉଛି । ଖଣ୍ଡ ପ୍ରତ୍ୟୟପତ୍ର ହାସଲ କରିବାକୁ ହିଁ ଏଡ଼େବଡ଼ ଗୋଦାମଟିଏ ଆମ ଉଚ୍ଚଶିକ୍ଷାର ମହୁଡ଼ଗୁଡ଼ାକୁ ନାରଖାର କରି ରଖିଛି । ସେଥିପାଇଁ ତୁମେ ସେଠାରେ ଯାଇଯାହା ଅଧ୍ୟୟନ କରିଛି, ତୁମ ଉଦରଭିରଣର ତୁଠ ମାନଙ୍କରେ ତାହାର ଆଦୌ କୌଣସି ପ୍ରୟୋଜନ ହିଁ ନାହିଁ । ନହେଲେ ନିତାନ୍ତ ଅଲାଜୁକ ଭାବରେ ଜଣେ ସାହିତ୍ୟରେ ଉଚ୍ଚ ପାଠ ପଢ଼ି ତହସିଲଦାର କାହିଁକି ହୁଅନ୍ତା, ଦର୍ଶନଶାସ୍ତ୍ର ପଢ଼ି ଅବକାରୀ ବିଭାଗରେ ବଡ଼ ପଣ୍ଡାଟାଏ ହୋଇ ବସି ଯାଆନ୍ତା କାହିଁକି ଏବଂ ଇତିହାସ ଅଧ୍ୟୟନ କରି ଆୟକର ଇଲାକା ପାଇଁ କାହିଁକି ବା ମନ କରନ୍ତା ! ପୁନଶ୍ଚ ପଦାର୍ଥ ବିଜ୍ଞାନ ଅଧ୍ୟୟନ କରି ସରକାରୀ ଶାସନ ଘରମାନଙ୍କରେ ଗୋଟାଏ ଐରାବତ ମାକହାକିମ ହେବାକୁ କ'ଣ ପାଇଁ ହକ ଦକ ହୁଅନ୍ତା ? ଯିଏ ପାଠୁଆଟାଏ ବୋଲି ନିଜରପ୍ରମାଣ ଦେଖାଇ ଆମ ମୁଲକମାନଙ୍କର ଶାସନରେ କାରିନ୍ଦା ହୋଇ ପଶିଯାଉଛି, ସେଠି ସିଏ ମନ ନଥିଲେ ମଧ୍ୟ ବାବୁପଣ କରିବାରେ ଲାଗିଛି ଏବଂ ତଦ୍ୱାରା ଯେ ଏଠିଶାସନଟା ସତକୁ ସତ ବଡ଼ ଛତରା ହୋଇଯାଉଛି, ସେ କଥାଟାର ହିସାବ ମଧ୍ୟ କରିବା ନିମନ୍ତେ କିଏ କାହିଁକି ମନ କରିବ ? ସର୍ବୋପରି, ତାହାରି ଫଳରେ ପୁଳାଏ । ମୂର୍ଖ ହିଁ ଆମ ଦେଶ ତଥା ଭାଗ୍ୟର ଦୁଃଖସୁଖ ଘରେ ମୂଳ କୁଞ୍ଚକାଠି ଗୁଡ଼ାକୁ, ନିଜମୁଠାରେ ରଖି ପ୍ରଜାକୁଳଙ୍କ ଉପରେ ମାମଲତ ଯେ କରୁଛନ୍ତି, ଆପଣ କହିଲେ କୌଣସି ବିଶ୍ୱବିଦ୍ୟାଳୟ କାହିଁକି ସେହି ବିଷୟଟିର ଭିତରେ ପଶି ଆଦୌ କୌଣସି ସତଅନୁସନ୍ଧାନ କରିବାକୁ ଇଚ୍ଛା କରିବ ?

 

ଏହି ନାଟରେ କୁଳ ଅଛି ବୋଲି ସିନା କୁଳପତି ଏବଂ କୁଳାଧିପମାନେ ମୁତୟନ ହୋଇ ରହିଛନ୍ତି । ? କୁଳ ଅର୍ଥାତ୍ ଏହି ଦେଶର କୋଟି କୋଟି ମଣିଷଙ୍କର ଏହି ଜୀବନଭୂମି, ଭବିଷ୍ୟ ବିଷୟରେ ସେମାନେ ଦେଖୁଥିବା ବହୁ ବହୁ ସ୍ଵପ୍ନ, –ନିଜର ଦେଶଟାକୁ ସତକୁ ସତ ନିଜର ବୋଲି ଅତ୍ୟନ୍ତ ସକ୍ରିୟ ଭାବରେ ଅନୁଭବ କରି ପାରିବା ସକାଶେସେହି ଅନୁରୂପ ତଥା ଅତ୍ୟାବଶ୍ୟକୁ ଚେତନାଟିଏ, –କୁଳର ଶ୍ରୀମନ୍ତମାନେ ଆଗଏଗୁଡ଼ିକ ସମ୍ବନ୍ଧରେ ବିଶ୍ୱବିଦ୍ୟାଳୟମାନଙ୍କୁ ଅର୍ଥାତ୍ ଉଚ୍ଚଶିକ୍ଷାକୁ ସମ୍ପୃକ୍ତ କରି ରଖିପାରିଲେ ସେମାନେ ପ୍ରକୃତରେ ଧର୍ମରେ ଅଛନ୍ତି ବୋଲି ସିନା ଏକ ପ୍ରତ୍ୟୟ ଅର୍ଥାତ୍‍ ସୁସ୍ଥ ପବନ ସମ୍ଭବ ହୋଇପାରନ୍ତା ! ତେବେ, କୁଳଟା ହିଁ ସବା ଆଗ ପ୍ରେରଣା ଦିଅନ୍ତା ଓ ଅକଲ ବି ଯୋଗାଇ ଦେଇପାରନ୍ତା । ଉଚ୍ଚଟା ଆଉ ମୋଟେ ଅପହ ବୋଲି ଲାଗନ୍ତା ନାହିଁ, –ତେବେ ଯାଇ ତାହା ତଳର ଏହି ବହୁ ପ୍ରତିଶ୍ରତିଯୁକ୍ତ ବିଶାଳ ଭୂମିଟା ଲାଗି ବହୁତ କାମରେ ଲାଗନ୍ତା । ତରି ଯାଆନ୍ତା । କିନ୍ତୁ, ଅସଲ ପ୍ରତିବନ୍ଧକଟା ହେଉଛି ଭାଷା, –ଭୂମିର ଭାଷା, ସର୍ବଜନର ଭାଷା ଓଡ଼ିଶାରେ ଓଡ଼ିଆ ଭାଷା ଯେଉଁଟା ନିମନ୍ତେ ଆମର ବିଶ୍ୱବିଦ୍ୟାଳୟମାନଙ୍କରେ ସତେଅବା ଅନୁକମ୍ପା କରି ଜଣେ ଜାଗା ଛାଡ଼ି ଦିଆଯାଇଛି । ସେଠାରେ ଆମ ସକଳକୁ ମତଲବକୁ ଖଟାଇ ଶିକ୍ଷିତ ସାହେବମାନେଏପରି ଗୋଟିଏ ଭାଷାରେ ସମ୍ପତଃ ଏକ ଅଶିକ୍ଷିତ ଏବଂ ଅସୂୟାପୂର୍ଣ୍ଣ ହାଉଆକୁ ମଣକରିବାରେ ଲାଗିଛନ୍ତି, ଯାହାଦ୍ୱାରା ଭୂମି ସହିତ ରହିଥିବା ଚେରଗୁଡ଼ିକ ଛିଣ୍ଡିଯାଉଛି, ଭିତରେ ପ୍ରାୟ କୌଣସି ଶିକ୍ଷାଗତ ଭଦ୍ରତା ନଥାଇ ପଲେ ଲେଖାଏଁ ବାହାରି ବୃହତ୍ତର ଜୀବନ-ଭୂମିଟି ପ୍ରତି କେବଳ ଅବଜ୍ଞା ପ୍ରଦର୍ଶନ ହିଁ କରୁଛନ୍ତି । ପେଟରେ ପାଠ ହିଁ ନାହିଁ । ଭୂମିଟା ସହିତ ଯାହା ଅନ୍ତରଙ୍ଗ ଏବଂ ଉତ୍ତରଦାୟୀ ହୋଇ ରହିବାକୁ ମନ କରୁନାହିଁ, ସେହି ପାଠକୁ କ'ଣ ପାଇଁ ପାଠ ବୋଲି କୁହାଯିବ ?

 

ଉଚ୍ଚଶିକ୍ଷାର ଏହି ଜେଗାଘରମାନଙ୍କରେ ଯେଉଁମାନେ ପାଠ ପଢ଼ାଉଛନ୍ତି, ସେମାନେ ବି ବହିର ସେହି ଭାଷାଟାରେ ଗୁଡ଼ାଏ ଗାଳି ପକାଇବା ବ୍ୟତୀତ ଆଉ କ'ଣବା କରି ପାରୁଛନ୍ତି ? ସେମାନଙ୍କୁ କୁହନ୍ତୁ ତ, ସେମାନେ ଯାହା ପଢ଼ାଉଛନ୍ତି, ତାହାକୁ ଓଡ଼ିଆ ଭାଷାରେ ତୁମେ ଆମେ ବୁଝି ପାରିବା ଭଳି କେଇପଦ କହନ୍ତୁ, ତେବେ ସେମାନେ ତତ୍‌କ୍ଷଣାତଭାରି କାତର ଓ ଲଣ୍ଡଭଣ୍ଡ ହେବାକୁ ଆରମ୍ଭ କରିବେ । ପାଠ ବୋଲି ତୁମେ ଯାହାକୁ ନିଜର ମଥା ଭିତରେ ଭାଡ଼ି ମାରି ରଖିଛି, ତାହାକୁ ଯଦି ତୁମ ଲୋକଭୂମିଟି ସହିତ ସନ୍ଦର୍ଭ ଯୋଡ଼ି କରି କହି ନପାରିଲ, ତେବେ ତୁମର ସବୁ ପାଠଚୁଲିକି ଯାଉ ପଛକେ, ଏହି ଦୁର୍ଦ୍ଦିନର ଯଥାଶୀଘ୍ର ଅନ୍ତ ହେଉ । ଉଚ୍ଚଶିକ୍ଷାର ଉପାଧ୍ୟାୟମାନଙ୍କର ସମ୍ଭବତଃ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ଭାବରେ ସାମର୍ଥ୍ୟ ଓ ଯୋଗ୍ୟତାର ମାନଦଣ୍ଡ ରୁପେ ଏହାହିଁ ରହୁ ଯେ, ସେମାନେ ନିଜର ବିଶେଷ ବିଷୟଟି କ୍ଷେତ୍ରରେ ଓଡ଼ିଆ ଭାଷାରେ ହିଁ ଅନ୍ତତଃଖଣ୍ଡ ପ୍ରାମାଣିକ ପୁସ୍ତକ ଲେଖିବେ, ଯାହା ସତକୁ ସତ ତୁମେ ଆମେ ବୁଝିପାରିବା ଅର୍ଥାତ୍ ଯାହାଦ୍ୱାରା ତୁମେ ଆମେ ପ୍ରକୃତରେ ଉପକୃତ ହୋଇ ବି ପାରିବ । ଏକଦା ଏହିଭଳି କାର୍ଯ୍ୟଟିଏ ପାଇଁ ଓଡ଼ିଶାକୁ କୋଟିଏଟଙ୍କା ମଧ୍ୟ ମିଳିଥିଲା । ଓଡ଼ିଶାକୁ ଅର୍ଥାତ୍ ଓଡ଼ିଆ ଭାଷାକୁ, ସେହି ଯୋଜନାଟିକୁ ଭୂତମାନେ ଖାଇଗଲେ । ସେମାନଙ୍କ ଭିତରୁ ଅଧିକାଂଶ ଏପରି ହିଁ ଥିଲେ, ଯେଉଁମାନେ ଅଧ୍ୟାପକ ହୋଇ ଗୁଜରାଣ ମେଣ୍ଟାଉଥିଲେ, ଭୂମିର ଭାଷାଟିକୁ ଉପହାସ କରୁଥିଲେ ଓତେଣୁ ସମଗ୍ର ଯୋଜନାଟିର ଇଜ୍ଜତ ନେବାରେ ଖେଳୁଆଡ଼ ହୋଇ ବାହାରିଲେ । ସେମାନେ ଆପେ ହିଁ ସେହି ଯୋଜନାଟି ଦ୍ୱାରା ଉପକୃତ ହେଲେ । ଭାରତର ଆଉ ଏକାଧିକ ଭାଷା ସେହି ପୁଞ୍ଜି କୁ ଲଗାଇ କେତେ କୁଆଡ଼େ ସମୃଦ୍ଧିମନ୍ତ ହୋଇପାରିଲେ, । କିନ୍ତୁ ଆମର କୁଳଶ୍ରେଷ୍ଠମାନେ ସତେ ଅବା ଜାଣିଶୁଣି ଅପାରଗତା ପ୍ରକଟ କଲେ । କହିବା ବାହୁଲ୍ୟ, ସେମାନଙ୍କର ସବୁଯାକ କାଗଜ ତଥା କାରବାର ଇଂରାଜୀରେ ହିଁ ଚାଲୁଥିଲା । ତେଣୁ, ଏହିପରି ପଶା ଖେଳୁ ଖେଳୁ କୋଟିଏ ଟଙ୍କା ଖଇରାତ ହେଲା । ଓଡ଼ିଶାରେ ଶୀତଦିନଟାକୁ ଚିରଞ୍ଜିବୀ କରି ରଖିବାରେ ଏଇଟାର ବି କିଛି ଅବଦାନ ଅବଶ୍ୟ ରହିଲା ।

Image

 

ଆମକୁ ଡାକୁ ନାହିଁ କାହିଁକି ?

 

ଆମେ ଦରିଦ୍ର, ଯୁଗ ଯୁଗ ଧରି ଖଟି ଆସୁଛୁ ଅଥଚ ପେଟ ପୂରିବା ମୁତାବକ ରୋଜଗାର କରିପାରୁନାହୁଁ, ଆମ ଘରମାନଙ୍କର ସବୁ ପିଲାଙ୍କ ଲାଗି ଇସ୍କୁଲ ନାହିଁ, । ଯେତିକି ବା ଅଛି, ସେଗୁଡ଼ାକ ଭାରି ଅରକ୍ଷିତିଆ ଧାରାରେ ଚାଲିଛି । ଆମେ ପୃଥିବୀଯାକ ଗୋଟାସୁଦ୍ଧା ମୂଲିଆ ହୋଇ ରହିଛୁ–ବିଲ ଆମର ନୁହେଁ ଅଥଚ ବିଲରେ ମୂଲିଆ, ଖଣି ଆଉ କାହାର ଅଥଚ ଆମେମାନେ ସେଠାରେ ମଧ୍ୟ ମୂଲିଆ, କାରଖାନାରେ ମୂଲିଆ ଅଥଚ କାରଖାନାଗୁଡ଼ାକ ଆଉ କାହାର । ଭାରି ଶୁଣାଯାଉଛି ଯେ ଏବେ ଆମ ବିଷୟରେ ତେଣେ ବାବୁମାନଙ୍କର ପୃଥିବୀରେ ଭାରି ଆଲୋଚନାମାନ ଚାଲିଛି । ଖାଲି ଗୋଟାଏ ରାଜ୍ୟ ଏହି ଓଡ଼ିଶାରେ ନୁହେଁ କିମ୍ବା ଗୋଟାଏ ସାମ୍ରାଜ୍ୟ ଏହି ଭାରତବର୍ଷରେ ନୁହେଁ, ସାରା ପୃଥିବୀରେ ଘୋର ଆଲୋଚନାମାନ ଚାଲିଛି । ଉତ୍ସବତୁଲ୍ୟ ମଣ୍ଡପମାନଙ୍କରେ ଘମାଘୋଟ ଆଲୋଚନାକୁ କେତେ ନା କେତେ ପଣ୍ଡିତମସ୍ତମସ୍ତ ହସହସ ବଦନରେ କରିବାରେ ଲାଗି ଯାଇଛନ୍ତି । ଆମକୁ ପଣ୍ୟ କରି ଏତେକାଣ୍ଡ ହେଲାଣି, ଅଥଚ ଆମକୁ ଡାକରା ହୋଇନାହିଁ । ଆମର ଭାଗ୍ୟ ପରିବର୍ତ୍ତନ ହେବା ସକାଶେ ଯାହା ସବୁ ପ୍ରତିକାର ଅବଶ୍ୟ ଆବଶ୍ୟକ ବୋଲି ସଭାମାନଙ୍କରେ ମତପ୍ରକାଶ ପାଉଛି, ସେହି ଅନୁସାରେ କୋଟି କୋଟି ଟଙ୍କା ଦୂରଦୂରାନ୍ତରୁ ଆସି ପହଂଚିଯାଉଛି । ଆମ ବିଷୟରେ ଖାତାମାନଙ୍କରେ ଯାହାସବୁ ହିସାବ କରି ଲେଖାଯାଇଛି, ସେହି ଅନୁସାରେ ଅର୍ଥ ଆସୁଛି, ସରଞ୍ଜାମମାନ ଆସୁଛି । ଯେଉଁମାନେ ବଦାନ୍ୟତା ପ୍ରମାଣ କରି ସେସବୁ ପଠାଉଛନ୍ତି, ସେମାନେ ତ ଆମ ବିଷୟରେ ସିଧା କିଛି ଜାଣିନାହାନ୍ତି–ତେଣୁ ଆମ ପାଇଁ ଏତେ ଏତେ ଟଙ୍କା କିପରି ବଢ଼ାଇଦେଇ ପାରୁଛନ୍ତି ? ଖାଲି ମୁଣ୍ଡ ସୁମାରି ଓ ଅଙ୍କ ସୁମାରିରୁ ଏମାନେ ସମସ୍ତେ ଆମର ସତ ହାଲତଗୁଡ଼ିକୁ କିପରି ଜାଣି ପାରୁଛନ୍ତି କେଜାଣି ?

 

ଏହି ସବୁ ଉତ୍ସବ ଓ ମଣ୍ଡନକୁ ସେମାନେ ସେମିନାର ବୋଲି କହୁଛନ୍ତି । କୋଉଭାଷାରେ ସିନା ସେମିନାର, ଆମ ଓଡ଼ିଆ ଭାଷାରେ କର୍ମଶାଳା । ସତେଅବା ଅକର୍ମଶାଳାମାନଙ୍କର ଏକ କର୍ମଶାଳା । ଆମ ଘରର ସବୁ ପିଲା ପାଠ ପଢ଼ି ସ୍କୁଲକୁ ଯାଉନାହାନ୍ତି, ଯେତିକି ଯାଉଛନ୍ତି, ସେମାନଙ୍କ ଭିତରୁ ଅଧିକରୁ ଅଧିକ ଅଧାରୁ ଇସ୍କୁଲ ଛାଡ଼ି, ବାହାରି ଆସୁଛନ୍ତି । ସତେଅବା ମୁହଁ ମୋଡ଼ିଦେଇ ଚାଲି ଆସୁଛନ୍ତି । ଇସ୍କୁଲ ଦେଖୁନଥିବା ବା ଇସ୍କୁଲ ଛାଡ଼ୁଥିବା ଏହି ଦଳଟାରେ ଝିଅ ହେଉଛନ୍ତି ପୁଅମାନଙ୍କଠାରୁ ସଂଖ୍ୟାରେ ଅଧିକ । ପୁନଶ୍ଚ ଆମ ଘରର ଛୁଆମାନଙ୍କ ଭିତରୁ ଯେଉଁମାନେ କିଛି ନାକିଛି କାମ କରି ପାଞ୍ଚ ପଇସାଘରକୁ ଆଣୁଛନ୍ତି, ସେମାନଙ୍କୁ ଏହି ରୀତିଟିକୁ ନିତାନ୍ତ ନୃଶଂସ ବୋଲି ସମଝି ବାବୁମାନେ ଶିଶୁଶ୍ରମିକ ବୋଲି କହୁଛନ୍ତି-। ଶିଶୁଶ୍ରମିକମାନଙ୍କ ବିଷୟରେ ବି ସେମିନାର ବସୁଛି । ଯେଉଁମାନେ ବିଜ୍ଞତାପୂର୍ଣ୍ଣ ଓ ତଥ୍ୟତ୍କଳ ଭାଷଣ ଦେଇ କକ୍ଷଟାକୁ ଚକିତ କରି ଦେଉଛନ୍ତି, ସେମାନେ ଆମ ପିଲାଙ୍କୁ ଶ୍ରମ ଭିତରୁ ଛଡ଼ାଇଆଣି ସେମାନଙ୍କର ନିଜ ଛାଞ୍ଚର ପାଠପଢ଼ାମାନଙ୍କରେ ପୂରାଇ ଦେବା ନିମନ୍ତେ ବହୁପ୍ରତିକାର ବାଡ଼ି ଦେଉଛନ୍ତି । ଗାଆଁର ପଞ୍ଚାୟତ ନିମନ୍ତେ ସହରରେ ସେମିନାରମାନ ବସୁଛି-! ସମସ୍ତଙ୍କୁ ପାନୀୟ ଜଳ ମିଳିବା ବିଷୟରେ ରାଜଧାନୀରେ ଯେଉଁମାନେ ଏକାଧିକ ଦିବସର ଆୟୋଜନସବୁ କରୁଛନ୍ତି, ସେମାନଙ୍କର ପ୍ରୀତ୍ୟର୍ଥ ଦୋକାନମାନଙ୍କରୁ ନଗଦ ପାଣି ବୋତଲମାନ କିଣା ହୋଇ ଆସୁଛି । ଆଦୌ ଜଳକଷ୍ଟକୁ ଅଙ୍ଗେ ନିଭାଇ ନଥିବା ସେହି ବିଚରାମାନେ ଯେତେ ଯାହା ନିଷ୍ଠାର ସହିତ ମନ୍ଥନ କଲେ ମଧ୍ୟ ପ୍ରକୃତରେ ମୋଟେ ବେଶୀ ଦୂରଯାଏ ଭେଦି ପାରୁନଥିବେ-। ଏବେ ତ ଆମ ଗାଆଁରେ ପାଇଖାନା-ପଦ୍ଧତିର ପ୍ରସାରଣ ପାଇଁ ଉଚ୍ଚତମ ଅମଲାମାନେ ନବରତ୍ନମାନଙ୍କ ଭଳି ବସି ପ୍ରାୟ ଏକ କାରୁଣ୍ୟଭରା ଗମ୍ଭୀରତା ସହିତ ଇଂରାଜୀ ଭାଷାରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନାମାନ କଲେଣି । ଏବେ ସଦ୍ୟତମ ପ୍ରକରଣ ରୂପେ ଆଲୋଚନା ସକାଶେ ଜଳଛାୟା ନାମକ ଏକ ନୂଆ ବ୍ୟଞ୍ଜନ ବି ବାହାରିଲାଣି ଏବଂ ଆଦୌ ରାନ୍ଧି ନଜାଣିଥିବା ସରକାରୀ ହୋଟେଲ–ଖିଆମାନେ ସେହି ବିଷୟରେ ଆଲୋଚନା କରୁଛନ୍ତି । ତଦନୁସାରେ କୋଟି କୋଟି ଟଙ୍କାର ବରାଦ ହେଉଛି । ଅବସ୍ଥା ବଦଳୁନାହିଁ, ତେଣୁ ବରବାଦ ହିଁ ହେଉଛି । ଆମର ପୁନର୍ବାର ସେହି ଗୋଟିଏ ପ୍ରଶ୍ନ: ଆମ ନିମନ୍ତେ ଆପଣମାନେ ଏତେ ଚିନ୍ତା କରୁଛନ୍ତି, ଅଜସ୍ର ପରିମାଣର ଅର୍ଥ ଆଣି ଅଜାଡ଼ି ଦେଉଛନ୍ତି ଅଥଚ ଆମକୁ ଡାକୁନାହାନ୍ତି କାହିଁକି ? ଆମ ସକାଶେ ସହରର ଭାଡ଼ିମାନଙ୍କରେ ଏତେ ଏତେ ଯେଉଁ ଚର୍ଚ୍ଚା ଓ ବ୍ୟବସ୍ଥାମାନ ହେଉଛି, ଦୂରରୁ ଥାଇ ଆମକୁ ସେ ସବୁ ସତେ ଅବା ଗୋଟାଏ ସର୍କସ ବାଗିର ଦେଖାଯାଉଛି । ଆମେ ଚକିତ ହୋଇ ଅନାଇ ରହିଛୁ–ସତେଅବା ହାଣ୍ଡିଆ ପିଉଥିବା ପରି ଅନୁଭବ କରୁଛୁ । ଆମକୁ ସାଙ୍ଗରେ ନବସାଇ ବାବୁମାନେ ରାଜଧାନୀରେ ତେରତାରକା ହୋଟେଲମାନଙ୍କରେ ବସୁଛନ୍ତି । ଆମ ନିତିଦିନିଆ ସମସ୍ୟା ଅର୍ଥାତ୍ ଦୈନ୍ୟଗୁଡ଼ିକୁ ନାସାଗ୍ରରେ ପାଉଡର ପରି ବୋଳିହୋଇଥିବା ସୁମନ୍ତ, ଶ୍ରୀମନ୍ତ ଏବଂ ସାଧୁଜନମାନେ ସେମିନାର ନାମକ ନାଚଗୁଡ଼ିକୁ ବେଶ୍ ଜମାଇ ରଖିଛନ୍ତି । ବାବୁ କହିଲେ ଆମକୁ ଆନୁଷ୍ଠାନିକ ଭାବରେ ଏପରି ବ୍ୟବହାର କରି ବର୍ଷ ବର୍ଷ ଯାବତ ଚାତୁର୍ଯ୍ୟପଣର ପ୍ରଦର୍ଶନ କରି ତୁମେମାନେ ପ୍ରକୃତରେ ଆମର ହୋଇ କିଛି ସମାଧାନ ବାହାର କରୁଛି ନା ଆମ ମୁହଁରେ ହଗୁଛ-? କୋଉ ଦାନବ-ଯୁଗର ଅଲିଅଳ ନମୁନା ବନିତୁଚ୍ଛା କାଳକ୍ଷେପଣ କରିବାରେ ଲାଗିଛ-? ବାବୁ, ତୁମେ ଆମକୁ ଡରୁଛ କି ? ଯଦି ଡରୁନଥାନ୍ତ, ତେବେ ଅବଶ୍ୟ ଡାକୁଥାଆନ୍ତୁ । ଆମର ମୁହଁରୁ ଆମ କଥାମାନ ଶୁଣୁଥାନ୍ତ ଓ ଆମ ସହିତ ଏକତ୍ର ବସି ଉପାୟ ବାହାର କରନ୍ତୁ ! କିନ୍ତୁ–କିନ୍ତୁ ତୁମ ଭିତରେ ପୋତି ହୋଇ ରହି ଯାଇଥିବା ବ୍ରହ୍ମକୁ ଛୁଇଁ କରି କହି ତ, ଆମ ପିଲାଏ ସମସ୍ତେ ତୁମମାନଙ୍କର ପିଲାଙ୍କ ପରି ପାଠପଢ଼ିବାକୁ ଇସ୍କୁଲ ଗଲେ, ଆମର ଚାଷଜମି ଆମର ହେଲେ, ଆମ ଗାଆଁର ବ୍ୟବସ୍ଥାକୁ ଆମ ସଚଳ ସାମ୍ପ୍ରଦାୟିକ ସହଜତାଗୁଡ଼ିକ ହାତରେ ଛାଡ଼ି ଦିଆଗଲେ, ଅର୍ଥାତ୍ ଗୋଟିଏ କଥାରେ କହିଲେ, ଆମ ମଧ୍ୟ ତୁମରି ଭଳି ଏହି ଭୂମିଟିର ନାଗରିକ ବୋଲି ତୁମେତଥା ତୁମର ତନ୍ତ୍ରମନ୍ତ୍ରମାନେ ସ୍ୱୀକାର କଲେ, ତୁମର ଏହି ବର୍ତ୍ତମାନର ମସ୍ତପଣଗୁଡ଼ାକମଧ୍ୟ ଯେ ଆଉ ମୋଟେ ରହିବନାହିଁ ବୋଲିତୁମେ କ’ଣ ସଂପୂର୍ଣ୍ଣ ନିଶ୍ଚିତ ଭାବରେ ଜାଣନାହିଁ-? ଏବଂ ସେହି ପରିବର୍ତ୍ତନ ସକାଶେ ତୁମେ ଆଜ୍ଞାମାନେ ଓ ଉଚ୍ଚମାନେ ପ୍ରସ୍ତୁତ ହେଉନାହିଁ ବୋଲି ସିନା ଆମକୁ 'ଏଭଳି ଡରୁଛି ଏବଂ ଦୀର୍ଘ ପ୍ରତ୍ୟାଶିତ ପରିବର୍ତ୍ତନଗୁଡ଼ିକର ବାଟ ଉଗାଳି ଛିଡ଼ା ହୋଇଛି-! ଶିକ୍ଷା ବ୍ୟବସ୍ଥା, ଶାସନ ବ୍ୟବସ୍ଥାତଥା ଭାଷା ବ୍ୟବସ୍ଥାକୁ ନିତାନ୍ତ ହାସ୍ୟାସ୍ପଦ ଭାବରେ ଅଲକ୍ଷଣା କରି ରଖିଛି । ଭାରି ଛୁଆଁ ବାରୁଛି ତୁମେ ଆପଣେ ବାବୁମାନେ ଏବଂ ସେଇଥିପାଇଁ ହଁ ଏତେ ଛାନିଆଁ ହୋଇରହିଛି ଏବଂ କୋଉଠି କିଏ ସତ ଦାବିଗୁଡ଼ିକୁ କରିବାର ଦେଖିଲେ ଛାନିଆ ହୋଇ ପଲଟଣ ପଠାଇ ଦେଉଛ । ପୃଥିବୀଟାକୁ ସେହି ପୁରୁଣା ନାଟକଟା ଭିତରେ ବାନ୍ଧିରଖିଛି ।

 

ଆମ କଥାଗୁଡ଼ିକର ଫଇସଲା ବେଳେ ଯଦି ତୁମେ ସରକାରୀ ଏବଂ ବେସରକାରୀ ବାବୁମାନେ ଆମକୁ ଡାକନ୍ତି ଆମ ସହିତ ଏକାଠି ହୋଇ କଥାଗୁଡ଼ିକୁ ପକାନ୍ତ, ତେବେ ଆମେ ସବାଆଗ ତୁମକୁ ଏହି, ରାଜଧାନୀରେ ବସୁଥିବା ଏହି ମଣ୍ଡନମାନଙ୍କରୁ ସିଧା ଆମର ଗାଆଁକୁ ନେଇଯାଆନ୍ତୁ । ସେଇଠି ସେମିନାର ବସନ୍ତା, ତୁମେଆମ ଭାଷାରେ ଆମ ବୁଝିଲା ମୁତାବକ କଥା କହିବାକୁ ବାଧ୍ୟ ହୁଅନ୍ତି । ଏସବୁକୁ ତୁମେ ଏଯାବତ୍ କେବଳ ଏଡ଼ି ଆସିଛ, କାରଣ ଆମକୁ କେବଳ ଭୟ ହିଁ କରିଛି । ଭାତହାଣ୍ଡିରୁ ଗୋଟାଏ ଦୃଷ୍ଟାନ୍ତ ଦେଇ କହିଲେ, ଆମର ପିଲା କିଭଳି ପାଠ ପଢ଼ିବେ, ସେ କଥାଟାକୁ ତୁମେ ଆମ ଅନ୍ଦାଜରେ ନୁହେଁ, ଏପରିକି ପିଲାଙ୍କ ଅନ୍ଦାଜରେ ବି ନୁହେଁ, ଗୋଟାସୁଦ୍ଧା ନିଜର ଅନ୍ଦାଜରେ ସ୍ଥିର କରିଛି ଓ ସେହି ଗୁଡ଼ାକୁ ଆଣି ଆମ ଉପରେ ଲଦିଦେଇଛି । ଆଦିବାସୀମାନଙ୍କ ନିମନ୍ତେ ଫାନ୍ଦିଥିବା ଏହି ଇସ୍କୁଲ ଗୁଡ଼ିକୁକେଡ଼େ କବିତ୍ଵପୂର୍ଣ୍ଣ ଭାବରେ ଆଶ୍ରମ ସ୍କୁଲ ବୋଲି ନାଆଁ ଦେଇଛି । ଗଳାରୁ ଯୁଗ ଯୁଗ ଧରି ରୁଦ୍ଧି ରଖିଥିବା ମିଛ ଖଙ୍କାର ଗୁଡ଼ାକୁ ସଫା କରିଦେଇ କହତ ବାବୁ, ତୁମ ନିଜ ପିଲାମାନେ ପଢ଼ୁଥିବା ଇସ୍କୁଲଗୁଡ଼ିକୁ ମଧ୍ୟ ତୁମେ କ'ଣ ବିଚାରି ସେହି ନାମଟିକୁ କାହିଁକି ଦେଲନାହିଁ । ସେହି ସ୍ଵତନ୍ତ୍ର ପାଠଶାଳାମାନଙ୍କରେ ମୁଖ୍ୟତଃ ଅଣଆଦିବାସୀ ଶିକ୍ଷକ ରହିଛନ୍ତି–ଯେଉଁମାନେ କି ପିଲାଙ୍କ ଭାଷା କହି ପାରନ୍ତି ନାହିଁ–ଆଦିବାସୀଙ୍କୁ ନିମ୍ନନଜରରେ ଦେଖନ୍ତି, ନାନା ମିଛ ଅଭିମାନ ସହିତ ସେଠାରେ ବଜ୍ରବାହୁ ହୋଇ ରହି ଥାଆନ୍ତି । ଏହି ପାଠଶାଳାଗୁଡ଼ିକୁ ଜାଣିଶୁଣି ଆମ ଚଳଣି ଓ ସାଂସ୍କୃତିକ ସ୍ୱାସ୍ଥର ଅଣ୍ଟାଟାକୁ ପୂରା ଭାଙ୍ଗିଦେବାକୁ ହିଁ ତିଆରି କରାଯାଇଥିଲା କି ?

 

ତେଣୁ, ବାବୁ ଆମକୁ ଡାକ, ଆମକୁ ଲୋଡ଼ି, ଆମକୁ ବସାଇ ଆମକୁ ରାଜି କରାଇ ହିଁ ଆମ ବିଷୟରେ ସବୁମନ୍ତେ ଫଇସଲା କରାଯାଉ । ଆମର ତୁମେ କେତେ ନା କେତେ ଉପକାରର ଚିନ୍ତା ପ୍ରକୃତରେ ନ କରିଛ ଏବଂ ନ କରୁଛ ! ପରୋପକାରୀ ଧର୍ମରେ ରହିଥାଏ ବୋଲି ଆଗେ ରାଜାମାନେ ମଧ୍ୟ ଜାଣିଥିଲେ ଏବଂ ସେହି ଅନୁସାରେ ସ୍ୱବତ୍ସଳତା ଦ୍ୱାରା ପ୍ରଜାମାନଙ୍କୁ ସୁଖରେ ରଖିଥିଲେ । ରାସ୍ତା, ପୋଖରୀ, ମନ୍ଦିରମାନ ତିଆରି କରି ଦେଉଥିଲେ । ସେମାନେ ଭାଗ୍ୟରେ ବିଶ୍ୱାସ କରୁଥିଲେ । ଭାଗ୍ୟ ହିଁ ମଣିଷମାନଙ୍କୁ ଯିଏ ଯେପରି କରି ରଖିଛି ବୋଲି କେଡ଼େ ନିର୍ଦ୍ଦୋଷ ଅଥଚ ନୃଶଂସ ଭାବରେ ବିଶ୍ୱାସ କରୁଥିଲେ । ମୁଲକଟାକୁ ସତେଅବା ପରମେଶ୍ୱରଙ୍କର ଇଚ୍ଛାକୁମାନି ଥାକ ଥାକ ଅର୍ଥାତ୍ ଅସମାନ କରି ରଖିଥିଲେ । ଇତି ମଧ୍ୟରେ ଭାରତବର୍ଷରେ ସମ୍ବିଧାନ ବୋଲି ଯେଉଁ ଭବିଷ୍ୟପୁସ୍ତକଟି ତିଆରି କରାଯାଇଛି ଓ ଯେଉଁଟି ଅନୁସାରେଦେଶ ଚାଲିବ ବୋଲି ସ୍ଥିର ହୋଇଛି, ସେଥିରେ ଭାଗ୍ୟ ନୁହେଁ, ନାଗରିକ ହେଉଛି ସବା ମୂଳରେ । ଅର୍ଥାତ୍ ସମସ୍ତେ ମଣିଷ, ତେଣୁ ସମସ୍ତଙ୍କ ନିମନ୍ତେ ସମାନ ସୁଯୋଗ । ବାବୁମାନେ କିନ୍ତୁ ଆମକୁ କ୍ଵଚିତ୍ ସେ କଥାଟି କହିଛନ୍ତି । ସେଇଟି କହିବାରେ ବିପଦ ରହିଛି ବୋଲି ସେମାନେ ଏହି କୋଟି କୋଟିଙ୍କର ତଳ ଅର୍ଥାତ୍ ବଂଚିତ ସ୍ତରଟାକୁ ସେଭଳି ଅନବଗତ କରି ରଖି ଆସିଛନ୍ତି । ଆଇନ ପରେ ଆଇନ ହେଉଛି, କିନ୍ତୁ ସେହି ପୁରାତନ ଅସମାନତା ଓ ଅନ୍ୟାୟମାନେ ରହିଛନ୍ତି, ଏବଂ ସେହି କାରଣରୁ ହିଁ ଆମପାଇଁ ଶାସନ ଚାଲିଛି, ସେମିନାର ଓ କର୍ମଶାଳା ଚାଲିଛି, ଅଥଚ ଆମକୁ ଡକା ଯାଉନାହିଁ ।

 

ଏହି ଭୂମି ସମସ୍ତଙ୍କର । ପ୍ରଜାମାତ୍ରେ ତୁମର ଆମର ସମସ୍ତଙ୍କର । ସମସ୍ତଙ୍କ ନିମନ୍ତେ ଶିକ୍ଷା, ଶାସନ, ସୁଯୋଗ, ସ୍ଵାସ୍ଥ୍ୟ-ଜ୍ଞାନ ଓ ବିଜ୍ଞାନ । ସେହି ସତ୍ୟଟାକୁ ଆପଣମାନେ ପ୍ରକୃତରେ କେବେ ମାନିବେ ଓ ଆମକୁ ଡାକିବାକୁ ବାଧ୍ୟ ହେବେ ବାବୁମାନେ ! ଆମକୁ ଆଉ ହିତାଧିକାରୀ ବୋଲି କହି ଅପମାନ ଦେବେ ନାହିଁ । ତେବେ ଯାଇ ଧର୍ମ ରହିବ । ଅନ୍ତରୀକ୍ଷ ଶାନ୍ତି ହେବ ସବାଆଗ ଭୂମି ଶାନ୍ତି ହେଲେ । ଅସଲ ସଚେତନତା ହେଉଛି ଏହି ନାଗରିକର ସଚେତନତା । ସମାନ ସୁଯୋଗ ବିଷୟରେ ସଚେତନତା । ତେଣୁ, ହେ ଆଜ୍ଞାମାନେ, ଆମକୁ ଆଉ ଦଳିତ, ଦରିଦ୍ର ଓ ସ୍ୱତନ୍ତ୍ର କହି ମୁଗ୍ଧ କରି ରଖିବାର ଅବିବେକ ଆଦୌ କରନାହିଁ । ଏହି ଭୂମି ଅପେକ୍ଷା କରି ରହିଥିବା ପରବର୍ତ୍ତୀ ଅଭ୍ୟୁଦୟଗୁଡ଼ିକୁ ଆଉ ଧୋକା ଦିଅନାହିଁ । ସତକୁ ସତ ଚେତା ହୋଇଆସୁଥିବା ଏହି ଚଳନ୍ତି ଆହ୍ବାନଗୁଡ଼ିକର ଯୁଗଟି ଏଥର ଏହି ଧୋକାଗୁଡ଼ିକୁ ମଧ୍ୟ ମାନିବ ନାହିଁ-। ତୁମର ଭାଷାକୁ ମାନିବନାହିଁ । ତୁମକୁ ବେଢ଼ା ଭିତରୁ ଅଲବତ ବାହାରକରି ଆଣିବ-। ଏହି ଧରାତଳେ, ସମସ୍ତେ ଯେ ସବାଆଗ ମଣିଷ, ପୂର୍ଣ୍ଣବୀରତ୍ଵ ସହିତ ତାହାରି ପ୍ରତ୍ୟୟ ଆଣିଦେବ-। ତେଣୁ ଆଜ୍ଞାମାନେ, ଭୟ ପରିତ୍ୟାଗ କର କାର୍ପଣ୍ୟ ଛାଡ଼, ସ୍ଵାଭିମାନ ବି ଛାଡ଼ ସ୍ଵାଭିମାନକୁ ଆଳ କରି ସାହିତ୍ୟ କରନାହିଁ, ପାଣ୍ଡିତ୍ୟ ବିକର ନାହିଁ । ଏଥର ବେଳ ଆସିଛି, ଆମେ ଯାଇ ତୁମକୁ ଡାକିବୁ, ତୁମକୁ ଗୁମ୍ଫା ଭିତରୁ ବାହାର କରି ପାଖରେ ବସାଇବୁ ।

Image

 

ସମ୍ମୋହାତ୍ ସ୍ମୃତିବିଭ୍ରମ

 

ଯେଉଁ ଦେଶରେ ମୋ'ର ଜନ୍ମ, ସେ ଦେଶ ମୋ’ର, –ମୋ’ର ଭୂମି, ମୋ’ର ଜନ୍ମଭୂମି, ମୋ’ର ନିଜ ଭୂମି । ଏହା ମୋ’ର ଜନନୀ ବୋଲି କହିଲେ ମଧ୍ୟ ତାହା ଆଦୌ ଅସ୍ୱାଭାବିକ ହେବ ନାହିଁ । ଏହି ଭୂମି ମୋ'ର ଜନ୍ମଭୂମି କହିବାର ସର୍ବମୂଳ ଏବଂ ସବାଆଗ ଅର୍ଥ ହେଉଛି ଯେ ମୁଁ ହେଉଛି ଏହି ଭୂମିଟି ନିମନ୍ତେ ଦାୟୀ । ଏହି ଭୂମି ମୋତେ ମଣିଷ କରିଛି, ଏବଂ ମୁଁ ମଧ୍ୟ ଏହି ଭୂମିଟିକୁ ଅଧିକରୁ ଅଧିକ ମଣିଷ ଯୋଗ୍ୟକରି ରଖିବାର ଉଦ୍ୟମଟିରେ ଅବଶ୍ୟ ସାମିଲ ହୋଇ ରହିବି । ମୋ'ମଙ୍ଗଳ ଓ ଏହି ଭୂମିଟିର ମଙ୍ଗଳ, –ଦୁଇଟିର ମଝିରେ କୋଉଠି ଗୋଟାଏ କି ଗାର ପଡ଼ିପାରିବ ଯେ, ମୁଁ ଆଦୌ କୌଣସି ସଂଗତିର ସହିତ ଆଗ ଏଇଟା ବା ଆଗ ସେଇଟା ବୋଲି କହିପାରିବି ? ସେହିପରି, ପୃଥିବୀରେ ଅସୁମାରି ଭାଷା ରହିଥିଲେ ମଧ୍ୟ କେବଳ ଗୋଟିଏ ହେଉଛି ମୋ’ ନିଜ ଭାଷା, –ମୋ’ର ମାତୃଭାଷା, ମୋ ବୋଉର ଭାଷା । ପୃଥିବୀରେ ଏପରି କୌଣସି ଭାଷା ନାହିଁ, ଯାହାକି କୌଣସି ମନୁଷ୍ୟଗୋଷ୍ଠୀର । ମାତୃଭାଷା ନୁହେଁ । ଯେଉଁ ଭାଷାଟିକୁ ମୁଁ ଇସ୍କୁଲକୁ ଯିବା ପୂର୍ବରୁ ଶିଖିଛି, କହି ପାରିଛି । ଏବଂ ବୁଝିପାରିଛି, ସେଇଟି ମୋ’ର ମାତୃଭାଷା । ଆଦୌ କୌଣସି ମୋହ ଲାଗି ପ୍ରଶ୍ରୟନ ଦେଇ ଅତ୍ୟନ୍ତ ସୁସ୍ଥ ତଥା ମମତାଯୁକ୍ତ ଭାବରେ ଏତିକି କଥା ଅବଶ୍ୟ କୁହାଯାଇପାରିବ । ଯିଏ ଜଣେ ଚେତାସମ୍ପନ୍ନ ମଣିଷ ଭଳି ଏତିକି ଅନୁଭବ କରିପାରୁଛି, ସେହି ଅନୁଭବଟିକୁ ପଇତା କରି କାନ୍ଧରେ ପକାଇଛି, ତାହାର ଚେର ଅବଶ୍ୟ ଭୂଇଁ ଭିତରେ ରହିଛି ବୋଲି ସର୍ବଦା ଦାବି ମଧ୍ୟ କରାଯାଇ ପାରିବ ।

 

ମୋ’ର ଜନ୍ମ ଓଡ଼ିଶା ନାମକ ଏହି ଭୂଇଁରେ ! ଚାଟଶାଳୀକୁ ଯିବା ପୂର୍ବରୁ ନିଜବୋଉ ଓଠକୁ ସତୃଷ୍ଣ ଓ ସପ୍ରତିଭ ଭାବରେ ନିରୀକ୍ଷଣ କରି ମୁଁ ଯେଉଁ ସର୍ବ ମୌଳିକଭାଷାଟିକୁ ବିନା କସରତରେ ଶିଖିଛି, ତାହା ହେଉଛି ଓଡ଼ିଆ–ମୋ’ ବୋଉର ଭାଷା, ମୋ’ ମାତୃଭାଷା, ମୋ'ପାଇଁ ଏହି ଭାଷାଟି ଶ୍ରେଷ୍ଠ ବା ନିକୃଷ୍ଟ କିଛି ନୁହେଁ । ଏହା ମୋ'ଭାଷା । ତେଣୁ ମୁଁ ଏଇଟିକୁ ମୂଲ କରିବା ସକାଶେ କଦାପି ବଜାରକୁ ଯିବି ନାହିଁ । ଗଲେ ଦ୍ଵନ୍ଦରେ ପଡ଼ିଯିବି । ମୋହରେ ବି ପଡ଼ିଯିବି । ଏହି ଭାଷାଟି ଯେଉଁ ପରିଧିଟି ଭିତରେ ପ୍ରଚଳିତ ହୋଇ ରହିଛି ତାହା ଓଡ଼ିଶା, –ବୃହତ୍ତର ପୃଥିବୀଟିର ବାରତା ପାଇବା ନିମନ୍ତେ ଓଡ଼ିଶା ହେଉଛି ମୋ’ର ଗବାକ୍ଷ, ମୋ'ର ଉତପ୍ରେରକ । ଅର୍ଥାତ୍, ସେହି ବୃହତ୍ତର ପୃଥିବୀଟିକୁ ମୁଁ ଓଡ଼ିଶାରେ ହିଁ ବଞ୍ଚିବି, ମୋ’ର ଓଡ଼ିଆ ନାମଟିକୁ ସାର୍ଥକ କରିବି । ଏହାହିଁ ହେଉଛି ପ୍ରଶସ୍ତତମ ସେହି ଅସଲ ମାର୍ଗଟି, ଯାହାକୁ ନିଜସ୍ୱ କରିନେଇ ମୁଁ ମୋ'ନିଜ ଭିତରେ ରହିଥିବା ବିଶ୍ୱାସମ୍ଭାବନାଗୁଡ଼ିକୁ ମୂର୍ତ୍ତ କରି ଆଣିପାରିବି । ଏବଂ, ସର୍ବୋପରି, ଓଡ଼ିଶାର ଏହି ଜୀବନ–ବସତିଟିକୁ ସମୃଦ୍ଧ, ଉନ୍ନତ ତଥା ଗୌରବଯୁକ୍ତକରି ଆଣିବାରେ ଯେଉଁମାନେ ସମର୍ଥତର ପରିଚୟମାନ ଦେଇଛନ୍ତି, ମୁଁ ସେମାନଙ୍କୁ ମୋ'ର ପୁରୋଗାମୀ ଏବଂ ଆରାଧ୍ୟ ବୋଲି ଅବଶ୍ୟ ଗ୍ରହଣ କରିଥିବି । ମୁଁ ସେମାନଙ୍କୁ ଅନ୍ୟମାନଙ୍କ ସହିତ ତୁଳନା କରି ସେମାନେ ଏଡ଼େ ବଡ଼ ଓ ଏଡ଼େ ଅନନ୍ୟ ଥିଲେ ବୋଲି କହି ମୋଟେ ଛାଟିପିଟି ହେବି ନାହିଁ, –ଛାଟିପିଟି ହେଲେ ମୋହରେ ପଡ଼ିଯିବି, ଇତିହାସଟାରେ ବଡ଼ ହାସ୍ୟାସ୍ପଦ ହୋଇ ରହିଯିବି । ଓଡ଼ିଶାରେ ଓଡ଼ିଶାର ନିତ୍ୟସ୍ମରଣୀୟ ଗୌରବ ମଧୁସୂଦନ ଦାସଙ୍କୁ ନିମିତ୍ତ କରି ଦଳେ ଏବେ ପ୍ରାୟ ସେହିଭଳି ହାସ୍ୟାସ୍ପଦ ହେଉଛନ୍ତି–ମଧୁବାବୁଙ୍କୁ ନେଇ ହାଟରେ ମୂଲ କରିବାରେ ସତେଅବା ଭାରି ଆନନ୍ଦ ଲାଭ କରୁଛନ୍ତି ।

 

ଉତ୍କଳ ଗୌରବ ମଧୁସୂଦନଙ୍କର ଆଦ୍ୟ ଜୀବନର ସ୍ତବକଟି ଗୋଟିଏ ଗାଆଁରେ ହିଁ ଆପଣା ଧର୍ମଟିକୁ ବାଛି ଓ ବାରିନେଇ ବିକଶିତ ହେବାର ସୁରାକଗୁଡ଼ିକୁ ପାଇଯାଇଥିଲା । ତା'ପରେ ସେ କଲିକତା ଗଲେ, ବିଲାତ ଗଲେ, ଉଚ୍ଚରୁ ଆହୁରି ଉଚ୍ଚକୁ ଗଲେ । ଆଧୁନିକ ପୃଥିବୀଟିକୁ ସିଏ ସତେ ଅବା ନିଜର ଭୂଇଁ ସହିତ ଲାଗିଥିବା ଚେରଗୁଡ଼ିକର ନିର୍ଦ୍ଦେଶନାରେ ସତତ ସଂଗ୍ରହ କରିବାରେ ଲାଗିଥିଲେ । ସଂଗ୍ରହ କରିଥିଲେ ଏବଂ ତା'ପରେ ପୂରା ଆଖି ଥିବା ସାଧବଟିଏ ପରି ଓଡ଼ିଶାକୁ ଫେରି ଆସିଥିଲେ । କେଡ଼େ ଦୃଷ୍ଟମନା ହୋଇ ସିଏ ଫେରିଆସି ନଥିବେ, ! ତା'ପରେ ସିଏ କେତେ କ’ଣ ହେଲେ ଓ କେତେ କ'ଣ କଲେ, –ମାତ୍ର ସବୁ ପ୍ରକାରର ବିଚାର କରି ସର୍ବଦା କୁହାଯାଇ ପାରିବ ଯେ ତା'ପରେ ଆଉ ତାଙ୍କ ଜୀବନରେ ନିଜ ବ୍ୟକ୍ତିଗତ କର୍ତ୍ତବ୍ୟ ଓ ଭୂମିଟି ପ୍ରତି କର୍ଭବ୍ୟ ମଧ୍ୟରେ ବସ୍ତୁତଃ ଆଦୌ କୌଣସି ପ୍ରଭେଦ ବି ରହିଲା ନାହିଁ । ଯାବତୀୟ ଉତ୍ସର୍ଗୀକୃତ ଏବଂ ଉତ୍ସର୍ଗମୟ ଜୀବନର ଏହାହିଁ ହେଉଛି ସ୍ଵଭାବ–ଲକ୍ଷଣ । ମଧୁବାବୁଙ୍କର ଜୀବନରୁ ମିଳୁଥିବା ଏହି ପ୍ରେରଣାଟି ହେଉଛି ଓଡ଼ିଶାବାସୀ ଆମ ପ୍ରତ୍ୟେକଙ୍କ ନିମନ୍ତେ ସବା ଆଗର ପ୍ରେରଣା ଓ ସର୍ବବୃହତ୍‌ ପ୍ରେରଣା । ଓଡ଼ିଶାକୁ ଭଲ ପାଉଥିବା ଅର୍ଥାତ୍ ଓଡ଼ିଶାକୁ ନିଜର ଭୂମି ବୋଲି ଗ୍ରହଣକରି ନେଇଥିବା ପ୍ରତ୍ୟେକ ବ୍ୟକ୍ତି ମଧୁସୂଦନଙ୍କର ଦୃଷ୍ଟାନ୍ତଟିରୁ ସର୍ବପ୍ରଥମେ ସେହି ପ୍ରେରଣାଟିକୁ ହିଁ ପାଇବ । ସିଏ ସଳଖ ହୋଇଯିବ, ଅତି ସହଜ ପ୍ରକାରେ ଆପଣାକୁ ସମର୍ପିତ ସନ୍ତାନଟିଏ ପରି ଗଢ଼ି ଆଣିବ, –ମଧୁସୂଦନଙ୍କୁ ଏହି ଭୂମିରେ ସତକୁ ସତ ବଞ୍ଚାଇ ରଖିବ । ଚତୁରମାନେ ବିଚରା ତାହା ଖୁବ୍ ବେଶି କରିପାରନ୍ତି ନାହିଁ । ସେମାନେ ସଭାରେ କୋଳାହଳ କରନ୍ତି–ମଧୁବାବୁଙ୍କୁ ଆମର ବୋଲି କହନ୍ତି, ସମ୍ପତ୍ତି ପ୍ରାୟ ମଣନ୍ତି । ମଧୁବାବୁ ଯେ ଏକ ପ୍ରଭାମୟ ଜୀବନାଦର୍ଶର ସନ୍ତକ ଏବଂ ଏବେ ମଧ୍ୟ ଓଡ଼ିଶାରେ ଯେ ତାହାର ଏକ ପ୍ରାସଙ୍ଗିକତା ରହିଛି, ସେମାନେ ତାହାକୁ ଗୋପ୍ୟ କରି ରଖିବା ନିମନ୍ତେ ଏତେ ଏତେ କୋଳାହଳ କରନ୍ତି କି ? ଏମାନେ ହୁଡ଼ି ଯାଆନ୍ତି, ଆମ ଅନେକଙ୍କର ହୁଡ଼ି ଯିବାରେ ଖୁବ୍ ସହାୟତା କରନ୍ତି । ମଧୁବାବୁଙ୍କର ଆତ୍ମାକୁ ସେମାନେ ଭାରି କଷ୍ଟ ଦିଅନ୍ତି ।

 

ଆମ ମଧୁବାବୁ କେଡ଼େ ନା କେଡ଼େ ବଡ଼ ଥିଲେ । ସମସାମୟିକ ତାଙ୍କ ଭାରତବର୍ଷର ସବୁ ନେତାଙ୍କ ଭିତରେ ସିଏ ସମସ୍ତଙ୍କ ଅପେକ୍ଷା ଅଧିକ ବଡ଼ ଥିଲେ । ସ୍ଵୟଂ ମହାତ୍ମା ଗାନ୍ଧୀ ଆମ ମଧୁସୂଦନ ଦାସଙ୍କୁ ତାଙ୍କର ଶିକ୍ଷକ ବୋଲି ସ୍ୱୀକାର କରିଛନ୍ତି । ଆମ ମଧୁବାବୁ ଦୂର ୟୁରୋପରୁ ବହୁତ ବହୁତ ଯୁଗାନ୍ତକାରୀ ବିଚାରକୁ ଆଣି ଓଡ଼ିଶାରେ ସେଗୁଡ଼ିକର ପ୍ରୟୋଗ କରିଥିଲେ । ଏହି ଯାବତୀୟ ଉଚ୍ଚାଟନ ପୂର୍ଣ୍ଣବର୍ଣ୍ଣନାରେ ଆମ ଭାବଟା ହିଁ ଏଭଳି ଉଗ୍ର ଭାବରେ ଆପଣାକୁ ଜାହିର କରି ରଖିଥିବାପରି ମନେ ହେଉଛି, ସତେ ଯେପରି ସମ୍ପୃକ୍ତ ବୀରମାନେ ମଧୁବାବୁଙ୍କୁ ଗୌଣ କରି ରଖିସେହି 'ଆମ'ଟାକୁ ହିଁ ଅଧିକ ଚଗଲାମିଯୁକ୍ତ ଭାବରେ ଚହଟାଇ ଦେଖାଇବାର ପ୍ରୟାସମାନ କରିବାରେ ଲାଗିଛନ୍ତି । ଯୁଗକୁ ଯେତେବେଳେ ଥୋକେ ସମ୍ଭନ୍ତ ମଣିଷ ତଥା ବର୍ଗ ନାନା ଅବକ୍ଷୟ ମଧ୍ୟରେ ଅବଶ କରି ରଖିଥାନ୍ତି, ସମ୍ଭବତଃ ସେତିକିବେଳେ ଏହି ପ୍ରକୃଷ୍ଟୀକୃତ କାଇଦାଗୁଡ଼ାକୁ ପୂଜ୍ୟପୂଜା ବୋଲି କୁହାଯାଏ । ଓଡ଼ିଶା ବର୍ତ୍ତମାନ ଅନ୍ତତଃ ଉପର ଥାକମାନଙ୍କରେ ବସି ରହିଥିବା ଥୋକେ ମଣିଷଙ୍କର ପ୍ରାଦୁର୍ଭାବରେ ପୂଜ୍ୟପୂଜାର ଏକ ଘୋର ଅତି ଦୁର୍ଗନ୍ଧପୂର୍ଣ୍ଣ ବିଭ୍ରାନ୍ତିକର ତାମସିକତା ଦ୍ଵାରା ପ୍ରାୟଅଣଅକ୍ତିଆର ହୋଇ ରହିଛି । ପୂଜ୍ୟମାନେ ମୋଟେ ନାହାନ୍ତି, ଅଥଚ ସେମାନଙ୍କୁ 'ଆମେ' ବୋଲି କହି ଫୁଲେଇ ହେଉଥିବା ମୋହଯୁକ୍ତମାନେ ହିଁ ମହାପୁଲକିତ ମୁଦ୍ରାମାନଙ୍କର ପ୍ରଦର୍ଶନ ଦ୍ୱାରା ମଞ୍ଚଗୁଡ଼ିକ ଉପରେ ନୃତ୍ୟ କରିବାରେ ଲାଗିଛନ୍ତି । ଖଳ ମନଟା ଏତିକିବେଳେ କହିବା ସକାଶେ ଭାରି ଇଚ୍ଛା କରୁଛି ଯେ, ଏହି ତାମସାଗୁଡ଼ାକ ଭାରି ଲାଗିଛି ବୋଲି ଥରେ ସମ୍ବାଦ ପାଇଲେ ମଧୁବାବୁ ହୁଏତ ସ୍ଵୟଂ ବେତବାଡ଼ି ଧରି ଆମ ସଭାମାନଙ୍କରେ ଆସି ପହଞ୍ଚି ଯାଆନ୍ତେ ।

 

ମଧୁବାବୁ ତ ପରାଧୀନ ଭାରତବର୍ଷର ସେହି ଅନ୍ଧାରପର୍ବଟାରେ ଏତେ ସକ୍ରିୟଭାବରେ ଏତେ ଆଗକୁ ଆଖି ରଖି ଚିନ୍ତା ଓ ପ୍ରୟୋଗମାନ କରି ପାରୁଥିଲେ, ବର୍ତ୍ତମାନ ସ୍ୱାଧୀନ ଭାରତରେ ସିଏ ସତେଅବା ଶତଗୁଣ ଅଧିକ ତତ୍ପର ହୋଇ କେତେ କ'ଣ ଉଦ୍‌ବୋଧନ ଦିଅନ୍ତେ–କେତେ ପ୍ରକାରେ ସିଏ ଆମକୁ ଆମ ଉତ୍ତମମାନଙ୍କର କବଳରୁ ମୁକ୍ତି ଦେବା ପାଇଁ ଆସି ପହଞ୍ଚି ଯାଆନ୍ତେ । ଏଠି କେତେ କ'ଣ ସାହସିକ ପରିବର୍ତ୍ତନ ପାଇଁ ପୌରୋହିତ୍ୟ କରନ୍ତେ । ଆମର ସବୁ ନିଦକୁ ପୂରା ଭାଙ୍ଗିଦିଅନ୍ତେ । ତାଙ୍କୁ ଆମର କହି ତୁଚ୍ଛା ଫୁଲେଇ ହେବା ଦ୍ୱାରା ହୁଏତ ଏକ ଦୁଷ୍ଟ ସାନ୍ତ୍ୱନା ମିଳୁଥିବ, ଯାହାକି ବର୍ତ୍ତମାନ ଆମ ଚାରିପାଖର ଓଡ଼ିଶାର ବହୁ ଅମାନୁଷିକତା ଓ ଅନ୍ୟାୟକୁ ଆଖି ବୁଜିଦେବା ନିମନ୍ତେ ଏକ ତତ୍ତୁଲ୍ୟ ଜଡ଼ତା ମଧ୍ୟ ଯୋଗାଇ ଦେଉଥିବ କି ? ସେହି ଅମାନୁଷିକତା ଓ ମଳିନତାଗୁଡ଼ିକ ସହିତ ଆମେ ତ ଏକାଧିକ ଅମାର୍ଗରେ ସହଯୋଗ କରିପାରୁଛୁ, ସ୍ଥଳ ବିଶେଷରେ ବି ସେଥିରୁ ଲାଭ ଉଠାଇ ପାରୁଛୁ ଏବଂ ସେହି କେଡ଼େ ବଡ଼ ମଣିଷଟା ଆମର ପୂରା ପ୍ରମାଣେ ବୋଲି ଉଚ୍ଚଧ୍ୱନି କରିବାରେ ଲାଗିଛୁ । ଏବେ ଜାଗାଏ ପଢ଼ୁଥିଲି, ଶ୍ରୀ ମଧୁସୂଦନ ଦାସଙ୍କୁ ଆମ ମଧୁବାବୁର ହିସାବରେ ଆଦ୍ୟସମାଜବାଦୀ ଅଗ୍ରନାୟକ ବୋଲି ବର୍ଣ୍ଣନା କରାଯାଇଛି ଓ ସେଥି ନିମନ୍ତେ ସମର୍ଥନକାରୀ ବହୁ ନବୀନ ତଥ୍ୟକୁ ଆଣି ଖଞ୍ଜି ଦିଆଯାଇଛି । ବିଲାତରେ ରହଣି ସମୟରେ ପ୍ରଖ୍ୟାତ Robert Owenଙ୍କଠାରୁ କିପରି ସିଏ ସମବାୟ ଚିନ୍ତାକୁ ଓଡ଼ିଶାଯାଏ ଆହରଣ କରି ଆଣିଥିଲେ, ସେହି ପରି କଥାଟିଏ ଉଲ୍ଲେଖ କରାଯାଇଛି । ଓଏନ୍ କାରଖାନାର ମାଲିକଥିଲେ ଏବଂ ସେହି କାରଖାନାର ପରିଚାଳନାରେ ଶ୍ରମିକମାନଙ୍କୁ ମଧ୍ୟ ସହଯୋଗୀ କରିନେବାର ଏକ ପଦକ୍ଷେପ ଗ୍ରହଣ କରିଥିଲେ । ମଧୁବାବୁ ବିଲାତରେ ଥିବାବେଳେ କାର୍ଲମାର୍କସ୍ ସେଠାରେ କେତେ କେତେ ସମ୍ମୁଖବାଚୀ ଚର୍ଚ୍ଚାର ବିଷୟ ଅବଶ୍ୟ ହୋଇଥିବେ । ମଧୁବାବୁ ସେପରି କୌଣସି ଚର୍ଚ୍ଚା ସହିତ ପରିଚିତ ଥିଲେ କି ନାହିଁ କେଜାଣି ? ମାର୍କ୍ସଙ୍କର କମ୍ୟୁନିଷ୍ଟ ଘୋଷଣାପତ୍ର’ ଯେଉଁ ରାଜନୀତିକ ଭାଷାରେ ଲେଖା ହୋଇଛି, ମଧୁସୂଦନ ସେହି ଭାଷାକୁ ଧାଡ଼ିଏ ପଢ଼ୁ ପଢ଼ୁ ତ ତାଙ୍କର ତଣ୍ଟିରେ କ’ଣ ଲାଗି ଯାଇଥାନ୍ତା ଓ ଯିଏ କଦାପି ଶେଷ ଯାଏ ତାକୁ ମୋଟେ ପଢ଼ି ପାରିନଥାନ୍ତେ । ଲେଖାଟିର ଦାବି ମୁତାବକ ୧୯୩୪ରେ ଯାଇ ଭାରତୀୟ ସମାଜବାଦୀ ଦଳ ଗଠିତ ହେଲା, ମାତ୍ର ମଧୁବାବୁ କୁଆଡ଼େ ୧୯୧୫ ମସିହାରୁ ହିଁ ଏପରି ଅନେକ ନବପ୍ରବର୍ତ୍ତନରେ ଓଡ଼ିଶାରେ ନେତୃତ୍ୱ ଦେଇଥିଲେ, ଯାହାକୁ କି ଏକ ସମାଜବାଦୀ କ୍ରିୟାଶୀଳତା ବୋଲି କୁହାଯିବ । ଭାରତୀୟ ସ୍ତରରେ ନହେଲା ନାହିଁ, କିନ୍ତୁ ଆମର ଏହି ଓଡ଼ିଶାରେ ସମାଜବାଦୀ ବିଚାରସ୍ଥ ଆଦ୍ୟ ବ୍ୟକ୍ତିମାନେ, ଶ୍ରୀ ଭଗବତୀ ଚରଣ ପାଣିଗ୍ରାହୀ ଓଗେର ଅନ୍ତତଃ ଗୋଟାଏ ଥାନରେ ହେଲେ ସେହି କଥାଟିକୁ ବ୍ୟକ୍ତ କରିପାରିଥାନ୍ତେ । ଏବଂ, ସବାବଡ଼ କଥାଟି ହେଉଛି ମାର୍କ୍ସଙ୍କ ସମେତ ଭାରତୀୟ ସମାଜବାଦୀ ବିଧି ସମସ୍ତେ ଉପନିବେଶଗୁଡ଼ିକ ଆଗ ଜାତୀୟ ସ୍ଵାଧୀତା ଲାଭକରିବେ ଏବଂ ତା'ପରେ ଯାଇ ସମାଜବାଦୀ ପ୍ରବର୍ତ୍ତନର ଦ୍ୱିତୀୟ ସୋପାନରେ ପ୍ରବେଶ କରିବେ ବୋଲି କେଡ଼େ ସ୍ପଷ୍ଟ ଭାବରେ ଘୋଷଣା କରିଥିଲେ । ଶ୍ରୀଯୁକ୍ତ ମଧୁସୂଦନ ଦାସ ଭାରତ ଆଗ ବ୍ରିଟିଶ୍ ଶାସନରୁ ମୁକ୍ତ ହେଉ ବୋଲି କେବେ ଇଚ୍ଛା କରିଥିବାର ଇଙ୍ଗିତ ମଧ୍ୟ ଦେଇଛନ୍ତି କି ? ଭାରତ–ବିଜେରେ ଆସିଥିବା ଇଂରେଜ ମହୀପତିଙ୍କୁ ତ ସିଏ କାଉନସିଲରେ ଯୀଶୁଖ୍ରୀଷ୍ଟଙ୍କ ସହିତ ତୁଳନା କରିଛନ୍ତି ଓ ଶହୀଦ ଭଗତ ସିଂହଙ୍କୁ ବିପଥଗାମୀ ଯୁବକମାନଙ୍କୁ ମଧ୍ୟରେ ସୁମାରି ମଧ୍ୟ କରିଛନ୍ତି ।

 

ତେଣୁ, ଆମେ ମୋହମୁକ୍ତ ହେବା । ତେବେ ଯାଇ ମଧୁସୂଦନଙ୍କର ସତ ତଥା ଅନନ୍ୟ ପ୍ରେରଣାଗୁଡ଼ିକର ଯୋଗ୍ୟ ହେବା । ସ୍ଵୟଂ ଉତ୍ସର୍ଗୀକୃତ ହୋଇପାରିଲେ ଯାଇଆମେ ତାଙ୍କ ସଦୃଶ ପୂର୍ଣ୍ଣ ଉତ୍ସର୍ଗୀକୃତ ଜଣେ ଚକ୍ଷୁସମ୍ପନ୍ନ ବ୍ୟକ୍ତିଙ୍କୁ ବିଭ୍ରମ ଶୂନ୍ୟଭାବରେ ବୁଝିପାରିବା ଏବଂ ଆମର ଏହି ଉପସ୍ଥିତ ବହୁ ବିଡ଼ମ୍ବନା ପୂର୍ଣ୍ଣ ଅଶୁଦ୍ଧକାଳଟାର ସାମନା କରିବା ଲାଗି ମଧ୍ୟ କିଛି ସୂତ୍ର ପାଇଯିବା ।

Image

 

ବିଚ୍ଛିନ୍ନ ଉତ୍କଳର ତଲାଶରେ

 

ଏହି ମାଘମାସରେ ଉତ୍କଳ ସାହିତ୍ୟ ସମାଜବାଲା ସଂହଭୂମିରେ ସାହିତ୍ୟସଭା କରି ଆସିଲେ । ସେକାଳେ ବା କେଉଁ ଏକ କାଳରେ ଆମ ମହାମେଘବାହନ ଖାରବେଳ ନିଜର ଘୋଡ଼ାମାନଙ୍କୁ ନେଇ ମଗଧର ଗଙ୍ଗାନଦୀରୁ ଯେ ପାଣି ପିଆଇ ଆଣିଥିଲେ ବୋଲି ହାତୀଗୁମ୍ପାରେ ଯାହା ଖୋଦା ହୋଇ ରହିଛି, ଏହି କ୍ଷେତ୍ରରେ ମଧ୍ୟ ମୋର କ'ଣ ପାଇଁ ସେହି: ଉପାଖ୍ୟାନଟି ଖୁବ୍ ମନେ ପଡ଼ିଗଲା । ଭଲ ହେଲା, ଆମେ ମଧ୍ୟ ଆମ ଉତ୍ସାହର ଘୋଡ଼ାମାନଙ୍କୁ ସେଯାଏ ନେଇ ଗୋଟାଏ ପ୍ରକାରର ପାଣି ପିଆଇ ଆସିଲୁ । ହଁ, ବଙ୍ଗୀୟ ସାହିତ୍ୟ ସମିତି ବହୁବର୍ଷ ହେଲା ପ୍ରାୟ ସେହି ପରମ୍ପରାରେ ଭାରତବର୍ଷ ବିଭିନ୍ନ ସ୍ଥାନରେ ନିଜର ବାର୍ଷିକ ବୈଠକମାନଙ୍କର ଆୟୋଜନ କରିଆସିଛି । ଆମେ ଓଡ଼ିଆମାନେ ମଧ୍ୟ ହୁଏତ ସେହି ଆହ୍ଲାଦରେ ସିଧା ହସ୍ତିନାପୁରରେ ମଧ୍ୟ ଆମ ବୁଝିବା ଭଳି ଏକ ବିଶ୍ୱ ଓଡ଼ିଆ ସମ୍ମିଳନୀର ମସୁଧା କରିବାକୁ ମନ କଲୁଣି ଏବଂ ପ୍ରଖ୍ୟାତିର ଗଛଟାକୁ ଲକ୍ଷ୍ୟ କରି ଫୋପଡ଼ି ମାରିବାକୁ ବିଚାର କରି ପକାଇଲୁଣି । ଦେଶର ଯେଉଁସବୁ ପେଣ୍ଡରେ ବଙ୍ଗବାସୀ ମାନେ ପ୍ରାୟ ଏକ ଆଖିଦୃଶିଆ ସଂଖ୍ୟାରେ ରହିଛନ୍ତି, –ସେଠି ଅଧିକାଂଶ ଚାକିରିରେ ଅଛନ୍ତି ଓ ଆଉ କିଛି ପ୍ରଥମେ ଚାକିରି କରିବାକୁ ଯାଇଥିଲେ ମଧ୍ୟ କ୍ରମେ ସେଇଠି ଡିହ ମାରି ସ୍ଥାୟୀ ଭାବରେ ରହି ଯାଇଛନ୍ତି । ତେଣୁ ଖୁବ ଆଶା କରାଯିବ ନାହିଁ କାହିଁକି ଯେ, ଆମେ ଓଡ଼ିଆରେ ମଧ୍ୟ ଚାକିରି ଇତ୍ୟାଦି ପ୍ରୟୋଜନରେ ଓଡ଼ିଶା ବାହାରକୁ ଅଧିକରୁ ଅଧିକ ସଂଖ୍ୟାରେ ପ୍ରସ୍ଥାନ କରିବାସଂଗେ ସଂଗେ ଆମର ଏହି ନାନାବିଧ ପର୍ବାନୁଷ୍ଠାନଗୁଡ଼ିକ ମଧ୍ୟ ଦେଶଟାଯାକ । ପ୍ରସାରିତ ହୋଇଯିବ । ସେହି ସୂତ୍ରରେ ଜଗନ୍ନାଥଙ୍କର ରଥଯାତ୍ରା ଯେ ଆଗେଇ ଆଗେଇ ଆମେରିକା ଯାଏ ଗଲାଣି, ଆମେ ତାହା ଅବଶ୍ୟ ବୁଝିପାରିବା ।

 

ବିଚ୍ଛିନ୍ନ ଉତ୍କଳ ନାମ କଥାଟିକୁ ଆମେ ହାଇସ୍କୁଲରେ ପାଠ ପଢ଼ୁଥିବା ବେଳରୁ ମଧ୍ୟ ଶୁଣି ଆସୁଛୁ । ସେତେବେଳକୁ ନୂଆ ହୋଇ ପ୍ରଦେଶଟିଏ ହୋଇଥାଏ । ତଥାପି ସବୁଯାକ ଓଡ଼ିଆ ଅଂଚଳ ଏକାଠି ହୋଇ ପାରିଲା ନାହିଁ ବୋଲି କ୍ଷେତ୍ରୀୟ ଯୋଦ୍ଧୃମୁଣ୍ଡଳି ଭାରି ଖେଦ କରୁଥାନ୍ତି । 'କି ହେବ ଏ ମୁଣ୍ଡକଟା ଦେଶକୁ ଘେନି’–ବୋଲି ଗୀତଟିଏ । ମଧ୍ୟ ସେତେବେଳେ ସଭାମାନଙ୍କରେ ବେଶ୍ ଶୁଣିବାକୁ ମିଳୁଥାଏ । ମାନଚିତ୍ରକୁ ପୃଷ୍ଠଭୂମି କରି ଉତ୍କଳ ଜନନୀଙ୍କର ଯେଉଁ କାରୁଣ୍ୟମିଳନ ସୁଠାମ ଛବିଟିକୁ କଳ୍ପନାତଥା ବର୍ଣନାମାନ ଦେଇ ଆମ ପିଲାଙ୍କୁ ଉତ୍କଳ–ପ୍ରୀତି ମଧ୍ୟକୁ ସଂକ୍ରମିତ କରିନେବାକୁପ୍ରୟାସ କରାଯାଉଥାଏ, ସେଥିରେ ସିଂହଭୂମି ଓ ମେଦିନୀପୁରକୁ ହିଁ ତାଙ୍କର ମୁଣ୍ଡ ରୂପେ ଦର୍ଶାଇ ଦିଆଯାଇଥାଏ । ହଁ, ସେତେବେଳେ ଭାରତୀୟ ମୁକ୍ତି ସଂଗ୍ରାମଟି ମଧ୍ୟ ଏକ ଜାତୀୟ ନେତୃତ୍ୱର କ୍ରିୟାଶୀଳତା ମଧ୍ୟରେ କ୍ରମେ ପାକଳ ହୋଇ ଆସୁଥାଏ । ଭାରତୀୟ ଜାତୀୟ କଂଗ୍ରେସର ମଞ୍ଚ ଉପରୁ ପୂର୍ଣ୍ଣ ସ୍ଵାଧୀନତା ହିଁ ଭାରତ–ଜନଗଣଙ୍କରଦାବି ବୋଲି ବ୍ରିଟିଶ ସରକାରଙ୍କ ଠାରେ କହି ଦିଆଯାଇଥାଏ । ତୃତୀୟ ଦଶକରେ ହିଁ ଦୁଇ ଦୁଇଟା ଆନ୍ଦୋଳନ ଫଳରେ ଅସହଯୋଗ, ସତ୍ୟାଗ୍ରହ ଓ ଆଇନଅମାନ୍ୟର କ୍ରମସଫଳ ପ୍ରୟୋଗମାନ ହୋଇ ସାରିଥାଏ । ସରକାର ନରମି ଆସୁଥାନ୍ତି ଓ ଏକ ନୂଆବିଧାନ ଅନୁସାରେ ୧୯୩୭ ମସିହାରେ ଏକ ପ୍ରାଥମିକ ସ୍ତରୀୟ ସାଧାରଣ ନିର୍ବାଚନହେବ ବୋଲି ସରକାରୀ ଘୋଷଣା ମଧ୍ୟ ହୋଇଥାଏ । ଏବଂ ଓଡ଼ିଶା-? ଉତ୍କଳମଣିଗୋପବନ୍ଧୁ ଦାଶ ୧୯୨୮ରୁ ବିଦାୟ ନେଇ ଯାଇସାରିଥାନ୍ତି-। ଉତ୍କଳଗୌରବମଧୁସୂଦନ ମଧ୍ୟ ତିନିବର୍ଷ ହେଲା ଇହଧାମରେ ନଥାନ୍ତି । ଭାରି ହୀନସ୍ତା ଭିତରେ ଦେୱାଲିଆ ହୋଇ ତାଙ୍କର ପ୍ରିୟ ଏହି ଭୂମିରୁ ଅନ୍ତର ହୋଇ ଯାଇଥାଆନ୍ତି । ସାରା ଭାରତବର୍ଷରେ ଓଡ଼ିଶା ନାମକ ଏକ ଏକକଟିର ଶକ୍ତି ମନ୍ତ ଓ ଦୃଷ୍ଟି ଆକର୍ଷଣକାରୀ ପରିଚୟଟିଏ ଦେବା ନିମନ୍ତେ ଓଡ଼ିଶା–ଖଣ୍ଡରେ କେହି ନଥାନ୍ତି । କଂଗ୍ରେସରେ “ମୁଁ ବଡ଼ ତୁ ସାନ'ର ପିଲା ଖେଳମାନ ଆରମ୍ଭ ହୋଇଯାଇଥାଏ । ଉତ୍କଳ ସମ୍ମିଳନୀର ନେତୃବୃନ୍ଦ ତ କେବେହେଲେ ଦେଶର ସ୍ୱାଧୀନତା ସଂଗ୍ରାମରେ ନଥିଲେ, –ତେଣୁ ସେମାନଙ୍କର ଅନ୍ଦାଜଗୁଡ଼ିକ ନିଜକୁ ଏକ ସମଗ୍ର ଦେଶର ପରିପ୍ରେକ୍ଷୀ ଉପରେ ପକାଇ ପରଖି ପାରିବାର ଆଦୌ ସୁଯୋଗ ହିଁ ନଥିଲା ।

 

ସେଦିନ, ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଗାଧୁଆବେଳେ ଏକ ନୂଆ ଓଡ଼ିଶା ପ୍ରଦେଶ ଗଠନର ଉତ୍ସବ ରେଭେନ୍ସା କଲେଜରେ ଅନୁଷ୍ଠିତ ହେଉଥାଏ । ତତ୍କାଳୀନ ରାଣୀହାଟ ମଧ୍ୟଇଂରାଜୀ ବିଦ୍ୟାଳୟର ମୁଁ ସପ୍ତମ ଶ୍ରେଣୀର ଛାତ୍ର । ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବାଞ୍ଛାନିଧି ଶତପଥୀ ଆମକୁ ଉତ୍ସବ ଦେଖାଇ ନେଇଥାନ୍ତି । ଉତ୍ସବ କକ୍ଷରେ ପ୍ରବେଶ କରିବାର ତ ପ୍ରଶ୍ନ ହିଁ ନଥାଏ । ତେଣୁ ଏବେ ଜନତା କହିଲେ ଯେଉଁମାନଙ୍କୁ ବୁଝାଇବ, ସେମାନେ ସମସ୍ତେ ବାହାରେ ରୁଣ୍ଡ ହୋଇଥାନ୍ତି । ଭିତରେ କେବଳ ସାହେବମାନେ–କଳା ସାହେବ ଓ ଗୋରା ସାହେବ । ସେମାନେ ମଟରଗାଡ଼ିମାନ ଚଢ଼ି ଶୋଭାଯାତ୍ରାରେ ବାହାରିଲେ । ଆମ ପିଲାଙ୍କର ଆଖି ଖୋଷି ହୋଇ ଯାଉଥାଏ । ଗାଡ଼ି ଭିତରର ସେହି ଭବ୍ୟ ପରିଚ୍ଛଦଯୁକ୍ତ ବରିଷ୍ଠମାନେ ସେଦିନ ଯାବତୀୟ ଅର୍ଥରେ ଗୋଟାଏ କେଉଁ ବିଚ୍ଛିନ୍ନାଞ୍ଚଳର ବାସିନ୍ଦାଙ୍କ ପରି ହିଁ ଦେଖାଯାଉଥିଲେ । ନିତାନ୍ତ ଅନାୟାସରେ ବୁଝିହେବ ଯେ ସେହି ମହନୀୟମାନଙ୍କର ଆଖିକୁ ସେଠାରେ ସମବେତ ଜନଗଣ ମଧ୍ୟ ପ୍ରଜାଙ୍କ ସଦୃଶ ବରଂ ଦେଖାଯାଇଥିବେ ସିନା, ଓଡ଼ିଆଙ୍କ ପରି କଦାପି ଦେଖାଯାଇ ନଥିବେ । ସେହି ଅଲକ୍ଷଣା ଆରମ୍ଭଟା ଠାରୁହିଁ ଓଡ଼ିଶା କାହାର ବା କେଉଁମାନଙ୍କର ଚକ୍ରାନ୍ତରେ ଏପରି ଦୁଇଖଣ୍ଡ ହୋଇ ରହିଯାଇଛି କେଜାଣି ? ହଁ, ରାତିରେ ଜିଲା ଭିତରେ ଆତସବାଜି ହେଲା । ବାହାରେ ଜଗୁଆଳିମାନଙ୍କୁ ଜଗାଇ ଉତ୍ସବର ପ୍ରମୁଖମାନେ ସାହେବମାନଙ୍କ ସହିତ ତେଣିକାନାଚ ନାଚିଲେ । ଗୋଟାଏ ପାଖରେ ବଦାନ୍ୟତା ଓ ଆଉ ଗୋଟାଏ ପାଖରେ କୃତଜ୍ଞତା–ଏହିପରି ଦୁଇ ପ୍ରକାରର ଅଭିବ୍ୟକ୍ତି ସେହି ବିଚିତ୍ର ଅପରିବେଶଟା ଭିତରେ ନିଜ ନିଜର ଧର୍ମ ଅନୁସାରେ ଚାହାଣି ସହିତ ଚାହାଣି ମିଶାଇବାକୁ ନିଶ୍ଚୟ ଭୟଙ୍କର ପ୍ରୟାସମାନ କରିଥିବେ । ଓଡ଼ିଶା କ'ଣ ସେହିଦିନୁ ବିଚ୍ଛିନ୍ନ ହୋଇ ରହିଗଲା କି ?

 

ସେହି ମୂଳରୁ ହିଁ ଗଡ଼ଜାତୀ ରାଜାମାନେ ଏହି ବିଶିଷ୍ଟ ମାହାଲଟି, ମଧ୍ୟରେଗୋଟିଏ ଗୋଟିଏ ହାତୀ ପରି ହୋଇ ରହିଲେ । ମୋଗଲବନ୍ଦୀରେ ତ ରାଜା ନଥିଲେ, ତେଣୁ ଜମିଦାରମାନେ ବାକି ଚଉକୀଗୁଡ଼ିକର ପୂରଣ କଲେ । ଉତ୍କଳ ପ୍ରଦେଶଗଠନରେ ସେମାନେ ଅଗ୍ରଭାଗରେ ହିଁ ଥିଲେ । ମାତ୍ର ସେହି ଶ୍ରୀମନ୍ତମାନଙ୍କରଅଧିକାର-ସୀମା ଭିତରେ ଯେ ହଜାର ହଜାର ଓଡ଼ିଆ ଆପଣା ଆପଣାର ମନ୍ଦଭାଗ୍ୟକୁ ନେଇ ପଡ଼ି ରହିଥିଲେ, ସେକଥା କାହିଁକି କୌଣସି ସଭାରେ ପଡ଼ି ପାରିଲାନାହିଁ ଏବଂ ଏବେ ମଧ୍ୟ କାହିଁ କି ସେହି କଥାଟିର ଆଲୋଚନା ହୋଇପାରୁ ନାହିଁ । ସେପାଖରେ ଗଡ଼ଜାତୀ ଅନ୍ଧାରର ଆଦିମତାଗୁଡ଼ାକ ଘାଟି ରହିଥିଲା ଏବଂ ସେ ମହୀନ୍ଦ୍ରବାହାଦୁରମାନେ ମୋଗଲବନ୍ଦୀ ଆସି ଉତ୍କଳ ଆନ୍ଦୋଳନର ଆଳରେ ଲୁହ ଗଡ଼ାଉଥିଲେ । ଜହାଁପନା ରାଜା ଆମର ସାହିତ୍ୟ ପାଇଁ ଘର ତିଆରି କରିଦେଲେ, ଛାତ୍ରାବାସ ଛିଡ଼ା କରିଦେଲେ, ଅଥଚ ନିଜ ପ୍ରଜାମାନଙ୍କୁ କାହିଁକି ଓଡ଼ିଆ ବୋଲିଗଣୁନଥିଲେ ? ସ୍ଵୟଂ ଉତ୍କଳ ଗୌରବ, କ'ଣ ସେହି କଥାଟିକୁ ବୁଝିପାରୁ ନଥିଲେ ନାକୌଣସି ଧର୍ମସଂକଟରେ ପଡ଼ି ଝକ୍ ମାରି ତୁଣ୍ଡ ବନ୍ଦ କରି ରହିଗଲେ ? ସାରାଭାରତବର୍ଷ ସେତେବେଳେ ଯେଉଁ ନେତୃତ୍ର ଦ୍ୱାରା ପରିଚାଳିତ ହୋଇ ଅଗ୍ନିପରୀକ୍ଷାପରେ ଅଗ୍ନିପରୀକ୍ଷାରେ ଅବତୀର୍ଣ୍ଣ ହେବାରେ ଲାଗିଥିଲା, ସେଥିରୁ ଉତ୍କଳର ଚେତନାକୁ ଅନ୍ୟମନସ୍କ କରି ରଖିବାକୁ ତତ୍କାଳୀନ ରାଜା ଓ ଜମିଦାରି କତିପୟଙ୍କୁ ହତିଆର କରି ଶାସନଟା ଗୋଟିଏ ମନ୍ଦ ପ୍ରୟାସ କରୁଥିଲା ଓ ଗୋଟାଏ ଅନ୍ୟ କୌଣସି କଙ୍କଣରଲୋଭରେ ଉତ୍କଳର ଆମର କେଡ଼େକେଡ଼େ ନେତାମାନେ ସେଥିରେ ବାନ୍ଧି ହୋଇରହିଗଲେ କି ? ସେତେବେଳେ ଗୋପବନ୍ଧୁ ଦାସ ତ ନଥିଲେ,–ତେଣୁ ସମଗ୍ର ଆଖିଟିଏ ପକାଇ ସମଗ୍ର ଓଡ଼ିଶାର କଥା କହିବା ପାଇଁ ବସ୍ତୁତଃ ଆଉ କେହି ହୁଏତ ନଥିଲେ । ଏବଂ, ସେହି କାଳର ଓ ସେହି ସବୁ ଦୁଃଖଦ କାରଣ ହେତୁ ଓଡ଼ିଶା ଯେ ଏହି ସ୍ଵାଧୀନଭାରତରେ ମଧ୍ୟ ଏଡ଼େ ଏକପାଖିଆ ଭାବରେ ସବୁରି .ସମାସ୍କନ୍ଧ ହୋଇ ବାଟ ଚାଲିପାରୁ ନାହିଁ ଓ ଏତେ ଏତେ ସମ୍ପଦ ତଥା ସମ୍ଭାବନା ରହିଥିଲେ ମଧ୍ୟ ତଥାପି ତା’ର ଦୀନଦଶା ମେଣ୍ଟୁନାହିଁ, ସେହି ବିଗତ ପ୍ରସଙ୍ଗ ଗୁଡ଼ିକର ପର୍ଯ୍ୟାଲୋଚନା କଲେଆମକୁ ତାହାର କିଞ୍ଚିତ୍ ସୁରାଖ ମିଳିଯାଇ ପାରନ୍ତା କି !

 

ତେଣୁ, ହେ ମୋର ବନ୍ଧୁ । ହେ ମିତ, ବିଚ୍ଛିନ୍ନାଞ୍ଚଳ ଖୋଜି ତୁମେ ଆଉ ଦୂର ଯାଏକାହିଁକି ଯିବ । ଛାତିରେ ଅସଲ ହୃଦୟଟିଏ ଧରି ଏଇଠି ନିଜ ଚାରିପାଖକୁ ଅନାଇଲେ ମଧ୍ୟ ତୁମକୁ ବିଚ୍ଛିନ୍ନାଞ୍ଚଳ ଗୁଡ଼ିକ ଢେର ମିଳିଯିବେ । ଛାତିକୁ ପଥର କରି ରଖିବ ବୋଲି ପଣ କରିଥିଲେ ହୁଏତ କିଛି ହେଲେ ବାରି ପାରୁନଥିବ । ଏଠାରେ ଶାସକମାନଙ୍କର ଯୋଉ ଓଡ଼ିଶା ଶାସିତ ସାଧାରଣଙ୍କର ସେହି ଓଡ଼ିଶା ଆଦୌ ନୁହେଁ । କାଗଜ ଅନୁସାରେ ଗୋଟିଏ ଓଡ଼ିଶା ସିନା, ମାତ୍ର ଯାବତୀୟ ପ୍ରକାରର ଚଳନ୍ତି ଜୀବନର କ୍ଷେତ୍ରରେ ଦୁଇଟା । ଏଇଟି ସେପକ୍ଷ ସକାଶେ ବିଚ୍ଛିନ୍ନ ଅଂଚଳ ଏବଂ ସେଇଟି, ଏପକ୍ଷ ପାଇଁ ବିଚ୍ଛିନ୍ନାଞ୍ଚଳ । ଗାଆଁମାନେ ସହରମାନଙ୍କ ପାଇଁ ବିଚ୍ଛିନ୍ନାଞ୍ଚଳ ଏବଂସହରମାନେ ଗାଆଁମାନଙ୍କ ପାଇଁ ବିଚ୍ଛିନ୍ନାଞ୍ଚଳ । ପାଠୁଆମାନେ ସର୍ବତ୍ର ଅପାଠୁଆମାନଙ୍କ ପାଇଁ ବିଚ୍ଛିନ୍ନାଞ୍ଚଳ ଓ ଅପାଠୁଆମାନେ ପାଠୁଆମୀନଙ୍କ ପାଇଁ ମଧ୍ୟ ବିଚ୍ଛିନ୍ନାଞ୍ଚଳ । ଆମ ଗାଆଁ କ'ଣ ସତକୁ ସତ ଗୋଟିଏ ଗାଆଁ, ଗୋଟିଏ ଓଡ଼ିଶା ? ଗାଆଁର ଏ ସାହି ସେ ସାହି ନିମନ୍ତେ ବିଚ୍ଛିନ୍ନାଞ୍ଚଳ ଏବଂ ସେ ସାହି ଏ ସାହି ନିମନ୍ତେ ବିଚ୍ଛିନ୍ନାଞ୍ଚଳ । ଗାଆଁର ଠାକୁର ମଧ୍ୟ ଗାଆଁ ଗୋଟାକର ନୁହନ୍ତି । ଭୋଜି ଭାତରେ ସମସ୍ତେ କଦାପି ଏକାଠି ପତର ପକାଇବାକୁ ଆସନ୍ତି ନାହିଁ । ଗାଆଁ ନଈ ଓ ଗାଆଁପୋଖରୀର ତୁଠମାନେ ମଧ୍ୟ ଗୋଷ୍ଠୀଭେଦରେ ପରସ୍ପର ସକାଶେ ଗୋଟିଏ ଗୋଟିଏବିଚ୍ଛିନ୍ନ ଓ ନିଷିଦ୍ଧ ଅଂଚଳ । ଗାଆଁରେ ମରୁଥିବା ସବୁ ମଣିଷଙ୍କର ସତ୍କାର ପାଇଁ କୋଉଠି ଗୋଟିଏ ମଶାଣି ବ୍ୟବହୃତ ହେଉଛି କୁହନ୍ତୁ ତ ! ଗାଆଁର ସବୁ ପିଲା ବି ଗୋଟିଏ ସ୍ଥାନରେ ଖେଳି ପାରୁନାହାନ୍ତି । ପୁନଶ୍ଚ, ସବୁ ଗାଆଁରେ ଥୋକେ ପିଲା ଇସ୍କୁଲକୁଯାଉଛନ୍ତି ଓ ଆଉ ଥୋକେ ବଂଚିତ ହୋଇ ରହିଛନ୍ତି । ଏଇଟାକୁ ଉଭୟ ପକ୍ଷ ଭାଗ୍ୟବୋଲି କହୁଛନ୍ତି । ତେଣୁ ଓଡ଼ିଶାଟା ଗୋଟା ହୋଇ କେଉଁଠାରେ ଅଛି ଯେ, ତୁମେବିଚ୍ଛିନ୍ନାଞ୍ଚଳର ତଲାଶ କରି ସିଂହଭୂମି ଯାଏ ଯିବ ଓ ସେହି ଘଟଣାଟାକୁ ପୁଣି ଖବରକାଗଜରେ ବାହାର କରିବ ? ରାଜ୍ୟଟାରେ ତୁଛା ଗଡ଼ଜାତୀ କାଇଦାରେ ବାବୁଓ ଆବୁମାନଙ୍କର କରିସ୍ମାଗୁଡ଼ାକ ଲାଗି ରହିଥିଲେ ଓଡ଼ିଶା ଦୁଇଭାଗ ହୋଇ ରହିଥିବ । ନିତାନ୍ତ ନିର୍ଲଜ୍ଜ ଭାବେ ଯେଉଁ ଯାଏ ମେଚ୍ଛଧର୍ମୀ ଅବିବେକ ଗୁଡ଼ାକ ଓଡ଼ିଶାଟାକୁ ଗିଳି କରି ରହିଥିବେ, ସେପର୍ଯ୍ୟନ୍ତ ଏଠି ସବୁ ମଣିଷ କଦାପି ଏହି ଭୂମିକୁ ମୋ ନିଜରବୋଲି କହିପାରିବେ ନାହିଁ ଏବଂ ସଂଗ୍ରାମ ବି ଲାଗି ରହିଥିବ । ଜଗନ୍ନାଥ ଥିବ, –ଏବଂତାଙ୍କର ଏକ ପତିତପାବନ ସଂସ୍କରଣ ମଧ୍ୟ ଅଲବତ ଥିବ ।

 

ଉତ୍କଳ ସମ୍ମିଳନୀ ଓ ଉତ୍କଳ ସାହିତ୍ୟ ସମାଜ ନିଜ ନିଜ ଅଭ୍ୟସ୍ତ ଅକରଣିଗୁଡ଼ିକ ଉପରୁ କେତେ ପରସ୍ତ ଜାତି ଛଡ଼ାଇ ଦ୍ୱିଜ ହୋଇପାରିଲେ ଯେ ଓଡ଼ିଶାକୁ ପୂର୍ଣ୍ଣ ସୁସ୍ଥ୍ୟ ଭାବରେ ଦେଖିପାରିବେ, ତାହା କିଏ ହିସାବ କରି କହିପାରିବ ? ଆପଣାକୁ ଆପଣା ବେଭାର ତଥା ଚରିତ୍ରର ଧର୍ମରେ ଏକପାଖିଆ ଓ ଏକଆଖିଆ କରି ରଖିଥିବା ପର୍ଯ୍ୟନ୍ତ ଓ ତଦ୍ୱାରା ବହୁ ଭାବେ ଉପକୃତ ହେଉଥିବା ପର୍ଯ୍ୟନ୍ତ ସେମାନେ କଦାପି ଏତେ ଏତେ ବିମୋଚନ ଓ ଏତେ ଏତେ ଶ୍ରଦ୍ଧାର ଯୋଗ୍ୟ ହୋଇ ପାରିବେ ନାହିଁ ! ଜାଣି ଜାଣି ଅଳପ ଭିତରେ ରହିବେ ଏବଂ ଅଳପ ଦେଖିବେ । ସେହି ଅଳପକୁ ହିଁ ସାରା ଓଡ଼ିଶା ବୋଲି କହି ନିଜକୁ ନିଦ୍ରାଗତ କରି ରଖିଥିବେ । ପାଖଟାକୁ ପ୍ରତ୍ୟାଖ୍ୟାନ କରି ଏହି ବିକୃତିପୂର୍ଣ୍ଣ ବର୍ଷମାନଟାକୁ ନିଜର ଏକାକୀ ଭୋଗ ନିମନ୍ତେ କାନିରେ ବାନ୍ଧି ରଖିବେ ବୋଲି ଧାବମାନ ହୋଇ ରହିଥିବେ ସିନା, ମୋଟେ ଅନ୍ୟ ସମ୍ଭାବ୍ୟଗୁଡ଼ିକୁ ସାହସ କରିବେନାହିଁ । ଏକ ମତିହୀନ ଭବ୍ୟ ବର୍ଗ ଯେ ନାନା ଚତୁରପଣରେ ବର୍ଷ ବର୍ଷ ଧରି ଗୋଟାଏତୁଚ୍ଛା ଅରାଜକତାକୁ କେଡ଼େ ସଂକୁଳ କରିସଜାଇ ରଖିଛି, ସେହି କଥାଟା ଯଥାର୍ଥ ଆଗାମୀଟାର ମଞ୍ଚଗୁଡ଼ିକରୁ ସିଧା ଘୋଷିତ ହୋଇପାରିବା ପର୍ଯ୍ୟନ୍ତ ଭୂମିଟା ଆମକୁ ନିର୍ବୋଧ ବୋଲି ପ୍ରମାଣିତ କରି ଏହି ପରି ବିଚ୍ଛିନ୍ନ ହୋଇ ହିଁ ରହିଥିବ ।

Image

 

Unknown

ଜାଲିଆନ୍‍ଓ୍ୱାଲାବାଗ୍ ଓ ସାହିତ୍ୟ

 

୧୯୧୯ ମସିହା ଏପ୍ରିଲ ମାସର ଆରମ୍ଭ ସପ୍ତାହଟିର ଗୋଟିଏ ଘଟଣା । ତତ୍କାଳୀନ ବ୍ରିଟିଶ୍ ସଲତନତର ସୈନ୍ୟମାନେ ପଞ୍ଜାବର ଗୋଟିଏ ସମାବେଶରେ ଆଖିବୁଜା ଗୁଳି ଚଳାଇ ଏକାବେଳକେ କେତେ ଶହ ମଣିଷଙ୍କୁ ଲାଛି ମାରିଦେଇଥିଲେ । ସେହି ସ୍ଥାନଟିରୁ ବାହାରି ଯାଇ ପ୍ରାଣ ବଞ୍ଚାଇବା ନିମନ୍ତେ ଯେଉଁ ଗୋଟିଏ ମାତ୍ର ରାସ୍ତା ଥିଲା, ସେଇଟିକୁ ମଧ୍ୟ ସୈନ୍ୟମାନେ ପୂର୍ବରୁ ହିଁ ଜଗି ଛିଡ଼ା ହୋଇଥିଲେ । ତେଣୁ, ଲୋକେ ପଳାଇ ପାରିଲେ ନାହିଁ । ବଡ଼ ଡହଳବିକଳ ହୋଇ ମଲେ । ହତ୍ୟାକାରୀମାନଙ୍କ ପାଖରେ ଆଉ ଅଧିକ ଗୁଳି ନଥିଲା, ନଚେତ୍ ଅଧିକ ସମୟ ବନ୍ଧୁକ ଚାଲିଥାନ୍ତା ଓ ଆହୁରି ଅଧିକ ଲୋକ ମରିଥାନ୍ତେ ବୋଲି ସେହି ହତ୍ୟାକାଣ୍ଡର ଆଦେଶ ଦେଇଥିବା ଗୋରା ସେନାପତି ଇଂଲଣ୍ଡର ପାର୍ଲିଆମେଣ୍ଟରେ ନିଜର ଦୁଃଖପ୍ରକାଶ କରିଥିଲେ । ମହାତ୍ମା ଗାନ୍ଧୀ ଆସି ଭାରତୀୟ ସଂଗ୍ରାମଟିର ନେତୃତ୍ବ ଗ୍ରହଣକରିଥିବାର ଏହି ପର୍ଯ୍ୟାୟଟିର ଏଇଟି ହେଉଛି ସର୍ବପ୍ରଥମ ଘଟଣା । ଗାନ୍ଧୀଙ୍କ ସମେତଶହ ଶହ ସଂଗ୍ରାମୀଙ୍କୁ ଗିରଫ କରି ଧରି ନିଆ ଯାଇଥିଲା । ଦେଶରେ କେହି କୌଣସିସଭା ବା ଶୋଭାଯାତ୍ରା କରିପାରିବେ ନାହିଁ କିମ୍ବା ମନ୍ତବ୍ୟ ଦେବେ ନାହିଁ ବୋଲି ନିଷେଧାଜ୍ଞା ଜାରି ହୋଇଗଲା । ତୁଣ୍ଡ ଖୋଲିଲେ ହିଁ ଶାନ୍ତି ମିଳିବ । ସବୁଆଡ଼େ ଏକ, ଆତଙ୍କର ଅବସ୍ଥା, ନୀରବତା ଏବଂ କାତରତାପୂର୍ଣ୍ଣ ନିଷ୍କ୍ରିୟତା । କାହାକୁ ତେବେ । ମାଧ୍ୟମ କରି ଏହି ଦେଶ ସେହି ବର୍ବରତାର ପ୍ରତିବାଦ କରିବ ? କିଏ ତୁଣ୍ଡ ଖୋଲିବ, ସେତିକିବେଳେ ଜଣେ କବି ଯେ ମାନ ରଖିଲା ଓ ଆଗକୁ ବାହାରି ଆସିଲା, ଏହା ଆଦୌ ଏକ ଆକସ୍ମିକ ଘଟଣା ନୁହେଁ । ଇତିହାସରେ ଇଜ୍ଜତ ରଖିଲା ଭଳିଘଟୁଥିବା ବସ୍ତୁତଃ କୌଣସି ଘଟଣା ହିଁ ଆକସ୍ମିକ ନୁହେଁ ।

 

କବି ରବୀନ୍ଦ୍ରନାଥ ଠାକୁର ହିଁ ପାଟି ଖୋଲିଲେ, ପ୍ରତିବାଦ କରିଥିଲେ ଓ ଇଜ୍ଜତରଖିଲେ-। ରବୀନ୍ଦ୍ରନାଥ ୧୯୧୩ ମସିହାରୁ ସାହିତ୍ୟରେ ନୋବେଲ ପୁରସ୍କାର ପାଇସାରିଥାଆନ୍ତି । ସମଗ୍ର ଆଫ୍ରିକା ଏବଂ ଏସିଆରେ ସର୍ବପ୍ରଥମ ବ୍ୟକ୍ତି, ଯିଏକି ସେହିସମ୍ମାନର ଅଧିକାରୀ ହୋଇଥାନ୍ତି-। ଇଉରୋପର ଜନଗଣ ତାଙ୍କୁ ପ୍ରାଚ୍ୟ ଗଗନରୁଉଦିତ ହୋଇ ପାଶ୍ଚାତ୍ୟ ଭାବାକାଶକୁ ଉଦବେଳିତ କରି ପାରିଥିବା ଜଣେ ଯୋଗଜନ୍ନାମସିହା ଭଳିଦେଖୁଥିଲେ । ସ୍ଵୟଂ ବ୍ରିଟିଶ୍ ଶାସନକର୍ତ୍ତା ସତେ ଅବା ନିଜ ସାମ୍ରାଜ୍ୟର ଜଣେ ପ୍ରଜାର ଏହି ସମ୍ମାନ ଲାଭରେ ନିଜେ ମଧ୍ୟ ଗୌରବ ଅନୁଭବ କରି କବିଙ୍କୁ knight ଉପାଧିରେ ଭୂଷିତ କରିଥାନ୍ତି ! ମୁକ୍ତିକାମୀ ସଂଗ୍ରାମୀ ଭାରତର କବି ରବୀନ୍ଦ୍ରନାଥ ଏହି ସଂକଟ ସମୟରେ ଭାରତୀୟ ପକ୍ଷଟିରୁ ଜବାବ ଦେଲେ । ସିଏ । ତାଙ୍କର knight ଉପାଧିଟିକୁ ଫେରାଇ ଦେଲେ । ଯେଉଁ ମହାମହିମ ସରକାରଙ୍କଠାରୁ ପାଇଥିଲେ, ସେହି ସରକାରଙ୍କୁ ହିଁ ଫେରାଇଦେଲେ । ପ୍ରତିବାଦ କଲେ । ତୁଣ୍ଡ ଖୋଲିଲେ । ଯେତେବେଳେ ସମଗ୍ର ଦେଶର ତୁଣ୍ଡକୁ ନିଷେଧାଦେଶ ଜାରି କରି ଦେଇବନ୍ଦ କରି ରଖାଯାଇଛି, ସେତେବେଳେ ମୁଁ ସେହି ଦେଶର ଜଣେ କବି ହିଁ ତୁଣ୍ଡ ଖୋଲିପ୍ରତିବାଦ କରିବା ନିମନ୍ତେ ନିଷ୍ପତ୍ତି କରିଛି; ପ୍ରଥମ ବାକ୍ୟଟିରେ ହିଁ ରବୀନ୍ଦ୍ରନାଥ ଏହି ଶବ୍ଦଗୁଡ଼ିକୁ ବ୍ୟବହାର କରିଥିଲେ । ପ୍ରତିବାଦପତ୍ରଟି ସହିତ ସେ ଉପାଧିଟାକୁ ଫେରାଇଦେଇଥିଲେ । ଦେଶବାସୀଙ୍କର ମାନ ରଖିଲେ; ଯାବତୀୟ ସଂଗ୍ରାମରେ ଯେ ଜଣେ କବି କର୍ତ୍ତୃତ୍ଵପଟେ ନ ରହି ଜନଆକାଂକ୍ଷାର ପଟେ ରହିଥାଏ, ସେ ତାହାର ପ୍ରମାଣ ଦେଇଥିଲେ-। ଜାଲିଆନ୍–ୱାଲିଆନଓ୍ୱାଲାବାଗ ଘଟଣା ପରେ ପଞ୍ଚାଅଶୀ ବର୍ଷ ଚାଲିଗଲାଣିସିନା, କିନ୍ତୁ ଘଟଣାଟି ଏବେ ମଧ୍ୟ କବି ଲାଗି, ଲେଖକ ଲାଗି ତଥା ସାହିତ୍ୟ ଲାଗି ଅବିସ୍ମରଣୀୟ ହୋଇ ରହିଛି-। ସକଳ ଯୁଗରେ ଓ ସକଳ ଜନପଦରେ ଜଣେ କବି ଯେକେବଳ କବିତା ଅପେକ୍ଷା ଆହୁରି ବହୁତ କିଛିର ପ୍ରତିନିଧିତ୍ୱ କରୁଥାଏ, ଭାରତରେତାହାର ଏକ ଅନ୍ତରା ଲୋଡ଼ନକାରୀ ଦୃଷ୍ଟାନ୍ତ ହୋଇ ରହିଛି-। ସମ୍ପୃକ୍ତ ଆମ ସମସ୍ତଙ୍କୁହେଜାଇ ଦେବାଭଳି ହିଁ ରହିଛି ।

 

ଭାରତବର୍ଷ ସ୍ଵାଧୀନତା ହାସଲ କରିବାର ବିଗତ ଏହି ଢ଼େରେର ବର୍ଷପରେସାହିତ୍ୟଟା ମଧ୍ୟ ଏଠି କେତେ କେତେ ଆଡ଼କୁ ମାଡ଼ିଗଲାଣି । ହୁଏତ ଆକାଶମାନେବେଳେବେଳେ ଏପରି ଭିନେ ହୋଇ ଯାଇଛନ୍ତି ଯେ, ନକ୍ଷତ୍ରମାନେ ମଧ୍ୟ କ୍ରମେ ନିଆରାପ୍ରକାରର ହୋଇଗଲେଣି । ବେଳେବେଳେ ତ ଏକାବେଳକେ ଅନ୍ୟ କାଠିମାନଙ୍କ ଦ୍ୱାରାପରିମିତି କାଢ଼ି ଓ ଅନ୍ୟ ନଳମାନଙ୍କୁ ଯୋଖି କବିମାନେ ଏପରି ନାନା ନିଆରା ଗହନଭିତରେ ନୂଆ ନୂଆ ମାମୁ ଘରେ ଯାଇ କରୁଥିବା ଅଲିଅଳଗୁଡ଼ାକୁ ସୃଜନାତ୍ମକତା ବୋଲିକହିବାକୁ ଆରମ୍ଭ କଲେଣି ଯେ, ସେଥିରେ ନକ୍ଷତ୍ରମାନଙ୍କ ନିମନ୍ତେ ହୁଏତ ଆଦୌ ଏକ ଅନ୍ତରୀକ୍ଷ ରହିବାର ପ୍ରୟୋଜନ ହିଁ ପଡୁନାହିଁ । କବିତା, ଗଳ୍ପ ଓ ଉପନ୍ୟାସ, ଗୋଟିଏ ଗୋଟିଏ ମଣ୍ଡନକାର୍ଯ୍ୟରେ ପରିଣତ ହେଲେଣି, ତୁଚ୍ଛା ଏକ ବ୍ୟକ୍ତିଗତ ପାରିଧିର ଆୟତନ ମଧ୍ୟରେ ପୂରା ମଜା ମିଳି ଯାଉଥିବାର ଅନୁଭବ କଲେଣି । ଲେଖକ ଓ ସାହିତ୍ୟ ଘରର ଅନ୍ୟ ଖାସିନ୍ଦମାନେ କହୁଛନ୍ତି ଯେ, ସାହିତ୍ୟଟା ହେଉଛି ଗୋଟାଏବିଶେଷ ଧନ୍ଦା, ଗୋଟାଏ ବିଶେଷ ଋତୁ,–ଗୋଟାଏ ବିଶେଷ ଆଶ୍ରୟ ତଥା ଏକ ବିଶେଷଗୁମ୍ଫା । ତେଣୁ ସାହିତ୍ୟିକ ସତ୍ୟର ଧାତୁଟା ହିଁ ଅଲଗା,–ସେଠାରେ ତୁଚ୍ଛା ଏକକବିସତ୍ୟର ହିଁ ପରିପ୍ରକାଶ, ସତେ ଅବା କୌଣସି prodigal sonର ହିଁମନୋଗତରମଣବଣିଜ ! ଜୀବନ ସହିତ ଗୋଳାଇ ଦେଇ ଆମେ ତାହାର ଶୁଦ୍ଧଚ୍ଚାକୁ ଯେପରି ଆଦୌ ନଷ୍ଟ କରି ନଦେବା, ସେଥିଲାଗି ଆମ ଚେତନାଟାକୁ ସର୍ବଦା ଜଗୁଆଳି ଲଗାଇହିଁ ରଖିଥିବା । ଆମ ଭିତରେ ଆଦୌ କୌଣସି ବିଶ୍ବଲାଳସୀ ବୃହତ୍ତର ବିବେକକୁଅସ୍ବୀକୃତ କରି ରଖିଥିବା ,–ସଂସାର ପାଇଁ ସଂସାରକୁ ବଞ୍ଚିବା ଏବଂ ସାହିତ୍ୟ ପାଇଁ ସାହିତ୍ୟକୁ ବଞ୍ଚିବା । ଦ୍ୱିପତ୍ନୀକ ହେବା, ଦ୍ଵିଜ ହେବାକୁ ମୋଟେ ମନ କରିବା ନାହିଁ, ସ୍ଵାଧୀନତାର ପରବର୍ତ୍ତୀ ଭାରତୀୟ ସାହିତ୍ୟକୁ ପୃଷ୍ଠଭୂମିରେ ରଖି ଜାଲିଆଲବାଗ୍ଏବଂ କବି ରବୀନ୍ଦ୍ରନାଥଙ୍କୁ ଗୋଟିଏ ସଙ୍ଗତି ମଧ୍ୟରେ ଥାପି ଅଇ ଦେବା ମାତ୍ରକେ ସବ ଆଗ ଏହି ତିରିଶବର୍ଷ ତଳେ ଭାରତ ଉପରେ ଭାରତ ସରକାର ଜାରି କରିଥିବା ସେହି କେତେ ବର୍ଷର ଜରୁରୀ ଅବସ୍ଥାଟାର କଥା କ'ଣ ପାଇଁ ଭାରି ମନେ ପଡ଼ିଯାଏ । ଗୋଟାଏ ଭୟଙ୍କର ରାକ୍ଷସ ସତେ ଅବା ଗଦାଟାଏ ହାତରେ ଧରି ତୁମ ଆଡ଼କୁ ଦଉଡ଼ି ଆସୁଥିବା ପରି ମନେ ହେଉଥାଏ । ସେତେବେଳେ ଏହି ଓଡ଼ିଶାଟାରେ ମଧ୍ୟ ଗୋଟାଏ ଶୀତଦିନ ଆସି ଲୋକଜୀବନକୁ ମାଡ଼ି ବସିଥିଲା, ଏବଂ ଆମର ବଛା ବଛା ସାହିତ୍ୟକମାନେ ଅଳିନ୍ଦମାନଙ୍କରେ ବସି ଖରା ପୁଇଁବାରେ ଲାଗିଥିଲେ । ଏତେଦିନେ ଗୋଟାଏ ପୁଷମାସ ଆସି ପହଞ୍ଚିଛି ବୋଲି ଭାରି ପୁଲକ ଅନୁଭବ କରୁଥିଲେ । ସେମାନେ ସମସ୍ତେ ଏହି ଆଧୁନିକ ସାହିତ୍ୟ ଯୁଗଟାର ହିଁ ପ୍ରତିନିଧି ଥିଲେ; ଆମ କବିତା, ଗପ ଓ ଉପନ୍ୟାସରେ ଅଭିନବ ବହୁ ସ୍ଵାଦର ଅବତାରଣା କରି ଯଶ ଅର୍ଜନ କରିଥିଲେ । ସେମାନେ ସମସ୍ତେ ଚାକିରି କରୁଥିଲେ । ବଡ଼ ବଡ଼ ପଦରେ ରହିଥିଲେ; ଅଧ୍ୟାପକ, ହାକିମ ଓ ସେହିପରି ମସ୍ତ ମସ୍ତ ଆହୁରି କେତେ କେତେ ପଦ ଏବଂ ଉପପଦରେ । ସେମାନେ ସତେ ଅବା ନାହାକମାନଙ୍କୁ ହାତ ଦେଖାଇ ଏହି ବିଶେଷ ସମୟରେ ନିଜ ନିମନ୍ତେ ବହୁତ ବହୁତ ସିଦ୍ଧି ଅବଶ୍ୟ ହାସଲ କରିହେବ ବୋଲି ବିଶ୍ଵାସ କରୁଥିଲେ ଏବଂ ସାହିତ୍ୟକୁ ମାଧ୍ୟମ ରୂପେ ଖିଦମତ ଖଟାଇ ଏହି ଜରୁରୀ ଅବସ୍ଥାଟାର ଦୌରାତ୍ମ୍ୟଟାକୁ ସତେ ଅବା ସମ୍ପୂର୍ଣ୍ଣ ସାଧୁ ଉଦ୍ଦେଶ୍ୟପୂର୍ଣ୍ଣ ବୋଲି ଦେଖାଇଦେବା ଲାଗି ମିହନ୍ତ କରିବାରେ ଲାଗିଥିଲେ ।

 

ସେମାନେ ସଭା : ଡାକିଲେ ଏବଂ ସେହି ଦିନମାନଯାକର ସଭାରେ କବି, ସାହିତ୍ୟିକ, ଅଧ୍ୟାପକ,–ଏହି ପରି ବହୁତ ବହୁତ ବ୍ୟକ୍ତିଙ୍କୁ ହକାରି ବସାଇଥିଲେ । ସେଠାରେ ଜରୁରୀ ଅବସ୍ଥାଟା ନିତାନ୍ତ ଆବଶ୍ୟକ ବୋଲି କେଡ଼େ ମିଠା ମିଠା ଶବ୍ଦରେତତ୍ତ୍ବ ବଖାଣି ଗାନ କଲେ ଏବଂ ଅନେକଙ୍କୁ ଭାରି ବିସ୍ମିତ କରି ଦେଇଥିଲେ । ସେହି ଘଟଣାଟା ମଧ୍ୟ ଦେଖୁ ଦେଖୁ ଏତେଗୁଡ଼ାଏ ବର୍ଷ ହୋଇଗଲାଣି ଏବଂ ପଛରେ ସେହି ଘଟଣାଟି ଉପରେ ଦୃଷ୍ଟିପାତ କରି ଏବ ଅର୍ଥାତ୍ ଉପସ୍ଥିତ ପରିସ୍ଥିତିଟିର ତର୍ଜମା କରିବେଶ୍ ପରିଷ୍କାର ଭାବରେ ଜଣା ପଡ଼ିଯାଉଛି ଯେ ସେହି ସମୟର ବୀରମାନେ ଏପରିଏକ ଆଧୁନିକ ସାହିତ୍ୟର ନଅର ଭିତରେ ଆପଣାକୁ ଆତଯାତ କରି ଆସିଛନ୍ତି, ଯାହାକି ନିଜକୁ ଅତ୍ୟନ୍ତ ସଚେତନ ଭାବରେ ବୃହତ୍ତର ଲୋକଜୀବନ ତଥା, ଲୋକଆକାରୁ ବିଚ୍ଛିନ୍ନ କରି ରଖିଛି । ଯେଉଁସବୁ କଥାକୁ ସବାଆଗ କହିବାର ଥିଲା, ସେଗୁଡ଼ିକୁ ତାହା ଜାଣିଶୁଣି ଏଡ଼ି ଏଡ଼ି ଆସିଛି । ବୃହତ୍ତର ଲୋକକ୍ଷେତ୍ରରେ କେତେ କ'ଣ ଅଭିଳାଷ ମାଡ଼ ଖାଇ ଯାଉଛି, ମାତ୍ର ସେଥିରେ ସେମାନଙ୍କର ଆଦୌ କୌଣସି ନଗା ନାହିଁ କି ପଘା ନାହିଁ । ଏଠି କେତେ କେତେ ଅବହେଳା, ଉପେକ୍ଷା ଏବଂ ଅବଜ୍ଞା ମଣିଷମାନଙ୍କୁ ଭାରି ଅସହାୟ କରି ରଖିଛି, ବହୁତ ବର୍ଗଟା ଅଳ୍ପ ବର୍ଗଟା ଦ୍ୱାରା କେତେନା କେତେ ସୁକଳ୍ପିତ ଧୂତା ସହିତ ପ୍ରତାରିତ ହେବାରେ ଲାଗିଛି ,–ପ୍ରବଳର ଦୌରତ୍ମ୍ୟମାନେ ହିଁ ସେମାନଙ୍କ ନିମନ୍ତେ ନିତ୍ୟକଷଣର ଏକାଧିକ କାରଣ ହୋଇ ରହିଛନ୍ତି । ଏଠି ସମ୍ପଦ ଓ ସମ୍ଭାବନା ଭରପୂର ହୋଇ ରହିଛି, ଅଥଚ ଥୋକେ କ୍ଷମତାଧାରୀ ତାହାକୁ ଲୁଣ୍ଠନ କରିବାରେ ଲାଗିଛନ୍ତି ବୋଲି ଏହି ଭୂମିଟାର କପାଳରେ ରାତିଟା ମୋଟେ ପାହିପାରୁ ନାହିଁ, –ତେଣେ ପୃଥିବୀରେ ଜ୍ଞାନ ଓ ବିଜ୍ଞାନର ଜୟଯାତ୍ରାଚାଲିଛି । ଅଥଚ ଏଠାରେ ଏତେ ମଣିଷ ନିୟତିଟା ପାଖରେ ଗୋଡ଼ ଛନ୍ଦି ପଡ଼ିରହିଛନ୍ତି ! ସାହିତ୍ୟ ହିଁ ସେମାନଙ୍କର ପକ୍ଷ ନେଇ ସବାଆଗ କଥା କହିପାରନ୍ତା, ବହୁଜନର ମର୍ମକଥାଗୁଡ଼ିକୁ କହି ସଭାରେ ପ୍ରତିବାଦ କରନ୍ତା, ଅନମନୀୟ ସିଂହାସନଗୁଡ଼ିକୁ ଦୋହଲାଇ ବି ଦିଅନ୍ତା–ମନୁଷ୍ୟମାନଙ୍କ ଭିତରେ ଏକ ପଥ ଉନ୍ମୋଚନକାରୀ ଶକ୍ତିର ସଞ୍ଚାର ଘଟାଇ ପାରନ୍ତା । ମନେହେଉଛି, ସାହିତ୍ୟ ମଧ୍ୟଦୁରାତ୍ମମାନଙ୍କ ସହିତ ସଲା କରିଛି, ସେଇମାନଙ୍କର ବଟୁ ସାଜିଛି ଓ ସେଥିରୁ ଲାଭବାନ୍ ହେଉଛି ବୋଲି ଏପରି କରୁଛି । ଦିନରେ ହାକିମ ହୋଇପାରୁଛି ଏବଂସନ୍ଧ୍ୟାବସର ମାନଙ୍କରେ ସାହିତ୍ୟ ଖେଳୁଛି । ଭଲା ଆଧୁନିକ ବନିଛି ।

 

ଅସଲ ସାହିତ୍ୟ ତ ଦୌରାତ୍ମ୍ୟକୁ ଦୌରାତ୍ମ୍ୟ ବୋଲି କହନ୍ତା । ସିଏ ବ୍ରହ୍ମପଟେ ହିଁ ରହନ୍ତା । ଏହି ଭୂମିର ଅସମାପ୍ତ ଅସଲ ସଂଗ୍ରାମଗୁଡ଼ିକର ପଟେ ରହନ୍ତା । ମୁଖାମାନଙ୍କୁ ବିଦୀର୍ଣ୍ଣ କରନ୍ତା । ସତ୍ୟ ସାକ୍ଷାତ୍‌କାରର ଭାଜନ ହୋଇପାରନ୍ତା । ସ୍ଵାଧୀନତାରପରବର୍ତ୍ତୀ କାଳଟିରେ ଯେତେବେଳେ ଗୁହାମୁକ୍ତିର ଆହୁରି ଏକାଧିକ ସଂଗ୍ରାମ ନିମନ୍ତେଦେଶ ଅପେକ୍ଷାରେ ରହିଥିଲା, ସେତେବେଳେ ସାହିତ୍ୟର ଏହି କାଳଟାକୁ ଆଧୁନିକବୋଲି କହି ଆମେ କ'ଣ ପାଇଁ ରୁଷିଲୁ, ଅନ୍ୟ ପ୍ରୀତି ଭିତରେ ମଜ୍ଜି ରହିଲୁ ଏବଂ ଜୀବନବିମୁଖ ହୋଇ ରହିଲୁ ? ଜୀବନ ଅପେକ୍ଷା ମୃତ୍ୟୁର ହିଁ ଅଧିକ ପ୍ରଶସ୍ତି ଗାଇଲୁଏବଂ ପୁରସ୍କୃତ ହେଲୁ ? ମାନବ-ଅଭ୍ୟୁଦୟର ଯାବତୀୟ ସଂଗ୍ରାମରେ ବସ୍ତୁତଃ କବିରହିଁ ଏକ ପୁରୋଗାମୀ ଭୂମିକା ରହିଛି । ଇତିହାସରେ ସେହି ସତ୍ୟଟିର ଭୁରି ଭୁରି ଦୃଷ୍ଟାନ୍ତ ଅବଶ୍ୟ ମିଳିଯିବ ! ସେଇଥି ସକାଶେ ହିଁ ୧୯୧୯ ମସିହାର ସେହି ଦିନଟାରେ ରବୀନ୍ଦ୍ରନାଥ ମନେ ପଡ଼ି ଯାଉଛନ୍ତି । ଏଥର ଏଠାରେ ମଧ୍ୟ କବିମାନେ ସଂଗ୍ରାମପଟକୁଉତ୍ତୀର୍ଣ୍ଣ ହୋଇ ଆସନ୍ତୁ । ମହତ ରଖନ୍ତୁ ।

Image

 

ଗାନ୍ଧୀ-ଆହ୍ୱାନ : ଗାନ୍ଧୀ–ସାହିତ୍ୟ

 

ଗାନ୍ଧୀ କହିଲେ ସର୍ବାଦୌ ଏକ ଆହ୍ବାନକୁ ବୁଝାଏ । ଏକ ଆମନ୍ତ୍ରଣକୁ ବୁଝାଏ ଓସେହି ଆମନ୍ତ୍ରଣଟି ମୁତାବକ ଏକ ଦୀକ୍ଷା ଗ୍ରହଣକୁ ବୁଝାଏ । ଏକ ଅନ୍ୟ ପରିମଳରଭୂମି ଉପରେ ଆମ ପାରସ୍ପରିକ ଜୀବନ ନିମନ୍ତେ ଗୋଟିଏ ନକ୍ସା । କେବଳଭାରତବାସୀଙ୍କ ଉଦ୍ଦେଶ୍ୟରେ ନୁହେଁ, ସମଗ୍ର ପୃଥିବୀ ପାଇଁ । ବିଦେଶୀ ଆଧିପତ୍ୟରୁ ମକ୍ତି ଲାଭ କରିବାକୁ ଏଠି ସଂଗ୍ରାମଟିଏ ଲଢ଼ା ହେଉଥିବା ସମୟରେ ଗାନ୍ଧୀ କହିଲେତାଙ୍କର ବିଶେଷ ବାର୍ତ୍ତା ତଥା ବିଶେଷ ଆହ୍ବାନଟିକୁ ହିଁ ବୁଝାଉଥିଲା । ସେତେବେଳେମଧ୍ୟ ଗାନ୍ଧୀ-ସାହିତ୍ୟ ଥିଲା । କିନ୍ତୁ ଆହ୍ବାନମାନଙ୍କୁ ଆହୁରି ପ୍ରାଞ୍ଜଳ କରିଦେଖାଇଦେବା ନିମନ୍ତେ ହିଁ ତାହା ଉଦ୍ଦିଷ୍ଟ ହୋଇ ରହିଥିଲା । ଗାନ୍ଧୀ ଶରୀରରେ ଥିଲେ, ଏକ ସଂଗ୍ରାମର ନେତୃତ୍ବ ଦେଉଥିଲେ । ସେହି ନେତୃତ୍ବର ପ୍ରସ୍ଥଗୁଡ଼ିକୁ ନିର୍ଭୁଲ ଭାବରେଅଧିଗମି ପାରିବାକୁ ହିଁ ଗାନ୍ଧୀ-ସାହିତ୍ୟର ଆବଶ୍ୟକତାଟିଏ ରହିଥିଲା । ଭାରତବର୍ଷ ସ୍ଵାଧୀନତା ହାସଲ କରିବାର ଅବ୍ୟବହିତ ପରେ ଗାନ୍ଧୀ ଚାଲିଗଲେ ଏବଂ ତା'ପରେତାଙ୍କୁ ଏହି ଦେଶରେ ଯେତେ ଯେତେ ମାର୍ଗରେ ସଚଳ କରି ରଖିବାକୁ ବିଚାରକରାଯାଇଛି, ସେହି ସବୁକିଛି ମଧ୍ୟରେ ସମ୍ଭବତଃ ଗାନ୍ଧୀ–ସାହିତ୍ୟର ହିଁ ସବୁଠାରୁଅଧିକ ଆଖିଦୃଶିଆ ଭାବରେ ପାଳକଟା ପଡ଼ିଛି ।

 

ସ୍ୱାଧୀନ ଭାରତର ସରକାରଟା ମଧ୍ୟ ତା'ବୁଦ୍ଧି ଯେତିକି ଯାଏ ପାଇଛି, ସେହି ଅନୁସାରେ ମହାତ୍ମାଙ୍କୁ ମହଜୁଦ ରଖିବା ସକାଶେ ପ୍ରୟାସ କରିଛି । ଦେଶର କଚେରୀ, ଅଫିସ, ଥାନା ଏବଂ ଜେଲଖାନାମାନଙ୍କରେ ଗାନ୍ଧୀ ଙ୍କର ଚିତ୍ରପଟକୁ କାନ୍ଥରେ କଣ୍ଟା ବାଡ଼େଇ ଟାଙ୍ଗି ରଖିଛି । ଏପରି କରିବାକୁ ଏକ ବାଧ୍ୟତାମୂଳକ ପାଳନୀୟ କାର୍ଯ୍ୟବୋଲି ନିୟମ କରିଦେଇଛି । ମହାତ୍ମା ଗାନ୍ଧୀ କେତେ ସାଧାରଣ ଥାନମାନଙ୍କରେ ମୂର୍ତ୍ତିହୋଇ ଛିଡ଼ା ହୋଇଛନ୍ତି । ତାଙ୍କଦିନମାନଙ୍କରେ ସରକାରୀ ସିରସ୍ତାମାନଙ୍କ ନିମନ୍ତେଛୁଟି ଘୋଷଣା କରାଯାଇଛି । ସେହିସବୁ ପୁଣ୍ୟାହରେ ଅତିବଡ଼ ପଦସ୍ଥମାନେଗାନ୍ଧୀ ମୂର୍ତ୍ତିକୁ ଆନୁଷ୍ଠାନିକ ଭାବରେ ପୁଷ୍ପମାଲ୍ୟ ଦ୍ୱାରା ବିଭୂଷିତ କରିବାର ବ୍ୟବସ୍ଥାମଧ୍ୟ ରହିଛି ।

 

ହଁ, ଗାନ୍ଧୀଙ୍କର ଥିବା ସମୟର ଗୋଟିଏ କଥା ମଧ୍ୟ ଏଠି ହଠାତ୍‍ ମନେ ପଡ଼ିଯାଉଛି । ଉତ୍ତର ବିହାରର କୌଣସି ଏକ କ୍ଷୁଦ୍ର ସହରରେ ସହସା ଜଣେ ଶ୍ରଦ୍ଧାଶୀଳ ‘ବ୍ୟକ୍ତି ମନ୍ଦିରଟିଏ ତିଆରି କରାଇଦେଲେ, ଯେଉଁଥିରେ ମହାତ୍ମାଙ୍କରମୂର୍ତ୍ତିଟିଏ ସ୍ଥାପନା ହୋଇଥିଲା । ଯେକୌଣସି ଦେବତା ମନ୍ଦିର ପରି ସେଠାରେ କିଂଚିତ୍ ଅନୁପାନର ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ କରି ଦିଆଯାଇଥିଲା-। ସେତେବେଳକୁ ଭାରତବର୍ଷ ଠିକ୍ ସ୍ଵାଧୀନତା ଲାଭ କରିଥାଏ ଏବଂ ଜଣେ ଯୁଆଡ଼େ ଅନାଇବ ସେହି ଗାନ୍ଧୀ ହିଁ ସବା ଆଗରେ ସବାବଡ଼ ହୋଇ ଦିଶୁଥାଏ । ସେହି ଉତ୍ସାହରେ ହିଁ ଉତଫୁଲ୍ଲହୋଇ ସମ୍ପୂର୍ଣ୍ଣ ସଦ୍ଦିଚ୍ଛାରେ କେହି ବା କେଉଁମାନେ ଭିଆଣଟିକୁ ଆରମ୍ଭ କରିଦେଇଥିଲେ-। ଖବରଟି ସ୍ଵୟଂ ମହାତ୍ମାଙ୍କର କାନରେ ବାଜିବାକୁ ଆଦୌ ବିଳମ୍ବ ହେଲାନାହିଁ । ଗାନ୍ଧିଜୀ ତାଙ୍କ ସାପ୍ତାହିକ ପତ୍ରିକାମାନଙ୍କରେ ସେହି ବିଷୟରେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରି ଦୃଢ଼ ପ୍ରତିବାଦ କରି କହିଲେ ଯେ, ସେହି ମନ୍ଦିରରେ ତାଙ୍କରପୂଜା ନୁହେଁ, ବିଦ୍ରୁପ ହିଁ କରାଯାଉଛି । ସିଏ ଇଂରାଜୀ caricature ଶବ୍ଦଟିକୁ ବ୍ୟବହାର କରିଥିଲେ ଓ ଏପରି ବାତୁଳତା ବନ୍ଦ ହେଉ ବୋଲି ଏକ ଚେତାବନୀଶୁଣାଇ ଦେଇଥିଲେ ।

 

ସ୍ଵାଧୀନତା-ପ୍ରାପ୍ତି ପରେ ହିଁ ଗାନ୍ଧୀ ଅଧିକରୁ ଅଧିକ ପରିମାଣରେ ସାହିତ୍ୟ ଭିତରକୁ ଆସିଲେ । ସିଏତ ନିଜେ ସେପୁରକୁ ଚାଲି ଯାଇଥିଲେ, ତେଣୁ ରୋକିବାକୁ ଅର୍ଥାତ୍ ଧିକାରିବାକୁ କେହି ନଥିଲେ । ତେଣୁ, ସେହି ସୁଯୋଗଟି ଲାଭ କରି ଏକ । ପରିପୂର୍ଣ୍ଣ କଳାତ୍ମକ ଆର୍ଦ୍ରତାରେ ଉତ୍ସାହୀମାନେ ସଂଭ୍ରମି ଉଠିଲେ ଏବଂ ସେଇଥିରୁ ହିଁ ଗାନ୍ଧୀ-ସାହିତ୍ୟ ନାମକ ପ୍ରାୟ ଏକ ରୋମାଞ୍ଚକର କ୍ଷେତ୍ରର ସୃଷ୍ଟି ହେଲା । ଲବଣ ସତ୍ୟାଗ୍ରହ ସମୟରେ ଆମ ଜାତୀୟ କବି 'ମୋହନ–ବଂଶୀ’ ନାମରେ ଗୀତ ବହିଟିଏ । ବାହାର କରିଥିଲେ, ଯେଉଁଥିରେ କି ସିଏ ସତ୍ୟାଗ୍ରହ–ସମୟର ମୋହନଙ୍କ ସହିତ ଦ୍ଵାପର ଯୁଗର ସେହି ମହିମାମୟ ଅନ୍ୟ ମୋହନଙ୍କର କଳ୍ପନାଟିକୁ ଆଣି ଯୋଡ଼ିବାର ଏକ୍ ପୁଲକ ମିଶ୍ରିତ ପ୍ରୟାସ କରିଥିଲେ । ସେତେବେଳେ ସେହି ସମରଚର୍ଯ୍ୟାରେ ଗୀତଗୁଡ଼ିକ ଖୁବ୍ କାମ ଦେଇଥିଲା । ସେହି ଗୀତ ବୋଲି ଲୁଣ ମାରି ଆଇନ ଭଙ୍ଗ କରିକେତେ ସୈନିକ ବେତମାଡ଼ ଖାଇଥିଲେ ଓ ବନ୍ଧା ହୋଇ ଜେଲ ଯାଇଥିଲେ । ସ୍ଵୟଂବ୍ରିଟିଶ ସରକାର ମଧ୍ୟ ଆତଙ୍କିତ ହେଲାପରି ପୁସ୍ତିକାଟିକୁ ବାଜ୍ୟାପ୍ତ କରି ଦେଇଥିଲେ । ନିର୍ଭର ସହିତ କୁହାଯାଇ ପାରିବ ଯେ, ସମସ୍ତ ରଚନାଟିକୁ ସମ୍ପୃକ୍ତ ସମସ୍ତେ ଯେତେଏକ ସାହିତ୍ୟ ହିସାବରେ ନୁହେଁ, ଏକ ବାରତା ତଥା ଆହ୍ୱାନ ସଦୃଶ ହିଁ ତା'ଠାରୁ ଅଧିକ ପରିମାଣରେ ଗ୍ରହଣ କରି ନେଇଥିଲେ ।

 

'ଗାନ୍ଧୀ-ପୁରାଣ'ନାମକ ପୁସ୍ତକଟିକୁ ହୁଏତ ଓଡ଼ିଆ ଭାଷାରେ ଗାନ୍ଧୀ ସାହିତ୍ୟର ସର୍ବପ୍ରଥମ ନମୁନା ବୋଲି ଆମେ କହି ପାରିବା । ସେତେବେଳକୁ ଗାନ୍ଧୀଙ୍କୁ ହତ୍ୟାକରାଯିବାର ଖୁବ୍ ବେଶୀ ଦିନ ହୋଇନଥାଏ । ଧାରାଟି ସେଇଠାରୁ ଯେ ଆରମ୍ଭ ହେଲା, ସେଇଟି ଏ ପର୍ଯ୍ୟନ୍ତ ଚାଲିଛି । ଗାନ୍ଧୀ–ବାରତା ଅର୍ଥାତ୍ ଗାନ୍ଧୀ–ଆହ୍ମାନଟି ବୃହତ୍ତର ଜୀବନଦଣ୍ଡରେ ଯେତିକି ଯେତିକି ମଉଳନ ପଡ଼ି ଆସୁଛି, ଆମ ଓଡ଼ିଶା ସମେତ ତମାମଭାରତରେ ଗାନ୍ଧୀ ସାହିତ୍ୟର ଲୋକପ୍ରିୟତାଟା ସେତିକି ବୃଦ୍ଧି ପାଇବାରେ ଲାଗିଛି କି ? ବହୁ ମନୋରମ .କଳ୍ପନାରେ ଅଧିକରୁ ଅଧିକ ସାହିତ୍ୟିକ ଠାଣିମାଣିରେ ଗାନ୍ଧୀଙ୍କବିଷୟରେ ବହିସବୁ ବାହାରୁଛି ! ଗାନ୍ଧୀ ଜୀବନୀ, ଗାନ୍ଧୀ–କାହାଣୀ, ଆମର ଗାନ୍ଧୀ, ପିଲାଙ୍କ ଗାନ୍ଧୀ, ଏହିପରି କେତେ କେତେ ଛାଞ୍ଚରେ ତଥା ଛଦ୍ମରେ ଗାନ୍ଧୀ ଭାରି ଶୀତଳ ଲାଗୁଛନ୍ତି, ଭାରି ଗ୍ରହଣୀୟ ବି ଲାଗୁଛନ୍ତି । ଅହିଂସାର ଅବତାର ବୋଲି ତାଙ୍କୁ ବହୁ ଅସାଧାରଣ ବିଶେଷଣ ପ୍ରୟୋଗ କରି ଆମେ ହିଂସାଲିପ୍ତ ଏବଂ ହିଂସାମତ୍ତମାନେ କେତେ ନା କେତେ ଉଲ୍ଲାସ ଅନୁଭବ କରୁଥିବା ପରି ବୋଧ ହେଉଛି ! ସାହିତ୍ୟରେ ଆମର ଏହି ଆଧୁନିକ ଯୁଗରେ ଭଳି ଭଳି ମିଥ୍ୟା ପ୍ରୟୋଗକୁ ହିଁ ସବା ବଡ଼ କୌଶଳ ତଥା ଜଳା ବୋଲି ମାନି ନିଆଯିବା ସହିତ ସତ୍ୟମାନେ ହୁଏତ ଗୌଣ ହୋଇ ରହିଯାଆନ୍ତି ଏବଂ ମିଥ୍ୟାମାନେ ହିଁ ଆମର ପିତ୍ତ ଓ ଚିତ୍ତ ଉଭୟଙ୍କୁ କେଡ଼େ ଆଧୁନିକଚମତ୍କାରିତାର ବୈକଲ୍ୟ–ମାଧୁର୍ଯ୍ୟରେ ଯେ ରଞ୍ଜାଇ ରଖନ୍ତି, ସେହି କଥାଟିର ମଧ୍ୟଏକ ଅତ୍ୟନ୍ତ ଆଗ୍ରହୋଦ୍ଦୀପକୁ ଅଧ୍ୟୟନ ବେଶ୍ ହୋଇପାରନ୍ତା । ଗାନ୍ଧୀ-ସାହିତ୍ୟନାମରେ ଛପାହୋଇ ବାହାରୁଥିବା ଛବିଳ ଏବଂ ଚକଚକ ସମ୍ପଦଗୁଡ଼ିକୁ ଗାନ୍ଧୀଙ୍କବାରତାକୁ ମୁଖ୍ୟ ଆଗ୍ରହ କରି ପାଠ କରୁଥିବା ସମୟରେ ଗୋଟିଏ ପାଖରେଶୈଳୀଟିକୁ ଦେଖି କେଡ଼େ ଖୁସି ଲାଗୁଥିବା ବେଳେ ଭିତରେ ସତେ ଯେପରି ଆଉକ'ଣଟିଏ ବୀରତାଟିର ଆଭାସ କିଛି ପାଇବ ବୋଲି ଖୋଜି ଖୋଜି ବଡ଼ ନିରାଶ ହୋଇ ଫେରିଯିବାକୁ ହୁଏ । ପାଠକ ସତେ ଅବା କ'ଣ ଗୋଟାଏ ଖୋଜୁଥାଏ ଏବଂ ନିରାଶହୁଏ । ଗାନ୍ଧୀଙ୍କୁ ତାଙ୍କ ବାରତା ଦ୍ୱାରା ଆକର୍ଷିତ ହୋଇଥିବା ଲେଖକମାନେ ହିଁସମ୍ଭବତଃ ସବାଆଗ ଅନ୍ୟ ଭଳି ଦେଖନ୍ତି । ସେମାନେ ତାହାରି ପ୍ରେରଣାରେ କିଛି ହୋଇଥାନ୍ତି, ଗାନ୍ଧୀ ଦେଖିଥିବା ସେହି ଆଗାମୀ ପୃଥିବୀର ଚିତ୍ରଟି ଦ୍ୱାରା ସମ୍ମତ ହୋଇ ଗାନ୍ଧୀଙ୍କୁ ଲୋଡ଼ି ବାହାରିଥାନ୍ତି । ସେହିମାନେ ହିଁ ଗାନ୍ଧୀଙ୍କୁ ମଝିରେ ରଖି ସତକଥାଗୁଡ଼ିକୁ କହିପାରନ୍ତି । ଜଣେ ସମ୍ମତ ସୈନିକର ସାହିତ୍ୟ ଏବଂ ଅନ୍ୟପକ୍ଷରେ ପ୍ରଧାନତଃଏକ ତୁଚ୍ଛା ସାହିତ୍ୟିକ ଅଙ୍ଗଗୌରବରେ ଚକ୍ ମାରୁଥିବା ସାହିତ୍ୟ–ଦୁଇଟି ଭିତରେ ଫରକ୍ ରହିବ, ଅବଶ୍ୟ ରହିବ । ଆପେ ଲେଖୁଥିବା ସାମଗ୍ରୀଟିର ମାଧ୍ୟମରେ ସ୍ୱୟଂଲେଖକର ଅନ୍ତର୍ଗତ ବାଙ୍କ ଏବଂ ଭାଙ୍ଗମାନେ ହିଁ ସଚରାଚର ଅଧିକ ପରିମାଣରେ ଧରା ପଡ଼ିଯାଆନ୍ତି ।

 

ସାହିତ୍ୟ ଲେଖୁ ଲେଖୁ କୋଉଠି କ'ଣ ନୂଆ ବରାଦ ଅନୁସାରେ କ'ଣ ସବୁ ସମ୍ପ୍ରସାରଣ ଘଟେ କେଜାଣି, ପ୍ରଥମକାଳୀନ ଗାରଗୁଡ଼ିକୁ ଡେଇଁ ହୋଇ ଯାଇଥିବା ପରି ଅନୁଭବ ହୁଏ । ବହୁ ବହୁ Becoming ନିମନ୍ତେ ସମ୍ମତ ହୋଇହୁଏ । ଅଧିକ ସ୍ପର୍ଶ କରିହୁଏ । ଏକାବେଳକେ ସମସ୍ତେ ଦିଶନ୍ତି । ରୁଷିଆର ଲେଖକ ଲେଓ ଟଲଷ୍ଟୟଙ୍କର ଲେଖକ ଜୀବନରେ ସେହି ଭଳି କଥାଟିଏ ଘଟିଥିଲା । ଟଲଷ୍ଟୟ ବହୁ ଭୂସମ୍ପତ୍ତିର ମାଲିକ ଥିଲେ । ଗଦା ଗଦା ଉପନ୍ୟାସ ଲେଖିଥିଲେ, –ସେଗୁଡ଼ିକ ଏବେ ମଧ୍ୟ ବିଶ୍ୱସାହିତ୍ୟର କ୍ଷେତ୍ରରେ ଅଗ୍ରସ୍ଥାନୀୟ ହୋଇ ରହିଛନ୍ତି । ଯୁଦ୍ଧ ଓ ଶାନ୍ତି, ଆନ୍ନାକାରେନିନା ଓ ଆହୁରି କେତେ କ'ଣ । ହଠାତ୍ ସିଏ ଆଉ କିଛି ସଂକ୍ରମଣର ପାଲରେପଡ଼ିଗଲେ । ସେ ଯାହା ଲେଖି ସାହିତ୍ୟର ଏଡ଼େ ଉଚ୍ଚ ଏକ ଆସନରେ ଯାଇ ବସିଲେଣି, ତାହା ତାଙ୍କୁ ତଦନୁରୂପ କିଛି ହେବାରେ ମଧ୍ୟ ଯଦି ସହାୟତା ନକଲା, ତେବେ ସେହି ବିଭବଟାର ଆଉ ପ୍ରକୃତରେ ପ୍ରୟୋଜନ ବା କ’ଣ ରହିଲା ! ନା, ସିଏ କିଛି ଅଲବତ ହେବେ, ହେବା ନିମନ୍ତେ ହିଁ ଲେଖିବେ ଏବଂ ସେହି ଅନୁସାରେ ନୂଆ ନୂଆ ଜିଜ୍ଞାସାକୁ ପାଥେୟ କରି ପଥ ଚାଲିବେ । ଉପନିଷଦର ମୈତ୍ରେୟୀଙ୍କ ପରି ଏକ ଜିଜ୍ଞାସା । ଏହାପରେ ପୂରା ନକ୍ସାଟା ହିଁ ବଦଳିଗଲା । ତାଙ୍କ ସାହିତ୍ୟର ପ୍ରସ୍ଥମାନେ ବଦଳିଗଲେ । ସିଏ ଆଉ ଆଗ ଭଳି ତୁଚ୍ଛା ସାହିତ୍ୟରେ ଆଦୌ ଥୟ ହୋଇ ରହିପାରିଲେ ନାହିଁ । ସିଏସର୍ବମନୁଷ୍ୟର ଉଦୟ ନିମନ୍ତେ ତେଣିକି ନୂଆ ନୂଆ ମୂଲ୍ୟଗୁଡ଼ିକର କଥା ହିଁ କହିଲେ । ବିପ୍ଳବର କଥା କହିଲେ, ଯେଉଁଥିରେ କି ଅନ୍ନରୁ ଆନନ୍ଦ ପର୍ଯ୍ୟନ୍ତ ଏକ ସଂପୂର୍ଣ୍ଣ ଚିତ୍ର ଅନ୍ତର୍ଭୁକ୍ତ ହୋଇ ରହିଥିଲା । ସ୍ୱେଚ୍ଛାରେ ଦାରିଦ୍ର୍ୟକୁ ବରଣ କଲେ । ଏବଂ, ଯେଉଁମାନେ ତୁଚ୍ଛା ସାହିତ୍ୟକୁ ହିଁ ନିଜ ସାହିତ୍ୟ-ରଚନାର ଏକ ସ୍ଵତନ୍ତ୍ର ସରୋବରବତ୍ ମଣୁଥିଲେ ଓ ତଥାକଥିତ ଏକ ସାରସ୍ୱତ ଆନନ୍ଦ ଲାଭ କରୁଥିଲେ, ସେମାନେ ଭାରି ନିରାଶ ହେଲେ । ଲେଓ ଟଲଷ୍ଟୟ କ’ଣ ବାଇଆ ହୋଇଗଲେ କି ? ତଦ୍ଦ୍ୱାରା ସାହିତ୍ୟଟାର ଯେ ପ୍ରଭୂତ କ୍ଷତି ଘଟିଲା, ପୂର୍ଣ୍ଣ ଗାମ୍ଭୀର୍ଯ୍ୟ ଏବଂ ଖେଦ ସହିତ ଏବେ ମଧ୍ୟ ତାହାର ଆଲୋଚନାମାନ ହେଉଛି ।

 

ମହାତ୍ମା ଗାନ୍ଧୀ ନିଜର ଜୀବନକୁ ସତ୍ୟ ଲାଗି ଏକ ପ୍ରୟୋଗ–କ୍ଷେତ୍ର ବୋଲି ବର୍ଣ୍ଣନା କରିଛନ୍ତି ଏବଂ ସେହି ଅନୁସାରେ ନିଜ ଆତ୍ମଜୀବନୀକୁ ନାମିତ କରିଛନ୍ତି । ଆପଣାକୁ ନେଇ ପ୍ରୟୋଗ, ଭାରତବର୍ଷକୁ ନେଇ ପ୍ରୟୋଗ ଏବଂ ସମସ୍ତ ପୃଥିବୀକୁ ମନୁଷ୍ୟର ନିୟତି ବିଷୟରେ ତାଙ୍କର ମୂଲ୍ୟକଳନା ଅନୁସାରେ ପରିଦୃଷ୍ଟ ହୋଇପାରୁଥିବା ଭବିଷ୍ୟ ନିମନ୍ତେ ଏକ ପ୍ରୟୋଗ ଏବଂ, ସେହି ଅନୁସାରେ ଏକ ସମର, ଏକ ଚୁନୌତି, ଏକ ଜୀବନନିଷ୍ଠା ଏବଂ ଏକ ତଦନୁରୂପ ଶ୍ରଦ୍ଧା ଓ ଅସ୍ତ୍ର ହେଉଛି ଅସହଯୋଗ, ସବଳର ଅହିଂସା ଏବଂ ସତ୍ୟାଗ୍ରହ । ଏଠି ମନୁଷ୍ୟ ଜୀବନର ଯଥାର୍ଥ ସୁଖ ତଥା ସଂହତିଗୁଡ଼ିକର ତଣ୍ଟିକୁ କାମୁଡ଼ି ଧରିଥିବା ଅସମାନତା ଜନିତ ଦୂରତା ଏବଂ ଅମାନବିକତା ବିରୋଧରେ ସତ୍ୟାଗ୍ରହ । ଗାନ୍ଧୀ–ସାହିତ୍ୟ ସେହି ସ୍ୱତନ୍ତ୍ରତାଗୁଡ଼ିକୁ ଏବଂ ସେହି ଉଜ୍ଜ୍ୱଳତାଗୁଡ଼ିକୁ ହିଁ ପ୍ରକଟ କରିବାକୁ ଚେଷ୍ଟା କରିବ, –ଖାଲି ସାହିତ୍ୟର ମନୋହରତା ମଧ୍ୟରେ ନିଜକୁ ଅଳପ କରି ରଖିଲେ ଅନ୍ୟାୟ ହେବ । ଗ୍ରୀସ୍‌ର ସକ୍ରେଟିସ୍ ଏକଦା ଜଣେ ଦାର୍ଶନିକର ସାମାଜିକ ଭୂମିକାକୁ ଗୋଟିଏ ଗାଡଫ୍ଲାଏରଉପମା ଦେଇ ବର୍ଣନା କରିଥିଲେ । ମହାତ୍ମା ଗାନ୍ଧୀ ଦାର୍ଶନିକ ଥିଲେ କି ନାହିଁ, ପଣ୍ଡିତମାନଙ୍କ ଭିତରେ ସେହି ବିଷୟରେ ହୁଏତ ମତଭେଦ ଅବଶ୍ୟ ହେବ, ମାତ୍ର ପୃଥ୍ଵୀ ସତ୍ୟଗୁଡ଼ିକର ଚଳନ୍ତି ଇତିହାସରେ ଗାଡ୍‍ଫ୍ଲାଏର ଉକ୍ତ ଭୂମିକାରେ ଗାନ୍ଧୀଙ୍କ ଅପେକ୍ଷା ଆଉ ଦ୍ୱିତୀୟ କିଏ ପ୍ରକୃତରେ ଅବତୀର୍ଣ୍ଣ ହୋଇପାରିଛି କହିଲେ !

Image

 

ଫୁଲଗଛଟି ମରିଯାଉଛି

 

ଓଡ଼ିଆ ଭାଷାର ଫୁଲଗଛଟି ମରିଯାଉଛି । ଏହି ସନ୍ଦର୍ଭଟିକୁ ଆଳ କରି ଆମ. ଧୋବ ବାବୁମାନେ ଏବେ ଖବରକାଗଜରେ ଭାରି ରୋଦନ କରୁଛନ୍ତି । ଫୁଲଗଛ କହିଲେ ସବାଆଗ ଗୋଟିଏ ବଗିଚାର କଥା ହିଁ ପ୍ରାୟ ଛାଏଁ ଛାଏଁ ମନେ ପଡ଼ିଯାଏ । ଏବଂ, ବଗିଚା ମାତ୍ରେ ସବୁଠାରେ ମାଳିମାନେ ହିଁ ଥାଆନ୍ତି । ଫୁଲଗଛଟିଏ ମରିଯାଉଥିବାର ଦେଖିଲେ ମାଳି ଖବରକାଗଜରେ ମୋଟେ ରୋଦନ କରେ ନାହିଁ । ସିଏ ବଗିଚାଟିର ମାଟିକୁ ଫୁଲଗଛ ନିମନ୍ତେ ଅଧିକ ଯୋଗ୍ୟ କରେ, ବଗିଚାକୁ ନିଜର ବୋଲି ଅନୁଭବ କରେ । ଗୋଟିଏ କଥାରେ କହିଲେ, ସେ ନିଜକୁ ହିଁ ଅଧିକ ଯୋଗ୍ୟ କରେ । ଏପରିକି, ଗୋଟିଏ ଫୁଲଗଛ ଦୈବକ୍ରମେ ଯଦି ଉଠେଇ ନପାରେ, ତେବେ ସିଏ ଦମ୍ଭଧରି ଧୈର୍ଯ୍ୟ ଧରି ସମ୍ଭବତଃ ଦୁଇ ଗୁଣ ଅଧିକ ସ୍ନେହଶୀଳତାରେ ଆଉ ଚାରିଟି ନୂଆ ଫୁଲଗଛ ଲଗାଏ । ଏମିତି ମାଳିଟିଏ ଥିବା ପର୍ଯ୍ୟନ୍ତ କୋଉ ବଗିଚାର ମାଟି କ'ଣ ପାଇଁ ନିର୍ଭୟ ହେବ ଯେ ଫୁଲଗଛଟିଏ ମରିବା ଯାଏ ମଧ୍ୟ କଥା ଯିବ-? ଓଡ଼ିଆ ଭାଷାର ଫୁଲଗଛଟି ମରିଯାଉଛି ବୋଲି ଯେଉଁମାନେ, ଖବରକାଗଜର ସ୍ତମ୍ଭଗୁଡ଼ାକୁ ଶବ୍ଦକାରୁଣ୍ୟରେ ଏବେ ଖୁବ୍ ଭରି ଦେବାରେ ଉତ୍ସାହୀ ହୋଇ ବାହାରିଛନ୍ତି, ସେମାନେ ମାଳି ନୁହନ୍ତି-। ସେମାନେ ଦିହକଯାକ ଛେଳିର ଭୂମିକାରେ ଏଠି ଅବତୀର୍ଣ୍ଣ ହୋଇ ଆସିଛନ୍ତି । ଏହି ମାଟିଟାକୁ ଗୋଟା ସୁଦ୍ଧା ନିଜର ଲାଖରାଜୀ ବୋଲି କହିଛନ୍ତି ଏବଂ ଆମ ବଗିଚାମାନଙ୍କରେ ପଶି ଫୁଲଗଛମାନଙ୍କୁ ପତରରୁ ହିଁ ଟୁଙ୍କି ଶେଷ କରି ଦେଇଛନ୍ତି । ଖାଲି ଭାଷାଟାକୁ ନୁହେଁ, ଆପଣାର ନାନା ଆତ୍ମକାମିତା ଦ୍ୱାରା ଆମର ପୂରା ଘରଟାକୁ ମାରା କରି ପକାଇଛନ୍ତି । ଆମ ସକଳ ସମ୍ଭାବନାର ଫୁଲ–ବଗିଚାଟିର ବେକ ମୋଡ଼ି ଦେଇଛନ୍ତି । ଏବଂ, ଭାବପ୍ରବଣତାଗୁଡ଼ାକୁ କୁଣ୍ଢାଇ ଧରି ଲୋତକବର୍ଷଣ କରୁଛନ୍ତି । ଆତ୍ମକାମିତା ଏବଂ ଭୀରୁତା, –ଏ ଦୁହିଁଙ୍କୁ ଆମେ ପରସ୍ପରର ସମ୍ବନ୍ଧୀ ବୋଲି ବିଚାର କରିପାରିବା କି ? ଆତ୍ମକାମୀ, ତେଣୁ ଭୀରୁ; ଭୀରୁ, ତେଣୁ ଆତ୍ମକାମୀ-। ଛେଳିମାନେ ଯଦି ବଗିଚା ଭିତରକୁ ଥରେ ପଶିଯାଇ ପାରିଲେ, ତେବେ ତା'ପରେ ସେମାନେ ବଗିଚାଟାକୁ ଏକ ବଗିଚା ବୋଲି ପ୍ରକୃତରେ ଆଦୌ ମହସୁସ୍ କରିପାରିବେ କି ? ପୃଥିବୀରେ କାଳେ କାଳେ ସର୍ବବିଧ ବଗିଚାର ମାଳିମାନେ ଛେଳିମାନଙ୍କୁ ହିଁ ସବା ଆଗ ଭୟ କରିଆସିଛନ୍ତି-। ସାରା ପୃଥିବୀଟାର ଇତିହାସ ଅବଶ୍ୟ କହିବ ଯେ ଏଠି ଯୁଗେ ଯୁଗେ ମାଳି ରହିଛନ୍ତି ଓ ଛେଳି ବି ରହିଛନ୍ତି । ଛେଳିର ଦୌରାତ୍ମ୍ୟ ଲାଗି ରହିଛି । ମାଳିମାନଙ୍କର ଧାତ୍ରିତ୍ଵ ମଧ୍ୟ ଅବିଚ୍ଛିନ୍ନ ଲାଗି ରହିଛି-। ହୁଏତ ଯୁଗକୁ ଯୁଗ ଅଳ୍ପ ବହୁତ ସେହିପରି ଲାଗିଥିବ । ଈଶ୍ୱରଙ୍କୁ, ସତ୍ୟକୁ, ଅନ୍ନକୁ ଓ ଅର୍ଥକୁ ଦଖଲ କରି ରଖିବେ ବୋଲି ଛେଳିମାନେ ଦୌରାତ୍ମ୍ୟ କରିବାରେ ଲାଗିଥିବେ ଓ ତଥାପି ବଗିଚାଟିକୁ ସତ୍ୟର ତଥା ସତ୍ୟାନୁଗତ୍ୟର ଅନୁକୂଳ କରି ରଖିବା ନିମନ୍ତେ ମାଳିର, ଧାତ୍ରୀର ଏବଂପ୍ରେମୀର ପ୍ରଚେଷ୍ଟା ଲାଗି ରହିଥିବ ! ଜିତିବ ? ଏବଂ, ଶେଷକୁ କିଏ ଜିତିବ ଏବଂ କିଏ ହାରିବ ? –ଶେଷକୁ କୌରବ ନା ପାଣ୍ଡବ କିଏ ଜିତିଲେ ? ସ୍ଵୟଂ କୃଷ୍ଣ ମଧ୍ୟ ଏଡ଼େ କରିତ୍କର୍ମା ହୋଇ ଏହି କ୍ଷେତ୍ରରେ କିଛି କରିପାରିଲେ ନାହିଁ । ସମ୍ଭବତଃ, ଏହି ପୃଥିବୀର ପ୍ରକୃତ ମଙ୍ଗଳ ନିମନ୍ତେ ସେ ଆମ ମଣିଷମାନଙ୍କ ଉପରେ ହିଁ ଏହି ଜିତିବା ଏବଂ ହାରିବାର ମୀମାଂସାଟିକୁ ଛାଡ଼ିଦେଲେ । ତେଣୁ ହେ ବନ୍ଧୁଗଣ, ତୁମେ ଛେଳି ହେବନା ମାଳି ହେବ-? ତଥାପି ଦୁଇଟାରୁ ଯେଉଁଟା ହୁଅ ବା ହୋଇଥାଅ ପଛକେ, ଛେଳିହୋଇ କେବେହେଲେ ମାଳି ହେବାର ଓଲିଆପଣ ଦେଖାଇବାକୁ ମନ କରିବ ନାହିଁଟି ! କାରଣ ଆଗ ସାହସୀ ହେବ, ତେବେ ଯାଇ ସିନା ମାଳି ହୋଇପାରିବ-। ଏବଂ ତା'ହେଲେ ଚାରିପାଖରେ ଏହି ଛେଳିମାନେ ସଅଁ ସଅଁ ହେବାରେ ଲାଗିଥିଲେ ମଧ୍ୟତୁମେ ମୋଟେ ରୋଦନ ଆଡ଼କୁ ମନ କରିବ ନାହିଁ । ତୁମ ଧର୍ମଟା ଠିକ୍ ରହିଥିଲେ ଅର୍ଥାତ୍ ଥିର ରହିଥିଲେ ତୁମେ ଅଧର୍ମଟାକୁ ଗାଳି ଦେଇ ସାନ୍ତ୍ୱନା ଲାଭ କରିବାକୁ ଆଦୌ ଲାଳାୟିତ ହେବ ନାହିଁ ।

 

ଗୋପବନ୍ଧୁ ଦାଶଙ୍କର ଦେହାନ୍ତ ହୋଇଯିବା ପରେ ଖାଲି ଓଡ଼ିଆ ଭାଷାକୁ ନୁହେଁ, ସାରା ଓଡ଼ିଶାକୁ ହିଁ ସତେ ଅବା ଅପାଳକ ପଡ଼ିଛି । ଛେଳିମାନଙ୍କର ଦୌରାତ୍ମ୍ୟ ବଢ଼ିଛି । ତାହାର ଆହୁରି ପୂର୍ବରୁ, ଯେତେବେଳେ ତତ୍କାଳୀନ କ୍ଷେତ୍ରୀୟ ନେତୃତ୍ୱଟି ଏହି ମୋଗଲବନ୍ଦୀଙ୍କୁ ଥାଇ ସମ୍ଭବତଃ ହଠାତ୍ ଅର୍ଥାତ୍ ତାତ୍କାଳିକ ସଫଳତା ଲାଭର ଲୋଭରେ ପଡ଼ି ଗଡ଼ଜାତର ରଜାମାନଙ୍କୁ ଓଡ଼ିଆ ଆନ୍ଦୋଳନର ସବା ବଡ଼ ଥାକଗୁଡ଼ାକରେ ଆଣି ବସାଇ ପକାଇଲା ତଥା ସେହି କାରଣରୁ ଗଡ଼ଜାତର ସାଧାରଣଜନଗଣଙ୍କୁ ସଂପୂର୍ଣ୍ଣ ଭାବରେ ପାସୋରି ରହିଗଲା, ଆମର ଏହି ଫୁଲ ବଗିଚାଟିକୁ ହୁଏତ ସେହିଦିନୁଁ ହିଁ ଅପାଳକ ପଡ଼ିଲା । ଅଧର୍ମ ପଡ଼ିଲା, ଅସଲ ରାଜନୀତିକ ଦୂରଦୃଷ୍ଟି ସ୍ଵଆଗ ମଣିଷମାନଙ୍କର ବିଚାର କରେ ଏବଂ ଅସଲ ମାଳିମାନେ ଛେଳିମାନଙ୍କ ବିଷୟରେ ହିଁ ସବାଆଗ ସତର୍କ ରହନ୍ତି । ଭାରତବର୍ଷ ସ୍ଵାଧୀନ ହେବା ପରେ ଯେତେବେଳେ ଗଡ଼ଜାତମାନେ ଓଡ଼ିଶା ଭିତରକୁ ଆସିଲେ, ସେତେବେଳେ ରାଜନୀତିକ ଏକାଧିକ ଅପାରଗତା ହିଁ ନେତୃତ୍ଵଗୁଡ଼ିକୁ କାମୁଡ଼ି ରହିଥିଲା । ତାହାରି ମନ୍ଦ ପରିଣାମ ସ୍ୱରୂପ ଏବେ ମଧ୍ୟ ଆମେ ପଛୁଆ ବୋଲି କୁହାଯାଉଥିବା ଓଡ଼ିଶାରେ ଗଡ଼ଜାତ ଅଞ୍ଚଳଗୁଡ଼ିକ ଅଧିକ ପଛୁଆ ହୋଇରହିଛି । ଅର୍ଥାତ୍, ଓଡ଼ିଆ ନାମକ ସେହି ସାଂସ୍କୃତିକ ସମୂହଟି ସ୍ୱାଧୀନତାର ଷାଠିଏ ବର୍ଷ ପରେ ମଧ୍ୟ ବଳିଷ୍ଠ ହୋଇ ଯଥା ସମ୍ଭବ ଗୋଟିଏ ନିୟତିର ଭାବାତ୍ମକ ବନ୍ଧନ ଭିତରେ ଏକତ୍ର ଅର୍ଥାତ୍ ସଜ୍ଞାନ ହୋଇ ତିଆରି ହୋଇପାରିନାହିଁ । ଛେଳିମାନେ ଏବେ ମଧ୍ୟ ପ୍ରବଳ ହୋଇ ରହିଛନ୍ତି । ଖାଲି ଭାବପ୍ରବଣତାମାନେ ଏହି ବିଷମ ସ୍ଥିତିଟାର ମୁକାବିଲା କରିବାକୁ ଆଦୌ ସମର୍ଥ ହୋଇପାରୁନାହିଁ । ଏବଂ, ଅଧିକ ପ୍ରାୟ ଅସହନୀୟ କଥାଟା ହେଉଛି ଯେ, ଖୋଦ୍ ଛେଳିମାନେ ହିଁ ଏଠି ପୁରୋଧାପ୍ରାୟ ହୋଇ ଓଡ଼ିଶାଟା ପଛରେ ରହିଗଲା ତଥା ଓଡ଼ିଆ ଭାଷାଟି କ୍ରମେ ବିଲୁପ୍ତ ହୋଇଯିବ ବୋଲି କହି ଆମକୁ ଆହୁରି ଅଧିକ ଅନ୍ୟମନସ୍କ କରି ଦେବାକୁ ଚେଷ୍ଟା କରୁଛନ୍ତି । ମାଳିମାନଙ୍କର ଘୋର ଅଭାବ ରହିଛି ।

 

ଆମ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷାର ଫୁଲଗଛଟି କ'ଣ ପାଇଁ ଏପରି ଅମାନୁଷିକ ଭାବରେ ଛେଳିମାନଙ୍କର ହାବୁଡ଼ରେ ପଡ଼ିଛି ? ଏହି ଛେଳିମାନେ ସମସ୍ତେ ଏହି ଭୂଇଁଟାରେ ଜନ୍ମ ହୋଇଛନ୍ତି ସତ, ମାତ୍ର ପାଠର ସୌଦାଗରୀ-ଆକାଶମାନଙ୍କୁ ଆଖି ପାଇଯିବା ପରେ ସେମାନେ କେଉଁ ଗରଜରେ ପଡ଼ି ଓଡ଼ିଆ ଭାଷାଠାରୁ ବାରହାତ ଦୂରଛଡ଼ା ହୋଇ ରହିଛନ୍ତି ? ଠିକ୍ ଶହେବର୍ଷ ତଳେ ରବୀନ୍ଦ୍ରନାଥ କେଡ଼େ ଦୂରଦୃଷ୍ଟି ସହିତ ଲେଖିଥିଲେ ଯେ, ଯଦି ଆମେ ଭୂଇଁର ଭାଷାକୁ ମାଧ୍ୟମ କରି ବିଜ୍ଞାନ ନ ପଢ଼ାଇବା, ତେବେ ବିଜ୍ଞାନ ଚିରକାଳ ସେହି ଉପରେ ହିଁ ରହିଯିବ ଏବଂ ଏଠି ଜୀବନ-ନିର୍ମାଣର କୌଣସି ପରିଚର୍ଯ୍ୟରେ ଲାଗିବ ନାହିଁ । ତୁଚ୍ଛାବିଦ୍ୟାବିଳାସ ହୋଇରହିବ । ଆମେ କିଞ୍ଚିତ୍ ଯୋଡି ମଧ୍ୟ କହିପାରିବା ଯେ, ଖାଲି ବିଜ୍ଞାନ ନୁହେଁ, ଯାବତୀୟ ଲବ୍ଧ ଜ୍ଞାନ ଏଠି ଓଡ଼ିଶାରେ ଛେଳିମାନଙ୍କର ଗଉଁଗୁଡ଼ାକୁ ବଢ଼ାଇବାରେ ହିଁ ସହାୟତା କରିଆସିଛି । ଭୂଇଁଟାକୁ ଆପଣାର ପ୍ରୟୋଗାତ୍ମକ ଦର୍ପଣ ରୂପେ ବ୍ୟବହାର କରି ଏହିମସ୍ତ ମସ୍ତ ଜ୍ଞାନମାଲିକ ଓ ଜ୍ଞାନଜମିଦାରମାନେ ପ୍ରାୟ କିଛିହେଲେ ଅନୁଭବ କରି ପାରୁନାହାନ୍ତି ବା ଏହି ଭୂଇଁର ଭାଷାରେ ଜଣେ ସାଧାରଣ ଜିଜ୍ଞାସୁ ମଣିଷର ବୋଧଗମ୍ୟ ହେଲା ଭଳି ପାଞ୍ଚଟା ବାକ୍ୟ ମଧ୍ୟ କହି ପାରୁନାହାନ୍ତି । ଲାଜ ନାହିଁ, ତେଣୁ ଚେଷ୍ଟା ମଧ୍ୟ ନାହିଁ । ଆପଣାର ବୃତ୍ତଗତ ଅନୁରାଗମାନଙ୍କୁ ଏମାନେ କୋଉ ଗୁହାଳରେ ନେଇ ବାନ୍ଧି ରଖିଛନ୍ତି କେଜାଣି ?

 

ଏହି ଶାସନ ନାମକ ଅବିଧିଟା ଏପରି ଏକ କଉତୁକରେ ଚାଲିଛି, ଯାହାଦ୍ୱାରା କି ଆମ ବିଶ୍ୱବିଦ୍ୟାଳୟରୁ ଖଣ୍ଡ ଖଣ୍ଡ କାଗଜ ହାସଲ କରିଥିବା ଭୂଇଁ-ହୁଡ଼ାମାନେ ହିଁ ସରକାରଙ୍କର ଶାସନଶାଳାମାନଙ୍କରେ ବୃକୋଦର ଏବଂ ଭୀମ ହୋଇ ବସିଛନ୍ତି । ସେମାନଙ୍କର ସତରବାଟୀ ଚାଷ ଭିତରେ ଓଡ଼ିଆ ଭାଷା ପାଇଁ ଆଉ କାହିଁକି ବା ଥାନଟାଏ ରହନ୍ତା ? ଶାସକ ଶାସିତର ଭାଷାଙ୍କୁ ଏଠି ଦୂରଛଡ଼ା କରି ରଖିଥାଏ, ଅର୍ଥାତ୍ ଶାସିତର ଆକୁଳତା ଏବଂ ଅସ୍ପୃହା ଗୁଡ଼ିକୁ ବୁଝେ ନାହିଁ, ଏବଂ ଗଣତନ୍ତ୍ର ଦ୍ୱାରା ପରିଚାଳିତ ହେବା ପାଇଁ ନିଷ୍ପତ୍ତି କରିଥିବା ଏହି ଦେଶର ନାଗରିକମାନଙ୍କୁ ସେହି କାରଣରୁ ହିଁ ସିଏ ନିତାନ୍ତ ଦାୟିତ୍ୱହୀନ ଭାବରେ ଫାଙ୍କି ଦେବାରେ ଲାଗିଥାଏ । ଏହି ଫୁଲ ବଗିଚାରେ ସତେ ଅବା ତିନିଶିଙ୍ଗିଆ ଛେଳିଟାଏ ହୋଇ ରହିଥାଏ । ରାଜନୀତି ଓ ଶାସନ ପରି ଆମ ସାଧାରଣ ଜୀବନର ସର୍ବବିଧ ଅଳିନ୍ଦରେ ଏବେ ସେହି ଛେଳିମାନଙ୍କର ହିଁ ମତ୍ତ ମଉଜଗୁଡ଼ାକ ଚାଲିଛି । ଏବଂ, ସାହିତ୍ୟକୁ ମଧ୍ୟ ସେଥିରୁ ବାଦ୍ ଦିଆଯାଇନାହିଁ । ନିତାନ୍ତ ଗେଲବସର ଭାବରେ ଯାହାକୁ ଏଠି ସାହିତ୍ୟରେ ଆଧୁନିକ ପର୍ଯ୍ୟାୟ ବୋଲି କୁହାଯାଉଛି, ତାହାର ବୃହତ୍ ପ୍ରତିଭୂମାନେ ଓଡ଼ିଆଭାଷାରେ ଲେଖୁଥିଲେ ମଧ୍ୟ ନିଜ ହୃଦୟର ବନସିଖଡ଼ାଟାକୁ ଗୋଟାପଣେ ଡେଣିକାର କେଉଁ ଗଡ଼ିଆ ଭିତରକୁ ହିଁ ନିରୂପିତ କରି ରଖିଛନ୍ତି । ସେମାନେ ସମସ୍ତେ ସବାଆଗ ସାଆନ୍ତ ହୋଇ ଶୋଭା ପାଇବାକୁ ହିଁ ସାହିତ୍ୟକୁ ଯାଇ ଆବୋରିଛନ୍ତି ଏବଂ ତେଣୁ ସାହିତ୍ୟ ସେହିମାନଙ୍କର ସଭାପାଇଁ ସତେଅବା ଠିକାରେ ଆସିଥିବା ଏକ ଭୁଆଶୁଣି ପରି ହୋଇ ରହିଛି । ସେମାନେ ନିଜକୁ ମାଧ୍ୟମ କରି ସିଧା କେଉଁ ଜାତୀୟ ତଥା ଜାଗତିକ ସ୍ତରରେ ପ୍ରତିଷ୍ଠା ଅର୍ଜନ କରିବା ଲାଗି ଧାଇଁବାରେ ଲାଗିଛନ୍ତି ସିନା, ଆମଏଠାଟାର ଅସଲ ଆକୃତିଗୁଡ଼ିକର କ୍ଷେତ୍ରରେ କାମରେ ଲାଗି ପାରୁନାହାନ୍ତି ।

 

ବନ୍ଧୁ, ସତ କରି କହ, ତୁମେ ଏଠି ଆପଣାକୁ ମାଳିଟିଏ ପରି ଅନୁଭବ କରୁଛ ନା ମୁଖ୍ୟତଃ ଏକ ଛେଳିର ବୃହଦାକାଂକ୍ଷା ଗୁଡ଼ିକୁ ଧରି ଏହି ବଗିଚା ଭିତରେ ପଶିଛି ? ଏବଂ, ଯଦି ତୁମେ ଛେଳିର ଭୂମିକାରେ ବିଚରଣ କରୁଥିବ, ତେବେ ଓଡ଼ିଆ ଭାଷାର ଫୁଲଗଛଟି ମରିଯାଉଛି ବୋଲି କହି ଖବରକାଗଜରେ ହାହାକାର କରି ସେଥିରୁ ନିଶ୍ଚିତ ଭାବରେ ନିଜକୁ ଖୁବ୍ ଆପ୍ୟାୟିତ ଅନୁଭବ କରିପାରିବ । କିନ୍ତୁ, ଅନ୍ୟ ପକ୍ଷରେ, ଯଦି ଜୀବନର ଆଦିଧର୍ମ ଭାବରେ ମାଳିଟିଏ ହେବ ବୋଲି ନିଜର ଅନ୍ତର୍ଦେବତାଙ୍କ ପାଖରେ ଜବାବ ଦେଇଥିବ, ତେବେ ତେଣିକି ଆଦୌ ମନ କରିବ ନାହିଁ । ଖାଲି ଭାଷାରେ ନୁହେଁ; ଶିକ୍ଷା, ଶାସନ, ସମାଜ–ନିର୍ମାଣ ବା ରାଜନୀତି, ଲୋକସଂଗ୍ରହର ଯେଉଁ ସ୍ଥାନରେ ତଥା ପଦରେ ଥାଅ ପଛକେ, ତୁମେ ମୋଟେ ହଡ଼ବଡ଼େଇ ଯିବ ନାହିଁ । ତୁମେ ଖାଲି ଆଲୋକ ହିଁ ଦେଖିପାରିବ । ଏପରି ଏକ ଓଡ଼ିଶାର ଠାବ କରିପାରିବ, ଯେଉଁଠାରେ ନିରକ୍ଷର ବୋଲି କେହି ନଥିବେ, ସବୁ ପିଲା ଶିକ୍ଷାଳୟକୁ ଯାଉଥିବେ, ପ୍ରଜାର ରାଜିରେ ଶାସନ ଚାଲୁଥିବ–ଅରକ୍ଷିତ ବୋଲି କେହି ନଥିବେ ଏବଂ ତେଣୁ ସେମାନଙ୍କୁ ଭୂତାଇ ଭୁଲାଇ ଭଣ୍ଡାଇ ରଖିବା ପାଇଁ ମଧ୍ୟ ଏହି ଧୂର୍ତ୍ତମାନେ ନଥିବେ । ଦୁଇ ଆଖି ଖୋଲି ଯାହା ଠାବ କଲ, ତାହାରିଆଡ଼େ ଅନାଅ ବନ୍ଧୁ–ତୁମକୁ ଏହି ଫୁଲବଗିଚାଟି ଭିତରେ ସମସ୍ତେ ଦେଖାଯିବେ । ମଣିଷମାନଙ୍କୁ ମଣିଷର ସମ୍ମାନ ମିଳିବ, ଦୟା ଦେଖାଇବାର ରାଢ଼ପଣଟା ପାଇଁ ଅବକାଶ ହିଁ ନଥିବ । କିନ୍ତୁ, ସେଥିଲାଗି ସଂଗ୍ରାମ କରିବାକୁ ପଡ଼ିବ, ପ୍ରତିବାଦ କରିବାକୁ ପଡ଼ିବ, –ନିଜ ଚାରିପାଖର ଏହି ଏତେକୋଟି ସମସ୍ତଙ୍କର ଭାଗ୍ୟ ସହିତ ମିଳାଇ ନିଜର ଭାଗ୍ୟକୁ ଦେଖିବାକୁ ପଡ଼ିବ । ତେବେ ଯାଇ ନିଜକୁ ତୁମେ ଏହି ଭୂଇଁର ଜଣେ ସନ୍ତାନ ବୋଲି ଅନୁଭବ କରିପାରିବ ଏବଂ ଜଣେ ସନ୍ତାନ କେବଳ ମାଳି ହୋଇପାରିବ, ମୋଟେ ଛେଳି ହେବାକୁ ମନ କରିବନାହିଁ ।

Image

 

ରାଜନୀତି ଫେରିଆସୁ

 

ଯାବତୀୟ ସଂଗ୍ରାମ ପଛରେ ଏକ ରାଜନୀତିକ ଭାବାଦର୍ଶ ଅବଶ୍ୟ ରହିଥାଏ । ସେହି ଭାବଚିତ୍ରଟିକୁ ସାକାର କରିବା ପାଇଁ ହିଁ ସଂଗ୍ରାମ ଲଢ଼ାଯାଏ, ସ୍ଵାଧୀନତା ଅର୍ଜନ କରାଯାଏ, ସମ୍ବିଧାନଟିଏ ତିଆରି ହୁଏ, ଦେଶଟିଏ ଚାଲେ । ରାଜନୀତିକ ଦଳ ମାତ୍ରକେ ସବୁରି ପଛରେ ଏକ ରାଜନୀତିକ ପରିଚିତି ଅବଶ୍ୟ ରହିଥାଏ, ଯାହା ସାହାଯ୍ୟରେ ସମ୍ପୃକ୍ତ ସମୂହମାନେ ସେହି ଦଳଟିକୁ ଚିହ୍ନନ୍ତି, ଚିତ୍ତି ଗ୍ରହଣ ଅଥବା ବର୍ଜନ କରନ୍ତି । ଦଳମାନେ ଆପଣାର ରାଜନୀତିକ ଲକ୍ଷ୍ୟଗୁଡ଼ିକର ପ୍ରତିଷ୍ଠା କରାଇ ପାରିବେ ବୋଲି କ୍ଷମତା ଇଚ୍ଛା କରୁଥାଆନ୍ତି । କ୍ଷମତା ନିମନ୍ତେ ଦଳ ଦଳ ମଧ୍ୟରେ ଲଢ଼ାଇ ବି ଚାଲିଥାଏ । ଏବଂ ଗଣତନ୍ତ୍ରରେ ସେହି ଲଢ଼େଇକୁ ନିର୍ବାଚନ ବୋଲି କୁହାଯାଏ । ନିର୍ବାଚନ ହିଁ ଗୋଟିଏ ଦଳକୁ କ୍ଷମତା ଭିତରକୁ ଆଣେ ଏବଂ ଆଉ ଗୋଟିଏ ଦଳକୁ କ୍ଷମତାରୁ ହଟାଏ । ଗୋଟିଏ ଦଳ ଆଉ ଏକ ଦଳର ଶତ୍ରୁ ବୋଲି ହିଁ ଯେ ପରସ୍ପରର ବିନାଶ ବା ବିକାଶ ଚାହୁଥାଏ ସେକଥା ନୁହେଁ । ଲକ୍ଷ୍ୟ ବା ଆଦର୍ଶ ବା ଇପସିତ ଲୋକଶାସନଏବଂ ଲୋକନିର୍ମାଣ ବିଷୟରେ ସେମାନେ ଦେଖୁଥିବା ଚିତ୍ର ହିଁ ଭିନ୍ନ ଥାଏ ବୋଲି ପ୍ରତିଦ୍ୱନ୍ଦିତା ଚାଲିଥାଏ ଏବଂ ସେମାନେ ନିର୍ବାଚନ, ନାମକ ସମରରେ ଅବତୀର୍ଣ୍ଣ ହୋଇଥାନ୍ତି । ଲୋକ-ସ୍ଵୀକୃତିର ଦରବାରରେ ନିଜର ପରୀକ୍ଷା ଦିଅନ୍ତି । ନିର୍ଦ୍ଦିଷ୍ଟ କୌଣସି ରାଜନୀତିକ ରାଷ୍ଟ୍ର-ନିଷ୍ଠା ଉପରେ ଅଧିକ ପ୍ରତ୍ୟୟ ରଖୁଥିବାରୁ ଅଧିକ ସଂଖ୍ୟକ ନିର୍ବାଚକ ଏକ ନିର୍ଦ୍ଦିଷ୍ଟ ଦଳକୁ ଭୋଟ ଦିଅନ୍ତି । ଅର୍ଥାତ୍ ସେହି ଦଳଟି ହାତରେ ଶାସନର କୁଞ୍ଚିକାଠି ଗୁଡ଼ିକୁ ଧରାଇ ଦିଅନ୍ତି । ଆଉ ଦଳମାନେ ବାହାରେ ବାହାରେ ରହିଯାନ୍ତି, ନିଜର ଉଦ୍ୟମଗୁଡ଼ିକୁ ହୁଏତ ନୂଆ ପ୍ରକାରେ ନୂଆ ଛାଞ୍ଚରେ ପକାଇ ଦେଖିବାର ପରଖ କରୁଥାନ୍ତି–ସୁଯୋଗଟିଏ ପୁଣି ଆସିବ ବୋଲି ବିଚାର କରି ତଦନୁରୂପେ ତତ୍ପର ଥାଆନ୍ତି ।

 

ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ୱରେ ଭାରତବର୍ଷ ସ୍ଵାଧୀନତା ହାସଲ କରିବାର ନିଜ ସଂଗ୍ରାମଟିକୁ ଲଢ଼ିଥିଲା । ସେହି ସଂଗ୍ରାମଟିକୁ ଲଢ଼ୁଥିବା ସମୟରେ ଭାରତବର୍ଷର କଂଗ୍ରେସ ଦଳର ଏକ ରାଜନୀତିକ ଭବିଷ୍ୟଚିତ୍ର ନିରନ୍ତର ରହିଥିଲା । ସେହି ଚିତ୍ରଟି ସାରା ଭାରତବର୍ଷ ଲାଗି ହିଁ ଥିଲା । କେବଳ କଂଗ୍ରେସ ଲାଗି ଆଦୌନଥିଲା । ଏବଂ, ଉକ୍ତ ସଂଗ୍ରାମ ବଳରେ କାଳର ଅନୁକ୍ରମରେ ଯେତେବେଳେ ଦେଶସ୍ଵାଧୀନ ହେଲା, ସେତେବେଳେ ସେହି ସ୍ଵାଧୀନତା କେବଳ ସମରଟିକୁ ଲଢ଼ିଥିବା କଂଗ୍ରେସ ପାଇଁ ଆସିନଥିଲା । ସମୁଦାୟ ଦେଶଜନଙ୍କ ନିମନ୍ତେ ଆସିଥିଲା । ନୂତନ ଭାରତବର୍ଷର ଭବିଷ୍ୟ-ନିୟତିଟିକୁ ନଜରରେ ରଖି ତା'ପରେ ଏକ ଚିଠା ସମ୍ବିଧାନର ପ୍ରଣୟନ କରିବାପାଇଁ ଯେଉଁ ପରିଷଦଟି ଗଢ଼ାହେଲା, ସେଥିରେ କେବଳ ଜାତୀୟ କଂଗ୍ରେସ ନଥିଲା, ସେଥିରେ, ସମୀଚୀନ ବୋଲି ବିଚାର କରାଯାଉଥିବା ସକଳ ରାଜନୀତିକ ସ୍ୱାର୍ଥଶିବିରକୁ ମଧ୍ୟ ପ୍ରତିନିଧିତ୍ୱ ପ୍ରଦାନ କରାଯାଇଥିଲା । ଏପରିକି, ବାବୁରାଓ ଆମ୍ବେଦକରଙ୍କ ଭଳି ଜଣେ ବ୍ୟକ୍ତି ତୁ, ଯିଏ କି ଇଂରେଜ ଶାସନଭାରତବର୍ଷର ସ୍ଵାଧୀନତାକୁ. ସ୍ୱୀକାର କରିନେଇ ଏଠାରୁ ଚାଲିଯାଉ ବୋଲି କେବେ ହେଲେ ରାଜି ନଥିଲେ, ସମ୍ବିଧାନର ପ୍ରଣୟନରେ ସେଇ ପ୍ରବରତମ ବ୍ୟକ୍ତି ରୂପେ ରହିଥିଲେ । ମହାତ୍ମା ଗାନ୍ଧୀ ତ ଭାରତୀୟ ଜାତୀୟ କଂଗ୍ରେସ ବର୍ତ୍ତମାନ ନିଜକୁ ଭାଙ୍ଗି ଦେଉ ବୋଲି ପରାମର୍ଶ ଦେଲେ । କଂଗ୍ରେସ ଓ ଭାରତବର୍ଷର ରାଜନୀତିକ ସ୍ଵାଧୀନତା ହାସଲ କରିବା ପାଇଁ ସଂଗ୍ରାମ କରୁଥିଲା; ଏବଂ, ସେଇଟା ହାସଲ ହୋଇ ସାରିବାପରେ କଂଗ୍ରେସ ଆଉ କ'ଣ ପାଇଁ ତଥାପି ରହିବ ? ମହାତ୍ମା ଗାନ୍ଧୀ ଆଭାସ ଦେଇଥିଲେ ଯେ ସ୍ୱାଧୀନ ଭାରତରେ ବିଶେଷ ବିଶେଷ ଆର୍ଥିକ ଏବଂ ରାଜନୀତିକ ସ୍ୱାର୍ଥ ଅର୍ଥାତ୍ ଇପ୍ସିତଗୁଡ଼ିକୁ ପ୍ରଧାନତା ଦେଇ ନୂଆ ଦଳମାନେ ତିଆରି ହେବେ । ଲୋକେ ସେହି ସ୍ଵାର୍ଥଗୁଡ଼ିକର ବିଚାର କରି ହିଁ ନିର୍ବାଚନ ଦ୍ୱାରା ଅନୁରୂପ ଦଳ ଅଥବାଦଳମାନଙ୍କୁ କ୍ଷମତାରେ ଆଣି ବସାଇବେ । ତାହା ହିଁ ସବଳ ଅର୍ଥରେ ଭାରତବର୍ଷର । ରାଜନୀତିକ କ୍ରିୟାଶୀଳତାକୁ ଏକ ସୁସ୍ଥ ସ୍ପଷ୍ଟତା ପ୍ରଦାନ କରିପାରିବ ଏବଂ ଶାସନାସୀନମାନଙ୍କୁ ଅଧିକ ପ୍ରାସଙ୍ଗିକତା ଆଣି ଦେଇପାରିବ ।

 

କିନ୍ତୁ ଜାତୀୟ କଂଗ୍ରେସ କୁହା ମାନି ନଥିଲା । ଯେଉଁ ଫଳଟିକୁ ସିଏ ସ୍ଵୟଂ ଅର୍ଜନକରି ଆଣିଛି, ସେଇଟିକୁ ନିଜେ ହିଁ ଭୁଞ୍ଜିବ ବୋଲି ସବାଆଗ ଉଚିତ ମଣିଲା । ଲୋକେ କଂଗ୍ରେସକୁ ଜୟଯୁକ୍ତ କଲେ । କ୍ଷମତାସୀନ କରାଇଲେ । ତାହାରି ହାତରେ ହିଁ ପ୍ରାୟ ଏକଚାଟିଆ ଭାବରେ ସବୁ ଅରପି ଦେଲେ । ଘରେ ହୁଏତ ସେହିଠାରୁ ହିଁ ଅମଙ୍ଗଳମାନେ ପଶିଗଲେ । ଭାରତବର୍ଷର ଅଧିକସଂଖ୍ୟକ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲା । ସେହି କ୍ଷମତାଟାକୁ ଖଟାଇ ଏବଂ ନିର୍ଦ୍ଦେଶନା ଦେଇ ସିଏ ଏହିଦେଶର ଲୋକଜୀବନ ତଥା ଲୋକବିବେକକୁ କେତେ ନା କେତେ ପ୍ରକାରେ ବଦଳାଇ ଦେଇଥାଆନ୍ତା । କିନ୍ତୁ, ନାନାବିଧ ଅସମର୍ଥତା ହେତୁ ସିଏ କ୍ଷମତାକୁ ନଚଳାଇ କ୍ଷମତା ହିଁ ତାକୁ ଚଳାଇଲା । ତେଣୁ ବହୁ ବିଟଙ୍କୁ ଆକର୍ଷିତ କଲା । ଆଉ ଭବିଷ୍ୟଚିତ୍ର ବୋଲିକିଛି ରହିଲା ନାହିଁ । ଦେଶର ଅମଲାତନ୍ତ୍ରଟାକୁ ମଧ୍ୟ ସିଏ ନିଜ ଆୟତ୍ତରେ ରଖି ପାରିଲା ନାହିଁ । ଗୋଟାଏ ପୁରୁଷ ଭିତରେ ହିଁ ସତେଅବା ଏହି ଦେଶର ସମକ୍ଷରେଏକଦା ରଖାଯାଇଥିବା ସକଳ ପ୍ରତିଶ୍ରୁତି ପୁରା ମାଡ଼ ଖାଇଗଲା । କାଗଜ କଲମରବହୁ ପ୍ରୟାସ କାର୍ଯ୍ୟତଃ ଅପପ୍ରୟାସରେ ପରିଣତ ହେବାକୁ ଲାଗିଲା । ଆଉ ରାଜନୀତିର ପୁଣି କି ଆବଶ୍ୟକତା କାହିଁକି ରହିଥାଆନ୍ତା ? ନେଇ ଆଣି ଥୋଇ ଜାଣିବାଟା ହିଁ ମୁଖ୍ୟ ଆଚାର ହେଲା ଏବଂ ତେଣୁ ଚତୁରମାନେ ହିଁ ଆସି ଶାସନର ଘରମାନଙ୍କରେ ପ୍ରମୁଖ ହୋଇ ବସିଲେ ଏବଂ ସବୁ କିଛିକୁ ଆପେ ହିଁ ଭୋଗ କଲେ । ଅଧିକ ଚତୁରମାନେ ସ୍ଵକୁଟୁମ୍ବର ଅନ୍ୟମାନଙ୍କୁ ମଧ୍ୟ ଆଣି ଭର୍ତ୍ତି କଲେ ।

 

ନେତୃତ୍ୱ ରାଜନୀତିରୁ ହୁଡ଼ିଲା । ଯିଏ ଯେତେବେଳେ କ୍ଷମତାରେ ରହିଲା, ତାହାରି ମର୍ଜିଗୁଡ଼ାକୁ ରାଜନୀତି ବୋଲି କୁହାଗଲା ଏବଂ, ସ୍ୱାଧୀନ ଭାରତରେ ଯାହାସବୁ ବଦଳିବ ବୋଲି ସେହି ସଂଗ୍ରାମବେଳୁ ହିଁ ମସୁଧା କରା ହୋଇଥିଲା, ସେ ସବୁକୁ ଫାଙ୍କି ଦିଆଗଲା । ଶିକ୍ଷା ବଦଳିଲା ନାହିଁ । ଭୂମି ବ୍ୟବସ୍ଥାରେ ସଂସ୍କାର ହେଲାନାହିଁ, ପାଠୁଆମାନେ ଅଧିକରୁ ଅଧିକ ଅସାଧୁ ହେବାର ପ୍ରୋତ୍ସାହନ ଲାଭ କଲେ । ଦରିଦ୍ର ଅଧିକ ଦରିଦ୍ର ହେଲେ । ଦୂରତାମାନେ ଅଧିକରୁ ଅଧିକ ହୃଦୟହୀନ ବି ହେଲେ । ବହୁତଙ୍କ ଉପରେ ଅଳପଙ୍କର ଦୌରାତ୍ମ୍ୟମାନେ ହିଁ ଦାଣ୍ଡରୁ ଆଶା କରାଯାଉଥିବା ପ୍ରାୟଏକମାତ୍ର ନ୍ୟାୟ ହୋଇ ରହିଲେ । ସମବଳୀୟାର ହୋଇ ଦେଶରେ କ୍ଷମତାର ଦଉଡ଼ରେ ଯେଉଁ ଅନ୍ୟ ପଲମାନଙ୍କର ଆବିର୍ଭାବ ଘଟିଲା, ସେମାନେ କଂଗ୍ରେସକୁ କ୍ଷମତାରୁ ସିନା ହଟାଇ ଦେଲେ, ମାତ୍ର କଂଗ୍ରେସକୁ ହିଁ ଅନୁସରଣ କଲେ । ଗୋଟାକପରେ ଗୋଟିଏ ହୋଇ ଦଳମାନେ ତିଆରି ସିନା ହେଲେ, କିନ୍ତୁ ସମସ୍ତେ ସତେ ଅବା ସେହି ଗୋଟିଏ ମାଂସପିଣ୍ଡୁଳାରୁ ବାହାରିଥିବା ପରି ଆପଣାର ପରିଚୟ ଦେଲେ । ସମସ୍ତେ ଖଳ୍ପ ହେଲେ । ଗଣତନ୍ତ୍ର ନାମକ ଘୋଡ଼ାଟା ଉପରେ ପଡ଼ିଥିବା ହାଉଦା ଉପରେ ଯୋଉ ପଲ ଯେତେବେଳେ ବି ବସିଲେ, ସମସ୍ତେ ଖଣ୍ଟ ହିଁ ହେଲେ । ନିତାନ୍ତ ଅସାଧୁମାନେ ଯେ ଆମର ଏହି ଯୁଗଟାକୁ ଭୋଗ କରିବେ ବୋଲି ସରସରୁ ଆହୁରି ସରସ ଶବ୍ଦଗୁଡ଼ିକୁ ଖୁବ୍‍ ପ୍ରୟୋଗ କରି ପାରନ୍ତି । ଭାରତବର୍ଷରେ ନେତୃତ୍ୱମାନେ ଏବେ ତାହାରି ଭବ୍ୟତମ ଉଦାହରଣମାନ ଦେଖାଇବାରେ ଲାଗିଛନ୍ତି ।

 

ଯେଉଁମାନେ ତଥାକଥିତ କ୍ଷମତା ହାସଲର ପ୍ରତିଦ୍ୱନ୍ଦିତା ଭିତରେ ଅଛନ୍ତି, ସେମାନେ ନିଜର ଯାବତୀୟ ବେଭାର ଏବଂ ବିବେକରେ ଗୋଟାପଣେ ନିରକ୍ଷର ହୋଇ ରହିଛନ୍ତି । ଗୋଟାଏ ନିର୍ଦ୍ଦିଷ୍ଟ ଦଳରେ ସେମାନେ କାହିଁକି ଯେ ରହିଛନ୍ତି, ସେକଥା ମୋଟେ ଜାଣିନାହାନ୍ତି । ସତେ ଅବା କୌଣସିମତେ ଆସି ପଶି ଯାଇଛନ୍ତି । ଯେଉଁଦଳରେ ଅଛନ୍ତି, ସେଇଟିର ଏକ ଆଭିମୁଖ୍ୟ ତଥା ଭବିଷ୍ୟ–ଦୃଷ୍ଟି ଅବଶ୍ୟ ରହିବବୋଲି ସମ୍ଭବତଃ କେବେହେଲେ ଚିନ୍ତା ହିଁ କରିନାହାନ୍ତି । ସେମାନେ କ'ଣ ନିର୍ବାଚନ ନାମକ ସେହି ଗୋଟିଏ ମାତ୍ର ଲଢ଼େଇରେ ଜିଣି ଯଥାସମ୍ଭବ ଅଧିକ ଦୀର୍ଘକାଳ କ୍ଷମତାରେ ରହିବାକୁ ହିଁ ନିଜ ଜୀବନର ଶ୍ରେୟ ବୋଲି ଗ୍ରହଣ କରି ନେଇଛନ୍ତି କି ? ସେଥିଲାଗି ଅସଲ ଲଢ଼େଇ ଗୁଡ଼ିକ ବିଷୟରେ ନିପଟ ନିରକ୍ଷର ହୋଇ ରହିଛନ୍ତି ! ହଁ, ପୃଥିବୀର ବିକଶିତ ଦେଶମାନଙ୍କରେ ହୁଏତ ଦଳ ଦଳ ମଧ୍ୟରେ ଲାଗିଥିବା ଲଢ଼େଇରେ ସେପରି କୌଣସି ତୀକ୍ଷଣତା ନାହିଁ । ସେହିସବୁ ଦେଶରେ ମଣିଷମାନଙ୍କର ସର୍ବନିମ୍ନ ନିର୍ଭରଗୁଡ଼ିକ ଉପଲବ୍ଧ ହୋଇପାରୁଛି । ସାମାଜିକ ତଥା ଆର୍ଥିକ ଦୂରତା ରହିଛି ସିନା, ତଥାପି ସଭିଁଙ୍କ ନିମନ୍ତେ ଅତ୍ୟାବଶ୍ୟକ ଭୂମିଗୁଡ଼ିକ ସକାରାତ୍ମକ ଭାବରେ ପ୍ରତିଷ୍ଠିତ ହୋଇପାରିଛି । ତେଣୁ, ଘର ଭିତରେ ସଂହତି ରହିଛି । କେହି ଆପଣାକୁ ବର୍ଜିତ ଅଥବା ଉପେକ୍ଷିତ ବୋଲି ବିଚାର କରିବାର ହୁଏତ ଅବକାଶ ହିଁ ନାହିଁ । ସେସବୁ ଦେଶରେ ମଧ୍ୟ ଦଳ ଅଛନ୍ତି । ନିର୍ବାଚନ ହେଉଛି ସତ, ମାତ୍ର ଯେଉଁଦଳ ଜିତୁ ବା ଯେଉଁ ଦଳ ହାରୁ ପଛକେ, ତଦ୍ୱାରା ସାମୂହିକ ଲୋକ–ଭାଗ୍ୟରେ କୌଣସି ସାଂଘାତିକ ହେରଫେର ହୋଇଯିବାର ମଧ୍ୟ ପ୍ରାୟ କୌଣସି ଆଶଙ୍କା ନାହିଁ ।

 

ମାତ୍ର ଭାରତବର୍ଷ ପରି ଏକ ବିକାଶଶୀଳ ଦେଶରେ ଲୋକଜୀବନର ନିର୍ଭରଶୀଳ ଭୂମିଗୁଡ଼ିକ ସମସ୍ତଙ୍କ ନିମନ୍ତେ ଏବେ ମଧ୍ୟ ଉପଲବ୍ଧ ହୋଇପାରି ନାହିଁ । ବହୁ-ପ୍ରତିଶ୍ରୁତ ନାନା ବାସ୍ତବ ବ୍ୟବସ୍ଥାକୁ ସତେ ଅବା ଉପରିସ୍ଥ ନାନା ନ୍ୟସ୍ତସ୍ୱାର୍ଥ ପ୍ରଧାନତଃ ଟାଳି ଦେଇଛନ୍ତି ତଥା ଟାଳିବାରେ ଲାଗିଛନ୍ତି । ଅଳପ ମଣିଷ ବାଦଶାହଙ୍କ ପରି କାଳଟାକୁ ଭୋଗ କରିବେ ବୋଲି ଅଧିକଙ୍କୁ ଅସହାୟ କରି ରଖାଯାଇଛି । ସେହି ଅନ୍ଧାରମାନଙ୍କୁ ବହୁ ଭାବପ୍ରବଣତା ମଧ୍ୟରେ ଢାଙ୍କି ଦିଆଯାଇଛି । ଲୋଭୀକ୍ଷମତା ଖୋରମାନେ ଯେଉଁ ଦଳରେ ହେଉ ପଛକେ, ଯେ କୌଣସିମତେ କ୍ଷମତାରେ ରହିବେ ବୋଲି କେଡ଼େ ସ୍ଵାଚ୍ଛନ୍ଦ୍ୟ ସହିତ ଦଳରୁ ଦଳକୁ ଡେଇଁ ପଡ଼ୁଛନ୍ତି । ଲୋକେଚକିତ ହୋଇ ଚାହିଁ ରହିଛନ୍ତି । ଏକ ସିଭିକ୍ ସୋସାଇଟି ଯଦି ମହଜୁଦ ହୋଇରହି ଥାଆନ୍ତା, ତେବେ ସେମାନଙ୍କର ଏହି ଲଜ୍ଜାହୀନ ଦୁରାଚାରଗୁଡ଼ିକୁ ଛି'ବୋଲି କହି ସମସ୍ତେ ପାଟି କରି ଉଠନ୍ତେ ଓ ସେମାନଙ୍କୁ ଆଗକୁ ଆଦୌ ଯିବାକୁ କୌଣସି ପ୍ରଶ୍ରୟ ଦିଆଯାଆନ୍ତା ନାହିଁ । ଦଳମାନେ ରହନ୍ତେ, ମାତ୍ର ଦଳ ପଛରେ ଏକ ରାଜନୀତି ଅବଶ୍ୟରହିବା ବିଷୟରେ ଏକ ସଂଜ୍ଞାନତା ସେଗୁଡ଼ିକର ନେତାମାନଙ୍କୁ ଓ ଜନସାଧାରଣଙ୍କୁ ଜାଗରୁକ କରି ରଖିଥାଆନ୍ତା । ରାଜନୀତିକ ସଚେତନତା ରହିଲେ ଏକ ଭଦ୍ରତା ମଧ୍ୟ ରହନ୍ତା । ରାଜନୀତିକ ବେଭାରରୁ ହିଁ ଲୋକେ ଦଳୀୟ ପହିଲମାନମାନଙ୍କର ବିଚାର କରନ୍ତି । ତେଣୁ ରାଜନୀତି ଫେରି ଆସୁ, ରାଜନୀତିର ହିଁ ଅଧିକ ଚର୍ଚ୍ଚା ହେଉ, ରାଜନୀତିର ଭିନ୍ନ ଭିନ୍ନ ପରିମଳ ଅନୁସାରେ ନିରକ୍ଷରମାନଙ୍କୁ ଭଲକରି ଚିହ୍ନିବାର କ୍ଷେତ୍ରଟିଏ ମିଳୁ ।

Image

 

ଶୂନ୍ୟ ମନ୍ଦିର : ପୂର୍ଣ୍ଣ ମନ୍ଦିର

 

ଶାସ୍ତ୍ରୀୟ ପାଣ୍ଡିତ୍ୟ ସତ୍ୟଟାକୁ ତତ୍ତ୍ୱଦ୍ୱାରା ଛନ୍ଦି ଆଣି ପାରିବାର ଭମ କରି ଦର୍ଶନ ବଖାଣିବାର ଆଳରେ ମତଗୁଡ଼ିକୁ ମୋଟା କରି ଦର୍ଶାଇଦିଏ । ସେହି ମତରୁ ମତବାଦରଏକ ଅନ୍ୟ ଜଞ୍ଜାଳ ଜନ୍ମଲାଭ କରେ । ମତବାଦ ହିଁ ସମ୍ଭବତଃ ଆପଣାକୁ ଅନ୍ୟମାନଙ୍କ ଠାରୁ ପୃଥକ୍ ବୋଲି ପ୍ରତିପାଦିତ କରିପାରିବ ବୋଲି ସଂପ୍ରଦାୟ ଗଠନ କରେ । ଅନ୍ୟମାନଙ୍କଠାରୁ ମୁଁ ଏତେ ଏତେ ପ୍ରକାରେ ପୃଥକ୍) ତେଣୁ ସେମାନଙ୍କ ଠାରୁ ନିଆରା ଏବଂ ତେଣୁ ସେହି ସମସ୍ତଙ୍କଠାରୁ ମୁଁ ନିଶ୍ଚୟ ଅଧିକ ସରସ, –ଏଇଥିରୁ ଅଲଗା ଭେକ, ଅଲଗା ସନ୍ତକ, 'ଅଲଗା ଉପାସନା, –ଏଗୁଡ଼ିକର ଫାନ୍ଦରେ ପଡ଼ିଯିବା ପରେ ବେଳେ ବେଳେ ଯତି ଓ ବୈରାଗୀମାନେ ମଧ୍ୟ ଆପଣାକୁ ପ୍ରବର ବୋଲି ବିଚାର କରିବାକୁ ଆରମ୍ଭ କରିଦିଅନ୍ତି ଏବଂ, ବିଧାତାଙ୍କର ବି ଏପରି ଗୋଟାଏ ମଜା ଦେଖିବାର ଏବଂ ଲୋକମାନଙ୍କୁ ଧରା ପକାଇବାର ନିଜସ୍ୱ ଶୈଳୀ ସର୍ବଦା ରହିଆସିଛି ଯେ, ନିଜକୁ ପ୍ରବର ବୋଲି ଅନୁଭବଟିଏ ହେବା ମାତ୍ରକେ ପୃଥିବୀରେ ଆଉ ସମସ୍ତେ ହିଁ ତୁଚ୍ଛା ଅବର ଭଳି ଦେଖାଯାଆନ୍ତି । ଏହା ପରେ ଏହି ନାଟଟା ଅଧିକରୁ ଅଧିକ ଜମିବାରେ ହିଁ ଲାଗିଥାଏ । ସେହି ନାଟରୁ ପୃଥିବୀଟା କ’ଣ କମ୍ କଷ୍ଟ ସହେ ?

 

ଅସଲ ଆଖିଗୁଡ଼ିକ ଗୋଟି ଗୋଟି ହୋଇ ଖୋଲୁଥିବାର ପ୍ରକ୍ରିୟା, –ତାହାହିଁ ଯଥାର୍ଥ ଦର୍ଶନର ପ୍ରକ୍ରିୟା । ଭେକ ଥାଏ, ସନ୍ତକମାନେ ଥାଆନ୍ତି, ମତ ଅନୁସାରେ ପଥମାନେ ବି ପ୍ରାୟ ଏକ ଅନ୍ୟ ଉତ୍ତାପରେ ମାତି ଗୋଳ ଲଗାନ୍ତି । ତଥାପି ଯଥାର୍ଥ ଆଖିଟା ପୂର୍ଣ୍ଣର ହିଁ ପ୍ରତ୍ୟକ୍ଷ କରୁଥାଏ । ସତେଅବା ସେହି ଗୋଟିଏ ବାହୁବେଢ଼ ଭିତରେ ସମସ୍ତେ ଆସି ଠୁଳ ହୋଇଥିବାର ଅନୁଭବ କରେ, ଧନ୍ୟ ହୁଏ । ଏହି ସମଗ୍ରଟା ହିଁ ସତ୍ୟ, –ସମଗ୍ର ହିଁ ଉପାସ୍ୟ, ଆରାଧ୍ୟ, ଆନନ୍ଦମୟ ଏବଂ ତେଣୁ ବିମୋଚନକାରୀ ଅସଲ ନିର୍ଭୟ । ସତ୍ୟର ମନ୍ଦିର, –ତାହା ଏକ ପୂର୍ଣ୍ଣ ମନ୍ଦିର । ତେବେ ଏହି ଶୂନ୍ୟମନ୍ଦିର । କଥାଟି ପୁଣି କ’ଣ ? ଯେତେବେଳେ ଏକାବେଳକେ ସବୁ ଦିଶିବ ଏବଂ ଅଲଗା ଅଲଗା ଆଦୌ କିଛି ହେଲେ କୋଉଠି ନାହିଁ ବୋଲି ଭିତରୁ ସେହି ହୃଦୟବାସୀଟା ପୂରା ଭରସାର ସହିତ କହି ପାରୁଥିବ ,-ଅଲଗା ଅଲଗା ଦେଖୁଥିବା ଯାଏ ସବୁ ଶୂନ୍ୟ, ଏବଂ ଏକାବେଳକେ ସବୁଟିକୁ ଦେଖୁଥିବା ଆଖି ପାଇଁ ସବୁ ପୂର୍ଣ୍ଣ । ଆପଣାକୁ କୌଣସି କାରଣରୁ ଖଣ୍ଡିଆ କରି ଦେଖୁଥିବାରୁ ଏକ ନିର୍ଦ୍ଦିଷ୍ଟ ଆନନ୍ଦର ବୋଧ,–ତାହାହିଁ ଶୂନ୍ୟ । ପ୍ରାୟ ପଚାଶବର୍ଷ ତଳେ ମୂଳ ପୀଠ ଯୋରନ୍ଦାଠାରେ ଥରେ ମୁଁ ପୂଜ୍ୟ ବିଶ୍ୱନାଥବାବାଙ୍କୁ ଏହି ଶୂନ୍ୟମନ୍ଦିରର ପ୍ରସଙ୍ଗଟି ବିଷୟରେ କିଛି ପଚାରିଥିଲି । ବାବା ଯେଉଁ ଉତ୍ତର ଦେଇଥିଲେ, ତାହା ଏବେ ମଧ୍ୟ ମୋର ମନେ ରହିଛି । ସିଏତ ସବୁ ଠାବରେ, ସର୍ବତ୍ର ପୂର୍ଣ୍ଣ, –ତାଙ୍କର ପୁଣି ମନ୍ଦିର କ’ଣ ପାଇଁ, ସକାଳୁ ପହଡ଼ ଖୋଲି ରାତ୍ର ପହଡ଼ ପଡ଼ିବା ଯାଏ ଏହି ନୀତି ନିର୍ଘଣ୍ଟ ବି କାହିଁକି ? ଘଣ୍ଟା, ବାଦ୍ୟ, କାହାଳୀ, ଭୋଗମାଜଣା, –ଏଗୁଡ଼ିକର ମଧ୍ୟ କି ପ୍ରୟୋଜନ ଅଛି ? ବାବା ଉତ୍ତର ଦେଇଥିଲେ, ଏସବୁ ମୁଖ୍ୟତଃ ଲୋକାକର୍ଷଣ ନିମନ୍ତେ । ପରିଚିତ ଅଭ୍ୟସ୍ତତା କେତୋଟିକୁ ମାଧ୍ୟମରୂପେ ବ୍ୟବହାର କରି ଏକ ପୂର୍ଣ୍ଣ ପରିଚିତି ପାଖରେ ଆସି ଅସଲି ନିର୍ଭର ଶିଳାଟିକୁ ଲାଭ କରି ପାରିବା ସକାଶେ । ସେତେବେଳେ ମଧ୍ୟ ସେଠାରେ ଗୋଟିଏ ଗୃହ ଦୁଇଶାଖା ହେବାକୁ ଆରମ୍ଭ ହୋଇଯାଇଥିଲା । ଦୁହେଁ ମହିମାଦ୍ରିତ ହୋଇ ରହିଥିଲେ 'ସତ, ମାତ୍ର ଏ ଘରେ ବଳ୍କଳଧାରୀ ପ୍ରବରବର୍ଗଙ୍କର ବୋଲ ଅନୁସାରେ ସବୁ ଚାଲୁଥିଲା ଓ ସେପଟେ କୌପୀନଧାରୀ ରହିଥିଲେ ।

 

କୌପୀନଧାରୀ ବଳ୍କଳଧାରୀଙ୍କୁ ଅପର ପକ୍ଷ ବୋଲି ଭାବୁଥିଲେ, କାରଣ ସେମାନେ ଆପେ ମଧ୍ୟ ବଳ୍କର ଧାରଣ କରିବାକୁ ଅଭିଳାଷ ରଖିଥିଲେ । ଜ୍ୟେଷ୍ଠମାନେ ଅନୁମତି ଦେଲେ ନାହିଁ-। ପୂର୍ଣ୍ଣମହିମାର ଘରଟା ସେହିଠାରୁ ହିଁ ଦୁଇଭାଗ ହୋଇଗଲା । ଦୁଇଭାଙ୍ଗ ହୋଇ ଚାଲିଲା-। ପ୍ରତ୍ୟେକ ପକ୍ଷ ମହିମାକୁ ଠିକ୍ ଭାବରେ ବୁଝିଛି ବୋଲି ଆପଣାକୁ ଦମ୍ଭ ହେଉଥିଲା-। ତେଣୁ ଦୂରତାମାନେ ବଢ଼ିଲେ । କେବଳ ନିଜ ପକ୍ଷଟାକୁ ହିଁପ୍ରାମାଣିକ ଏବଂ ସଂଗତିଯୁକ୍ତ ବୋଲି ମୂଳରୁ ହିଁ ମାନିନେଇ ଥିବାରୁ କ୍ରମେ ଅସଲ । ମଙ୍ଗଗୁଡ଼ିକୁ ଧରି ସଂସାରର ଉଦୟକୁ ହିଁ ବିଭୁ ନିର୍ଦ୍ଦେଶିତ ସବା ବଡ଼ କାର୍ଯ୍ୟ ବୋଲି କ୍ରମେ ହି ଅନ୍ଦାଜ ହିଁ କରି ପାରିଲେ ନାହିଁ । ବାହାରୁ ଭଲ ଲୋକ ଡକା ହେଲେ-। କଥାଟା କଚେରୀ ଯାଏ ଗଲା । ତଥାପି ସମାଧାନ ହୋଇପାରିଲା ନାହିଁ । ସାମୟିକ ଯେତେ ସମାଧାନ ହୋଇଗଲା ବୋଲି ପ୍ରତୀତିମାନ ହେଉଥିଲେ ମଧ୍ୟ ଭିତରେ ନିତାନ୍ତ ଅନମନୀୟ କୁଣ୍ଡାମାନେ କୁହୁଳିବାରେ ହିଁ ଲାଗିଥିଲେ । ଈଶ୍ୱର ବାସନାଗୁଡ଼ିକ ହୁଏତ ମାଡ଼ ଖାଇ ଯାଉଥିବାରୁ ସମ୍ପତ୍ତା ବାସନା ବଢ଼ୁଥିଲା ଓ ସେଥିରୁ ଅନ୍ତତଃ କିଛି ବୃଦ୍ଧିପାଉଛି ବୋଲି ସାନ୍ତ୍ୱନାଟିଏ ଖୁବ ମିଳୁଥିଲା ଏବଂ, ଏଥର ସେହି ସମ୍ପତ୍ତିକୁ ଗଣ୍ଠି କରି ମାଡ଼ଗୋଳ ଯାଏ କଥାଗଲା । କଥାମାନେ ଦାଣ୍ଡରେ ପଡ଼ିଲେ । ସରକାରୀ ହାକିମମାନେ ହକରା ହୋଇ ଆସିଲେ ଏବଂ ପୁନର୍ବାର ସେହି ସାମୟିକ ଚଉହଦୀଗୁଡ଼ାକ ଭିତରେ ହିଁ ନିଶାପଟାଏ ହେଲା,–ହୁଏତ ପ୍ରତ୍ୟେକେ ନିଜ ନିଜର ଶୂନ୍ୟ କୁଦଟି ଉପରକୁ ଫେରିଗଲେ । ପୂର୍ଣ୍ଣ ମନ୍ଦିରଟିକୁ ସମ୍ମୁଖରେ ତୋଳି ରଖି ପରସ୍ପରକୁ ସ୍ୱୀକାର କରିନେବା, ସିଏ ତ ସମ୍ପୂର୍ଣ୍ଣ ଭାବରେ ଏକ ଅନ୍ୟ ବିବେକର କଥା । ମହିମା ମାର୍ଗର ଅସଲ Catalyzer ମାନେ ହେଉଛନ୍ତି ତାହାର ଗୃହୀ ଭକ୍ତମାନେ ! ଯତି ଗୋଷ୍ଠୀର ଅତ୍ୟୁତ୍ସାହଗୁଡ଼ିକର ଫଳରେ ସେମାନେ ମଧ୍ୟ ଉଣା ଅଧିକେ ଦୁଇଭାଗ ହୋଇ ଯାଉଛନ୍ତି । ତାହାହିଁ ମହିମାର ସମ୍ପୂର୍ଣ୍ଣ ଶ୍ରଦ୍ଧାଘରଟି ନିମନ୍ତେ ଅସୁମାରି କ୍ଷତିର କାରଣ ହୋଇଛି । ଗୋଟିଏ ଦାଣ୍ଡି ନିଜକୁ ନରମ ବୋଲି କହି ଆର ଦାଣ୍ଡିଟାକୁ ଚରମ ତଥା ଗରମ ବୋଲି କହୁଛନ୍ତି ସିନା, ମାତ୍ର ସତକୁ ସତ କିଞ୍ଚିତ୍ ପରିମାଣରେ ନରମି ଯିବା ଲାଗି କେହି ରାଜି ହେଉନାହାନ୍ତି ।

 

ଏହି ବୈରୀପଣ ଓ ବୈମନସ୍ୟ ମହିମାକୁ ନେଇ ନୁହେଁ, ଅନାଦି ସତ୍ୟକୁ ନେଇ ଆଦୌ ନୁହେଁ । ତାହା ଭେକକୁ ନେଇ, ବାହ୍ୟକୁ ନେଇ । ଅସଲ ଅମାନତଟି ଠାରୁ କୌଣସି କାରଣରୁ ଡୋର ଛିଣ୍ଡିଗଲେ ତୁଚ୍ଛା ଅଦ୍ରବ୍ୟଗୁଡ଼ାକ ହିଁ ଅମାନତ ପରିଦୃଷ୍ଟିଗୋଚର ହୁଏ, ଏକ ପ୍ରମାକାରୀ ଚିତ୍ତଭ୍ରମର କାରଣ ହୋଇଥାଏ । ଏହିସବୁ ଭ୍ରମ ସମ୍ଭବତଃ ଏହି ପୃଥିବୀର ଧର୍ମ ପରମ୍ପରାକୁ ଭାରି ଉତ୍ସାହ ହୁଏତ ଦିଏ, ଯାହାର ପରିଣାମ ସ୍ୱରୂପ ଗୋଟାଏ ଘର ସାତଟା ଘରରେ ପରିଣତ ହୁଏ ଏବଂ ତେଣିକି ସମ୍ପ୍ରଦାୟମାନେ ହିଁ ବହୁ ପ୍ରକାରେ ଆବିର୍ଭୂତ ହୋଇ ଆସନ୍ତି । ସତ୍ୟଟିଏ ଖିଳ ଜଗତକୁ, ଏକାଠି ବାନ୍ଧି ରଖିଛି ବୋଲି ଉତ୍‌ଫୁଲ୍ଲ ଭାବରେ କୁହାଯାଉଥିଲେ ମଧ୍ୟ ଅଧ୍ୟାତ୍ମଟାହଜିଯାଏ ଏବଂ ସମ୍ପୃକ୍ତ ସହଜ-ବିଶ୍ଵାସୀ ମନୁଷ୍ୟମାନଙ୍କ ଠାରୁ କେତେଟା ବାହ୍ୟ ବିଧିଗତ ଆଚାରର ହିଁ ଦାବୀ କରାଯାଏ । ଆଗାମୀ ପୃଥିବୀର କ୍ରମନିର୍ମାଣରେ ଯେତେବେଳେ ଅବଲମ୍ବନ କରି ରହିବା ଭଳି ସମ୍ଭବତଃ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଏକ ଅଧ୍ୟାତ୍ମ ଗଠିତ ହୋଇଆସିବ, ସେତେବେଳେ ଏଥିରେକୌଣସି ସନ୍ଦେହ ନାହିଁଯେ, ବର୍ତ୍ତମାନର ଏହି ସାଂପ୍ରଦାୟିକ ବାହ୍ୟ ନିଷ୍ଠାଗୁଡ଼ିକୁ ଆଦୌ କୌଣସି ଅପରିହାର୍ଯ୍ୟମହତ୍ତ୍ବ ଦିଆଯିବ ନାହିଁ । ଏପରିକି ଖିଅକୁ ଖିଅ ଏକାଠି ବାନ୍ଧି ସଙ୍ଘାଡ଼ିଏ ପଇତାକୁଏବେ ଯେଉଁଭଳି ଚଳନ୍ତି ଅବସରମାନଙ୍କରେ ଧର୍ମସମନ୍ବୟ ବୋଲି କୁହାଯାଉଛି, । ସେଇଟିକୁ ମଧ୍ୟ କେହି ଗୁଡ଼ାଏ ମର୍ଯ୍ୟାଦା ଦେବାକୁ ମୋଟେ ମନ କରିବେ ନାହିଁ । ସେତେବେଳେ ବାହ୍ୟମାନେ ରହିଯିବେ ,ଚରାଚର ବିଭିନ୍ନତା ସତ୍ତ୍ୱେ ଏପରି କିଛିରଠାବ କରାଯାଇପାରିବ, ଯାହାକି ଆପଣାର ଆବେଦନଶକ୍ତି ଦ୍ୱାରା ସବୁ ମଣିଷଙ୍କୁସତକୁ ସତ କତି ଏବଂ ଆହୁରି କତିକୁ ଟାଣି ଆଣିବ । ସତ୍ୟଟା ହିଁ ଦେଖାଯିବ । ସେହିଅଭିନବ ସମାଧାନଟାର ମୁହୂର୍ତ୍ତରେ ଏଠି ଓଡ଼ିଶାରେ ମହିମା ନାମକ ଏହି ପଥଟି ଆମପାଇଁ ହୁଏତ ବର୍ଣନାତୀତ ନାନା ଉଜ୍ଜଳତାରେ ପ୍ରତିଭାତ ହୋଇ ଉଠିବ । ଆମର ସେହି ପୂର୍ଣ୍ଣ ମନ୍ଦିରଟିକୁ ଆମେ ସତେଅବା ଏକ ଅଭିନବ ସହଜତାରେ ହିଁ ଚିହ୍ନି ନେଇପାରିବା । ବକଳ ଏବଂ କୌପୀନ ମଧ୍ୟରେ ବିବାଦଟାକୁ ଲଗାଇ ରଖିବା ନିମନ୍ତେ ମୋଟେ ଫୁତ ନଥିବ । ତେଣୁ, ବର୍ତ୍ତମାନର ଏହି ବିବଦମାନ ବାଡ଼ଗୁଡ଼ିକଭିତରୁ ବାହାରି ଆସିବାର ଯେଉଁ ଅନ୍ୟ ଓ ଅସଲ ଆବଶ୍ୟକତାଟି, ଆମେ ଆହୁରି ଅଧିକ ଶ୍ରଦ୍ଧାର ସହିତ ସେଇଟି ଭିତରେ ରମିବା ଓ ସେଇଟିକୁ ଅଧିଗମିବା । ଏ ଘର ଓ ସେ ଘର,–ଦୁଇ ଘରକୁ ଏକାଠି ଦେଖି ପାରିବା ଭଳି ଆଉ ଗୋଟିଏ ସତ୍ୟତର ଘର ଅବଶ୍ୟ ରହିଛି, ଯାହାକି ଆମକୁ ଆମ ଅନ୍ତରର ଯାବତୀୟ କୁଣ୍ଠାରୁ ସମ୍ପୂର୍ଣ୍ଣ ଅବଲୀଳାକ୍ରମେ ଡ଼ିଆଁଇ ନେଇ ପାରିବ । ସତ୍ୟକୁ ସ୍ପର୍ଶ କଲେ ଭେକଗୁଡ଼ିକୁ ଆଦୌ ବର୍ଜନ କରିବାକୁ ପଡ଼େ ନାହିଁ । ଭୋକମାନେ ଅବଶ୍ୟ ଥାଆନ୍ତି, ଅଲବତ ରହିଥାନ୍ତି । ମାତ୍ର ଭେକକୁ ନେଇ କୌଣସି କଳହ ଲାଗେ ନାହିଁ ବା କୌଣସି ଭଲଲୋକକୁ ମଧ୍ୟ ଡାକିବାକୁ ପଡ଼େ ନାହିଁ । ଭେକ ଥାଏ, ତଥାପି ପୂର୍ଣ୍ଣ ମନ୍ଦିରଟିର ପତାକାଟି ଫର ଫର ହୋଇ ଉଡ଼ୁଥାଏ । ଅନାଇଦେଲା ମାତ୍ରକେ ଦେଖିହୁଏ । ଉଭୟ ମହୁଡ଼ରେ ହିଁ ଉଡ଼ୁଥାଏ । ଏ କଥା ହୁଏତ ବୃଦ୍ଧମାନଙ୍କୁ ଆଦୌ ବୁଝାଇଦେଇ ହେବ ନାହିଁ । ଏବେ ବୃଦ୍ଧମାନେ ସେହି ଅନେକବିଧ ମିଛ ସନ୍ତକଗୁଡ଼ାକୁ ଧରି ପୃଥିବୀଟାକୁ ହିଁ ବୁଢ଼ା କରିରଖିବାକୁ ବାହାରିଛନ୍ତି । ଖାଲି ତଥାକଥିତ ଧର୍ମର ଆସ୍ଥାନମାନଙ୍କରେ ନୁହେଁ, ରାଜନୀତି, ଅର୍ଥନୀତି, ବିଦ୍ୟା ଏବଂ ସମାଜ–ବ୍ୟବସ୍ଥା, ଏହି ସବୁକିଛିରେ ସେହିପୁରୁଣା ମନୁଷ୍ୟର୍ଦ୍ଦେଶୀ ସଂସ୍କାରଗୁଡ଼ାକୁ ଭର୍ତ୍ତି କରି ପୃଥିବୀଟାକୁ ହିଁ ବୁଢ଼ା କରି ରଖାଯିବାର ଚକ୍ରାନ୍ତ ଚାଲୁ ରହିଛି । ତେଣୁ, ରଜାମାନଙ୍କୁ ପାଳକ ପଡ଼ିଛି । ଆମେ ଚାଲ, ବରଂ ତରୁଣ ପାଖକୁ ଯିବା । ମହିମା କେବେହେଲେ ବୁଢ଼ା ହୁଏ ନାହିଁ ବୋଲି ତରୁଣମାନଙ୍କର ହିଁ ହୃଦ୍‌ବୋଧ କରାଇବା । ଆଜ୍ଞା ଆପଣମାନେ ବଳ୍କଳ ପିନ୍ଧିଥାନ୍ତୁ ଅଥବା କୌପୀନ ପିନ୍ଧି ଥାଆନ୍ତୁ ପଛକେ, ତରୁଣମାନଙ୍କ ପାଖରେ ଗ୍ରହଣୀୟ ହେବାର ସାଧନା କରନ୍ତୁ । ତରୁଣ ତୃଷା ସେହିପରି ଏକ ଅଗାଧ ସ୍ପର୍ଶ ଦ୍ୱାରା ବିମୋଚିତ ହେବ ବୋଲି ଚାହିଁ ରହିଛି । ବାହାରର ଏହି ତାମସା, ବିବାଦ ଏବଂ ନିତାନ୍ତ ଅଳପଗୁଡ଼ାକ ତାକୁ ଆଉ ଭଲ ଲାଗୁନାହିଁ । ସିଏ ଏକ ଅନ୍ୟ ଉଦୟ ଏବଂ ଉଦ୍ଧାର ନିମନ୍ତେ ଅପେକ୍ଷା କରି ରହିଛି । ସତ୍ୟକୁ, ଯାବତୀୟ ବିମୋଚକାରୀ ସତ୍ୟକୁ ସିଏ ସବାଆଗ ବୁଝିବ । ତା ପରେ ମନେରଖନ୍ତୁ, ସିଏ ଆପଣଙ୍କୁ ଜଣେ ପ୍ରବୁଦ୍ଧ ସନ୍ନ୍ୟାସୀ ବୋଲି ହୁଏତ ମୁଣ୍ଡିଆ ସିନା ମାରିବ ନାହିଁ, –ମାତ୍ର ସାଥୀ, ବୋଲି ସ୍ୱୀକାର କରିନେବ । ଗୋଟା ସୁଦ୍ଧା କତିରେ ଆସି ବସିବାକୁ ଇଚ୍ଛା କରିବ । ମାତ୍ର, ଆପଣ ପାରିବେ ତ ?

Image

 

ଗାନ୍ଧିଜୀ ଚିରପ୍ରାସଙ୍ଗିକ

 

ଆମେ ସ୍ୱାଧୀନ ହୋଇ ନିଜର ଦେଶରେ ଘୋଡ଼ାଶାଳଟିର ଦାୟିତ୍ୱଟିକୁ ନିଜେ ବହନ କରିବା ପରେ ଭାରତବର୍ଷ ବିଷୟରେ ଜଗତବାସୀଙ୍କର ଯେତିକି ମୁଥକୁ ମୁଥ ମୋହଭଙ୍ଗ ହେଉଛି, ମୋହନ ଦାସ କରମ ଚାନ୍ଦ ଗାନ୍ଧୀ ସତେ ଯେପରି ଅଧିକରୁ ଅଧିକ ନିକଟ ହୋଇ ଦିଶି ଦିଶି ଯାଉଛନ୍ତି । ଭାରତବର୍ଷରେ ଯେତେ ନ ଦିଶୁଛନ୍ତି, ବୃହତ୍ତର ଜଗତବାସୀଙ୍କ ଆଗରେ ତାହାଠାରୁ ଏକାଧିକ ଅର୍ଥରେ ଅଧିକ ଦୃଷ୍ଟିଗୋର ହୋଇ ଯାଉଛନ୍ତି । ଜୀବଦ୍ଦଶାରେ ଥିବା ସମୟରେ ଗାନ୍ଧିଜୀ ଭାରତବର୍ଷର ସେହି ତତ୍କାଳ କ୍ଷେତ୍ରଟାରେ ହିଁ ସର୍ବାଧିକ ତାତ୍ପର୍ଯ୍ୟ ସହିତ ଆମ ନିମନ୍ତେ ଆମର ପ୍ରେରଣା ହୋଇ ରହିଥିଲେ । ଭାରତବର୍ଷ ରାଜନୀତିକ ସ୍ଵାଧୀନତା ହାସଲ କରିବା ପରେ ସିଏ ତୁଚ୍ଛା ବୁଦ୍ଧିର ତଉଲରେ ମାପି ଦେଖିଲେ ମଧ୍ୟ ସମଗ୍ର ପୃଥିବୀର ହିଁ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ପ୍ରେରଣା ରୂପେ ପ୍ରତୀତ ହେବାରେ ଲାଗିଛନ୍ତି ।

 

ଢେର ବର୍ଷ ତଳେ କୌଣସିଠାରେ ସମ୍ଭ୍ରାନ୍ତ କତିପୟ ଏକତ୍ର ବସିଥିବା ଏକ କର୍ମଶାଳାରେ 'ଆମର ଏହି ଉପସ୍ଥିତ ସମୟଟାରେ ଗାନ୍ଧୀ କେତେଦୂର ପ୍ରାସଙ୍ଗିକ ନାମକ ଗୋଟିଏ ଆଲୋଚନାରେ ଯୋଗଦେବା ପାଇଁ ମୋତେ ସୁଯୋଗ ମିଳିଥିଲା । ଧୁରନ୍ଧର ବିବିଧ ଯୁକ୍ତି ବାଢ଼ିଦେଇ ବାବୁମାନେ ଏପକ୍ଷ ତଥା ସେ ପକ୍ଷ ହୋଇ ଚର୍ଚ୍ଚାଟିକୁ ଅତ୍ୟନ୍ତ ଉତ୍ତାପଯୁକ୍ତ କରି ରଖିଥାଆନ୍ତି । ମୋ ପାଳିଟା ଆସିବାରୁ ମୁଁ ସମ୍ପୂର୍ଣ୍ଣ ଭାବରେ ଅନ୍ୟ ଭଳି କଥାଟାଏ ଉପସ୍ଥାପିତ କରି ଦେଇ ସମସ୍ତଙ୍କୁ ବେଶ୍ ଏକ ଆଶ୍ୱସ୍ତିକର ଭାବରେ ଭିତରେ ନେଇ ପକାଇ ଦେଇଥିଲି । ମୁଁ କହିଥିଲି, ବର୍ତ୍ତମାନର ଦୃଶ୍ୟପଟରେ ଗାନ୍ଧୀ ଆମ ନିମନ୍ତେ କେତେ ପ୍ରାସଙ୍ଗିକ କି ନୁହନ୍ତି, ସେ କଥାଟି ଉପରେ ଏତେ ଏତେ କାରିଗରୀ ନକରି ଆମେ ଗାନ୍ଧିଜୀଙ୍କ ନିମନ୍ତେ ପ୍ରକୃତରେ କେତେଦୂର ପ୍ରାସଙ୍ଗିକ, ବରଂ ସେହି କଥାଟିର ଆଲୋଚନା ହେଉ । ଏପରିକି ମୁଁ ନିଜେ ଗାନ୍ଧୀଙ୍କ ପାଇଁ କେତେ ପ୍ରାସଙ୍ଗିକ, ପ୍ରତ୍ୟେକେ ନିଜକୁ ସେହି ପ୍ରଶ୍ନଟି ପଚାରନ୍ତୁ ଏବଂ ଏକତ୍ର ବସି ସେହି କଥାଗୁଡ଼ିକର ସଦର ମଫସଲକୁ ନିର୍ଣ୍ଣୟ କରାଯାଉ । ସମ୍ଭାନ୍ତବର୍ଗ ସେଦିନ ଖୁବ୍‍ ଗମ୍ଭୀର ହୋଇ ଯାଇଥିଲେ । କହିବା ବାହୁଲ୍ୟ, ଯଦି ସେମାନେ ନିଜର ସୀମାଗୁଡ଼ିକୁ ଉତ୍ତମ ରୂପେ ନ ଜାଣିଥାଆନ୍ତେ, ତେବେ ଆମେ ସେମାନଙ୍କୁ ସମ୍ଭାନ୍ତ ବୋଲି ଆଉ କିପରି ଜାଣିପାରନ୍ତୁ ? ସ୍ଵାଧୀନତା ପରେ ଏହି ଦେଶକୁ ତା'ର ସ୍ଥିରୀକୃତ ଗନ୍ତବ୍ୟଗୁଡ଼ିକ ଅନୁସାରେ ଚଳାଇବାକୁ ଆମ ନେତୃତ୍ୱଗୁଡ଼ିକ ଯହୁଁ ଯହୁଁ ଅଧିକ ଅଣଅକ୍ତିଆର ହେବାକୁ ଲାଗିଲେ, ତହୁଁ ତହୁଁ ଅଧିକ ଦରବାରୀ–ଭାବରେ ହିଁ ଗାନ୍ଧୀଙ୍କୁ ମହାତ୍ମା ବୋଲି କୁହାଗଲା । ଇସ୍କୁଲରେ ପଢ଼ୁଥିବା ଆମ ପିଲାଏ ଗାନ୍ଧିଜୀଙ୍କର ବାସ୍ତବ କର୍ମ ସର୍ଦ୍ଦେଶଏବଂ ସେଗୁଡ଼ିକରେ ନିହିତ ସତ୍ୟଗୁଡ଼ିକ ବିଷୟରେ ହୁଏତ ଯେତେ ନ ଜାଣିଲେ, ଗାନ୍ଧୀଜଣେ ମହାତ୍ମା ବୋଲି ତା'ଠାରୁ ଅନେକ ଗୁଣ ଅଧିକ ବହଳିଆ କରି ମନେ ରଖିବାନିମନ୍ତେ ସକଳ ପ୍ରକାରର ଅନୁକୂଳତା ମଧ୍ୟ ପାଇଲେ । ମହାତ୍ମା ଚିରବନ୍ଦନୀୟହେଲେ । ମହାତ୍ମା ଗାନ୍ଧୀଙ୍କର ତପୋବଳରେ ହିଁ ଦେଶ ସ୍ୱାଧୀନ ହେଲା ବୋଲି ଗାନ୍ଧୀସଂଗ୍ରାମ ଦ୍ୱାରା ହାସଲ କରାଯାଇଥିବା ନୂଆ ଭାରତର ସୂତ୍ରଧରମାନେ ପ୍ରଭୂତ ନିଷ୍ଠାରେ ଏପରି ରଟାଇଦେଲେ ଯେ, ଗାନ୍ଧୀର ଅସଲ ବାର୍ତ୍ତା ଗୁଡ଼ିକ ସିନ୍ଦୁକ ଭିତରେ ବନ୍ଦ ହୋଇ ରହି ଗଲା । ପ୍ରତିବାଦ ତ ସର୍ବୋତ୍ତମ ଭାବରେ ସ୍ୱୟଂ ଗାନ୍ଧୀ ହିଁ କରିଥାଆନ୍ତେ । ସିଏ ଆଉ ଜୀବଦ୍ଦଶାରେ ରହିବାର ସୁଯୋଗ ପାଇନଥିଲେ । ସରକାରୀ କ୍ଷମତାଧରମାନଙ୍କର ଅତିରିକ୍ତ ଯେଉଁ ଗାନ୍ଧୀ-ଅନୁଗାମୀ ସନ୍ଥମାନେ ଆଶ୍ରମ ଥାପି ରହିଥିଲେ, ସେମାନେ ତଥାକଥିତ ରଚନାତ୍ମକ କାର୍ଯ୍ୟଗୁଡ଼ିକରେ ମନୋନିବେଶ କରିଥିଲେ ଏବଂସେହି ପ୍ରଥମମାନଙ୍କୁ ସେମାନଙ୍କର ନିଜ ଧର୍ମରେ ଇଚ୍ଛା କଲେ ଚାରିଦଉଡ଼ିକଟା ହେବାଲାଗି ବାଟ ଛାଡ଼ି ଦେଇଥିଲେ । କହିବା ବାହୁଲ୍ୟ, ପ୍ରାୟ ସବୁଯାକ ରଚନାତ୍ମକ କେନ୍ଦ୍ରରେ ସେମାନେ ସେହି ସରକାରୀ ପ୍ରଥମମାନଙ୍କ ଠାରୁ ହିଁ ଆର୍ଥିକ ଅନୁକମ୍ପା ଅବଶ୍ୟ ପାଉଥିଲେ । ଭାଇ ଭାଇକୁ ମର୍ଯ୍ୟାଦା ଦେଉଥିଲା ପରି ଦୁହେଁ ପରସ୍ପରକୁ ଖୁବ୍‍ ବୁଝିଥିଲେ ।

 

ଗାନ୍ଧିଜୀ ଭାରତବର୍ଷର ସ୍ଵାଧୀନତା ପ୍ରାପ୍ତିର ସଂଗ୍ରାମରେ ନେତୃତ୍ୱ ଦେଇଥିଲେ ଏବଂ ବିଶ୍ୱ-ଜନମୁକ୍ତିର ସଂଗ୍ରାମରେ ଭାରତର ବାଟ ଯେ ଏକ ଅଭିନବ ବାଟ, ସେକଥା ପ୍ରମାଣ କରି ଯେ ଦେଖାଇ ଦେଲେ, ଏହି କଥାଟିକୁ ଗର୍ବର ସହିତ ବଖାଣି ବଖାଣିଆମେ ପ୍ରକୃତରେ କେତେ ଉଲ୍ଲସିତ ନହେଲୁ । ଏହି ପ୍ରସଙ୍ଗଟିକୁ ନେଇ କେତେ ପୋଥି ନ ଲେଖିଲୁ ଏବଂ କେବଳ ଏହି ଦେଶ ଭଳି ଗୋଟିଏ ଦେଶର ମାଟି ଯେ ମୋହନ ଦାସକରମଚାନ୍ଦ ଗାନ୍ଧୀ ଭଳି ଏକ ନେତୃତ୍ୱକୁ ସମ୍ଭବ କରି ଆଣିପାରେ ସେଇଟିର କେତେକେତେ ଚର୍ଚ୍ଚା ନକଲୁ ! ଏବଂ, ଗତ ପଚାଶ ବର୍ଷର ଇତିହାସଟା ଆମେ ଚାହିଁଲା ମାତ୍ରକେ ଆମକୁ ସଫା କହି ଦେଇ ପାରିବ ଯେ, ଏହିଭଳି ଉଲ୍ଲସିତ ହେଉ ହେଉ ଆମେ ଗାନ୍ଧୀଙ୍କୁ ହାତଛଡ଼ା ମଧ୍ୟ କରିଦେଲୁ । ଏହି ପଚାଶଟା ବର୍ଷର ଅବଧି ମଧ୍ୟରେ ନିତାନ୍ତ ଚାକ୍ଷୁଷ ଭାବରେ ଭାରତବର୍ଷ ଯେଉଁସବୁ ଦୁର୍ଭାଗ୍ୟ ଭିତରେ ଯାଇ ଛନ୍ଦି ହୋଇଗଲା, ସେଗୁଡ଼ିକରୁ ଏବେ ଅଧିକରୁ ଅଧିକଥିର ହୋଇ ଆମେ ହୁଏତ ଉପଲବ୍ଧ କରୁଛୁ ଯେ, ଗାନ୍ଧୀ ନାମକ ସେହି ଅସଲ ଖିଅଟିକୁ ଆମେ ହାତଛଡ଼ା କରିଦେଲୁ ବୋଲି ଏସବୁ ଦୁର୍ଗତି ମଧ୍ୟରେ ଆସି ପଡ଼ିବାକୁ ହିଁ ହେଲା । ଏବଂ ସେଇଥିଲାଗି କ୍ରମେ ଅଧିକରୁ ଅଧିକ ଶିବିରରେ ବାରମ୍ବାର ଶୁଣିବାକୁ ମିଳୁଛି ଯେ, ଚାଲ ଛାଡ଼ି ଆସିଥିବା ସେହି ବାଟଟିକୁ ପୁନର୍ବାର ଫେରିଯିବା । ଗାନ୍ଧିଜୀ ଚିରପ୍ରାସଙ୍ଗିକ ବୋଲି ଅଧିକରୁ ଅଧିକ ଅବସରରେ ଯେ ଏବେ ଶୁଣିବାକୁ ମିଳିଲାଣି, ସେଇଟିକୁ ଅବଶ୍ୟ ଏକ ଶୁଭ ଶକୂନ ବୋଲି କହିବାକୁ ପଡ଼ିବ ।

 

ମାତ୍ର ଖାଲି ଭାବରେ ନୁହେଁ ବା ଭାବନାରେ ନୁହେଁ, ଭାବପ୍ରବଣତାରେ ତ ଆଦୌ ନୁହେଁ, ଗାନ୍ଧିଜୀଙ୍କୁ ନିତ୍ୟପ୍ରାସଙ୍ଗିକ ବୋଲି ସମ୍ପୂର୍ଣ୍ଣ ସକ୍ରିୟ ଭାବରେ ସ୍ୱୀକାର କରି ନେଇପାରିଲେ ଯାଇ ସାମ୍ପ୍ରତିକ ମୋହଭଙ୍ଗଟି ଦ୍ୱାରା ଆମେ ଅବଶ୍ୟ ବହୁତ କିଛି ସମ୍ଭବ କରିପାରିବା, ଅନ୍ତତଃ ନୂତନ ଆନ୍ତରିକତାରେ କିଛି ନା କିଛି ଆରମ୍ଭ କରିପାରିବା । ଗାନ୍ଧୀଙ୍କର ପ୍ରେରଣା ବର୍ତ୍ତମାନ ବିଶ୍ୱଯାକ ବହୁ ବହୁ ସମାଜରେ ସେମାନଙ୍କର ଆଗାମୀ କ୍ରିୟାଶୀଳତାଗୁଡ଼ିକ ପାଇଁ ଯେ ଆବଶ୍ୟକ ଅନୁଭବ କରୁଥିବା ଚକ୍ଷୁଗୁଡ଼ିକୁ ଯୋଗାଇ ଦେଇପାରୁଛି, ସେଥିରୁ ଆମ ଭାରତବାସୀମାନଙ୍କୁ ମଧ୍ୟ ବହୁ ହିମ୍ମତ ଅବଶ୍ୟ ମିଳିବ । କିନ୍ତୁ ଗାନ୍ଧୀ ନାମକ ସେହି ସ୍ଵତନ୍ତ୍ର ବାଟଟିର ଧାତୁଟା ମଧ୍ୟ ଏପରି ଯେ ଆମକୁ ବିଶ୍ୱସ୍ତରରୁ ପ୍ରତ୍ୟୟ ପାଇବା ସଂଗେ ସଂଗେ ଆମ ଗ୍ରାମସ୍ତରରୁ ମଧ୍ୟ ତଦନୁକୂଳ କିଛି ଆରମ୍ଭ କରିବାକୁ ହେବ । ମହାତ୍ମା ଗାନ୍ଧୀ ଭାରତବର୍ଷରେ ସାତଲକ୍ଷ ଗାଆଁର ଉଦୟବିଷୟରେ ଯେତେବେଳେ ଯାହାକିଛି କାର୍ଯ୍ୟକ୍ରମର ପରାମର୍ଶ ଦେଇଥିଲେ, ତାହାରସମଗ୍ର ବିଶ୍ବସ୍ତରରେ ମଧ୍ୟ ଏକ ବଳିଷ୍ଠ ଆବେଦନ ରହିଥିଲା । ଏବଂ, ଠିକ୍ ସେହିଭଳି, ଏବେ ସମଗ୍ର ବିଶ୍ୱସ୍ତରରେ ଗାନ୍ଧୀ–ସମାଧାନର କଳାଗୁଡ଼ିକୁ ବହନ କରି ଯାହାସବୁ ଘଟୁଛି, ସେଗୁଡ଼ିକର ତୁମ ଆମର ଗାଆଁ ପାଇଁ ମଧ୍ୟ ପୂର୍ଣ୍ଣ ପ୍ରାସଙ୍ଗିକ ନାନା ଆବେଦନ ରହିଛି । ଯାବତୀୟ ଯୁକ୍ତି କହୁଛି ଯେ, ଗାନ୍ଧୀ ସଦେଶର ପୁନରୁଦବେଳନର ଉପସ୍ଥିତ ଏହି ମୁହୂର୍ତ୍ତଟିରେ ଭାରତବର୍ଷର ସବୁଠାରୁ ଅଧିକ କର୍ତ୍ତବ୍ୟ ରହିଛି । ସାନ ସାନ ମେଳରେ ସେଗୁଡ଼ିକ ବିଷୟରେ ବିଶଦ, ଚର୍ଚ୍ଚାମାନ ହେଉ । ପ୍ରବୀଣମାନେ ନବୀନମାନଙ୍କୁ ଠାବ କରି ଆଣନ୍ତୁ । ସେମାନଙ୍କୁ ସ୍ୱୀକୃତି ଦିଅନ୍ତୁ । ସେମାନଙ୍କର ନୂଆପଦକ୍ଷେପଗୁଡ଼ିକର ସ୍ୱାଗତ କରିପାରନ୍ତୁ । ମହାତ୍ମା ଗାନ୍ଧୀଙ୍କ ପରେ ସର୍ବୋଦୟ କାହିଁକି ଅଟକି ରହିଗଲା ବୋଲି ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ସାମ୍ପ୍ରତିକ ସର୍ବୋଦୟଧର୍ମୀ ମଂଚରେ ଜଣେ ଆଗୁଆ ଆକ୍ଟିଭିଷ୍ଟ ଏବେ କହିଛନ୍ତି ଯେ, ସର୍ବୋଦୟ ନିଜର ଅସଲଅସ୍ତଟିକୁ ପଛରେ ଛାଡ଼ିଦେଇ ଆସିଲା ଓ ସେହି କାରଣରୁ ବିପର୍ଯ୍ୟୟ ଲଭିଲା । ସେହି ଅସ୍ତ୍ରଟି ହେଉଛି ସତ୍ୟାଗ୍ରହ ବୋଲି ସେ ସୂଚାଇ ମଧ୍ୟ ଦେଉଛନ୍ତି । ଗତ ପଚାଶ ବର୍ଷଭିତରେ ଗାନ୍ଧୀଚର୍ଚ୍ଚା ଗୁଡ଼ିକରେ ସତ୍ୟ ଏବଂ ଅହିଂସା ବିଷୟରେ ଅନାଦି, ଅନନ୍ତ ଓ ଆଦିକନ୍ଦମାନେ ଶଗଡ଼ଶଗଡ଼ କଥା କହିଛନ୍ତି, କିନ୍ତୁ ସତେ ଅବା ଜାଣିଶୁଣି ସତ୍ୟାଗ୍ରହର ସକଳ ଉଲ୍ଲେଖ ଏବଂ ଆଲୋଚନାକୁ ଏଡ଼ି ଯାଇଛନ୍ତି । ଏବଂ, ସେହି ପ୍ରକ୍ରିୟାରେ ବଡ଼ ନିର୍ବୀର୍ଯ୍ୟ ହୋଇ ଯାଇଛନ୍ତି । ସତ୍ୟାଗ୍ରହର ଆହ୍ୱାନଗୁଡ଼ିକ ଆସିଛି, ଜନଗଣ ପୂର୍ଣ୍ଣ ସଚେତ ହୋଇ ଅପେକ୍ଷା କରିଛନ୍ତି । ମାତ୍ର ଉପରେ ଥିବା ଆଜ୍ଞାମାନେ ଧୋକା ଦେଇଛନ୍ତି । କୁଆଡ଼ୁ କି ଭୀରୁତାଟା ସେମାନଙ୍କୁ ସେମାନଙ୍କର ସକଳ ନିଷ୍ଠାସତ୍ତ୍ୱେ ଭୀରୁ ହୋଇ ରହିବାର ମନ୍ଦ ଫୁସୁଲା ଫୁସଲେଇଛି କେଜାଣି ? ଏବଂ, ଗୋଟାଏ ତୁଚ୍ଛା କ୍ଷମତାସୀନ ଆପାତକାଳର ଚକ୍ରାନ୍ତରେ ପଡ଼ି ସେମାନେ ନିଜ ଘରେ ଦୁଇ ଭାଗହୋଇ ଯାଇଛନ୍ତି । ସତ୍ୟାଗ୍ରହ–ଅସ୍ତ୍ରକୁ ପେଡ଼ି ଭିତରେ ଲୁଚାଇ ଯେ କାହିଁକି ରଖାଗଲା, ସେମାନେ ଏବେ ଏକାଠି ବସି ପୂର୍ଣ୍ଣ ସଦ୍‍ଭାବରେ ସେହି କଥାଟିର ଆଲୋଚନା ବି କରନ୍ତୁ । ଦୋଷ ଦିଆଦେଇ ନହୋଇ ପୂର୍ଣ୍ଣ ଦାୟିତ୍ଵପୂର୍ଣ୍ଣ ଭାବରେ ହିଁ କଥାଟିର ଆଲୋଚନା କରନ୍ତୁ । ପ୍ରବୀଣ ଓ ନବୀନ ଉଭୟ ଏକତ୍ର ବସି କଥାଗୁଡ଼ିକୁ ପକାନ୍ତୁ, ଗଣ୍ଠିଗୁଡ଼ିକୁ ଫିଟାନ୍ତୁ ଏବଂ ଏପର୍ଯ୍ୟନ୍ତ ସର୍ବୋଦୟ ତଥା ଗାନ୍ଧୀ-ନେତୃତ୍ୱର କ୍ଷତି ହିଁ କରି ଆସିଥିବା ଭାବସଂକୋଚଗୁଡ଼ିକୁ ପରିତ୍ୟାଗ କରନ୍ତୁ । ଏହାଦ୍ୱାରା ସେମାନେ ନିଜଭିତରୁ ହିଁ ବହୁତ ବଳ ପାଇବେ ଏବଂ ପରସ୍ପରଠାରୁ ମଧ୍ୟ ବଳ ପାଇବେ । ସବୁଯାକ ସଂକେତ କହି ଦେଉଛନ୍ତି ଯେ, ବର୍ତ୍ତମାନ ତାହାରି ମୁହୂର୍ତ୍ତଟି ଆସି ଦୁଆର ମୁହଁରେ ପହଞ୍ଚି ଗଲାଣି ।

 

ତେଣୁ, ଗାନ୍ଧିଜୀ ନିତ୍ୟପ୍ରାସଙ୍ଗିକ ହୋଇ ଆସନ୍ତୁ । ସାନ ସାନ ଏପରି ମେଳମାନେ ଗଢ଼ି ହୋଇଯାଆନ୍ତୁ, ଯେଉଁମାନେ କି ଭାରତବର୍ଷ ଆଡ଼କୁ ଅନାଇବା ମାତ୍ରକେ ଭାରତବାସୀ ସମସ୍ତଙ୍କୁ ଦେଖିପାରୁଥିବେ ଏବଂ ଆପଣା ସହି ସମସ୍ତଙ୍କୁ ସୁମାରି ମଧ୍ୟ କରୁଥିବେ । ଏହି ଦେଶକୁ ଏହି କାଳକୁ ତଥା ଉପସ୍ଥିତ ସଂଗ୍ରାମଗୁଡ଼ିକୁ ସେହି ସମଗ୍ର ବିଚାରରେ ଆୟତନ ଭିତରେ ବଂଚି ପାରୁଥିବେ । ଉପସ୍ଥିତ ବିଭ୍ରାନ୍ତି ଗୁଡ଼ାକରୁ ସେମାନେ ଆଦୌ କୌଣସି ଫାଇଦା ଉଠାଇବାକୁ ମଧ୍ୟ ଇଚ୍ଛା କରିବେ ନାହିଁ । ଏକ ଆରେକୁ ଲୋଡ଼ିବେ । ଯାବତୀୟ ପାର୍ଥକ୍ୟ ସତ୍ତ୍ୱେ ଲୋଡ଼ିବେ । ସର୍ବୋପରି ସାହସୀ ହେବେ । ବିଚରା ଭାରତବର୍ଷ ବର୍ତ୍ତମାନ ଏପରି ଏକ ହାସ୍ୟାସ୍ପଦତାର ମଧ୍ୟ ଦେଇ ଗତି କରୁଛି, ଯେତେବେଳେ ତୁଚ୍ଛା ଭୀରୁମାନେ ହିଁ ଦେଶ–ବ୍ୟବସ୍ଥାର ତୁଙ୍ଗତମ ଆସ୍ଥାନଗୁଡ଼ିକୁ ଅଧିକାର କରି ନେଇଛନ୍ତି । ଭୀରୁମାନେ ହିଁ ସବୁଠାରୁ ବଡ଼ ବଡ଼ ପାଠ ପଢ଼ୁଛନ୍ତି ଏବଂ ନିତାନ୍ତ ଆତ୍ମକାମୀମାନେ ଭୟାନକ କୌଶଳମାନ ଅବଲମ୍ବନ କରି ଭୂମିର କୋଟିକୋଟି ମନୁଷ୍ୟଙ୍କୁ ଅସହାୟ କରି ରଖିଛନ୍ତି । ସେହି ପୁରୁଣା ଶୋଷଣମାନେ ହିଁ ନବନବ ବସ୍ତ୍ର ପରିଧାନ କରି ଅନ୍ୟାୟ ଓ ଅତ୍ୟାଚାର ଗୁଡ଼ିକ ଦ୍ୱାରା ଲୋକୋଦୟର ପଥଗୁଡ଼ିକୁ ରୁଦ୍ଧ କରି ହିଁ ରଖିଛନ୍ତି । ବର୍ତ୍ତମାନ ସାହସି ହିଁ ଦରକାର, ସାହସୀ ରାଜନୀତି ମଧ୍ୟ ଦରକାର । ସତ୍ୟାଗ୍ରହୀ ଦରକାର । ଗାନ୍ଧିଜୀଙ୍କୁ ଜୀବନରେ, ବ୍ୟକ୍ତିଗତ ତଥା ସାମୂହିକ ଜୀବନରେ ନିତ୍ୟ ପ୍ରାସଙ୍ଗିକ କରି ରଖିଥିବା ମେଳଗୁଡ଼ିକ ହିଁ କରିପାରିବେ । ଲୋକଶକ୍ତିଟା ଯେ ସେମାନଙ୍କ ନିମନ୍ତେ ପ୍ରକୃତରେ ଅପେକ୍ଷା କରି ରହିଛି, ମନ କଲାମାତ୍ରକେ ହିଁ ସେମାନେ ସେହି କଥାଟିକୁ ଜଳ ଜଳ କରି ଦେଖିପାରିବେ ।

Image

 

ପୃଷ୍ଠ ଓ ପୋଷକତା

 

ସେଦିନ ସର୍ବଲକ୍ଷଣଯୁକ୍ତ ଏକ ଆନୁଷ୍ଠାନିକ ମାଦକରେ ଓଡ଼ିଶାରେ ପତ୍ର ତଥା । ପତ୍ରିକାମାନଙ୍କର ସାମ୍ପ୍ରତିକ ଦୁର୍ଦ୍ଦଶା ବିଷୟରେ ପ୍ରାୟ ସମୁଚିତ ଗାମ୍ଭୀର୍ଯ୍ୟଗୁଡ଼ିକୁ ରକ୍ଷାକରି ଚର୍ଚ୍ଚା ଓ କଥାମାନ ହେଉଥିଲା । ପ୍ରଧାନତଃ ଲେଖକମାନେ ହିଁ ବକ୍ତା ଥିଲେ ଏବଂ ଲେଖକମାନେ ହିଁ ଶ୍ରୋତା ଥିଲେ । ସତେ ଯେପରି କାହା ନିମନ୍ତେ ଶୋକ ପ୍ରକାଶ କରିବାପାଇଁ ସେଦିନ ସେହି ସଭାଟିକୁ ବରାଦ କରାଯାଇଥିଲା । ତୁଚ୍ଛା ଅଭିଯୋଗ ହିଁ ଅଭିଯୋଗ । ଓଡ଼ିଶାରେ ପତ୍ରପତ୍ରିକା ତ କେତେ କେତେ ସଂଖ୍ୟାରେ ପ୍ରକାଶ ପାଉଛି । କିନ୍ତୁ ମୋଟେ କେହିହେଲେ ଉଠେଇ ପାରୁନାହାନ୍ତି । ଛପା ହେଉଥିବାର ସଂଖ୍ୟା ନିତାନ୍ତ କମ୍ ଓ ବିକା ହୋଇ ପାରୁଥିବାର ସଂଖ୍ୟାଟା ଆହୁରି କମ୍ । ଏହି ରାଜ୍ୟରେ ପାଠକୀୟ ରୁଚିର ଘୋର ଅଭାବ ରହିଛି । ପଡ଼ିଶା ଭାଷାମାନଙ୍କର ତୁଳନାରେ ଏଠି ପତ୍ରପତ୍ରିକା ସକାଶେ ଅନୁକୂଳ ବଜାରଟିଏ ଏପର୍ଯ୍ୟନ୍ତ ସୃଷ୍ଟି ହୋଇପାରି ନାହିଁ । ହଠାତ୍ ଜଣେ ମର୍ମଜ୍ଞ ବକ୍ତାବିଶେଷ ଅବଶୋଷ ପ୍ରକାଶ କରି କହିଲେ ଯେ, ଓଡ଼ିଶାରେ ପତ୍ରପତ୍ରିକାମାନଙ୍କ ପ୍ରତି ସରକାରଙ୍କର ମଧ୍ୟ ଯଥାର୍ଥ ଓ ଯଥେଷ୍ଟ ପୃଷ୍ଠପୋଷକତା ନାହିଁ ବୋଲି ପତ୍ରପତ୍ରିକା ଶିଳ୍ପଟିର ଆଶାନୁରୂପ ବିକାଶ ହୋଇପାରୁ ନାହିଁ ! ହଁ, ଆଗେ କବିବର ରାଧାନାଥ ପ୍ରଭୃତି ତତ୍କାଳୀନ ବରିଷ୍ଠମାନେ ଗଡ଼ଜାତର ରାଜାମାନଙ୍କଠାରୁ ବହୁ ଅନୁକମ୍ପା ଲାଭ କରିଥିଲେ । କେହି କେହି ବାମଣ୍ଡା ରାଜ ଦରବାରର ଦୃଷ୍ଟାନ୍ତଟିକୁ ବି ସ୍ମରଣ କରାଇ ଦେଇଥିଲେ ।

 

ଏସବୁ ସତ୍ତାବୟାନ ଶୁଣୁଥିବା ବେଳେ ମୁଁ ସତେଅବା ବୋକା ହିଁ ବନି ଯାଉଥିଲି । ଗୋଟାଏ ରାଜ୍ୟରେ ସଭା ଏବଂ ଆଲୋଚନା କହିଲେ ଯଦି ମୁଖ୍ୟତଃ ବହୁଳ ପରିମାଣରେ ଅଭିଯୋଗମାନ ବାଢ଼ି ଦେବାକୁ ଏବଂ ବିଳାପ କରିବାକୁ ହିଁ ବୁଝାଇବ, ତେବେ ସେଠି ସେହିଗୁଡ଼ାକୁ ହିଁ ଶୁଣି ଶୁଣି ଆମେ ବୋକା ବନିବା ନାହିଁ ତ ଆଉ କ'ଣ ହେବ ? ଆମର ଏଠି ସବୁ ଅଳପ ଅଳପ, ଆମର ଏଠି ସମ୍ପଦ ଓ ସମ୍ଭାବନାଦି ଭର୍ତ୍ତି ହୋଇ ରହିଥିଲେ ମଧ୍ୟ ତଥାପି ରାଜ୍ୟଟା ବଡ଼ ଦରିଦ୍ର ହୋଇ ପଡ଼ିରହିଛି, –ହେଇପଡ଼ିଶାର ଅମୁକ ରାଜ୍ୟଟା କେଡ଼େ ଉନ୍ନତି ହୋଇପାରିଛି ଅଥଚ ଆମର ଏଠି ସବୁକିଛିଖାଲି ଫୁସ୍କି ଯିବାରେ ଲାଗିଛି, ବିଳାପକୁ ହିଁ ଭାଷଣର ପ୍ରମୁଖ ଶୈଳୀ ରୂପେ ଗ୍ରହଣ କରିଥିବା ଏଠି ଆମ ପ୍ରବରମାନଙ୍କର ମୁହଁ ଲଦା କଥାଗୁଡ଼ାକ ଶୁଣି ଶୁଣି ଏଠାରେ ତରୁଣ ତଥା ଅରୁଣମାନେ ଯେ ଦମ୍ଭ ହରାଇବେ ଓ ଅଟକି ରହିଯିବେ, ସେଥିରେ ଆଉ ବିସ୍ମିତ ହେବାର କଣ ଅଛି ? ଆମେ ମନ କଲେ ଆମ ସାହିତ୍ୟର, ପତ୍ର ଓ ପତ୍ରିକାଗୁଡ଼ିକର କିଞ୍ଚିତ୍ ସାହିତ୍ୟିକ ଆଲୋଚନା ବି ତ ହୋଇପାରନ୍ତା, –ଯାହା ଭିତରେଗ୍ଲାନି ନ ଥାନ୍ତା, ହୀନମନ୍ୟତା ନଥାନ୍ତା, ଅଭିଯୋଗ ନଥାନ୍ତା ଅଥବା ପ୍ରତିବେଶୀ ଆଉମାନଙ୍କ ସହିତ ନିଜର ତୁଳନା କରି ସେହି ଖେଦରୁ ପ୍ରାୟ ଏକ ଆଶ୍ୱସନା ଅନୁଭବ କରିବା ମଧ୍ୟ ନଥାନ୍ତା । ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ ଓ ଓଡ଼ିଶା ରାଜ୍ୟକୁ ସତରେ କ'ଣ କେବଳ ସଙ୍କଟ ହିଁ ପଡ଼ିଛି ? ପରସ୍ପରକୁ ଉତ୍ସାହ ଦେଇ ଯାବତୀୟ ପ୍ରତିକୂଳତା ସତ୍ତ୍ୱେ ତଥାପି ଅଗ୍ରସର କରାଇ ନେବାର ଏଠାରେ କ’ଣ ଆଦୌ କୌଣସି ଅବସର ନାହିଁ ?

 

ତେଣୁ, ମୁଁ ଏହି ଅଭିଯୋଗଧର୍ମୀ ନାହିଁ ନାହିଁର ଅସାଧୁ କଥାଗୁଡ଼ାକୁ ଶୁଣିବାଲାଗି ଆଦୌ ପ୍ରସ୍ତୁତ ହୋଇ ପାରୁନଥିଲି । ନିଜର ଫୁଲ ବଗିଚାଟିରେ ସତେ ଅବା ନିଜେ ନିଜର ମାଆଟିଏ ପରି ହୋଇ ଗୋଟିଏ ମାତ୍ର ଫୁଲଗଛ ବି ଲଗାଇ ତାହାକୁ ନିଜର ପରି ଭଲ ପାଉଥିବ ତଥା ସେଇଟିରୁ ପୂର୍ଣ୍ଣ ସଂପ୍ରୀତିରେ ଫୁଲଟିଏ ଫୁଟି ଉଠୁ ବୋଲି ନିଜର ପ୍ରିୟତମ ଦେବତାଙ୍କର ପାଦତଳେ ବସି ସତକୁ ସତ ଅଲିଅଳ କରିପାରୁଥିବ, ତାକୁ ଏହି ଅଭିଯୋଗଗୁଡ଼ାକ ନିଶ୍ଚୟ କୌଣସି ଅପଶକୂନର ଚକ୍ରାନ୍ତବତ୍ ମନେ ହେବ । ମୁଁ କର୍ମବୀର ଗୌରୀଶଙ୍କରଙ୍କ କଥା ଭାବୁଥିଲି । ପ୍ୟାରୀମୋହନ ଆଚାର୍ଯ୍ୟଙ୍କ କଥା ଭାବୁଥିଲି । ଏମାନଙ୍କର ନିଜର ଗୋଟିଏ ଗୋଟିଏ ପୃଷ୍ଠ ଅବଶ୍ୟ ଥିଲା । ତେଣୁ, ସେମାନେ କେବେହେଲେ କୌଣସି ପୃଷ୍ଠପୋଷକତାର କଥା ହୁଏତ ଚିନ୍ତା ହିଁ କରିନଥିଲେ । ବିପରୀତ ସ୍ରୋତଗୁଡ଼ିକ ସହିତ ନିରନ୍ତର ସଂଗ୍ରାମ କରୁଥିଲେ । କାରଣ, ସେମାନେ ବହୁତ ଆଗକୁ ଦେଖି ପାରୁଥିଲେ । ମୁଁ ବରପାଲିର ମେହେର କବିଙ୍କ କଥାଭାବୁଥିଲି, ଯିଏକି କୌଣସି ସ୍ଥାନୀୟ ଜମିଦାରଙ୍କର କଥାରେ ପଡ଼ି ତାଙ୍କର ପୃଷ୍ଠପୋଷତା ଗ୍ରହଣ କରିନଥିଲେ । ଖଲିଆପାଲିର ଭୀମଙ୍କ କଥା ମଧ୍ୟ ଭାବୁଥିଲି, ଯିଏକି ରଜାଙ୍କର ହକରାକୁ ମାନି ତାଙ୍କ ଦରବାରରେ ଯାଇ ହାଜର ହେବାକୁ ରାଜି ହୋଇନଥିଲେ । ସିଏ କୋଉ ରଜାର ପ୍ରଜା ଅଥବା କୋଉ, ସାହୁର ଖାତକ ନୁହନ୍ତି ବୋଲି ସିଧା ଜବାବ ଦେଇପାରିଥିଲେ । ତାଙ୍କର ପୃଷ୍ଠାଟିଏ ଥିଲା, ଏବଂ ସେହି କାରଣରୁ ସିଏ ପୃଷ୍ଠପୋଷକତାର ବ୍ୟାଧଜାଲଟା ଭିତରକୁ ଆକୃଷ୍ଟ ହେଲେ ନାହିଁ । ଯାହାର ନିଜର ପୃଷ୍ଠ ବୋଲି ସମ୍ଭବତଃ ନିର୍ଭରଯୋଗ୍ୟ ହୋଇ କିଛି ନଥାଏ, ସଚରାଚର ସେଇ ଏକ ପୃଷ୍ଠପୋଷକତା ନିମନ୍ତେ ଲାଳାୟିତ ହୋଇଥାଏ କି ? ସେ ଯୁଗରେ ରାଜା ଓ ଜମିଦାରମାନେ ହିଁ ସାହିତ୍ୟର ପୃଷ୍ଠପୋଷକତା କରୁଥିଲେ । ତଥାପି, ସବୁ କାବ୍ୟକାର ସେହି ପୃଷ୍ଠପୋଷକତା ଲାଭ କରିପାରୁଥିଲେ କି ? ସମ୍ଭବତଃ, ଯେଉଁମାନେ ସେଯାଏ ଯାଇପାରୁଥିଲେ, ସେହି ମାନଙ୍କର ରଚନା ହିଁ ଆମ ପରିଚିତିର ପରିଧି ମଧ୍ୟକୁ ଆସିପାରିଛି । ଆମେ ଅନ୍ୟଗୁଡ଼ିକରୁ ବଂଚିତ ହୋଇଛୁ ।

 

ଏ ଯୁଗରେ ସରକାର ହେଉଛନ୍ତି ପୃଷ୍ଠପୋଷକ, ସରକାର ହିଁ ରାଜା । ଓଡ଼ିଶାରେ ଏଜାତି କାହାଣୀଟା ସେ କାଳର ସେହି ବିହାରୀବାଗଟାରୁ ଆରମ୍ଭ ହୋଇଛି । ଖରାଦିନିଆ ସାହିତ୍ୟଯାତର ଏବେ କ୍ରମେ ଆମର ଅତି ଚିହ୍ନା ହୋଇ ଯାଇଥିବା ପରମ୍ପରାଟି ସେଇଠୁ ଆରମ୍ଭ ହୋଇଛି । କହିବା ବାହୁଲ୍ୟ, ସାହିତ୍ୟିକତା ତୁଳନାରେ ରାଜକୀୟତାଟା ହିଁ ମୁଖ୍ୟ ଲକ୍ଷଣ-ଧର୍ମରେ ଉକୁଟି ଉକୁଟି ଆଖର ଏକ ରାଜ୍ୟବ୍ୟାପୀ ଗୁମାନରେ ପରିଣତ ହୋଇପାରିଛି । ପ୍ରାୟ ରାଜ୍ୟ-ଯାକର ସାହିତ୍ୟ–ଆଚରଣକୁ ଏକ ଦରବାରୀ ପରମ୍ପରାର ରୀତି ଭିତରେ ପକାଇ ଗଠିତ କରିନେଉଛି । ଏବଂ, ସେହି କାହାଣୀଟିର କିଞ୍ଚିତ୍ ସମୀକ୍ଷଣ କରିପାରିଲେ ଆମକୁ ପୃଷ୍ଠପୋଷକତା ସମ୍ପର୍କରେ ବହୁବହୁ ଗୁମର ଅବଶ୍ୟ ମିଳିଯାଇ ପାରିବ । ସେହିଠାରୁ ହିଁ ଆମ ସାହିତ୍ୟ କ୍ଷେତ୍ରର ଭେଟଘାଟ ଗୁଡ଼ିକ କ୍ରମେ ସମ୍ଭ୍ରାନ୍ତ ମାନଙ୍କର ଏକ ବିଶେଷ ସଭାଧର୍ମୀ ଉତ୍ସବର ଚେହେରା ଗ୍ରହଣ କରିବାରେ ଲାଗିଛି । ପୁନଶ୍ଚ, ସରକାରୀ ଉଚ୍ଚ ଓ ମଧ୍ୟମବର୍ଗର ହାକିମମାନେ ସତେ ଅବା କ’ଣ ଗୋଟାଏ ବର୍ଣ୍ଣନାତୀତ ଅନୁକୂଳତା ପାଇ ଯାଇଥିବାପରି ଅଧିକ ଉତ୍ସାହରେ ସାହିତ୍ୟ ଭିତରକୁ ଧସି ପଶି ମଧ୍ୟ ଯାଇଛନ୍ତି । ସରକାରୀମନ୍ତ୍ରୀ ତଥା ମହାମାତ୍ୟମାନେ ମଝି ଚଉକିରେ ନ ବସିଲେ ରାଜ୍ୟରେ ଓ ରାଜଧାନୀରେ ତ କୌଣସି ସାହିତ୍ୟସଭା ସମ୍ଭବ ହିଁ ହୋଇପାରୁ ନାହିଁ । ଏପରି ଏକସମୟ ଥିଲା, ଯେତେବେଳେକି ବିଡ଼ାନାସୀ–କଟକର ତୁଙ୍ଗ ଅଧ୍ୟାପକ ଓ ସାହିତ୍ୟିକମାନେ କେତେ ନା କେତେ ଶୃଙ୍ଗାରିକ କଳାତ୍ମକତାର ପାଲରେ ପଡ଼ି ଆପଣାର ସାଂସାରିକ ମନୋରଥମାନଙ୍କୁ ପୂରଣ କରିବାର ଅଭିପ୍ରାୟରେ ନଅରରୁ ବାହାରୁ ଥିବା ପତ୍ରିକାଟିର ଖିଦ୍‍ମତ କରିବା ନିମନ୍ତେ ଯାଇ ପହଞ୍ଚି ଯାଇଛନ୍ତି । ଶ୍ରୀଯୁକ୍ତମାୟାଧର ମାନସିଂହ, ପ୍ରହ୍ଲାଦ ପ୍ରଧାନ, ସଦାଶିବ ମିଶ୍ର ଓ ଏକାଧିକ ଆହୁରି କେତେ କୁଶୀଲବ ବି ସେହି ତାଲିକାରେ ରହିଛନ୍ତି । କିଛି ବିଶେଷ ସୁଯୋଗ ପାଇଛନ୍ତି; ଏବଂ, କିଛି ମୋହଭଙ୍ଗ ମଧ୍ୟ ଅବଶ୍ୟ ହୋଇଥିବ । ଏଇଟା ପ୍ରକୃତରେ କାହାର ଦୁର୍ଭାଗ୍ୟ, ସେମାନଙ୍କ ନିଜର ନା ଓଡ଼ିଆ ସାହିତ୍ୟର ?

 

ଆପଣାର ଯାବତୀୟ ସୃଜନାତ୍ମକ ସମ୍ମତିକୁ ଖଟାଇ ଜଣେ ସାହିତ୍ୟିକ ମୂଳତଃ ପୃଷ୍ଠଟିଏ ଲୋଡ଼େ ବୋଲି କହିଲେ ତାହା କ'ଣ ଏକ ଅତିରଞ୍ଜନ ହୋଇଯିବ ? ଏହି ନୂଆ ଶତାବ୍ଦୀଟାରେ ମଧ୍ୟ ଆମେ ଆଦୌ କୌଣସି ଆଳଙ୍କାରିକ ପ୍ରଚକ୍ଷୁର ସାହାଯ୍ୟ ନନେଇ ସିଧା ଦେଖିପାରିବା ଯେ, ଆମ ପତ୍ର ଓ ପତ୍ରିକାମାନେ ପ୍ରାୟ ସର୍ବତୋଭାବେ ଧର୍ମତଃ ଅନ୍ୟ-ମତଲବୀ ରାଜନ୍ୟମାନଙ୍କର ପୃଷ୍ଠପୋଷକତାରେ ସେହିମାନଙ୍କର ପ୍ରୀତ୍ୟର୍ଥେ ହିଁ ଚାଲିଛନ୍ତି । ଏବଂ, କେତେ କେତେ ବରିଷ୍ଠ ତଥା ବରେଣ୍ୟ ସାହିତ୍ୟିକ ତାହାରି ହେତୁ ନିଜ ପାଇଁ ମଧ୍ୟ କିଞ୍ଚିତ୍ ଠାବ ଓ ଥଳ ପାଇ ଯାଉଛନ୍ତି । ଯେକୌଣସି ଖବରକାଗଜର ପୃଷ୍ଠା ଖୋଲିଦେବା ମାତ୍ରକେ ସେହି ସତ୍ୟଟା ହିଁ ସତେ ଅବା ଭଣ ଭଣ ହୋଇ ବାସୁଛି । ଭିତରୁ ଚୈତନ୍ୟଟା ମନକୁ ପଚାରୁଛି, ପୃଷ୍ଠ ହରାଇ ବସିବା ବ୍ୟତୀତ କ'ଣ ଏହି ରାଜ୍ୟର ବିଧାନଟାରେ ପୃଷ୍ଠପୋଷକତା ଲାଭ କରିବାର ଅନ୍ୟ କୌଣସି ସମାଧାନ ନାହିଁ ? ଏକ ସାହିତ୍ୟ ଅଥବା ସାହିତ୍ୟିକ ଆପଣାର ସୃଜନାତ୍ମକ ଅନ୍ୱେଷଣରେ ଯେଉଁଭଳି ସତ୍ୟଟିଏ ବାଛିବ, ନ୍ୟାୟତଃ ସେହି ଅନୁସାରେ ତାହାର ଆନୁଗତ୍ୟଗୁଡ଼ିକ ନିର୍ଦ୍ଧାରିତ ହେବ ହିଁ ହେବ । ସେହି ଅନୁସାରେ ତାହା ଗୁମ୍ଫା ଭିତରେ ନିଜକୁ ନିବୁଜ କରି ରଖିଥିବ କିମ୍ବା ବୃହତ୍ତର ଜୀବନାବେଦନଗୁଡ଼ିକ ସହିତ ଅଙ୍ଗୀକାରବଦ୍ଧ ହୋଇରହିବ । ପୃଷ୍ଠ ନଥିବା ସାହିତ୍ୟ ତଥା ସାହିତ୍ୟିକ ସଚରାଚର ଅଳପ ଦେବ ଏବଂ ଅଧିକରୁ ଅଧିକ ପାଇଁ ଲୋଭ କରୁଥିବ । ଦୁଃଖ କହିଲେ ପ୍ରଧାନତଃ ବ୍ୟକ୍ତିଗତ ଦୁଃଖଗୁଡ଼ିକୁ ବୁଝିବ । ପୃଥ୍ଵୀ-ଦୁଃଖ ଠାରୁ ଏକ ଶାଦିକ ମିଥ୍ୟାଚାତୁରୀ ଦ୍ୱାରା ଆପଣାକୁ ବାଆଁରେଇ ରଖିଥିବ । ବୃହତ୍ତର ଜୀବନ ଭିତରେ ତାହା ହୁଏତ କେବେ କୌଣସି ସୂର୍ଯ୍ୟୋଦୟ ଦେଖିବା ନିମନ୍ତେ ସାହସ କରି ପାରୁନଥିବ । ତାକୁ ଯାବତୀୟ ଗୃହ ଗୁଡ଼ିକୁ ଯୋଗାଇ ଦେଉଥିବା ବୃହତ୍ତର ଆହ୍ୱାନମାନେ ଅପେକ୍ଷା କରି ରହିଥିଲେ ମଧ୍ୟ ସିଏ ତଥାପି ନିଃସଙ୍ଗ ହୋଇ ରହିଲା ବୋଲି ଆର୍ତ୍ତନାଦ କରିବାରେ ଲାଗିଥିବା ଏବଂ ଏହି ଆଧୁନିକ ସ୍ଥିତିଟା ହିଁ ଯେ ତାକୁ ନିଃସଙ୍ଗ କରି ରଖିଛି, କେଡ଼େ ବଡ଼ ପାଟିରେ ସେହି କଥାଟିକୁ କହିବାରେ ଲାଗିଥିବ ।

 

ଭାରତବର୍ଷ ସ୍ଵାଧୀନ ହେଲା ଅର୍ଥାତ୍ ଆହ୍ୱାନଗୁଡ଼ିକ ବହୁଗୁଣିତ ହେଲେ । ତଥାପି, ଲୋକଉଦୟର କ୍ଷେତ୍ରଗୁଡ଼ିକରେ କାହିଁକି ଭାରତବର୍ଷର ଅଧେ ମନୁଷ୍ୟ ବହୁଧା ପରିତ୍ୟକ୍ତ ହୋଇ ରହିଲେ, ରାଷ୍ଟ୍ରଟା ମଧ୍ୟ କାହିଁକି କେବଳ ସୁବିଧାଖୋର ଅଳପଙ୍କର ପ୍ରାୟ ଏକଚାଟିଆ ସୁଖ ତଥା ସଫଳତା ନିମନ୍ତେ ବନ୍ଧା ପଡ଼ି ରହିଗଲା, ମାନବ ନିର୍ମାଣର ପ୍ରୟାସଗୁଡ଼ିକ କାହିଁକି ସମ୍ପୂର୍ଣ୍ଣ ତଳଯାଏ ପହଞ୍ଚିପାରିଲେ ନାହିଁ–ପୃଷ୍ଠପୋଷକତା ଆଗ ମିଳିପାରିଲେ ଯାଇ ଏଠି ସାହିତ୍ୟ ସମୁଚିତ ପ୍ରକାରେ ସୃଜନକ୍ଷମ ହୋଇପାରିବ ବୋଲି ଅଭିଯୋଗ କରୁଥିବା ଆମ ପୃଷ୍ଠହୀନମାନଙ୍କୁ ସନ୍ଦର୍ଭରେ ରଖି ତାହାର ଏକ ବିଚାର କରାଯାଇପାରିବ କି ? ପୃଷ୍ଠାହୀନ ସାହିତ୍ୟ ହିଁ ଖୁସି ହୋଇ ବିକି ହୋଇ ଯିବାକୁ ମନ କରେ । ଓଡ଼ିଶାର ସାହିତ୍ୟକ୍ଷେତ୍ରରେ ଯେଉଁମାନେ ଶୀଘ୍ରାତିଶୀଘ୍ର ସେମାନଙ୍କର ରଚନାଗୁଡ଼ିକର ବିବିଧ ଭାଷାରେ ଏବଂ ବିଶେଷତଃ ଇଂରାଜୀ ଭାଷାରେ ଅନୁବାଦ ହୋଇଗଲେ ଯାଇ ବଡ଼ ବଡ଼ ଦରବାରମାନଙ୍କରେ ଓଡ଼ିଶାର କଦର ବୃଦ୍ଧି ପାଇବ ବୋଲି ବହୁ ଅବସରରେ ସ୍ୱତନ୍ତ୍ର ପୃଷ୍ଠପୋଷକତା ଦାବିକରି ସଭାମାନଙ୍କରେ ଗୋଳ କରୁଛନ୍ତି, ସେମାନଙ୍କର ଅସଲ ପୃଷ୍ଠାଟି ହୁଏତ ସମ୍ଭବ ହୋଇନଥିବାଟାକୁ ତାହାର ସର୍ବପ୍ରଥମ କାରଣ ବୋଲି ଅନୁମାନ କରାଯାଇ ପାରିବକି ? ଆପଣାର ଅସଲ ପୃଷ୍ଠଟିକୁ ଲୋଡ଼ି ବାହାରିବା, ଅସଲ ଭୂମିଟିକୁ ଚିହ୍ନି. ସେଇଟି ସହିତ ଆପଣାକୁ, ଅଧିକରୁ ଅଧିକ ଭାବସମ୍ବନ୍ଧ ଦ୍ୱାରା ଗଅଁଠାଇ ରଖିବା–ଏହି ଓଡ଼ିଶାର ସ୍ଥାନୀୟ ଭୂମିଟିରେ ମଧ୍ୟ ସବାଆଗ ସେଇଟିଲାଗି ଅପେକ୍ଷା ରହିଛି । ଯେଉଁ ସାମନ୍ତମାନେ ଏଠି ଅସଲ ମୁହୂର୍ତ୍ତଗୁଡ଼ିକୁ ମୁଖ୍ୟତଃ ଗଡ଼ାଇ ଗଡ଼ାଇ ନେବାରେ ଗୋଟାଏ ଅଧାଶତାବ୍ଦୀ ଯାବତ୍ ତୁଚ୍ଛା ଖେଳିବାରେ ଲାଗିଛନ୍ତି, ଯେଉଁ ସାହିତ୍ୟଜୀବୀମାନେ ସେମାନଙ୍କ ଠାରୁ ପୃଷ୍ଠପୋଷକତା ମାଗୁଛନ୍ତି, ତାଙ୍କୁ ନାନା ଅସାହିତ୍ୟିକ ଜଞ୍ଜାଳ ନିଶ୍ଚୟ ବଶ କରି ରଖିଛନ୍ତି ବୋଲି କୁହାଯିବ । ଆମେ ସେହି ଫିସାଦମାନଙ୍କୁ ଡେଇଁଯିବା, ଆମେ, ଯେଉଁମାନେ କି ମୂଳତଃ ମନୁଷ୍ୟର ଏହି ପୃଥିବୀ ପାଖରେ କିଛି ପ୍ରତିଶ୍ରୁତି ଦେଇଛୁ ବୋଲି ସାହିତ୍ୟକୁ ସରଣୀ କରି ବାଟ ଚାଲୁଛୁ ।

Image

 

ଆମେରିକାରେ ଆଉଥରେ (୮)

 

'ମଧୁମେହ'ଶବ୍ଦଟି କାନକୁ ଖୁବ୍‍ ବଢ଼ିଆ ଯେ ଶୁଭୁଥିବ, ଏଥିରେ କିଏ କ’ଣପାଇଁ ସନ୍ଦେହ କରିବ ? ସମ୍ଭବତଃ ସେହି କାରଣରୁ ସାଧାରଣ ଲୋକମାନଙ୍କ ଠାରେ ଦେଖାଯାଉଥିବା ଏହି ରୋଗଟିକୁ କିଞ୍ଚିତ୍ ଅନୁକମ୍ପା ସହିତ ଚିନ୍ତା କରି ଏଭଳି ନାମଟିଏ ଦିଆଯାଇଛି କି ? ଆମେରିକା ହେଉଛି ବିତ୍ତ-ଆକଳନର ଆଧୁନିକ ମାନଦଣ୍ଡରେ ଏହି ସଂସାରରେ ସବୁଠାରୁ ଅଧିକ ବିତ୍ତ ଦ୍ଵାରା ମଣ୍ଡଣି ହୋଇ ରହିଥିବା ସବା ଆଗଦୃଶ୍ୟମାନ ଏକ ଦେଶ । ସବୁ କ୍ଷେତ୍ରରେ ଅଧିକର ଧାଡ଼ିଗୁଡ଼ିକୁ ଦଖଲ କରି ରହିଥିବା ଦେଶ । ବିତ୍ତରେ, ବୁଦ୍ଧିରେ, ଭୋଗ-ସମ୍ଭାବନାରେ, ଅସ୍ତ୍ରଶସ୍ତ୍ରରେ, କ୍ଷମତାରେ–ସବୁଥିରେଏକାବେଳକେ ମହାଆଗୁଆ ହୋଇ ରହିଛି । ତାହାରି ଧମକରେ ପୃଥିବୀଟା ସତେଅବା ଉଠୁଛି ଓ ପଡ଼ୁଛି ବୋଲି ମନେ ହେବା ଖୁବ୍ ସ୍ୱାଭାବିକ । ମାନଚିତ୍ରଟାରେ ମଧ୍ୟ କେଡ଼େ ଥାକୁଲା ହୋଇ ଦିଶୁଛି । ସକଳ ପ୍ରକାରେ ଆମେରିକା ଆପଣାକୁ ଏଡ଼େ ପ୍ରଚଣ୍ଡ ବୋଲି ଭାବିବାରେ ଅଭ୍ୟସ୍ତ ବି ହୋଇ ଗଲାଣି ଯେ, ଅବଶିଷ୍ଟ ପୃଥିବୀଟା ତା ଆଖିକୁ କେଡ଼େ ଡେଙ୍ଗା ହୋଇ ଦେଖାଯାଉଛି । ଏହି ଧେଡ଼େଙ୍ଗା ପୃଥିବୀଟାକୁ କ'ଣପାଇଁ ଆମେରିକା ଏତେ ଟିକିଏ ମଧ୍ୟ ଖାତିରି କରିବ ? କିନ୍ତୁ ବିଧାତାର ବିଡ଼ମ୍ବନା–ଏହାକୁ ସେହି ବିଧାତାଙ୍କର ଏକ ରସିକପଣିଆ ବୋଲି ମଧ୍ୟ କହିହେବ ଆମେରିକାରେ ମଧ୍ୟ ରୋଗର ଆଶଙ୍କାମାନ ରହିଛି । ସେଠି ମଧୁମେହ ମାଡ଼ି ମାଡ଼ିଯାଉଛି । କେବଳ ବୟସ୍କମାନଙ୍କ ଭିତରେ ନୁହେଁ, ପିଲାମାନଙ୍କ ଭିତରେ ବି ମାଡ଼ିଯାଉଛି । ତେଣୁ ତତ୍ ଚିକିତ୍ସକମାନେ ଏହି ସମସ୍ୟାକୁ ନେଇ ଭାରି କୋଳାହଳ କରୁଛନ୍ତି ।

 

ହଁ, ଆମେରିକାରେ ପିଲାଗୁଡ଼ିକ ମଧ୍ୟ ଅତିରିକ୍ତ ପରିମାଣରେ ମୋଟା । ନିଜର ବୟସ ଓ ଉଚ୍ଚତା ଅନୁପାତରେ ଗୁଡ଼ାଏ ଗୁଡ଼ାଏ ମୋଟା । ଏହା ଏକ ଅସୁସ୍ଥତା । ସେହି କାରଣରୁ ସେହି ଦେଶରେ ଭାଳେଣି ପଡ଼ିଛି । ଆମେରିକାରେ ପ୍ରତି ଚାରିଜଣ ପିଲାଙ୍କମଧ୍ୟରେ ଜଣେ ହେଉଛି ଅତିରିକ୍ତ ପରିମାଣରେ ଅର୍ଥାତ୍ ଅସୁସ୍ଥ ଭାବରେ ମୋଟା । ଏପରି ମୋଟା ଯେ, ତାହା ବାପାମାଆ ଆଶଙ୍କା କରିବା ପୂର୍ବରୁ ହିଁ ମଧୁମେହ ନାମକସେହି ମହାସଙ୍କଟକୁ ଡାକି ଆଣିବ । ଆଗରୁ ପରିସ୍ଥିତି ସାଧାରଣତଃ ଯେଉଁପରି ରହିଆସିଥିଲା । ସେତେବେଳେ ମଧୁମେହ ନାମକ ସେହି ବେମାରୀଟିକୁ ସଚରାଚର ବୟସ୍କ ଅବସ୍ଥାର ଗୋଟିଏ ଦଶା ବୋଲି ବୁଝା ଯାଉଥିଲା । ଦଶବର୍ଷ ତଳେ ପିଲାମାନଙ୍କ ଭିତରେ କେବଳ ୪ ପ୍ରତିଶତ ମଧୁମେହ ରୋଗୀ ବୋଲି ସୁମାରି ହେଉଥିଲେ । କିନ୍ତୁ ବର୍ତ୍ତମାନ ତାହା ବୃଦ୍ଧି ଲାଭ କରି ୪୫ ପ୍ରତିଶତରେ ଯାଇ ପହଞ୍ଚିଲାଣି । ଏବଂ, ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ଶହେରେ ୮୫ ଜଣ ହେଉଛନ୍ତି ଅତିରିକ୍ତ ମୋଟା ହୋଇଥିବା ପିଲା । ପ୍ରାୟ ତିନି ଲକ୍ଷ ସରିକି ପିଲା ସଂପ୍ରତି ସେହି ଭୂମିରେ ମଧୁମେହ ଦ୍ଵାରା ଆକ୍ରାନ୍ତ ବୋଲି ହିସାବ ବାହାର କରାଯାଇଛି । ଏବଂ, ସଂଖ୍ୟାଟା ତଥାପି ହୁ ହୁ ହୋଇ ବଢ଼ିବାରେ ଲାଗିଛି । ପୁନଶ୍ଚ ବିଶେଷଜ୍ଞକୁଳ ଏପରି ଆଶଙ୍କା ବି କରିଛନ୍ତି ଯେ, ପରୀକ୍ଷାଦ୍ୱାରା ଯେତିକି ପିଲା ମଧୁମେହ ବୋଲି ପ୍ରମାଣିତ ହୋଇଛନ୍ତି, ତା'ଠାରୁ ସମ୍ଭବତଃ ଅଧିକସଂଖ୍ୟକଙ୍କ ଶରୀର ସେହି ରୋଗକୁ ଭୋଗ କରୁଛନ୍ତି ।

 

ଅବସ୍ଥା ପ୍ରକୃତରେ ସାଂଘାତିକ । ମଧୁମେହ ଦ୍ଵାରା ସଂକ୍ରମିତ ହେଉଥିବା ପିଲାମାନଙ୍କର ସଂଖ୍ୟା ସମ୍ଭବତଃ ଆଦୌ କୌଣସି ଗଣିତକୁ ଅପେକ୍ଷା ନକରି ବଢ଼ିଚାଲିଛି । ସବୁ ଗଣିତପ୍ରମାଣ ପ୍ରାୟ ସେହି ଗୋଟିଏ ସ୍ୱରରେ କହୁଛି ଯେ, ଆମେରିକାରେ ବର୍ତ୍ତମାନ ମନୁଷ୍ୟ ମାନଙ୍କର ଶାରୀରିକ ଓଜନ ଅତ୍ୟନ୍ତ ବେଶୀ । ବାପାମାଆମାନେ ଯେତିକି ମୋଟା, ପିଲାମାନେ ମଧ୍ୟ ସେତିକି ମୋଟା । ଶହେରେ ୫୫ ଜଣବୟସ୍କ ହେଉଛନ୍ତି ଅସ୍ୱାଭାବିକଭାବରେ ପୃଥୁଳ ଅର୍ଥାତ୍ ମେଦଯୁକ୍ତ । ୧୯୮୦ ମସିହାପରେ, ଅର୍ଥାତ ମାତ୍ର ଏହି ବିଗତ ପଚିଶି ବର୍ଷଭିତରେ ସେହି ଦେଶରେ ମୋଟାପିଲାଙ୍କର ସଂଖ୍ୟା ଡବଲ ହୋଇ ସାରିଲାଣି । ଜଣେ ଅଭିଜ୍ଞ ଡାକ୍ତରଙ୍କ ଶବ୍ଦରେ କହିବାକୁ ଗଲେ, “ବର୍ତ୍ତମାନ ସମଗ୍ର ଦେଶଟା ଖୁବ୍‍ ବେଗରେ ମୋଟା ହେବାରେ ଲାଗିଛି । ଏବଂ, ତାହାରପ୍ରାୟ ସେହି ଏକମାତ୍ର କାରଣ ହେଉଛି ଯେ, ଏଠାରେ ପରିବେଶର ଚଳଣିଗୁଡ଼ିକ ଆଦୌ କୌଣସି ହିତାହିତ ବିଷୟକ ବୋଲିକୁ ନମାନି ପ୍ରାୟଆଖିବୁଜି ବଦଳି ଯାଉଛନ୍ତି । ସେମାନେ ଅପର୍ଯ୍ୟାପ୍ତ ଭାବରେ ଖାଇବାର ଏକ ଅସୁସ୍ଥତାକୁ ସତେଅବା ଗୋଟିଏ ଆଚାରରେ ପରିଣତକରି ସାରିଲେଣି । ଦୈନନ୍ଦିନଖାଦ୍ୟ–ପରିମାଣରେ ଆଉ କୌଣସି ନ୍ୟାୟ ନାହିଁ ଏବଂ ଫାଷ୍ଟ ଫୁଡ଼୍‍ମାନେ ସାଂଘାତିକ ଭାବରେ ସର୍ବବ୍ୟାପୀ ହେବାରେ ଲାଗିଛନ୍ତି । ଶରୀରଗୁଡ଼ିକୁ ଏବେ ବସ୍ତୁତଃ ଆଉ କୌଣସି କାମ କରିବାକୁ ପଡ଼ୁନାହିଁ ।” ଅର୍ଥାତ୍ ଯାବତୀୟ ବ୍ୟାୟାମ–କଷଣ କାର୍ଯ୍ୟତଃଅଦରକାରୀ ଏବଂ ତେଣୁ ଅଲୋଡ଼ା ହୋଇଗଲାଣି । ଗୋଟିଏ ଦୃଷ୍ଟାନ୍ତ ଦେଇ କହିଲେ, ପିଲାମାନେ ଆଉ ଚାଲି ଚାଲି ପ୍ରତ୍ୟହ ଇସ୍କୁଲଯାଏ ଯିବାକୁ ସଲ ମଣିଲେଣି । କିଏଜଣେ ଧୈର୍ଯ୍ୟଶୀଳ ଭାବରେ ଏକ ହିସାବ କରି କହିଛନ୍ତି ଯେ, ଯେଉଁ ପିଲାମାନଙ୍କ ଘରସ୍କୁଲଠାରୁ ମାତ୍ର ଗୋଟିଏ ମାଇଲ ଭିତରେ, ସେମାନଙ୍କର କେବଳ ତିନିଭାଗରୁ ଗୋଟିଏ ଭାଗ ଭାଗ ପିଲା ହିଁ ପାଦରେ ଚାଲି ଇସ୍କୁଲ ଯାଉଛନ୍ତି-। କୋଡ଼ିଏ ବର୍ଷ ପୂର୍ବେ କୁଆଡ଼େ ପ୍ରାୟ ସବୁ ଯିଲା ଚାଲି ଚାଲି ସ୍କୁଲ ଯାଉଥିଲେ ।

 

ଆଗେ ତ ପିଲାମାନେ ନିଜ ଘରର ନିକଟ ପ୍ରତିବେଶରେ ଖେଳମାନ ଖେଳିବାର ସୁଯୋଗ ପାଉଥିଲେ । ଏବେ ତାହା ଆଉ ସମ୍ଭବ ହେଉନାହିଁ । ବାପାମାଆଙ୍କୁ କାମକୁ ଯିବାକୁ ହେଉଛି ଏବଂ ସେମାନଙ୍କର ପିଲାଏ ବାହାରେ ଅନ୍ୟ ପିଲାଙ୍କ ମେଳରେ ଖେଳିବାଟାକୁ ସେମାନେ ଏବେ ନିରାପଦ ବୋଲି ବିଚାର କରୁନାହାନ୍ତି । ହଁ, ଗତ ପଚିଶି ବର୍ଷ ଭିତରେ ଅଧିକ ଓଜନର ପିଲାଙ୍କର ସଂଖ୍ୟା ସିନା ଦୁଇଗୁଣରୁ ଅଧିକ ହୋଇଗଲାଣି, ମାତ୍ର ବିଦ୍ୟାଳୟର ଦୈନିକ କାର୍ଯ୍ୟନିର୍ଘଣ୍ଟରେ ଖେଳ ଓ ଶାରୀରିକଶିକ୍ଷାର ସ୍ଥାନ ମଧ୍ୟ ନିତାନ୍ତ ଗୌଣ ହୋଇଗଲାଣି । ମୋଟେ ଶତକଡ଼ା ଦୁଇରୁ ଆହୁରି କମ୍ ଉଚ୍ଚପ୍ରାଥମିକ ତଥା ମାଧ୍ୟମିକ ବିଦ୍ୟାଳୟରେ ପ୍ରତ୍ୟହ ଶାରୀରିକ ଶିକ୍ଷାର ନିର୍ଘଣ୍ଟ ରହିଛି । ଏକ ସର୍ବେକ୍ଷଣରୁ ଜଣାଯାଉଛି ଯେ, କିଶୋର ବୟସର ମାତ୍ର ପାଞ୍ଚଭାଗରୁ ଭାଗେ ପିଲା ସପ୍ତାହରେ କେବଳ ଗୋଟିଏ, ଥର ଶାରୀରିକ ଶିକ୍ଷାର ଶ୍ରେଣୀରେ ଯାଇ ଯୋଗ ଦେଉଛନ୍ତି । ଏବଂ, ତେଣେ ଘରେ ଟେଲିଭିଜନଟା ବି କମ ବାଇ କରୁନାହିଁ । ଏବେ ଜଣେ ଇସ୍କୁଲ ଯିବା ପିଲା ସପ୍ତାହରେ ପ୍ରାୟ ଚବିଶି ଘଣ୍ଟା ସମୟ ଟେଲିଭିଜନ ସାମ୍ନାରେ ବସି କଟୁଛି । ଏବଂ, ଦୁଇରୁ ସତର ବର୍ଷ ପର୍ଯ୍ୟନ୍ତ ବୟସର ପିଲାଙ୍କର ପ୍ରାୟ ଅଧେଙ୍କର ଶୋଇବା ଘରେ ବି ଅଲଗା ଟେଲିଭିଜନର ବ୍ୟବସ୍ଥା ରହିଛି । ସର୍ବେକ୍ଷଣ ବିଚାର କହୁଛି ଯେ, ଯେଉଁ ପିଲାଏ ପ୍ରତିଦିନ ଦୁଇଘଣ୍ଟାରୁ ଅଧିକ ସମୟ ଟିଭି ପାଖରେ ଯାଇ ବସୁଛନ୍ତି, ସେମାନେ ସଚରାଚରେ ମୋଟା ହେବେ ହିଁ ହେବେ । ସେଠାରେ ଖାଲି ବସି ରହିବା ଦ୍ୱାରା ଯେ ସେମାନଙ୍କର ଦେହର ମେଦ ବଢ଼ୁଛି ସେ କଥା ନୁହେଁ, ସେଠାରେ ବସି ସେମାନେ ପ୍ରାୟ ଲଗାତର ଭାବରେ ପାଟି ପାଇଁ ମଧ୍ୟ କିଛି ନା କିଛି ଆହାର ଆଣି ଖଞ୍ଜି ଦେଉଛନ୍ତି । ତେଣୁ ଅଧିକ ଟିଭି ଫଳରେ ଅଧିକ ଭୋଜନ ବି ଲାଗି ରହିବ । ଏବଂ, ସେତେବେଳେ ସେମାନେ ମୁଖ୍ୟତଃ କେଉଁଭଳି ଖାଦ୍ୟ ଖାଉଛନ୍ତି ? ଗୁଡ଼ାଏ ଚର୍ବି ରହିଥିବା ଏବଂ ଅତି ମାତ୍ରାରେ ଅଧିକ କ୍ୟାଲୋରି ବିଶିଷ୍ଟ ନାନାବିଧ କେତେ କ’ଣ । ଟିଭିରେ ପିଲାଏ ସେତେବେଳେ ଗୁଡ଼ାଏ ଏଭଳି ବିଜ୍ଞାପନ ମଧ୍ୟ ଦେଖୁଛନ୍ତି, ଯାହାକି ସେମାନଙ୍କୁ ସେହିଭଳି ଆହୁରି ଆହୁରି ଖାଦ୍ୟ ଖାଇବା ନିମନ୍ତେ ଖୁବ୍ ଫୁସୁଲେଇବାରେ ଏବଂ ଉସକେଇବାରେ ଲାଗିଛି ।

 

ମୋଟା ହେବା ସହିତ ପୁଣି ଟେଲିଭିଜନର କି ସମ୍ପର୍କ ରହିଛି ଜିଜ୍ଞାସୁ ଆମେରିକା ଭାରି ଟିକିନିଖି ଗବେଷଣା ଦ୍ୱାରା ଇତିମଧ୍ୟରେ କେତେ ନିର୍ଭରଯୋଗ୍ୟ ତଥ୍ୟ ଅର୍ଥାତ୍ ସତ୍ୟ ବାହାର କରି ସାରିଛନ୍ତି । ଜଣେ ଗବେଷକ ଦୁଇଦଳ ପିଲାଙ୍କୁ ନେଇ ସାତମାସକାଳ ତଥ୍ୟ ସଂଗ୍ରହ କରି ଜାଣିଛନ୍ତି ଯେ, ଇଚ୍ଛା ହେବା ମାତ୍ରକେ ଟିଭି ଦେଖୁଥିବା ପିଲାମାନଙ୍କର ଶାରୀରିକ ପୃଥୁଳତା ସେତେ ପରିମାଣରେ ସ୍ୱାଧୀନତା ପାଉନଥିବା ପିଲାଙ୍କ ତୁଳନାରେ ବେଶ୍ ଅଧିକ ବୃଦ୍ଧି ପାଉଛି । ଅଣ୍ଟା ଚାରିପାଖରେ ମଧ୍ୟ ଚର୍ବି ମାଡ଼ିଯାଉଛି । ପିଲାମାନେ ଆମେରିକାରେ ଦିନକୁ ହାରାହାରି ଚାରିଘଣ୍ଟା ସେହି କଥା କହି ରୂପ ଦେଖାଉଥିବା ବାକ୍ସଟା ପାଖରେ ଯାଇ ବସିବାରେ ବେଶ୍ ଅଭ୍ୟସ୍ତ ହୋଇଗଲେଣି । ଗୋଟାଏ ପାଖରେ ଶରୀରର ଚାଳନା କମିଗଲାଣି ଏବଂ ଏଣେ ଖାଦ୍ୟରେ କ୍ୟାଲୋରିମାନେ ଅଧିକ ବି ହେଉଛନ୍ତି, ପରୀକ୍ଷା ଦ୍ୱାରା ଜାଣିବାକୁ ମିଳିଛି ଯେ, ଗୋଟାଏ ଗିଲାସ ସୋଡ଼ା ପାଣି ପେଟକୁ ଗଲେ ସେହି ଅବସରରେ ୧୫୦କ୍ୟାଲୋରି ତୁମ ଭଣ୍ଡାରକୁ ଯାଉଛି ଏବଂ ତାହା ଫଳରେ ତୁମ ଓଜନଟା ମଧ୍ୟ ଗୋଟାଏ ବର୍ଷରେ :୧୫ ପାଉଣ୍ଡ ଅଧିକା ହୋଇଯାଉଛି । କାରଣ ଶରୀରର ଅଙ୍ଗପ୍ରତ୍ୟଙ୍ଗ ବି ସଞ୍ଚାଳିତ ହେବାର ପ୍ରାୟ ଯଥେଷ୍ଟ ମଉକା ହିଁ ନାହିଁ । ଏବଂ, ଏପରିପିଲା କୋଉଠି କ'ଣ ପାଇଁ ରହିବେ, ଯେଉଁମାନେ କି ସୋଡ଼ା ପିଇବା ନିମନ୍ତେ ହକ ହକ ନ ହେଉଥିବେ ! ପ୍ରତ୍ୟେକ ପିଲା ପ୍ରତିଦିନ ଦୁଇରୁ ଅଢ଼େଇ ମଗ ସୋଡ଼ା ପିଇଯିବା ତିନିହାତି ମାମୁଲି କଥାଟିଏ । ଜଣେ ଜଣେ ତ ଦିନକୁ ପାଞ୍ଚ ମଗଯାଏ ବି ପିଇଲେଣି । ଏବଂ, ପଛକୁ ଚାହିଁଲେ ପୁରୁଣା ହିସାବ ମାନଙ୍କରୁ ଜଣାଯାଉଛି ଯେ, କୋଡ଼ିଏ ବର୍ଷତଳେ ପୁଅ ପିଲାଏ ତଥାକଥିତ ଏହି ମୃଦୁପାନୀୟ ଯେତେ ପିଉଥିଲେ, ତାହାର ଦୁଇଗୁଣ ପରିମାଣର କ୍ଷୀର ପିଉଥିଲେ । ଝିଅପିଲାମାନେ ମଧ୍ୟ ମୃଦୁପାନୀୟ ତୁଳନାରେ ଦେଢ଼ଗୁଣ କ୍ଷୀର ପିଉଥିଲେ । ଏବେ ପୁଅ ଝିଅ ଉଭୟଙ୍କର ରୁଚିଟା ଭିତରେ କୋଉଅନ୍ୟ ଭୂତଟା ଯାଇ ପଶିଯାଇଛି ଯେ, ସେମାନେ କ୍ଷୀର ପ୍ରତି ଏକାନ୍ତ ବିମୁଖ ହୋଇପଡ଼ିଲେଣି । ସେହି ଭୂତଟା ପୂରା ପରାକ୍ରମ ସହିତ ସତେଅବା ସେମାନଙ୍କର କାନ୍ଧଉପରେ ଯାଇ ବସିଲାଣି ।

 

ମୋଟା ହେବାଟା କାହାକୁ ଭଲ ଲାଗୁନାହିଁ, କିନ୍ତୁ ପ୍ରାୟ ସମସ୍ତେ ମୋଟା ହେବାରେ ଲାଗିଛନ୍ତି । ଏଇଟାକୁ ପ୍ରକୃତରେ ଏକ ଅତ୍ୟନ୍ତ ବିରକ୍ତି କର ଏବଂ ବିଡ଼ମ୍ବନାପୂର୍ଣ୍ଣ ଜୀବନ ବୋଲି କୁହାଯାଇ ପାରିବ । ଚର୍ବି ନବଢ଼ିବା ପାଇଁ ଆମେରିକାରେ ରାତିଦିନ କେତେ ଔଷଧ ବାହାରୁଛି, ତଥାପି ଭୂତଟା ମୋଟେ ଯାଉନାହିଁ । ପୃଥିବୀରେ ଡେଙ୍ଗା ମଣିଷଙ୍କର ସଂଖ୍ୟାଟା ତଥାପି ଅଧିକ । ଏବଂ, ଅଧିକ ସଂଖ୍ୟକ ପେଟ ଏବେ ମଧ୍ୟ ପେଟର ନିମ୍ନତମ ପ୍ରୟୋଜନଟିର ଭରଣା ହୋଇ ପାରିବା ଭଳି ଅନ୍ନ ତଥାପି ପାଉନାହାନ୍ତି । ଆମେରିକାର ଧନୀ, ସନ୍ଥ ଏବଂ ସପୁରୁଷମାନେ ପୃଥିବୀର ସେହି ନିଅଣ୍ଟମାନଙ୍କର କିଛି ଗୁଜରାଣ ମେଣ୍ଟାଇବେ ବୋଲି ଭଳି ଭଳି ଦରବାର ବସାଇବାରେ ଆଦୌ ତୁଟି କରୁନାହାନ୍ତି । ତଥାପି, ନିଜ ଘରଟା ଭିତରେ ବହୁ କଷଣର କାରଣ ହେଉଥିବା ବଳକାପଣର ଦରବାରମାନଙ୍କୁ ମୋଟେ ଭାଙ୍ଗି ଦେଇ ପାରୁନାହାନ୍ତି ।

Image

 

ଆମେରିକାରେ ଆଉଥରେ (୯)

 

ପୂର୍ବ ଆଲୋଚନାର ମୋଡ଼ଟିକୁ କିଞ୍ଚିତ୍ ଆଗକୁ ନେଇ କୁହାଯିବ ଯେ, ଆମେରିକାରେ ସାନ ପିଲାମାନଙ୍କର ଏହି ପ୍ରିୟ ମୃଦୁପାନୀୟଗୁଡ଼ିକୁ ପାନ କରିବା ଇତି ମଧ୍ୟରେ ତିନି ଗୁଣ ବୃଦ୍ଧିପାଇଛି ଏବଂ ତାହାର ପ୍ରକୋପରେ କ୍ଷୀର ପାନ କରିବାର ପରିମାଣଟା ଶତକଡ଼ା ଚାଳିଶିରୁ ଅଧିକ ଉଣା ହୋଇଯାଇଛି । ପିଲାଙ୍କର ଖାଦ୍ୟରୁଚି ନାମକ ଏହି ବୃତ୍ତଟି କ୍ରମେ ଆହୁରି କେତେ ନୂତନ ନୈରାଶ୍ୟକାରୀ ସୀମାକୁ ମଧ୍ୟ ସ୍ପର୍ଶ କରିସାରିଲାଣି । ପିଲାମାନେ ଆଉ ଆଗ ପରି ସେତେ ପନିପରିବା ଖାଇବା ପାଇଁ ମନକରୁ ନାହାନ୍ତି । ଫଳ ଖାଇବାର ଅଭ୍ୟାସ ତ ପ୍ରାୟ ପାସୋରି ହୋଇ ରହିଲାଣି । ଦୁଗ୍ଧ ତଥା ଦୁଗ୍ଧଜାତ ପଦାର୍ଥରୁ ପ୍ରାୟ ରୁଚି ଛାଡ଼ିଯାଉଛି । ଭିନ୍ନ ଭିନ୍ନ ପ୍ରକାରର ଶସ୍ୟ ଓ ଛେନାଜାତୀୟ ଅନ୍ୟ ଖାଦ୍ୟମାନଙ୍କୁ ଆଦୌ ଉଚିତ ସ୍ଥାନ ଦିଆଯାଉ ନାହିଁ । ପାଟିମାନେ ୟାଡ଼ୁସାଡ଼ୁ ଭଳି ଭଳି ଖାଦ୍ୟ ଦ୍ୱାରା ସର୍ବକ୍ଷଣ ହିଁ ଚାକୁ ଚାକୁ ହେଉଥାଆନ୍ତୁ । ଏବେ ପିଲାମାନଙ୍କୁ ସେହି କଥାଟି ଖୁବ୍ ଭଲ ଲାଗୁଛି । ଏହିସବୁ ନିରନ୍ତର ମନଇଚ୍ଛା ଆହାରରେ ପ୍ରକୃତରେ ସ୍ୱାସ୍ଥ ସହାୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ନିମନ୍ତେ ପ୍ରାୟ ଆଦୌ ଅବକାଶ ରହୁ ନାହିଁ ।

 

ନିଜ ପିଲାଙ୍କ ଦେହର ଓଜନ ଆବଶ୍ୟକ ସୀମାରୁ ଅଧିକ ହେଲାଣି ବୋଲି ବହୁସଂଖ୍ୟକ ବାପା ମାଆ ଉପଲବ୍ଧି ହିଁ କରୁନାହାନ୍ତି । ଅତିରିକ୍ତ ଦେହ-ଓଜନ, ରହିଥିବା ବହୁ ପିଲାଙ୍କର ପିତା ଓ ମାତା ଆମ ପିଲାଙ୍କର ଓଜନ ଠିକ୍ ଅଛି ବୋଲି ବିଶ୍ୱାସ କରୁଛନ୍ତି । ଏପରି ବାପା ମାଆ ବି ରହିଛନ୍ତି, ଯେଉଁମାନେ କି ସେମାନଙ୍କର ପିଲାମାନେ ଅତିରିକ୍ତ ଓଜନର ହୋଇଥିଲେ ମଧ୍ୟ ସେମାନେ ଝଡ଼ିଆ ଦେଖାଯାଉଛନ୍ତି ବୋଲି ବିଶ୍ୱାସ କରୁଛନ୍ତି ଏବଂ, ଏକଥା ମଧ୍ୟ ବେଳେ ବେଳେ ବେଶ୍ ଘଟୁଛି ଯେ, ବାପାମାଆଙ୍କର ନାଡ଼ାଟାକୁ ମଧ୍ୟ ଠଉରାଇ ପାରୁଥିବାରୁ କୌଣସି ପିଲା ଅତିରିକ୍ତ ମୋଟାହେଲାଣି ଓ ମଧୁମେହ ରୋଗ ଦ୍ଵାରା ଆକ୍ରାନ୍ତ ବି ହୋଇଛି ବୋଲି ଅନେକ ଡାକ୍ତରମଧ୍ୟ ସେପରି ମନେ କରୁନାହାନ୍ତି । ସର୍ବୋପରି, ଅତିରିକ୍ତ ମୋଟା ହୋଇ ମଧୁମେହ ଭୋଗୁଥିବା ପିଲାମାନଙ୍କୁ ଏକ ଉଚିତ ଖାଦ୍ୟ ଶୃଙ୍ଖଳାର ପରାମର୍ଶ ଦେବା ଦ୍ୱାରା ବହୁତ ଉପକାର ନିଶ୍ଚୟ ହେବ ବୋଲି ସାଧାରଣ ଚିକିତ୍ସାବିବେକ ସମ୍ପୃକ୍ତ ବାପ ଓମାଆଙ୍କୁ ବୁଝାଇ ଦେବାକୁ ହେବ ବୋଲି କେଡ଼େ ସହଜରେ କହୁଥିଲେ ମଧ୍ୟ ବାପା, ମାଆ ସେତିକି ସହଜରେ ନିଜ ପିଲାମାନଙ୍କର କ୍ଷେତ୍ରରେ ତାହାର ପ୍ରୟୋଗ କରିପାରନ୍ତିନାହିଁ । ପିଲା-ଅବସ୍ଥା ହେଉଛି ପିଲାର ବଢ଼ିବାବେଳ; ସେହି ଭଳି ଗୋଟିଏ ପର୍ଯ୍ୟାୟରେ ପିଲା ଉପରେ ଏଇଟା ଖାଆନା ବା ଏଇଟା ଖାଆ ବୋଲି ଶୃଙ୍ଖଳାଗୁଡ଼ିକୁ ଜାରି କରିଦେବାର ପ୍ରଣାଳୀଟି ବହୁତ ବାପା ମାଆଙ୍କୁ ସଚରାଚର ଏକ ନିଷ୍ଣୁରତାବୋଲି ମନେ ହେବା ବହୁତ ସ୍ଵାଭାବିକ । ବହୁତ ବାପାମାଆଙ୍କର ସେପରି ଗୁଳାଗୁଡ଼ାକୁ ରଖିବା ନିମନ୍ତେ ଚିତ୍ତ ହିଁ ବଳିବ ନାହିଁ । ପୁନଶ୍ଚ, ଦେହଟା ମୋଟା ହୋଇଛି ବୋଲି ପିଲାକୁ ଖେଳିଯିବାକୁ ବାଧ୍ୟ କରିବା ମଧ୍ୟ ମୋଟେ ସହଜ ନୁହେଁ । ଖେଳରେ ତ ସାଙ୍ଗସାଥୀ ଅବଶ୍ୟ ଥିବେ ଓ ସେମାନେ ଆଦୌ ତା’ଭଳି ଏତେ ମୋଟା ହୋଇନଥିବେ । ଅର୍ଥାତ୍, ତୋ’ ମୋଟା ଶରୀରଟାର ଖେଳ କ୍ଷେତ୍ରରେ ନାନା ଅସମର୍ଥତା ଦେଖି ସାଙ୍ଗମାନେ ବି ଖୁବ୍ ଥଟ୍ଟା ପରିହାସ କରିବେ । ସେଇଟାକୁ ସହ୍ୟ କରିବା କଦାପି ସହଜ ମଧ୍ୟ ହୋଇପାରେ । କେବଳ ମୋଟା ପିଲାଟି ଯେ ସେଭଳି ଭାବୁଥିବ ତା ନୁହେଁ, ପିଲାର ଏଡ଼େ ମୋଟା ହୋଇଥିବାର ସେହି ଦଶାଟିକୁ ଦେଖି ପିଲା ପ୍ରତି ସହାନୁଭୂତିଶୀଳ ବାପା ମାଆ ମଧ୍ୟ ସେହିପରି ବିଚାର କରୁଥିଲେ ଆମେ ସେମାନଙ୍କୁ ବି ଆଦୌ ସେତେ ଦୋଷ ଦେବା ନାହିଁ ।

 

ବହୁ କିସମର ପ୍ରୟୋଗ ଦ୍ୱାରା କ୍ରମେ ସତ୍ୟଟିଏ ପହୁଞ୍ଚ ଭିତରକୁ ଆସିଯାଉଥିଲା ପରି ବି ମନେହେଉଛି । ଅର୍ଥାତ୍, ଏହି କ୍ଷେତ୍ରରେ ସମଗ୍ର ପରିବାର ହିଁ ପ୍ରୟାସଶୀଳ ହେବ । ଆମ ମୋଟା ପିଲାଟି କ'ଣସବୁ ଖାଇବ ଏବଂ ଆପଣାର ଅବସର-କ୍ଷଣଗୁଡ଼ିକୁ କିପରି ଭାବରେ ଅତିବାହିତ କରିବ, ଇତ୍ୟାଦି ଇତ୍ୟାଦି ଯାବତୀୟ ନିଷ୍ପତ୍ତିରେ । ପିଲା ବୟସରେ ଏହି ଅତି ପୃଥୁଳ ହୋଇଯିବା ଓ ମଧୁମେହ ନାମକ ସେହି ଅନାବଶ୍ୟକ ବେମାରିଟିକୁ ଭୋଗ କରିବା ବିଷୟରେ ବିଶେଷ ଅନୁସନ୍ଧାନ କରିଥିବା କେତେ ଜଣ ପରାମର୍ଶ ଦେଉଛନ୍ତି ଯେ, ଯଥାସମ୍ଭବ ସମ୍ପୂର୍ଣ୍ଣ ପରିବାରଟି ଏକାଠି ହିଁ ଭୋଜନରେ ବସିବ । କାରଣ, ପରୀକ୍ଷାରୁ ଜଣାଯାଇଛି ଯେ, ଯେଉଁ ପିଲାମାନେ ଘରର ଅନ୍ୟ ସମସ୍ତଙ୍କ ସହିତ ଏକା ସମୟରେ ଗୋଟିଏ ଜାଗାରେ ଖାଦ୍ୟ ଖାଆନ୍ତି, ସେମାନେ ଅପେକ୍ଷାକୃତ ଅଧିକ ଫଳ ଓ ପନିପରିବା ଖାଆନ୍ତି–ସୋଡ଼ାପିଇବାର ପରିମାଣ ହ୍ରାସ କରିଦିଅନ୍ତି ଓ ଚର୍ବିଜାତୀୟ ଖାଦ୍ୟ ମଧ୍ୟ କମ୍ ଖାଆନ୍ତି । କେବଳ ନିଜର ଘରେ ନୁହେଁ, ଅନ୍ୟ କେଉଁ ସ୍ଥାନରେ ଭୋଜନ କରୁଥିଲେ ମଧ୍ୟ ସେମାନେ ସେହିପରି କରନ୍ତି । ପୁନଶ୍ଚ ପରିବାରର ବଡ଼ମାନେ ପିଲାଙ୍କ ପାଇଁ ଏକ ଉତ୍ତମ ଦୃଷ୍ଟାନ୍ତର ପରିଚାୟକ ହୋଇ ପାରୁଥିବା ଉଚିତ ବୋଲି ସେମାନେ ମତ ଦେଇଛନ୍ତି । ଅର୍ଥାତ୍, ପରିବାରର ସମସ୍ତେ ନିଜ ନିଜର ବୟସ ଅନୁରୂପ ଶାରୀରିକ ଅଙ୍ଗଚାଳନା ଅଥବା ନିୟମସିଦ୍ଧ କିଛି ବ୍ୟାୟାମ ମଧ୍ୟ କରୁଥିବେ । ତେବେ, ବିଚରାପିଲାଟିଏ ଏକା ତାକୁ କୌଣସି ଦଣ୍ଡ ଭୋଗିବାକୁ ପଡ଼ୁଛି ବୋଲି ଆଦୌ ଚିନ୍ତା କରିବନାହିଁ ।

 

ଉପସଂହାରଟିଏ କରି ଆଣୁଥିବା ପରି ଆମେ ବର୍ତ୍ତମାନ ଆମେରିକାରେ ପିଲାଙ୍କର ଏହି ସଂକଟାବସ୍ଥାର ସମ୍ମୁଖୀନ ହେବା ଲାଗି ବିଚାର କରାଯାଉଥିବା ପ୍ରତିକାରଗୁଡ଼ିକୁ ଆଉ ଥରଟିଏ ଜାଣିବା । ଗବେଷକମାନେ ଯଥାସମ୍ଭବ ଅଧିକ ସମଗ୍ରଭାବରେ ସମସ୍ୟାଟିକୁ ସ୍ପର୍ଶ କରିବାର ଚେଷ୍ଟା କରି କେତୋଟି କଥା କହିଛନ୍ତି : ପିଲାମାନେ ଅଧିକତଃ ମାଆ ସ୍ତନରୁ ହିଁ କ୍ଷୀର ଖାଇବେ । ଆଧୁନିକ ବିଜ୍ଞାନଟା ମଧ୍ୟସତକୁ ସତ ବନ୍ଧୁପଣ କରୁଥିବା ପରି କହିଲାଣି ଯେ, ମାଆ କ୍ଷୀର ପାଉଥିବା ପିଲାଏ କୃତ୍ରିମ କୁମ୍ଫାମାନଙ୍କରୁ କ୍ଷୀର ପିଇବାକୁ ବାଧ୍ୟ ହେଉଥିବା ପିଲାଙ୍କ ତୁଳନାରେ ମୋଟା, ହେବା ସକାଶେ କମ୍ ପ୍ରବଣତା ଦେଖାଇ ଥାଆନ୍ତି । ଏପରିକି, ବଡ଼ ହେବା ପରେ ମଧ୍ୟ ଏମାନେ ଅତିରିକ୍ତ ମୋଟା ହୁଅନ୍ତି ନାହିଁ । ଦ୍ୱିତୀୟତଃ, ଦୂରଦର୍ଶନର ବାକ୍ସଟାକୁ ତୁମେ ପିଲା ରହୁଥିବା କୋଠରୀରୁ ଅନ୍ୟତ୍ର ନେଇଯିବ ଏବଂ ତା 'ଆଗରେ ନିଜର ବସିବାକୁ ମଧ୍ୟ ଯଥାସମ୍ଭବ କମ୍ କରି ଆଣିବ । ହଁ, ପ୍ରତି ସପ୍ତାହରେ ଅନ୍ତତଃ ତିନିଟା ଦିନରରାତ୍ରି ଭୋଜନରେ ଯେପରି ଘରଯାକ ସମସ୍ତେ ଏକତ୍ର ଖାଇ ବସିବେ, ସେଥିଲାଗି ଚେଷ୍ଟାକରିବ । ଘରେ ଆହାର ହିସାବରେ ଯାହା କିଛି ପ୍ରସ୍ତୁତ ହେବ, ସେଥିରେ ଚର୍ବିଜାତୀୟ କିମ୍ବା ଉଚ୍ଚ କାଲୋରିଯୁକ୍ତ ଖାଦ୍ୟ ସାଧାରଣତଃ ଆଦୌ ରହିବ ନାହିଁ; ବରଂ ପନିପରିବା ରହିବ, ଚୋପା ଥିବା ଶସ୍ୟାଦି ଥିବ, –ଅଣଆମିଷ ପ୍ରୋଟିନ୍ ମଧ୍ୟ ରହିଥିବ । ମାଂସ ରହିଲେ ହୁଏତ ନାମକୁମାତ୍ର ସତେ ଅବା ଗୋଟିଏ ପାର୍ଶ୍ଵ–ଖାଦ୍ୟ ରୂପେ ରହିବ ସିନା, ଏକ ପ୍ରଧାନ ଖାଦ୍ୟ ରୂପେ ମୋଟେ ରହିବ ନାହିଁ । ପରିବାରର ସବୁ ବ୍ୟକ୍ତି କିଛି ନା କିଛି ବ୍ୟାୟାମ କରୁଥିବେ । ସମସ୍ତେ ମଝିରେ ମଝିରେ ଏକାଠି ସାଇକେଲ ନେଇ କୁଆଡ଼େ ବାହାରି ଯାଇପାରୁଥିବେ । ରାତ୍ରି ଭୋଜନ ପରେ ଏକାଠି କିଛି ବାଟ ପାଦରେ ଚାଲିବାର ଅଭ୍ୟାସଟିଏ ମଧ୍ୟ ରହିଥିବ । ବିଦ୍ୟାଳୟ ଛୁଟି ହେବା ପରେ ତୁମର ପିଲା ଯେପରି କିଛି ସମୟ ଖେଳି ପାରୁଥିବ, ତାହାର ବନ୍ଦୋବସ୍ତ ଥିବ । ଯଦି ତେଣେ ଆଗ୍ରହ ନଥିବ, ତେବେ ସିଏ ନିୟମିତ ଭାବରେ ପହଁରିବ । ଏପରିକି ଫିତା ଧରି ଡିଆଁଡେଇଁ ବି କରିପାରିବ ।

 

ପୁନଶ୍ଚ, ଘରର ନାନାବିଧ କର୍ମ-ସମ୍ପାଦନରେ ତୁମର ପିଲା ପାଇଁ ମଧ୍ୟ କିଛିକାମ ଅବଶ୍ୟ ଦିଆ ଯାଇଥିବ । ସିଏ ଘାସ ବାଛିପାରିବ, ବଗିଚାରେ ମାଟି ହାଣି ପାରିବ, ଗଛରେ ପାଣି ବି ଦେଇପାରିବ । ଘରର ଅଳିଆ ଆବର୍ଜନାକୁ ବାହାରେ ନେଇଫିଙ୍ଗି ବି ଦେଇପାରିବ । ଏପରିକି ଘରର ଚଟାଣଗୁଡ଼ିକୁ ପୋଛି ପାରିବ । ମେସିନ୍‍ ଝାଡ଼ୁରେ ଘରର ଧୂଳିକୁ ସିଏ ସଫା ବି କରିପାରିବ-। ଗୁଡ଼ାଏ ଚର୍ବି ରହିଥିବା, ଉଚ୍ଚକାଲୋରିଯୁକ୍ତ ତୁଚ୍ଛା ପାଟିସୁଆଦ ପଦାର୍ଥମାନେ ଯେପରି କିଣା ହୋଇ ଘରକୁ ନ ଆସେ, ତାହା ଉପରେ ସର୍ବଦା ନଜର ରହିବ । ତତ୍ପରିବର୍ତ୍ତେ ଫ୍ରିଜରେ ଫଳ ଓ ପରିବା ଭର୍ତ୍ତି ହୋଇ ରହିଥିବ । ପୂରା ଗହମର ପାଉଁରୁଟି, ଚୋବାଇ ଖାଇପାରିଲା ଭଳି କୌଣସି ଖଜା, ବା ଅନ୍ୟାନ୍ୟ ଭଜା ପଦାର୍ଥ, –କମ୍ ଚର୍ବିଅଂଶ ରହିଥିବା କ୍ଷୀର ଅଥବା ଦହି, ଇତ୍ୟାଦି, ଇତ୍ୟାଦି । ପିଲାକୁ ଯେତେ ଇଚ୍ଛା ଫଳଓ ପରିବା ଯାଚି କରି ଖୁଆଇବ, ଚର୍ବିବୃଦ୍ଧିକାରୀ ଦ୍ରବ୍ୟଗୁଡ଼ିକ ପ୍ରତି ତା'ମନକୁ କଦାପି ଲୋଭାଇବାକୁ ଚେଷ୍ଟା କରିବନାହିଁ । ଯେତେଦୂର ସମ୍ଭବ, ତୁମ ପିଲାମାନେ ପାହାଚ ଚଢ଼ି ତଳୁ ତୁମ ମହଲାଯାଏ ଆସିବେ, ଲିଫ୍ଟ ସାହାଯ୍ୟ ନେବାକୁ ମନ କରିବେ ନାହିଁ । ତୁମ ପିଲାର ସ୍କୁଲ କାର୍ଯ୍ୟକ୍ରମରେ ଯେପରି ଶାରୀରିକ ଶିକ୍ଷା ଅନ୍ତର୍ଭୁକ୍ତ ହୋଇ ରହେ ଓ ତାହାକୁ ପ୍ରକୃତରେ କାର୍ଯ୍ୟକାରୀ କରାଯାଏ, ସ୍କୁଲର କର୍ତ୍ତୃପକ୍ଷଙ୍କ ବିଚାର ଲାଗି ସେଥିପାଇଁ ଏକ ଅନୁକୂଳ ହାୱା ମଧ୍ୟ ସୃଷ୍ଟି ହେବାର ପ୍ରୟାସ କରିବ ଏବଂ ଅନ୍ୟ ଅଭିଭାବକଙ୍କୁ ଏଥିରେ ସଂଶ୍ଳିଷ୍ଟବି କରିବ-

 

ପୃଥିବୀଯାକର ବହୁତ ମଣିଷ ଏବେ ଏକାଧିକ ଲକ୍ଷଣ ଦେଖି ପ୍ରମାଦ ଗଣି କହୁଛନ୍ତି ଯେ, ଆମେରିକା ଖୁବ୍ ବେଗର ସହିତ ସତେଅବା ପୃଥିବୀସାରା ମାଡ଼ିଯାଉଛି । ନା ହୁଏତ ତାହାର ବିପରୀତ କଥାଟା ଅଧିକ ସତ୍ୟ ଯେ, ଆମେ ପୃଥିବୀଯାକର ମଣିଷ ଆମେରିକା ଆଡ଼କୁ ମାଡ଼ିଯାଉଛୁ ? ଆମେ କେତେ କେତେ ଭୂମିର କୋଟି କୋଟି ଲୋକ ଏକ ମେଦପ୍ରଧାନ ଅଜବ ଉତ୍ସାହକୁ ଭାରି ମନ କରି ଧାଇଁବାରେ ଲାଗିଛୁ ? ମେଦପ୍ରଧାନ ସୁଖ, ମେଦପ୍ରଧାନ ରମଣ ଓ ମେଦପ୍ରଧାନ ନାନାତୃପ୍ତି, ମେଦପ୍ରଧାନ ସାହିତ୍ୟ ଏବଂ ମେଦପ୍ରଧାନ ସଂସ୍କୃତି, ମେଦପ୍ରଧାନ ଅସୁମାରିଭୋଗ ତଥା ଉପଭୋଗ ଏବଂ ସେହି ବର୍ଗର ଆହୁରି ଆହୁରି କେତେ କ'ଣ ଆଖିବୁଜା ଉଲ୍ଲସିତତା ଆଡ଼କୁ । ଧେଡ଼େଙ୍ଗାମାନେ ବି କ'ଣ ଏଥିଲାଗି କମ ଉତ୍ସାହ ଦେଖାଇବାକୁ ଆରମ୍ଭ କରିଦେଲେଣି ? ଏହି ଧର୍ମମାନେ ମଧ୍ୟ କ୍ରମେ ଭୟଙ୍କର ମାଦକୀୟତା ସହିତ ମେଦପ୍ରଧାନ ହେବାକୁ ଯୁଗର ଆବଶ୍ୟକତା ବୋଲି ବିଚାର କଲେଣି ଏବଂ, ଏହି ଅବର୍ଜିଆ ପ୍ରକ୍ରିୟାଟାକୁ କାହିଁକି ଜଗତୀକରଣ ବୋଲି କୁହାଯାଉଛି କେଜାଣି ? ତଥାପି, ମଥା ଗୁଡ଼ିକୁ ଶୀତଳ ଓ ଥିର କରି ଭାବିଲେ ମନେହେଉଛି ଯେ, ହୁଏତ ସବା ଆଗରେ ଯାଉଥିବା ଆମେରିକାର ସବାଆଗ ହିଁ ହୋସ୍ ଆସିବ, –ସିଏ ପୁନର୍ବାର ଠିକଣା ଘରଗୁଡ଼ିକୁ ସେତେବେଳେ ଫେରି ଆସିବାକୁ ମନକରିବ-। କିନ୍ତୁ ଆମେ ଡାଆଣା ଏବଂ ଅନୁକରଣିଆମାନେ ହୋକୁ ଆସିପାରିବା ଏବଂ ଘରକୁ ବାହୁଡ଼ି ପାରିବା ତ-? ଆମେରିକାରୁ ଚରୁଅନ୍ନ ଖାଉଥିବା ଏବଂ ତଥାପି ଆମେରିକାର ନିନ୍ଦାବାଦ କରୁଥିବା ଆମେ ଏତେ ଏତେ ଆହ୍ୱାନର ଜବାବ ଦେବା ନିମନ୍ତେ ସମର୍ଥ ହୋଇଥିଲେ ଅର୍ଥାତ୍‍ ମଜବୁତ କୌଣସି ସର୍ବପ୍ରାଥମିକ ଅବଶ୍ୟ ଭୂମିଟାକୁ ସମ୍ଭବ କରିଥିଲେ ସିନା ତାହା କରିପାରିବା ! ଧେଡ଼େଙ୍ଗାମାନେ ଏଣିକି ନିଜକୁ ଏହି ପ୍ରଶ୍ନଟିକୁ ପଚାରନ୍ତୁ ।

Image

 

ସମାଜର କର୍ତ୍ତବ୍ୟ

 

ଏବେ ଢିଙ୍କିଶାଳରୁ ଢେଙ୍କାନାଳ ଯାଏ ଲମ୍ବି ରହିଥିବା ବହୁ ଚିତ୍ରବିଚିତ୍ର କାରଣ ବଶତଃ ସାହିତ୍ୟସଭା ଗୁଡ଼ିକରେ ସାହିତ୍ୟର ପ୍ରସଙ୍ଗମାନ ହୁଏତ ଯେତେପଡ଼ୁନାହିଁ, ପାବନର ପ୍ରସଙ୍ଗ ତାହାର ଏକାଧିକ ଗୁଣ ଅଧିକ ପଡ଼ୁଛି । ସାହିତ୍ୟ ମାହାଲର ସଂପୃକ୍ତମାନେ ସତେଅବା କେତେ ନା କେତେ ଗରଜରେ ପଡ଼ି ସେହି ପାବନ ପ୍ରସଙ୍ଗଗୁଡ଼ିକର ସାହାଣମାନେ ମେଲିଯାଇ ପାରିଲେ ହିଁ ତାହାକୁ ହିଁ ଏକ ସାର୍ଥକ ସାହିତ୍ୟ-ସଭା ବୋଲି ଅନୁଭବ କରୁଛନ୍ତି । ଆଗେ ବାଣୀ ପୀଠମାନେ ସଂଖ୍ୟାରେ ଅଳପ ଥିଲେ, ଏବେ ତ ଇଛା କଲା ମାତ୍ରକେ ହାଟ ଅଥବା ପଥପ୍ରାନ୍ତ ଠାରୁହୋଟେଲ ଯାଏ ସବୁଠାରେ ହିଁ ପଇସା ପକାଇ ଦେଲା, ମାତ୍ରକେ ବାଣୀ ପୀଠଟିଏ improvise କରି ଦେଇ ହେଉଛି । କେତେ ଭବ୍ୟ ଏବଂ ଘଟଣ ଭାବରେ ପରିପୂର୍ଣ୍ଣ ସନ୍ତର୍ପଣରେ ଖଟୁଲି ଥାପି ସିରିଣିର ବିତରଣ ସମ୍ଭବ ହୋଇଯାଉଛି । ଲେଖକ ମାଳମାଳ ତଥା ଅତିଥି ମଧ୍ୟ ମାଳ ମାଳ । ତେଣୁ ଉଲ୍ଲସିତ ହୋଇ ଶୁଣିବା ଦ୍ୱାରା ହିଁ ଉଦରଫୁଲି ଉଠୁଛି । ଦୁଃଖ ବୋଲି ଆଉ କିଛି ହେଲେ ରହୁନାହିଁ । ଏବଂ, କେବଳ ଘଡ଼ିଏ ଅଧଘଡ଼ିଏ ନିମନ୍ତେ କେବଳ ନିର୍ଦ୍ଦିଷ୍ଟ ସେହି ଆନୁଷ୍ଠାନିକତାପୂର୍ଣ୍ଣ ବିଶେଷ କକ୍ଷରେ ସବୁକିଛି ଉପଚାରକୁ ସମ୍ପନ୍ନ କରାଯାଉଥିଲେ ମଧ୍ୟ ଏହି କାଳ ମହରଗ ସମୟରେ ସେତିକି କ'ଣ କମ୍ କଥା ଓ କମ୍ ସଫଳତା ?

 

ସେହି ଅବସରମାନଙ୍କରେ ବକ୍ତାମାନେ ଚତୁର୍ମୁଖ ହୋଇ ସାହିତ୍ୟର ତାରିଫ କରନ୍ତି । ତାହା ଶୁଣି ସାହିତ୍ୟିକ ଚିତ୍ତଟା ଆପେ ଆପେ ଖୁସି ହୋଇ ଯାଉଥିବ ବୋଲି ସେମାନେ ତାହା କରନ୍ତି କି ? ଆପଣାର ଅସଲ ମୁଖଟି ନଥିଲେ ଅନେକ ସମୟରେ କେତେ ମଣିଷ ହୁଏତ ଆଉ କେଉଁ ପ୍ରୟୋଜନରେ ପଡ଼ି ଯେ ଚତୁର୍ମୁଖ ହେବା ଲାଗିପ୍ରବଳ ଉତ୍ସାହୀ ଅନୁଭବ କରନ୍ତି, ଏହି କ୍ଷେତ୍ରରେ ହୁଏତ ସେପରି କୌଣସି ଅନୁମାନ କରାଯାଇ ପାରିବ । ସେଠାରେ ବିଜେ ହୋଇଥିବା ତାତ୍ପର୍ଯ୍ୟପୂର୍ଣ୍ଣ ବ୍ୟକ୍ତିମାନେ କେଡ଼େ ମଧୁର ଏବଂ ଗମ୍ଭୀର ମୁଦ୍ରାରେ ତୁମକୁ ସତେଅବା କୌଣସି ବିସ୍ମରଣ ମଧ୍ୟକୁ ଚହଲାଇ ପକାଇବାର ମତଲବରେ ମନ୍ତ୍ରୋଚ୍ଚାରଣ କଲାଭଳି କହନ୍ତି; ସାହିତ୍ୟ ସଦା ଚିରନ୍ତନ ଓ ଶାଶ୍ୱତ । ସମାଜକୁ ଦିଗ୍‌ଦର୍ଶନ ଦେବା ହେଉଛି ସାହିତ୍ୟର ମୂଳକାର୍ଯ୍ୟ । ତେଣୁ ସାହିତ୍ୟର ସେହି ମୂଳ ଲକ୍ଷ୍ୟଠାରୁ ଦୂରେଇ ଯିବା କଦାପି ଉଚିତ ନୁହେଁ ବୋଲି ସେମାନେ ସତର୍କ କରି ଦେଉଥାଆନ୍ତି । କକ୍ଷପୀଠମାନେ ପ୍ରକୃତରେ ଧନ୍ୟ ହୋଇଯାଉଥିବେ । ଏକ ବ୍ୟାଧିଗ୍ରସ୍ତ ଅଶୁଭକାଳରେ ହିଁ ସାହିତ୍ୟକୁ ଆଳ କରି କତିପୟ ବ୍ୟକ୍ତି ଏହିସବୁ ଉପଚାରରେ କଥା କହିବା ସକାଶେ ମନ କରନ୍ତି କି ? ସେମାନଙ୍କର ଜୀବନର ହୁଏତ କେଉଁଠି କ’ଣ ଭାରି ଅସହଜ ହୋଇ ଯାଇଥାଏ, ଯାହାଫଳରେ କି ସେମାନେ କୌଣସି ଆତ୍ମଗୋପନର ନିଷ୍ଠା ସହିତ ଏପରି କହିବା ଲାଗି ଆଗ୍ରହ କରନ୍ତି । । ଓଡ଼ିଶାରେ ସାହିତ୍ୟର ତଥାକଥିତ ଏହି ଆଧୁନିକ କାଳରେ ଯଦି ଅଧିକାଂଶ ସ୍ଥଳାଭିଷିକ୍ତ ବ୍ୟକ୍ତି ସେହି ନିର୍ଦ୍ଦିଷ୍ଟ କୁଶଳତାଟିକୁ ଆଦରି ନେଇଛନ୍ତି ବୋଲି ଧରା ପଡ଼ିଯାଆନ୍ତି । ତେବେ ଆମେ ପ୍ରକୃତରେ କାହାକୁ ଦାୟୀ କରିବାକୁ ମନ କରିବା ? ଏଇଟାକ'ଣ ଏହି ସ୍ଥାନୀୟ ମାଟିଟାର ଦୋଷ ? ଓଡ଼ିଆ ସାହିତ୍ୟର ଦୋଷ ? ଅଥବା ଆଧୁନିକ କାଳଟାର ଦୋଷ ? ଧୀର ହେଲେ ସିନା ଆମେ ସେହି କଥାଟିର ଆଲୋଚନା ମଧ୍ୟ କରିପାରନ୍ତେ !

 

ସାହିତ୍ୟକୁ ଦିଗ୍‌ଦର୍ଶନ ଦେବା ସମାଜର କର୍ତ୍ତବ୍ୟ । ସମାଜକୁ ଦିଗ୍‌ଦର୍ଶନ ଦେବା ସାହିତ୍ୟର ଏକ ପବିତ୍ର କର୍ତ୍ତବ୍ୟ ବୋଲି ଯେଉଁସବୁ ଦାଣ୍ଡ ବା ଦରବାରରେ କୁହାଯିବାରେ ଲାଗିଛି, ସେସବୁ ସେହିପରି କୁହାଯାଉଥାଉ ପଛକେ, ସାହିତ୍ୟକୁ ଦିଗ୍‌ଦର୍ଶନ ଦେବାଟା ଯେ କୌଣସି ସମାଜର ଏକ ବାସ୍ତବ କର୍ତ୍ତବ୍ୟ ବୋଲି ସର୍ବକାଳରେ ତଥା ସବୁ ସମାଜରେ କୁହାଯାଇ ପାରୁଥିବା ଉଚିତ । କାରଣ ସମାଜ ସୁସ୍ଥ ଅର୍ଥାତ୍‍ ପାରସ୍ପରିକ ପ୍ରତ୍ୟୟ ଦ୍ୱାରା ପୁଷ୍ଟ ତଥା ନିର୍ଭରଯୋଗ୍ୟ ହୋଇ ରହିଲେ ସିନା ସେଠି ସାହିତ୍ୟଟା ମଧ୍ୟ ସୁସ୍ଥ ହୋଇପାରିବ । କେତେକ ଅପକାରଣରୁ ଆମର ଏହି ଭାରତବର୍ଷରେ ଏବଂ ଓଡ଼ିଶାରେ ଖାଲି ସାହିତ୍ୟରେ ନୁହେଁ, ସାମୂହିକ ସହ ଜୀବନରସକଳ କ୍ଷେତ୍ରରେ ଆଧୁନିକତା ନାମକ ସେହି ବିଶେଷ ଲବ୍ଧ ଧନଟି ଏପରି କଣା ଏବଂ ଲେଙ୍ଗଡ଼ାଙ୍କ ଭଳି ଆସିଛି ଯେ, ଏଠି ଆକାଂକ୍ଷିତ ଯାବତୀୟ ପ୍ରୟାସ ତଥା ପରିଚର୍ଯ୍ୟା ଭାରି ଅମଙ୍ଗ ଭାବରେ ବ୍ୟାଧିଗ୍ରସ୍ତ ହୋଇ ରହିଛି । ସମଗ୍ରତଃ ସେହି ଅସଲ କାରଣଟାପାଇଁ ହିଁ ସାହିତ୍ୟ ଏକ ବିଶେଷ ବର୍ଗର ଅମୃତଫଳ ସଦୃଶ ହୋଇ ରହିଛି । ଏଠି ସ୍ଵାଧୀନତା ହାସଲ ହେବା ପରେ ଏହି ଗଢ଼ଣଗୁଡ଼ାକରେ ବହୁତ ପରିବର୍ତ୍ତନ ହୋଇଥାଆନ୍ତା ଓ ଅନେକାନେକ ସମ୍ପର୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଏକ ପଙ୍କୋଦ୍ଧାରର କାର୍ଯ୍ୟକୁ ସବାଆଗ ବାଟ ଛାଡ଼ି ଦିଆଯାଇଥାନ୍ତା । ସ୍ୱାଧୀନତା ପୂର୍ବରୁ ସଂଗ୍ରାମୀମାନେ ତ ସେହିପରି ଏକ ପ୍ରାଥମିକ ଅନ୍ୟ ଅନୁକୂଳତାର ପ୍ରତିଷ୍ଠା ନିମନ୍ତେ ସଂଗ୍ରାମଟିକୁ ଲଢ଼ିଥିଲେ । ସେହି ଯାବତୀୟ ସ୍ଵପ୍ନ ଫସର ଫାଟିଗଲା । କାରଣ, ଧାତୁଗୁଡ଼ିକର ମୂଳ ସ୍ଵଭାବରେ ପରିବର୍ତ୍ତନଗୁଡ଼ିକୁ ରୋକି ଦିଆଗଲା । ଅମଲା ବଦଳିଲେ ନାହିଁ–ନୂଆସାଆନ୍ତମାନେ ସେହି ପୁରୁଣା ସାଆନ୍ତମାନଙ୍କର ପରିମଳ ଏବଂ ପରିମଣ୍ଡନ ଗୁଡ଼ାକୁ କାଏମ ରଖିଲେ । ଉଚ୍ଚତମ ବିଦ୍ୟାଥାନଟା ଅଧିକ ଝଲମଲ ଦେଖାଗଲା ସିନା, ମାତ୍ର ପାଠର ପରିମଳଟା ଯେମିତି ସେମିତି ରହିଲା । ସେଠୁ ନାନା ଅସହଜ ଗ୍ରନ୍ଥିଳତା ତଥା ନିପଟ ମିଥ୍ୟା ଗଉଁଗୁଡ଼ାକୁ ପଗଡ଼ି ପରି ମୁଣ୍ଡରେ ବାନ୍ଧି ତୁଚ୍ଛା ହୃଦୟହୀନ ବାବୁମାନେ ହିଁ ଉତୁରିଲେ ଏବଂ ଦେଶର ଭାଗ୍ୟଘରେ ବୃକୋଦର ହୋଇ ବସିଲେ । ଏକ କଳାସାହେବଧର୍ମୀ ଦୂରଛଡ଼ାପଣ ହିଁ ପ୍ରଶାସନରୂପୀ ସେହି କୋଠାଘର ମାନଙ୍କରେ ରାଜତ୍ଵ କଲା । ସ୍ଵାଧୀନ ଦେଶର ପ୍ରତିନିଧିମାନେ ହିଁ ନାନାବିଧ ଆନ ଲୋଭ ଏବଂ ରମଣରେ ମାତି ରହିଲେ ଏବଂ ଅନ୍ଧାରମାନଙ୍କୁ ଅଧିକ ନିର୍ଲଜ୍ଜ ହୋଇ ରହିବାରେ ସାହାଯ୍ୟ କଲେ । ଏମାନେ ହାଉଲେ ହାଉଲେ ସାହିତ୍ୟ ଉପରେ ବି ନଜର ପକାଇଲେ, ସାହିତ୍ୟକୁ ପୋଇଲୀ କରି ରଖିଲେ ।

 

ଅର୍ଥାତ ସାହିତ୍ୟ ସାଆନ୍ତିଆ ହେଲା । ସାମନ୍ତମାନଙ୍କର ସତେଅବା ଗୋଟିଏ ବିଶେଷ ବ୍ୟସନରେ ପରିଣତ ହେଲା । ପ୍ରଧାନତଃ ଆନନ୍ଦ ଦେବାକୁ ଅର୍ଥାତ୍ମନୋରଞ୍ଜନ କରିବାକୁ ଏକ ବିଶେଷ ଔପଚାରିକ କେତେଟା କ୍ଷଣର ଫେଶନ ହୋଇରହିଲା । ମଧ୍ୟଯୁଗରେ ରାଜାମାନଙ୍କୁ ମଝିରେ ରସଗ୍ରାହୀ କର୍ତ୍ତା କରି ବସାଇ କବିମାନେ ଯେ କାବ୍ୟାମୋଦ କରିବା ପାଇଁ ବରଗି ହୋଇ ଆସୁଥିଲେ, ସେହି ରୀତିଟିକୁତ ତଥାପି ବୁଝି ହେଉଛି । ସେ କାଳରେ ଅଧିକ ବେଶୀ କିଛି ହେବା ଲାଗି ସାହିତ୍ୟକାରର ହୁଏତ ଜୁ'ମଧ୍ୟ ନଥିଲା ଏବଂ ସେତିକିଠାରୁ ଅଧିକ୍ ଆଉ କିଛି ଦେଖିବା ନିମନ୍ତେ ଲେଖକମାନଙ୍କର ଅନୁରୂପ ଇନ୍ଦ୍ରିୟଗୁଡ଼ିକ ପାକଳ ବି ହୋଇନଥିଲେ । ତେଣୁ, ସେତେବେଳେ ଅଳପଙ୍କର ପ୍ରୀତ୍ୟର୍ଥ ହିଁ ଭଗବାନଙ୍କର ସେହିପରି ବରାଦ ରହିଥିଲା ପରି ସଭାଲାଖି ସାହିତ୍ୟର ସର୍ଜନା ହେଉଥିଲା । ଜୀବନଠାରୁ ବହୁ ଦୂରକୁ ପଳାଇ ନିଗଲେ କଳାତ୍ମକତା କଦାପି ସମ୍ଭବ ହେବନାହିଁ ବୋଲି ଯାବତୀୟ ଅର୍ଥରେ ମାନି ନିଆ ଯାଉଥିଲା । କିନ୍ତୁ, ଭାରତବର୍ଷ ସ୍ଵାଧୀନତା ଲାଭ କରି ଅମାପ ସମ୍ଭାବନାର ଦ୍ୱାରଦେଶରେ ଆସି ପହଞ୍ଚିଥିବା ସମୟରେ ଏଠି ଯେଉଁ ସାହିତ୍ୟର ଅପେକ୍ଷା ଥିଲା, ତାହା ଜୀବନ, ଅର୍ଥାତ୍ ଜୀବନ୍ତ ମନୁଷ୍ୟ–ମହାଖଣ୍ଡଟିକୁ ମାନି ନେଇ ଭୂମିଟି ଲାଗି, ସମଗ୍ର ଦେଶଟି ଲାଗି ଉପଯୁକ୍ତ ମହକଗୁଡ଼ିକୁ ସୃଷ୍ଟି କରି ବିକଶିତ ହୋଇଥାନ୍ତା-। ଜୀବନ ଲାଗି ସାହିତ୍ୟ, ଦ୍ୱାରୋନ୍ମୋଚନ ଲାଗି ସାହିତ୍ୟ, ସବୁ ମନୁଷ୍ୟଙ୍କୁ ସ୍ୱୀକାର କରିନେଇ ପାରୁଥିବା ଏକ ହୃଦୟଦରଦର ସାହିତ୍ୟ-ତାହା ହିଁ ପ୍ରାସଙ୍ଗିକ ସବୁଯାକ ଅର୍ଥରେ ଆଧୁନିକ ସାହିତ୍ୟ-

 

ସେପରି ହୋଇ ପାରିଲା ନାହିଁ । ପ୍ରାୟ ଏକ ଗେହ୍ଲାପଣ ଭିତରକୁ ଲୋସଡ଼ି ପଡ଼ିବାଟାକୁ ଲେଖକମାନେ ଅତ୍ୟନ୍ତ ଉଦ୍ଧତ ଭାବରେ ସାହିତ୍ୟବୋଲି କହିଲେ । ସାହିତ୍ୟ କହିଲେ ଏକ ବିଶେଷ ଡିହକୁ, ଏକ ବିଶେଷ ବିସ୍ମରଣଧର୍ମୀ ଅଭିନୟକୁ ବୁଝାଇଲା । ଗୋଟାଏ ମୂଳଭୂତ ଅବିଶ୍ଵାସ ଉପରେ ହିଁ ତାହା ନାନା ଅକଳାତ୍ମକ ବାଡ଼ଭିତରେ ଆବଦ୍ଧ ହୋଇ ରହିବାର Obsession କୁ ପ୍ରାୟ ଏକ ବ୍ୟାଧିତ ନ୍ୟାୟରେ ସାହିତ୍ୟର ସଂଜ୍ଞା ବୋଲି କହିବାକୁ ଚେଷ୍ଟିତ ହେଲା । ପୁରୁଣା ଅବଜ୍ଞାମାନେ ଯେମିତି ସେମିତି ରହିଲେ । ସାହିତ୍ୟର ଆଧୁନିକ ଆଜ୍ଞାମାନେ ତାହାକୁ ସୁନା ଚତୁରଶେଣଙ୍କ ପରି ମାନିନେଲେ । ପୁରୁଣା ଦ୍ୱାରା ନିତାନ୍ତ ଅସଭ୍ୟ ଭାବରେ ଉପକୃତ ହେଲେ । ଶାସନନାମକୁ ସେହି ଅତିସ୍ଥବିର କଳଟା, ସେହି ପୁରୁଣା ଶିକ୍ଷାଗୁଡ଼ାକର ତଥାକଥିତବ୍ୟବସ୍ଥା, –ଆପଣାକୁ ଲକ୍ଷ ହୃଦୟଙ୍କ ଠାରୁ ନିରାପଦ କରି ରଖୁଥିବା ଗୋଟାଏ ଉପରୁ ଲଦି ହୋଇ ରହିଥିବା ଭାଷାସାହିତ୍ୟଟା କେଡ଼େ ସୁଶାନ୍ତ ଭାବରେ ପୋଷ ମାନି ରହିଗଲା । ଉଚ୍ଚ ଉଚ୍ଚ ଶାସନ ଥାନ, ଉଚ୍ଚ ଏବଂ ତହୁଁ ଉଚ୍ଚ ଭଳି ଭଳି ଚାକିରି ଓ ସେଥିରୁ ହିଁ ମାନ୍ୟତାପ୍ରାପ୍ତ ଭଳି ଭଳି ହାକିମୀ, ଉଞ୍ଚା ଉଞ୍ଚା ମଥାନମାନଙ୍କରେ ତଥାକଥିତ ଅଧ୍ୟାପନା, ରାଜନୀତି, ନ୍ୟାୟ-ବିତରଣର ଯାବତୀୟ ଅବକାଶରେ ଆମ ସୁକୁମାର ଡାହାଳମାନେ ନିପଟ ଶଠ ହୋଇପାରିଲେ,–ଏବଂ ତେଣେ ସାହିତ୍ୟ କଲେ, ଏପରି କରି ସେମାନେ ଆମ ଜାତିର ମାନ ବଢ଼ାଇଲେ ବୋଲି ମଧ୍ୟ କୀର୍ତ୍ତିମାନ ଶୁଭିଲା । ଯେତେବେଳେ ସାହିତ୍ୟ ଏବଂ ଶାସନ–ଉଆସ ଏହିପରି ଭାବରେ ଗୋଟାଏ ସ୍ୱାର୍ଥବିମଣ୍ଡିତ ସଲାରେ ପରସ୍ପର ସହିତ ଗଅଁଠାଇ ହୋଇ ରହନ୍ତି, ସେତେବେଳେ ଖାଲିଆମ ଏହି ଗୋଟାଏ ଭୂଇଁରେ ନୁହେଁ, ସବୁ ଭୂଇଁ ତଥା ସବୁ କାଳରେ ପ୍ରକୃତରେ ଶନିଟାଏ ଆସି ଲୋକ-ଆସ୍ପୃହାର ସମୁଦାୟ ଆକାଶଟାରେ ଘୋଟି ରହିଯାଏ । ବେଳେବେଳେ ଜରୁରୀ ଅବସ୍ଥା ବୋଲି ଗୋଟାଏ ଗୋଟାଏ ବିଶେଷ ଗ୍ରହକୂଟର ବେଳ ବି ଆସିପହଞ୍ଚି, ଯେତେବେଳେ ପୂରା ବୁଝାମଣା ଗୁଡ଼ାକ ଗୋଟାସୁଦ୍ଧା ଧରା ମଧ୍ୟ ପଡ଼ିଯାଆନ୍ତି ।

 

ତେଣୁ, ସମାଜ ହିଁ ସାହିତ୍ୟର ମାର୍ଗଦର୍ଶନ କରାଉ । ସମାଜ ହେଉଛି ଶାଶ୍ୱତ, ଅପବିତ୍ର ମତଲବ–ପରିଚାଳିତ ମଣିଷମାନେ ସିଧାଗୁଡ଼ିକୁ ମଧ୍ୟ ବଙ୍କା କରି ଦେବାରେ ସର୍ବଦା ନିମିତ୍ତ ହୋଇ ବାହାରି ପଡ଼ନ୍ତି । ଅପବିତ୍ର ମଣିଷମାନେ କୌଣସି ସାହିତ୍ୟକୁ କେବେହେଲେ ପବିତ୍ର କରି ପାରନ୍ତି ନାହିଁ । ଆପଣାର ଅଲଗା ଅଲଗା ପିତ୍ତର ବୋଲଟାକୁ ମାନି ଚତୁର୍ଦ୍ଦିଗରେ କେତେ କ'ଣ ପାଇଁ ଅପେକ୍ଷା ରଖି ବହୁ ବିଶ୍ୱାସରେ ଆଁକରି ରହିଥିବା କୋଟି କୋଟି ମନୁଷ୍ୟଙ୍କର ସମାଜ ହିଁ ଆମ ସାହିତ୍ୟକୁ ଦିଗଦର୍ଶନ ଦେଉ । ସାହିତ୍ୟିକ ତାହାରି ବୋଲ ମାନି ଶିଖୁ । ସବାଆଗ ସାହିତ୍ୟରୁ ହିଁ ଏବକାଳର ନବରଂଗ ଓ ଅଭିନୟଗୁଡ଼ାକ ବିଦା ହୋଇ ଯାଆନ୍ତୁ । ତେବେ ଯାଇ ଅନ୍ୟ ଯାବତୀୟ ସାମୂହିକତାର କ୍ଷେତ୍ରରେ ତାହା ହିଁ ଏକ ନିର୍ଭରଯୋଗ୍ୟ ଅଙ୍କୁଶ ପରି କାର୍ଯ୍ୟ ମଧ୍ୟଦେବ । ସ୍ୱାଧୀନ ଭାରତର ଏହି ବିଗତ ବର୍ଷମାନଙ୍କରେ ମୁଖ୍ୟତଃ ଶଠତାଟା ହିଁ ସାହିତ୍ୟକୁ ଦଖଲ କରି ରହିଆସିଛି । ସେହି ଦୁଃସ୍ଥିତିଟାକୁ ଚ୍ୟାଲେଞ୍ଜ କରାଯାଉ । ସାହସୀ, ହୃଦୟବାନ ମାନେ ପରସ୍ପରକୁ ଆବିଷ୍କାର କରନ୍ତୁ । ଜୀବନ ଲାଗି, ଭବିଷ୍ୟଲାଗି, ମନୁଷ୍ୟ ନାମକ ସମ୍ବଳଟି ଲାଗି ଏକ ଶ୍ରଦ୍ଧାର ସଂକ୍ରମଣ ହେଉ ଓ ତାହା ସାହିତ୍ୟକୁ ମାଧ୍ୟମ କରି ହେଉ । ହୃଦୟ ଦେଇ, ଅର୍ଥାତ୍ ହୃଦୟ ଯୋଡ଼ି ଦେଖିଲେ ମନୁଷ୍ୟ ହୁଏତ ତୁଚ୍ଛା ଏକ ସମ୍ବଳ ରୂପେ ନୁହେଁ, ଗୋଟିଏ ଯଥାର୍ଥ ବଳ ରୂପେ ହିଁ ପ୍ରତିଭାତ ହୋଇଉଠିବ ।

Image

 

ଢାଙ୍କୁଣିଟାଏ ଓ ଛାଙ୍କୁଣିଟାଏ

 

ତାଙ୍କ ନିଜ ଜୀବନକୁ ମହାତ୍ମା ଗାନ୍ଧୀ କୌଣସି ଅବସରରେ ଗୋଟିଏ ଖୋଲା ହୋଇ ରହିଥିବା ବହି ସହିତ ତୁଳନା କରିଥିଲେ । ବହିଟି ଖୋଲା ହୋଇ ରହିଛି ଏବଂ ତାହାକୁ ଯିଏ ଇଚ୍ଛା କରିବ ପଢ଼ିପାରିବ । ସେଠି ଲୁଚାଇବାର ଆଦୌ କିଛି ନାହିଁ । ମହାତ୍ମା ଏମିତି ଗୋଟାଏ କଥାକୁ ଏଡ଼େ ସହଜରେ କହି ଦେଲେ ବୋଲି ଆମେ ତାଙ୍କୁ ସତେ ଅବା ପ୍ରମାଦ ଗଣି ମହାତ୍ମା ବୋଲି କହିବାକୁ ଆରମ୍ଭ କଲୁ କି ? ଆମର ଏହି କଳିଯୁଗରେ ସୁନାମ ଏବଂ ସୁଖ୍ୟାତି ଅର୍ଜନ କରିଥିବା ଅଧିକାଂଶ ଗୁରୁ ତ ଆମକୁ ତାହାର ଓଲଟା କଥା କହିଛନ୍ତି । ସେମାନେ ନିଦା ସଦ୍‍ବାଣୀମାନ ଶୁଣାଇ କେଡ଼େ ଆପଣା ମଣିଷ ପରି କହିଛନ୍ତି ଯେ, ତୁମେ ଯଥାସମ୍ଭବ ନିଜକୁ ଲୁଚାଇ ହିଁ ରଖିବାକୁ ଚେଷ୍ଟା କରିବ । ଭିତରେ ଯାହା ସତକୁ ସତ ହୋଇଥିବ, ତାକୁ କଦାପି ବାହାରେ ଧରା ପକାଇ ଦେବନାହିଁ । କାରଣ ତାହାହିଁ ପରିପକ୍ଵତା ଓ ତାହାହିଁ ‘ତୁମେ ଯେ ଜଣେ । ବୁଦ୍ଧିମାନ୍ ମନୁଷ୍ୟ, ତାହାର ପ୍ରମାଣ । ନିତାନ୍ତ ସତ କଥା ଯେ, ଯଦି ବାହାରର ଆଚରଣରୁ ଭିତରଟା ବିଷୟରେ କିଛି ଜଣାପଡ଼ି ଯାଉଥାନ୍ତା, ତେବେ ସାମ୍ପ୍ରତିକ ଏହିପ୍ରୀତି ତଥା ସଂପ୍ରୀତିର ହାଟଗୁଡ଼ାକ ତ ଆଦୌ ଚଳିପାରନ୍ତା ନାହିଁ । ତୁମେ ଯେଉଁଠାକୁରଙ୍କୁ ବହୁତ ନିଷ୍ଠାର ସହିତ ନିତି ପୂଜୁଛି, ନିଜ ଭିତରେ ମଧ୍ୟ ତାଙ୍କରି ବୋଲ ଅନୁସାରେ ଜୀବନଟିଏ ମଧ୍ୟ ବଞ୍ଚୁଛି ବୋଲି ଯଦି ଆମର ଏହି ଚଳନ୍ତି ବେଭାରମାନଙ୍କରେ ସ୍ୱାଭାବିକ ଭାବରେ ଘଟୁ ବି ଥାଆନ୍ତା, ତେବେ ଠାକୁରମାନେ ବି ହୁଏତ ଆଉ ମୋଟେ ଦରକାର ପଡ଼ନ୍ତେ ନାହିଁ । ମଣିଷମାନଙ୍କର ଉଭା ଏବଂ ପୋତାଏହି ଦୁଇଟା ମଧ୍ୟରେ ଯଦି ଆଉ ସେତେବେଶି ଛଳ ରହିନଥାନ୍ତା, ତେବେ ଏହି ଏକ ମାର୍କାର କଳା, ସାହିତ୍ୟ, ସଂସ୍କୃତି ଇତ୍ୟାଦି : ଯାବତୀୟ ଛାୟାଜୀବନ ନିତାନ୍ତ ଅନାବଶ୍ୟକ ବୋଲି ପ୍ରକଟ ହୋଇଯାଆନ୍ତା ।

 

ଯଦି ପେଟରେ ଜ୍ଞାନ ଥାଆନ୍ତା, ତେବେ ପୃଥିବୀରେ ଏତେ ଏତେ ବହି କାହିଁକି ବାଲେଖା ହେଉଥାନ୍ତା ଓ ଏତେ ଅସୁମାରୀ ସଂଖ୍ୟାରେ ଏହି ପଣ୍ଡିତମାନେ କ'ଣ ପାଇଁ ପେଡ଼ି ମେଲି ବସିଥାନ୍ତେ ? ଯଦି ଭିତରେ ପ୍ରକୃତରେ ଧର୍ମ ବୋଲି ଏକ ନିମ୍ନତମ ପ୍ରତୀତି ଦେଇପାରିବା ଭଳି କିଛି ଥାଆନ୍ତା, ତେବେ ତଥାକଥିତ ଧର୍ମ ଧର୍ମ ମଧ୍ୟରେ ଏତେ ଆଡ଼ମ୍ବର ସହିତ ଅଧର୍ମୀମାନେ କାହିଁ କ ଖଣ୍ଡା ଉଞ୍ଚାଉଞ୍ଚି ହୋଇ ବାହାରି ପଡ଼ନ୍ତେ ! ଯଦି ଭଗବାନ ନାମକ ଚିଜଟିଏ ସତକୁ ସତ ଏହି ସବୁକିଛିକୁ ଧନ୍ୟ କରି ବିରାଜି ରହିଛି ବୋଲି ପୃଥିବୀର ପାଏ ଅଧ ପାଏ ବିବେକ–ସମ୍ପନ୍ନ ବ୍ୟକ୍ତି ମଧ୍ୟ ବିଶ୍ୱାସ କରୁଥାନ୍ତେ, ତେବେ ଏତେ ଏତେ ଅଭିଯୋଗ କରି ନିତାନ୍ତ ଅକ୍ଷତ ତଥା ସମର୍ଥ ମଣିଷମାନେ ସଂସାର ବର୍ଜନ କରି ଅର୍ଥାତ୍ ସଂସାରଠାରୁ ଭିନେ ହୋଇ ବାବାଜୀହୋଇ କ’ଣ ପଇଁ ପଳାଇ ଯାଆନ୍ତେ ? ପୁନଶ୍ଚ, ଆମ ସାମୂହିକ ଭାଗ୍ୟମାନଙ୍କର ନଗରପାଳକମାନେ ଯଦି ଅଣାଏ ଅଂଶରେ ମଧ୍ୟ ଭିତରେ ବାହାରେ ସାଧୁ ଓ ସଂହତିଯୁକ୍ତ ହୋଇଥାନ୍ତେ, ତେବେ କ୍ଷମତାଟା ପୃଥିବୀରେ ଏଭଳି 'ପାଷାଣ୍ଡ କାହିଁକି ହୁଅନ୍ତା,ଏହି ଜଗତ ନାମକ କୁରୁକ୍ଷେତ୍ରରେ ଯୁଦ୍ଧ କାହିଁକି ବା ଲାଗନ୍ତା, ? ମୁହଁଟାଏ ଥିଲେ ତାଙ୍କୁଣିମାନଙ୍କୁ କେବେହେଲେ କୌଣସି ପ୍ରଶ୍ରୟ ମିଳନ୍ତା ନାହିଁ କିମ୍ବା ଭିତରେ ଆପଣାର ଅସଲ ପ୍ରୀତି ଓ ପ୍ରୀତିସ୍ଥାନଗୁଡ଼ିକ ସହିତ ଡୋର ଲାଗିଥିବା ପର୍ଯ୍ୟନ୍ତ ଏବରଏହି ଦୁଷ୍ଟ ଭୟଗୁଡ଼ାକ ଆଦୌ କୌଣସି ମୁହାଁସ ପାଆନ୍ତେ ନାହିଁ । ତେଣୁ ପରସ୍ପର ପ୍ରତି ହିଂସ୍ର ବି ହୁଅନ୍ତେ ନାହିଁ । ହିଂସ୍ରତାମାନେ ପରାକ୍ରମ ବିସ୍ତାରି ରହିଥିବାରୁ ହିଁ ତକାତୀୟତାବାଦର ସେହି ବିଶେଷ ବ୍ୟାଧିଟା ମଧ୍ୟ ଆମକୁ ଏତେ ପ୍ରକୋପ ସହିତ ଦୂଷିତ କରି ରଖି ବି ପାରୁଛି ।

 

ଅର୍ଥାତ୍, ଏହି ଆଧୁନିକ ସମୟଟାର ଚଳନ୍ତି ସ୍ଥଳ-ନୀତିଗୁଡ଼ିକ ଆମକୁ ନିଜକୁ ଢାଙ୍କୁଣିଟାଏ ଦେଇ ଘୋଡ଼ାଇ ରଖିବାକୁ ହିଁ ପରାମର୍ଶ ଦେଉଛନ୍ତି । ଏକଦା ଏକ ଉପନିଷଦରେ କିନ୍ତୁ ଅନ୍ୟପକ୍ଷରେ ତାଙ୍କୁଣିଟାକୁ ପିଟି ଭାଙ୍ଗି ପକାଇବା ବିଷୟରେ । ନିର୍ଦ୍ଦେଶ ଦିଆଯାଇଥିଲା । ମୁଁ ସତ୍ୟକୁ ଦେଖିବି, ଧର୍ମକୁ ଦେଖିବି; ସତ୍ୟ ଓ ଧର୍ମକୁ ବଙ୍କା । ଭାବରେ ନୁହେଁ, ସମ୍ପୂର୍ଣ୍ଣ ସିଧା କରି ଦେଖିବ, ସମ୍ଭବତଃ ସେଇଥିପାଇଁ ସିଧା ହୋଇ ମଧ୍ୟ ଦେଖିବି । ସେଥିଲାଗି ସତ୍ୟାଶୀ ପଥିକଟିଏ ଢାଙ୍କୁଣିଟାକୁ ବିଦୀର୍ଣ୍ଣ କରିଦେବା ନିମନ୍ତେ ବିଶ୍ୱଜଗତର ପରି ପାଳନକର୍ତ୍ତା ପ୍ରଭାତକାଳୀନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲା । ସମ୍ଭବତଃ ପ୍ରକ୍ରିୟାଟି ପ୍ରକୃତରେ ଏହିପରି ଯେ ମଝିରେ ବାଧା ହୋଇରହିଥିବା ସୁବର୍ଣ୍ଣ ଢାଙ୍କୁଣିଟି ବିଦୀର୍ଣ୍ଣ ହୋଇଗଲେ ମୁଁ ନିଜ ଭିତରେ ଅପେକ୍ଷା କରି ରହିଥିବା ସୂର୍ଯ୍ୟଟିକୁ ମଧ୍ୟ ଆବିଷ୍କାର କରିପାରିବି ଏବଂ ତାହାକୁ ଆପଣାର ମୂଳପୁଞ୍ଜି ଓ ପାଥେୟ ରୂପେ ବ୍ୟବହାର କରି ମୁଁ ବାହାରେ ଏହି ସମଗ୍ର ଆକାଶଟିକୁ ଭରି ରହିଥିବା ସୂର୍ଯ୍ୟକୁ ମଧ୍ୟ ନିଜର ସଙ୍ଗୀ ରୂପେ ପାଇ ପାରିବି । ତା'ପରେ ଉଭା ଓ ପୋତାମଧ୍ୟମରେ ଆଉ କୌଣସି ଦୂରତାଗତ ବିକ୍ଷୋଭ ରହିବ ନାହିଁ । ଏହି ତାତ୍କାଳିକ ପୃଥିବୀଟାର ବାଣିଜ୍ୟଟି ଚଳିପାରିବ ବୋଲି କିଛି କାନ୍ଥ ହୁଏତ ରହିବ, କିଛି ଶ୍ରେଣୀ–ବିଭାଜନ ବି ଦରକାର ହେବ, କିନ୍ତୁ ବାହାର ଏବଂ ଭିତରର ନିର୍ଣ୍ଣୟକାରୀ ଯଥାର୍ଥନ୍ୟାୟଟି ଆଉ ଆଦୌ ଦୁଇଟା ଅଲଗା ନ୍ୟାୟ ହୋଇ କଦାପି ରହିବ ନାହିଁ । ବାଟ ଓଗାଳି ଛିଡ଼ା ହେବା ତ ଆହୁରି ଅଧିକ ଦୂରର କଥା ।

 

ପୁନଶ୍ଚ, ଯେପର୍ଯ୍ୟନ୍ତ ଢାଙ୍କୁଣିଟା ଲୋଡ଼ା ହେଉଛି, ସେ ପର୍ଯ୍ୟନ୍ତ ଛାଙ୍କୁଣିଟାଏ ମଧ୍ୟ ରହିବ ହିଁ ରହିବ । ଆପଣାକୁ ଗୋଟିଏ ଖୋଲା ବହି ଭଳି ଗ୍ରହଣ ନ କରିଥିବା ପର୍ଯ୍ୟନ୍ତ ମୁଁ ଆଉ ଜଣକୁ ମଧ୍ୟ ତାହାର ସମ୍ପୂର୍ଣ୍ଣ ସବୁ ପ୍ରସ୍ଥ ଦେଇ ଦେଖିପାରିବି ନାହିଁ । ଏହି ସମ୍ପୂର୍ଣ୍ଣ ସବୁ ପ୍ରସ୍ଥ, ତାହା ହେଉଛି ଶ୍ରଦ୍ଧାର ପ୍ରସ୍ଥ । ନିଜକୁ ଢାଙ୍କୁଣି ଦ୍ୱାରା ଲୁଚାଇରଖିଥିବା ମଣିଷ ଆଉ ଜଣକୁ ଓ ଅନ୍ୟମାନଙ୍କୁ ମଧ୍ୟ ଖଣ୍ଡିଆ କରି ଅବଶ୍ୟ ଦେଖିବ । ନିଜର ପ୍ରଚକ୍ଷୁ ଦେଇ ହିଁ ଦେଖୁଥିବ । ପ୍ରଚକ୍ଷୁଗୁଡ଼ିକୁ କାଢ଼ି ଦେଖିବାର ରୀତିଟିଏ ଗ୍ରହଣ କରିବା ମାତ୍ରକେ ତ ସମସ୍ତେ ସାଙ୍ଗ ଭଳି ଦେଖାଯିବେ, ସହଚାରୀ ସମାନଧର୍ମୀ ପରି ଦିଶିବେ । ତାଙ୍କୁଣିଟାଏ ତେବେ ଆପଣାକୁ ଚାପି ରଖିଥିବ ? ସେକଥା ଆମେ ହୁଏତ କଳ୍ପନା ବି କରିପାରିବା ନାହିଁ । ଆମେ ତ ନାନା ଉଭା ଏବଂ ପୋତା କାରଣବଶତଃ ନିଜକୁ ଭୟ କରୁଛୁ, ନିଜକୁ ପୂର୍ଣ୍ଣ ରୂପରେ ଅନୁଭବ କରିବା ନିମନ୍ତେ ସାହସ କରିପାରୁନାହୁ, ଏବଂ ପ୍ରଧାନତଃ ସେହି କାରଣରୁ ଅନ୍ୟ ସମସ୍ତଙ୍କୁ ମଧ୍ୟ ଖଣ୍ଡିଆ କରି ଦେଖିବାରେ ନାହିଁ ନଥିବା ଆଶ୍ୱସ୍ତି ଅନୁଭବ କରୁଛୁ । ନିଜର ହିରଣ୍ମୟ ଢାଙ୍କୁଣିଟାକୁ ଭାଙ୍ଗି ପାରିନଥିବା ମାଷ୍ଟରଟିଏ ଯେପରି ତାର ଛାତ୍ରମାନଙ୍କୁ ମଧ୍ୟ ପୂର୍ଣ୍ଣ ମହିମା ତଥା ସମ୍ଭାବନାରେ ଗ୍ରହଣ କରିପାରେ ନାହିଁ ଏବଂ ଅନ୍ୟର ଦୋଷ ବାହାର କରିବାରେ ପ୍ରବଳ ଉତ୍ସାହ ଅନୁଭବ କରେ, ଏଇଟି ମଧ୍ୟ ବହୁ ପରିମାଣରେ ସେହିପରି ଏକପ୍ରସଙ୍ଗ ହୋଇଥିବ । ନିଜର ଗେଲବସର ମିଛ ଭେଲଗୁଡ଼ାକର ମାଧ୍ୟମରେ ପୃଥିବୀଟାକୁ ଓ ପୃଥିବୀର ଅନ୍ୟମାନଙ୍କୁ ଦେଖିବାରେ ବିଚରା ବହୁତ ମଣିଷ ଭାରି ଖୁସି ଅନୁଭବ କରନ୍ତି । ପୃଥିବୀରେ ନୀତିବାଦୀମାନେ ମନୁଷ୍ୟମାନଙ୍କ ଭିତରେ ବରଂ ଏକୁଟିଆ ହୋଇ ରହି ଥାଆନ୍ତି ପଛକେ, ମାତ୍ର ଛାଙ୍କୁଣିଗୁଡ଼ାକୁ ପରିବାର କରି ପାରନ୍ତିନାହିଁ । ଈଶ୍ୱର ଏବଂ ବହୁ ଈଶ୍ୱରୀୟ ସମ୍ଭାବନା ଦ୍ୱାରା ପ୍ରତିଶ୍ରତ ହୋଇ ରହିଥିବା ଏହି ମହୀତଳେ ସେମାନେ କାଳେ କାଳେ ଅସଲ ନାସ୍ତିକ ହୋଇ ରହି ଆସିଛନ୍ତି ।

 

ଦୁଇଟା ମଧ୍ୟରେ କେଉଁଟା ଆଗ, –ଢାଙ୍କୁଣିଟା ନା ଛାଙ୍କୁଣିଟା ? ଆଗ କୌଣସି ଅନ୍ତର୍ଗତ ସଂକୋଚବୋଧ ହେତୁ ଜଣେ ମଣିଷ ବା ମଣିଷଗଣ ଆପଣାକୁ ଢାଙ୍କି ରଖିବା ପାଇଁ ମିହନ୍ତ କରିବାରେ ଲାଗିଥାନ୍ତି ନା ଆଗ ଅନ୍ୟ ମନୁଷ୍ୟମାନଙ୍କୁ ନାନା ତଥାକଥିତ ଆଚାରଚୟର ମାନଦଣ୍ଡରେ ପକାଇ ନାକ ଟେକି ନିଜଠାରୁ ଅଲଗା, ନ୍ୟୁନ ଅଥବା ନୀତିହୀନ ବୋଲି ବିଚାର କରନ୍ତି ? ଆମର ବ୍ୟକ୍ତିଗତ ତଥା ସାମୂହିକ ଜୀବନଗତ ଗଭୀରତାଗୁଡ଼ିକର ଯଥାସମ୍ଭବ ଅଧିକ ଗ୍ରହଣଶୀଳ ଭାବରେ ନିକଟବର୍ତ୍ତୀ ହେବା ଲାଗି ପ୍ରୟାସ କରୁଥିବା ବିଜ୍ଞାନଗୁଡ଼ିକ ଏବେ କେତେ କ'ଣ ଉଣ୍ଡି ଅନୁମାନ କଲେଣି ଓ ଆମର ମନୋରହସ୍ୟଗୁଡ଼ିକ ବିଷୟରେ କେତେ କେତେ ଉଦ୍‌ଘାଟନ କଲେଣି । ଏବଂ, କେଉଁଟା ଆଗେ ଓ କେଉଁଟା ପରେ, ଅର୍ଥାତ୍ କେଉଁଟା କାରଣ ଏବଂ କେଉଁଟାପରିଣାମ, ସେସବୁ ଦିଗରେ ଗୁଡ଼ାଏ ଉଖାରି ଦେଖାଇବାରେ ସେମାନେ ବେଶି ସମୟନଷ୍ଟ କରିବା ସକାଶେ ସମ୍ଭବତଃ ଇଚ୍ଛା କରୁନାହାନ୍ତି । ମାତ୍ର ଗୋଟାଏ ଥିଲେ ଆରଟି ମଧ୍ୟ ରହିଥାଏ ବୋଲି ସେମାନେ ମତ ଦେଉଛନ୍ତି । ଗୋଟିଏ ଅନ୍ୟଟିକୁ ସଂବଳିତ କରିବାରେ ଲାଗିଥାଏ । ଗୋଟିଏ ହରକତ ଆରଟି ସହିତ ସଚରାଚର ସେହି ଏକ ବିଡ଼ମ୍ବନାର ପଦାରେ ହିଁ ବନ୍ଧା ହୋଇ ରହିଥାଏ । ଏବଂ, ନିଜ ଭିତରେ ଅଥବା ନିଜ ବାହାରେ: ଯୋଗ୍ୟ ବିଶ୍ୱାସ ଏବଂ ଯୋଗ୍ୟ ଭରସାଟିଏ ପାଇପାରିଲେ ଗୋଟିଏ ସହିତ ଆରଟି ମଧ୍ୟ ପରାଭୂତ ହୋଇ ବିଦାୟ ନିଏ । ନିତାନ୍ତ ଯନ୍ତ୍ରଣାଦାୟକ ଭାବରେ ପ୍ରଧାନତଃ ବହୁବିଧ କ୍ଷତିପୂରଣର ସଦା–ହନ୍ତସନ୍ତ କୁ ହିଁ ଜୀବନଟିଏ ବଞ୍ଚିବାର ପ୍ରଧାନତମ ବାଣିଜ୍ୟ ପରି ଗ୍ରହଣ କରିଥିବା ପର୍ଯ୍ୟନ୍ତ ମଣିଷମାନେ ନିଜକୁ ଲୁଚାଇ ରଖିବାରେ ଲାଗି ଥାଆନ୍ତି ଓ ସତେ ଅବା ଅମାପ ତୃପ୍ତି ପାଉଥିବା ପରି ଅନ୍ୟମାନଙ୍କର ଅବାଞ୍ଛିତଗୁଡ଼ାକୁ ନିଠ କରି ଗବେଷଣା କରୁଥାନ୍ତି । ନିଜ ଆଡ଼କୁ ଆଖି ପୂରାଇ ଅନାଇ ପାରନ୍ତି ନାହିଁ ବୋଲି ଅନ୍ୟ କାହାରିକୁ ଖୁସୀ ହୋଇ ତାର ସକଳ ପାର୍ଥକ୍ୟ ସମ୍ଭେ ଜଣେ ସହଚାରୀ ରୂପେ ଗ୍ରହଣ କରି ପାରୁନଥାନ୍ତି ।

 

ତେଣୁ ସଂସାରଟାକୁ ଏକ ସନ୍ତାପ କରି ମଣନ୍ତି । ଭଗବାନଙ୍କୁ ନିତାନ୍ତ ଆତ୍ମସଚେତନ ଭାବରେ ଆରତନାଶନ ବୋଲି କହନ୍ତି । କୋଉଠି କ'ଣ ନିତାନ୍ତ ବେକୁବପଣ ଦ୍ଵାରା ବାନ୍ଧି ହୋଇ ପଡ଼ିଥାଆନ୍ତି ଯେ, ଭଗବାନଙ୍କର ଅର୍ଥାତ୍ ତାଙ୍କର ଏହି ପୃଥିବୀର କୌଣସି କାର୍ଯ୍ୟରେ ଲାଗି ବି ପାରନ୍ତି ନାହିଁ । ଆମର ଏହି ଆଧୁନିକ ପୃଥିବୀରେ ସାଧନ ଓ ସରଞ୍ଜାମ ଭର୍ତ୍ତି ହୋଇ ରହିଛି । ବୁଦ୍ଧି ଓ ବିଦ୍ୟାରେ ସପ୍ତସିନ୍ଧୁ ଉଛୁଳାଇ ଲହଡ଼ି ଉଠୁଛି, –ହୁଏତ ତିନିଟା ପୃଥିବୀ ନିମନ୍ତେ ସୁଖ ଓ ସ୍ୱାସ୍ଥ୍ୟ ମହଜୁଦ ହୋଇ ରହିଛି । ତଥାପି ଏଠି ଆମର ଅଧିକା ଓ ଆଗୁଆମାନେ ବେଶି ଅଂଶରେ ବଗୁଲିଆ କାହିଁ କି ହେଉଛନ୍ତି, କ’ଣ ପାଇଁ ପରସ୍ପରକୁ ଏତେ ଭୟ କରୁଛନ୍ତି ? ଗୋଟାଏ ଠାକୁରଙ୍କର ଘରକୁ ସାବଳ ମାରି ତାଡ଼ି ନଦେଲେ ଆଉ ଗୋଟିଏ ଠାକୁରଙ୍କ ପାଇଁ ସଂସ୍ଥାନଟିଏ କାହିଁକି ସମ୍ଭବ ହୋଇପାରୁ ନାହିଁ ? ବିଜ୍ଞାନର ଜ୍ୟେଷ୍ଠଭାଗ୍ରଟା କାହିଁକି ଯୁଦ୍ଧ ନିମନ୍ତେ ଖରଚ ହେଉଛି ? ପାଠ ବଢ଼ିଛି, ମାତ୍ର ବିବେକ ଆଉ ନାହିଁ ବା କାହିଁକି ? ଆଦର୍ଶଗୁଡ଼ାକୁ ଭୂତ ଖାଇ ଯାଇଥିବା ପରି ସେଥିରୁ ଏତେ ଏତେ ବାଦ ଓ ବିବାଦ କାହିଁକି ସମ୍ଭବ ହେଉଛି ? ଅଧ୍ୟାତ୍ମ କହିବ ଯେ, ଆପଣା ଆପଣାର ସୁନାଢାଙ୍କୁଣିଗୁଡ଼ାକୁ ପିଟି ଭାଙ୍ଗି ଦେଇପାରିଲେ ଯାଇ ଆମକୁ ସତଟା ତାହାର ପରିପୂର୍ଣ୍ଣ ଭାବାତ୍ମକତାରେ ଦୃଶ୍ୟ ହେବାକୁ ଆରମ୍ଭ କରିବ ଏବଂ, ଭାବାତ୍ମକତାକୁ ମନ କରିପାରିଲେ ଢାଙ୍କୁଣି ଓ ଛାଙ୍କୁଣି ଉଭୟଙ୍କ ଠାରୁ ହିଁ ମନ ଛାଡ଼ିଯିବ । ପୃଥିବୀସାବାଳକ ହେବ ।

Image

 

ଜାଗର୍ତ ଥିବୁ ଲୋ ସୁନାଝିଅ

 

ଉତ୍କଳ ରାଷ୍ଟ୍ରର ମହୁଡ଼ମଣି ଏକଦା କାଶୀପୁରର କେତେଜଣ ମାଆଙ୍କୁ ଯେଉଁଥର ସିଧା ରାଜଧାନୀରେ ଥିବା ତାଙ୍କ ଦରବାରକୁ ବରଗି ଆଣିଥିଲେ, ସେତେବେଳେ ସେହି ଦଳଟି ଭିତରେ ଶିରିଗୁଡ଼ାର ସୁମନି ମଧ୍ୟ ଥିଲା । ଏମାନଙ୍କୁ ମଣିମା ଏକାବେଳକେ ନିଜର କୋଠରୀ ଭିତରେ ବସାଇଲେ । ସମସ୍ତେ ଚଉକି ଉପରେ ସରକାରୀ ରଜାଙ୍କ ସାମ୍ନାରେ ହିଁ ବସିଥାଆନ୍ତି । କ'ଣ ପାଇଁ ମୋଟେ ଆରୋଉନଥାଏ ସିନା, ତଥାପି ବସିବାକୁ ପଡ଼ିଥାଏ । ଚଉକିଗୁଡ଼ାକ ଭିତରେ କାଳକାଳରୁ ଏଭଳି କିମିଆମାନ ରହିଆସିଛି ଯେ, ସେଠି ବସୁ ବସୁ ତୁମେ ଯେ କେତେବେଳେ କଅଁଳ ହୋଇ ଆସିବଏବଂ ପୋଷ ମାନିଯିବ, ତୁମେ ସ୍ୱୟଂ ବି ଜାଣିପାରିବ ନାହିଁ । ସାହୁକାର ବିରୋଧରେ ଏକଜୁଟ ହେବା ଓ ସାହୁକାର କରୁଥିବା ଅନ୍ୟାୟ ଆଗରେ ଛିଡ଼ା ହୋଇ ସଂଗ୍ରାମ ଲଢ଼ିବା–ସେ କଥାଟା ତ ବୁଝିହେବ । ମାତ୍ର ସରକାରୀ ସବାବଡ଼ ସାହୁକାରଟା ଯେତେବେଳେ କଣ୍ଟ ପଠାଇ ତୁମକୁ ତୁମ କାଶୀପୁରରୁ ଏ ରାଜଧାନୀପୁର ଯାଏ ଆଣିଛି, ତୁମକୁ କେଡ଼େ ମର୍ଯ୍ୟାଦାରେ ନିଜର ଏତେ ସମ୍ଭ୍ରମ ପ୍ରଦର୍ଶନ କରି ଏବଂ ସତେଅବା ଶାସ୍ତ୍ରୀୟ ମର୍ଯ୍ୟାଦା ଦେଇ ଚଉକି ଉପରେ ବସାଉଛି,–ସେତେବେଳେ ନିଶ୍ଚୟ କୌଣସି ଏକ ଧର୍ମ ସଙ୍କଟର ଷଡ଼ଯନ୍ତ୍ର ଭିତରେ ଯାଇ ପଡ଼ିଯିବା ପରି ନିଶ୍ଚୟ ଲାଗିବ । ହଁ, ମହାଭାରତ ଯୁଗରେ ମତଲବୀ ରାଜା ଧୃତରାଷ୍ଟ୍ର ବି ହୁଏତ ଏହିପରି କୌଣସି ସ୍ନେହଯୁକ୍ତ ସମ୍ଭ୍ରମର ମର୍ଯ୍ୟାଦା ଦେଖାଇ ଭୀମସେନଟାକୁ କୁଣ୍ଢାଇ ଧରିବା ଆଳରେ ଚୂନା କରିବାକୁ ନିଶ୍ଚୟ ମନ କରିଥିବେ ।

 

କଥା ଜମୁ ଜମୁ ଭାବ ବି କ୍ରମଶଃ ଜମି ଆସୁଥିଲା । ଆଦିବାସୀର ହୃଦୟ ତ, ତେଣୁ ଖୁବ୍‍ ଦ୍ରବି ଆସିବଣି ବୋଲି ଅନୁମାନ କରି ରାଜା କିଞ୍ଚିତ୍ ଗାମ୍ଭୀର୍ଯ୍ୟ ଅବଲମ୍ବନ କରି ଡିମା ଡିମା ଡୋଳା ଦେଖାଇ ମନ୍ଦ୍ର କଣ୍ଠରେ ଆକଟ କଲାପରି ତହୁଁ କହିଲେ, ତୁମର ଜାତି ଭାଇମାନେ ବର୍ଷ ବର୍ଷ ଧରି ଜଙ୍ଗଲଗୁଡ଼ାକୁ ନାଣ୍ଡୁ କରି ନେଉଛନ୍ତି–ଯେତେ ଆଇନ କଲେ ମଧ୍ୟ ଗଛକଟା ମୋଟେ ବନ୍ଦ ହେଉ ନାହିଁ । ତୁମେ ସବୁ ନିଜ ନିଜ ମରଦମାନଙ୍କୁ ଆକଟ ସିନା କରନ୍ତ ! ନହେଲେ ଦେଶଟା ପୁଣି କିଭଳି ଚଳିବ ? ଏହି କଥାଟାର କିପରି ଉତ୍ତର ଦିଆଯିବ, ଅନ୍ୟ ମାଆମାନେ କୌଣସି ଥଳକୂଳ ନପାଉଥିଲା ପରି ଥତମତ ହୋଇ ଯାଉଥାଆନ୍ତି । ହଠାତ୍ ସୁମନି ପାଟି ଖୋଲିଲା ଏବଂ, ସେମାନେ ସମସ୍ତେ ମଣିମାଙ୍କ କଥାର ଯେଉଁ ଗୋଟିଏ ମାତ୍ର ଉତ୍ତର ନିଶ୍ଚିତ ଭାବରେ ଦେଇଥାନ୍ତେ, ପ୍ରତିଭୂ ସଦୃଶ ସେହି କଥାଟିକୁ କହିଲା : ବାବୁ, ତୁ କେମିତି କହି ଦେଲୁ ଯେ, ଆମେ ଆଦିବାସୀମାନେ ଜଙ୍ଗଲଗୁଡ଼ାକୁ ଉଜୁଡ଼ାଇ ଦେଲୁ ? ଏହି ଘରେ ତୋ ପାଇଁ ଯେଉଁ ଟେବୁଲ ଚଉକି ମାନ ପଡ଼ିଛି, ତୁ ନିଜ ଘରେ ଯେଉଁ ପଲଙ୍କ ଉପରେ ଶୋଉଛୁ–ଏ ସବୁ ସେହି ଜଙ୍ଗଲରୁ କଟା ହୋଇ ଆସିଥିବା କାଠମାନଙ୍କରୁ ତିଆରି ହୋଇଛି । ଆମସାଙ୍ଗରେ ଯଦି ତୁ ଆମର ଗାଆଁମାନଙ୍କୁ ଯାଆନ୍ତୁ, ତେବେ ଦେଖନ୍ତୁ ଯେ, ସେଠି କାହାରି ଘରେ ଟେବୁଲ ନାହିଁ କି ଚଉକି ନାହିଁ । ଆମର ଗାଆଁମାନଙ୍କରେ ଜଣେ ମଣିଷ ମଧ୍ୟପଲଙ୍କ ଉପରେ ଶୋଉନାହିଁ । ତେଣୁ ତୁ କିପରି କହୁଛୁ ଯେ, ଆମେ ଆଦିବାସୀମାନେ ଜଙ୍ଗଲଗୁଡ଼ାକୁ ପଦା କରିଦେଲୁ । ସୁମନି ଆଉ ମୋଟେ ଅଟକି ପାରୁନଥାଏ । ସମ୍ଭବତଃ ଅଟକିବାକୁ ଇଚ୍ଛା ବି କରୁନଥାଏ । ଗୋଟାଏ ଖାସ୍ କିସମର କ୍ରୋଧ ଅତ୍ୟନ୍ତ ଥିର ସମାହିତ ଭାବରେ କହି ‘ଚାଲିଥାଏ, ଜଙ୍ଗଲ ହେଉଛି ଆମର ମାଆ, – ଆମର ଠାକୁରମାନେ ଜଙ୍ଗଲରେ ହିଁ ଥାଆନ୍ତି । ଜଙ୍ଗଲ ଆମକୁ ଦାନା ଯୋଗାଉଛି । ସେହି ଜଙ୍ଗଲ ଭିତରକୁ ରାସ୍ତା’ପକାଇ ଟ୍ରକ୍ ନେଉଛନ୍ତି କେଉଁମାନେ ? କଥାଗୁଡ଼ିକୁ ଶୁଣୁ ଶୁଣୁ ମଣିମାଙ୍କର ମୁଖଟା ସତେଅବା ବେଳୁ ବେଳ ଅଧିକ ଉଜ୍ଜ୍ୱଳ ହୋଇ ଉଠୁଥାଏ । ସୁମନି ଭିତରେ ସିଏ ସତେ ଯେପରି ବ୍ରହ୍ମଦର୍ଶନ କରୁଥିବା ଭଳି ଅନୁଭବ କଲେ । ପ୍ରକୃତିସ୍ଥ ହେଲେ । ତା'ପରେ ସମ୍ପୂର୍ଣ୍ଣ ଅନ୍ୟ ମର୍ଯ୍ୟାଦାରେ ସେହି ଆଦିବାସୀ ମାଆ କେତେଜଣଙ୍କୁ ଦେଖି ପାରିଲେ ।

 

ସେହି ଦୁର୍ଲଭ ସାକ୍ଷାତକାରଟି କେତେବେଳେ କ'ଣ ଅନ୍ୟ କିଛିଟାଏ ଘଟାଇମଧ୍ୟ ଆଣିଲା, ଯାହାର ସମ୍ମୋହନରେ ପଡ଼ି ମହୁଡ଼ମଣି ସତେଅବା ଜାଣି ଜାଣି ବେଶ୍‍ ଟଳିଗଲେ ଏବଂ ଘୋଷଣା କଲେ; ବୁଝିଲି, ସବୁ ବୁଝିଲି । ଏହି ଜଙ୍ଗଲକୁ ଏଣିକି ତୁମେମାନେ ରକ୍ଷା କରିବ । ଲୁଟି ନେଉଥିବା ଦୁର୍ବୃତ୍ତମାନଙ୍କୁ ରୋକିବ, ଏଥିଲାଗି ତୁମମାନଙ୍କୁ ମୁଁ ଆବଶ୍ୟକ ପୋଲିସ କ୍ଷମତା ମଧ୍ୟ ପ୍ରଦାନ କଲି । ସରକାରୀ କାଗଜମାନଙ୍କରେ ମଧ୍ୟ ସବୁ ଅନୁରୂପ ଭାବରେ ଲେଖାପଢ଼ି ହୋଇଗଲା-। ତା'ପରେ ଗତ ହୋଇ ଯାଇଥିବା କେତେଟାବର୍ଷରେ ସୁମନିକୁ ଖାଲି କାଶୀପୁର ବାହାରେ ନୁହେଁ, ଓଡ଼ିଶା ବାହାରେ ଓ ଭାରତବର୍ଷ ବାହାରେ ମଧ୍ୟ ବହୁତ ବହୁତ ଲୋକ ଚିହ୍ନିଲେଣି-। ଅନ୍ୟ ମାଆମାନଙ୍କୁ ସାଙ୍ଗକୁ ଜୁଟାଇ ଆଣି 'ଆମ ସଙ୍ଗଠନ' ନାମକ ଜାଗରଣ ତଥାସକ୍ରିୟ ଦାବି ହାସଲର ମଞ୍ଚଟିଏ ଗଢ଼ା ହୋଇ ସାରିଲାଣି । ସଂହତି ଏବଂ ସାହସଗୁଡ଼ିକୁ ଅଧିକ ପରିସରମାନ ଯୋଗାଇ ଦେବା ନିମନ୍ତେ 'ଆରୋହଣ'ବୋଲି ପତ୍ରିକାଟି ଆଗକୁ ଆଗକୁ ବାଟ ଦେଖାଇ ଅର୍ଥାତ୍ ବାଟ ବାହାର କରିବାର ଉଦ୍‌ବୋଧନ ଦେଇ ଚାଲିଛି । ଗାଆଁର ମାଆମାନେ ହଳଦୀ ଗୁଣ୍ଡ କରି ବିକିଲେଣି, ଫୁଲଝାଡ଼ୁ ବାନ୍ଧି ବଜାରକୁ ପଠାଇଲେଣି । ଫୁଲଝାଡ଼ୁକୁ ନେଇ ସ୍ଥାନୀୟ ସରକାରୀ ଅବିବେକିତା ସହିତ ସାନବଡ଼ କିଛି ମୁକାବିଲା ମଧ୍ୟ କରିବାକୁ ପଡ଼ିଲାଣି । କିଏ ଜିତୁଛି ଓ କିଏ ହାରୁଛି କେଜାଣି, ମାତ୍ର ନିଃସନ୍ଦେହ ଭାବରେ ଶକ୍ତି ବୃଦ୍ଧି ପାଉଛି ଏବଂ ଆଖିମାନେ ମଧ୍ୟ କ୍ରମେ ଅଧିକରୁ । ଅଧିକ ଦେଖିବାର ଓ ବୁଝିବାର ସାମର୍ଥ୍ୟ ଲାଭ କଲେଣି । ଆତ୍ମପ୍ରତ୍ୟୟ ବଢ଼ୁଛି-। ପରସ୍ପର ଉପରେ ବି ପ୍ରତ୍ୟୟମାନ ବୃଦ୍ଧି ପାଉଛି ଏବଂ ସେଥିରୁ ଏପରି ଏକ ପ୍ରଭାବଶାଳୀ ସଂଘ ଶକ୍ତି ଜନ୍ମଲାଭ କରୁଛି, ଯାହାକୁ କି କେବଳ ଏକ ସ୍ଥାନୀୟ ନିଶ୍ଚିତପୁଞ୍ଜି ବୋଲି ନକହି ବରଂ ସଦ୍ୟତର ଅର୍ଥରେ ସଂପ୍ରତି ସମୁଦାୟ ବିଶ୍ୱ ଅପେକ୍ଷା କରି ରହିଥିବା ସେହି ଆଗାମୀ ଓ ଆସନ୍ନପ୍ରାୟ ସଂଗ୍ରାମର ଦୃଷ୍ଟାନ୍ତ ବୋଲି ହିଁ କୁହାଯିବ । ବିଶ୍ଵମୁକ୍ତି ର ସେହି ମହିମାମୟ ମାନଚିତ୍ରରେ କାଶୀପୁର ମଧ୍ୟ ନିଜ ଲାଗି ଥାନଟିଏ ସ୍ୱୀକାର କରି ନେଲାଣି । ତାହାହିଁ ଏହି ସନ୍ଦର୍ଭରେ ପ୍ରକୃତରେ ସବାବଡ଼ କଥା ।

 

ସୁମନିକୁ ଇତିମଧ୍ୟରେ ରାଜଧାନୀରୁ ଆପ୍ୟାୟନମାନ ମିଳିଲାଣି । ପୁରସ୍କାର ସ୍ୱରୂପ କ'ଣ ସବୁ ବିଚାର କରି ବେଳେ ବେଳେ ଅର୍ଥରାଶି ମଧ୍ୟ ମିଳୁଛି । ସୁମନି ପରିପୂର୍ଣ୍ଣ ସମ୍ମାନବୋଧ ସହିତ ତାହାକୁ ଗ୍ରହଣ କରିଛି । ସେହି ଟଙ୍କା ସିଏ କିପରି ଭାବରେ ଖର୍ଚ୍ଚ କରିବ, ପୁରସ୍କାର ଗ୍ରହଣ କରୁଥିବାର ସେହି ମଞ୍ଚଗୁଡ଼ିକରୁ ହିଁ ସିଏ କେଡ଼େ ହାଲୁକା ହୋଇ ଘୋଷଣା କରିଛି । ଏବେ ଖଳ ଦୟାଶୀଳମାନେ ସୁମନିକୁ ସୁନାଝିଅ ବୋଲି ଲେଖିଲେଣି । ଏ କଥା ଯଦି ସୁମନିର କାନରେ ଯାଇ ପଡ଼ିଯିବ, ତେବେ ସିଏ ମଧ୍ୟ ସେଥିରେ ପ୍ରସନ୍ନ ଅବଶ୍ୟ ହୋଇଥିବ । ନିଜ ଗାଆଁରେ ସିଏ ପ୍ରକୃତରେ ସୁନାଝିଅ । କାଶୀପୁରର ପାହାଡ଼ ଓ ବଗଡ଼ ଗୋଟାକର ଅବଶ୍ୟ ସୁନାଝିଅ । । ଆମ ରାଜଧାନୀର ଚଳନ୍ତି ଶୈଳୀଗୁଡ଼ିକ ଅନୁସାରେ ଯେଉଁମାନଙ୍କୁ ଏଣେ ସମସ୍ତେ ବୁଝିଗଲା ପରି ସୁନାଝିଅ ବୋଲି କହନ୍ତି, ବହୁତ ଭାଗ୍ୟର କଥା ସୁମନିର ଆଖିରେ ସେସବୁ କେବେହେଲେ ସେତେ ବେଶୀ ପଡ଼ିନଥିବ । ସେହି ନିତାନ୍ତ ପିଲାବେଳରୁ ସୁମନି କେବେହେଲେ କଣ୍ଢେଇଟିଏ ପରି ବସିବାର ଦୁର୍ଯ୍ୟୋଗ ଭୋଗ କରିନଥିବ । ପିଲାବେଳୁ ବାପାମାଆଙ୍କ ସହିତ ଜଙ୍ଗଲକୁ ଯାଇଥିବ, ତା'ଚାରିପାଖରେ ଜଙ୍ଗଲ ଏବଂ । ପର୍ବତମାନଙ୍କ ସହିତ ନିତ୍ୟ ମିତଟିଏ ହୋଇପାରିଥିବ । ସେହି ଭଳି ସୁନାଝିଅଟିଏ ହୋଇଥିବାରୁ ହିଁ ତ ଏକଦା ସିଏ ଜଣେ ଜିଲ୍ଲା ମାଜିଷ୍ଟ୍ରଙ୍କୁ ସିଧା ଉତ୍ତରଟିଏ ଦେଇ ସରକାର କାର୍ଯ୍ୟକାରୀ କରିବା ଲାଗି ନିଷ୍ପତ୍ତି ନେଇ ସାରିଥିବା ଯୋଜନାଟାକୁ କାର୍ଯ୍ୟକାରୀ ହେବାରୁ ରୋକି ଦିଆଇ ପାରିଥିଲା । ସରକାର ଅକ୍ତିଆର କରିଥିବା ବୃହତ୍‌ ପରିମାଣର ଚାଷଜମିରେ କଫି ଚାଷ ହେବାର ନିଷ୍ପତ୍ତି ହୋଇ ଯାଇଥିଲା । କଫିବାହାରକୁ ଯିବ, ବହୁତ ଅର୍ଥାଗମର ରାସ୍ତା ଖୋଲିବ, –ଦରିଦ୍ର ଆଦିବାସୀର ଅବସ୍ଥା ବଦଳିବ, –ମାଜିଷ୍ଟ୍ରେଟ୍ ମହାଶୟ ସଭାଟିଏ କରି ପ୍ରାଞ୍ଜଳ ଭାବରେ ବୁଝାଇ ଦେଉଥିଲେ । ସୁମନି ଠିଆ ହୋଇପଡ଼ି ଜବାବ ଦେଇଥିଲା : ହଁ, ଖୁବ ଟଙ୍କା ଆସିବ, ତୋ'ଠାରୁ କାଗଜ ଆଣି ଏଠି ବେପାରୀମାନେ ମଦଦୋକାନ ଖୋଲିବେ ଓ ତା’ ପରେ ଆମ ମରଦମାନେ ସେଠୁ ମଦ ପିଇ ମାତାଲ ହେବେ ଓ ଘରକୁ ଆସି ଆମ ମହିଳାମାନଙ୍କୁ ମାଡ଼ ମାରିବେ । ନାଇଁ ବାବୁ, କଫି ଥାଉ, ଏହି ଜମିରେ ମାଣ୍ଡିଆ ଚାଷ ହେଉ-। ତା'ଫଳରେ ହାକିମ ତାଙ୍କ କଫି ପ୍ରସ୍ତାବଟିକୁ ପ୍ରତ୍ୟାହାର କରି ନେଇଥିଲେ । ତା'ନିଜ ନିତିଦିନର ରାଇଜଟିର ସୁନାଝିଅ ହୋଇନଥିଲେ ସୁମନି ଏଡ଼େ ଆଣ୍ଟରେ ମୋଟେ କଥା କହି ପାରିନଥାନ୍ତା-। ସୁନାଝିଅ ସୁମନି ବର୍ତ୍ତମାନ ଆଈ ହେଲାଣି । ସରକାରଙ୍କୁ ଘରୁ ମୁକାମ ଧରି ଠିକାଦାରମାନେ କାଶୀପୁରକୁ ମଦ କାରବାର କରିବା ପାଇଁ ବି ପହଞ୍ଚି ଯାଇଛନ୍ତି । ଆମ ସଙ୍ଗଠନର ସାଥୀମାନଙ୍କୁ ନେଇ ସୁମନି ମଦ ଠେକିଗୁଡ଼ାକୁ କଣା କରି ଦେବାର ଅଭିଯାନ ଚଳାଇଛି । ସିଏ ଖୁବ୍ ଜାଣିପାରୁଛି ଯେ, ଆଦିବାସୀ ବାପୁଡ଼ା ଏହି ମହଟାକୁ ନଛାଡ଼ିଥିବା ପର୍ଯ୍ୟନ୍ତ ଭଗାରିମାନେ ସହଜରେ ବହୁ ପ୍ରଲୋଭନ ଦେଖାଇ ତା'ଭାଗ୍ୟର ଘର ଭିତରେ ଆସି ପଶି ଯାଉଥିବେ ଏବଂ ଉପଦ୍ରବ ମଧ୍ୟ କରୁଥିବେ । ଏହି ଭୋଟ ବ୍ୟବସ୍ଥା ଚାଲୁ ହେବା ପରେ ଆଦିବାସୀଙ୍କଭିତରୁ କେତେଜଣ ରାଜନୀତିରେ ପଶିଛନ୍ତି, ଲୋକପ୍ରତିନିଧି ହୋଇ ଭୁବନେଶ୍ୱର ଓ ଦିଲ୍ଲୀ ପର୍ଯ୍ୟନ୍ତ ଯାଇଛନ୍ତି-। ସେମାନେ ସେଇଆଡ଼େ ବିକ୍ରି ହୋଇ ଯାଇଛନ୍ତି । ଧନସମ୍ପତ୍ତ ଠୁଳ କରିଛନ୍ତି, କେତେ ଜମିବାଡ଼ି ବି କିଣିଛନ୍ତି । ଏ ଭୂଇଁଟାକୁ ଅନାଉ ନାହାନ୍ତି । ତେଣୁ ସତକୁ ସତ ପରିବର୍ତ୍ତନ ଗୁଡ଼ିକୁ ସମ୍ଭବ କରିବାକୁ ହେଲେ ସର୍ବବିଧ ସଙ୍ଗଠନକୁ ଏହିଭୂଇଁରେ ହିଁ ଚେରଗୁଡ଼ିକୁ ମଜବୁତ କରିବାକୁ ପଡ଼ିବ-। ସୁମନିମାନେ ଏକଥା ମଧ୍ୟ ବୁଝିପାରିଲେଣି ଯେ, ମରଦମାନଙ୍କ ଅପେକ୍ଷା ମହିଳାମାନେ ହିଁ ଅଧିକ ସଫଳତାର ସହିତ ଏଠାରେ ମଣିଷର ଯାବତୀୟ ଭାଗ୍ୟକୁ ତିଆରି କରିବେ । ଆଦିବାସୀ ମୂଳତଃ ଜଣେ ମଣିଷ ଓ ଏହି ଦେଶରେ ଜଣେ ପୂର୍ଣ୍ଣ ନାଗରିକ, ଏଠି ସମ୍ମୁଖକୁ ଆଖି ପ୍ରସାରି ଏବଂ ଅଣ୍ଟାକୁ ସିଧା କରି ନିଜର କଥା ପୂର୍ଣ୍ଣପ୍ରତ୍ୟୟ ସହିତ କହି ପାରିବାକୁ ଯେ ତା’ର ଅଧିକାର ରହିଛି, ସୁମନିର ଦଳ ସତେଅବା ଗୋଟାଏ ଏହିପରି ସ୍ଵପ୍ନମୟ ସକାରାତ୍ମକତାକୁ ପାଥେୟ କରି ଅଗ୍ରସର ହେବାରେ ଲାଗିଛି । ଥିରି ଥିରି ପାଦପକାଉଛି, ଠିକ୍ ବାଘ ପରି । ତା'ହିତ କରିବା ନିମନ୍ତେ ସରକାର ଟଙ୍କା ଦେଉଛି, ଏବଂ ବାହାରୁ ବାବୁମାନେ ବି ଆସିବାକୁ କେତେ କ’ଣ ଭୁବନର ବାର୍ତ୍ତା ଶୁଣାଉଛନ୍ତି । ମାତ୍ର, ଅସଲ ଯାବତୀୟ ନିର୍ମାଣ ତା'ନିଜ ଦ୍ୱାରା ହେବ । ତେଣୁ ଜାଗ ରହିଥିବୁ ଲୋ ସୁମନି, ପୃଥିବୀର ସାହୁକାରବର୍ଗ ତୋତେ ସତର ପ୍ରକାରେ ଲୋଭାଇବାକୁ ଆସିବେ, ତୋତେ ସୁନାଝିଅ ବୋଲି କହି ବହୁତ ପ୍ରକାରେ ତାରିଫ କରିବେ । ତୁ ସେମାନଙ୍କର ଦୟାରେ ମୋଟେ ଭୁଲିବୁ ନାହିଁ ଟି ! ଆଦିବାସୀ ହିସାବରେ ନୁହେଁ, ଏହି ଦେଶରକେତେ କୋଟି ନାଗରିକ ହିସାବରେ ହିଁ .ତୋତେ ଏ ଦେଶର ସମ୍ଭାବନାପୂର୍ଣ୍ଣ ଜୀବନରେ ଥାନ ମିଳିବ, ଅଧିକାର ମିଳିବ । ତଥାକଥିତ ଅଲଗା ଗୋଠଟାଏ କରି ରହିଥିବା କାହାର ଅନୁକମ୍ପାର ପାତ୍ର ହୋଇ ରହିଥିବା ହିତାଧିକାରୀ ଭାବରେ ନୁହେଁ, ଏସମସ୍ତଙ୍କର ସମକକ୍ଷ ବୋଲି ଗ୍ରହଣ କରାଯିବ । ତେବେ ଯାଇ ଦ୍ରୋପଦୀର ବେଣୀବନ୍ଧା ହେବ ଏବଂ ସେ ଯାଏ ବାରବାର ମଦଠେକି କଣା କରିବାକୁ ପଡ଼ୁଥିବ, ସାହୁକାରର ଜବାବ ଦେବାକୁ ପଡ଼ୁଥିବ । ତେଣୁ, ଜାଗର୍ତ ରହିବୁ ଲୋ ସୁନାଝିଅ, –ତୋତେ ଜଙ୍ଗଲରରାଣ ରହି ଲା, ଜାଗର୍ତ ରହିବୁ ।

Image

 

ହାରିବାରୁ ହେତୁଚିନ୍ତା

 

ଗଣତନ୍ତ୍ରରେ ହିଁ ଏ ବାଟ ଓ ସେ ବାଟ ଭିତରେ ବଳ କଷାକଷି ଚାଲିଥାଏ । ସେହି ବଳ କଷାକଷିକୁ ପୌର ଅଭିଧାନରେ ବିରୋଧ ବୋଲି କୁହାଯାଏ । ଗୋଟାଏପଟ ଜିତନ୍ତି ଓ ଆରପଟଟି ବିରୋଧୀ ଦଳରେ ରୁହେ । ସେମାନେ ତଥାପି ଏକାଠି ବସନ୍ତି, –ଏପରିକି ଖୁବ୍ ଆମ୍ପୁଡ଼ା ଆମ୍ପୁଡ଼ି ବି ହୁଅନ୍ତି । ସେହି ଆମ୍ପୁଡ଼ା ଆମ୍ପୁଡ଼ି, ସେହି ବଳ କଷାକଷି ଅର୍ଥାତ୍ ସେହି ବିରୋଧ ଦ୍ୱାରା ହିଁ ଗଣତନ୍ତ୍ର ଚାଲେ, ଦେଶର ଭାଗ୍ୟଟିଏ ସଚଳ ହୁଏ, –ସ୍ଵପ୍ନମାନେ ଏବଂ ଆଦର୍ଶମାନେ ଆତ୍ମନିରୀକ୍ଷଣ କରନ୍ତି । ଆଏବା ଥରକୁ ଅଧିକ ସୁଚିନ୍ତିତ ଭାବରେ ସଜାଡ଼ି ହୋଇ ରହିବା ନିମନ୍ତେ ବିକଳ୍ପମାନଙ୍କୁ ପରଖି ଦେଖିବାକୁ ମନ ବି କରନ୍ତି । ଡିକ୍ଟେଟରମାନେ ହାରନ୍ତି ନାହିଁ । ସେମାନଙ୍କ ଭିତରେ ସମ୍ଭବତଃ କେଉଁ ମୂଳଭୂତ ବିରୋଧ ଏବଂ ମୂଳଭୂତ ଅସଭ୍ୟତାମାନଙ୍କ ପାଖରେ ସେମାନେ ନିତାନ୍ତ ଶୋଚନୀୟ ଭାବରେ ପରାସ୍ତ ହୋଇ ରହିଥାନ୍ତି କେଜାଣି, ସେମାନେ ଏଠି ଏକା କେଶରୀ ହୋଇ ରହିବାର ଧନ୍ଦାରେ ରହି ଯାଇଥାଆନ୍ତି । ଏକ ସାମୂହିକ ବା ପାରସ୍ପରିକ ଜୀବନକୁ ହିଁ ଆପଣାର ସଚେତନ ଶ୍ରଦ୍ଧାଟିଏ ଦେଇ ଚିହ୍ନିବାକୁ ଆରମ୍ଭ କରିବା ପରେ ମନୁଷ୍ୟର ଏହି ବିଶ୍ୱବ୍ୟାପୀ କ୍ରିୟାଶୀଳତାକୁ ଆମେ ନିଶ୍ଚୟ ବହୁ ସଂଗତିର ସହିତ ସେହି ଗଣତନ୍ତ୍ରଟିର ପ୍ରୟୋଗ ହୋଇ ଆସିଥିବାର ବହୁ-ବର୍ଣ୍ଣ ଯୁକ୍ତ ଗୋଟିଏ ଇତିହାସ ବୋଲି କହିପାରିବା ନାହିଁ କାହିଁକି ?

 

ଗଣତନ୍ତ୍ର ନିମନ୍ତେ ଏହି ନିର୍ବାଚନକୁ ଗୋଟିଏ ଯୁଦ୍ଧ ବୋଲି ଧରି ନିଆ ଯାଇଥାଏ । ପୁରାଣଗୁଡ଼ିକରେ ଯେଉଁ ଯୁଦ୍ଧଗୁଡ଼ିକର ବର୍ଣ୍ଣନା ଆମ ଋଷିମାନେ ଆମକୁ ଦେଇଯାଇଛନ୍ତି, ସେଥିରେ ଗୋଟିଏ ପାଖରେ ଧର୍ମ ଥାଏ ଏବଂ ଆରପଟଟିରେ ଅଧର୍ମ ରହିଥାଏ । ତେଣୁ ଭଗବାନଙ୍କୁ ମଧ୍ୟ ସିଏ କୋଉ ପଟଟିରେ ରହିବେ, ଅତ୍ୟନ୍ତ ସହଜରେ ନିଷ୍ପତ୍ତ କରିବା ସମ୍ଭବ ହୋଇଯାଏ । ଏବର ନିର୍ବାଚନ ଯୁଦ୍ଧମାନଙ୍କରେ ଧର୍ମଉଭୟ ପାଖରେ ଥାଏ । ତେଣୁ, ଏକଥା ମଧ୍ୟ ଦାବି କରାଯାଇପାରିବ କି, ସେହି ନ୍ୟାୟରେ ଫଳାଧୀଶ୍ୱର କୃଷ୍ଣ ମଧ୍ୟ ଦୁଇ ପଟେ ରହିଥାନ୍ତି ? ତଥାପି ନିର୍ବାଚନରେ ଗୋଟିଏ ପଟ ଜିତେ ଏବଂ ଆଉ ଗୋଟିଏ ପଟ ହାରେ । ଆରପଟଟି ହାରେ ବୋଲି ତ ଏପଟଟା ବିଜୟୀ ହୁଏ ଏବଂ ଏପଟଟା ହାରେ ବୋଲି ଆରପଟଟା ବିଜୟୀ ହୁଏ । ଭାରତବର୍ଷରେ ପ୍ରାୟ ଅଧେ ଅଞ୍ଚଳରେ ନିର୍ବାଚନର ଯେଉଁ ପୂର୍ଣ୍ଣାଭିନୟଟିଏ ସଂପ୍ରତି ହୋଇଗଲା, ସେତେବେଳେ ଆମ ସମସ୍ତଙ୍କୁ ପ୍ରକୃତରେ କେତେ ଭଲ ଲାଗୁନଥିଲା ! ସତେଅବା ଆମ ଗାଆଁମୁଣ୍ଡ ପୋଖରୀଟାରୁ ପଙ୍କ ବାହାର କରି ଆମେ ଗାଆଁବାଲାଏ ହୁଡ଼ାଗୁଡ଼ାକୁ ଅଧିକ ଉଚ୍ଚ କରି ତିଆରି କରୁଥିଲୁ ! ଅଥବା, ଆମ ବାରିପଟ ନଳାଟାକୁ ସଫା କରାଯାଉଥିଲା, ଯାହାଫଳରେ କି ମଇଳା ପାଣିଗୁଡ଼ାକ ଆଉ ଆମ ଢିଙ୍କି ଚାଳିଟାପାଖରେ ଜମା ନହୋଇ ନ ପଚି ଦୂରକୁ ଗଡ଼ି ଚାଲିଯାଇ ପାରିବେ । ବହି ଅନୁସାରେ ପାଞ୍ଚବର୍ଷରେ ସିନା ଏହି ନିର୍ବାଚନଟା ହୁଏ; ମାତ୍ର ବିଧାତାଙ୍କର ବେଳେ ବେଳେ ନିଷ୍ପତ୍ତିର ପୂର୍ବରୁ ହିଁ ସ୍ଵୟଂ କ୍ଷମତାସୀନମାନେ ମଧ୍ୟ କ'ଣ ସବୁ ଭୁଲ୍‍ ହିସାବ କରି ସହଳ ନିର୍ବାଚନ ପାଇଁ ରାଜି ହୋଇଯାଆନ୍ତି । ସେମାନଙ୍କୁ ବଡ଼ଦାଣ୍ଡଟା ଭାରି ଟାଣେ ଏବଂ ତେଣୁ ସତେଅବା ଏକ ଅଧ୍ରୁବର ନୂଆ ନାଟକରେ ହିରୋ ହେବା ନିମନ୍ତେ ସେମାନଙ୍କର ଜିଭଟି ଛଟପଟ ହୋଇଉଠେ । ଏବଂ ନିତାନ୍ତ ସତକଥାଟି ବି ହେଉଛି ଯେ, ତଦ୍ୱାରା ସେମାନଙ୍କର ଅସଲ ହିରୋଗୁଡ଼ିକ ଖୁବ୍ ବାରି ହୋଇ ପଡ଼ିବେ । ମିଛ ହିରୋମାନେ କେତେ ସୂତରରେ ଧରା ପଡ଼ିଯାଆନ୍ତି । ଏବଂ ତାହା ଏହି ଜଗତ ଲାଗି ଅବଶ୍ୟ କଲ୍ୟାଣକାରୀ ହୁଏ ।

 

ଏଥରର ନିର୍ବାଚନଟି ମଧ୍ୟ ତେଣୁ ବେଶ୍ ଆନନ୍ଦଦାୟକ ହୋଇପାରିଲା । ଇଏତା’ ଖୁଣଗୁଡ଼ାକୁ କାଢ଼ିଲା ଏବଂ ସିଏ ୟା' ଖୁଣଗୁଡ଼ାକୁ କାଢ଼ିଲା । କେତେ କିଏ କେତେ କୁଆଡ଼େ ଯେ ଡେଇଁଲେ, ଏବଂ କେଡ଼େ ପ୍ରତିଭାସମ୍ପନ୍ନ ଭାବରେ ଯେ ନିତାନ୍ତ ନିର୍ଲଜ୍ଜ ହୋଇ ନିଜକୁ ପଦାରେ ପକାଇଲେ, ପରମ ଆମୋଦର ସହିତ ଦେଶବାସୀଏ ତାହା ଦେଖିବାକୁ ପାଇଲେ । ଗଣତନ୍ତ୍ର ପ୍ରକୃତରେ ଲାଭବାନ ହେଲା । ଫଳମାନ ବାହାରିବାପରେ ବିଜୟ ତଥା ପରାଜୟଗୁଡ଼ିକର ପରିପୂର୍ଣ୍ଣ ବେଉରାଟିଏ ମିଳିଗଲା । ନୂଆଚିତ୍ରଟିଏ ଉକୁଟି ଆସୁଥିଲା ପରି ମନେହେଲା । କେତେ କିଏ ହାରିଗଲେ; ଅର୍ଥାତ୍ ବ୍ୟକ୍ତି ହାରିଲେ, ଦଳମାନେ ବି ହାରିଲେ । ଏବଂ, ଦଳମାନେ ହାରିଲେ, ସେମାନେ ଆତ୍ମସମୀକ୍ଷା କଲେ । ଅର୍ଥାତ୍ ହାରି ଯାଇଥିବାର କାରଣଗୁଡ଼ିକୁ ଏକାଠି ହୋଇ ଖୋଜିଲେ । ବିଶେଷତଃ, ଯେଉଁମାନେ ଆମେ ଅବଶ୍ୟ ଜିତିବୁ ବୋଲି ପୂରା ଧରି ନେଇଥିଲେ, ସେମାନେ ଏପରି ହାରିଯିବା ହେତୁ ଅଧିକ କଲବଲ ହୋଇ ହେତୁଗୁଡ଼ିକୁ ଖୋଜିବାରେ ଲାଗିଗଲେ-। ସେମାନଙ୍କର ଚର୍ଚ୍ଚା ଓ ଅନୁମାନଗୁଡ଼ିକ ଖବରକାଗଜରେ ବାହାରିଲା । ପଢ଼ିବାବେଳେ ମନେ ହେଉଥିଲା, ସେମାନେ ସତକୁ ସତ ଆଦୌ କୌଣସିସମୀକ୍ଷା କଲେ କି ? ଏବଂ, ଆତ୍ମସମୀକ୍ଷା ତ ଆହୁରି ଅଧିକ ଦାୟିତ୍ଵପୂର୍ଣ୍ଣ ଏକ ସ୍ତରରକଥା,–ଏକ ଅନ୍ୟ ସଚେତନତା ତଥା ଅନ୍ୟ ଅଙ୍ଗୀକାରବଦ୍ଧତାର କଥା । ଏକ ଆତ୍ମମନ୍ଥନ ମଧ୍ୟ କରି ପାରୁଥିଲେ ତ ସେମାନେ ଆମର ଏହି କାଳର ଫାଶଗୁଡ଼ିକୁ ଖୋଲିଯିବାରେ ହୁଏତ ଢେର ସାହାଯ୍ୟ କରିପାରନ୍ତେ ! କେତେ କେତେ ଅକଳାତ୍ମକ ଶବ୍ଦବସାଣରେ ସେମାନେ ତୁଚ୍ଛା ଗୁଡାଏ ଆତ୍ମଦହନର ପରିଚୟ ଦେଇ ପକାଇଲେନାହିଁତ ? ହାରିଥିଲେ, ତେଣୁ ଏକାଠି ବସି ଆତ୍ମଚିନ୍ତନ କଲେ ,–ହେତୁ ଚିନ୍ତା କଲେ-। ଏହି ଯାବତୀୟ ଚିନ୍ତା ସେମାନେ ଗୋଟାସୁଦ୍ଧା ନିଜକୁ କେନ୍ଦ୍ର କରି ବା ଖୁବ୍ ବେଶୀ ହେଲେ ନିଜ ଦଳଟାକୁ କେନ୍ଦ୍ରଥଳରେ ରଖି କରୁଥିଲେ । ଭାରତବର୍ଷର ଏବର ଏହିତଥାକଥିତ ନିର୍ବାଚନସର୍ବସ୍ୱ, ରାଜନୀତିରେ ସମ୍ଭବତଃ ଦଳମାନଙ୍କର ସେପରି କିଛି ମହତ୍ତ୍ୱ ନାହିଁ । ବିଶେଷ ମୂର୍ତ୍ତିମାନେ ବସ୍ତୁତଃ ଗୋଟି ଗୋଟି ହୋଇ ନିଜର ବ୍ୟକ୍ତି ଗତନାନା ସିଦ୍ଧି ନିମନ୍ତେ ଆସି ଦଳଗୁଡ଼ିକ ଭିତରେ ପହଞ୍ଚି ଯାଇଛନ୍ତି ।

 

ହଁ, ସିଧା ଏବଂ ବଙ୍କା ନାନା ପ୍କାରର ସିଦ୍ଧି । ତେଣୁ ରାଜନୀତି କହିଲେ ଏବଂଏହି ବ୍ୟକ୍ତିମାନଙ୍କର ଟାଙ୍ଗରା ମୁଣ୍ଡଗୁଡ଼ାକ ହିଁ ସତେ ଅବା ପରସ୍ପର ସହିତ ଆସି ତୁ ତୁହୋଇ ବାଜିବାକୁ ହିଁ ବୁଝାଉଛି । ଏହି ଯାବତୀୟ ଅନୁଧାବନ ପଛରେ କୌଣସି ଦେଶନାହିଁ, ସାମୂହିକତା ନାମକ ସେହି ଭାଗ୍ୟଟିର ଲେଶମାତ୍ର ହିଁ ନାହିଁ । ତେଣୁ, ଭାରି ଟାଉଟାଉ ଭାବରେ ଏମାନେ ସମୀକ୍ଷାଟାର ପର୍ବଟା ଶେଷ କରିଦେଇ ଇତି ମଧ୍ୟରେ ଆପଣାର ଅସଲ ଧର୍ମଗୁଡ଼ିକ ପାଖକୁ ଫେରି ଆସି ସାରିଲେଣି । ଯେଉଁମାନେ ବିଜୟଲାଭ କରିଛନ୍ତି, ସେମାନେ ଉପନିଷଦର ସେହି ଋଷିପତ୍ନୀ କାତ୍ୟାୟନୀଙ୍କ ପରିକ୍ଷମତାସୀନତାର ପିଣ୍ଡିଗୁଡ଼ିକୁ ଯଥାସମ୍ଭବ ନିଜ ଅନୁକୂଳ ଅନ୍ଦାଜଗୁଡ଼ିକ ଅନୁସାରେ ମଜବୁତ କରିବାରେ ଲାଗିଗଲେଣି । ପୁନଶ୍ଚ, ଯେଉଁମାନେ ହାରି ଯାଇଛନ୍ତି, ସେମାନେ ଭିତରେ ଟକଟକ ହୋଇ ଫୁଟୁଛନ୍ତି,-ଭିତରେ ଯେତେ ରବେଇ ଖବେଇ ହେଉଥିଲେ ମଧ୍ୟ ବାହାରେ ସମ୍ଭ୍ରାନ୍ତବତ୍ ଦେଖାଯିବାକୁ ପ୍ରୟାସ କରୁଛନ୍ତି । ସେମାନେ ପୂରା ପରବର୍ତ୍ତୀ ନିର୍ବାଚନଟା ଉପରେ ନିଘାରଖି ବୈରାଗ୍ୟ–ଶତକର ପାରାୟଣ କରୁଛନ୍ତି । ପୂରା ମିଆଦ ଅପେକ୍ଷା କରିବାକୁ ମନଟା ବି କାହିଁକି ହେବ ? ତା'ପୂର୍ବରୁ ଯଦି କୋଉଠି, କ’ଣ ଭୁଷୁଡ଼ାଇ ଦିଆଯାଇ ପାରିବ, ତେବେ ଆଉ ଥରେ ନିର୍ବାଚନଟାଏ ଆସିବ ଏବଂ ହୁଏତ ଦୁର୍ଦ୍ଦଶାଟା ବି ହଟିଯିବ ।

 

କ’ଣ ମାରା ହୋଇ ଯାଆନ୍ତା, ଯଦି ଏକ ନିର୍ବାଚନ ପରେ ଏପଟ ଓ ସେପଟ ଦୁହେଁ ଏକତ୍ର ବସି ପାରୁଥାନ୍ତେ, –ଏକ ସମୁଚିତ ସିଂହାବଲୋକନ କରିପାରନ୍ତେ–ଏକ ଆରେକୁ ବୁଦ୍ଧି ଦିଅନ୍ତେ,–ଏବଂ ତଦ୍ଦ୍ୱାରା ଆମ ରାଜନୀତି ଭିତରେ, ଏପରି ଏକ ସଦ୍ଭାବକୁ ସମ୍ଭବ କରି ଆଣନ୍ତେ, ଯାହାଦ୍ଵାରା କି ଏହି ଦେଶର ଏତେ ଏତେ ଉଜୁଡ଼ି ଯାଉଥିବା ବଗିଚାରେ ଇପ୍ସିତ ଫୁଲଗୁଡ଼ିକୁ ପୁନର୍ବାର ଫୁଟାଇ ଆଣିବାର ସତ୍ ଉଦ୍ୟମଟିଏ ଆରମ୍ଭ ହୋଇ ଯାଆନ୍ତା । ରାଜନୀତିର ଆମ ଆନମନାମାନେ ଏହିଦେଶ ରୂପୀ ଅର୍ଥାତ୍ ଆମ ଏତେ କୋଟି ମଣିଷଙ୍କର ଭାଗ୍ୟରୂପୀ ବଗିଚାଟିରେ ଆପଣାକୁ ଗୋଟିଏ ଗୋଟିଏ ମାଳି ବୋଲି ଭାବି ପାରିଲେ ତଥା ରାଜନୀତିକ ଦଳମାନେ ସେମାନଙ୍କୁ ସେହି ପରି ଭାବରେ କ୍ରିୟାଶୀଳ ହୋଇ ରହିବାରୁ ପରିମଳଟିଏ । ଯୋଗାଇ ଦେଇ ପାରିଲେ ସେକଥା ଅର୍ବଶ୍ୟ ହୁଅନ୍ତା । ବିଗତ ପଚାଶ ବର୍ଷର ଏକ ବିଶ୍ଳେଷଣ ହୁଅନ୍ତା । ଏ ଦେଶରେ ସବୁତ ରହିଛି,–ଏକ ଦୀର୍ଘ ପ୍ରତ୍ୟୟପୂର୍ଣ୍ଣ ଟାଣ ପରମ୍ପରା ରହିଛି–ଅଧିକାଂଶ ମଣିଷଙ୍କର ଏବେ ମଧ୍ୟ ଭଲ ଉପରେ ଅନ୍ତର୍ଗତ ବିଶ୍ୱାସ ରହିଛି । ତଥାପି, ମୋଟେ ଶହେରେ ଦଶ କି ପନ୍ଦର ମଣିଷ କ'ଣପାଇଁ ଏଠାରେ ସର୍ବଭକ୍ଷ ଚୋର ପରି ଆଚରଣ କରୁଛନ୍ତି ? ସେମାନେ ଯେ ଏହି ଦେଶର ପରିଚର୍ଯ୍ୟା ନିମନ୍ତେ ହିଁ ଯାହା କିଛି ପାଠ ପଢ଼ିଛନ୍ତି, ପଘାରମାନ ପାଉଛନ୍ତି, ଏହି ସତ କଥାଟାଅର୍ଥାତ୍ ଏକମାତ୍ର ନିରାଟ କଥାଟା ବିଷୟରେ ସେମାନଙ୍କୁ ବାଧ୍ୟ କରାଯାଇ ପାରୁନାହିଁ କାହିଁକି ? ସେମାନେ ଆଉଗୋଟାଏ ଭାଷାରେ କାରବାର ହେଉଛନ୍ତି; ଏହି ଦେଶରଖାଉଥିଲେ ମଧ୍ୟ ସତେଅବା ଆଉ ଗୋଟିଏ କୋଉଠି ଆମ ସୁଯୋଗ ଗୁଡ଼ିକୁ, ସମ୍ପଦଗୁଡ଼ିକୁ ଏବଂ ସମ୍ଭାବନାଗୁଡ଼ିକୁ ତୁଚ୍ଛା ସେଇ କେତେକଙ୍କ ପାଇଁ ଠୁଳ କରି ରଖିଛନ୍ତି । କେତେ ଆଡ଼ମ୍ବରରେ କାଗଜମାନ ତିଆରି ହେଉଛି; ଯିଏ ଯେତେ କ୍ଷମତାକୁଆସୁଛନ୍ତି, ଭଗାରିଙ୍କ ପରି ସବୁକିଛିକୁ ଭଣ୍ଡୁର କରି ଦେଉଛନ୍ତି । ପ୍ରତ୍ୟେକ ରାଜନୀତିକଦଳରେ ଉଚିତ ଅଭିଳାଷମାନ ରଖିଥିବା ଲୋକେ ଅବଶ୍ୟ ରହିଛନ୍ତି, ଅଥଚ ସେମାନେ କ'ଣ ପାଇଁ ଦବି ରହି ଯାଉଛନ୍ତି ? ଯଦି ସେମାନଙ୍କର ମୁହଁ ଖୋଲିଲା ଭଳି ସେମାନଙ୍କୁ ପୁରୀରେ ଅବକାଶଟିଏ ମିଳୁନାହିଁ, ସେମାନେ ଛତିଆରେ ବସି ପାରୁନାହାନ୍ତି କାହିଁକି ? ଅସଲ ଆତ୍ମଚିନ୍ତନ ଓ ଆତ୍ମମନ୍ଥନ ସର୍ବତ୍ର ତାହାହିଁ କରୁଥାନ୍ତା । ମୁକର ମୁହଁ ଖୋଲନ୍ତା, ଅଚେତକୁ ଚେତା କରନ୍ତା । ନକଲିମାନଙ୍କୁ ନାକୋଇ କରି ତେବେ ଯାଇ ଛାଡ଼ନ୍ତା ।

 

ତଥାପି ଆମେ ଗଣତନ୍ତ୍ରକୁ ସଲାମ କହିବା; କାରଣ ସେଇଟି ହିଁ ଅଧିକ ଆଖିଦୃଶିଆ କରି ଶଠ ଓ ଲମ୍ପଟମାନଙ୍କୁ ଧରାଇ ଦେଉଛି । ସେହି ପୁରୁଣାଟା ଡିହା ମାଡ଼ି ରହିଛି ଏବଂ ମୋଟେ ଯାଉନାହିଁ ବୋଲି ନିରାଶ ସମୟମାନଙ୍କରେ ଯେତେ କହିବାକୁ ମନ ହେଉଥିଲେ ମଧ୍ୟ ତଥାପି କ'ଣ ସବୁ ଗତିଶୀଳ ହେବାରେ ଲାଗିଛି । ପାଠୁଆମାନେ ଶୋଇ ରହିଥିବା ଯାଏ ଅପେକ୍ଷା କରିବାକୁ ଅପାଠୁଆମାନେ ଆଉ ରାଜି ହେଉନାହାନ୍ତି । ମଝିରେ ମଝିରେ ଏହି ଛାର ନିର୍ବାଚନଗୁଡ଼ିକ ଦ୍ୱାରା ମଧ୍ୟ କେତେ ମୁଖାତଳକୁ ଖସିପଡ଼ୁଛି ଓ ଅଣ୍ଟାମାନ ଭାଙ୍ଗିଯାଉଛି । ଭାରତବର୍ଷରେ ବାବୁମାନେ, ଧୋବମାନେ ଏବଂ ଚଲାଖମାନେ ଯେଉଁମାନଙ୍କୁ ନିତାନ୍ତ ନିର୍ବୁଦ୍ଧିଆ ବୋଲି କହି ଆସିଛନ୍ତି, ସେମାନେ ଏସବୁ ଘଟଣାକୁ ଭଗବାନ ହିଁ ଘଟାଉଛନ୍ତି ବୋଲି ହୁଏତ କେଡ଼େ ଖୁସୀହୋଇ କହିବେ । ଘଟଣାଟାକୁ ଯିଏ ଘଟାଉଥାଉ ପଛକେ, ଭାରତବର୍ଷରେ ଗଣତନ୍ତ୍ରକୁ ସଚଳ କରି ରଖିବାରେ ଭଗବାନ ମଧ୍ୟ ଅବଶ୍ୟ ସାହାଯ୍ୟ କରିବାରେ ଲାଗିଛନ୍ତି । ତେଣୁ ଅଧିକରୁ ଅଧିକ ମଣିଷ ତିଆରି ହେଉଛନ୍ତି ଏବଂ ଅଧିକରୁ ଅଧିକ ଚୋର ଧରା ବି ପଡ଼ି ଯାଉଛନ୍ତି ।

Image

 

Unknown

ରଥେ ତୁ ବାମନଂ ଦୃଷ୍ଟ୍ୱା

 

ରଥଗୁଡ଼ିକ ପ୍ରକୃତିରେ ଚୋଖା ଚୋଖା । ବାମନମାନେ ମଧ୍ୟ ଚୋଖା ଚୋଖା କି ନୁହନ୍ତି, ସେ କଥାଟା କେହି ମୋଟେ କହିଦେଇ ପାରିବ ନାହିଁ । ତଥାପି ବହୁତ ବାମନ ସଂସାରରେ ରହିଛନ୍ତି, ଯେଉଁମାନେ କି ଗୋଟାଏ ଚୋଖା ରଥରେ ବସିଲେ ଅବଶ୍ୟ ଚୋଖା ଦେଖାଯିବେ ବୋଲି ସତକୁ ସତ ବିଶ୍ୱାସ କରୁଥାଆନ୍ତି । ଏଥର ନିର୍ବାଚନପୂର୍ବରୁ ହୁଏତ ସେହିପରି କୌଣସି କାମୋଦ୍ଦୀପକ କାରଣରୁ ଆମକୁ ଗୋଟାପଣେ ବିମୋହିତ କରିଦେବେ ବୋଲି ବାମନମାନେ ରଥାରୂଢ଼ ହୋଇ ଥଳ ପରିକ୍ରମା କରୁଥିଲେ । ପୂର୍ବ କାଳର ଚାରିଧାମର ପରିକ୍ରମା ସଦୃଶ ଏମାନେ ଯୋଜନା କରି ଦେଶଟାର ଚାରିଟାଯାକ ଦିଗକୁ ସ୍ପର୍ଶ କରିବାର ନକ୍ସା ତିଆରି କରି ରଥ ଚଢ଼ି ବାହାରି ପଡ଼ିଥିଲେ । ରଥ ପରିକ୍ରମା ସରିଲା, ନିର୍ବାଚନଟା ମଧ୍ୟ ଶେଷ ହେଲା ଏବଂ ବାମନମାନେ ପୁନର୍ବାର; ଆପଣା ଆପଣା ଧର୍ମାନୁମୋଦିତ ଆକୃତିଗୁଡ଼ିକ ମଧ୍ୟକୁ ଫେରି ବି ଆସିଲେଣି । ନିଶ୍ଚୟ ରଥଗୁଡ଼ାକୁ ଝୁରି ହେଉଥିବେ । ରଥମାନେ ମଧ୍ୟ ସେମାନଙ୍କୁ ମନେରଖିଛନ୍ତି କି ନାହିଁ ସେକଥା କିଏ ପ୍ରକୃତରେ କହି ପାରିବ ? ନିର୍ବାଚନଟାକୁ ବସ୍ତୁତଃ ଧନ୍ୟ ବୋଲି ହିଁ କୁହାଯିବା ଉଚିତ, ଯାହାଫଳରେ କି ବିଚରାଏହି ବାମନମାନେ ଅନ୍ତତଃ ତେର ବା ତେଇଶିଟା ଦିନ ଲାଗି ରଥ ଉପରେ ଆସୀନ ହେବାର ମୁହାଁସଟାଏ ପାଇଗଲେ । କାହାଣୀର ସେହି ଋଷିଙ୍କର କଥାଟି ମନେପଡ଼ୁଛି, ଯେଉଁଥିରେ କି ଜଣେ ଋଷି ଅନୁକମ୍ପା ବହି ଗୋଟିଏ ମୂଷାକୁ ଏକ ସୁନ୍ଦରୀ କନ୍ୟାରେ ପରିଣତ କରିଥିଲେ ଏବଂ ପୁନର୍ବାର ପ୍ରୟୋଜନରେ ପଡ଼ି ସେହି ଅନୁକମ୍ପା ବହି ସୁନ୍ଦରୀ କନ୍ୟାଟିକୁ ତା'ର ମୂଳମୂଷିକ ରୂପକୁ ଫେରାଇ ଆଣିଥିଲେ । କାଳଟା ସମ୍ଭବତଃ ସେହିପରି ଏହି ଋଷିଙ୍କ ପରି ଅନୁକମ୍ପା ବହି କୌଣସି ବାମନକୁ ରଥରେ ଆଣି ବସାଇଦିଏ ଏବଂ ପୁଣି ପ୍ରୟୋଜନର ବୋଲ ମାନି ତାକୁ ତା'ର ମୂଳ ଭୂମିକାକୁ ଫେରାଇ ନିଏ ।

 

ସେହି ମଣିଷ ଭିତରେ ଯାବତୀୟ ଅର୍ଥ ତଥା ଅବକାଶରେ ସମ୍ଭବତଃ ସେହିପରି ଦୁଇଟା ରୂପ । ଗୋଟାଏ ତା’ର ବାମନ ରୂପ ଏବଂ ଅନ୍ୟଟି ତା’ର ବିରାଟ ରୂପ । ବାମନମାନେ ସେମାନଙ୍କର ଆଠପହରୀ ପରିଚୟର ଚଉପାଢ଼ୀଟା ଉପରେ ଆପଣାସହିତ ମୋଟେ ଶାନ୍ତି ସ୍ଥାପନା କରି ରହିପାରନ୍ତି ନାହିଁ କି କଣ କେଜାଣି, ଗୋଟାଏ ପୋଷାକୀ ହନ୍ତସନ୍ତ ଦ୍ୱାରା ପ୍ରପୀଡ଼ିତ ହୋଇ ବିଶେଷ ମଉକାଟାଏ ପାଇଲେ ବିରାଟ ଦିଶିବାକୁ ଭାରି ମନ କରିପକାନ୍ତି । ସେତିକିବେଳେ ରଥଟାଏ ସଜ କରନ୍ତି ଏବଂ ପରିକ୍ରମାରେ ବାହାରନ୍ତି । ମାତ୍ର ବିଚରା ସେହି ବିଡ଼ମ୍ବିତମାନେ କେତେ ଅଳପ ଜାଣିଥାନ୍ତି ଯେ, ରଥରେ ଏଡ଼େ ଏଡ଼େ ମଣ୍ଡନରେ ଆସୀନ ରହି ଦେଶ-ପରିକ୍ରମା କରୁଥିଲେ ମଧ୍ୟ ସେମାନେ ନିଜର ମଞ୍ଜ ପରିଚୟଗୁଡ଼ିକର କ୍ଷେତ୍ରରେ ପ୍ରାୟ ସ୍ୱଭାବସିଦ୍ଧ ଭାବରେ ସେହି ବାମନଟାଏ ହୋଇ ହଁ ରହିଛନ୍ତି,–ଉପରେ ସୁନ୍ଦରୀ କନ୍ୟାଟି ଭଳି ଦେଖାଯାଉଥିଲେ ମଧ୍ୟ ନାଭି ତଥା ନକ୍ଷତ୍ରର ନିରୂପଣ ଅନୁସାରେ ସେହି ମାଈମୂଷାଟାର ମୂଳଧର୍ମଟି ସହିତ ଢିଙ୍କିଆ ପଡ଼ି ରହିଛନ୍ତି । ଏଥରର ରଥମାନଙ୍କ ଉପରେ ବାମନମାନେ ଛିଡ଼ା ହୋଇଥିବାର ଛବିଗୁଡ଼ିକୁ ଛପା କାଗଜ ଉପରେ ଦେଖୁଥିବା ସମୟରେ ପ୍ରାୟ ସେହିପରି କ'ଣ ଗୋଟାଏ କାହିଁକି ମନେ ହେଉଥିଲା କେଜାଣି ? ବାମନ ଭିତରେ ମଧ୍ୟ ବିରାଟ ଅଂଶଟିଏ ଅବଶ୍ୟ ରହିଛି । ସେଇଟିକୁ ପ୍ରାଣ କରିବାକୁ ସମର୍ଥ ହେଲେ କେହି କଦାପି ରଥଟା ଉପରେ ବସି ନିଜ ପାଖରେ ଦ୍ରୋହୀ ହେବାକୁ କେବେହେଲେ ମନ କରିବ ନାହିଁ । ଯେପର୍ଯ୍ୟନ୍ତ ଜଣେ ମନୁଷ୍ୟର ସମ୍ମୁଖରେ ସତକୁ ସତ ବୃହତ୍ତର ଆହ୍ୱାନଟିଏ ରହିଥିବ, ସିଏ ଜନପଦବାସୀଙ୍କର ଦୃଷ୍ଟି ଆକର୍ଷଣ କରିବା ନିମନ୍ତେ ଗୋଟାଏ ରଥ ହକାରି ଆଣି ବସିଯିବାକୁ ଏବଂ ଆଜ୍ଞାମାଳଟିଏ ପାଇଛି ବୋଲି ମାର୍ଗଚାରୀମାନଙ୍କର ମନରେ ଏକ ଧାରଣା ଜନ୍ମାଇବାକୁ ପ୍ରାୟ ଏକ ବେରସିକତା ବୋଲି ଅବଶ୍ୟ ଅନୁଭବ କରିବ ।

 

ଆମ ଏ କାଳଟାରେ ଭାରତବର୍ଷରେ କେଉଁସବୁ ଗ୍ରହଚଳନର ପାଳକଗୁଡ଼ାକ ପଡ଼ିଲା କେଜାଣି, ଏଠି ଏବେ ଆପଣ ଯୁଆଡ଼କୁ ଅନାଇବେ, ଖାଲି ରଥଗୁଡ଼ାକ ହିଁ ମାଳମାଳ ହୋଇ ଦୃଷ୍ଟିଗୋଚର ହେବେ । ସତରେ କ'ଣ ଏହି ପଚାଶଟା ବର୍ଷ ଭିତରେ ଭୂମିଗୁଡ଼ିକ ଏତେ ଉର୍ବର ହୋଇଗଲା ଯେ, ଏଠି ଖାଲି ବାମନମାନେ ହିଁ ଉଧେଇଲେ, ରଥମାନଙ୍କୁ ଲୋଡ଼ିଲେ ଏବଂ କଂସ ଭଳି ଦର୍ପ ଦେଖାଇଲେ, ରାବଣମାନଙ୍କ ପରି । ରାଜାପଣ କଲେ ? ଆମ ଏହି ବଡ଼ ମହକୁମାଟାର ସଭାଘରେ ବେଳ ବୁଡ଼ିବା ବେଳକୁ ଯଦି ଆପଣ କେବେ ଯାଇ ପହଞ୍ଚିଯିବେ, ତେବେ ମଞ୍ଚଟା ଆପଣଙ୍କୁ ଯାବତୀୟ ନ୍ୟାୟରେ ଗୋଟାଏ ରଥ ପରି ଦେଖାଯିବ । ଉପରୁ ସରି ସରି ଫୁଲମାଳ କେଡ଼େ ଶୋଭାବନ ଓ ଚକ୍ ହୋଇ ତଳକୁ ଓହଳି ଆସିଥିବ ଏବଂ ଜଣାଣଟିରେ ବର୍ଣ୍ଣିତ ସେହି ମୁକୁତାର ଝରାଗୁଡ଼ିକର ଏକ ପୁଲକପ୍ରଦାୟକ ଭ୍ରାନ୍ତି ସୃଷ୍ଟି କରିବାରେ ଲାଗିଥିବ । ବାମନମାନେ ଧାଡ଼ି ହୋଇ ବସି ଆଖି ଜୁଳୁଜୁଳୁ କରୁଥିବେ ଏବଂ ଆନନ୍ଦ ପ୍ରଦାନ କରୁଥିବେ । ତଥାପି ଗୋଟାଏ ଅନ୍ତର୍ଦୁଖରେ ପୀଡ଼ିତ ବି ହୋଇ ରହିଥିବେ ଯେ, ସେମାନଙ୍କର ଯୋଗ୍ୟତାକୁ ତଉଲି କେହି ସେମାନଙ୍କୁ ସେହି ମଞ୍ଚକୁ ଆଣିନାହିଁ, ସେମାନେ ଯେଉଁ ପଦ କ୍ଷମତାରେ ଅଛନ୍ତି, ତାହାକୁ ସ୍ୱୀକୃତି ଜଣାଇ ମୁଖ୍ୟତଃ ଅଧୀନସ୍ଥ ଅବରମାନେ ହିଁ ସେମାନଙ୍କୁ ଏହି ଅଥାନଟାରେ ଏପରି ଏକ ଦରବାରୀ ସଂଭ୍ରମରେ ଆଣି ବସାଇଛନ୍ତି । ଏତିକି ସ୍ୱୀକୃତିରେ ବଜାରମୂଲ୍ୟ ମଧ୍ୟ ଏହି ନଶ୍ୱର ଜଗତଟାରେ ମୋଟେ କିଛି କମ୍ ନୁହେଁ–ସେହି ସାନ୍ତ୍ୱନାମୂଳକ ଭାବନାଟି ଯାହା କିଞ୍ଚିତ୍ କାମସ୍ପର୍ଶଦେଇ ଯାଉଥିବା ପରି ହୁଏତ ମନେ ହେଉଥିବ । ଏହାଦ୍ୱାରା ନିଜର ବାମନବତ୍ସ୍ଥିତିଟା ସେହି ସମୟଟି ଲାଗି ଭୁଲି ହୋଇ ଯାଉଥିବ, ଏକ ନିର୍ଦ୍ଦିଷ୍ଟ ପ୍ରକାରର ମୋକ୍ଷର ସ୍ଵାଦଟିଏ ଆଣି ଦେଉଥିବ । ସଂସାରରେ ଏକାଧିକ ଭକ୍ତ କ’ଣ ମାହାଳିଆରେ ଭଗବାନଙ୍କୁ ରାଜ୍ୟ ବୋଲି କଳ୍ପନା କରିଛନ୍ତି ? ସତେଅବା ଆମ ବାମନମାନଙ୍କୁ କେତେ ସୁରାଖ ମଧ୍ୟ ଯୋଗାଇ ଦେଇଛନ୍ତି ।

 

ଆମ ଦେଶରେ ଶାସନଟା ପ୍ରାୟ ରଥମାନଙ୍କରୁ ହିଁ ଚାଲିଛି । ବାହାରକୁ ସବୁ ସୌଧ ଆକୃତିରେ ଗଢ଼ା ହୋଇଛି ସିନା ମାତ୍ର ରଥରେ ଆସୀନ ବାମନମାନେ ହିଁ ଶାସନ ସମ୍ଭାଳିବା ନିମନ୍ତେ ନିଯୁକ୍ତ ହୋଇ ରହିଛନ୍ତି । କେତେ ତୋରା ଦିଶୁଛନ୍ତି, ଡାହୁକର ପାଠଗୁଡ଼ାକୁ ପୂରା ପଇଟାଇ ରଖିଛନ୍ତି, ସମୁଦ୍ର ସେପାଖର ଗୋଟାଏ ଭାଷାରେ ମହାପ୍ରବଳ ବଳିଛନ୍ତି ଏବଂ ଆମର ହେପାଜତ ପାଇଁ ଅଛନ୍ତି । ସେମାନେ ଦେଶର ଦୁଃଖ ଦୂର କରିବେ, ସେଇଥିପାଇଁ ଆମ ଭାବୀ ସମ୍ଭାବନାଗୁଡ଼ିକର ସୁନ୍ଦରଘରମାନଙ୍କୁ ଗଢ଼ିବାର ଦାୟିତ୍ୱ ନେଇଛନ୍ତି । ମୋଟେ ଦୟା କରି ଏସବୁ କରୁନାହାନ୍ତି, ସେଥିପାଇଁ ଦରମା ନେଉଛନ୍ତି,–ଯାବତୀୟ ଅବିବେକର ଗଣତି କଷି ଜ୍ୟେଷ୍ଠାଂଶଟା କୁହଡ଼ପ କରି ନେଉଛନ୍ତି । ରଥାସୀନ ସେହି ସ୍ଵତନ୍ତ୍ରମାନେ ଏପରି ଏକ ହିତାଧିକାରୀବର୍ଗରେ ନିଜକୁ ଅଲଗା କରି ରଖିଛନ୍ତି, ଯେଉଁଠାରେ କି ସେମାନେ କୋଟି କୋଟି ନାଗରିକଙ୍କର ମେଳ ସହିତ ଏକାଠି ପତର ପକାଇ ବସିବାକୁ ଖୁବ୍ ଅଡ଼ୁଆ ଅନୁଭବ କରୁଛନ୍ତି । କାଗଜଗୁଡ଼ାକର ଭେଳିକି ଲଗାଇ ଦେଶଟାକୁ ଭଣ୍ଡି ରଖିଛନ୍ତି । ସଚରାଚର ବାମନମାନେ ହିଁ ଦୂରଛଡ଼ା ହୋଇ ରହିଲେ ଡେଙ୍ଗା ହୋଇ ଦିଶିବେ ବୋଲି ଏକଦୁଃସାହସିକ କ୍ରାନ୍ତିରେ ପଡ଼ି ଯାଇଥାନ୍ତି । ଦେଶଟାକୁ ଗୋଲାମ କରି ରଖିଥାନ୍ତି ଅଥଚ ନିଜ ଭ୍ରାନ୍ତିଟା ଭିତରୁ ଆଦୌ ମୁକୁଳିପାରନ୍ତି ନାହିଁ । ବିଦ୍ୟା ବିହାରମାନଙ୍କରେ ମଧ୍ୟଏହି ରଥଗୁଡ଼ାକର ଭିଡ଼ କାହିଁକି ଲାଗିଛି ଓ ସେହି ରଥରେ ବାମନମାନେ ହିଁ ଖଲିପା ହୋଇ ବସିଛନ୍ତି ? ଶାସ୍ତ୍ରୀୟ ପରିଭାଷାରେ ବିଦ୍ୟାକୁ ଏକଦା ବିନୟ ବୋଲି କୁହାଯାଉଥିଲା-। ଏବେ ସେଗୁଡ଼ିକୁ ଶୃଙ୍ଖଳା ବୋଲି କୁହାଯାଉଛି । ବିଦ୍ୟା ପ୍ରତି ଶ୍ରଦ୍ଧା ଏବଂ ସେହି ଶ୍ରଦ୍ଧାରୁ ଏକ ସ୍ଵଭାବଜାତି ଶୃଙ୍ଖଳା । ଯେଉଁମାନେ ରଥ ଉପରେ ଉଚ୍ଚ ଶିକ୍ଷା ନାମରେ ହୁରି ପକାଉଛନ୍ତି, ସେମାନେ ତ ଶୃଙ୍ଖଳାଗୁଡ଼ିକୁ ଏକ ବହୁ ଗ୍ଲାନିକର ରୁଟିନ୍ ଭିତରେ ପୂରା ପାସୋରି ପକାଇଲେଣି-। ଗୁରୁମାନେ ଧର୍ମ ହୁଡ଼ିଲେଣି ଓ ଛାତ୍ରମାନେ ମଧ୍ୟ କୋଉ ଧର୍ମରେ ଅଛନ୍ତି ? ଏକ କ୍ଷୟସଂକୁଳ ସମାଜରେ ସେମାନେ ସତେ ଅବା ଶିଖାଶିଖି ହୋଇ ଯେକୌଣସି ପ୍ରକାରେ ନାନା ମିଥ୍ୟା-ଅଭିଯାନ ଦ୍ୱାରା ଯଥାସମ୍ଭବ ଅଧିକ ରଙ୍ଗା ହୋଇ ଦିଶିବାର ଫିସାଦରେ ଆସି ପଶିଛନ୍ତି-। ସେମାନେ ବାଛିକରି ଅମୁକ ଶୃଙ୍ଖଳାଟିକୁ ଆପଣା ବିଦ୍ୟାନୁଶୀଳନର ମାର୍ଗ ବୋଲି ଗ୍ରହଣ କରିନାହାନ୍ତି । ଅଧ୍ୟୟନ ଅନ୍ତେ ସେଥିଲାଗି ଏପରି ଏକ ଜୀବିକାର୍ଜନର ବଶ ଭିତରେ ଯାଇ ପଶି ଯାଉଛନ୍ତି, ଯାହାର କି ଉପାର୍ଜିତ ବିଦ୍ୟାଟି ସହିତ ଆଦୌ କୌଣସି ସମ୍ପର୍କ ନାହିଁ । ସମାଜର ବୃହତ୍ତର ସୁସ୍ଥ ଦୈନିକତା ଭିତରେ ଏକାଧିକ ଅଲକ୍ଷଣା ଅବଜ୍ଞାଗୁଡ଼ାକୁ ଆଣି ପୂରାଇ ଦେବାରେ ସେମାନେ ନିମିତ୍ତ ପରି କାର୍ଯ୍ୟ କରୁଛନ୍ତି । ଧୋବ ଦିଶୁଛନ୍ତି–ବୃହତ୍ତର ଜୀବନ-ସଂସ୍ଥାନର କ୍ଷେତ୍ରଗୁଡ଼ିକୁ ଦୂଷିତ କରିବାରେ ଲାଗିଛନ୍ତି । ହାସଲ କରିଥିବା ଖଣ୍ଡ କାଗଜ ଦେଖାଇ ଏହି ଦେଶରେ ଅନ୍ଧାରଗୁଡ଼ାକୁ ଜାରି କରି ରଖିବାରେ ସବା ଆଗଧାଡ଼ିରେ ଯାଇ ରହିଛନ୍ତି-। କଲମ ନଥାଇ ମଧ୍ୟ ଲୋକଭାଗ୍ୟର ଲଗାମଗୁଡ଼ାକ ସାତଟା ହାତରେ ଧରିଛନ୍ତି ଏବଂ ବହୁ ସ୍ୱପ୍ନକୁ ମୂର୍ତ୍ତ କରି ଆଣିବାରେ ସ୍ଵାଧୀନତା ପରେ ଆଗକୁ ପାଦ ପକାଇବା ପାଇଁ ବିଶ୍ୱାସର ସହିତ ଅପେକ୍ଷା କରି ରହିଥିବା ଏହି ଦେଶଟାର ବାଟଗୁଡ଼ିକୁ ଉଗାଳି ଛିଡ଼ା ହୋଇଛନ୍ତି । ନିଜକୁ ମଧ୍ୟ ଏହି ଦେଶର ଜଣେ ମତିମାନ୍ ନାଗରିକ ବୋଲି ସାଧୁତାର ସହିତ ଅନୁଭବ କରିବାକୁମୋଟେ ବେଳ ନାହିଁ-। ମୁହୂର୍ତ୍ତମାନେ ଗଡ଼ି ଯାଉଛନ୍ତି ।

 

ରଥ ଭିତରେ ସତେ ଅବା ବାଟ ହିଁ ଦେଖାଯାଉ ନାହିଁ । ବାମନମାନଙ୍କର ଉପଦ୍ରବ ହେତୁ ମଣିଷମାନେ ସତେ ଅବା ଏପରି ଗୋଟାସୁଦ୍ଧା ପୋତି ହୋଇ ରହି ଯାଉଛନ୍ତି ଯେ ଏହି ଭୂମିଟାର ଭାଗ୍ୟ କେବେ ବଦଳିବ ବୋଲି ପ୍ରାୟ ନ୍ୟାୟତଃ ଏକ ସର୍ବନିମ୍ନ ପ୍ରତ୍ୟୟ ହୁଏତ ଆସୁନାହିଁ । ସମ୍ଭବତଃ ସେଇଥିସକାଶେ ଆମ : ଧୋବସାହିତ୍ୟିକ ଓ କବିମାନେ ମଧ୍ୟ କେଡ଼େ ଠୋ ଠୋ ଭାଷାରେ ଏବେ ବିଷାଦର ଉଦ୍‌ବୋଧନମାନ ହେଲେଣି । ସଭାରେ ବାମନମାନେ ସେଗୁଡ଼ିକୁ ଶୁଣି ଅବଶ୍ୟ ଖୁବ୍ ଆପ୍ୟାୟିତ ହିଁ ଅନୁଭବ କରୁଥିବେ । ମାତ୍ର କାଳର ସନ୍ଦେଶବାହକ ଶକୁନମାନେ ପୃଥିବୀ ଯାକ କହିବାକୁ ଆରମ୍ଭ କଲେଣି ଯେ, ଏହି ରଥ ଏବଂ ଏହି ବାମମାନଙ୍କର ଦିନ ସରି ଆସୁଛି । ରଥମାନେ କ୍ରମେ ଅଧିକରୁ ଅଧିକ ହାସ୍ୟାସ୍ପଦ ହେବାର ନୂତନ ପର୍ବଟି ଆରମ୍ଭ ହୋଇଗଲାଣି । ତୁମ ଆମ ଭିତରେ ଗୋଟାଏ ବିରାଟ ହୋଇ କ'ଣ ଏଯାଏ ସହି ସହି ତଥାପି ଅସଲ ଶକ୍ତିଟିକୁ ସଂଗ୍ରହ କରୁଥିଲା, ଯାହାର ବେଳ ଆସି ପହଞ୍ଚିଗଲାଣି । ସିଏ ରଥ ଉପରେ ଥିବା ବାମନମାନଙ୍କୁ ସାଙ୍ଗକୁ ଆସ ବୋଲି କହିବାର ସାହସ କଲାଣି । ଏହା ପୂର୍ବରୁ ଏ ଛାଉଣିଟା ହୁଏତ ସେ ଛାଉଣିର ପକ୍ଷଟା ସହିତ ଲଢ଼ିବ ବୋଲି ପାଞ୍ଚ କରୁଥିଲା–ଏଥର ସତେ ଯେପରି ପୃଥିବୀବ୍ୟାପୀ ସମସ୍ତେ ନାଗରିକ ହୋଇ ବଞ୍ଚିବାର ଏକ ଅନ୍ୟ ପାରସ୍ପରିକତା ଏକ ଅଭିନବ ଅନମନୀୟତା ସହିତ ସଜ ହେଉଛି । ବାମନମାନେ ବି ବାଧ୍ୟ ହେବେ, ବଦଳିବେ ।

Image

 

ସାହିତ୍ୟବହିର ଶବ୍ଦଟିଏ

 

ଯଦି ମନ କରିପାରିବା, ତେବେ ଆମେ ଅନେକେ ସମ୍ଭବତଃ ଏହି କଥାଟିକୁ ତଥାପି ସ୍ୱୀକାର କରିବା ଯେ ଆମ ସାହିତ୍ୟବହିରୁ ହିଁ ପ୍ରେମ ନାମକ ଶବ୍ଦଟି ସହିତ ଆମର ସର୍ବପ୍ରଥମ ପରିଚୟଟି ଘଟିଥିଲା । ସେହି ବୟସର ଅକଲ ତଥା ଶୃଙ୍ଖଳା–ସୀମାଟା ଅନୁସାରେ ଆମେ ସେଥିରୁ ସତକୁସତ କ'ଣ ବୁଝୁଥିଲୁ, ବର୍ତ୍ତମାନ ସେଇଟିର ଆଦୌ ଖୁବ୍‍ ବେଶି ଅନ୍ଦାଜ କରି ହେବ ନାହିଁ । ବେଳେ ବେଳେତ ଭାରି ଆଶ୍ଚର୍ଯ୍ୟ ଲାଗେଯେ, ଆମର ସେହି ଅପାକଳ ବୟସର କଞ୍ଚା ମନଟାକୁ ଆମର ତତ୍କାଳୀନ ଶିକ୍ଷକନେ କିପରି ସେହି ଶବ୍ଦଟିକୁ ବୁଝାଇ ବି ଦେଇପାରୁଥିଲେ । କିଞ୍ଚିତ୍ ବଡ଼ ହୋଇଆମେ ଯେତେବେଳେ ଅଧିକ ଚଙ୍ଗଚଙ୍ଗ ହୋଇ ପାରିବାର ଯୋଗ୍ୟ ହୋଇପାରିଲୁ ଏବଂ ଲୁଚାଚୋରାରେ କେତେ ଖଣ୍ଡ ଉପନ୍ୟାସ ବହିରୁ ସେହି ଶବ୍ଦଟିକୁ ଭେଟିବା ଲାଗି ମନକଲୁ, ସେତେବେଳେ ଧରା ପଡ଼ିଗଲେ ଆମେ ଆମ ହିତକାମୀ ବଡ଼ମାନଙ୍କ ଠାରୁ ଭତ୍ସନା ବି ଶୁଣୁଥିଲୁ । ସାହିତ୍ୟ–ବହିର 'ପ୍ରେମ'ଓ ଉପନ୍ୟାସରେ ବର୍ଣ୍ଣିତ ହୋଇଥିବାପ୍ରେମ, –ଏହି ଦୁଇଟା କ’ଣ ଦୁଇଟା ଅଲଗା ହାଣ୍ଡିରେ ଅଲଗା କରି ରଖା ଯାଇଥିବା ଦୁଇ ପ୍ରକାରର ଜାଉ, –ଏଭଳି ସଂଶୟ ମଧ୍ୟ ବେଳେ ବେଳେ ନିଶ୍ଚୟ ଜନ୍ମିଥିବ । ସମାଜଟା ବି ପାଠ ଶିଖାଇଲା, ସାଙ୍ଗମାନେ ମଧ୍ୟ ପାଠ ଶିଖାଇଲେ ଏବଂ 'ପ୍ରେମ'ବିଷୟରେ ଅଧିକ ପାଣ୍ଡିତ୍ୟ ଅର୍ଜନ କରିବାଟା ସହଜ ବି ହୋଇଗଲା । 'ପ୍ରେମ'ଟା ସିନା ଶାସ୍ତ୍ରର ଗୋଟାଏ ଶବ୍ଦ ପରି ଅନୁଭବ ହେଉଥିଲା, ମାତ୍ର ଆମେ ଅଧିକ ଚଳନ୍ତି ଭାବରେ ‘ଭଲ ପାଇବା'ନାମକ ସେହି ଅନ୍ୟ କଥାଟିକୁ ମଧ୍ୟ ବ୍ୟବହାର କଲୁ । ଏଇଟି କ'ଣପାଇଁ ଅଧିକ ନିରାପଦ ଏବଂ ତେଣୁ ଅଧିକ ଭଲ ଲାଗିଲା କେଜାଣି ?

 

ଆମ ନିତ୍ୟ କାରବାରର ଏହି ସମଗ୍ର ଜୀବନଟାରେ ଏବେ ତ କେତେ ନା କେତେ କିସମର ପ୍ରେମ ସାହିତ୍ୟରେ ଏବଂ ସାହିତ୍ୟ ବାହାରେ,–ଆମ ଆତଯାତର ଉଭା ଏବଂ ପୋତା, ଅନାବାଦୀ ଓ ଆବାଦୀ ଦୁଇଟାଯାକ ମାହାଲରେ ବହୁ ବର୍ଷ, ବହୁ ଥାକ,ଏବଂ ବହୁ ବହୁ ଅର୍ଥରେ । ଭଳି ଭଳି ପ୍ରେମ ଓ ସେହି ଅନୁସାରେ ଭଳି ଭଳି ପ୍ରେମୀ । ଜାତିପ୍ରେମୀ, ସାହିତ୍ୟପ୍ରେମୀ ଓ ଅନୁରୂପ କେତେ କ’ଣ ? ପୁନଶ୍ଚ, ଗୋଟାକୁ ଯଦି ଭଲ ପାଇବ, ଆଉଗୋଟାକୁ ଘୃଣା କରିବାକୁ ହିଁ ପଡ଼ିବ । ନିଜର ଦେଶଟିକୁ ଭଲ ପାଇଲେ ପଡ଼ିଶା ଆଉ ପାଞ୍ଚଟା ଦେଶକୁ ଘୃଣା କରିବାରୁ ହିଁ ନିଜ ଭଲପାଇବାର ପ୍ରମାଣ ଦେବାକୁ ହେବ । ମୋ ତରଫଟାକୁ ପାକ୍ ବୋଲି ବୁଝିବା ପୂର୍ବରୁ ଆଉ କାହାକୁ ନାପାକ୍ ବୋଲି ଘୋଷଣା ନ କଲେ ତୁମେ କିପରି ଶାନ୍ତ ହୋଇ ରହିପାରିବ ? ଆପଣାକୁ ଭଦ୍ର ଓ ଧର୍ମସ୍ଥ ବୋଲି ଆମ ମୂଲ୍ୟାୟନର ଚିହ୍ନା ହାଟଗୁଡ଼ାକରେ ପ୍ରତିଷ୍ଠିତ କରି ପାରିବାକୁ ହେଲେ ଆଉ କାହାକୁ ବା କୋଉମାନଙ୍କୁମ୍ଳେଚ୍ଛ, ଯବନ ଅଥବା କାଫେର ବୋଲି କହି ହିମ୍ମତ ଦେବାକୁ ହିଁ ପଡ଼ିବ । ମନୁଷ୍ୟମାନେ ଏହି ପୃଥିବୀରେ ଆଗ ଭଲ ପାଇବାର ବାଟଟିକୁ ଚାଲୁ ଚାଲୁ ଏକବିଶେଷ ପ୍ରୟୋଜନରେ ପଡ଼ି ଘୃଣା କରିବାକୁ ବାଧ୍ୟ ହେଲେ ଅଥବା ଘୃଣା କରି କରି କ୍ଲାନ୍ତ ଓ ପରିଶ୍ରାନ୍ତ ହୋଇ ଶେଷକୁ ଭଲ ପାଇବା ପାଖରେ ଶରଣ ନେବାକୁ ଆସିଲେ, ସେକଥା କିଏ ଇତିହାସକୁ ଘାଣ୍ଟି କହି ଦେଇପାରିବ ? ଭଲ ପାଇବା ଏବଂ ଘୃଣା କରିବା ପରସ୍ପରର ସମାନ୍ତର ହୋଇ ରହିଛନ୍ତି ବୋଲି କହିବାକୁ ଇଚ୍ଛାଟିଏ କରୁ କରୁ ଅନେକ ସମୟରେ ଏପରି କହିବାକୁ ହୁଏତ ଅଧିକ ସଙ୍ଗତିଯୁକ୍ତ ବୋଲି ମନେ ହୁଏ । ଯେ, ଭଲ ପାଇବା ଯେଉଁଠାରେ ଅଛି, ଘୃଣା କରିବାଟା ମଧ୍ୟ ସେହିଠାରେ ରହିଛି । କେବଳ ଭଲ ପାଇବା, ତାହା ମଣିଷମାନଙ୍କ ଦ୍ୱାରା କେବେହେଲେ ସାଧ୍ୟ ହେବ ନାହିଁ । ଠିକ୍ ସେହିପରି କେବଳ ଘୃଣା କରିବା,–ଏଇଟାକୁ ମଧ୍ୟ ଏଠି ଆମ ଜୀବନ–କାରବାରର ମୃଗୟାଟି ମଧ୍ୟରେ ମୋଟେ ଠାବ କରିହେବ ବି ନାହିଁ । ଅତୀତ ତଥା ବର୍ତ୍ତମାନ ଦୁଇଟିଯାକର ନାଡ଼ି ନକ୍ଷତ୍ର ଦେଖି ବାସ୍ତବବାଦୀମାନେ ଆପାତତଃ ସେହି ଭଳି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ।

 

ଏକଦା ଢେରବର୍ଷ ଯାଏ ପିଲାଙ୍କର ସାହିତ୍ୟ–ବହିରେ ସ୍ଥାନ ପାଇଥିବା ଗୋଟିଏ ଓଡ଼ିଆ କବିତା କ'ଣ ପାଇଁ ଅନେକ ସମୟରେ ମନେ ପଡ଼ିଯାଏ । କୌଣସି ନଦୀର ଜଳରାଶି ଉପରେ ଉତ୍କଳ ଛଳଛଳ ହୋଇ ରାତିଟାକୁ ଆକୁଳ କରି ରଖିଥିବା ଏକ ଜହ୍ନରାତି ଏବଂ ତା’ ଉପରେ ନୌକାବିହାର । କବି ପ୍ରକୃତରେ ଦୃଶ୍ୟପଟଟିକୁ ଜ୍ୟୋତ୍ସା ବିହାର ବୋଲି କହିଛନ୍ତି । ମଣିଷର ଆଖିମାନେ ଇଚ୍ଛା କଲେ ପ୍ରକୃତି ଯେ କେତେ ମନୋରମ ଦିଶିପାରେ, ତାହାର ଏକ ଅଙ୍ଗେନିଭା ବନା–ପାଠ କରୁଥିବା ସମୟରେ ପାଠକ ନିଜେ ସେହି ଜ୍ୟୋତ୍ସାବିହାର ଭିତରେ ସାମିଲ ହୋଇ ରହିଥିବା ପରି ଅନୁଭବ କରିବାକୁ ଆରମ୍ଭ କରିବ । ଖାଲି ଏହି ଗୋଟିଏ ନଦୀରେ ନୁହେଁ–କେଡ଼େ ସହଜ ପ୍ରସାରିତ ଉଫୁଲ୍ଲ ଚିତ୍ତରେ କେତେ କେତେ ନଦୀ ତଥା କେତେ କେତେ ଜ୍ୟୋତ୍ସାର ବିସ୍ତାର ମଧ୍ୟରେ ଅବଗାହି ଆସିବ । କେତେ କ’ଣ ଭୁଲି ହୋଇ ଯାଇଥିବ ସିନା, ମାତ୍ର । ସତେ ଅବା ତୁମକୁ ସବୁକିଛି ସ୍ପର୍ଶ କରି ରହିଥିବ । କେବଳ ପ୍ରକୃତି–ପ୍ରେମ ନୁହେଁ, ସତେ ଅବା ସେଇଟି ମଧ୍ୟରେ ଆହୁରି କେତେ କ'ଣ ମନ୍ତୁରା ଓ ମଙ୍ଗୁଳା ହୋଇରହିଥିବା ପରି ମନେ ହେଉଥିବ-। ଏପରି ଏକ ପ୍ରସାର, ଯାହାକି ତୁମକୁ ଏକ ଖିଳ ପୂର୍ଣ୍ଣପ୍ରସାର ସହିତ ଗଣ୍ଠାଇ ରଖିଥିବ-। କବିତାଟି ବେଶ୍ ଦୀର୍ଘ । ତେଣୁ, ଦ୍ୱିତୀୟପର୍ଯ୍ୟାୟଟିରେ କବି ନୌକାଟିକୁ ବାହି ବାରବାଟୀ ଦୁର୍ଗର ‘ସମୀପବର୍ତ୍ତୀ ହୋଇ ଆସିଛନ୍ତି । ତା’ପରେ କଣ କେଉଁଠାରେ ଘୋଟି ଆସିଛି ଏବଂ ଘାରି ପକାଇଛି କେଜାଣି, ଚିସ୍ତାରର ପ୍ରସ୍ଥଟି କ୍ରମେ ହ୍ରସ୍ଵ ଏବଂ ସ୍ଥାନୀୟ ହୋଇଆସିଛି । ଭଙ୍ଗା ବାରବାଟୀ, ଅତୀତ ସମୟର ସେହି କୀର୍ତ୍ତୀ–ଭର୍ତ୍ତି ବହୁ ଗାଥାର ଯୁଗଟି, ଯାହା ଜଣେ ଭୂମିପୁତ୍ର ହିସାବରେ କବିଙ୍କୁ ବ୍ୟାକୁଳ କରି ପକାଇଛି । ଆଉ ଜହ୍ନରାତିଟା ନ ଦିଶି କବିଙ୍କୁ ଓଡ଼ିଶାର ଏକ ଅତୀତର ସେହି ନିର୍ଦ୍ଦିଷ୍ଟ ସ୍ମୃତି-ପ୍ରକୋଷ୍ଠଟି ମଧ୍ୟକୁ ହାତ ଧରି ଡାକିନେଉଛି, ଯେଉଁଠାରେ ସିଏ ମାଳ ମାଳ ନୌକା ବଣିଜ ଗାଆଁରୁ ରାଜଧାନୀକୁ ଲେଉଟି ଆସୁଥିବାର ସଂଦର୍ଶନ କରୁଛନ୍ତି ।

 

ପଟୁଆ ମାଳ ମାଳ । ଏକ ସାମନ୍ତ ଯୁଗର ସମସ୍ତ ବିଧିକୁ ରକ୍ଷା କରି ଆଗ ରଜା, ତା'ପରେ ମନ୍ତ୍ରୀ ଏବଂ ତା'ପରେ ମର୍ଯ୍ୟାଦା ମୁତାବକ ଅନ୍ୟମାନେ । ଏଣେ ତଟରେ ବରାଙ୍ଗନାମାନେ ବନ୍ଦାପନା ନିମନ୍ତେ ସକଳ ଉପଚାର ସହିତ ଅପେକ୍ଷା କରିରହିଛନ୍ତି । କବି ଥକା ହୋଇ ଚାହିଁ ରହିଛନ୍ତି ଏବଂ ପିଛୁଳାକ ପରେ କେଡ଼େ ବିମର୍ଷହୋଇ ଯାଉଛନ୍ତି । କାରଣ, ସେହି ଅତୀତ ଆଉ ନାହିଁ । କୁଆଡ଼େ ଗଲା ସେହି ମହିମାମୟ ସମୟଟା । କବି ଝୁରି ହେଉଛନ୍ତି । କାଳଟାକୁ ଝିଙ୍ଗାସି ହେଉଛନ୍ତି । ଦୁଃଖ ପାଉଛନ୍ତି । କୋଉଠି କ'ଣ, ଖଣ୍ଡିଆ ରହିଗଲେ, ଅର୍ଥାତ୍ କାହାକୁ ଘୃଣା କଲେ ମଣିଷମାନେ ଏପରି ଦୁଃଖ ପାଆନ୍ତି କେଜାଣି ? ଏଣେ କବିତାଟା ବି ସରିବା ନିମନ୍ତେ ତରତର ହେଉଛି । ତେଣୁ, ବର୍ତ୍ତମାନ ଏହି ରାତ୍ରିକାଳୀନ ଜ୍ୟୋତ୍ସାବିହାର, ଅତୀତ ଉତ୍କଳର ବୃହତ୍ ଚିତ୍ରଟି–ଏହି ସବୁକିଛିକୁ ଏତିକିରେ ଏଇଠି ରଖି ସଂସାରକୁ ଫେରିବାକୁ ହେବ । ଫେରିବାକୁ ହେବ ସତେ ? –ବୋଲି କହି କବିଚିତ୍ତ ହାହାକାର କରି ଉଠିଛି । କବି ସବା ଶେଷରେ 'ଭୂମା'ନାମକ ଏକ ଶବ୍ଦରେ ସାନ୍ତ୍ୱନା ପାଇବାକୁ ଚେଷ୍ଟା କରିଛନ୍ତି । ଉପସଂହାର କରି କହିଲେ, ଗୋଟିଏ ଦୀର୍ଘ କବିତାରେ ତିନିଭଳି ପ୍ରେମରୁ ତିନୋଟି ଜଗତର କଥା କୁହାଯାଇଛି, ଯାହାକି ସଂପୃକ୍ତ ଆମ ସମସ୍ତଙ୍କୁ ତିନିଟା ଜାଗାରେ ଆଣି କ୍ଷଣେ ବାନ୍ଧି ଓ ଭୁଲାଇ ରଖୁଛି ଓ ତା'ପରେ ଗଞ୍ଜଣା ଦେଇ ତିନିତିନି ଥର କଚାଡ଼ି ବି ଦେଉଛି । ଆମର ଚେତନାଟିକୁ ହୁଏତ ଜଖମ ବି କରି ପକାଉଛି । ଏତେ ଏତେ ପ୍ରେମର ପରିଚିତି ଆଣି ଦେଉଥିବା ଆମ ଭାବମୟ ପୃଥିବୀଟି କ’ଣ ପ୍ରକୃତରେ ଆଖର କଚାଡ଼ି ଦେବା ପାଇଁ ଏବଂ ଜଖମ କରିଦେବା ପାଇଁ ? ଏବଂ, ଭୂମାଟି ମଧ୍ୟ କ'ଣ ଗୋଟାଏ ଏପରି ସ୍ଥାନ, ଯେଉଁଠାରେ ପହଞ୍ଚି ଆଗେ ଏହି ଜଖମଟା ନିମନ୍ତେ ଆମେ ତୁରନ୍ତ ଅନ୍ତତଃ କିଞ୍ଚିତ୍ ପ୍ରାଥମିକ ଚିକିତ୍ସା-ବିଧାନର ବ୍ୟବସ୍ଥା ତ କରିପାରିବା ?

 

ଆମ ଘରର ଚିହ୍ନା ସାହିତ୍ୟଟି ତ ପ୍ରେମ ବ୍ୟତୀତ ପହୁଣ୍ଡ ବାଟବି ଚିନ୍ତା କରି ପାରୁନାହିଁ; କେତେବେଳେଏକ ଭାବପ୍ରବଳତାର ଅତିଚାର ଭିତରେ ଥଲଥଲ ହୋଇ ଓ ପୁଣି କେତେବେଳେ ପ୍ରାୟ ଏକ ଭାବ ନୈରାଶ୍ୟର ଉତ୍ତାପ ଭିତରେ ପଡ଼ି ମହା ପ୍ରେମକୁ ପ୍ରାୟ ଏକ ଆଖିବୁଜା ଅବଲମ୍ବନ ପରି ଗ୍ରହଣ କରିଛି । କବିମାନେ ତ କହିଲେଣି ଯେ ଜୀବନରେ ଆଉ ଆନନ୍ଦ ନାହିଁ, ସଂସାରର ଏହି ଯାବତୀୟ ସମ୍ବନ୍ଧମଧ୍ୟରେ ନିର୍ଭର ସହିତ ବାନ୍ଧି ହୋଇ ରହିବା ପଛରେ ଆଦୌ କୌଣସି ପ୍ରାସଙ୍ଗିକତା ନାହିଁ । ତେଣୁ ଏଠୁ ହୁଡ଼ି ଯାଇ ଓ ଏଠୁ ଉଡ଼ି ପଳାଇ ଯିଏ ନିଜର ବହୁବିଧ କଳାତ୍ମକ ଫୁଲାପଣରେ ନିଜ ଆତ୍ମାର ଏକ ତଥାକଥିତ ସତ୍ୟ ଭିତରକୁ ପଶି ପ୍ରେମଚାରଣା କରିବାରେ ଲାଗିଛି, ସେଠାରେ ନିଜକୁ ଏକା ଏକା ବାଦଶାହ ବୋଲି ଅନୁଭବ କରୁଛି, ନିଜର ଭାଗ୍ୟଟା ଅନୁସାରେ ଯାହାକୁ ସିଏ ନିଃସଙ୍ଗତା ବୋଲି କହୁଛି, ତାହାକୁ ହିଁ ସତେଅବା ଗୋଟାଏ ଭୂମାର ମର୍ଯ୍ୟାଦାରେ କୁଣ୍ଢାଇ ରହିଯାଉଛି ଏବଂ ସେଥିରୁ ନାହିଁ ନଥିବା ସାନ୍ତ୍ୱନା ଲାଭ କରୁଛି । ଅଲଗା ହୋଇ ରହିବାର ଅପଶକ୍ତିଠାରୁ ସତେଅବା ବହୁତ ଶକ୍ତି ପାଉଛି । ଏବଂ, ଏହିପରି ଭାବରେ ପୃଥିବୀରେ ଅମଙ୍ଗଳଶକ୍ତି ଗୁଡ଼ାକରବୃଦ୍ଧି ଲାଭ କରିବାରେ ବେଶ୍ ସହାୟତା କରୁଛି । ଗୋଟାଏ ଗୋଟାଏ ଖାସ୍ ବର୍ଗର ଗପକୁ ଏବେ ପ୍ରେମଗଳ୍ପ ବୋଲିବି କୁହାଗଲାଣି । ଆମ ପତ୍ରିକାମାନେ ବି ବଜାରରସାଂପ୍ରତିକ ନାଡ଼ୀ ଗୁଡ଼ିକୁ ଠଉରାଇ ପାରୁଥିବା ପରି ଏହି ଗୁଡ଼ିକ ଦ୍ୱାରା ହିଁ ପୃଷ୍ଠା ପରେପୃଷ୍ଠା ଭରି ଦେଉଛନ୍ତି । ବେଳେ ବେଳେ ପତ୍ରିକାର ନାଆଁଗୁଡ଼ିକରୁ ହିଁ ପ୍ରେମର ଅମୀୟଝରି ପଡ଼ୁଥିବା ପରି ମନେ ହେଉଛି । କବିତା-ପାଠର ଉତ୍ସବମାନଙ୍କରେ ସେହି ଅମୀୟଟି ବ୍ୟତୀତ ସତେଅବା ଆଉ କିଛିହେଲେ ପରିଦୃଶ୍ୟ ହେଉନାହିଁ । ଯିଏ ପାରୁଛି ଅଜାଡ଼ି ଦେଉଛି ଓ ଯିଏ ପାରୁଛି ଗିନାଟାକୁ ବଢ଼ାଇ ଦେଉଛି । ଏହିପରି ଭାବରେ ପୂରାମିଆଦଟା କଟାଇ ଦେବାକୁ କେତେ ଭରସା ମିଳି ବି ଯାଉଛି ।

 

ଜୀବନ ବଞ୍ଚିବାର ଏ ଖାସ୍ ପ୍ରେରଣା ହେଉଛି ଏହି ପ୍ରେମ । ଡୋର ଯୋଡ଼ିବାରଏକ ଖାସ୍ ପ୍ରମାଣ ହେଉଛି ଏହି ପ୍ରେମ । କାହାର ହୋଇଯାଇ ଥିବାର ସେହି ସହଜ ପରି ପ୍ରକାଶଟିଏ ହେଉଛି ପ୍ରେମ । ଭଗବତ-ସାକ୍ଷାତକାରରୁ ଏକ କପଟରହିତ ଖୁସୀ ହେଉଛି ପ୍ରେମ । ବନ୍ଧୁ, ତୁମର କବିତା ଓ ତୁମର ଗପରେ ସେଇଟା ସବୁବେଳେ ଅବଶ୍ୟ ଧରା ପଡ଼ିଯିବ । ତୁମେ ଆପେ ମଧ୍ୟ ଖୁବ୍ ଧରା ପଡ଼ିଯାଉଥିବ । ନିଜକୁ ଯେତିକି ଲୁଚାଇ ରଖିବାର ଚେଷ୍ଟା କରିବ ସେତିକି ଧରାପଡ଼ି ଯାଉଥିବ । ଅର୍ଥାତ୍, ଏହି ସଂସାରଟାରେ ହରି ମିଶ୍ର ହୋଇ ସାହିତ୍ୟରେ ବରଜୁ ପ୍ରଧାନ ହେବୀ ଏହି କଳିଯୁଗରେ ଆଦୌ ସମ୍ଭବ ହେବନାହିଁ । ଯାବତୀୟ ପ୍ରେମର ପରୀକ୍ଷା ସବାଆଗ ଦାଣ୍ଡରେ ହିଁ ହେବ । ସାହିତ୍ୟ ସେହିଗୁଡ଼ିକର ପ୍ରତିଫଳନ ମାତ୍ର କରୁଥିବ । ନିଜ ଜୀବନରେ ସଙ୍ଗୀଟିଏ ସତକୁ ସତ ପାଇଥିଲେ ଏବଂ, ଆହୁରି ଅଧିକ ସିଧା କରି କହିଲେ, ନିଜେ ସଙ୍ଗୀଟିଏ ହୋଇ ପାରୁଥିଲେ, ତୁମେ କଦାପି ନିଃସଙ୍ଗତାର ବର୍ଣ୍ଣାଢ଼୍ୟ ବସ୍ତଗୁଡ଼ାକୁ ପିନ୍ଧିବା ନିମନ୍ତେ ମନ କରିବ ନାହିଁ । ନାନାଦୁଷ୍ଟ ପ୍ରଲୋଭନରେ ପଡ଼ି ସାହିତ୍ୟରେ ଯେଉଁମାନେ ଆତ୍ମରତି ହୁଅନ୍ତି, ସେମାନେ ପ୍ରକୃତରେ ଉପରକୁ ଯେଡ଼େ ଶସିଅଳ ହୋଇ । ଦିଶୁଥିଲେ ମଧ୍ୟ କେବଳ ଶୁଖି ଶୁଖି ହିଁ ଯାଉଥାନ୍ତି । ପୃଥିବୀଟାକୁ ଦରିଦ୍ର ଅର୍ଥାତ୍‍ ଦରଦହୀନ କରି ରଖିଥାନ୍ତି ।

 

ଏହି ବିଟମାନେ ସାହିତ୍ୟରେ ଅସାହିତ୍ୟିକ ଓ ନରଖର ପ୍ରଦର୍ଶନ କରିବାରେଏକ ବ୍ୟାଧିଗ୍ରସ୍ତ ଆନନ୍ଦ ଲାଭ କରୁଥାଆନ୍ତି । ସାହିତ୍ୟର ଆଡ଼ମ୍ବରପୂର୍ଣ୍ଣ ଅବସରମାନଙ୍କରେ ସେମାନେ ଭଳି ଭଳି ପ୍ରେମାକୁଳତାର ନିଦର୍ଶନ ହୋଇ ରହିଥାନ୍ତି । ଯାହା ସତକୁ ସତ ମୋଟେ ନୁହଁନ୍ତି, ତାହାରି ବିଷୟରେ ଧାଡ଼ି ଧାଡ଼ି ଫାନ୍ଦି ପକାଇଥାନ୍ତି । ନିଜ ପାଖରେ ଭାରି ଅସହଜ ହୋଇ ରହିଥାଆନ୍ତି ।

Image

 

ବ୍ରହ୍ମର ଶୀତଳୀକରଣ

 

ଯାବତୀୟ ସତ୍ୟ ପରି ବ୍ରହ୍ମ ନାମକ ସତ୍ୟଟିର ମଧ୍ୟ ଏକ ସଂକ୍ରାମଣଶକ୍ତି ରହିଛି । ସଂକ୍ରାମଣଶକ୍ତି ହେଉଛି ସକଳ ଯେକୌଣସି ସତ୍ୟର ସବାବଡ଼ ଶକ୍ତି । ସତ୍ୟ ମଧ୍ୟରେ ଆତଯାତ ହେଉ ହେଉ ଗୋଟିଏ ବିଶେଷ ସତ୍ୟ ସତେଅବା ବିଶେଷ ଭାବରେ ଆମକୁ ଟାଣିବାକୁ ଆରମ୍ଭ କରେ । ସତେଅବା ଏତେଦିନ ଯାଏ ମୁଁ ଏହି ଖାସ୍‍ ସତ୍ୟଟି ପାଇଁ ଅପେକ୍ଷା କରି ରହିଥିଲି ଭଳି ମନେ ହେଉଥାଏ । ଏହି ସତ୍ୟଟିକୁ ମୋଖୋଜଟିକୁ ଆଗ ମୋ ତରଫରୁ ପକାଇ ମୁଁ ଏଇଟିକୁ ବାରିଲି ନା ସତ୍ୟଟି ହିଁ ବାଟରେଯାଉ ଯାଉ ମୋତେ ହାବୁଡ଼ିଲା ଏବଂ ମୋତେ ବାଛିଲା, ସେହି କଥାଟିର ଗୁମର ପ୍ରକୃତରେ କିଏ ବା ଜାଣିଛି ? ତଥାପି, ସଂକ୍ରାମିତ ହେବାର ଏହି ଯେଉଁ ସମ୍ମତି, ତାହାହିଁ ତ ସତ୍ୟର ଉପଲବ୍ଧ । ସତକୁ ସତ ଏକ କ୍ରିୟାଶୀଳ ସମ୍ମତି, ଏକ ଶ୍ରଦ୍ଧାନୁଭବର ସମ୍ମତି । ଯେତିକି ଖୁସିର ସହିତ ସମ୍ମତିଟିଏ, ତାହା ସେତିକି ସ୍ୱାଭାବିକ ଏବଂ ସେତିକି ଅଧିକ ସ୍ଥାୟୀ । ଜୀବନକୁ ସତକୁ ସତ ଏହିପରି ଏକ ସହଜ ସମ୍ମତିର ବିନ୍ଦୁରେ ଆଣି ପହଞ୍ଚାଇବାର ଯେଉଁ ପଥଚାରଣା ଓ ଯେଉଁ ସୋପାନ ଉଠିବା, –ତାହାହିଁ ତପସ୍ୟା । ତପସ୍ୟା ଅର୍ଥାତ୍ ଏକ ସତ୍ୟ, ଏକ ଅବିଚଳ ସମୀପ୍ୟ,–ସତେ ଅବା ବ୍ରତଟିଏ ଆଚରଣ କରୁଥିବାର ଏକ ସମୀପ୍ୟ । ସ୍ଵଗୃହ ଭିତରେ ରହିଥିବି ଅଥଚ ସମୁଦାୟ ଭୁବନଟି ସହିତ ସୂତାଗୁଡ଼ିକୁ ବାନ୍ଧି ରଖିଥିବି; ବେଢ଼ା ଭିତରେ ଥିବି ସିନା, ତଥାପି ବେଢ଼ାଗୁଡ଼ିକୁ ଅବଲୀଳାକ୍ରମେ ଡେଇଁ ଯାଇ ପାରୁଥିବି । ମହକୁମାଟାସିନା ଏହି ବେଢ଼ାଟାଭିତରେ, ମାତ୍ର ବଣିଜ ଗୋଟା ସଂସାରଟା ସହିତ ।

 

ସେହି ବ୍ରହ୍ମକୁ ବୁଝିବା ଲାଗି ଅପେକ୍ଷାକୃତ ଅଧିକ ତତ୍ପରମାନେ କାହାର କିମିଆ ଭିତରେ କାହିଁକି ଯାଇ ପଡ଼ିଗଲେ କେଜାଣି, ସେମାନେ ସତେ ଅବା ଏକ ଦୁର୍ଯୋଗର ବଶବର୍ତ୍ତୀ ହୋଇ ଆପଣାକୁ ବ୍ରହ୍ମବାଦୀ ବୋଲାଇଲେ । ବ୍ରହ୍ମକୁ ନେଇ ବାଦ ବାହାରକଲେ ଏବଂ ବାଦି ହେଉ ହେଉ ବିବାଦି ହେଲେ । ପରସ୍ପର ସହିତ ବିବାଦଲଗାଇଦେଲେ । ବିବାଦମାନଙ୍କୁ ଅଧିକ ବହଳ ମନୋନିବେଶ ସହକାରେ ତତ୍ତ୍ୱଗୁଡ଼ିକ ଦ୍ୱାରା ଏପରି ଭିନ୍ନ ଭିନ୍ନ କରି ଭେଶ କରି ରଖିବାରେ ଲାଗିଗଲେ ଯେ, ସେହି ଗୋଟିଏ ବ୍ରହ୍ମକୁ ନେଇ ଅଧିକ ତ ସର୍ବଦା ସମ୍ଭବ ହୋଇପାରିବ ବୋଲି ସେହି ଅସଲ ଧର୍ମଟିକୁ ଭୁଲିଗଲେ । ଭଳି ଭଳି ଭାଷ୍ୟ ଲେଖାଗଲା । ଭାଷ୍ୟରୁ ଭଳି ଭଳି ଗଣ ଅର୍ଥାତ୍‍ ଚେଲାମାନଙ୍କର ସଂସାର, ଅର୍ଥାତ୍ ସମ୍ପ୍ରଦାୟ । ଏବଂ, ସମ୍ପ୍ରଦାୟ ଅନୁସାରେ ଭେକ, ପାଠ ଓ ମଠ । ଶଙ୍କରାଚାର୍ଯ୍ୟ ମହାଶୟ ତ ଚାରି ସୀମାରେ ଚାରିଟା ମଠର ଶିଳାନ୍ୟାସ କରି ଆସିବା ନିମନ୍ତେ ଏକ ଦିଗ୍‌ବିଜୟରେ ବାହାରି ବି ଯାଇଥିଲେ । ପୁନଶ୍ଚ କ’ଣ ସବୁ ଅମଙ୍ଗଳିଆ ଭାବଚକ୍ରରେ ପଡ଼ି ହିମାଳୟର ବଦ୍ରିନାଥ ଧାମରେ କେରଳରୁ ନମୁଦ୍ରି ଜଣେ ଆସି ମୁଖ୍ୟ ପୂଜକ ହେବେ ବୋଲି ବ୍ୟବସ୍ଥାଟିଏ ବାନ୍ଧି ଦେଇ ଯାଇଥିଲେ । ସମଗ୍ର ପୃଥିବୀଟା ପରି ଭାରତବର୍ଷରେ ଯେତେ ଯେତେ ଦଗ୍‍ବିଜୟୀ ଏହି ନେତାମାନେ, ସେତିକି ସେତିକି ଏକ ଆରେକୁ ଅବର ବୋଲି କହୁଥିବା ଏହି ଯାବତୀୟ ସମ୍ପ୍ରଦାୟ ସର୍ବବିଧ ଘଟଣା ସେହି ଗୋଟିଏ ଅନୁମାନକୁ ଦୃଢ଼ କରିଦେଉଛି ଯେ, ଶୀତଳୀକରଣରଏହି ପ୍ରକ୍ରିୟାଟି ଆମ ଦେଶରେ ସେହି ପ୍ରଥମ ଯୁଗରୁ ହିଁ ଆରମ୍ଭ ହୋଇଯାଇଛି ଏବଂ ତଦନୁରୂପ ଗୁରୁମାନଙ୍କର କବଳରେ ପଡ଼ି ବ୍ରହ୍ମଚେତନାରୁ ବାଟ ହୁଡ଼ିଯିବାରେ ନାନାଦୁଃସାହସିକତାକୁ ପ୍ରଶ୍ରୟ ଦେଇଛି । ଶାଖାମାନେ କଣ୍ଢେଇଗୁଡ଼ିକୁ ହିଁ ସର୍ବସାର ରୂପେ ମାନି ନେଇଛନ୍ତି ।

 

ଗୁରୁ-ଅସଲ ଗୁରୁ ଏକ ସେତୁର କାର୍ଯ୍ୟ କରେ । ବାଟ ଦେଖାଇଦିଏ, ଆଦୌବାଟ ଓଗାଳି ଠିଆ ହେବାର ଅଧର୍ମ କରେ ନାହିଁ । ଏହି ସୋପାନିରୁ ପରବର୍ତ୍ତୀ ସେହି ସୋପାନଟିକୁ ଯିବାରେ ସହାୟତା କରିବା ନିମନ୍ତେ ସେତୁଟିଏ ସିନା ରହିବ । ଆମର ଏହି ପୃଥିବୀଟାରେ ଧର୍ମତଃ ଏକ ସେତୁର କାର୍ଯ୍ୟ କରିବାକୁ ରହିଥିବା ଗୁରୁମାନେ । ମଣିଷମାନଙ୍କୁ ବାଉଳା କରି ରଖିବା ସକାଶେ ଏତେ ଏତେ ଉତ୍ସାହ କ'ଣ ପାଇଁ ଦେଖାଇ ଆସିଛନ୍ତି, କେଜାଣି ? ବ୍ରହ୍ମ ଭୁଲି ହୋଇଗଲେଣି, ଗୁରୁମାନେ ହିଁ ପ୍ରାୟ ସର୍ବବିଧ ଅବସରରେ ସ୍ଥାନ ମାଡ଼ି ବସିଛନ୍ତି । ଏବେ ତ ଗୁରୁମାନଙ୍କୁ କେଡ଼େ ରାଜକୀୟ ମହାଡ଼ମ୍ବରରେ ଅବତାର ବୋଲି କୁହାଗଲାଣି । ସେମାନଙ୍କର ଜୀବିତାବସ୍ଥାରେ ହିଁ ସେମାନଙ୍କୁ ବରିଷ୍ଠତମ ଅବତାର ବୋଲି ପ୍ରାୟ ଏକ ଦୁର୍ବୁଦ୍ଧିଯୁକ୍ତ ପୁଲକରେ ଘୋଷଣାକରି ଦିଆଯାଉଛି ଏବଂ ସେହି ଅନୁସାରେ ଆବଶ୍ୟକ ଉପଚାରଗୁଡ଼ିକୁ ମଧ୍ୟ ଖଞ୍ଜି ଦିଆଯାଉଛି । ବହୁ ବାହ୍ୟଚର୍ଯ୍ୟାର ଏକ ରୁଚିହୀନ ଅତିଶୟତା ମଧ୍ୟରେ ବ୍ରହ୍ମ ସତେଅବା କୁଆଡ଼େ ପୋତି ହୋଇଗଲେଣି । ପ୍ରଧାନତଃ ଭଳି ଭଳି ବାହ୍ୟତାରୁ ହିଁ ମଣିଷ ତଥା ମନୁଷ୍ୟପଲମାନଙ୍କର ବିଚାର କରାଯାଉଛି । ବ୍ରହ୍ମଚୈତନା ତ ନିଜ ଭିତରେ ରହିଥିବା କେନ୍ଦ୍ରଟିର ଆବିଷ୍କାର କରିବାର ଉପାୟଟିକୁ ବତାଇ ଦେଉଥାଆନ୍ତା । ମୁଁ ମୋ କେନ୍ଦ୍ରରେ ଯେଉଁ ସର୍ବୋତ୍ତମଟିର ଆବିଷ୍କାର କଲି, ତାହାରିଠାରୁ ପ୍ରେରଣାଟିଏ । ଲାଭ କରି ମୁଁ ଅନ୍ୟ ପ୍ରତ୍ୟେକ ମନୁଷ୍ୟକୁ ମଧ୍ୟ ଦେଖିବାର ସେହି ଅସଲ ଭଦ୍ରତାଟିକୁ ଅର୍ଜନ କରିପାରନ୍ତି । ଅନ୍ୟ ସମସ୍ତଙ୍କୁ ଏବଂ ଅନ୍ୟ ସବୁଟିକୁ ମଧ୍ୟ ସେମାନଙ୍କର ତଥା ସେଗୁଡ଼ିକର ସର୍ବୋତ୍ତମ ପରିଚୟରେ ନିଜର ସର୍ବୋତ୍ତମ ଅସ୍ପୃହାଗୁଡ଼ିକର ପରିଧିଭିତରେ ଅନ୍ତରଙ୍ଗ ଭାବରେ ଆବିଷ୍କାର କରନ୍ତି । ଏକ ଅନ୍ୟ ସହଚାରିତା ଏବଂ ସହଯୋଗିତା ନିମନ୍ତେ ଯୋଗ୍ୟ ହୋଇଆସନ୍ତି । ଏହି ପରି ଭାବରେ ପୃଥିବୀଟା । ଏକ ଅନ୍ୟ ସମ୍ଭାବନାର ପ୍ରତିଶ୍ରୁତି ସହିତ ମୋ ଆଖିରେ ଅନ୍ୟ ଭଳି ଦିଶିବାକୁ ବି ଆରମ୍ଭ କରନ୍ତୁ । ତା'ପରେ ଆମ ମଣିଷମାନଙ୍କୁ ନେଇ ଏପରି ଏକ ଜୀବନ ଏହି ଭୂଇଁଟାଉପରେ ସମ୍ଭବ ହୁଅନ୍ତା, ଯାହାକୁ କି ଏକଦା ବୁଦ୍ଧଦେବ ବ୍ରହ୍ମବିହାର ବୋଲି କହି ଯାଇଛନ୍ତି । ଆମର ଗୁରୁମାନେ ମଧ୍ୟ ଯଦି ମତିଗୁଡ଼ିକୁ ଥିର କରି ଆମ ସହିତ ଏକନୂଆ ରୀତିରେ ସମ୍ବନ୍ଧ ଯୋଡ଼ିବାର ଅଧିକ ଦାୟିତ୍ଵପୂର୍ଣ୍ଣ କାର୍ଯ୍ୟଟିକୁ ସ୍ୱୀକାର କରି ନେଇପାରନ୍ତେ, ତେବେ ସେମାନେ ଆମ ପାଇଁ ଅସଲ ନେତୃତ୍ଵଗୁଡ଼ିକୁ ମଧ୍ୟ ଦେଇପାରନ୍ତେ । ଏକ ଅନ୍ୟ ମହିମା ଦେଇ ଏହି ପୃଥିବୀକୁ ଚିହ୍ନନ୍ତେ ।

 

ଉପସ୍ଥିତ ପୃଥିବୀଟି ସତେ ଅବା ମନୁଷ୍ୟ ଜୀବନର ଅସଲ ପ୍ରୟାସଗୁଡ଼ିକ ବିଷୟରେ ଅତ୍ୟନ୍ତ ଉଦାସୀନ ହୋଇପଡ଼ିଛି । ମଣିଷମାନଙ୍କର ଆଉ ମୋଟେ ବଳ ନପାଉଥିବା ପରି ଲାଗୁଛି-। ଭୟ ବୃଦ୍ଧି ପାଉଛି । କ୍ଷମତାମାନେ ଅସୁରମାନଙ୍କର ବୋଲହାକ କରିବାକୁ ବାଧ୍ୟ ହେଉଛନ୍ତି-। ବିଦ୍ୟାର୍ବନ୍ତମାନେ ବି. ଭୀରୁ ହୋଇ ରହିଯାଉଛନ୍ତି । ରାଷ୍ଟ୍ରମାନେ ହିଁ ସକଳ ବିଦ୍ୟା ତଥା ସକଳ ବିଜ୍ଞାନର ମାଲିକ ହୋଇବସିଛନ୍ତି ! ଯେଉଁଠି ବ୍ରହ୍ମଟା ଶୀତଳ ହୋଇ ରହିଥାଏ, ସଚରାଚର ସେହିଠାରେ ହିଁ ରାଷ୍ଟ୍ରମାନେ ଭାରି ମାରଣା ହୁଅନ୍ତି, –ରାଷ୍ଟ୍ର ରାଷ୍ଟ୍ର ମଧ୍ୟରେ ମିଛ ଉତ୍ତେଜନାମାନଙ୍କୁ ସୃଷ୍ଟିକରି ରଖାଯାଇଥାଏ । କୁଢ଼ କୁଢ଼ ଅସ୍ତ୍ର ଜମା କରାହୁଏ । ଜୀବନର ସର୍ବବିଧ ଉଦୟରବଗିଚାଗୁଡ଼ିକରୁ ମାଳିମାନଙ୍କୁ ବାହାର କରିଦେଇ ପୋଲିସମାନଙ୍କୁ ହିଁ ଜଗାଇ ରଖାଯାଏ-। ଭଳି ଭଳି ବିଜ୍ଞାପନ ଏବଂ ଭଳି ଭଳି ଅଫିମ–ପରିପୂର୍ଣ୍ଣ ଆଧୁନିକ ପରିପାଟୀରେ ସେତେବେଳେ ଆଦର୍ଶ ବୋଲି ଯାହା କିଛି ମନୁଷ୍ୟମାନଙ୍କର ମଥାଭିତରେ ଆଣି ଭର୍ତ୍ତି କରି ଦିଆଯାଉଥାଏ, ତଦ୍ୱାରା ସେମାନଙ୍କୁ ଅଧିକରୁ ଅଧିକ ଅସମର୍ଥ କରି ରଖିବାର ଚକ୍ରାନ୍ତଟାଏ ଲାଗି ରହିଥାଏ-। ମଣିଷମାନଙ୍କର ମଥାଟାକୁଏପରି ଦୁର୍ବୁଦ୍ଧିଯୁକ୍ତ ନାନା ପଶୁତୁଲ୍ୟ ଯାନ୍ସିକତା ଦ୍ଵାରା ବଶ କରି ରଖାଯାଇଥାଏ ଯେ, ଆହୁରି ଭିତରେ ଅବଶ୍ୟ ବିଦ୍ୟମାନ ରହିଥିବା ତା'ର ମଞ୍ଜ ଭିତରେ ହୃଦୟ ନାମକ ଏକ ଅନ୍ୟ ସହୋଦରଟିଏ ମଧ୍ୟ ରହିଛି ବୋଲି ତାହା ପାସୋରି ପକାଇବାକୁ ହିଁ କ୍ରମେ ଭଲପାଏ ଏବଂ ଅତ୍ୟନ୍ତ ବିପଜ୍ଜନକ ଭାବରେ ବୋଲମାନେ ଓ ଯାନ୍ତ୍ରିକ ହୋଇଯାଏ-। ଯିଏ ଚେତାବନୀ ଦିଅନ୍ତା, ଯଥାର୍ଥ ସମ୍ମାନବୋଧ ବିଷୟରେ ସଚେତନ କରି ଦେଉଥାନ୍ତା ସେଇଟି ଶୀତଳ ହୋଇ ପଡ଼ି ରହିଥାଏ । ଅସଲ ସମ୍ମାନ ତ ସେହିବ୍ରହ୍ମ ହିଁ ରେ, ଅସଲ ଲୋଡ଼ିବା ଗୁଡ଼ିକୁ ସେହି ବ୍ରହ୍ମ ହିଁ ଲୋଡ଼େ । ବ୍ରହ୍ମ ହିଁ ପ୍ରତିବାଦ କରିପାରେ, ନାହିଁ ନାହିଁ ଭିତରେ ତଥାପି ହଁ ହଁ ବୋଲି କହିବାର ତାକତ୍ କେବଳ ବ୍ରହ୍ମର ରହିଥାଏ । ବ୍ରହ୍ମର ଆସ୍ଥାନ ଆମ ଭିତରେ ଆମ ପ୍ରତ୍ୟେକଙ୍କ ଭିତରେ ଏବଂ ତେଣୁ ବାହାରେ ମଧ୍ୟ ଆମର ଏହି ସାମୂହିକ ଯାବତୀୟ ସମ୍ପର୍କ ମଧ୍ୟରେ-। କାରଣ ଯଦି ସତକୁ ସତ ବ୍ରହ୍ମ ହିଁ ଆମ ଚଳନ୍ତି ସମ୍ପର୍କ–ଚେତନାଗୁଡ଼ିକର କ୍ଷେତ୍ରରେ ପ୍ରକୃତରେ ପରମ ସମ୍ପତ୍ ସଦୃଶ ରହିଥିବେ, ତେବେ ଏହି ବିଶ୍ୱରୂପୀ ଯାବତୀୟ ଭୂମିରେ ଆମେ ସବୁଠାରୁ ଅଧିକ ପ୍ରତ୍ୟକ୍ଷ ଭାବରେ ଆମରି ପରି ସବୁ ମନୁଷ୍ୟଙ୍କ ଭିତରେ ହିଁ ବ୍ରହ୍ମଙ୍କୁ ଅବଶ୍ୟ ଦେଖିବା-। ବ୍ରହ୍ମା ହିଁ ଆମର ଯାବତୀୟ ଦେଖିବାରେ ତଥା ସମ୍ପର୍କ ଥାପିବାରେ ସବାବଡ଼ ପରିମଳ ପରି ହୋଇ ରହିଥିଲେ ଆମେ କଦାପି ସଂସାରଟିକୁ ମାୟା ବୋଲି କହି ଅନ୍ୟ କୌଣସି ଏକକ ନିତ୍କାଞ୍ଚନ ମଧ୍ୟକୁ ପଳାୟନ କରିବାକୁ ରାଜି ହେବାନାହିଁ । ଯେଉଁମାନେ ଏଠାରେ ଉଚ୍ଚତର ଓ ନିମ୍ନତରର ହିସାବରେ ମଣିଷଙ୍କୁ ଜାତିଭେଦର ସେହି ପାରମ୍ପରିକ ମାପଟା ଦ୍ୱାରା ତଉଲିଲେ ଏବଂ ସେହି ଅନୁସାରେ ଆମ ମାନବୀୟ ସମ୍ପର୍କକୁ ବହୁଭାବେ ବ୍ରହ୍ମବର୍ଜିତ କରି ରଖିଲେ, ସେମାନେ ବ୍ରହ୍ମର ଶୀତଳୀକରଣରେ ସତେଅବା ସେହି କାରଣରୁ ପୁରୋଧା ହୋଇ ରହିଗଲେ । ଆମର ଏହି ଭାବରେ ସଂସାରଟିକୁ ଦରିଦ୍ର କରି ପକାଇଲେ । ଏବେ ମଧ୍ୟ ଭଳି ଭଳି ବହୁଚତୁରତାରେ ସେହି ବ୍ୟାଧିଗ୍ରସ୍ତ ହୃଦୟହୀନତାଗୁଡ଼ିକ ଆମକୁ କାମୁଡ଼ି ଧରିଛି । ଅର୍ଥନୀତିକୁ କାମୁଡ଼ି ଧରିଛି, ରାଜନୀତିଟାକୁ କାମୁଡ଼ି ଧରିଛି ।

 

ଆମ ବିଦ୍ୟାଗୁଡ଼ିକୁ ନିତାନ୍ତ ବଳହୀନ କରି ରଖିଛି, ସାମାଜିକ ସକଳ ସମ୍ଭାବନାକୁ ଅଟକାଇ ରଖିଛି । ଲଗାମଗୁଡ଼ିକ ଧୂର୍ତ୍ତମାନଙ୍କ ହାତରେ ଯାଇ ରହିଛି । ସବୁଆଡ଼େ ଗୋଟାଏ ନୃଶଂସ ନାହିଁ ହିଁ ରାଜତ୍ୱ କରିବାରେ ଲାଗିଛି । ଏକ ଅନୁରୂପ ସକାରାତ୍ମକର ହଁ ହଁ ଭିତରକୁ ଆସିବା ଏବଂ ତାହାରି ଅନୁସାରେ ନିୟତିଗୁଡ଼ିକୁ ଗଠନ କରିବା,–ବ୍ରହ୍ମକୁ ସଚଳ । ହେବାକୁ ଦେବା କହିଲେ ସେହି କଥାକୁ ହିଁ ବୁଝାଇବ । ବ୍ରହ୍ମ ସଚଳ ହେଲେ ହିଁ ଶକ୍ତିର ଉତ୍‍ଥାନ ହେବ-। ଏକ ଶକ୍ତିମନ୍ତ ପାରସ୍ପରିକତାର ନବୋଦୟ ଘଟିବ । ଭାରତବର୍ଷର ଅତୀତ ବହୁତ ମହାନ୍ ଥିଲା ବୋଲି ଆମ ବଡ଼ମାନେ ସକଳ ଅବସରରେ କହିବାରେ ଲାଗିଛନ୍ତି । ଶୁଣିଲାବେଳକୁ ଖୁବ୍ ଭଲ ଲାଗୁଛି-। କିନ୍ତୁ ପେଟ ପୂରୁନାହିଁ । ମନଟାମୋଟେ ବୁଝୁନାହିଁ । ବର୍ତ୍ତମାନଟା ଯେ ଏପରି ଶୀତଳ ଓ ଶକ୍ତିହୀନ ହୋଇ ରହିଛି, ସେହି କଥାଟି ଆମର ଶ୍ରୀ ମନ୍ତମାନେ କ'ଣ ପାଇଁ ମୋଟେ ତୁଣ୍ଡ ଖୋଲି କହୁନାହାନ୍ତି ? ସେମାନେ, ଡରୁଛନ୍ତି କି ? ଆମ କୋଟି କୋଟିଙ୍କ ଭିତରେ ଶୀତଳ ହୋଇ ପଡ଼ି ରହିଥିବା ସେହି ବ୍ରହ୍ମକୁ ଡରୁଛନ୍ତି କି ? ବ୍ରହ୍ମ ଶୀତଳ ହୋଇ ପଡ଼ିଛନ୍ତି, ତେଣୁ ନିର୍ବଳ ହୋଇ ଦେଖାଯାଉଛନ୍ତି । କିନ୍ତୁ ଆହୁରି ଅଧିକ ସତକଥାଟି ହେଉଛି ଯେ, ବ୍ରହ୍ନ ଅପେକ୍ଷାକରି ରହିଛନ୍ତି-। ପୂର୍ଣ୍ଣ ବିଶ୍ୱାସର ସହିତ ଅପେକ୍ଷା କରିଛନ୍ତି । ଡାକିବା ମାତ୍ରକେ ଉଆକରିବେ ବୋଲି ଅପେକ୍ଷା କରିଛନ୍ତି । ଉଦବେଳନଟିଏ ଯେ କେବଳ ଆମରି ଏହି ଗୋଟିଏ ଦେଶରେ ଆରମ୍ଭ ହେବ ବୋଲି ଅପେକ୍ଷା ରହିଛି, ସେକଥା ଆଦୌ ନୁହେଁ ।

 

ସମଗ୍ର ବିଶ୍ୱ ଲାଗି ଭବିଷ୍ୟତଟିଏ ଅପେକ୍ଷା କରିଛି । ଯେଉଁମାନେ ପୁରୁଣାଟା ଉପରେ ବିଶ୍ୱାସ ରଖି ଶୀତଳ ହୋଇ ବସିଛନ୍ତି, ସେମାନେ କଦାପି ବାର୍ତ୍ତାଟିକୁ ଶୁଣିପାରିବେ ନାହିଁ । ସେମାନେ ଅସ୍ତ୍ର ବଢ଼ାଇବେ, ଭୟ ବଢ଼ାଇବେ, ଦୟା ପ୍ରଦର୍ଶନ କରିବେ–ଏହା ହିଁ ଏକମାତ୍ର ଗତି ବୋଲି ଆମକୁ ଏକାଧିକ ଯୁକ୍ତି ଦେଖାଇବାରେ ଲାଗିଥିବେ । ଆମ ଭିତରେ ସେମାନେ ବ୍ରହ୍ମକୁ ଶୀତଳ କରି ରଖିବାର ନୂଆ ନୂଆ ପାଞ୍ଚ ବି କରୁଥିବେ । ହଁ, ଆମେ ଅବଶ୍ୟ ସ୍ମରଣ ରଖିବା ଯେ, ଅସଲ ବ୍ରହ୍ମର କୌଣସି ଦେଶନାହିଁ, କୌଣସି ଭେଦ-ଜ୍ଞାନ ନାହିଁ । ଏକ ପାରସ୍ପରିକତା ଅର୍ଥାତ୍ ସବଳ ପରସ୍ପର ସଚେତନତା ମଧ୍ୟରେ ବ୍ରହ୍ମ ଅପେକ୍ଷା କରି ରହିଛି । ସାମ୍ପ୍ରତିକ ସର୍ବବିଧ ଫିସାଦ ସତ୍ତ୍ୱେ ଆମେ ତାହାକୁ ତାହାର ପୂର୍ଣ୍ଣ ଗୌରବରେ ହିଁ ଚିହ୍ନିବାର ଯୋଗ୍ୟ ହେବା । ଯେକୌଣସି ଅଳ୍ପତାକୁ ଅଳ୍ପତା ବୋଲି ଜାଣିବା, ମୋହମୁକ୍ତ ହେବା । ଏହି ଯାବତୀୟ ଖଣ୍ଡ ମୋହଗୁଡ଼ିକରୁ ମୁକ୍ତ ହେଲେ ଯାଇ ସେହି ସଚଳ ବ୍ରହ୍ମରୂପୀ ସତ୍ୟର ଆହ୍ୱାନଗୁଡ଼ିକୁ ଶୁଣିପାରିବା ।

Image

 

ଆମେରିକାରେ ଆଉଥରେ (୧୦)

 

ଏଡ଼େ ଦରିଦ୍ର ଦେଶ ଏହି ଭାରତବର୍ଷ, ତଥାପି ଏଠି ଧନୀ ରହିଛନ୍ତି । ଏଡ଼େ ଧନଶାଳୀ ଦେଶ ଆମେରିକା, ସେଠାରେ ତଥାପି ଦରିଦ୍ର ରହିଛନ୍ତି । ଦରିଦ୍ରମାନଙ୍କର ଦାରିଦ୍ର୍ୟମୋଚନ ନିମନ୍ତେ ଭାରତବର୍ଷରେ ଧନୀମାନେ କେତେ ଚିନ୍ତା ଓ ଯୋଜନା କରୁଛନ୍ତି । ସରକାରଙ୍କ ଘରେ ଇନ୍ଦ୍ରତୁଲ୍ୟ ଥାନମାନଙ୍କରେ ବସିଥିବା ଉଚ୍ଚ ଅର୍ଥାତ୍ ସମ୍ପନ୍ନତମମାନେ ବହୁ ବହୁ ଧୀଷଣା ଖର୍ଚ୍ଚ କରି ଦରିଦ୍ରମାନଙ୍କୁ ଚଳେ ବା କଳେ ଆଣି ଦେଇ ପାରିବାର ଘୋର ପ୍ରୟାସମାନ କରୁଛନ୍ତି । ଆଖି ବୁଜି ପଇସା ଖରଚ ହେଉଛି । ପାଠପଢ଼ାର ବହୁ ଉତ୍ସାହ ତଥା ଆଡ଼ମ୍ବର ଦ୍ୱାରା କେଡ଼େ ସୁଶୋଭନ ଦିଶୁଥିବା ପାଠୁଆଏବଂ ପଣ୍ଡିତମାନେ କେତେ କେତେ ମିହନ୍ତ କରି ତଥ୍ୟଗୁଡ଼ିକୁ ଅଜାଡ଼ି ପକାଉଛନ୍ତି-। ଇସ୍କୁଲକୁ ପାଠ ପଢ଼ିବାକୁ ନଯାଇ ଶ୍ରମ ଖଟୁଥିବା ଶିଶୁ, ଏଠି ମନୁଷ୍ୟମାନଙ୍କର ଭାଗ୍ୟ-। ଦଉଡ଼ରେ ପ୍ରାୟ ସେହି ସତ୍ୟଯୁଗରୁ ହିଁ ବହୁମନ୍ତେ ବଞ୍ଚିତ ହୋଇ ରହିଥିବା ପଛୁଆ ଆଦିବାସୀ, ଭୂମିର କର୍ଷଣ କରି ଆସୁଥିବା ଅଥଚ ଚାଖଣ୍ଡ ଭୂମିକୁ ନିଜର ବୋଲିକହି ପାରୁନଥିବା ଗାଆଁର ଆମ ଭୂମିହୀନମାନେ କମ୍ପାନୀମାନେ ଖଣି ଖୋଳି ଆହୁରି ଅଧିକ ବିକାଶ ସକାଶେ ରାଷ୍ଟ୍ରକୁ ଅଧିକ ସାମର୍ଥ୍ୟ ପ୍ରଦାନ କରିବେ ବୋଲି ଏକାବେଳେ ବହୁ ଗାଆଁରୁ ବାସଚ୍ୟୁତ ହେଉଥିବା ଅସରଣିଆ ମଣିଷମାନଙ୍କର ପଲଗୁଡ଼ିକ; –ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ସରକାରଙ୍କ ସହିତ ପ୍ରାୟ ଏକ ଭାଇଚାରା କରି ଆସି ପହଞ୍ଚି ଗଲେଣି । ସେମାନଙ୍କର ଦରଦପୂର୍ଣ୍ଣ ନାଆଁଗୁଡ଼ାକରୁ ମଧ୍ୟ ସେମାନଙ୍କର ଏହି ଦେବତୁଲୀ ପରୋପକାରଗୁଡ଼ିକ ବିଷୟରେ ଆମେ କିଞ୍ଚିତ୍ ଅନୁମାନ କରିପାରିବାମାତ୍ରକେ ଭିତରେ ଥିବା କଲିଜାଟା ପ୍ରକୃତରେ ଉଲ୍ଲସିତ ହୋଇଉଠୁଛି । ଏତେ ଏତେ ସାମନ୍ତ ଓ ସେନାପତି ଏତେ କଷ୍ଟ ପଡ଼ି ଦରିଦ୍ରଙ୍କ ପାଇଁ ଲଢୁଛନ୍ତି, –ଉପକାରମାନେ ବେତା ବେତା ଅଜାଡ଼ି ହୋଇ ପଡ଼ୁଛନ୍ତି, –ତଥାପି ଦରିଦ୍ରର ଦାରିଦ୍ର୍ୟଦଶା କଟୁନାହିଁ । କୋଉଠି କ'ଣ ସବୁ କଣା ତଥାପି ରହିଯାଉଛି କେଜାଣି ?

 

ଆମେରିକାର କାଲିଫର୍ନିଆ ରାଜ୍ୟର ଅଳ୍ପ କେତେଜଣ ଦରିଦ୍ର ସତକୁସତ ଏକପ୍ରତିକାର ବାହାର କରିବାର ଇଚ୍ଛାରେ ଏକ ବିକଳ୍ପ ପ୍ରୟାସରେ ହାତ ଦେଇଛନ୍ତି । ତେଣେ ମଧ୍ୟ ଦୟାଳୁ ଉପକାରୀ ଓ ଦରଦୀମାନେ ନାନାବିଧ କଲ୍ୟାଣକାର୍ଯ୍ୟ କରି ଅଧିକତର କ୍ଷେତ୍ରରେ ଦରିଦ୍ରମାନଙ୍କର ଦାରିଦ୍ର୍ୟ ଘୁଞ୍ଚାଇବାର ଉଦ୍ୟମ କରୁଛନ୍ତି । ଥିଲାବାଲାମାନେ ଚାନ୍ଦା ଦେଉଛନ୍ତି, ଥିଲାବାଲାଙ୍କ ସଙ୍ଗଠନଗୁଡ଼ିକ ସେହି ଅର୍ଥକୁ ନାନାକାର୍ଯ୍ୟକ୍ରମ ମାଧ୍ୟମରେ ଖର୍ଚ୍ଚ କରୁଛନ୍ତି । ତଥାକଥିତ ସଚେତନତା ଓ ସହାନୁଭୂତି ଜାଗ୍ରତ କରାଇବାର ଉଦ୍ଦେଶ୍ୟରେ ଅନୁରୂପ ପତ୍ରିକାମାନ ବାହାରୁଛି । ସେମାନେ କେତେ ଅସମର୍ଥ ହୋଇ ରହିଛନ୍ତି, ନାଗରିକର ପ୍ରାପ୍ୟ ବହୁ ସୁଯୋଗରୁ ନିଜକୁ ବଞ୍ଚିତକରି ରଖିଛନ୍ତି, ଏମାନେ ସେହିଗୁଡ଼ିକର ଚର୍ଚ୍ଚା କରୁଛନ୍ତି । କିନ୍ତୁ ସର୍ବଦା ଏହିମାନେ କହୁଛନ୍ତି ଏବଂ ସେମାନଙ୍କ ପାଇଁ କହୁଛନ୍ତି । ସଚିତ୍ର ଭବ୍ୟ, ବର୍ଣ୍ଣନାମାନ, –ଭଲମଣିଷମାନଙ୍କର ହୃଦୟଟାକୁ ତରଳାଇ ପକାଇବା ଭଳି ବର୍ଣ୍ଣନାମାନ । ମାତ୍ର, ସର୍ବତ୍ର ସେହି ତୃତୀୟ ପୁରୁଷ ବହୁବଚନରେ ହିଁ ସବୁ ସଂରଚିତ ହୋଇଛି । ଏହି ଶୈଳୀଟାକୁ ପରିତ୍ୟାଗ କରି ପ୍ରଥମ ପୁରୁଷ ବହୁବଚନରେ କଥାଗୁଡ଼ିକୁ ଲେଖାଯାଇ ପାରିବନାହିଁ ? ଯାବତୀୟ ବଞ୍ଚନା ଓ ପ୍ରବଞ୍ଚନା, ଯାବତୀୟ ଅସମର୍ଥତା ଏବଂ ଅସନ୍ତୋଷ, ଏହି ସବୁକିଛିକୁ ସତକୁସତ ଏକ ପ୍ରାଣବନ୍ତ ପ୍ରତ୍ୟକ୍ଷତା ଦେଇ କୁହାଯାଇ ପାରନ୍ତାନାହିଁ ! ଏହିପରି ଗୋଟାଏ ଅନୁମାନର ବଶବର୍ତ୍ତୀ ହୋଇ ଦୁଇଜଣ ମହିଳା–ମାଆ ଓ ଝିଅ ପ୍ରାୟ ପାଞ୍ଚବର୍ଷ ତଳେ ପତ୍ରିକାଟିଏ ଆରମ୍ଭ କଲେ । ସେମାନଙ୍କର ସ୍ୱୟଂ ଅଙ୍ଗନିଭାଇଥିବା ଜୀବନ୍ତ–ତେଣୁ ସାହିତ୍ୟ କମ୍ ସତ୍ୟ ଅଧିକ,–ସମ୍ପୂର୍ଣ୍ଣ ରୂପେ ଆଭରଣହୀନ । ଦୟା ଦ୍ୱାରା ବିଚଳିତ କୌଣସି big-brotherly ଆହା ଆଦୌ ନାହିଁ, ସମ୍ମାନର ସହିତ ପ୍ରତିବାଦ କରିବା ନିମନ୍ତେ ଏବଂ ପ୍ରତିକାରଟିଏ ପଣ କରିପାରିବା ନିମନ୍ତେ ଯଥେଷ୍ଟ ଭିତରକୁ ଯାଇ ଉଦ୍‌ବୋଧିତ କରି ଆଣୁଥିବା ସେହି ଅନ୍ୟ ଅସଲ ମନୁଷ୍ୟଟିର ପ୍ରତ୍ୟୟ । ଅଣ୍ଟାଗୁଡ଼ିକୁ ସିଧା କରି-ପ୍ରକୃତରେ ଏକ ଅଭିନବ ସାହସ ତଥା ସକ୍ରିୟତା ।

 

ସେମାନେ ପତ୍ରିକାଟିର ନାଆଁ ଦେଇଛନ୍ତି Poor–'ଦରିଦ୍ର' । ସମ୍ପାଦନୀବିଭାଗରେ ସେମାନେ ମୋଟେ ୪ ଜଣ,–ଅନ୍ୟାନ୍ୟ କାମମାନଙ୍କରେ ନିୟୋଜିତ ଆଉଦଶ ଜଣ । ସେମାନେ ସମସ୍ତେ ଦରିଦ୍ର–ଦାରିଦ୍ର୍ୟର ପରିବେଶରେ ବାସ କରି ଆସିଛନ୍ତି ଓ କରୁଛନ୍ତି । ପତ୍ରିକାଟିଏ ବାହାର କରି କ୍ରମେ ଧନୀ ହେବାର କୌଣସି ଅଭିଳାଷ ନାହିଁ । ସେମାନଙ୍କର ମୂଳ ପ୍ରତିକ୍ରିୟାଟି ହେଉଛି : ଏହି ସେମାନେ ଓ ଆମେ ବୋଲି ଆପଣାର ମନୋଭାବନା ମଧ୍ୟରେ ସର୍ବଦା ବାଡ଼ଟାଏ ବସାଇ ସମାଜଟାକୁ ବସ୍ତୁତଃ ଦୁଇଭାଗରେ ବିଭକ୍ତ କରି ରଖାଯାଇଛି । ଏହାଦ୍ୱାରା, ଯେଉଁମାନଙ୍କୁ ସେମାନେ ବୋଲି କୁହାଯାଉଛି, ସେମାନଙ୍କ ଭିତରେ ବି ଯାବତୀୟ ମନୁଷ୍ୟ-ସମ୍ଭାବନାର ଗୁଣନେଇ ଜୀବନ୍ତ ଆସ୍ପୃହାଟିଏ ରହିଛି ବୋଲି ସେମାନଙ୍କ ବିଷୟରେ ଚିନ୍ତା କରୁଥିବା ଏବଂ ଲେଖୁଥିବା ଏମାନେ ଅନୁଭବ ହିଁ କରୁନାହାନ୍ତି । ସେମାନେ ତଳେ ରହିଛନ୍ତି ଓ ଉପରେ ଥାଇ ଏମାନେ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି । ଏହାଦ୍ୱାରା ସେମାନେ ଅର୍ଥାତ୍ ତଳେ ବଂଚିତ ହୋଇ ରହିଥିବା ମନୁଷ୍ୟମାନେ କିଞ୍ଚିତ୍ ଉପକାର ହାସଲ କରି ପାରୁଛନ୍ତି ସିନା, କିନ୍ତୁ ଉପରକୁ ଉଠି ପାରୁ ନାହାନ୍ତି । ସମାଜର ପ୍ରବାହଟାରେ କୌଣସି ସ୍ଥାୟୀ ପରିବର୍ତ୍ତନ ହୋଇପାରୁ ନାହିଁ । ଦିନଟିଏ ଆସିବ, ଯେତେବେଳେ କି ସେମାନେ ଓ ଏମାନେ ଏପରି କୌଣସି ଦୁଇଭାଗ ରହିବ ନାହିଁ, ଏକ ଯଥାର୍ଥ ସମ୍ମାନବୋଧ ଉଭୟଙ୍କୁ ଗୋଟିଏ ସମୂହ ମଧ୍ୟରେ ଏକାଠି କରି ଆଣିବ ଏବଂ ସେହି ବେଭାର ଓ ନୂତନ କଦରଟି ଅନୁସାରେ ସମାଜ ସତକୁ ସତ ସମସ୍ତଙ୍କ ପାଇଁ ଚାଲିବ, 'ସେମାନେ ଆମେ’ର ଫାଶରେ ବାନ୍ଧି ହୋଇ ରହିଥିବା ସାମ୍ପ୍ରତିକ ଚଳଣିମାନେ ସେ କଥା କଳ୍ପନା ବି କରିପାରିବେ ନାହିଁ । ଦରିଦ୍ର’ର ଲେଖାଗୁଡ଼ିକ ତେଣୁ ପ୍ରଥମ ପୁରୁଷ ଏକବଚନରେ ଲେଖାଯାଉଛି । ଉପସ୍ଥିତ ସମୟଟାରେ ଥୋକେ ଯେତେ ତଳେ ଯାଇ ରହିଥାନ୍ତୁ ପଛକେ, ଯାବତୀୟ ବିଚାର ତଥା ବିଶ୍ଳେଷଣରେ ସେହି ‘Universal' ଟିକୁ ଉଦ୍‌ବୋଧିତ କରି ଆଣିବାକୁ ହିଁ ସର୍ବମହତ୍ଵପୂର୍ଣ୍ଣ ସଂଭ୍ରମ ବୋଲି ଗ୍ରହଣ କରାଯାଇଛି ।

 

ମାଆ ଜଣକ ଖୁବ୍ ସ୍ପଷ୍ଟ କରିଦେଇ କଥାଟିକୁ ଏହି ପରି ଭାବରେ ବ୍ୟକ୍ତ କରିଛନ୍ତି: “ଆମେ ଲେଖିବା ବ୍ୟକ୍ତି ମାନେ ଯାହା କିଛି ଲେଖିବା, ତାହାକୁ ସର୍ବଦା ପ୍ରଥମ ପୁରୁଷରେ ଲେଖିବା, ଯେପରିକି ଆମେ ଯେଉଁମାନଙ୍କ ବିଷୟରେ ଲେଖୁଛୁ, ସେମାନଙ୍କ ଠାରୁ ନିଜକୁ କେବେ ହେଲେ ଅଲଗା ବୋଲି ଭାବିବା ନାହିଁ । ” ଅର୍ଥାତ୍ ଯାହା ଲେଖିବାକୁ ମନ କଲା ମାତ୍ରକେ ଲେଖକମାନଙ୍କୁ ବହୁ ସଂକୋଚ ଆସି ମାଡ଼ିବସେ, ସେହିଗୁଡ଼ିକୁ ହିଁ ଲେଖାଯିବ । ତା ନ ହେଲେ ଭାଷାଟି ମଧ୍ୟ ସବୁବେଳେ ହିଁ ନିତାନ୍ତ ଅସ୍ପୃହଣୀୟ ଦୂରତାକୁ ସ୍ଥାୟୀ କରି ରଖିବା ନିମିତ୍ତ ବହୁ କାର୍ଯ୍ୟ କରୁଥିବ । ଅର୍ଥାତ୍, ଏପର୍ଯ୍ୟନ୍ତ ଯାହା ପ୍ରାୟ ହୋଇଆସିଛି, ଦରିଦ୍ରମାନଙ୍କୁ ବିଷୟ ରୂପେ ବାଛି ଖାଲି ସାହିତ୍ୟ ଲେଖିଲେ ଦାରିଦ୍ର୍ୟ ହୁଏତ ହଲିବ ବି ନାହିଁ । ସେମାନେ ଯେ ରହିଛନ୍ତି, ଏତେ ଏତେ ସଂଖ୍ୟାରେ ମଣିଷଙ୍କୁ ଯେ ଦୁର୍ଦ୍ଦଶାମାନ କାମୁଡ଼ି ରହିଛି, ତାହା ପଛରେ ସର୍ବତ୍ର ଏକ ରାଜନୀତିକ ଦୃଶ୍ୟପଟ ମଧ୍ୟ ରହିଛି । ସେହି ଦୃଶ୍ୟପଟରେ ପୃଥିବୀର କୋଟି କୋଟି ମନୁଷ୍ୟ ବଂଚିତ ଏବଂ ସର୍ବଦା ଉପେକ୍ଷିତ ହୋଇ ରହିଛନ୍ତି । ବାହାରୁ ଥାଇ ସାହିତ୍ୟ ଲେଖୁଥିବା ଆମେ ଅନେକେ ସର୍ବଦା ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ ସେହି ଦୃଶ୍ୟପଟଟି କାୟମ ହୋଇ ରହିବାରେ ପୃଷ୍ଠପୋଷକତା ମଧ୍ୟ କରୁଛୁ । ସାହିତ୍ୟ ଦ୍ୱାରା ଏକ ମିଛ ଭେଳିକି ସୃଷ୍ଟି କରୁଛୁ ଓ ତାହାରି ମାଧ୍ୟମରେ ଖସି ମଧ୍ୟ ଯାଉଛୁ ।

 

ପତ୍ରିକାଟି ବାହାର କରିବା ପାଇଁ କିଛି ଅର୍ଥ ରାଶି ଯୋଗାଡ଼ କରିହୁଏ ସତ, କିନ୍ତୁ ସଂକଟ ଲାଗି ହିଁ ରହିଥାଏ । କର୍ମୀମାନଙ୍କ ମଧ୍ୟରୁ ବହୁତଙ୍କର ସ୍ଥାୟୀ ବାସଘର ନାହିଁ ଓ ସେମାନେ ବାରପିଣ୍ଡା ହେବାରେ ଲାଗିଥାନ୍ତି । ଗୋଟାଏ ଥାନରୁ ତଡ଼ା ଖାଆନ୍ତି ତଆଉ କୋଉଠି ଅନ୍ତତଃ କିଛି ଦିନ ସକାଶେ ଆଶ୍ରୟ ନିଅନ୍ତି । ସେମାନଙ୍କର ନିଜ କାହାଣୀଟିକୁ ମନେ ପକାଇ ଝିଅ କହନ୍ତି, ମୋ’ର ଷଷ୍ଠ ଶ୍ରେଣୀ ହେବା ସମୟରୁ ଦୀର୍ଘ ପନ୍ଦରବର୍ଷ କାଳ ମୁଁ ଓ ମାଆ ବହୁଥର ଆମ ରହିବା ଥାନରୁ ବିତାଡ଼ିତ ହୋଇ ଅନ୍ୟ କେଉଁଠାରେ ଯାଇ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛୁ । ବେଳେ ବେଳେ ଆମ ପୁରୁଣାମୋଟରଗାଡ଼ି ଖଣ୍ଡଟାରେ ବି ବାସ କରିବାକୁ ପଡ଼ିଛି । ମାଆ ହେଉଛନ୍ତି ଚିରରୋଗୀ, ଶ୍ଵାସରୁ କଷ୍ଟ ପାଆନ୍ତି । ତେଣୁ କୌଣସି ସ୍ଥାୟୀ ଚାକିରିରେ ନିଯୁକ୍ତ ହୋଇପାରନ୍ତି ନାହିଁ-। ଥରେ ଆମକୁ ଆମେ ରହୁଥିବା ଘରୁ ବାହାର କରି ଦିଆଗଲା । ମୁଁ ଇସ୍କୁଲ ଛାଡ଼ିବାକୁ ବାଧ୍ୟ ହେଲି-। କିଛି ଦିନ ମୋଟର ଗାଡ଼ିଟିରେ ଯାଇ ରହିଥିଲୁ । ମାଆ ମଧ୍ୟ ତାଙ୍କର ଅତି ପିଲାଦିନୁ ନିଜ ବାପମାଆଙ୍କୁ ହରାଇଥିଲେ । ଅର୍ଥାତ କୌଣସି ପରିବାରରେ ସ୍ଵାଭାବିକ ଭାବରେ ବଡ଼ ହେବାର ସୁଯୋଗ ପାଇନଥିଲେ । ହାତରେ ଅର୍ଥ ନଥିଲେ ଜୀବନଟା ଅବଶ୍ୟ ବଡ଼ କଷ୍ଟକର ହୋଇଉଠେ ସତ, କିନ୍ତୁ ଯଦି ନିଜର ପରିବାରବୋଲି କହିବାକୁ ତୁମକୁ ଟାଣ ଭୂଇଁଟିଏ ଯୋଗାଇ ଦେବାକୁ କିଛି ନଥାଏ, ତେବେ ତାହାକୁ ଏକ ଅଧିକବଡ଼ ଦୁର୍ଭାଗ୍ୟ ବୋଲି ହିଁ କହିବାକୁ ପଡ଼ିବ ।”

 

ଏହାପରେ ସେମାନେ ବାସ୍ତୁହରା ହୋଇ ରାସ୍ତାକୁ ବାହାରି ପଡ଼ିଥିଲେ ଓ କପଡ଼ା ବିକ୍ରି କରି ଗୁଜୁରାଣ ମେଣ୍ଟାଇଲେ । ଦର୍ଶକମାନଙ୍କ ଲାଗି ରାସ୍ତାମାନଙ୍କରେ ଖେଳଦେଖାଇ କିଛି ଅର୍ଜନ କରି ବି ପାରୁଥିଲେ । ଅଧିକାଂଶ ସମୟରେ ଏହି ଅଭିନୟ ଦ୍ୱାରା ନିଜର ଘରନଥିବା ମନୁଷ୍ୟମାନଙ୍କର ଦୁଃଖାଦିର ବର୍ଣ୍ଣନା ହିଁ କରୁଥିଲେ । ଏମିତି ଏମିତି ଝିଅଙ୍କୁ ଅଠର ବର୍ଷ ହୋଇଗଲା । ନିଜ ମା ତାଙ୍କୁ କେଉଁଠି ନେଇ ରଖିବା ବିଷୟରେ କ’ଣ ସବୁ ଆଇନବିରୁଦ୍ଧ ହୋଇଗଲା ଓ ପୋଲିସ ଯାଇ କଚେରୀରେ ଫେରାଦ ହେଲା । ଶୁଣାଣି ବେଳେ ହାଜର ହୋଇ ନପାରିବାରୁ ଜେଲ ବି ଯିବାକୁ ପଡ଼ିଲା । ଝିଅ କହନ୍ତି, ବାଟଖର୍ଚ୍ଚ ପାଇଁ ପଇସା ନଥିଲା, ତେଣୁ କେମିତି ହାଜର ହୋଇପାରିଥାନ୍ତେ ?

 

ଏହି ଘାଟିଟିକୁ ପାର ହୋଇ ଝିଅ ଯେକୌଣସି ମତେ କିଛି କାମ ଆଦରି ଗୋଡ଼ଟାଣ କରି କେଉଁଠି ଛିଡ଼ା ହୋଇ ପାରିବାର ଉପାୟ ଖୋଜିଲେ । ୟାକୁ ତାକୁ ଅନୁରୋଧକରି ବୁଲିଲେ । ଜଣେ 'ତୁମେ କି କାମ କରିପାରିବ ? 'ବୋଲି ଜାଣିବାକୁ ଚାହିବାରୁ ସେ ମୁଁ ‘ଲେଖିପାରିବି'ବୋଲି ଉତ୍ତର ଦେଇଥିଲେ । ବରାଦ ଅନୁସାରେ ନମୁନା ସ୍ଵରୂପ ଲେଖାଟିଏ ଲେଖି ମଧ୍ୟ ତାଙ୍କ ହାତକୁ ବଢ଼ାଇ ଦେବାକୁ ପଡ଼ିଲା । କିଛି ସପ୍ତାହ ପରେ, ସିଏ ପୁନର୍ବାର ସମ୍ବାଦ ନେବା ପାଇଁ ଆସି ସେହିଠାରେ ପହଞ୍ଚିଲେ । ବାବୁଙ୍କର ବିଚାରରେ ଲେଖାଟି ଖୁବ୍ ଭଲ ହୋଇଥିଲା । ଜଣେ ଦରିଦ୍ର ବ୍ୟକ୍ତିର ଜୀବନ ବିଷୟରେ କେତେ ଧାଡ଼ି ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଲେଖାଟି ପ୍ରକୃତରେ ବାଟ କାଢ଼ିଲା, ନିଶୁଣି ଭଳି କାର୍ଯ୍ୟ କଲା । ଖବରକାଗଜରେ ଛପା ହୋଇ ବାହାରିଲା । ନିଜକୁ ଉପାୟଶୂନ୍ୟ ବୋଲି ଭାବୁଥିବା ଝିଅଟି ପାଇଁ କେତେ ନା କେତେବଳ ଓ ବିଶ୍ୱାସର କାରଣ ହୋଇପାରିଲା । ସତେ ଯେପରି ମୋର'ନଉକାଟି ବୁଡ଼ିଯାଉଥିବା ସମୟରେ କିଏ କୋଉଠି ଥାଇ ମୋ'ଲାଗି ଜୀବନ ରକ୍ଷା କରିବାରୁ ଭେଳାଟିଏ ଆଣି ଯୋଗାଇଦେଲା । 'ଝିଅଟି ନିଜ ପାଖରେ ନିଜେ କହି ପାରିଲା : ଏଥର ବହୁତ କିଛି ସମ୍ଭବ ନିଶ୍ଚୟ ହେବ । ମୁଁ ଯାହା ଲେଖିବି, ଲୋକମାନେ ଅବଶ୍ୟ ପଢ଼ିବେ; ଯାହା କହିବି, ଅବଶ୍ୟ ଶୁଣିବେ । 'ପିଲାଦିନରୁ ହିଁ ସିଏ ବହୁତ ପତ୍ରପତ୍ରିକା ପଢ଼ିଥିଲା, କିଛି କ୍ଷୁଦ୍ର ଗଳ୍ପ ଲେଖିଥିଲା; ନିଜ ଜୀବନର ଦର୍ପଣଟିକୁ ଅନାଇ ସବୁକିଛି ଲେଖିଥିଲା । ଏଣିକି ନିଜକୁ ଦରିଦ୍ର ବୋଲି ଭାବିବାକୁ ତାକୁ ଲାଜ ମାଡ଼ିଲା । ନିଜ ପାଇଁ ଆଉ କାହା ପାଖରେ ହାତ ପତାଇବାକୁ ମନ ହେଲା ନାହିଁ । ଦାରିଦ୍ର୍ୟ କ’ଣ ଏକୁଟିଆ ମୋର ସମସ୍ୟା–ଇଏ ସାରା ପୃଥିବୀର-ସିଏ ତାହାର ସମ୍ମୁଖୀନ ହେବାକୁ ବାହାରି ପଡ଼ିଥିଲା ।

Image

 

ଆମେରିକାରେ ଆଉଥରେ (୧୧)

 

ଗତଥର ଆମେରିକା ପ୍ରସଙ୍ଗରେ ଆମର ଚର୍ଚ୍ଚାରେ ସେହି ମାଆ ଓ ଝିଅଙ୍କର କଥା ପଡ଼ିଥିଲା, ଯେଉଁମାନଙ୍କର ସ୍ଥାୟୀ ରହିବା ଥାନଟିଏ ନଥିଲା ଓ ତେଣୁ ସେମାନେ ବଡ଼ ଦୟନୀୟ ଭାବରେ ଥାନରୁ ଥାନ ହେବାରେ ଲାଗିଥିଲେ । ଜୀବନରେ ଉଶ୍ୱାସ ହୋଇ ଆଗକୁ ଅନାଇ ପାରିବା ଲାଗି ସ୍ଥାୟୀ ସଂସ୍ଥାନଟିଏ ମଧ୍ୟ ନଥିଲା । ଏମିତି ଭ୍ରମୁଭ୍ରମୁ ବାଟଟିଏ ମିଳିଗଲା । ଝିଅ ଲେଖାଟିଏ ଲେଖିଲେ ଓ ସେଇଟି ଏକ ପତ୍ରିକାରେ ବାହାରିଲା । ଏକ ବାଟର ଆବିଷ୍କାର ହୋଇଗଲା ପରି ଲାଗିଲା । ଏକ ନିର୍ଭରଶିଳମିଳିଲା । ତଥାପି ଅଣ୍ଟୁ ନଥାଏ, ସର୍ବନିମ୍ନ ଆବଶ୍ୟକତା ଗୁଡ଼ିକୁ ମଧ୍ୟ ଯାହି ତାହି ମେଣ୍ଟାଇ ପାରିବା ଭଳି ଯଥେଷ୍ଟ ରୋଜଗାର ସମ୍ଭବ ହେଉନଥାଏ ! ହଁ, ନିଜ ଦୁଃସ୍ଥତାରପ୍ରମାଣ ଦେଇ ଦରଖାସ୍ତ ଦେଲେ ସରକାରଙ୍କ ଆଡ଼ୁ କିଛି କଲ୍ୟାଣ–ଭତ୍ତା ନିଶ୍ଚୟ ମିଳନ୍ତା । କିନ୍ତୁ ସେଇଟି ବି ଭାରି ସମ୍ମାନ ହାନିକର ବୋଲି ଲାଗୁଥାଏ ଓ ତେଣୁ ତେଣିକିମନ ଯାଉନଥିଲା । ହଠାତ୍ ଦିନେ ବିଚାରଟିଏ ଆସି ପହଞ୍ଚିଗଲା ଯେ ଗରିବମାନଙ୍କ ତରଫରୁ ନିୟମିତ ପତ୍ରିକାଟିଏ ବାହାର କରିବେ । ଆମେରିକାରେ ତ ଏତେ ଏତେ ପତ୍ରିକା ବାହାରୁଥିଲା, କିନ୍ତୁ ଦରିଦ୍ରମାନେ ବଞ୍ଚୁଥିବା ଜୀବନ ବିଷୟରେ ପ୍ରାୟ କିଛି ଲେଖା ହେଉନଥିଲା । ବାସ୍, ପୋକଟାଏ କାମୁଡ଼ିବା ପରି ମାଆ ଓ ଝିଅ ଉଦ୍ୟମ ଆରମ୍ଭ କରି ଦେଇଥିଲେ । ପରିଚିତ ବନ୍ଧୁମାନଙ୍କଠାରୁ କିଞ୍ଚିତ୍ ପୁଞ୍ଜିର ଯୋଗାଡ଼ ହୋଇପାରିଲା । ଦାତାମାନେ ପ୍ରାୟ ସମସ୍ତେ ତାଙ୍କରି ପରି ଦରିଦ୍ର । ଆନୁଷଙ୍ଗିକ ଆହୁରି କିଛି କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଲା । ନଅମାସ ଭିତରେ ଦୁଇ ହଜାର ଡଲାରର ପାଣ୍ଠି ହାତକୁ ଆସିଲା । ଏଇପରି ଭାବରେ ୧୦୦୮ ନାମକ ସେହି ପତ୍ରିକାଟି ଜନ୍ମଲାଭ କରିଥିଲା । ପ୍ରାୟ ପଞ୍ଚଷଠି ପୃଷ୍ଠାର ଅବୟବରେ ଚକ୍ ଚକ୍ କିଛି ରଙ୍ଗିନ ଚିତ୍ର ରହିଥିଲା– କିଛି ଛବି, କିଛି କବିତା ଓ ଗଦ୍ୟ, ଗୋଟିଏ ହେଲେ ବିଜ୍ଞାପନ ନଥିଲା ।

 

ହଜାରେ କପି ପାଇଁ ଖର୍ଚ୍ଚ ହେଲା ଦଶହଜାର ଡଲାର । ପତ୍ରିକାଟି ବିକ୍ରି ହେବା ସଂଗେସଂଗେ ବକେୟଗୁଡ଼ିକୁ ଶୁଝି ଦିଆଯାଇ ପାରିଲା । ସମ୍ପ୍ରତି ଯେଉଁ ସଂଖ୍ୟାଟି ବାହାରିଛି, ତାହାର ୩୦୦୦ କପି ହୋଇଛି ଏବଂ ୧୯୦୦୦ ଡଲାର ଖର୍ଚ୍ଚ କରାଯାଇଛି । କହିବା ବାହୁଲ୍ୟ,–ଯେଉଁମାନେ ପଇସା ଦେଇ ପତ୍ରିକା କିଣିପାରିବେନାହିଁ ଅଥଚ ଯେଉଁମାନଙ୍କର ପଢ଼ିବାର ଆଗ୍ରହ ରହିଛି ପତ୍ରିକାର ଅଧେ କପି ସେହିମାନଙ୍କୁ ହିଁ ବିନା ପଇସାରେ ଦିଆଯାଇଛି । ଏବଂ, କିଣିବା ଲୋକେ ଗୋଟିଏ କପିକୁ ୩୯୫ ଡଲାର ଦେଇ କିଣିଛନ୍ତି । ସାନ୍‍ଫ୍ରାନ୍‍ସିସ୍କୋ ପରି ଗୋଟିଏ ଏତେ ବଡ଼ ସହରରେ ଅନ୍ୟ ଶହ ଶହ ପତ୍ରିକା ବିକ୍ରି ହେଉଥିବା ଏକାଧିକ ସ୍ଥାନରେ ୧୦୦୮ ମଧ୍ୟ ଯେ ଆପଣ ଜାଗାଟିଏ ଯୋଗାଡ଼ କରିନେଇଛି, ତାହାକୁ ଗୋଟିଏ ମାମୁଲି ଘଟଣା ବୋଲି ମୋଟେ କହିହେବ ନାହିଁ । ପତ୍ରିକାଟିକୁ କେନ୍ଦ୍ରକରି କ୍ରମଶଃ ଗୋଷ୍ଠୀଟିଏ । ଗଠିତ ହୋଇ ଆସିଲାଣି, ସେମାନେ ନାନାବିଧ ପ୍ରଶିକ୍ଷଣ ପାଉଛନ୍ତି ଏବଂ କେବଳ ନିଜପାଇଁ ନୁହେଁ, ପୃଥିବୀରେ ଦରିଦ୍ର ହୋଇ ପଡ଼ି ରହିଥିବା ଆହୁରି କୋଟି କୋଟିଙ୍କ ନିମନ୍ତେ ଏକ ଅଭିନବ ଭବିଷ୍ୟ ରହିଥିବାର ଅନ୍ଦାଜ କରିପାରୁଛନ୍ତି । କେବଳ ସେହି ସହରଟିର ସ୍ଥାନୀୟ ଦରିଦ୍ରଙ୍କର ଦୁଃଖ ମୋଚନ ନିମନ୍ତେ ନୁହେଁ, ସମଗ୍ର ପୃଥିବୀରଦରିଦ୍ର ଏଣିକି ଆଦୌ ଆପଣାର ଏହି ନିୟତିକୁ ମାନିନେବେ ନାହିଁ–ସେମାନେ ଏକତ୍ର ହେବେ, ଏକତ୍ର ଉଦ୍ୟମ କରିବେ ଏବଂ ମୂଳତଃ ସମ୍ମାନିତ ମଣିଷ ହିସାବରେ ବାହାରି ଆସିବେ । ସେମାନେ ଅବଶ୍ୟ ସାଙ୍ଗରେ ଯିବେ ଏବଂ ଅଥବା ଦୟାଳୁମାନଙ୍କର ଜାଲରେ ପଡ଼ିଯାଇ ଇଜ୍ଜତ ହରାଇବେ ନାହିଁ । ସେହି ଶାସ୍ତ୍ର ଏବଂ ଶାସ୍ତ୍ରୀମାନଙ୍କୁ ପ୍ରକୃତରେ ଧିକ୍‍ ଯେ ସେମାନେ ଏବେ ମଧ୍ୟ ବାଉଳା କରି ରଖିବାର ସେହି ପୁରୁଣା ଫନ୍ଦିଗୁଡ଼ାକ ମଧ୍ୟରେ ପଡ଼ିଛନ୍ତି । ସେମାନେ ଏତେ ଏତେ ଜ୍ଞାନର ଅଧିକାରୀ ହୋଇ ମଧ୍ୟ ତଥାପି ନିଜ ଭିତରର ଅସଲ ସମ୍ମାନଟିର ବାରତାଟିକୁ ପାଇନାହାନ୍ତି କି ?

 

ତେଣୁ, ଆମେ କୌଣସି ଅର୍ଥରେ ମଧ୍ୟ poorକୁ କେବଳ ଗୋଟିଏ ପତ୍ରିକା ବୋଲି ଗ୍ରହଣ କରିବା ନାହିଁ । ଏହା ହେଉଛି ଗୋଟିଏ ଘୋଷଣାପତ୍ର । ସେହି ଗୋଷ୍ଠୀଟି ସହିତ ନିଜକୁ ସମ୍ପୃକ୍ତ କରି ରଖିଥିବା ଜଣେ ବନ୍ଧୁଙ୍କର କଥାରେ ଏକ ରାଜନୀତିକ ଘୋଷଣା ପତ୍ର । ଏବଂ, ସେହି ଅନୁସାରେ ଏକ କାର୍ଯ୍ୟକ୍ରମ । ଏହାକୁ ସକଳ ସଙ୍ଗତି ସହିତ ଗୋଟିଏ ସଂଗ୍ରାମ ବୋଲି ମଧ୍ୟ କୁହାଯାଇପାରିବ । ତଥାପି ସେହି ପୁରୁଣା ଭାଷ୍ୟଗୁଡ଼ାକ ଅନୁସାରେ ଗୋଟିଏ ପକ୍ଷରୁ ଆଉ ଗୋଟିଏ ପକ୍ଷ ବିରୋଧରେ ଏକସଂଗ୍ରାମ ଆଦୌ ନୁହେଁ, ଆମ ଚିହ୍ନା ଛାଞ୍ଚଗୁଡ଼ାକୁ ପକାଇ ତାହାକୁ ଏକ ଶ୍ରେଣୀ ସଂଗ୍ରାମ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ । ଏଥିରେ ଗୋଟିଏ ଶ୍ରେଣୀ ଆଉ ଗୋଟିଏଶ୍ରେଣୀ ହାତରୁ ସତ୍ତା ଏବଂ କ୍ଷମତାଗୁଡ଼ାକୁ ଛଡ଼ାଇ ଆଣି ଆପେ ଭୋଗ କରିବାର କୌଣସି ମାର୍ଗକୁ ଗ୍ରହଣ କରିବ ନାହିଁ । ଏଥିରେ ଏଯାଏ ବଞ୍ଚିତ ହୋଇ ରହିଥିବା ମନୁଷ୍ୟମାନେ ଆଉ ଅଲଗା ହୋଇ ରହିବେ ନାହିଁ ଏବଂ ସେହି ପୁରୁଣା ସ୍ଥିତିଗୁଡ଼ାକୁ କଦାପି ସହିବେ ନାହିଁ । ସେମାନେ ବି ସାଙ୍ଗରେ ବାହାରିବାକୁ ସଜ ହୋଇ ବାହାରିବେ । ବର୍ତ୍ତମାନ ତ ପୂରା ପୃଥିବୀଟାରେ ହିଁ ଏହିପରି ଏକ କ୍ରମ ସଚେତନତା ଜନ୍ମଲାଭ କଲାଣି, ଆଗକୁ ଆସିବା ନିମନ୍ତେ ଅଣ୍ଟା ସିଧାକରି ଛିଡ଼ା ହେଲାଣି । କାର୍ଲମାକ୍ସ ଖୁବ୍‍ ସମ୍ଭବ ସେହିପରି ଏକ ସଂଗ୍ରାମୀ ଶିବିରର ଅନ୍ଦାଜ କରି ପ୍ରାୟ ଦେଢ଼ଶହ ବର୍ଷତଳେ Humanity conscious of its humanity ବୋଲି କହିଥିଲେ-। ଏହି ଅଭିନବ ନବୋନ୍ମୋଷଟିକୁ ମଧ୍ୟ ଏକ ରାଜନୀତିକ କାର୍ଯ୍ୟକ୍ରମ ବୋଲି କାହିଁକି କୁହାନଥିବ-?

 

ଅର୍ଥାତ୍, poor ପତ୍ରିକା କେତେକ ଲୋକଙ୍କର ବାସହୀନ ହୋଇ ରହିଥିବାର ସ୍ଥିତିଟିକୁ ମୁଖ୍ୟ ଆଲୋଚ୍ୟ ରୂପେ ଗ୍ରହଣ କରିଥିଲେ ମଧ୍ୟ ଏଇଟି ହେଉଛି ମୂଳତଃ ପୃଥିବୀଯାକର ବଞ୍ଚିତ ଓ ବାସଚ୍ୟୁତ ମଣିଷମାନଙ୍କ ନିମନ୍ତେ ମନୁଷ୍ୟୋଚିତ ସମ୍ମାନତଥା ସ୍ୱୀକୃତି ଦାବିକରି ତୁଣ୍ଡ ଖୋଲିଥିବା ଏକ ଅଭିଯାନ । ଏହି ପୃଥିବୀଟାରେ ଏତେଏତେ ସମ୍ପତ୍-ସମ୍ଭାବନା ଭରି ରହିଛି, କୋଟି କୋଟି ମଣିଷଙ୍କର ଶ୍ରମକୁ କାମରେ ଲଗାଇ ଏଠି ଭଣ୍ଡାରଗୁଡ଼ିକ ଇନ୍ଦ୍ରଭୁବନ ସଦୃଶ ଦିଶୁଛନ୍ତି, –ତଥାପି ଏତେ ଏତେମନୁଷ୍ୟ ନିଜର ବୋଲି କହି ରହି ବା ସକାଶେ କାହିଁ କି ଘର ଖଣ୍ଡେ ପାଇବେ ନାହିଁ ? ପ୍ରତ୍ୟେକ ଗୁରୁବାର ଦିନ poor ତରଫରୁ ଗୋଟିଏ ବୈଠକ ଡକାଯାଏ । ସେଠାକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଏ । ବିଶେଷତଃ ଦାରିଦ୍ର୍ୟ ଭୋଗ କରିଥିବା ଓ କରୁଥିବା ପ୍ରାୟ ଶହେ ସରିକି ବ୍ୟକ୍ତି ଚର୍ଚ୍ଚାରେ ଅଂଶ ଗ୍ରହଣ କରନ୍ତି । ସେମାନଙ୍କର ଚର୍ଚ୍ଚାଗୁଡ଼ିକୁ ଆଧାର କରି poor ପତ୍ରିକାର ପରବର୍ତ୍ତୀ ସଂଖ୍ୟାଟିରେ ଆଗ କ'ଣ ସବୁ ବାହାରିବ, ସେଗୁଡ଼ିକ ନିମନ୍ତେ ସାମଗ୍ରୀ ବି ମିଳିଯାଏ । ଏତେ ଏତେ ଅଭାବ ସମ୍ଭେ ଲୋକମାନେ ତଥାପି ଯେ ହାରି ନ ଯିବାକୁ ଏବଂ ଯଥାସମ୍ଭବ ଜଣେ ଜଣେ ମନୁଷ୍ୟ ହିସାବରେ ତିଷ୍ଠି ରହିବା ଲାଗି ପ୍ରୟାସ କରୁଛନ୍ତି, ସେଥିଲାଗି ସମ୍ପୃକ୍ତ ସେମାନେ ଯେ ପ୍ରକୃତରେ ଗର୍ବ ଅନୁଭବ କରିବା ଉଚିତ, ସେଥିଲାଗି ସେମାନଙ୍କୁ ବଳ ଯୋଗାଇ ଦିଆଯାଏ । ସମବେତ ବ୍ୟକ୍ତିମାନଙ୍କ ମଧ୍ୟରେ ବହୁତ ପ୍ରଜାତି ଥାଆନ୍ତି, ସବୁ ବୟସ ବି ରହିଥାନ୍ତି । ସେମାନେ ବିଭିନ୍ନ ଆର୍ଥିକ ଶ୍ରେଣୀର ପ୍ରତିନିଧିତ୍ୱ କରୁଥାଆନ୍ତି । କଲେଜ ଛାତ୍ର ଥାଆନ୍ତି । ସାମାଜିକ ନ୍ୟାୟ ବିଷୟରେ ଆଗ୍ରହ ଥିବା କିଛି ଲେଖକ ମଧ୍ୟ ରହିଥାନ୍ତି । ନିଜ ଅଙ୍ଗେ ନିଭାଇଥିବା ଜୀବନରୁ ହିଁ ସତ୍ୟ ଏବଂ ତଥ୍ୟଗୁଡ଼ିକୁ ପାଇଥାନ୍ତି । ପ୍ରତ୍ୟେକେ ନିଜର ପରିଚୟ ପ୍ରଦାନ କରୁଥିବା ସମୟରେ କେହି ନିଜର ଦାରିଦ୍ର୍ୟ ସ୍ଥିତି ବିଷୟରେ ଅନ୍ୟମାନଙ୍କୁ ବିଦିତ କରାଇବାରେ ଆଦୌ କୌଣସି ସଙ୍କୋଚ ମଧ୍ୟ ଅନୁଭବ କରନ୍ତି ନାହିଁ ।

 

ପ୍ରାୟ ସମସ୍ତେ ସାଧାରଣ ଭାବରେ ସେହି ଗୋଟିଏ ମତକୁ ପ୍ରକାଶ କରନ୍ତି ଯେ ଆମେରିକାରେ କର୍ତ୍ତାମାନେ ନିଜର ଦେଶରେ ବଞ୍ଚିତ ଓ ନିପୀଡ଼ିତମାନଙ୍କ ଲାଗି ଯେତିକି ବ୍ୟାକୁଳତା ପ୍ରକାଶ କରନ୍ତି, ପୃଥିବୀର ଅନ୍ୟାନ୍ୟ ଦେଶର ନିପୀଡ଼ିତ ଏବଂବ ଞ୍ଚିତଙ୍କ ନିମନ୍ତେ ତା'ଠାରୁ ଅନେକ ଅଧିକ ବ୍ୟାକୁଳତା ପ୍ରଦର୍ଶନ କରିଥାନ୍ତି । ପୃଥିବୀବାସୀ ସମ୍ପୃକ୍ତ ଓ ଅସମ୍ପୃକ୍ତ ସମସ୍ତେ ଯେପରି ବିଶ୍ୱାସ କରିପାରିବେ ଯେ ଆମେରିକା ତା'ନିଜ ଘରେ ସବୁ କିଛିକୁ ସଜାଡ଼ି ଦେଇ ନିଶ୍ଚୟ ପାରିଛି, ନହେଲେ ସାରା ପୃଥିବୀର ଚିନ୍ତା ସିଏ କଦାପି କରିପାରୁ ନଥାନ୍ତା । ଅସ୍ତ୍ରରେ, ବିତ୍ତ-ବ୍ୟବସ୍ଥାରେ ସାରା ପୃଥିବୀର ଉପସ୍ଥିତ ଭାଗ୍ୟଟିର ବିଚାରକରିବା ନିମନ୍ତେ ଗତ ମହାଯୁଦ୍ଧ ପରେ ଗଢ଼ା ହୋଇଥିବା ସଂସ୍ଥାମାନଙ୍କରେ, –ସବୁଠାରେ ଆମେରିକା କୁଳଶ୍ରେଷ୍ଠ ହୋଇ ଏତେଏତେ ବୁଦ୍ଧି ଯୋଗାଇଦେଇ ଯେ ପାରୁଛି, ନିଜ ଗୃହ–ଭୂମିଟାର ସ୍ତରରେ ତୁମ ଆମ ପରି ଜଞ୍ଜାଳ ରହିଥିଲେ ତାହା କଦାପି ସମ୍ଭବ ହୋଇପାରନ୍ତା ନାହିଁ । ସୁଖର କଥା, ଏକାଧିକ କାରଣରୁ ପୃଥିବୀରେ ସେହି ଭୂମିଟି ଭାଙ୍ଗି ଆସୁଛି । ଅର୍ଥାତ୍ ଆମେରିକାରେମଧ୍ୟ ଏକ ତୃତୀୟ ବିଶ୍ୱ ଅବଶ୍ୟ ରହିଛି ଏବଂ ସେଠା ତୃତୀୟ ବିଶ୍ୱର ବାସିନ୍ଦାମାନେ ସେହି ପ୍ରକ୍ରିୟାଟିରେ ନାନାଭାବେ ସାହାଯ୍ୟ କରୁଛନ୍ତି । poor ପତ୍ରିକାଟିକୁ ଆମେ ସେହି ସେହି ପ୍ରୟାସଟିର ତାଲିକା ଭିତରେ ଏକ ଅତି ତାତ୍ପର୍ଯ୍ୟପୂର୍ଣ୍ଣ ନମୁନା ବୋଲି କହିପାରିବା । ପୃଥିବୀର ସାମୁଦାୟିକ ଉଦୟକାହାଣୀରେ ଏକ ସାହସିକ ଦୃଷ୍ଟାନ୍ତ ବୋଲି କହିବା । ଅର୍ଥାତ୍, ରାଷ୍ଟ୍ରମାନେ ଯେତେ ଯାହା ଭେରୀତୁରୀ ବଜାଇ ପ୍ରଚାର କରୁଥାଆନ୍ତୁ ପଛକେ, ବିବାକ ପୃଥିବୀଯାକ ମଣିଷମାନଙ୍କର ମୌଳିକ ସମସ୍ୟାଗୁଡ଼ିକ ଯାହା, ଯଥେଷ୍ଟ ସାଧୁତାର ସହିତ ସବା ଆଗ ସେଇଗୁଡ଼ିକ ବିଷୟରେ ଥିର ଓ ପ୍ରକୃତିସ୍ଥ ହୋଇ ବିଚାର କରିବାର ଆହ୍ୱାନଟି ଆସି ଆମ ଦ୍ୱାର ପାଖରେ ପହଞ୍ଚିଗଲାଣି । ଆଉ ହେଳା କରିହେବ ନାହିଁ; ପୃଥିବୀଯାକର ମଣିଷ ମେଳ ହୋଇ ସେହିଗୁଡ଼ିକର ସମାଧାନ ସବାଆଗ ଖୋଜିବେ ।

 

ପତ୍ରିକାଟିର ପରବର୍ତ୍ତୀ ସଂଖ୍ୟାରେ କ'ଣ ସବୁ ପ୍ରକାଶ ପାଇବ, ଗୁରୁବାରର ବୈଠକ ଗୁଡ଼ିକରୁ ସେଗୁଡ଼ିକ ସ୍ଥିର ହୋଇଯାଏ । ନିରାଟ ଅଙ୍ଗେ ନିଭା କଥାଗୁଡ଼ିକ, ଆଦୌ କୌଣସି ଅଳଙ୍କାର ପିନ୍ଧାଇ ବଙ୍କାଇ ବା ଛଳାଇ କହିବାର କୌଣସି ପ୍ରୟୋଜନ ନଥାଏ । ଯାହାସବୁ ପ୍ରକୃତରେ ଘଟିଛି ଏବଂ ଅଙ୍ଗେ ନିଭେଇଥିବା ମନୁଷ୍ୟମାନେ ହିଁଏଠି ବୈଠକରେ ସେଗୁଡ଼ିକର ଉପସ୍ଥାପନା କରୁଛନ୍ତି, ସତ ଜୀବନର ସେହି ବାସ୍ତବକଥାମାନଙ୍କରେ ପୁଣି କାହିଁକି କୌଣସି ଆଳଙ୍କାରିକତା ଲଗାଇବାକୁ ମନ ହେବ ? ଏକ ବୈଠକରେ ଅଠର ବର୍ଷ ବୟସର ଝିଅଟିଏ କହୁଥିଲା, ସିଏ ଖୁବ୍ ପିଲା ହୋଇଥିବା ସମୟରେ ଥରେ କ'ଣ ପ୍ରସଙ୍ଗଟିଏ ନେଇ ପୋଲିସ ସହିତ ତା'ମାଆଙ୍କରବଚସା ହୋଇଥିଲା; ଖୁବ୍ କଥା କଟାକଟି ଓ ବଢ଼ାବଢ଼ି ହେଲା । ପୋଲିସ ଅଫିସର ତା'ମାଆଙ୍କୁ ଗିରଫ କରି ଥାନାକୁ ନେଇ ଯାଇଥିଲେ ଓ ମାଆଙ୍କୁ ଜେଲ ଯିବାକୁ ହେଲା । ଝିଅଟି ସେହିଦିନଠାରୁ ପୋଲିସ ଦେଖିଲେ ହିଁ ଭାରି ଡରିଯାଏ । ଖାଲି ପୋଲିସ ନୁହେଁ, ଯେକୌଣସି ସରକାରୀ ଅଫିସର ଦେଖିଲେ ସେ ବାଟ ଭାଙ୍ଗି ଆଉଆଡ଼େ ଚାଲିଯାଏ । ହୁଏତ ନିଜେ କୌଣସି ବେଆଇନ କାର୍ଯ୍ୟ କରିନଥାଏ, ତଥାପି ଆପଣାର ଡରଟାକୁ ସେ ଏପର୍ଯ୍ୟନ୍ତ ବି ଜୟକରି ପାରିନାହିଁ-। ପୋଲିସ ବିଭାଗର କର୍ତ୍ତାମାନେ ଆସି କିପରି ଲୋକମାନଙ୍କୁ ସେମାନେ ବାସ କରୁଥିବା ଥାନମାନଙ୍କରୁ ବିସ୍ଥାପିତ କରିଛନ୍ତି, ସେହି କଥାଗୁଡ଼ିକ ମଧ୍ୟ ଖୁବ୍ ମନେପଡ଼େ । ସମସ୍ତେ ସତେଅବା ଗୋଟାଏ ନାବରେ ବସିଥିବା ପରି ଅନୁଭବ ହୁଏ । ସେଥିରୁ ବଳ ମିଳେ ।

 

ଗୁହ-ମାଲିକମାନେ ଯେତେବେଳେ ଖିଆଲ ହୁଏ, ସେତେବେଳେ ଆସି ଭଡ଼ାଟିଆମାନଙ୍କୁ ଜାଗାରୁ ତଡ଼ି ଦିଅନ୍ତି । ପରାକ୍ରମଗୁଡ଼ାକ ତ ସେଇମାନଙ୍କ ପଟେ ଅଛନ୍ତି । ତେଣୁ ସଂକୋଚର କୌଣସି କାରଣ ନଥାଏ । କାହାଣୀଗୁଡ଼ିକ ବୈଠକରେ ପଡ଼ୁଥିବା ସମୟରେ ନିତାନ୍ତ ଆପେ ଆପେ ସଂହତିଟିଏ ରହିଥିବା ପରି ଲାଗେ । ସମଦୁଃଖୀମାନେ କିଛି ଉପାୟ ଅବଶ୍ୟ ରହିଛି ବୋଲି ହୃଦୟଙ୍ଗମ କରନ୍ତି ଏବଂ ପରସ୍ପର ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତି । ପତ୍ରିକାଟିରେ ତୋ ଘଟଣାଟି ପ୍ରକାଶ ପାଇବାସମୟରେ ତୋର ଜଣେ ଓକିଲ ଦରକାର ବୋଲି ନିଶ୍ଚୟ ଉଲ୍ଲେଖ ରହିବ ବୋଲି ସମ୍ପାଦନା ତରଫରୁ ଆଶ୍ୱାସନା ମିଳେ । ଆଉ କିଏ କହେ; ଆମେ ପ୍ରତିବାଦ କରିବା, ପିକେଟିଙ୍ଗ କରିବା । ହଁ, କିଛି ନା କିଛି ଅଲବତ୍ କରିବା–ମୋଟେ ଛାଡ଼ିଦେବା ନାହିଁ । ଏହିପରି ଭାବରେ ପରସ୍ପରର ଦୁଃଖ ସୁଖଗୁଡ଼ିକୁ ଶୁଣିବା ସମୟରେ ସେମାନେ ପରସ୍ପର ସହିତ ବାନ୍ଧି ହୋଇଯାଆନ୍ତି । ଇଏ ହେଉଛି ଏକାବେଳେକେ ଏକ ଅନ୍ୟମାର୍ଗ, ସମାଧାନ ବିଷୟରେ ଏକାବେଳକେ ଏକ ଅନ୍ୟ ପ୍ରକାରର ଚିନ୍ତା । ଏଥିରେ ମଧ୍ୟ ରାଜନୀତିକ ବିଚାରଟିଏ ରହିଥାଏ । ଏକ ଅନ୍ୟ ଭଳି ସଂଗ୍ରାମର ସୂଚନା ରହିଥାଏ । ଏଥିରେ ନେତାମାନେ ବାହାରୁ ଆସନ୍ତି ନାହିଁ । କେହି ଉସ୍‌କାଇବାକୁ କିମ୍ବା ଭୂତାଇ ନେବାକୁ ଆସନ୍ତି ନାହିଁ । ସମ୍ଭବତଃ ଏଭଳି ମଧ୍ୟ କୁହାଯାଇ ପାରିବ ଯେ, ଏହି କ୍ଷେତ୍ରରେ ଖାସ୍ ନେତା ବୋଲି କେହି ନଥାଏ । ନେତୃତ୍ନଟିଏ ସଦା ଜାଗରୁକ ହୋଇରହିଥାଏ । ବାଦ ନଥାଏ କି ସିଦ୍ଧାନ୍ତ ନଥାଏ । ଏକ ସଂଘଶକ୍ତି ରହିଥାଏ ଏବଂ ସେହି ସଂଘଶକ୍ତିର, ଆତ୍ମଶକ୍ତିର ଜାଗୃତ ହୋଇ ଆସିବା ସହିତ କୌଣସି ବିରୋଧ ନଥାଏ ! ମତଲବୀମାନେ ଧରାପଡ଼ି ଯାଆନ୍ତି । ଅର୍ଥାତ୍ କୌଣସି ରାଷ୍ଟ୍ରୀୟ କ୍ଷମତା ଦଖଲ କରିବାର ମତଲବରେ ଦଳ ଗଢ଼ି ରାଜନୀତି କରୁଥିବା ମତଲବୀମାନେ ଅଚିରେ ଧରାପଡ଼ି ଯାଆନ୍ତି । ପୃଥିବୀରେ ମନୁଷ୍ୟ-ମୁକ୍ତିର ଯାବତୀୟ ଉପାୟ ଜ୍ଞାନୀମାନଙ୍କର ଗ୍ରନ୍ଥରୁ ଆସିବ, କ୍ଷମତାଟା ଦଖଲ ହୋଇଯିବା ମାତ୍ରକେ ତାହାକୁ ନାନା ଅତ୍ୟୁତ୍ସାହୀ ପ୍ରବଳତା ଦ୍ୱାରା ଲୋକମାନଙ୍କ ଉପରେ ଲଦି ଦିଆଯିବ ଏବଂ ତଦ୍ୱାରା ପୃଥିବୀର ଉଦ୍ଧାର ହେବ, ଏହି ପାରମ୍ପରିକ ବିଶ୍ୱାସଗୁଡ଼ିକ କ୍ରମେ ପୃଥିବୀରେ ଭାରି ମଉଳନ ପଡ଼ି ଆସୁଛନ୍ତି କି ? ଅଥବା, ସବାତଳେ ରହିଥିବା ମଣିଷମାନେ ଏଣିକି ସଂଗ୍ରାମର ଅସ୍ତ୍ରଗୁଡ଼ିକୁ ଆପେ ବାହାର କରିବେ ଏବଂ ଅଧିକ ନିର୍ଭର ସହିତ ଆଗକୁ ଯିବେ ବୋଲି ବୁଝି ସାରିଲେଣି ?

Image

 

ଧିକ୍ ଆମ ରାଜନୀତିର ଜୀବନ !

 

ମୋହନ ଦାସ କରମଚାନ୍ଦ ଗାନ୍ଧୀ ଆଇନଜୀବୀ ଥିଲେ । ଘଟଣାକ୍ରମେ ସାଧାରଣ ଜୀବନ ସହିତ ବାନ୍ଧି ହୋଇଗଲେ । ଗାନ୍ଧିଜୀ ରାଜନୀତିକୁ ଏକ ଅଜଗର ସାପ ସହିତ ତୁଳନା କରିଛନ୍ତି । ସେହି ସାପକୁ ସେ ଆବଶ୍ୟକ ହେଲାରୁ ନିଜର ଗଳାରେ ଆଣି ଗୁଡ଼ାଇ ଦେଇଛନ୍ତି ବୋଲି ମଧ୍ୟ ଏକଦା ମନ୍ତବ୍ୟଟିଏ ଦେଇଛନ୍ତି । ତାଙ୍କ ମତରେ, ମନୁଷ୍ୟମାନଙ୍କର ପୃଥିବୀର ମନୁଷ୍ୟମାନଙ୍କର ଆଖିରୁ ଲୁହ ପୋଛିବା ହେଉଛି । ରାଜନୀତିର ଅସଲି ଲକ୍ଷ୍ୟ । ଅର୍ଥାତ୍, ପୃଥିବୀର ମନୁଷ୍ୟମାନଙ୍କର ଆଖିରୁ ଯେ ଲୋତକ ବୋହିବାରେ ଲାଗିଛି, ତାହାର ମୋଚନ କରିବା ନିମନ୍ତେ ରାଜନୀତିର ସାହାଯ୍ୟ ନେବାକୁ ହିଁ ପଡ଼ିବ । କୋଟି କୋଟି ମନୁଷ୍ୟଙ୍କର ଅଜସ୍ର କେତେ ପ୍ରକାରର ଦୁଃଖ ଏବଂ ସେଗୁଡ଼ିକର ପଶ୍ଚାତରେ ଅସୁମାରି କେତେ କାରଣ । ଅଧିକାଂଶ କାରଣପଛରେ ମଣିଷର ହିଁ ହାତ ରହିଛି । ବାହ୍ୟ ଜୀବନର ଅଭାବ, ସ୍ଵାର୍ଥୀ କେତେମାନଙ୍କ ଦ୍ୱାରା ଅନ୍ୟମାନଙ୍କର ଶୋଷଣ, ଏସବୁ କଦାପି କୌଣସି ପୋଖତ ଭଗବାନଙ୍କର କରଣି ବୋଲି ଆଦୌ କହିହେବ ନାହିଁ । ତେଣୁ, କିଞ୍ଚିତ ଅଧିକ ବାସ୍ତବ–ସଚେତନ ମଣିଷମାନେ ଖୁବ୍‍ ସମ୍ଭବ କହିବେ ଯେ, ଅନ୍ତତଃ କିଛି ମନୁଷ୍ୟଙ୍କର ଆଖିର ଲୁହକୁ ପୋଛିବାର ପ୍ରୟାସକୁ କ'ଣ ପାଇଁ ରାଜନୀତିର ମୂଳଧର୍ମ ବୋଲି କୁହାଯିବ ? ସେହି କାରଣରୁ ତ ପୃଥିବୀର ନକ୍ସାଟିକୁ କ୍ରମେ କେତୋଟି ଦେଶରେ ବିଭାଜିତ କରାଯାଇଛି । ପ୍ରତ୍ୟେକ ଦେଶରେ ସରକାର,–ରାଷ୍ଟ୍ରର ସ୍ତରରେ ରାଜନୀତିକ କ୍ରିୟାଶୀଳତାର ପରିଚାୟକ । ସେହି କ୍ରିୟାଶୀଳତା ସକାଶେ ତ ଯାବତୀୟ କ୍ଷମତାର ଆବଶ୍ୟକତା-। ତେଣୁ, ନିତାନ୍ତ ଜୀବନବିମୁଖ ନହେଲେ କେହି ରାଜନୀତିକୁ ଏକ ଗୌଣ ବା ନିକୃଷ୍ଟସ୍ତରର ଆଗ୍ରହ ବୋଲି କହିବ ନାହିଁ । ବରଂ, ସମଗ୍ର ପୃଥିବୀକୁ, ଏପରିକି ନିଜ ଦେଶକୁ ନେଇ ଯାହାର ସମ୍ମୁଖରେ ପରିପୂର୍ଣ୍ଣ ସ୍ଵପ୍ନଟିଏ ରହିଥିବ, ସିଏ କଦାପି ରାଜନୀତିକୁ ମୁହଁ ମୋଡ଼ିଦେଇ ପଳାଇ ଯିବନାହିଁ । ଆମ ପୃଥିବୀର ଜ୍ଞାନ, ବିଦ୍ୟା, ବିଜ୍ଞାନ ତଥାବିତ୍ତ ବ୍ୟବସ୍ଥା-ଏସବୁ ଯୁଗେ ଯୁଗେ ଏକ ରାଜନୀତି ଦ୍ୱାରା ହିଁ ପରିଚାଳିତ ହୋଇ ଆସିଛନ୍ତି । ମୂଳତଃ ଏକ ରାଜନୀତିକ ଇଚ୍ଛାଶକ୍ତି ହିଁ ମନୁଷ୍ୟ ସମାଜର ଯାବତୀୟ କଲ୍ୟାଣ ଚିନ୍ତାକୁ ଆପଣାର ସର୍ବପ୍ରଥମ Concern ଅର୍ଥାତ୍ ଆଗ୍ରହ ରୂପେ ଗ୍ରହଣ କରିନେଇଛି ।

 

ଏବେ ଆମ ରାଜ୍ୟ ଶାସନର ଜଣେ କ୍ଷମତାସୀନ ରାଜନୀତିକ ବ୍ୟକ୍ତି ଏକ ଔପଚାରିକ ଆଲୋଚନାର ଅବସରରେ “ଧିକ୍ ଆମ ରାଜନୀତିକ ଜୀବନ” ବୋଲି କିଞ୍ଚିତ ଧିକ୍କାରି ହୋଇ କହିଛନ୍ତି । ବେଶ୍ ଭାବପ୍ରବଣ ହୋଇ କହିଛନ୍ତି ଯେ, ସ୍ଵାଧୀନତାର ୫୬ ବର୍ଷ ପରେ ମଧ୍ୟ ଆମେ ରାଜନୀତି କରୁଥିବା ବ୍ୟକ୍ତି ଏହି ରାଜ୍ୟ ତଥାପି ଦାରିଦ୍ର୍ୟ ମଧ୍ୟରେ ପଡ଼ି ରହିଥିବାର ଦେଖିବା ଅତ୍ୟନ୍ତ ଦୁଃଖଦାୟକ । ଠିକ୍ ଆମର ରାଜନୀତିକ ଜୀବନ ବୋଲି ମନ୍ତବ୍ୟ ଦେଇ ଆଉ କେତେଦିନ ଏହିପରି ହାତ ପାତୁଥିବା’ ବୋଲି କହି ଆପଣାର ଦୁଃଖକୁ ବ୍ୟକ୍ତ କରିଥିଲେ ବୋଲି ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି । ରାଜନୀତିକ ଜୀବନ ପ୍ରତି ବିମୁଖ ହୋଇ ସେ ଏପରି ଆଦୌ କହି ନାହାନ୍ତି । ସମ୍ଭବତଃ ରାଜନୀତିକୁ କୌଣସି ଦୋଷ ମଧ୍ୟ ଦେଇନାହାନ୍ତି । ଏହି ଭୂମିର ଅଥବା ଏହି ରାଜ୍ୟର ଉନ୍ନୟନ ନିମନ୍ତେ ଆମେ ଯେପରି ଆଚରଣ କରିଥିଲେ ଏଥିଭିତରେ ଏଠି ଯେ ସବୁକିଛି କେତେ ନା କେତେ ବଦଳିଯାଇ ସାରନ୍ତାଣି ଓ ମନୁଷ୍ୟମାନେ ଆଦୌ ବର୍ତ୍ତମାନର ନାନା ଅସମର୍ଥତା ମଧ୍ୟରେ ନଥାନ୍ତେ ବୋଲି ଦୁଃଖାଭିଭୂତ ହୋଇ ସିଏ ଏପରି କହୁଥିଲେ । ମହାତ୍ମା ଗାନ୍ଧୀ ଯେତେବେଳେ ପରାଧୀନତାର ଅବସାନ ଘଟାଇବା ନିମନ୍ତେ ଏକ ସଂଗ୍ରାମରେ ନେତୃତ୍ୱ ଦେଉଥିଲେ, ରାଜନୀତି ହିଁ ତାହାର ମୂଳପ୍ରେରଣା ଥିଲା । ସ୍ଵାଧୀନତା ଆସିବ, ସେହି ସଂଗ୍ରାମରେ ଦେଶର, ଜାଗ୍ରତ ମନୁଷ୍ୟମାନେ ହିଁ ସକ୍ରିୟ ଅଂଶଗ୍ରହଣ କରିବେ, –ଏହି କ୍ଷେତ୍ରରେ ଗାନ୍ଧିଜୀ ଦେଇଥିବା ଯାବତୀୟ ଦିଗ୍‌ଦର୍ଶନ-ଏହି ସବୁଯାକ ପ୍ରସଙ୍ଗରେ ସେତେବେଳେ ରାଜନୀତି ହୋଇ ହିଁ ରହିଥିଲା । ସେହି ସଂଗ୍ରାମରେ ସାମିଲ ହେବାକୁ ଭାରତୀୟ ସନ୍ତାନମାନଙ୍କ ଲାଗି ଯେ ଏକ ପବିତ୍ର କର୍ତ୍ତବ୍ୟ, ସଂପୃକ୍ତ ସମସ୍ତଙ୍କୁ ମହାତ୍ମା ଗାନ୍ଧୀଅନୁରୂପ ପ୍ରତ୍ୟୟଟିଏ ଦେଇପାରିଲେ । ସେତେବେଳେ ସଂଗ୍ରାମ ପାଇଁ ଯାବତୀୟ ପ୍ରସ୍ତୁତି, ସେଥିରେ ରାଜନୀତି ପ୍ରମୁଖ ଉତପ୍ରେରକ ହୋଇ ରହିଥିଲା ।

 

ସର୍ବୋପରି ଗୋଟିଏ ଭବିଷ୍ୟ-ନକ୍ସା ମଧ୍ୟ ଥିଲା । ସଂଗ୍ରାମଟି କେବଳ ସଂଗ୍ରାମରେ ସରିଯିବ ନାହିଁ । ଏକ ନୂତନ ଗଢ଼ଣରେ ଦେଶଟି ଗଠିତ ହେବ । ଗ୍ରାମପଞ୍ଚାୟତ ଠାରୁ ପାର୍ଲିଆମେଣ୍ଟ ପର୍ଯ୍ୟନ୍ତ ସମସ୍ତେ ସେହି ଗଢ଼ଣଟିକୁ ବାସ୍ତବରୂପଟିଏ ଦେବାରେ ସହଯୋଗ କରିବେ, ନେତୃତ୍ଵ ଦେବେ । କାଳ କାଳର ଦୂରତାଗୁଡ଼ିକ ହଟିବ,–ଯେଉଁମାନେ ଅଧିକ ପଛରେ ରହି ଆସିଛନ୍ତି, ସେମାନଙ୍କ ନିମନ୍ତେ ଅଧିକ ଚିନ୍ତା କରାଯିବ, ଅଧିକ ଖରଚ କରାଯିବ । ସେମାନେ ମଧ୍ୟ ସାଙ୍ଗକୁ ଆସିବେ ,ସବାଆଗ ଆପଣକୁ ଏହି ଶପଥବଦ୍ଧ ଦେଶର ନାଗରିକ ରୂପେ ଜାଣିବେ, ଗର୍ବ ଅନୁଭବ କରିବେ । ଅର୍ଥାତ୍, ଏକ ସାବାଳକ ତଥା ସଚେତନ ଲୋକନୀତିର ପ୍ରତିଷ୍ଠା–କ୍ଷେତ୍ରରେ ଯେଉଁମାନେ ରହିବେ, ସେମାନେ ଯାବତୀୟ ଅର୍ଥରେ ରାଜନୀତିରେହିଁ ନେତୃତ୍ଵ ଦେବେ; ଶାସନରେ ରହିବେ, ଲୋକଙ୍କର ଆସ୍ଥା ନେଇ ସେମାନଙ୍କର ପ୍ରତିନିଧି ହେବେ । କ୍ଷମତାର ଲଗାମଗୁଡ଼ିକ ସେହିମାନଙ୍କ ହାତରେ ରହିଥିବ । ଅସଲପ୍ରଚକ୍ଷୁ ଗୁଡ଼ିକୁ ଯୋଗାଇ ଦେଇ କେତେ କେତେ ସଭାବନା ସହିତ ସଂବିଧାନଟିଏ ବିତିଆରି ହୋଇ ରହିଲା । ହଁ, ବୃହତ୍ତର ପୃଥିବୀର ଆଗୁଆ ରାଷ୍ଟ୍ରମାନେ ମଧ୍ୟଭାରତବର୍ଷ ପ୍ରତି ପୂର୍ଣ୍ଣ ସହାନୁଭୂତିଶୀଳ ହୋଇ ରହିଥିଲେ ଏବଂ ଭାରତବର୍ଷର ସେହି ନବୀନ ପ୍ରୟାସରେ ସହାୟତା କରିବାକୁ ଆଦୌ କାର୍ପଣ୍ୟ କରିବାକୁ ଇଚ୍ଛା କରୁନଥିଲେ । ସେମାନେ ଅତ୍ୟନ୍ତ ନିଷ୍ଠାପର ଭାବରେ ବିଶ୍ୱାସ କରୁଥିଲେ ଯେ, ଭାରତବର୍ଷ ତାର ନାନା ଭିତ୍ତିଭୂମିଗତ ଅସମର୍ଥତା ମଧ୍ୟରୁ ମୁକ୍ତ ହୋଇଆସିଲେ ତାହାଏକାଧିକ ପ୍ରକାରେ ପୂରା ପୃଥିବୀଟା ନିମନ୍ତେ ହିଁ ଅବଶ୍ୟ ହିତକାରକ ହେବ ।

 

ସ୍ଵାଧୀନତା–ଲାଭର ପ୍ରାୟ ପଚାଶ ବର୍ଷ ପରେ ଭାରତବର୍ଷର ନେତୃତ୍ୱ ପ୍ରକୃତରେ ପୂରା ବାଇଆ ହୋଇଗଲା କି ? ବୋଲି ଆପଣାକୁ ପଚାରିବାକୁ ଇଚ୍ଛା ହେଉଛି । ବାଘଭଳି ନେତାମାନେ ମାଳମାଳ ହେଉଛନ୍ତି ସିନା, କିନ୍ତୁ ରାଜନୀତି ବୋଲି କିଛି ନାହିଁ । ରାଜନୀତିକ ଦଳ ଯାହାକୁ ଯେତେ, କିନ୍ତୁ ରାଜନୀତି ହିଁ ନାହିଁ । ଏହି ଦଳମାନେ ଗୋଟାଏ ଗୋଟାଏ ଦରବାର ପରି ଧାନ ବିସ୍ତାର କରି ରହିଛନ୍ତି–ସକଳ ବିଧିରେ ସେଥିଭିତରେ ରଜା, ମନ୍ତ୍ରୀ ଓ ଜଗୁଆଳମାନେ ରହିଛନ୍ତି ସିନା, କିନ୍ତୁ ମୋଟେ କୌଣସି ରାଜନୀତି ନାହିଁ । ମୋଟେ କୌଣସି ଭବିଷ୍ୟ ନକ୍ସା ନାହିଁ, କେବଳ ମଉକାଗୁଡ଼ାଏ ହିଁ ଦେଖାଯାଉଛି । ଏପରିକି, ମୁଁ ଯେଉଁ ଦଳର ଖାତାରେ ନାଆଁ ଲେଖାଇଛି, ତାହାର ସନ୍ତକରେ ଭୋଟ ଲଢ଼ୁଛି, ସେଇଟି ପଛରେ ଆଦୌ କୌଣସି ରାଜନୀତିକ ଆଭିମୁଖ୍ୟ ରହିଛି କି ନାହିଁ, ସେକଥା ମୋତେ ମାଲୁମ ନାହିଁ । ଜୀବିକାଟିଏ ଖୋଜି ଖୋଜି ସତେ ଅବା ଏଠାରେ ଆସି ପହଞ୍ଚିଯାଇଛି । କାଳିଟା ଇତି ମଧ୍ୟରେ ଯେଉଁପରି ହୋଇଗଲାଣି, ସେଥିରେ ଭାଗ୍ୟରେ ଥିଲେ ଯାଇ ସେତିକି ମଧ୍ୟ ମିଳେ ବୋଲି ମୋ'ଭିତରର ଡରୁଆ ହଇରାଣିଆଟା କୋଉ ଗରଜରେ ସେହି କଥାଟିକୁ ମାନିନେଲା କେଜାଣି ? କିଏ ମନ୍ତ୍ରୀହୋଇ ବସିଛି, କିଏ ନିଜ ଦଳର ମହନ୍ତ ଅଥବା ଉପମହନ୍ତଟିଏ ବନିଛି, ତୁଚ୍ଛା ନିଜପାଇଁ ଗୋଟାଏ କ୍ୟାରିଅର୍ ଖୋଜି ଖୋଜି ଆଉ କିଛି ନହେଲେ ବି ଆସି ଏଠାରେ ପହଞ୍ଚି ପାରିଛି, ନିଜ ନକ୍ଷତ୍ରମାନଙ୍କୁ ସଞ୍ଜି ସକାଳେ ସଲାମ କରିବାରେ ଲାଗିଛି । ଏବଂ, ମୋ ପରେ ମୋ କୁଟୁମ୍ବଟାର ବି କ'ଣ ହେବ, ତାହାର ଆଦୌ କୌଣସି ଠାବ ଠିକଣା ନାହିଁ । ତେଣୁ, ସୁଯୋଗମାନଙ୍କୁ ସୃଷ୍ଟି କରି ମୁଁ ନିଜ କୁଟୁମ୍ବର ଅନ୍ୟମାନଙ୍କୁ ଆଣି ମଧ୍ୟ ସଂସ୍ଥାନଟିଏ ଜୁଟାଇ ଦେଇପାରୁଛି । ଆମେ ଏହିସବୁ ଭୂମିକାଗୁଡ଼ିକ ଭିତରେ ନସରପସର ହୋଇ ଧାଇଁଥିବା ସମୟରେ ପ୍ରକୃତରେ ଆପଣାର ଏକ ବିବେକ ରହିଛି ବୋଲି ଅନୁଭବ କରିବାର କୌଣସି ଆବଶ୍ୟକତା ରହୁନାହିଁ । ବିବେକ ଥିଲେ ରାଜନୀତି ଅବଶ୍ୟ ଥାଆନ୍ତା,–ଦେଶଟାଏ ରହିଛି ବୋଲି ଜଳଜଳ ହୋଇ ଦେଖା ବିଯାଆନ୍ତା, ଆପଣାକୁ ଆମେ କିଞ୍ଚିତ ଇଜ୍ଜତ ମଧ୍ୟ ଦେଇ ପାରୁଥାନ୍ତୁ । କିଛି ସାହସର ଭାଜନ ହୁଅନ୍ତୁ, ଆତ୍ମମର୍ଯ୍ୟାଦା ସହିତ ସତକୁ ସତ ଯେକୌଣସି ମେଳରେ ହୁଏତ ବସିପାରନ୍ତୁ । ଦେଶରେ ନିର୍ବାଚନଟିଏ ହେବାକୁ ଯାଉଥିବା ସମୟରେ ଆମେ କରୁଥିବା ତାମସାଗୁଡ଼ିକରୁ ହିଁ ଆମ କାରିଅରିଷ୍ଟ ପିତ୍ତଗୁଡ଼ିକ ଖୁବ୍ ଧରା ପଡ଼ିଯାଆନ୍ତି । ଆମେ ନିଜକୁ ବୁଝୁ ବା ନବୁଝୁ ପଛକେ, ଲୋକମାନେ ଖୁବ୍ ବୁଝନ୍ତି । ସେମାନେ ମୋଟେ କ୍ଷମା ଦେଉ ନଥିବେ । ରାଜନୀତି ପାଚିବାରେ ଲାଗିଥାଏ । ନିଶାଖୋରମାନେ ଯେତେ ବାଉଳାହେଲେ ମଧ୍ୟ ରାଜନୀତି କଦାପି ପୃଥିବୀକୁ ଛାଡ଼ି ଚାଲିଯାଏ ନାହିଁ ।

 

ତେଣୁ, ହେ ବନ୍ଧୁ, ହେ ନେତା, ବାଇଆଙ୍କ ପରି ହୋଇ ମୋଟେ ରାଜନୀତିକୁଗାଳି ଦିଅନାହିଁ । ବରଂ, ଆପଣାର ନାବାଳକପଣକୁ ସ୍ୱୀକାର କର । ଆଧୁନିକ ପୃଥିବୀଟିର ବାସ୍ତବଟାକୁ ତାର ମଞ୍ଚ ଭିତରୁ ଠଉରାଇ ଦେଖିଲେ ଆମକୁ ହୁଏତ ଖୁବ୍ ପରିଷ୍କାର ହୋଇ ଦିଶି ଦିଶି ଯିବ ଯେ ଏହି ଚଳନ୍ତି ବ୍ୟବସ୍ଥାଟା ମଧ୍ୟରେ ସତକୁ-ସତ ନାବାଳକମାନେ ହିଁ ନିଜକୁ ବହୁତ ଦର୍ପର ସହିତ ସାବାଳକ ବୋଲି ସାବ୍ୟସ୍ତ କରିବାକୁ ସର୍ବଦା ତତ୍ପର ହୋଇ ରହିଛନ୍ତି । ସତ୍ତାଧାରୀମାନଙ୍କ ହାତରେ ସତ୍ତା ଥାଏ, ସେମାନଙ୍କର ଅସ୍ତ୍ରାଗାରଗୁଡ଼ିକ ଅସ୍ତ୍ରରେ ଭର୍ତ୍ତି ହୋଇ ରହିଥାଏ, ବିତ୍ତଭଣ୍ଡାରଗୁଡ଼ିକ ଭରପୂର ରହିଥାଏ, ତେଣୁ ସେମାନେ ନିଜକୁ ହିଁ ପୃଥିବୀଯାକରେ ସମସ୍ତଙ୍କଠାରୁ ଅଧିକ ସମର୍ଥ ଓ ସାବାଳକ ବୋଲି ଦାବି କରିବା ନିମନ୍ତେ ଖୁବ୍ ଖୋରାକ ପାଇ ଯାଉଥାନ୍ତି ! ଆମେ ଏହି ଆରକଥାଟି ମଧ୍ୟ ହୁଏତ ବେଶ୍ ଦେଖିବାକୁ ପାଇବା ଯେ, ଅବିକଶିତ ହୋଇ ରହିଥିବା ସମୂହଗୁଡ଼ିକରେ ଆପଣାକୁ ଅଧିକ ସାବାଳକ ବୋଲି ଦାବି କରିବାର ଜିଦଟା ବିକଶିତ ଦେଶ ଗୁଡ଼ିକ ତୁଳନାରେ ଅଧିକ ଅନମନୀୟତାସହିତ ନିଜକୁ ପ୍ରକଟ କରିବାରେ ଲାଗିଥାଏ । ସେମାନେ ଆପଣାକୁ ରଜା ବୋଲି ମଣନ୍ତି, ଶାସନଗୁଡ଼ାକୁ ଅଧିକ ହୃଦୟହୀନ ଭାବରେ ଲଦି ଦେଇଥାନ୍ତି । ଅନ୍ଧାରଗୁଡ଼ାକୁ ସ୍ଥାୟୀ କରି ରଖିବାରେ ତୁଚ୍ଛା ମନମୋଟା ଭାବରେ କୋଟି କୋଟି ଖରଚ ହେଉଥାଏ । ଅଧିକସଂଖ୍ୟକ ମଣିଷ ତିମିର ଭିତରେ ରହିବା ଦ୍ୱାରା ଶାସକମାନଙ୍କୁ ଇନ୍ଦ୍ର ହୋଇ ବସିବା ଲାଗି ଅଧିକ ପାଳକ ପଡିଥାଏ କି ? କାହିଁକି କୁହାଯାଇ ନପାରିବ ଯେ, ଭାରତବର୍ଷର ଭାଗ୍ୟକାଶଟା ମୁଖ୍ୟତଃ ଅତ୍ୟନ୍ତ ଦୟନୀୟ ଭାବରେ ତିମିରାଚ୍ଛନ୍ନ ହୋଇ ରହିଛି ? ରାଜନୀତିର କୌଣସି ଆବଶ୍ୟକତା ନାହିଁ । ସେହି ଏକା ଧାତୁର ଉପାଦାନଟା ମୁକୁଟ ପରିଧାନ କରି ବସିଛି । ଦଳ ବହୁତ ରହିଛନ୍ତି, –ଖିଆଲ ଅନୁସାରେ ଗଢ଼ି ହୋଇ ଯାଉଛନ୍ତି ଏବଂ ପୁନର୍ବାର ଫିଡ଼ିକି ଯାଉଛନ୍ତି । ତେଣୁ, ଜଗନ୍ନାଥଙ୍କ ରାଣ ତୁମକୁ, ତୁମେ ରାଜନୀତିକୁ ଲେଉଟି ଆସ । ଲୋକଭାଗ୍ୟ ନିର୍ମାଣକୁ ସବାଆଗ କରି ଧରିଥିବା ଏକ ପୋଖତ ରାଜନୀତି ହିଁ ଦେଶକୁ ଚଳାଉ, ରାଷ୍ଟ୍ରକୁ ଚଳାଉ-

 

ସାବଧାନ, ଭାରତବର୍ଷ ଗଣତନ୍ତ୍ରକୁ ହିଁ ଶାସନର ସରଣୀ କରି ଗ୍ରହଣ କରିଛି । ଗଣତନ୍ତ୍ରରେ ଲୋକେ ଆଗ, ତା'ପଛରେ ଯାଇ ରାଷ୍ଟ୍ରଶାସନ । ଗଣତନ୍ତ୍ରକୁ ମାର୍ଗ କରିଧରି ଏଠାରେ ଯାବତୀୟ ନିର୍ମାଣ । ତେଣୁ, ମୂଳଦୁଆ ତଳୁ ପଡ଼ିବ, ତଳଟା ମଜବୁତ ହେବ । ମାମଲତକାରମାନେ ତାହା କରାଇ ଦେଇନାହାନ୍ତି । ସେମାନେ ସାଆନ୍ତ ହୋଇ ରହିବାକୁ ସେହି ଉପରଟାରେ ହିଁ ମତଲବଗୁଡ଼ାକୁ ପକ୍କା କରି ରଖିଛନ୍ତି କି ? ଭାରତର ନାଗରିକ ହେବାଲାଗି, ଇଚ୍ଛା କରୁନାହାନ୍ତି କି-? ଏବଂ, ସେଇଥିପାଇଁ ତଳକୁ ଭଣ୍ଡି ରଖିଛନ୍ତି । କୋଟି କୋଟିଙ୍କ ଭିତରେ ସଦିଚ୍ଛା ଅର୍ଥାତ ଏକ ସହଯୋଗର ଇଚ୍ଛା ଭରି ରହିଛି । ସରକାରଟା ହିଁ ଖଲିପା ବନି ଲୋକଙ୍କର ବାଟ ଓଗାଳି ରହିଛି-। ଦଳେ ଉଚ୍ଚପାଠୁଆଙ୍କୁ ଗୁଡ଼ାଏ ଭତ୍ତା ଦେଇ ରଖିଛି, ଯେଉଁମାନଙ୍କର ଧର୍ମତଃ କୌଣସି ଦେଶବା ଭୂମି ପ୍ରତି କୌଣସି ଆନୁଗତ୍ୟ ନାହିଁ । ସେମାନେ ଗଣତନ୍ତ୍ର ପଟେ ମୋଟେ ନାହାନ୍ତି । ସେକାଳର ସେହି ଉଦାସୀନତା ଗୁଡ଼ାକରେ ବିହରଣ କରୁଛନ୍ତି ଓ ଦେଶର ଗଣତନ୍ତ୍ରକୁ ଠକୁଛନ୍ତି । ଏଠି ଅସଲ ସମସ୍ୟାଗୁଡ଼ିକୁ ଉଢ଼ୁଆଳ କରି ରଖିଛନ୍ତି । ଅସଲରାଜନୀତି ଏସବୁକୁ ମୋଟେ ସହ୍ୟ କରନ୍ତୁ ନାହିଁ-। ଅସଲ ନେତା ଅନ୍ୟ ଭଳି ଉଦ୍‌ବୋଧନ ଦିଅନ୍ତା । ଲଙ୍କାଗଡ଼ରେ ହରିନାମ ଶୁଣାନ୍ତା । ସେଥିଲାଗି ବିଶେଷ ଅବସରମାନଙ୍କରେ ଭାବପ୍ରବଣ ହୋଇ ଧିକ୍କାରି ହେଲେ ତାହା କଦାପି ଚଳିବ ନାହିଁ-। ହଁ, ଲୋକମାନେ ତୁମକୁ ଭଲ ମଣିଷଟିଏ ବୋଲି କହିବେ, –ବିଚରା ତଥାପି ଅନ୍ୟପ୍ରକାରେ ଭାବୁଛି ବୋଲି ଅବଶ୍ୟ ବୁଝିବେ । ତା'ପରେ ଭୁଲିଯିବେ । ହଁ, ତୁମକୁ ହୁଏତ ଆହୁରି ପରଖିବେ-। ତୁମେ ନିଜେ ରାଜନୀତିରେ ଅଛ ତ ? ଏହି ଦେଶର ତରଫରେ ଅଛ ତ ? ପେଟର ଅସଲ ଭାଷାଗୁଡ଼ିକୁ ବୁଝିବା ନିମନ୍ତେ ତୁମେ ନିଜକୁ ମଣ କରିପାରିବ ? ଗଣତନ୍ତ୍ରରେ ଅସଲ ଦରବାର ଏହି ଲୋକମାନେ । ତୁମେ ଯେଉଁମାନଙ୍କର ପ୍ରତିନିଧିତ୍ୱ କରୁଛି, ସେହିମାନଙ୍କର ଭାଷାରେ ସେହିମାନଙ୍କର କଥା ସତକୁ ସତ କହିପାରିବ ?

Image

 

ବୃହତ୍ ଆଦିବାସୀ-ବିଳାପ

 

ଯେତେବେଳେ ସାହିତ୍ୟ ନିମନ୍ତେ ସହରରେ ବାଣୀପୀଠ କାଟର କିଛି ଅଲଗା ମର୍ଯ୍ୟାଦାର ମହକୁମାଟାଏ ରହୁ ବୋଲି ସେପରି କେହି ଗମ୍ଭୀର ଭାବରେ ଚିନ୍ତା କରିନଥିଲେ, ସେତେବେଳେ ସାହିତ୍ୟର ପୂରା ସଂସ୍କାରଟା ହିଁ ସେତେ ବେଶୀ ନଥିଲା । ସେତେବେଳର ଦୁଇଖଣ୍ଡ ପୁସ୍ତକ–ବୃହତ୍ ସୀତା ବିଳାପ ଏବଂ ବୃହତ୍ ଯଶୋଦା ବିଳାପ–ଏବେ ମଧ୍ୟ ସ୍ମରଣରେ ରହିଛନ୍ତି । ବୃହତ୍ ଗୋପୀ ବିଳାପ ବୋଲି ଆଉ ଖଣ୍ଡେ ପୁସ୍ତକ ମଧ୍ୟ ସେତିକିବେଳେ ଆଖିରେ ପଡ଼ିଥିବା ବାଗିର ମନେ ହେଉଛି । ହଁ, ସେହିକ୍ରମରେ ଆଉ କେତେଟା ବର୍ଷ ଆଗକୁ ଯାଇ ଉତ୍କଳ ଜନନୀ ବିଳାପ ଓ ଭାରତ ଜନନୀବିଳାପ ବି ବାହାରିଥିଲା । ସତକୁ ସତ ବୃହତ୍ କେତେ କେତେ କୋହକଥାରେ ଭରପୂର । ତେଣୁ, ହାରମାନିଆଟିଏ ବେକରେ ପକାଇ ହାଟରେ ଗହଳି ଭିତରେ ବହିର ଲେଖକ ଅଥବା ବିକ୍ରେତା ତା’ର ନିଜସ୍ୱ କଣ୍ଠରେ ବହିର ପଦଗୁଡ଼ିକୁ ବୋଲି ବିକୁଥିବା ସମୟରେ କ'ଣ ପାଇଁ କ୍ରେତାମାନେ ଆକୃଷ୍ଟ ହେଉନଥାନ୍ତେ ? ବହିଗୁଡ଼ିକର ମୂଲ୍ୟ ବି ସବୁବେଳେ ଦୁଇ ପଇସା ଏବଂ ଖୁବ୍ ବେଶି ହେଲେ ଚାରି ପଇସା । କହିବା ବାହୁଲ୍ୟ, ସେତେବେଳେ ସାହିତ୍ୟର ଏବର ଏ ଯୁଗଟା ଓଡ଼ିଶାରେ ତଥାପି ଆସି ପହଞ୍ଚି ନଥିଲା ।

 

ଏବେ ତ କୋଟି କୋଟି ଟଙ୍କା ବରାଦ ହୋଇ ବିଳାପମାନ କରାଯାଉଛି । ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ଚଉଠ ଅଂଶ ହେଉଛି ଆଦିବାସୀ । ସେହି ପ୍ରଥମ କାଳରୁ ହିଁ ସରକାର ଆଦିବାସୀଙ୍କ ସକାଶେ ସ୍ୱତନ୍ତ୍ର ବିଭାଗ ରଖିଛନ୍ତି । ସତେ ଯେପରି ଜନ୍ମଲାଭ କରିବାର ପୂର୍ବରୁ ହିଁ ଆଦିବାସୀଙ୍କର ମାଆ କି ବୁଆ କେହିନଥିବାରୁ ଇଶ୍ୱରଙ୍କର ଆଦେଶରେ ସରକାର ସେମାନଙ୍କର ହେପାଜତ କରିବାରେ ଲାଗିଛନ୍ତି ! ଏବେ ସରକାରଙ୍କ ସାଙ୍ଗକୁ ସ୍ୱେଚ୍ଛାସେବୀମାନେ ଆସି ଜୁଟିଲେଣି । ସରକାରଙ୍କ ଠାରୁ ମନ୍ତ୍ରଣା ନେଇ ସରକାରଙ୍କର ମନ ବୁଝିଲା ଭଳି ଆପଣାକୁ ବହୁ କାର୍ଯ୍ୟକ୍ରମରେ ଛନ୍ଦି ରଖିଛନ୍ତି । କାର୍ଯ୍ୟକ୍ରମ ଯାହାକୁ ଯେତେ । ବେତାଏ ବେତାଏ ପଇସା । ତେଣୁ ବେତାଏ ବେତାଏ କାର୍ଯ୍ୟକ୍ରମ । ନୂଆ ନୂଆ କେତେ ଢଙ୍ଗରେ ବହୁ ଏଷଣା ଏବଂ ଗବେଷଣା । ତେଣୁ, ସମ୍ପକ୍ତ ସମସ୍ତେ ପୂରା ରାଜାମାନଙ୍କ ପରି ଉଦାର । ଏହି ଭୂମିର ମହାନ୍ ପରମ୍ପରା ଅନୁସାରେ ଦରିଦ୍ରମାନଙ୍କୁ ଦରିଦ୍ର–ନାରାୟଣ ବୋଲି କୁହାଯାଇ ଆସିଛି । ସେମାନଙ୍କର ସେବା ଆମ ଅଦରିଦ୍ରମାନଙ୍କର ମହାନ୍ ବ୍ରତ ହୋଇରହିବା ଉଚିତ ବୋଲି ସତ୍ ପରାମର୍ଶ ଦିଆଯାଇଛି । ଆଦିବାସୀମାନେ କାଳେ ନିଜେ ନପାରିବେ, ସେଥିପାଇଁ ଉପରର ଥାକମାନଙ୍କରେ ଅଣଆଦିବାସୀମାନଙ୍କୁ ଆଣି ଥାପି ଦିଆଯାଇଛି । ଏମାନେ ବୁଦ୍ଧିଆ, ତେଣୁ ଅବଶ୍ୟ ପାରିବେ । ଯୋଉ ଦେଶରେ ଅଳପ ମଣିଷ ହିଁ ଉଚ୍ଚ ଅଧିକ ପାଠ ପଢ଼ିଥାଆନ୍ତି, ଯୋଉସବୁ ଦେଶରେ ଅଧିକ ପଇସା ରହିଥିବାରୁ ହିଁ ଅଳପମାନେ ଅଧିକ ପାଠ ପଢ଼ିବାର ସବୁଯାକ ଅନୁକୂଳତାକୁ ନିଜ ସକାଶେ ହଡ଼ପ କରି ନେଇଥାଆନ୍ତି ଏବଂ ଅଧିକଙ୍କୁ ସେଗୁଡ଼ିକରୁ ସୁଚିନ୍ତିତ ଭାବରେ ବଞ୍ଚିତ କରି ରଖିଥାନ୍ତି, ସେଠାରେ ଶିକ୍ଷାର ଅସଲ ପରିମଳଟିକୁ ସଚରାଚର ଏହି ପରିଏକ ଦୁର୍ବୁଦ୍ଧିଦ୍ୱାରା ହିଁ ଦୂଷିତ କରି ରଖି ଦିଆଯାଇଥାଏ । ବର୍ତ୍ତମାନ ଖୁବ୍ ବୁଝି ହେବ, ଭାରତବର୍ଷରେ ଆଦିବାସୀମାନଙ୍କର ଶିକ୍ଷାର ସମୁଦାୟ ଚରିତ୍ରଟି କାହାର ବରାଦ ଅନୁସାରେ ହେବ, ସେଥିପାଇଁ ଏଠାରେ କେଉଁମାନେ ସରସ୍ୱତୀଙ୍କ ପାଖରୁ ଆଜ୍ଞାମାଳ ନେଇ ସିରସ୍ତାଗୁଡ଼ାକରେ ପଶିଛନ୍ତି ।

 

ଆଦିବାସୀ ଗୋଲାମ ନଥିଲା, ତାକୁ ଗୋଲାମ କରି ଦିଆଯାଇଛି । ସିଏ ପାହାଡ଼ ଓ ଅରଣ୍ୟରେ ସୃଷ୍ଟ ଓ ସଚଳ ପ୍ରକୃତି ମଧ୍ୟରେ ପ୍ରାୟ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଖୁସି ଜୀବନଯାପନ କରୁଥିଲା-। ଆଧୁନିକ ଏକାଧିକ ଅକୁଶଳତାର ପ୍ରୟୋଗ କରି ତାକୁ ଦିଆଯାଉଥିବା ଶିକ୍ଷା ତାକୁ ବାହାରେ ଭିତରେ ଅଧିକରୁ ଅଧିକ ବିସ୍ଥାପିତ କରିଦେବାରେ ଲାଗିଛି । ଏଥିରେ ପଢ଼ାଯାଉଥିବା ପାଠଗୁଡ଼ିକୁ ଆମେ ଯେତେ ଦୋଷ ଦେବାନାହିଁ, ଏକ ପ୍ରାସଙ୍ଗିକତାହୀନ ପରିବେଶକୁ ହିଁ ସେଥିପାଇଁ ନିଶ୍ଚୟ ଅଧିକ ଦାୟୀ କରିପାରିବା । ଏକଲବ୍ୟମାନଙ୍କ ଠାରୁ ବହୁ ବିଡ଼ମ୍ବନାର ନାନା ଜାଲ ପକାଇ ସେହି ବିଦ୍ୟାଳୟରେ ହିଁ ଆଦିବାସୀର ସତ ମୁଷ୍କଗୁଡ଼ିକୁ ଛେଦନ କରାଯାଉଛି । ଧୂର୍ତ୍ତଦ୍ରୋଣମାନେ ଏଭଳି ବରାଦମାନ କରିଛନ୍ତି, ଯାହାଦ୍ୱାରା କି ସତେଅବା ସବୁକାଳ ନିମନ୍ତେ ସେମାନେ ପଛରେ ହିଁ ରହିଥିବେ, ବାବୁମାନଙ୍କର ବୋଲକରା ହୋଇରହିବେ, –ବାବୁମାନଙ୍କର ନକଲ କଲେ ଯାଇ ସେମାନେ ଯାହା କିଛି ହୋଇପାରିବେ ବୋଲି ବିଶ୍ୱାସ କରୁଥିବେ ଏବଂ ତେଣେ ନିଜ ଗୋଡ଼ତଳର ମାଟିଗୁଡ଼ିକ ଖସି ଖସିଯିବାରେ ଲାଗିଥିବ । ଜୀବନଦାୟକ ଅସଲ ମୃତ୍ତିକାଗୁଡ଼ିକରେ ଏକ କ୍ଷୟ ହିଁ ଲାଗି ରହିଥିବ । ନିଜର ସେହି କାଳ କାଳକାଳର ସଂହତି ତଥା ଉଦ୍ୟମ ଗୁଡ଼ିକରସମଗ୍ରଟିକୁ ନେଇ ଆଦିବାସୀ ମାନେ ଯେଉଁ ଜଙ୍ଗଲ ଭିତରେ ବାସ କରି ଆସିଥିଲେ, ସେଥିରେ ସେମାନେ ସ୍ଵୟଂ କେନ୍ଦ୍ରଟିଏ ହୋଇ ରହିଥିଲେ ଏବଂ ଏହି ଆଧୁନିକ କାଳର ଏହି ଜଙ୍ଗଲଗୁଡ଼ିକ ମଧ୍ୟରେ ଆମର ବୁଦ୍ଧିପ୍ରସୂତ ଚକ୍ରାନ୍ତଗୁଡ଼ିକରେ ଆଦିବାସୀମାନଙ୍କୁପ୍ରାୟ ଧରି ଆଣିଥିବା ପରି ଯେ ଆଣି ପୂରାଇ ଦିଆଯାଉଛି, ସେଥିରେ ତା’ କେନ୍ଦ୍ରଗୁଡ଼ିକଭାରି ଚହଲି ଚହଲି ଯାଉଛି । ଆମ ସହରୀ ଛଳଗୁଡ଼ାକୁ ଦେଖି ସିଏ ହୁଏତ ଆଉ ନିଜର ଚିହ୍ମା ଗାଆଁଟିକୁ ମଧ୍ୟ ଚିହ୍ନି ପାରୁନାହିଁ । ନିଜ ଗାଆଁଟି ପ୍ରତି ଏକ ଦାୟିତ୍ୱବୋଧ । ସମ୍ଭବ କରିବା ତ ଆହୁରି ଅଧିକ ସୁଦୂର ପରାହତ ହୋଇ ରହୁଛି ।

 

ଆମ ପ୍ରିୟ ସାହିତ୍ୟରେ ଆଦିବାସୀ–ଜୀବନର କେତେ କେତେ ନିପୁଣ ବର୍ଣ୍ଣନା ପ୍ରକୃତରେ ନ ରହିଛି ! ଶୈଳୀଟା ସମ୍ପୂର୍ଣ୍ଣ ଭାବରେ ଅନନ୍ୟ । ଦରଦମାନେ କେତେ ନାକେତେ ନିବିଡ଼ ଏବଂ ଅନ୍ତରଙ୍ଗ । ଅଣ ଆଦିବାସୀ ଲେଖକ ଜଣେ ଆମ ସାହିତ୍ୟପ୍ରେମୀ ଏତେ ଏତେଙ୍କ ନିମନ୍ତେ ପ୍ରକୃତରେ ଅମୂଲ୍ୟ ସମ୍ପଦମାନ ବାଢ଼ି ଦେଇ ଯାଇଛନ୍ତି । କୃତଜ୍ଞତାରେ, ଗର୍ବ ଓ ଗୌରବରେ ଆମେ କେତେ ଉତ୍କଳ ଅନୁଭବ ନ କରୁଛୁ । ଖୁବ୍‍ ଭାବୁଛୁ, ଇଂରାଜୀରେ ଏ ସବୁର ଅନୁବାଦ ହୁଅନ୍ତା,–ବିଶ୍ୱବାସୀ ଆମକୁ ଜାଣନ୍ତେ ଏବଂଆମ ସାହିତ୍ୟର ପ୍ରଶଂସା କରନ୍ତେ । ସେହି ଦିଗରେ ଉତ୍ସାହୀମାନେ କ୍ରମେ ସଫଳ ମଧ୍ୟ ହେଲେଣି । କିନ୍ତୁ ଅମୃତର ସନ୍ତାନମାନେ ଆମଠାରୁ ତଥାପି ଦୂରଛଡ଼ା ହୋଇ ରହିଛନ୍ତି । ଆମ ମେଡ଼ିଆମାନଙ୍କ ଦ୍ୱାରା ଏତେ ଏତେ ସମ୍ଭବ ହେଉଛି, ତଥାପି ଆଦିବାସୀମାନେ କାହିଁକି ସଙ୍କୋଚରହିତ ଭାବରେ ଆମ ପାଖରେ ଆସି ବସି ପାରୁନାହାନ୍ତି-? ନାଇଁ ନାଇଁ, ସାହିତ୍ୟ ତ ସାହିତ୍ୟ–ତେଣୁ ଆମେ ନିର୍ବୋଧତା କରି ମୋଟେ ଅଧିକ କିଛିକୁ ମନ କରିବା ନାହିଁ । ମନ କଲେ ଅନର୍ଥ ହିଁ ହେବ । ବିଳାପକର, ସମ୍ପୂର୍ଣ୍ଣ ସର୍ଜନାତ୍ମକ ଭାବରେ ବିଳାପ କର, ତାହା ସୀମା ! ସୀମାକୁ ଡେଇଁଲେ । ଶାନ୍ତି ଭଙ୍ଗ । ନିତାନ୍ତ ମୂର୍ଖ ନ ହୋଇଥିଲେ ସ୍ୱୟଂ ଭଗବାନ ମଧ୍ୟ ପୃଥିବୀର ଶାନ୍ତି ଭଙ୍ଗ କରିବାକୁ ନିଶ୍ଚୟ ଭୟ କରିବେ ନାହିଁ । କାରଣ, ଭଗବାନ ଉତ୍ତମ ଭାବେ ଜାଣିଛନ୍ତି ଯେ, ମଣିଷ ରାଜି ନହେଲେ ମଣିଷର ଏହି ପୃଥିବୀରେ ଶାନ୍ତି ଭଙ୍ଗ କଲେ ବଡ଼ ଗୋଳମାଳରେ ପଡ଼ିଯିବେ ।

 

ତେଣୁ, ବିଳାପ ଖୁବ୍ ହେଉ–ବିଳାପରେ କୌଣସି କୃପଣତା ଆଦୌ କରାନଯାଉ । ସାହିତ୍ୟରେ ହେଉ, ସରକାରଙ୍କର କୋଠଘରେ ବି ହେଉ । ଆଦିବାସୀ ପିଲାଏ ବଡ଼ ହୋଇ ସେହି ପୁରୁଣାଟା ମଧ୍ୟରେ ତଥାପି ରହନ୍ତୁ । ଆମକୁ ଅନୁକରଣ ହିଁ କରନ୍ତୁ । ଆମ ପଛେ ପଛେ ରହିଥାନ୍ତୁ । ଯାବତୀୟ ବରାଦ, ଯାବତୀୟ ଉନ୍ନୟନର ସରାଗ କେବଳ ଏଇ ପର୍ଯ୍ୟନ୍ତ । ନିତାନ୍ତ ଏବେ ମଧ୍ୟ ସେହିପରି ଘଟଣାଟିଏ ଘଟିଛି ! । ଦିଲ୍ଲୀରେ କେଉଁ ମତିମାନେ ବିଚାରିଲେ ଯେ, ଆଦିବାସୀ ପିଲାଙ୍କ ସକାଶେ ଗୋଟାଏ ଗୋଟାଏ ମଡ଼େଲ ବିଦ୍ୟାଳୟ ସ୍ଥାପିତ ହେବ । ଆମ ରାଜ୍ୟର ଭାଗ୍ୟରେ ବିପୁଞ୍ଜାଏ କି ଛଅଟା ପଡ଼ିଲା । ଗୋଟିଏ ବିଦ୍ୟାଳୟ ସକାଶେ କୋଟିଏ ଟଙ୍କା । ରାଜ୍ୟସରକାର ଜାଗା ବାଛିଦେବେ, ଠିକାଦାରର କାମ କରିବେ । ସବୁ ଦିଲ୍ଲୀରୁ ହିଁ ସ୍ଥିର ହୋଇ ଆସିବ । ସେଥିଲାଗି ପିଲା ନିର୍ବାଚନ ସକାଶେ ପରୀକ୍ଷାଟାଏ ହେଲା । ପୂରା ତାଲିକାଟାଏ ତିଆରି ହେବା ପର୍ଯ୍ୟନ୍ତ ସବୁ କାମ ବିଭାଗୀୟ ସଚିବଙ୍କର ଅଳିନ୍ଦରେ ହେଲା । କାଗଜପତ୍ରର ଆକସ୍ମିକତା ଅନୁସାରେ ଯିଏ ଯେତେବେଳେ ବିଭାଗଟାରେ ସବାଉଚ୍ଚ ଖାମିନ୍ଦ ହୋଇ ରହିଥିବ, ତାଙ୍କରି କର୍ତ୍ତୃତ୍ଵାଧୀନ ଭାବରେ । ଉଚ୍ଚତମ ସେହି ସ୍ତରରେ ଆଦିବାସୀ କେହି ଅଛନ୍ତି କି ନାହିଁ, ତେଣେ କୌଣସି ନିଘା ନାହିଁ । ସେମାନେ ତ ଖାଲି ବରାଦ ଅନୁସାରେ ହେବେ, –ସେହି ବିଷୟରେ ଆଦୌ ମତ ଦେବାକୁ ଅଥବା ଅମତ ହେବାକୁ ଆଦିବାସୀ କାହିଁକି ରହିବେ ? ବିଚରା ଯେଉଁ ଅଫିସର ସର୍ବୋଚ୍ଚଟିଏ ହୋଇ ଯେତେବେଳେ ବିଭାଗକୁ ଆସିଥିବ, ସିଏ ସେଠାରେ କେତେ ମାସ ରହିବ, ସିଏ ଆପେ ବି ଜାଣିନଥିବ । ଇଏ ହେଉଛି ଏକ ଅଭିନବ ମଡ଼େଲ ପ୍ରୟୋଗ, ସେଠି ଉପରୁ ଆସୁଥିବା କାଗଜ ଅନୁସାରେ ସବୁ କିଛି ହେବ । ଅର୍ଥାତ୍ କେହି ଦାୟୀ ରହିବେ ନାହିଁ ।

 

ଏବେ ପୁଣି ଦିଲ୍ଲୀରୁ ସର୍ବଶେଷ ଫତୁଆଟି ଆସି ପହଞ୍ଚିଛି ଯେ, ଏହି ମଡ଼େଲ ବିଦ୍ୟାଳୟମାନଙ୍କରେ ଇଂରାଜୀ ଭାଷା ଶିକ୍ଷାର ମିଡିଅମ୍ ହୋଇ ରହିବ । ଏହାର ଅର୍ଥ ହେଉଛି ଯେ ରାଜ୍ୟମାନଙ୍କରୁ ସବୁଠାରୁ ଅଧିକ ମେଧାସମ୍ପନ୍ନ ଆଦିବାସୀ ପିଲାଙ୍କୁ ଏକପ୍ରବେଶିକା ପରୀକ୍ଷା ଦ୍ୱାରା ବାଛିନେଇ ସେମାନଙ୍କୁ ନିଜ ସମାଜରୁ ଉଚ୍ଛିନ୍ନ କରି ଦିଆଯିବ । ସେମାନେ ଆଉ ଫେରିବେ ନାହିଁ । ନିଜ ସାମାଜିକ ମୂଳଟିକୁ ଭୁଲିବେ, ଆପଣା ଜୀବନର ଅସଲ ମୂଳଦୁଆଗୁଡ଼ିକୁ ନିକୃଷ୍ଟ ବୋଲି ଅନୁଭବ କରିବେ ଏବଂ ଜୀବନରେ ଯେଉଁସବୁ ଅସଲ ଆହ୍ୱନର ମୁକାବିଲା କରିବା ନିମନ୍ତେ ଜଣେ ମନୁଷ୍ୟପିଲା ବିଦ୍ୟାର୍ଜନ କରେ, ସେମାନେ ସେଗୁଡ଼ିକୁ ଅସ୍ୱୀକାର କରିବେ । ଯେଉଁସବୁ ସାମାଜିକ ବାଧାଗୁଡ଼ିକ ସହିତ ଲଢ଼ିବା ସକାଶେ ଉପାର୍ଜିତ ବିଦ୍ୟାଗୁଡ଼ିକୁ ସେ ପ୍ରୟୋଗ କରିଥାଆନ୍ତା, ସେଇଟିକୁ ନିତାନ୍ତ ଦାୟିତ୍ୱହୀନ ଭାବରେ ଭୁଲିଯିବ । ସ୍ଵୟଂ ଶୋଷଣର ପକ୍ଷଟିକୁ ବିକ୍ରି ହୋଇଯିବ । ମଣ୍ଡଳ କମିଶନର ବିଶେଷ ମଉକାଗୁଡ଼ିକର ବଳରେ ଯେଉଁ ଆଦିବାସୀମାନେ ଚାକିରିରେ ଉଚ୍ଚ ହାକିମ ହେବାର ଅହୋଭାଗ୍ୟ ଲାଭ କରିଛନ୍ତି, ସେମାନଙ୍କର କେବେ ସମ୍ପର୍କରେ ଆସିଲେ ସତଟା ଜଳଜଳ ହୋଇ ଆସି ଆଖିରେ ପଡ଼ିଯାଇଥାଏ । ରାଜ୍ୟରେ ଆଦିବାସୀ ଗବେଷଣା କେନ୍ଦ୍ର ନାମରେ ଏକ ସଂସ୍ଥା ରହିଛି,–ଦେଶର ସବୁ ରାଜ୍ୟରେ ଅବଶ୍ୟ ଥିବ, –ଯାହା ତରଫରୁ କି ଅନେକ ତଥ୍ୟମୂଳକ ଗବେଷଣା ପୁସ୍ତକାକାରରେ ପ୍ରକାଶିତ ହୋଇଛି ଏବଂ ହେଉଛି । ଏସବୁକାର୍ଯ୍ୟକୁ ପ୍ରାୟ କେବଳ ଅଣଆଦିବାସୀମାନେ କରିଛନ୍ତି । ପ୍ରାୟ ସବୁଗୁଡ଼ିକ ଇଂରାଜୀଭାଷାରେ ପ୍ରସ୍ତୁତ କରି ଛପାଇବେ ବୋଲି ତିଆରି ହୋଇଛି । ସେହିମାନଙ୍କର ପ୍ରୀତ୍ୟର୍ଥେ ହିଁ ବହୁ ଅର୍ଥ ଓ ଶ୍ରମ ଖରଚ କରି ତିଆରି ହୋଇଛି । ଆଦିବାସୀ ମାନେ ସେମାନଙ୍କ ନିମନ୍ତେ ଏତେ ଏତେ ମିହନ୍ତ କରାଯାଇଛି ବୋଲି କାହିଁକି ବା ଜାଣିବେ ?

 

ବହୁତ ବିଶେଷ ମିଜାଜର ଅଣ ଆଦିବାସୀ ଅଛନ୍ତି, ଯେଉଁମାନଙ୍କୁ ଆଦିବାସୀସଂସ୍କୃତି ଗୋଟାପଟେ ମୁଗ୍ଧ କରିଦେଇଛି । ନିଜ ସଂସ୍କୃତିର ଆହ୍ଵାନମାନଙ୍କୁ ସେମାନେ କେତେ କାରଣରୁ ସାମ୍ନା କରିପାରନ୍ତି ନାହିଁ ବୋଲି ସେମାନେ ଯେ ଏପରି ବିହ୍ୱଳଭାବରେ ଚାହାଳିଚୋର ବନିଥାନ୍ତି, ସେମାନଙ୍କ ପାଖରେ ଦଣ୍ଡ ବସିଗଲେ ଗୋଟାଏ ବଡ଼ ସନ୍ଦେହ ବି ହୁଏ । ଆଦିବାସୀ ସଂସ୍କୃତି କହିଲେ ଏମାନେ ଆଦିବାସୀ ସଂଗୀତ, ଆଦିବାସୀ ନୃତ୍ୟ, ପର୍ବ, ଲୋକକଥା, –ଏହିଭଳି କେତେଟା ବିଶେଷ ବୃତ୍ତାନ୍ତକୁ ହିଁ ବୁଝନ୍ତି । ସମ୍ଭବତଃ ସେତିକି ନିରାପଦ ବୋଲି ଖୁବ୍ ଭଲ କରି ବୁଝନ୍ତି ବୋଲି ସେତିକି ଭିତରେ ରହିଥାନ୍ତି । ସେମାନଙ୍କର ଏହି ଏତେ ଗୁଡ଼ାଏ ପୁଲକର ଏକ ବର୍ଗ ନିରୂପଣ କରିବସିଲେ ବେଳେବେଳେ ମନେହୁଏ, ସତେଅବା ସେମାନେ ଆଦିବାସୀର ସଂସ୍କୃତି ନିମନ୍ତେ ହିଁ ଆଦିବାସୀଙ୍କ ବିଷୟରେ ଯାହା କିଛି ଆଗ୍ରହ ରଖିଥାନ୍ତି । ଆଧୁନିକ ଆଖିମାନଙ୍କୁ ଘନେଇବା ଭଳି ସେମାନେ ନିଜ ଅଧ୍ୟୟନ ଭିତରୁ ନିପୁଣତା ସହିତ ଶିରା ବାହାର କରିବାରେ ଲାଗିଥାନ୍ତି । ସରକାରମାନେ ମଧ୍ୟ ଏସବୁ ଉଦ୍ୟମରେ ଖୁବ୍‍ ପାଳି ଦେଇଥାଏ । ତେଣୁ ସଚିତ୍ର ପୁସ୍ତକମାନେ ବାହାରନ୍ତି । ପ୍ରଦର୍ଶନୀ, ସମ୍ପାନ ଏବଂ କର୍ମଶାଳାମାନଙ୍କର ଆନନ୍ଦ ଲାଗି ରହିଥାଏ । ଅସଲ ପ୍ରଶ୍ନଟି ହେଉଛି, ଆମେ ମନୁଷ୍ୟମାନଙ୍କର ସମଗ୍ର ମାନଚିତ୍ରଟି ଭିତରେ ମନୁଷ୍ୟମାନଙ୍କର ସଂସ୍କୃତିକୁ ଚିହ୍ନିବା ନା ସଂସ୍କୃତିର ମହାଗ୍ରହରେ ମଣିଷମାନଙ୍କୁ ଏଡ଼ି ରହିଥିବା ? ଯୁଗେ ଯୁଗେ ଭଗବାନକେତେ ଅବତାର ନେଲେ, ମାତ୍ର ଆଦିବାସୀର ଏ କଣା ପେଟଟା ତଥାପି ପୂରି ପାରିଲାନାହିଁ କାହିଁକି ? ଯେତେ ଆଡ଼ୁ ତା’ ସହିତ ସମ୍ପୃକ୍ତ ହୋଇ ରଥୀମାନେ ଯିଏ ଯେତେବେଳେ ଆସିଲେ, ସେମାନେ ଆଦିବାସୀକୁ କ’ଣ ପାଇଁ ଶୋଷଣ କଲେ ? ଏବଂ, ବର୍ତ୍ତମାନ ତୁମେ ତାକୁ ଏପରି ଏକଘରକିଆ କରି ଆଦିବାସୀ ବୋଲି କାହିଁକି କହୁଛ ? ସିଏ ମଧ୍ୟ ନିଜକୁ ଠିକ୍ ତୁମରି ପରି ଜଣେ ନାଗରିକ ବୋଲି କହୁ ନାହିଁ କାହିଁକି ? ଏବଂ ସର୍ବୋପରି, ପୃଥିବୀରେ ଏତେ ସବୁ କଥା ବଦଳିଯାଉଥିବା ବେଳେ ରାତିଟା ତଥାପି ପାହୁନାହିଁ ବୋଲି ସିଏ କାହିଁକି ଭ୍ରମ କରୁଛି ?

Image

 

ସଂସାର ଦାବିଦେଲା

 

ଏଥର କ’ଣ ଲେଖିବି, ସେକଥା ସିନା ଆଗରୁ ଠିକ୍ କରି ସାରିଥିଲି; ମାତ୍ର ଆଜି ଲେଖିବା ଆରମ୍ଭ କଲାବେଳକୁ ସବୁଆଗ ଓଡ଼ିଆ ସାହିତ୍ୟର ଆମ ସବୁଜମାନଙ୍କର କଥା ମନେ ପଡ଼ିଯାଉଛି । ସେମାନେ ଖାଲି ଭବିଷ୍ୟତ ବିଷୟରେ କହିଲେ । ସ୍ଵପ୍ନପ୍ରୟାଣ କଲେ ଏବଂ ସବୁଜ ସ୍ୱାକ୍ଷରଗୁଡ଼ିକର ଛାନିଆରେ ଆମକୁ କାବା କରିଦେଲେ । ଏହି ପୃଥିବୀଟା, ଜୀବନର ଏହି ବେଷ୍ଟନୀଟା ଯେଉଁଭଳି ଇହାଦେ ରହିଛି, ଆଗକୁ ଆଦୌ ସେପରି ହୋଇ ରହିବ ନାହିଁ ! ଅସୁନ୍ଦର ବୋଲି କିଛି ରହିବ ନାହିଁ, ଅସମାନତା ଲୁପ୍ତ ହୋଇଯିବ, –ଅର୍ଥାତ୍ ଭାଗ୍ୟର ଏହି ବୃକ୍ଷଟାରେ କେବଳ ସବୁଜ ନୂଆ ପତରମାନେ ହିଁ ଦୃଷ୍ଟିଗୋଚର ହେବେ । ସମସ୍ତଙ୍କୁ ଭାତ ମିଳିବ, କାମ ମିଳିବ, ସୁଖୀ ଜୀବନଟିଏ ବଞ୍ଚିବା ନିମନ୍ତେ ସବୁକିଛି ସରଞ୍ଜାମ ଅବଶ୍ୟ ପ୍ରାପ୍ତ ହେବ । ଜଣେ ସବୁଜ ତ ତାଙ୍କ କବିତାରେ କହିଲେ ଯେ, ଯଦି ଏହି ଭୂମିଟାରେ ତାହା ସମ୍ଭବ ନ ହୁଏ, ତେବେ ସିଏ ନିଜ ପ୍ରିୟାଙ୍କ ସହି ନିଶ୍ଚୟ ଅନ୍ୟତ୍ର ଚାଲିଯିବେ ଓ ଏଠି ଯାହା ଗଢ଼ି ଥାଆନ୍ତେ ତାହାକୁ ସେଠାରେ ଅଲବତ ସମ୍ଭବ କରିବେ । କୁହାଟ ମାରିବା ପରି ସେମାନେ ଏତେ କଥା କହିଲେ ସିନା, ମାତ୍ର ବିଧାତାର ବିଧାନ ଅନୁସାରେ ସେମାନଙ୍କର ବେଳ ସରିଯାଇଥିଲା ଓ ସେମାନେ ବି ହଳଦିଆ ପଡ଼ିଗଲେ । ଆମ ସାହିତ୍ୟର ଇତିହାସରେ ଗୋଟିଏ ପର୍ଯ୍ୟାୟ ହୋଇ ରହିଲେ । ସାହିତ୍ୟର ଛାତ୍ରମାନେ ସେମାନଙ୍କୁ ସେହି ବିଶେଷ ପର୍ଯ୍ୟାୟଟିର କେତେଜଣ ପ୍ରତିନିଧି ରୂପେ ହିଁ ମନେ ରଖିଲେ ।

ଏହି ସବୁଜମାନଙ୍କୁ କାଳ ହିଁ ଦାବିଦେଲା । ସଂସାର ଦାବିଦେଲା । ସେମାନେ ସମସ୍ତେ ଏହି ସଂସାରରେ ହିଁ ରହିଲେ । ମଞ୍ଜିଟିଏ ପୋତିଲେ, ଡିହଟିଏ ମାରିଲେ, ସଫଳ ଦିଶିଲେ ଓ ଖପିଗଲେ । ସାହିତ୍ୟ ଏବଂ ସଂସାର ଭିତରକୁ ମୋର ହେତୁ ହୋଇ ଆସୁଥିବାବେଳକୁ ସେମାନେ ବୟସରେ ପୋଖତ ହୋଇ ଯାଇଥିଲେ ଏବଂ ବହୁ ପ୍ରତିଷ୍ଠା ଲାଭ କରିଥିଲେ । କିନ୍ତୁ ପୂରା ହଳଦିଆ ପଡ଼ି ଯାଇଥିଲେ । ମୋଟେ ସବୁଜ ଦିଶୁନଥିଲେ । ଆମ ସାହିତ୍ୟରେ ବି ସଭାଘରମାନଙ୍କରେ ସେମାନଙ୍କୁ ସମସ୍ତେ ଗୁରୁଜନ ରୂପେ ମାନୁଥିଲେ । କିନ୍ତୁ ସେମାନେ ଯେ ଏଠୁ ଆଉ କୁଆଡ଼କୁ ଚାଲିଯିବେ ଓ ତେଣୁ ତୀର ଏବଂ ବର୍ଚ୍ଛାଧରି ଆସି ଆମର ଏହି ଚିହ୍ନ ବେଢ଼ଗୁଡ଼ାକ ଉପରେ ଆକ୍ରମଣ କରିବେ, କେହି ସେପରି ଆଶଙ୍କା କରୁନଥିଲେ । ସେମାନଙ୍କୁ ସମସ୍ତେ ସବୁଜ ଯୁଗର ଲେଖକ ବୋଲି ସ୍ୱୀକାର ସିନା କରୁଥିଲେ, ମାତ୍ର ସେମାନଙ୍କୁ ସେତେବେଳେ ସବୁଜବୋଲି କହିବାର କୌଣସି କାରଣ ନଥିଲା । ଏହି ଘଟଣାଟି ସକାଶେ ଆମେ ସେମାନଙ୍କୁ ମୋଟେ କୌଣସି ଦୋଷ ଦେବାନାହିଁ । ସେମାନଙ୍କୁ ସଂସାରଟା ହିଁ ଦାବିଦେଲା । ମଣିଷ ସ୍ଵପ୍ନ ଦେଖେ, –ଏଇଟାକୁ ଭାଙ୍ଗିବ, ସେଇଟାକୁ ନୂଆ ଛାଞ୍ଚରେ ଗଡ଼ିବ, ଅନୁରୂପ ମେଳଗୁଡ଼ାକୁ ବାନ୍ଧି ସିଏ ଏହି ପରି ଯୁଗେ ଯୁଗେ କଳ୍ପନା କରିଆସିଛି । ନାନାମନ୍ତେ ରୋମାଣ୍ଟିକ୍ ହୋଇଛି । ମାତ୍ର, ସଂସାରଟା ସବୁକିଛିକୁ ଦାବି ଦେଇଛି । ସବୁଜ ଆଣ୍ଟମାନେ ହଳଦିଆ ନିତ୍ୟନୈମିତ୍ତିକତାରେ ପରିଣତ ହୋଇଯିବାକୁ ଆଦୌଗୁଡ଼ାଏ ବେଳ ଲାଗି ନାହିଁ । ଅନେକ ମତିମାନ୍ ମଣିଷ ସମ୍ଭବତଃ ଗୋଟାଏ ତତ୍ପର । ଗାମ୍ଭୀର୍ଯ୍ୟ ସହିତ କହିବେ ଯେ ଏଇଟା କେବଳ ଓଡ଼ିଶାରେ କିମ୍ବା ଭାରତବର୍ଷରେ ଘଟିନାହିଁ, ସମଗ୍ର ପୃଥିବୀରେ ସବୁବେଳେ ଘଟି ଆସିଛି । ଏବେ ମଧ୍ୟ ଘଟୁଛି, ଖୁବ୍‍ ଘଟୁଛି । ଅଭିଜ୍ଞମାନେ କେଡ଼େ ଭାବପ୍ରବଣ ହୋଇ ସେତିକି କହି ବା ସକାଶେ କେତେ ଭଳି ଶାସ୍ତ୍ର ଲେଖି ଥୋଇ ଯାଇଛନ୍ତି ।

ଭାରତବର୍ଷରେ ସ୍ଵାଧୀନତା ସଂଗ୍ରାମ ଚାଲିଥିବା ସମୟରେ ଏଠି ସେହି ସବୁଜଟି ହିଁ ରାଜତ୍ୱ କରିଥିଲା । ଏବଂ, ସେଇଥିଲାଗି ସମସ୍ତେ ପରସ୍ପରକୁ ବିଶ୍ୱାସ କରୁଥିଲେ । ଏକ ଭବିଷ୍ୟ ବିଶ୍ୱାସ ମନୁଷ୍ୟମାନଙ୍କୁ ଏକତ୍ର କରିଆଣି ପାରିଥିଲା । ଉତ୍ତୁଙ୍ଗ ଏବଂ ଅଦ୍ଭୁତପୂର୍ବ ବହୁ ବିଶ୍ୱାସ ଅର୍ଥାତ୍ ନିଜର ଶକ୍ତି ଉପରେ ନାହିଁ ନଥିବା ବହୁଭରସା । ବିଦେଶୀ ଶାସନ ହଟିଯିବ, ନୂଆ ନିର୍ମାଣଗୁଡ଼ିକ ନିମିତ୍ତ ବହୁ ଅନୁକୂଳତା ଆସି ପହଞ୍ଚିଯିବ ! ପେଟମାନେ ଅପୂରା ରହିବେ ନାହିଁ, ଥାକଥାକର ଏହି ଅପମାନକର ଅସମାନତା ଗୁଡ଼ିକ ଦ୍ଵାରା ତିଆରି ହୋଇଥିବା ଭୂମିଗୁଡ଼ାକ ବଦଳିବ । ଦିଲ୍ଲୀ ବଦଳିବ, ତୁମ ଆମ ଗାଆଁମାନେ ବି ବଦଳିବେ । କାରଣ ଦିଲ୍ଲୀ ନବଦଳିଲେ ଆମର ଗାଆଁମାନେ ଆଉ କାହାର ନେତୃତ୍ୱ ତଥା ବରାଦ ଅନୁସାରେ ବାଟ ଚାଲିବେ ଏବଂ ତୁମ ଆମ ଗାଆଁରାଜୀ ନହେଲେ ଦିଲ୍ଲୀ ମଧ୍ୟ ନୂଆ ମଞ୍ଜିଗୁଡ଼ିକ କେଉଁଠାରେ ନେଇ ପୋତିପାରିବ ? ଏହିପରି ବହୁ ଶକ୍ତିଶାଳୀ ସ୍ଵପ୍ନ, ଯାହାକି ଯୁଗ ଯୁଗର ଜଡ଼ତାମାନଙ୍କୁ ହଟାଇ ଦେବ ବୋଲି କେଡ଼େ ନିଷ୍ଠାପର ଶ୍ରଦ୍ଧା ସହିତ ବାହାରି ପଡ଼ିଲା । ଆମ ପ୍ରତିନିଧିମାନଙ୍କୁ ବଛାଗଲା ଓ ସେମାନଙ୍କ ଭିତରୁ ମନ୍ତ୍ରୀମାନେ ବଛା ହେଲେ । ଆମ ପାଇଁ ସରକାର ନାମରେ ଯେଉଁ ନୂଆ ମାହାଲଗୁଡ଼ିକ ତିଆରି କରାଗଲା, ଆମେକେତେ ଖୁସିରେ ତାକୁ ଆମ ସରକାର ବୋଲି କହିଲୁ । ସତକୁ ସତ ଏକ ଅଭିନବ ସହଯୋଗର ଯୁଗ ନିମନ୍ତେ ଅପେକ୍ଷା କରି ରହିଲୁ ।

କିନ୍ତୁ, ସଂସାର ଦାବିଦେଲା । ସଂସାର ରାଜାକୁ ଭୁଲାଇଦେଲା, ତାକୁ ଭୁଲାଇଦେଲା । ସଂସାର ପ୍ରଜାମାନଙ୍କୁ ମଧ୍ୟ ଦାବି ଦେଲା । ସରକାରଙ୍କ ଘରେ କୋଟିକୋଟିର କାରବାର ହେଲା । କୋଟି କୋଟି ଆଦାୟ ହେଲା, କୋଟି କୋଟି ଖରଚ ବି ହେଲା । ବାହାର ଦେଶମାନଙ୍କରୁ ଧନକୁବେରମାନେ ଆସି ପହଂଚିଲେ ଏବଂ ଅଧିକ ଅର୍ଥାଗମର ଲାଳସା ଦେଲେ । ନେତାର ହାତରେ ଏତେଗୁଡ଼ାଏ କ୍ଷମତା, –ସିଏ ତଦ୍ଦ୍ୱାରା କେତେ ନା କ’ଣ କରିପାରିବ । ଦେଶ ପାଇଁ ତ କରିବ, ମାତ୍ର ନିଜ ପାଇଁ ତ ବହୁତ କିଛି କରିପାରିବ । ତାକୁ ଅର୍ଥ କନ୍ଦର୍ପଟା ଆସି ବିଚଳିତ କରି ପକାଇଲା । ବହୁ ଦୁଃସାହସିକ ଭାବନା ମଧ୍ୟ ମଉକା ପାଇ ତା ବିବେକକୁ ଅନ୍ୟଗଦମାନ ଏବଂ ଅନ୍ୟ ଫୁଲମାନ ଶୁଙ୍ଘାଇବାକୁ ଉତ୍ସାହ ଦେଲେ । ଏହିପରି ଭାବରେ ସରକାରକୁ ଅର୍ଥାତ୍ ଉଚ୍ଚ ଏବଂ ଆହୁରି ଉଚ୍ଚ ଆମ ଦେଶଶାସନର କ୍ଷମତା ଘରମାନଙ୍କୁ ଗୋଟିଏ ଭୟଙ୍କର ସଂକ୍ରାମକ ରୋଗ ଆସି ଗ୍ରାସ କରି ପକାଇଲା । ଗୋଠ ଓ ଖଣ୍ଡିଆ ଉଭୟେ ମାତିଲେ । ସେମାନେ ଯେଉଁ ଗୁଡ଼ାକୁ ବଦଳାଇ ଥାଆନ୍ତି, ସେହି ଗୁଡ଼ାକର ସଂସାର ଭିତରେ ସଫଳ ହେବାକୁ ଆରମ୍ଭ କଲେ । ଏହି ଦୁଷ୍ଟବୁଦ୍ଧିମାନେ ରାଜନୀତିର ଦଳଗୁଡ଼ାକ ଭିତରେ ପଶିଲେ । ତୁଚ୍ଛା ଏକ ବିପଣିପ୍ରଧାନ ମତଲବ ସହିତ ପଶିଲେ ଏବଂ ଆମ ପ୍ରମୁଖମାନଙ୍କୁ ହାତ କରିନେଲେ । ଅସଲ କାମଗୁଡ଼ିକ ଅବହେଳିତ ହୋଇ ରହିଲେ । ବାବୁମାନେ ଯାହାକୁ ବଦଳାଇ ଥାଆନ୍ତେ, ଆଗ ତାହାରି ଦ୍ୱାରା ବହୁ ଲୋଭାସକ୍ତତାରେ ବାନ୍ଧି ହୋଇ ରହିଲେ । ସେମାନଙ୍କୁ ସଂସାରଟା ପୂରା ଦାବିଦେଲା । କ୍ଳୀବ କରିଦେଲା ।

ଏବଂ, କ୍ଳୀବମାନେ ଆଉ ପାରିଲେ ନାହିଁ । ନପାରିବା ଦ୍ୱାରା ସେମାନେ ଆମ ସମସ୍ତଙ୍କ ଲାଗି ଏହି ବଡ଼ କ୍ଷତିଟିକୁ ପ୍ରକୃତରେ ଡାକି ଆଣିଲେ ଯେ; ଏଠି ପ୍ରାୟସମସ୍ତଙ୍କର ନିଜର ଶକ୍ତି ଉପରୁ ବିଶ୍ଵାସ ତୁଟିଗଲା ଏବଂ ସଂଘଶକ୍ତି ଉପରେ ବିଶ୍ୱାସ ରହିବା ତ ଆହୁରି ଅଧିକ ଦୁରୂହ ବ୍ୟାପାର ହୋଇଥାନ୍ତା । ଅପେକ୍ଷିତ ବୃହତ୍‍ ପରିବର୍ତ୍ତନ ଗୁଡ଼ିକ ଅବହେଳିତ ହୋଇ ରହିଗଲେ । ଭୂମିସଂସ୍କାର ହେଲା ନାହିଁ । ପ୍ରକୃତ ଶ୍ରମିକମାନେ ମୂଲିଆ ହୋଇ ଆଉ କେଉଁ ଭୂମିମାଲିକ ପାଖରେ ବାଧ୍ୟ ହୋଇ ମୂଲ ଖଟିଲେ । ପୁରୁଣା ସଂସାରଟା ଅନୁସାରେ ଯେଉଁମାନେ ଜମି ଉପରେ ମାଲିକ ଥିଲେ ଅଥଚ ସ୍ଵୟଂ ଜମି ଚଷୁନଥିଲେ, ସେଇମାନେ ତ ଉପରେ ଶାସନରେ ଥିଲେ ଏବଂ ପୁରା କାଳଟାର ସୁଯୋଗ ଗୁଡ଼ିକୁ ଏକାକୀ ମାଡ଼ି ବସିଥିଲେ । ଏମାନେ ସେହି ପୁରୁଣାହିସାବଟାକୁ ଯେ ସ୍ଥାୟୀ କରି ରଖିବାରେ ଅଧିକ ଆଗ୍ରହୀ ହେବେ, ସେଥିରେ ବିସ୍ମିତ ହେବାର ବିଶେଷ କାରଣ ନଥିଲା । ଶିକ୍ଷାବ୍ୟବସ୍ଥାଟା ମଧ୍ୟ ବଦଳିଲା ନାହିଁ । ସବୁପିଲା ଇସ୍କୁଲକୁ ଆସିବାଟା ମୋଟେ ହୋଇ ପାରିଲାନାହିଁ । ସେଇଟା ସଂବିଧାନରେ ଲେଖା ହୋଇ ରହିଥିଲା ସିନା, ମାତ୍ର ଚତୁରମାନେ କରାଇ ଦେଲେନାହିଁ । ଏବେ ମଧ୍ୟକାଳକ୍ଷେପଣ କରିବାରେ ଲାଗିଛନ୍ତି । ପୁନଶ୍ଚ ଯେଉଁମାନେ ଉଚ୍ଚଶିକ୍ଷା ଲାଭକଲେ, ସେମାନେ ପୁରୁଣାଟିକୁ ବଦଳାଇବା ସକାଶେ ନୁହେଁ, ତାହାରି ପଟର ହୋଇ ରହିବାପାଇଁ ତାଲିମ ପାଇଲେ । ଏକ ବିଦେଶୀ ଭାଷାରେ ଶିକ୍ଷାଲାଭ କଲେ, ତେଣୁ ଲୋକସାଧାରଣଙ୍କର ନିକଟବର୍ତ୍ତୀ ହୋଇ ଆସିବାର ସକଳ ଭାଷାକୁ ହିଁ ଭୁଲିଗଲେ । ଜୀବନଦୃଷ୍ଟିରେ ଉଦାସୀନ ହେଲେ । ଯାହାର ଜୀବନୋନ୍ନୟନ ନିମନ୍ତେ ମଣ ହୋଇଥାନ୍ତେ, ସେମାନଙ୍କୁ ଅବଜ୍ଞା କରିବାର କୁମନ୍ତ୍ରଣା ପାଇଲେ । ପାଠ ପରେ ଉଚ୍ଚପଦ ଓ ଥାନମାନଙ୍କରେ ରହି ଠକିଲେ, ତସ୍କର ହେଲେ । ଉପରେ ରାଜାପରି ଦେଖାଗଲେ ସିନା, ଭିତରେ ନିପଟ ମ୍ଳେଚ୍ଛ ହେଲେ-। ଯେଉଁ ପୁରୁଣା ସଂସାର ଭିତରେ ମ୍ଳେଚ୍ଛହେଲେ, ସେହି ସଂସାରଟା ହିଁ ସେମାନଙ୍କୁ ଦାବି ଦେଲା, ମଣିଷ ହେବାକୁ ବାଟ ଛାଡ଼ିଲା ନାହିଁ ।

ସଂସାର ଆଧ୍ୟାତ୍ମକୁ ଦାବି ଦେଲା । ଧର୍ମମାନେ ପ୍ରବଳ ହେଲେ । ମୂର୍ତ୍ତିମାନଙ୍କୁ ଅଧିକରୁ ଅଧିକ ଉଚ୍ଚ କରି ତିଆରି କରାଗଲା । ନେତାମାନେ, ରାଜାମାନେ, ନ୍ୟସ୍ତସ୍ୱାର୍ଥମାନେ ତଥା ମଠଗୁଡ଼ାଜର ଉଗ୍ରସେନମାନେ ଏ ସବୁଥିରେ ଉଦ୍‌ଗାତା ହୋଇ ବାହାରିଲେ । ଧର୍ମମାନେ ରାଜନୀତିକୁ ଆସିଲେ, ରାଜନୀତିର ସର୍ବବିଧ ଅକାର୍ଯ୍ୟରେ ପୋଇଲୀ ହେଲେ । ଅଧିକରୁ ଅଧିକ ମଣିଷ ଯେପରି ସେହି ଅଫିମଗୁଡ଼ିକ ପାଖରେ ହୃଦୟକୁ ବିକିଦେଇ ଆସିବେ ଏବଂ ବିବେକ ହରାଇବେ, ତାହାର ଖଳ ବରାଦଗୁଡ଼ାକ ଦେଶଟାକୁ ନାନା ଦୁଷ୍ଟ ଉତ୍ତେଜନାରେ ସରଗରମ କରି ରଖିଲେ । ପରିବର୍ତ୍ତନ ଇଚ୍ଛା କରୁନଥିବା ଆତ୍ମକାମୀମାନେ ସେହି ସ୍ଥିତିଟିର ଖୁବ୍ ସୁଯୋଗ ନେଲେ-। ଭାରି ଖୁସି ହେଲେ । ଧର୍ମ ତ ଅଫିମ ଯୋଗାଇଦିଏ, ଆଧ୍ୟାତ୍ମ ହିଁ ମନୁଷ୍ୟର ଉଦୟନରେ ସହାୟକ ହୁଏ । ଭିତରକୁ ବାଟ ଦେଖାଏ । କେବଳ ନିଜ ଭିତରକୁ ନୁହେଁ, ପରସ୍ପର ଭିତରକୁ ମଧ୍ୟ ବାଟ ଦେଖାଏ । ସେହି ପରି କରି ଅସଲ ମୁକ୍ତିର ଓ ଅସଲ ଆତ୍ମବଳର କାରଣ ହୁଏ-। ପୁରୁଣାଟା ସଚରାଚର ସେହି ଆତ୍ମବଳ ଦ୍ୱାରା ପରାଭୂତ ହୋଇଆସିଛି । ଆତ୍ମବଳ ହିଁ ଏକ ଯଥାର୍ଥ ସଂଘବଳକୁ ଲୋଡ଼ି ବାହାରେ । ସିଏ ସଂଘକୁ ଡରେ ନାହିଁ । ଅସଲ ସହଯୋଗ ତାହାରି ଦ୍ୱାରା ସମ୍ଭବ ହୁଏ ।

କ୍ରମେ ଏହିଭଳି ନାନା ନୂଆ ନୂଆ ସଂଘବଳ ତିଆରି ହୋଇ ଆସୁଛି, ଯାହାକି ପୁରୁଣା ସଂସାରଟାକୁ ଭୟ କରିବ ନାହିଁ । ସମଗ୍ର ପୃଥିବୀରେ ସେହି ଉଦ୍ୟମଟି ଆରମ୍ଭ ହୋଇ ଗଲାଣି ଏବଂ ଭାରତବର୍ଷ କେବେହେଲେ ତାହାକୁ ଏଡ଼ିଦେଇ ବାହାରେ ବାହାରେ ରହିଯିବ ନାହିଁ । ଏହିପରି ଭାବରେ ଏକ ନୂତନ ଭୂମି ତିଆରି ହେଉଛି । ଯାହାକି ସଂସାରକୁ ନାକ ଟେକି କଦାପି ହିମାଳୟକୁ ପଳାଇ ଯିବନାହିଁ । ସେହି ଆଧ୍ୟାତ୍ମ ହିଁ ଯାବତୀୟ ଧର୍ମାସକ୍ତତାରୁ ଜନ୍ମଲାଭ କରୁଥିବା ଅସୂୟାର ସମ୍ମୁଖୀନ ହୋଇପାରିବ । ରାଜାମାନଙ୍କୁ ଚୁନୌତି ଦେବ । ଏକାବେଳକେ ଏକ ନୂତନ ବୁଝାମଣାରେ ଅନ୍ନସ୍ତରକୁ ଆପଣାର ରୀତିଗୁଡ଼ିକୁ ଆରମ୍ଭ କରିବ । ସେଥିରେ ମଧ୍ୟ ରାଜନୀତି ରହିବ, ସେଥିପାଇଁ ମଧ୍ୟ ଅର୍ଥଶକ୍ତି ଆବଶ୍ୟକ ହେବ ଓ ଜ୍ଞାନ ବିଜ୍ଞାନ ସବୁକିଛି ଆବଶ୍ୟକ ହେବ । ସେହି ବିପୁଳ ଯୁଗଟି ପୃଥିବୀକୁ ଆସୁଛି । ପୂର୍ବରୁ କୋଉ ରୋମାଣ୍ଟିକ୍ ଯୁଗର ତୁଳନାରେ ଏଇଟି ଆଦୌ କୌଣସି ଗୁଣରେ କମ୍‍ ରୋମାଣ୍ଟିକ୍ ହେବନାହିଁ ।

 

ଆମ ପ୍ରତ୍ୟେକଙ୍କଠାରୁ ଅନେକ ଅଧିକ ଦାବି କରିବ । ଆମକୁ ଦାବି ଦେବନାହିଁ, ଦାବି ହିଁ କରିବ । ପୁରୁଣାଗୁଡ଼ାକରୁ ମୁକୁଳି ଆସିବାକୁ ମନ କରୁଥିବା କୌଣସି ସଂସାର କେବେହେଲେ କାହାକୁ ଦାବି ଦେବା ପାଇଁ ମନ କରେନାହିଁ । ମଣିଷମାନଙ୍କଠାରୁ କେବଳ ଦାବିହିଁ କରୁଥାଏ । କାହାରି ଉପରକୁ ମୋଟେ ଖଣ୍ଡା ଉଞ୍ଚାଏ ନାହିଁ । କେବଳ ସମ୍ମତମାନଙ୍କୁ ଖୋଜୁଥାଏ । ସମ୍ମତ ହେଲେ ହିଁ ସତ ଆଖିଗୁଡ଼ିକ ଖୋଲିଯାଏ । ଏପରି ଏକ ବିଶ୍ୱାସ ସେହି ଭିତରୁ ହିଁ ଜନ୍ମଲାଭ କରେ ଯାହାଦ୍ୱାରା ସମସ୍ତେ ପରସ୍ପରର ସମାନଧର୍ମୀ ବୋଲି ଦେଖାଯିବାକୁ ଆରମ୍ଭ କରନ୍ତି ।

Image

 

ଦୂରକୁ କାହିଁକି ଯାଉଛି ?

 

ଆଗ ଓଡ଼ିଶା ନା ଆଗ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ? ୧୯୪୭ ମସିହାରେ ଦେଶ ସ୍ଵାଧୀନତା ଲାଭ କରିବାପରେ ଯେତେବେଳେ ତତ୍କାଳୀନ ପ୍ରଦେଶଗୁଡ଼ିକର ପୁନର୍ଗଠନଦ୍ୱାରା ବର୍ତ୍ତମାନର ରାଜ୍ୟଗୁଡ଼ିକୁ ଗଠନ କରାଗଲା, ସେତେବେଳେ ଯାଇ ଓଡ଼ିଶା ଓଡ଼ିଶା ପରି ଦେଖାଗଲା । ୧୯୩୬ ମସିହାରେ ବ୍ରିଟିଶ ସରକାର ଓଡ଼ିଶା ପ୍ରଦେଶ ବୋଲି ଗୋଟିଏ ଅଲଗା ଆୟତନରେ ଆମକୁ ଯେତିକି ବା ଯାହା ଦେଇଥିଲେ, ସେଥିରୁ ଓଡ଼ିଆ ଭାଷାଭାଷୀ ଗଡ଼ଜାତବାସୀମାନେ ବହିର୍ଭୂତ ହୋଇ ରହିଥିଲେ । କଥାଟା ଏବେ ମଧ୍ୟ ନିତାନ୍ତ ଅବୋଧ୍ୟ ହୋଇ ରହିଛି ଯେ, କେତୋଟି ଗଡ଼ଜାତର ରଜାମାନେ ସେତେବେଳେ ଓଡ଼ିଆ ଆନ୍ଦୋଳନର ସର୍ବୋଚ୍ଚ ପଂକ୍ତିରେ ରହିଥିଲେ, ଅଥଚ ସେମାନଙ୍କର ସହସ୍ର ସହସ୍ର ପ୍ରଜାଙ୍କର କ’ଣ କିପରି ବ୍ୟବସ୍ଥା ହେବ, ଉତ୍କଳସମ୍ମିଳନୀର ମଞ୍ଚରେ କେହି ତୁଣ୍ଡ ଖୋଲି ପଦଟିଏ ବି କହିନଥିଲେ । ଆହୁରି ଅବୋଧ୍ୟ ଏବଂ ଆଚମ୍ବିତ ଘଟଣା ହେଉଛି ଯେ, ଉତ୍କଳ ସମ୍ମିଳନୀର ତତ୍କାଳୀନ ତୁଙ୍ଗତମମାନେ ଭାରତର ସ୍ଵାଧୀନତା ସଂଗ୍ରାମରେ ଆଦୌ କୌଣସି ଭାଗ ନେଇନଥିଲେ । ସେମାନଙ୍କର ସମ୍ମିଳନୀ ବାହାରର ଅନ୍ୟ ଭୂମିକାଗୁଡ଼ିକର ଧାତୁରୁ ହିଁ ଧରାପଡ଼ି ଯାଉଛି ଯେ, ଭାରତରୁ ବ୍ରିଟିଶ ଶାସନ ହଟିଯାଉ ବୋଲି ସେମାନେ ସେତେ ଇଚ୍ଛା କରୁନଥିଲେ । ସେମାନେ ପ୍ରକୃତରେ ଆଦୌ ବୋକା ନଥିଲେ । ସେମାନଙ୍କ ସକାଶେ ଓଡ଼ିଶା କେତେବେଳେ ହେଲେ ସବାଆଗରେ ନଥିଲା । ସବାଆଗରେ ସେମାନେ ନିଜେ ହିଁ ଥିଲେ । ଏଇଟି ପ୍ରକୃତରେ ଏକ ଅତ୍ୟନ୍ତ ବିପଜ୍ଜନକ ଭୂମିକା । ସମ୍ପ୍ରତି ଆମ ଚତୁଃପାର୍ଶ୍ୱର ଯେଉଁ ଭୂମିକାରେ ଆମ ଚତୁରତମମାନେ ରହିଛନ୍ତି ଏବଂ ଭୂଇଁଟାକୁ ନାନାପ୍ରକାରେ ଜଡ଼ବତ୍ କରି ରଖିଛନ୍ତି, ସେହିମାନଙ୍କର ଭୂମିକା ପରି ଏକ ଭୂମିକା । ୧୯୩୬ରୁ ୧୯୪୭ ମଧ୍ୟରେ ଓଡ଼ିଶା ଓଡ଼ିଶା ସହିତ ଆସି ସାମିଲ କରାଯାଇଥିବା ଗଞ୍ଜାମ ଏବଂ କୋରାପୁଟ ଦୁଇଟିଯାକ ଅଂଚଳ ଏହି ପରିବର୍ତ୍ତନଟି ହେତୁ କେତେ କ’ଣ ଉପକୃତ ହୋଇଛନ୍ତି, ଆମକୁ ସେଇଥିରୁ ହିଁ ଉଚିତ ଅନ୍ଦାଜମାନେ ମିଳିଯିବେ ।

 

ଏବେ ମଧ୍ୟ ଆମ ଭିତରର କେତେ ମତିମାନ୍ ପୁରୁଷ ଓଡ଼ିଶାର ବିଛିନ୍ନାଞ୍ଚଳକୁ ହିଁ ଓଡ଼ିଶାଠାରୁ ଆଗ ବୋଲି ଭାବୁଛନ୍ତି । ସେମାନେ ନିଜ ଗୋଡ଼ତଳର ଓଡ଼ିଶାଟାଆଡ଼କୁ ଅନାଇବେ ନାହିଁ ବୋଲି ବିଚ୍ଛିନ୍ନାଞ୍ଚଳଟା ନିମନ୍ତେ ଏତେ ବିଚଳିତ ହୋଇ ପଡ଼ୁଛନ୍ତି କି ? ଆମ ସାହିତ୍ୟ ସମାଜଟାକୁ ମଧ୍ୟ ବଇନା ଦେଇ ତେଣେ ଆକୃଷ୍ଟ କରାଗଲାଣି । ଚକ୍ରଧରପୁର ସହରରେ ଏବେ ଓଡ଼ିଆ କବିତାପାଠର ଉତ୍ସବଟିଏ ଆୟୋଜିତ କରାଯାଇଥିଲା । ଆମ ଏଠାଘରର ଖବରକାଗଜରେ ଘଟଣାଟିର ପୁଲକପୂର୍ଣ୍ଣ ବିବରଣୀ ବାହାରିଲା । ଏତେ ଦୂରରେ ଥାଇ ମଧ୍ୟ ଆମେ ତହିଁରୁ କେଡ଼େ ଦୃଷ୍ଟା ଅନୁଭବ କରିଥିବୁ । ଉତ୍କଳ ଜନନୀଙ୍କର କେଡ଼େ ବଡ଼ କ’ଣଟାଏ ଏହାଦ୍ୱାରା କରିପାରିଲୁ ବୋଲି ଅବଶ୍ୟ ଲାଗିଥିବ । ଅଥବା–ଶିଳାଲେଖର ଆମର ସେହି ଖାରବେଳଙ୍କ ସଦୃଶ ନିଜର ଘୋଡ଼ାମାନଙ୍କୁ ନେଇ ଆମେ ଗଙ୍ଗା ନଦୀରୁ ପାଣି ପିଆଇଆଣିଲୁ କି-? ଛତିଶଗଡ଼ ରାଜ୍ୟରେ ମଧ୍ୟ ସଂଗୀତ ଆଦିର ବୃହତ୍ ଅନୁଷ୍ଠାନଟିଏ ହେଲା । ଓ ଏପାଖ ସେପାଖ ଦୁଇ ପାଖରୁ ହକରା ପାଇ କଳାକାରବୃନ୍ଦ ସେଥିରେ ଯୋଗଦେବାକୁ ରୁଣ୍ଡ ହୋଇଥିଲେ-। ପ୍ରକୃତରେ ଭାଗ୍ୟ ଥିଲେ ହିଁ ଏପରି ଅନୁଭବମାନ ମିଳୁଥାଏ । ପରିପୂର୍ଣ୍ଣମଣ୍ଡନରେ ସଂଗୀତାନୁଷ୍ଠାନମାନ ହେଲା । ନୃତ୍ୟ, ବାଦ୍ୟ, ସଂଗୀତ, ସବୁ ଶୁଦ୍ଧ ଓଡ଼ିଶୀ । ସତେ ଅବା କୋଉ ବାବୁଘର ବାହାଘରରେ ବାଜାଦାରମାନେ ଆସିଥିଲେ । ପାରିଶ୍ରମିକ ପାଇ ଆସିଥିଲେ, ସମ୍ପୃକ୍ତ ସମସ୍ତଙ୍କର ମନକୁ ମୁଗ୍ଧ କରିଦେଲେ । ଓଡ଼ିଶାରେ ପ୍ରକୃତରେ ଏତେସବୁ ସମ୍ପଦ ରହିଛି ବୋଲି ଏକ ଉଚ୍ଚାଟନାପୂର୍ଣ୍ଣ ପ୍ରତ୍ୟୟରେ ସେମାନଙ୍କୁ କ୍ଷଣକ ନିମନ୍ତେ ନିଶ୍ଚୟ ଚହଲାଇ ଦେଇ ଯାଇଥିବେ-। ତଥାପି ଉଭୟ ପକ୍ଷ ଏହି ଗୋଟିଏ ଭୂମିର ହୋଇଥିଲେ ମଧ୍ୟ ସାମାଜିକ ଭାଗ୍ୟର ନିତ୍ୟ ଜୀବନରେ ପରସ୍ପର ଠାରୁ ବହୁ ଯୋଜନ ଦୂରଛଡ଼ା ହୋଇ ରହିଛନ୍ତି, ସେଦିନ ଏହି କଥାଟି କେତେ ମଣିଷଙ୍କର ବିବେକକୁ ଘାରିଥିବ ? ତଳକୁ ଘାରିଥିବ ନା ଉପରକୁ ଘାରିଥିବ ? ଆପଣା ସକ୍ରିୟତାର ଏହି ଏତେ ବର୍ଷର ସୁଦୀର୍ଘ ଅବଧିଟିରେ ଉତ୍କଳ ସମ୍ମିଳନୀ ଏହି କ୍ଷେତ୍ରରେ ବସ୍ତୁତଃ କେତେ କ’ଣ କରିଛି-? ଏବଂ, ତେଣିକୁ ସାହସ କିମ୍ବା ମନକରିବ ନାହିଁ ବୋଲି ବିଚ୍ଛିନ୍ନାଞ୍ଚଳଗୁଡ଼ିକ ବିଷୟରେ ଏତେ ଘୋରଡେଇ ହେଉଛି କି ? ଗୋଡ଼ତଳକୁ ମୋଟେ ଅନାଇବ ନାହିଁ ବୋଲି ଏତେ ଦୂରକୁ ଅନାଉଛି କି-?

 

ଏବେ ଥରେ ସଂଗଠନଟି ପକ୍ଷରୁ ରାଜଧାନୀ ସମେତ ଅନ୍ୟାନ୍ୟ ସହରର ଦୋକାନୀମାନଙ୍କୁ ନିବେଦନ କରାଯାଇଥିଲା ଯେ, ସେମାନେ ନିଜ ଦୋକାନର ନାମପଟାଗୁଡ଼ିକୁ ଓଡ଼ିଆ ଅକ୍ଷରରେ ଲେଖନ୍ତୁ । ଏହାକୁ ସମ୍ପୂର୍ଣ୍ଣ ଭାବରେ ଗୋଟିଏ ସଂଗତିଯୁକ୍ତ ନିବେଦନ ବୋଲି ନିଶ୍ଚୟ କୁହାଯିବ । ଏହା ତ ଆପେ ହେଉଥାଆନ୍ତା । ଏଥିଲାଗି ପୁଣି ଏକ ବିଶେଷ ନିବେଦନ ବି କରିବାର କେଉଁ ପ୍ରୟୋଜନ ଥିଲା ? ଓଡ଼ିଶାରେ ସାମୂହିକ ସମ୍ବନ୍ଧର ବିକଶିତ ହୋଇ ଆସିବାର କ୍ଷେତ୍ରରେ କେଉଁଠାରେ କ’ଣ ବକ୍ରତା ପଶି ଯାଇଛି, ଯାହାଫଳରେ କି ଏସବୁ ଅସ୍ୱାଭାବିକ ଭାବରେ ଚାଲିଛି ? ସ୍ମରଣକରିବା ଉଚିତ ଯେ, ରାଜଧାନୀର କେତେଜଣ ବରିଷ୍ଠ ବ୍ୟକ୍ତି ଦିନେ ଏକାଠି ଦଳ ବାନ୍ଧି କେତୋଟି ରାସ୍ତାରେ ପରିକ୍ରମା କରିଥିଲେ ଏବଂ ଦୋକାନର ମାଲିକମାନଙ୍କୁ ତାହା କରିବା ନିମନ୍ତେ ଅନୁରୋଧ ବି କରିଥିଲେ । ଏହି ଜାତିର ନିବେଦନ ଆମର ଏହି ଓଡ଼ିଶାରେ ହିଁ ଶୁଣିବାକୁ ମିଳିଥାଏ । ବିବାହାଦିର ନିମନ୍ତ୍ରଣ-କାର୍ଡ ଓଡ଼ିଆରେ ଲେଖାଯାଉ, ଓଡ଼ିଆ ପାଠକମାନେ କିଛି ଓଡ଼ିଆ ପତ୍ରିକା ମଧ୍ୟ ପଢ଼ନ୍ତୁ, ଓଡ଼ିଶାର ଚଳଚ୍ଚିତ୍ର ପ୍ରଦର୍ଶନ ଗୃହମାନଙ୍କରେ ଏପରି ଚଳଣିଟିଏ ରହୁ, ଯେପରିକି ସହରରେ ଅନ୍ତତଃ ଗୋଟିଏ ଗୋଟିଏ ପ୍ରେକ୍ଷାଳୟରେ ଆମେ, ଇଚ୍ଛା କଲେ ଓଡ଼ିଆ ଚିତ୍ରଟିଏ ଦେଖିବାକୁ ପାଇପାରିବା । ନଚେତ୍ ଆଶଙ୍କା କରାଯାଉଥାଏ ଯେ, ଓଡ଼ିଆ ଚଳଚ୍ଚିତ୍ର ବ୍ୟବସାୟ ଭଲ ଚାଲିପାରିବ ନାହିଁ, ଓଡ଼ିଆ ପତ୍ରିକାମାନ୍ ବଂଚି ରହି ପାରିବେ ନାହିଁ, ଇତ୍ୟାଦି ଇତ୍ୟାଦି । ଏପରି ଗୋଟିଏ ସ୍ଥିତି ଓଡ଼ିଶାର ଚଳନ୍ତି ଅନ୍ତରୀକ୍ଷଗୁଡ଼ାକୁ କାହିଁକି ଆଚ୍ଛନ୍ନ କରି ରଖିଛି, ତାହାର କାରଣଗୁଡ଼ିକୁ ବାହାର କରିବାକୁ କାହାରି ବେଳନଥାଏ । ନିଜ ଭିତରକୁ ଅନାଇ ଦେଖିବା ନିମନ୍ତେ ପ୍ରତ୍ୟେକ ଜାଗ୍ରତ ବ୍ୟକ୍ତି ପାଖରେ ସର୍ବନିମ୍ନ ଯେତିକି ସାହସ ଲୋଡ଼ା ହୁଏ, ଆମର ଆଜ୍ଞାମାନେ ସେମାନଙ୍କ ଭିତରେ ପ୍ରକୃତରେ ସେତିକି ସାହସ ସାଧାରଣତଃ ନଥାଏ ବୋଲି ଏପରି କରନ୍ତି କି ? ଭୂମିଟି ଲାଗି ଅର୍ଥାତ୍ ଏକ ସାମୂହିକ ନିୟତି ବିଷୟରେ ଆବଶ୍ୟକ ଶ୍ରଦ୍ଧା ତଥା ଅନୁବଦ୍ଧତା ନଥିଲେ ସାହସ ମଧ୍ୟ କାହୁଁ ଆସିବ ?

 

ଆଜ୍ଞାମାନେ କେହି ତ କହୁନାହାନ୍ତି ଯେ, ଆମ ସରକାରୀ ଦପ୍ତରମାନଙ୍କରେ କାରବାରଗୁଡ଼ିକ ଓଡ଼ିଆ ଭାଷାରେ ଅଲବତ ଚଳିବ ! ଥାନାଗୁଡ଼ିକରେ ତଥା ନ୍ୟାୟାଳୟମାନଙ୍କରେ ଓଡ଼ିଆ ଭାଷା ମାଧ୍ୟମ ହେବ । ତଥାକଥିତ ଉଚ୍ଚଶିକ୍ଷାର ପେଣ୍ଡମାନଙ୍କରେ ଭୂମିର ଭାଷାରେ ହିଁ ଶିକ୍ଷାଦାନ ହେବ । ଆମ ଡେଙ୍ଗା ଅଫିସରମାନେ ନ୍ୟାୟତଃ ଓଡ଼ିଆ ଭାଷା ଜାଣିଥିବେ ! ଇହାଦେ ଓଡ଼ିଆ ଜାଣିଥିଲେ ମଧ୍ୟ ସେମାନଙ୍କୁ ଓଡ଼ିଆ କହିବାକୁ ସଂକୋଚ ଲାଗୁଛି । ସିଧା ତଥ୍ୟମାନେ ଅବଶ୍ୟ କହିବେ ଯେ, ଏମାନେ ଆମ ଗାଆଁମାନଙ୍କରେ ଜନ୍ମଗ୍ରହଣ କରିଛନ୍ତି, ବୃହତ୍ତର ଜୀବନ ଲାଗି ନିଜକୁ ତିଆରି କରି ଆଣିବାର ସକଳ ଅବସରରେ ସେହି ଗାଁ ହିଁ ସେମାନଙ୍କୁ ଖୋରାକ ଯୋଗାଇଛି । ତେବେ ବର୍ତ୍ତମାନ ସେମାନେ କାହିଁକି ନିତାନ୍ତ ବଗୁଲିଆଙ୍କ ପରି ଅମଙ୍ଗ ହେଉଛନ୍ତି ? ନାଇଁ ନାହିଁ, ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଖୋଜି ଆମେ ଆଉ ଖରସୁଆଁ କିମ୍ବା ଚକ୍ରଧରପୁର କାହିଁକି ଯିବା ? ଖୁବ୍ ପାଖରେ ଏହି ସଚିବାଳୟରେ, ଏହି ବଡ଼ବାବୁ ବେଶଧାରୀ ଧର୍ମାବତାରମାନଙ୍କର ଗଉଁଗୁଡ଼ାକ ପାଖରେ ଯାଇ ପହଞ୍ଚିବା ଓ ସେମାନେ ଆମର ଅର୍ଥାତ୍ ଆମ ଅଂଚଳର ପରିକର ବୋଲି ବଡ଼ପାଟିରେ କହିବାକୁ ଆରମ୍ଭ କରିଦେବା । ରାଜି ନହେବା ଯାଏ ସେମାନଙ୍କୁ ମୋଟେ ଛାଡ଼ିବା ନାହିଁ । ଏବଂ, ଉତ୍କଳ ସମ୍ମିଳନୀ ବ୍ୟତୀତ ଆଉ କିଏ ସେହି କାର୍ଯ୍ୟଟିକୁ କରାଇ ପାରିବ ଓ ଆଗକୁ ବାହାରି ନେତୃତ୍ୱ ପ୍ରଦାନ କରିପାରିବ ? ମହାପୁରୁଷମାନେ ଅଧିକରୁ ଅଧିକ ଆଲୋଚନାରେ ସେହି କଥାଟିକୁ ପକାନ୍ତୁ ଏବଂ, ଓହ୍ଲାଇ ଆସନ୍ତୁ । ଭାବପ୍ରବଣତା ଭିତରୁ ଓଡ଼ିଆଙ୍କ ଭିତରକୁ ଓହ୍ଲାଇ ଆସନ୍ତୁ । ମିଛରୁ ସତକୁ ଓହ୍ଲାଇବାରେ ସାମରଥା ହୁଅନ୍ତୁ । ଭାରତରେ କେଡ଼େ ମହିମାମୟ ଭାବରେ ସ୍ଵାଧୀନତା ହାସଲ କରିବା ନିମନ୍ତେ ସଂଗ୍ରାମ ଚାଲିଥିବା ସମୟରେ ସମ୍ମିଳନୀ ଯେ, ନିଜର ପୂରା ନାହିଟା ଭିତରେ ତତ୍କାଳୀନ ଶାସକମାନଙ୍କର ପକ୍ଷରେ ରହିଥିଲା, ଏକାଧିକ ପ୍ରମାଣ ଦେଇ ସେହି କଥାଟି ଖୁବ୍ ପ୍ରମାଣିତ ହୋଇଯାଇପାରିବ । ପ୍ରତ୍ୟୟଗୁଡ଼ିକ ଏଡ଼େ ପାକଳ ଭାବରେ ଗଡ଼ଜାତର ରାଜାମାନଙ୍କ ପାଖରେ କ୍ରୀଡ଼ନକ ହୋଇ ରହିଥିଲେ, ଯାହାଫଳରେ ସକଳ ସାଧୁତାସତ୍ତ୍ୱେ ଅଗ୍ରଗାମୀମାନେ ଗଡ଼ଜାତର ପ୍ରଜାମାନଙ୍କୁ ମୋଟେ ଦେଖି ପାରୁନଥିଲେ । ଏବେତ ସାରା ଓଡ଼ିଶାଟା ଗଡ଼ଜାତରେ ପରିଣତ ହୋଇଯାଇଛି । ଏବଂ ଗଡ଼ଜାତି ଅବିବେକିତା ହିଁ ଶାସିକ ବନିଛି । ତେଣୁ ଅସଲ ଅପେକ୍ଷାଟି ଏବେ ବି ରହିଛି । ଏତେଏତେ କଥାର ସାମନା କରିପାରିବେ ନାହିଁ ବୋଲି କ’ଣ ସମ୍ମିଳନୀର ସବାଆଗମାନେ ବିଚ୍ଛିନ୍ନାଞ୍ଚଳର ସନ୍ଧାନ କରି ଅସଲ ଦାଣ୍ଡଟିରୁ ଦୂରକୁ ପଳାୟନ କରିଛନ୍ତି ? ସେମାନେ ଯେବେ ସତକୁ ସତ ଓଡ଼ିଶାକୁ ଲୋଡ଼ୁଛନ୍ତି, ତେବେ ଓଡ଼ିଆ ଭାଷାକୁ ଲୋଡ଼ନ୍ତୁ । । ଓଡ଼ିଆଙ୍କୁ ହିଁ ଲୋଡ଼ନ୍ତୁ । ଓଡ଼ିଆଙ୍କୁ, ସବୁ ଓଡ଼ିଆଙ୍କୁ ଆବିଷ୍କାର କରନ୍ତୁ । ଗୋଡ଼ ତଳୁ ହିଁ ଆବିଷ୍କାର କରନ୍ତୁ । ସାଙ୍ଗକୁ ଆସନ୍ତୁ, ପ୍ରତାରଣା କରି ଆଉ କୋଉଠି ଆଦୌ ଅଟକିଯାଆନ୍ତୁ ନାହିଁ । ଉତ୍କଳମଣି ଶ୍ରୀଯୁକ୍ତ ଗୋପବନ୍ଧୁ ଦାଶ ଯେତେବେଳେ ସମ୍ମିଳନୀର ଚକ୍ରଧରପୁର ଅଧିବେଶନରେ ସେହି ନୂଆ ଦିଶାଟି ବିଷୟରେ କହିଲେ ଏବଂ ଦେଶରେ ସେତେବେଳକୁ ଯେଉଁ ବୃହତ୍ତର ଉଦବେଳନଟିରୁ ମୁହୂର୍ତ୍ତ ଆସି ପହଞ୍ଚି ବି ଯାଇଥିଲା, ତା’ପରେ ନ୍ୟାୟତଃ ସମ୍ମିଳନୀର ଆଉ କୌଣସି ପ୍ରାସଙ୍ଗିକତା ନଥିଲା । ସମ୍ମିଳନୀ ଅକ୍ରିୟ ହୋଇ ଯାଇଥିଲା । ଆପଣମାନେ ଆଲୋଚନା କରି କହିଲେ, ରାଜାମାନଙ୍କୁ ସେହି ଘଟଣାଟି ଭଲ ବା ଆଉ କ’ଣ ଲାଗିଥିବ ? ତା’ପରେ ତ ପ୍ରବାହମାନେ କେତେ କୁଆଡ଼କୁ ସ୍ପର୍ଶକରି ନୂଆ, କଳେବର ଏବଂ ନୂତନ ପ୍ରକାରେ ଆବେଦନଯୁକ୍ତ ହେବାକୁ ଆରମ୍ଭ କଲେ । ସ୍ଵାଧୀନତା ଆସିଲା । ଆମେ ସମସ୍ତେ ନାଗରିକ ହେଲୁ । ତେଣୁ, ସବାଆଗ ଆମର ସେହି ନାଗରିକର, ପରିଚୟ, –ଏକ Civic Societyର ପରିଚୟ । ସମ୍ମୁଖମୁଖି ମଣିଷର ପରିଚୟ । ସେହିପରି କୌଣସି ବ୍ୟଞ୍ଜନାରେ ପଣ୍ଡିତ ଗୋପବନ୍ଧୁ ଆମେ ସମସ୍ତେ ସର୍ବପ୍ରଥମେ ମଣିଷ ବୋଲି କହିଥିଲେ କି ? ସେଇଟି ସର୍ବପ୍ରଥମ ପ୍ରେରଣା ଓ ସର୍ବପ୍ରଥମ ପୁଞ୍ଜି । ସେହି ବାଟରେ କ୍ରମାଗ୍ରସର ହେବାରେ ମଧ୍ୟ ବହୁତ ପ୍ରତିବନ୍ଧକ ଛିଡ଼ା ହୋଇ ରହିଛି । ଆଗ ସେହି ପ୍ରତିବନ୍ଧକମାନେ ଯିବେ । ତା’ପରେ ଯାଇ ଆମ ସ୍ଥାନୀୟ ଭୂମିଟିକୁ ଫେରି ଆସିବାର ବେଳ ଆସିବ । ଓଡ଼ିଆ ହୋଇ ଯେଆମେ ଯାବତୀୟ ସତ ଅର୍ଥରେ ସମ୍ପୂର୍ଣ୍ଣ ମଣିଷ ହୋଇପାରିବ, ସେହି ନୂଆ ଉଦ୍‌ବୋଧନଟିକୁ ଆମେ ସେତିକିବେଳେ ଯାଇ ବୁଝିବା । ଓଡ଼ିଶାରେ ହିଁ ଜଣେ ଜଣେସମର୍ଥ ମନୁଷ୍ୟ ହେବାର ପରିଚିତିଟିକୁ ପାଇପାରିବା । ସମଗ୍ର ପୃଥିବୀରେ କ୍ରମେ ସେହି ସତ୍ୟଟି ଅସଲ ପ୍ରକାରେ ଦାନା ବାନ୍ଧି ଆସିଲାଣି । ପୁରାତନ ନିର୍ଭରଶିଳାମାନେ ଏଥିରେ ଆଦୌ ଖୁବ୍ ବେଶୀ କାମ ଦେବେନାହିଁ । ତଥାପି ଆମେ ଯଦି ଅଭ୍ୟସ୍ତନ୍ୟସ୍ତ ସ୍ୱାର୍ଥମାନଙ୍କୁ ଛାଡ଼ି ଆସିପାରିଲୁ ନାହିଁ ବୋଲି ସେହିଗୁଡ଼ିକୁ ନେଇ ଆହ୍ଲାଦିତ ହୋଇ ରହିଥିବା, ତେବେ ଓଡ଼ିଶାକୁ ପୂରା ଠକୁଥିବା । ଠିକ୍ ବର୍ତ୍ତମାନ ପରି ଠକିବାରେ ଲାଗିଥିବା । ନିଜକୁ ମଧ୍ୟ କ’ଣ କମ୍ ଠକିବାରେ ଲାଗିଥିବା ? ତେଣୁ, ସେମାନଙ୍କୁ ଜଗନ୍ନାଥ ହିଁ ସହାୟ ହୁଅନ୍ତୁ ।

Image

 

ବାପୁଜୀନଗରରେ ବିଜ୍ଞାନ

 

ଯେତେଦୂର ମନେ ପଡ଼ୁଛି ୧୯୫୮ ମସିହାରେ ମୁଁ ପ୍ରଥମ ଥର ପାଇଁ ପୁନା ଯାଇଥିଲି-। ସେତେବେଳେ ମଧ୍ୟ ସେଠାରେ ଦେଖିଥିଲି, ସକାଳେ ରାସ୍ତାକୁ ଓଳାଇସଫା କରିବାର କାମରେ ଖରକାଳିମାନେ ଠିଆ ଝାଡ଼ୁ ବ୍ୟବହାର କରୁଛନ୍ତି । ପୁରୁଷେ ଲମ୍ବର ସରୁ ସାଉଁଳିଆ ଡେଲିଙ୍ଗି ବାଉଁଶ । ଗୋଟାଏ ପାଖ ଆଗରେ ଝାଡ଼ୁକୁ ମଜବୁତ କରି ବାନ୍ଧି ଦିଆଯାଇଛି । ତେଣୁ ରାସ୍ତା ଓଳେଇବା ସମୟରେ ନଇଁବାକୁ ପଡ଼ୁନାହିଁ । ଅଣ୍ଟା ସିଧା ରହୁଛି । ସତକୁ ସତ ଅଧିକ ମାନୁଛି-। ସେତେବେଳେ ଓଡ଼ିଶାରେ ସହରବୋଲି ଯେଉଁ ଅଙ୍ଗୁଳିମେୟ ମାତ୍ର କେତୋଟି ମହୁକୁମା ରହିଥିଲା, ସେଠାରେ ସେତେବେଳେ ସେଇ ପାରମ୍ପରିକ ଅମଳର ଝାଡ଼ୁ–ଯାହାକୁ ବ୍ୟବହାର କରିବା ସମୟରେ ଅଣ୍ଟା ପାଖରୁ ନଇଁବାକୁ ପଡ଼ୁଥିଲା । ଆମ ବାପୁଜୀନଗରକୁ ମୋଟେ ଏହି ବରଷେ ହେଲା ଠିଆ ଝାଡ଼ୁର ପ୍ରବେଶ ଘଟିଛି । ମହାରାଷ୍ଟ୍ରର ପୁନାରୁ ଓଡ଼ିଶାର ଭୁବନେଶ୍ୱର ଯାଏ ଆସି ପହଞ୍ଚିବାକୁ ପ୍ରାୟ ପଚାଶ ବର୍ଷ କାହିଁକି ଯେ ଲାଗିଲା, ମୁଁ ମୋଟେ ବୁଝିପାରିଲି ନାହିଁ । ଭାବୁଥିଲି, ବିଜ୍ଞାନଟା ବୋଧହୁଏ ଆମର ଏଠି ସବା ଆଗସଫା ଲୋକଙ୍କ ପାଇଁ, ସେମାନେ ତ ଏବେ ମୋବାଇଲ ଫୋନ୍‌କୁ ସାଙ୍ଗରେ ନେଇ ବୁଲିବାର ଯୋଗ୍ୟ ବି ହୋଇଗଲେଣି । ସେମାନଙ୍କ ସକାଶେ ବିଜ୍ଞାନ ଗ୍ରାମମାନ ବସିଲାଣି । ସେମାନଙ୍କର ସଂଖ୍ୟା କାହାଣରେ ସମ୍ଭବତଃ ଚାରି ପାଞ୍ଚ ପୁଞ୍ଜା ବି ହେବନାହିଁ । ସେହିମାନେ ଆପଣାର ଅୟସ ଘରମାନଙ୍କରେ ବିଜ୍ଞାନକୁ ରାଣୀ କରି ରଖିଛନ୍ତି । ବିଜ୍ଞାନ ନାମକ ପ୍ରାୟପୂରା ପାଠଟା ବହୁ ଅର୍ଥରେ ସେହିମାନଙ୍କର ଆଳସ୍ୟ-ବିନୋଦନ ଭାବରେ ପଢ଼ାଯାଉଛି ତଥା କାମରେ ଲାଗୁଛି । ଏବଂ, ମନେରଖ, ଏହା ତୁମ ଆମଙ୍କ ପଇସାରେ ହିଁ ହେଉଛି ।

 

ଆମ ବାପୁଜୀନଗରର ମୂଳନିଷ୍କାସନ ପଦ୍ଧତିଟା ମଧ୍ୟ ସେହି ମରହଟି ପୁରାତନ ଅମଳର, ବହୁତ ଅର୍ଥରେ ସେହି ବର୍ବର ଅମଳର । ଶୌଚଘରର ମଳଟା ବାହାରିଯିବା ସକାଶେ ମାଟି ତଳେ ଗୋଟାଏ ନାଳି ରହିଥାଏ ଓ ସେଇବାଟେ ନିଷ୍କାସିତ ମଳ ବାହାରିଯାଇ-ରାସ୍ତାକଡ଼ର ମୁଖ୍ୟ ମଳନାଳିଟି ସହିତ ମିଶିଯାଏ । ମଝିରେ ମଝିରେ ନାଳିଟି ରୁନ୍ଧି ହୋଇଯାଏ ଏବଂ ମଣିଷ ଡାକି ତାହାକୁ ସଫା କରିଦେବାକୁ ହୁଏ । ସେମାନେ ସମସ୍ତେ ଗୋଟିଏ ପାଟକର ମଣିଷ, କୁଳ ଅନୁସାରେ ଧର୍ମର ଆଚରଣ କରି ଉଦର ପୋଷଣ କରନ୍ତି । ସକାଳେ ପହିଲି ଖରା ପଡ଼ି ଆସିବାବେଳକୁ କାମ ଆରମ୍ଭକରି ଅପରାହ୍ନ ଦୁଇଟା/ତିନିଟା ହୋଇଯାଏ । ହଁ, ବାଉଁଶର ପାତିଆକୁ ଲୁହା ତାରରେ ଯୋଡ଼ି ସେମାନେ ସେହି କାର୍ଯ୍ୟଟିର ସମ୍ପାଦନ କରିବା ଲାଗି ପ୍ରାୟ ନଅ ଦଶ ମିଟରର ନହନହକା ସାଧନଟିଏ ତିଆରି କରିଥାନ୍ତି । ସେଇଟିକୁ ବେଶ୍ କଳାତ୍ମକ ଭାବରେ ମାଟି ତଳେ ତଳେ ଯାଇଥିବା ମଳ ନାଳିଟି ମଧ୍ୟରେ ପ୍ରବେଶ କରାଇ ଦିଆଯାଏ । ସମାନଭାବରେ କଳାତ୍ମକ ଏକ ଦ୍ୱିତୀୟ ପ୍ରକ୍ରିୟା ବଳରେ ବାଟରେ ଗତିରୋଧ କରି ଜମିଥିବାମଳ ତଥା ସେହି ଧର୍ମର ଆଉ ଯାବତୀୟ ବସ୍ତୁକୁ ଖଲାସ କରିବାର ପ୍ରୟାସ କରିବାକୁ ହୁଏ । ପ୍ରକ୍ରିୟାଟିକୁ ସହଜ କରିଦେବାକୁ ଏ ପାଖରେ ପାଣି ବି ତଳା ଯାଉଥାଏ । ବହୁତ ଧୈର୍ଯ୍ୟବନ୍ତ ଏବଂ ନିର୍ବିକାର ହେଲେ ଯାଇ ଜଣେ ମଣିଷ କାମଟିକୁ କରିପାରିବ ଓ ପୁଣି ଭରପୋଷଣର ଏକ ଧନ୍ଦା ରୂପେ ଏହାକୁ ଗ୍ରହଣ କରାଯାଇପାରିବ । ଆମ ସାମାଜିକ ସଂସ୍କୃତିର ପ୍ରଶଂସା ହିଁ କରିବାକୁ ହେବ ଯେ, ଏହି କାର୍ଯ୍ୟଟିକୁ କେବଳ ଗୋଟିଏ ଜାତିର କୌଳିକ କାର୍ଯ୍ୟ ବୋଲି ନିରୂପିତ କରି ଦିଆଯାଇଛି ଏବଂ ଭଗବାନ ବି ଇଚ୍ଛା କଲେ ମଧ୍ୟ ଏଥିରେ କୌଣସି ହେରଫେର କରାଇପାରିବେ ନାହିଁ ବୋଲି ତାଗିଦ କରି ଦିଆଯାଇଛି । ଗେହ୍ଲା ବିଜ୍ଞାନଟା ମଧ୍ୟ ଏ ସବୁଥିରେ ହସ୍ତକ୍ଷେପ କରିବାକୁ ସାହସ ପାଇନାହିଁ । ବାପୁଜୀ ନଗରରେ କାହାରି ଭେକ ସରୁନାହିଁ ଯେ ସିଏ ଏସବୁ ବିଷୟରେ କିଛି ଅନ୍ୟ ପ୍ରକାରେ ଚିନ୍ତା କରିବାକୁ ମନ କରିବ; ସିଏ ଆଦରି ନେଇଥିବା ବିଜ୍ଞାନଟା ତେଣୁ ପୁଷି ବିଲେଇଟିଏ ଭଳି ତା’ କୋଳରେ ବସି ଘୁଡ଼ୁରୁ ଘୁଡ଼ୁରୁ ହେଉଛି ।

 

ଆମ ବାପୁଜୀନଗରରେ ପିଲାଙ୍କର ଇସ୍କୁଲଟିଏ ବି ଅଛି । ପୌରପାଳିକା ଜାଗା ଯୋଗାଇ ଦେଇଛି । କୋଠାଘର ତିଆରି କରି ଦେଇଛି । ପ୍ରତ୍ୟକ୍ଷ ଇତିହାସ କହିବ, ସେହି ଆରମ୍ଭ ସମୟରୁ ହିଁ ସ୍ୱାୟତ୍ତ ଶାସନର ବ୍ୟବସ୍ଥାଟା ଅନୁସାରେ ରାଜଧାନୀର ପ୍ରତ୍ୟେକ ୟୁନିଟ୍‌ରେ ଏହି ଭଳି ବିଦ୍ୟାଳୟ ଗୁଡ଼ିକର ଇନ୍ତେଜାମ୍ କରି ଦିଆଯାଇଥିଲା । ଗୋଟାସୁଦ୍ଧା ଏକାଭଳିଆ ନକ୍ସାରେ । ବିଧାତାର କି ବିଚିତ୍ର ବରାଦ ଯେ,ଏହି ସ୍କୁଲରେ ପୂରା ଏ ସାହିଟାର ପିଲା ପଢ଼ନ୍ତି ନାହିଁ । ହଁ, ସେ ସାହିର ପିଲାମାନେ ପଢ଼ନ୍ତି । ପ୍ରକୃତରେ ଏ ସାହି ଏବଂ ସେ ସାହି ପୂରା ବାରି ହୋଇ ପଡ଼ିବ । ମଝିରେ ଗୋଟିଏ ବିଭାଜନକାରୀ ରାସ୍ତା ରହିଛି, ଯାହା ଏପାରି ତଥା ସେପାରି ବିଷୟରେ ଅତ୍ୟନ୍ତ ଭ୍ରମଶୂନ୍ୟ ଭାବରେ ତୁମକୁ ଚାକ୍ଷୁଷ ପ୍ରମାଣଟାକୁ ନିଶ୍ଚୟ ଦେଇଯିବ । ସେ ସାହିର ପରିମଳ ଅଲଗା, କାରବାର ଅଲଗା, ଲୋଡ଼ିବା ଓ ନ ଲୋଡ଼ିବାଗୁଡ଼ାକ ପୂରା ଅଲଗା କଳହମାନେ ଏକାବେଳକେ ଭିନ୍ନ ଭିନ୍ନ ଜଞ୍ଜାଳମାନଙ୍କୁ ନେଇ । ସେହିସବୁ ଘରର ପିଲାଏ ଏ ପାଖରେ ରହିଥିବା ଇସ୍କୁଲକୁ ପଢ଼ିବା ଲାଗି ଆସନ୍ତି । ଏ ପାଖଟାରେ ଚାରିଆଡ଼େ ଆଖି ଖେଳାଉଥିବା ସମୟରେ ଏମାନଙ୍କର ଭାବନାଘରେ କେଉଁ ଭଳି ପ୍ରତିକ୍ରିୟାମାନ ହେଉଥାଏ କେଜାଣି ? ସେମାନେ ପାଠ ନାଆଁରେ ଏ ପାଖର ପୃଥିବୀଟା ସହିତ ବେଶୀ ଅଭ୍ୟସ୍ତ ନିଜ ଶିକ୍ଷକମାନଙ୍କ ଠାରୁ ଅଧିକ ଗ୍ରହଣ କରନ୍ତି ନା ଆଖିରେ ଦେଖୁଥିବା ଏ ପାଖର ଅନ୍ୟ ରଙ୍ଗଗୁଡ଼ାକରୁ ଅଧିକ କଥା ଆତ୍ମସ୍ଥ କରନ୍ତି ? ଏଠି ଇସ୍କୁଲ ବୋଲି ଏମାନଙ୍କୁ ଗ୍ରହଣ କଲା ଭଳି କ’ଣ ଥାଏ ଯେ, ତଦ୍ୱାରା ସେମାନଙ୍କୁ ଯାହାସବୁ ମିଳିବ, ତାହାର ପ୍ରେରଣା ସତକୁ ସତ ସେମାନଙ୍କ ଭିତରକୁ ଭେଦ ବି କରିବ ?

 

ଏ ପାଖରେ ଏକ ଅନ୍ୟ ଜୀବନ ତଥା ଅନ୍ୟ ଅନ୍ଦାଜ ଭିତରେ ବଢ଼ୁଥିବା ପିଲାମାନେ ପାଠ ପଢ଼ି ତେଣେ କୁଆଡ଼େ ଚାଲିଯାଆନ୍ତି । ସେମାନେ ବାପୁଜୀନଗର ବାହାରେ ଆଉ ଆଉ ଥାନକୁ ଯାଆନ୍ତି, କିଏ ସାଇକେଲରେ ଯାଏ-ବିଦ୍ୟାଳୟରୁ ବସ୍‍ ଆସି ଆଉ କେଉଁମାନଙ୍କୁ ନେଇ ଯାଆନ୍ତି ଓ ଇସ୍କୁଲ ଭାଙ୍ଗିଲେ ପୁଣି ଘରପାଖ ରାସ୍ତାରେ ଓହ୍ଲାଇ ଦେଇ ଯାଆନ୍ତି । ଏମାନଙ୍କର ବେଶ ଅଲଗା, ଆଚାର ଅଲଗା, ସତେଅବା ଆଉ କେଉଁ ରାଜ୍ୟ ରାଜା ପାଇଁ ମଣ ହେଉଥିବା ପରି ମନେ ହୁଅନ୍ତି । ଏବଂ, ଭୋକ ଥାଉ ବା ନଥାଉ, ସେମାନଙ୍କୁ ଅଧିକ ଭୁଞ୍ଜାଇବା ସକାଶେ ଘରକୁ ମଧ୍ୟସାରମାନେ ଆସନ୍ତି । ସେମାନେ ବଡ଼ ହୋଇ ବାପୁଜୀ ନଗରର କୌଣସି କାମରେ ଲାଗିବାର ପ୍ରଶ୍ନ ହିଁ ରହିବ କାହିଁକି ? ବାପୁଜୀନଗରରେ ଯାହା, ସମଗ୍ର ଦେଶଟାରେ ମଧ୍ୟ ସେଇ ନବରଙ୍ଗଟା ଲାଗିଛି । ପାଠୁଆଙ୍କ ଭିତରୁ ଯେଉଁମାନେ ବିଶେଷ ଭଲ ଅର୍ଥାତ୍ ବିଶେଷ ଯୋଗ୍ୟ ହୋଇ ବାହାରୁଛନ୍ତି, ସେମାନଙ୍କର ପ୍ରତିଭା ଏହି ମାଟିଟାର କୌଣସି କାମରେ ଲାଗି ପାରୁନାହିଁ । ପାଣି ପରି ପଇସା ଢଳା ହୋଇ ବିଜ୍ଞାନର କର୍ଷଣତଥା ଅନୁଶୀଳନ ଲାଗିଛି, ମାତ୍ର ମୁଖ୍ୟତଃ ଜଣେ ଜଣେ ବଡ଼ଚାକିରିଆ ହେବା ଲାଗି ହିଁ ସେଗୁଡ଼ାକରେ ଏତେ ଏତେ ଭିଡ଼ ଲାଗିଛି, ଯୋଗ୍ୟତମମାନେ ତ କେବଳ ଆମେରିକା ଗଲେ ଯାଇ ଜୀବନଟା ସଫଳ ହେବ ବୋଲି ଡେଙ୍ଗା ଡେଙ୍ଗା ସ୍ୱପ୍ନ ଦେଖୁଛନ୍ତି-। ଅଧିକଥିଲାବାଲା ବାପା-ମାଆମାନେ ମଧ୍ୟ ନିଜ ଶଙ୍ଖାଳିମାନଙ୍କୁ ସେହିଭଳି ଏକ ମହାମୋହଦ୍ୱାରା ସେମାନଙ୍କର ନିଶ ଉଠିବା ପୂର୍ବରୁ ହିଁ ସ୍ଥୂଳଆଖିଆ ହୋଇ ବଢିବା ଲାଗି ଉତ୍ସାହଦେବାରେ ପରମ ସନ୍ତୋଷ ଲାଭ କରୁଛନ୍ତି । ଯହୁଁ ଯହୁଁ ଶିକ୍ଷାର ବିଚାରକୁ ପୃଥିବୀଯାକର ବିଚାରଶୀଳ ବ୍ୟକ୍ତିମାନେ ଏକ ବିଜ୍ଞାନର ପ୍ରସ୍ଥ ଆଣି ଦେବାକୁ ପ୍ରୟାସକରୁଛନ୍ତି, ଆମର ଏହି ଶିକ୍ଷାଘରର ବେବର୍ତ୍ତାମାନେ ଅଧିକରୁ ଅଧିକ ସ୍ୱୌରାଚାରିତା ଦ୍ୱାରା ତାହାକୁ ଅବୈଜ୍ଞାନିକ କରି ରଖିବାରେ ହିଁ ମଗଜ ଖଟାଉଛନ୍ତି । ଅଳପଙ୍କ ନିମନ୍ତେ ସତେଅବା ଏକ କାମସ୍ପର୍ଶ ଆଣି ଦେବାକୁ ଦେଶରେ ବିଜ୍ଞାନର ଅଧ୍ୟାପନା ଏବଂ ଏଷଣାମାନ ଚାଲିଛି ସିନା, ତାହାକୁ ଏକ ମାନବସ୍ପର୍ଶ ଆଣି ଦେବାକୁ କାହାରି ବିବେକୁ କହୁନାହିଁ ।

 

ବିଜ୍ଞାନ ବିଷୟରେ ଅସଲ କଥାଟି ପ୍ରକୃତରେ ଏ ପର୍ଯ୍ୟନ୍ତ କୁହାଯାଇନାହିଁ । ବିଜ୍ଞାନ ନିମନ୍ତେ ଏକ ଅନୁକୂଳ ସାମାଜିକ ଭୂମି ତିଆରି ନହୋଇଥିଲେ ବିଜ୍ଞାନ ଛତରା ହେବାକୁ ବାଧ୍ୟ ହିଁ ହେବ ଏବଂ ଥୋକେ ବାବୁଘରର ଏକଚାଟିଆ ବିଳାସରେ ପରିଣତ ହେବ-ସମ୍ପୂର୍ଣ୍ଣ ଭାବରେ ଖତରା ହୋଇଯିବ । ଏହି ପୂର୍ବ ଓ ପ୍ରଥମ ଭୂମିସର୍ତ୍ତଟିକୁ Ethos ବୋଲି କୁହାଯାଇଛି । ଏକ ଅନୁକୂଳ ସମାଜ ଦୃଷ୍ଟିଗତ ଜଳବାୟୁ ରହିବ, ଯାହାକି ବିଜ୍ଞାନର ଉପଲବ୍ଧ ଯାବତୀୟ ଜ୍ଞାନକୌଶଳକୁ ସୁସ୍ଥ ଭାବରେ ବିନିଯୋଗ କରିପାରିବ ! ୟୁରୋପରେ ସେହି ପ୍ରୟାସଟିକୁ ସମାଜ ବିଜ୍ଞାନ ବୋଲି କୁହା ଯାଇଆସିଛି । ବିଜ୍ଞାନର ନଜର ଭିତରେ ଦେଶର ସବୁ ମଣିଷ ରହିବେ ଓ ଯୁଗ ଯୁଗରୁ ପରଳ ପରି ମାଡ଼ି ରହିଥିବା ଦୂରତା ତଥା ଅସମାନତାଗୁଡ଼ିକୁ ହଟାଇବା ନିମନ୍ତେ ମଧ୍ୟ ପ୍ରାୟ ସମାନ ଆନ୍ତରିକତା ସହିତ ଚିନ୍ତା କରାଯାଇ ପାରୁଥିବ । ସମାଜ ବିଜ୍ଞାନର ଉପଲବ୍ଧ ଅନ୍ତର୍ଦୃଷ୍ଟିଗୁଡ଼ିକ ଯହୁଁ ଯହୁଁ ୟୁରୋପରେ ଅଧିକରୁ ଅଧିକ ମଣିଷକୁ ସଚେତନ କରି ଆଣିଲା, ତହୁଁ ତହୁଁ ସେଠାରେ ଅଧିକ ବିବେକର ସହିତ ନେତୃତ୍ୱମାନେ ସବୁ ମଣିଷଙ୍କୁ ଲୋଡ଼ି ଶିଖିଲେ, ଶିକ୍ଷା ସାର୍ବଜନୀନ ହେଲା, ଦେଶ ବ୍ୟବସ୍ଥାରେ ଅଧିକରୁ ଅଧିକ ମନୁଷ୍ୟଙ୍କୁ ସକ୍ରିୟ ଅଂଶଗ୍ରହଣ କରିବାର ଅବକାଶ ମଧ୍ୟ ମିଳିଲା । ଭାରତୃବର୍ଷରେ ତଥାକଥିତ ବିଜ୍ଞାନ ଶିକ୍ଷାରେ ସମାଜ ବିଜ୍ଞାନକୁ ଏବେ ମଧ୍ୟ ସ୍ଥାନ ମିଳିନାହିଁ । ବୈଜ୍ଞାନିକମାନେ ସମାଜ ବିଷୟରେ ଅସଲ ସତ୍ୟଗୁଡ଼ିକୁ କହିବା ନିମନ୍ତେ ହୁଏତ ଭୟ କରୁଛନ୍ତି । ଦେଶଟା ନିତାନ୍ତ ଅବିଜ୍ଞାନୀ ଏବଂ ଅକୁଶଳମାନଙ୍କ କବଳରେ ରହିଛି ଓ ବିଜ୍ଞାନକ୍ଷେତ୍ରର ଯାବତୀୟ ଭରଣା ତଥା ଯୋଜନା ଲାଗି ଆବଶ୍ୟକ ଅର୍ଥବଳଟା ସକାଶେ ସେହିମାନଙ୍କ ଉପରେ ନିର୍ଭରଶୀଳ ହୋଇ ରହିଛନ୍ତି । ସେମାନେ ତେଣେ ଆଦୌ ଏତେ ଟିକିଏ ଖୁଡ଼ ଖାଡ଼ ହେବାକୁ ମଧ୍ୟ ଭୟ କରୁଛନ୍ତି କି ? ଏବଂ ସେହି ଆଳରେ ଅତ୍ୟନ୍ତ ନିର୍ମମ ଭାବରେ ସେମାନେ ଦେଶଟା ସେହି ରକ୍ଷଣଶୀଳ ସାମନ୍ତପଣଗୁଡ଼ାକ ପାଖରେ ଢିଙ୍କିଆ ପଡ଼ି କାଳକାଳ ରହିବାରେ ମଧ୍ୟ ମଦଦ କରିବାରେ ଲାଗିଛନ୍ତି କି ? ଏବଂ ରାଜସଭାମାନଙ୍କରୁ ବହୁ ସମ୍ମାନ ବି ଲାଭ କରୁଛନ୍ତି । ଏବଂ ସେହିପରି ଏକ ଭୂଇଁଛଡ଼ା ତଥା ଭୂଇଁକୁ ଭୟ କରୁଥିବା ବିଜ୍ଞାନ ନିମନ୍ତେ ରାଇଜଯାକ କେତେନା କେତେ ଧୁମ୍‍ଧାମ୍ ବି ଲାଗିଛି । ସରକାର ଦ୍ୱାରାଲାଗିଛି ଓ ସରକାର ବାହାରେ ଲାଗିଛି । ବିଜ୍ଞାନର ଆଗ୍ରହଗୁଡ଼ିକୁ ଭୂଇଁଛଡ଼ା କରି ରଖିବା ନିମନ୍ତେ ଏହାଦ୍ୱାରା କୌଣସି ଚେଷ୍ଟା କରାଯାଉନାହିଁ ତ ? ଖାସ୍ ବିଜ୍ଞାନକୁ ବିଷୟ କରି ବିଶେଷ ପତ୍ରିକାସବୁ ବାହାରୁଛି । ବିଜ୍ଞାନକୁ ଲୋକପ୍ରିୟ କରିବାର ଯୋଜନାରେ ବିଶେଷ ଅନୁଷ୍ଠାନମାନେ ମଧ୍ୟ କ୍ରିୟାଶୀଳ ହୋଇ ରହିଛନ୍ତି । ରାଜଧାନୀରେ ଦିନ ଦି'ପହରରେ ରାତି ଆକାଶକୁ ଦେଖାଇ ପିଲାମାନଙ୍କୁ ମୁଗ୍ଧ କରାଯାଉଛି । ଧୂମକେତୁଟାଏ ପୃଥୀବଳୟର ନିକଟବର୍ତ୍ତୀ ହୋଇ ଆସିବା ସମୟରେ ତାକୁ ଦେଖାଇବା ସକାଶେ ଉତ୍ସବତୁଲ୍ୟ ଆୟୋଜନମାନ ହେଉଛି ।

 

ଏବେ ତ ଶୁକ୍ରଗ୍ରହକୁ ମଧ୍ୟ ପାଖରୁ ଉପଭୋଗ କରିବା ଲାଗି ବହୁ ତନାଘନା ବି ଲାଗି ଯାଇଥିଲା । ଏହିପରି ଲମ୍ବା ଯନ୍ତ୍ରନଳିଟା ଦେଇ ଦୂର ଆକାଶକୁ ଅନାଇ ଆମ ପିଲାମାନେ ଚାରିପାଖର ବାସ୍ତବଟାକୁ ଯେପରି ଆଖି ବୁଜି ରହିଯିବେ, ଏକ ଅବଚେତନ ମହାଆଗ୍ରହର ତାଡ଼ନା ଦ୍ୱାରା ପରିଚାଳିତ ହୋଇ ସେମାନେ ନିଜ ହୃଦୟର ମଧ୍ୟ ଗୋଟାଏ ଆଖି ରହିଛି ବୋଲି କ୍ରମେ ପାସୋରି ଦେବେ, ଏସବୁକୁ ସେହିପରି ଏକ ଦୁଃସମୟକୁ ଏଠି ଜାରି ରଖିବାକୁ ଏତେ ଢୋଲ ପିଟା ହୋଇ କରାଯାଉଛି କି ? ମଥାଟା ପଛରେ ଦଉଡ଼ି ଦଉଡ଼ି ମଣିଷମାନେ ହୃଦୟ ନାମକ ସେହି ବହୁମୂଲ୍ୟ ସମ୍ପଦଟିକୁ ଅବହେଳିତ କରି ପକାଇ ରଖିବାର ଖୁବ୍ ଆଶଙ୍କା ରହିଥାଏ ବୋଲି ପୃଥିବୀଯାକର ଚକ୍ଷୁଷ୍ମାନ୍ ଓ ପ୍ରଜ୍ଞାସମ୍ପନ୍ନମାନେ କାଳେ କାଳେ କହି ଆସିଛନ୍ତି । ହୃଦୟର କର୍ଷଣ ଦ୍ୱାରା ହିଁ ମଥାଟା ବି ତା’ର ଉଚିତ ଘରଟିକୁ ଫେରିଆସେ । ଏକଦରିଦ୍ର ଦେଶରେ ସବାଆଗ ହୃଦୟର କର୍ଷଣ ହିଁ ହେବାର ସେହି ସୁସ୍ଥ ବୈଜ୍ଞାନିକ ରୀତିଟିର ସନ୍ଧାନ କରାଯାଉ । ମଣିଷମାନେ ସବାଆଗ ମଣିଷ ମାନଙ୍କୁ ହିଁ ଦେଖନ୍ତୁ ।

Image

 

ନିନ୍ଦି ନିନ୍ଦି ଯୁଗେ ଗଲା

 

ସେଦିନ ଇନ୍ଦ୍ରଭୁବନର ଏକ ମିଳନ-ପଙ୍ଗତରେ ସୁସଜ୍ଜିତ ସେହି ପ୍ରାଙ୍ଗଣଟାରେ ସତେଅବା ରାଜାରାଣୀଙ୍କ ପରି ଅଙ୍ଗମଣ୍ଡନ କରି ଆସିଥିବା ପଲେ ଗେହ୍ଳାଙ୍କ ମେଳରେ ନିତାନ୍ତ ଏକାକୀ ପରି ଅନୁଭବ କରୁଥିବା ସମୟରେ କ’ଣ ପାଇଁ ମନେପଡ଼ି ଗଲା ଯେଦେଶ ସ୍ଵାଧୀନତା ଲାଭ କରିବାର ପ୍ରାୟ ଷାଠିଏ ବର୍ଷ ହୋଇ ଆସିଲା । ସେତେବେଳେ ଏକ ରମଣୀୟ ସନ୍ଧ୍ୟା ସମୟ, ଟୁପୁଟୁପୁ ବରଷା ବାହାରଟାକୁ ଖୁବ୍ ରୋମାଣ୍ଟିକ୍ କରି ରଖିଥାଏ । ଏହି ସାଆନ୍ତିଆ ମେଳଟାର ବାହାରେ ଦେଶଟାଏ ରହିଛି ବୋଲି ଜଣେ ଭଲ ମଣିଷ ହୁଏତ ପୁରା ପାଶୋରି ଦେଉଥିବ । ବାହାରେ ଜୀଅନ୍ତା ଦେଶଟାର କୋଟିକୋଟି ଲୋକ ଅଛନ୍ତି ଏବଂ ସେମାନେ ଅଛନ୍ତି ବୋଲି ଏହି ଗେହ୍ଲା ବପୁମାନମାନେ ମଧ୍ୟ ରହିଛନ୍ତି; ଏଗୁଡ଼ିକ ସଂପୂର୍ଣ୍ଣ ସତକଥା ହୋଇଥିଲେ ମଧ୍ୟ ତାକୁ ଏହି ଉତ୍ସବଟା ଭିତରେ ତୁମେ କ’ଣ ପାଇଁ ମନେ ପକାଇବ ? ନିଃସ୍ଵ ଅଲକ୍ଷଣାମାନଙ୍କର ଏହି ଦେଶରେ ଭଗବାନ ତୁମକୁ ତଥାପି ଲକ୍ଷଣଯୁକ୍ତ ହୋଇ ରହିବାର ଖାସ୍ ସୁଯୋଗ ଦେଇଛନ୍ତି, ନିତାନ୍ତ ବୋକା ନହୋଇଥିଲେ ତୁମେ କଦାପି ସେହି ବାସ୍ତବ ସତ୍ୟଟିକୁ ପାସୋରି ପକାଉ ନଥାନ୍ତ ।

 

ପୁଣି ମନେ ପକାଇଲି, ସେକାଳେ ଯେଉଁମାନେ ସ୍ୱାଧୀନତା ନିମନ୍ତେ ସଂଗ୍ରାମଟିଏ ଲଢ଼ି ନଥିଲେ, ସେମାନେ ତ କେହି ବୋକା ନଥିଲେ ! ସେକାଳରେ ମଧ୍ୟ ଗେହ୍ଲାମାନେ ରହିଥିଲେ, ନିଜ ନିଜ ଜୀବନରେ ବୃହତ ବୃହତ ବହୁ କଳ୍ପନା କରିବାରେ ସଦା ସକ୍ରିୟ ଥିଲେ– ତଥାପି ସଂଗ୍ରାମଟିଏ ଲଢ଼ିବା ପାଇଁ ଲୋକ ବାହାରି ଆସିଲେ ଏବଂ ଯୁଗଟାକୁ ବଦଳାଇଦେଲେ । ତା’ ପରେ କ'ଣ ହେଲା ? ସେମାନଙ୍କ ଭିତରୁ ଥୋକେ ସରକାରୀକ୍ଷମତାରେ ରହିଲେ, ରାଜନୀତି କଲେ, ପଦମାନ ପାଇଲେ । ବାକିମାନେ ବାହାରେ ରହିଲେ । ଏକ ପରିପୂର୍ଣ୍ଣ ବିବେକ–ସଚେତନତା ସହିତ ସେମାନେ ଅପେକ୍ଷାମାଣ ପରବର୍ତ୍ତୀ ପରିବର୍ତ୍ତନ ତଥା ପଟ ବଦଳିର ଅତ୍ୟାବଶ୍ୟକ ଉଦ୍‌ବେଳନ ଗୁଡ଼ିକରେ ନେତୃତ୍ୱ ହିଁ ନେଇଥାଆନ୍ତି । ସେମାନେ କ୍ଲାନ୍ତ ହୋଇ ପଡ଼ିଥିଲେ କି ? ବା, ପ୍ରଥମ ସଂଗ୍ରାମର ଯେଉଁ ସାଥୀମାନେ ସରକାରୀ କ୍ଷମତା–ଭୋଗର ମହଲମାନଙ୍କରେ ପଶି କେଡ଼େ ଛନ ଛନ ଦେଖା ଯାଉଥିଲେ, ସେମାନଙ୍କ ଆଗରେ ଏମାନେ ଆପଣାକୁ କ୍ରମେ ଭାଗ୍ୟହୀନ ଓ ତେଣୁ ବୋକା ପରି ଅନୁଭବ କରିବାକୁ ଲାଗିଲେ କି ? ଠିକ୍‍ ସେତିକିବେଳେ ଭତ୍ତାର ବ୍ୟବସ୍ଥାଟା ଆସି ପହଂଚିଗଲା । ମାଗଣା ମାଗଣା କେତେକେତେ କଦର ମିଳିଲା । ସେମାନେ ସେଇଟି ମଧ୍ୟରେ ଚାହୁଁ ଚାହୁଁ ଲୀନ ହୋଇଗଲେ ଏବଂ ଚାହୁଁ ଚାହୁଁ ବୁଢ଼ା ବି ହୋଇ ଯାଉଥିଲେ । କାଗଜରେ ଲେଖା ହୋଇଥିବା ଗଣତନ୍ତ୍ରଟା ଅପଚରା ହୋଇ ରହିଲା । ସାମନ୍ତବାଦୀ ବେତାଳ ଦଳେ ଦେଶଭାଗ୍ୟର କାନ୍ଧ ଉପରେ ଲଦି ହୋଇ ରହିଲେ ଓ ଯାବତୀୟ ଲୋକସ୍ୱାର୍ଥର କ୍ଷେତ୍ରରେ ନିଦାରୁଣଭାବରେ ଡିକୁଗିରି କଲେ । ଶାସନ ନାମକ କଳଟା ଭିତରେ ଯେଉଁମାନେ ସବା ଉପରେ ଥିବାରୁ ସବୁଠାରୁ ଅଧିକ କର୍ତ୍ତବ୍ୟସଚେତନ ଭାବରେ ଲୋକଙ୍କ ତରଫରୁ ହିଁ ପ୍ରହରୀ ଭଳି କାମ କରିଥାଆନ୍ତେ, ସେମାନେ ଏକ ବିଶେଷ ପ୍ରଶିକ୍ଷଣର ଚତୁର ବୋଲଗୁଡ଼ାକୁ ମାନି ନେତାମାନଙ୍କର ଭୋଗବାଉଳା ଅବିବେକଗୁଡ଼ାକର ପରିପୂରଣରେ ହିଁ ଅଧିକମନ ଦେଲେ । ପ୍ରଧାନତଃ procurer ହେଲେ ଏବଂ ସବା ଆଗ ନିଜ ନିଜ କାରିଅରଟାକୁ ଜଗିଲେ । ଯୋଉ ଭାଷାରେ ଜନ୍ମ ହୋଇଥିଲେ, ସେହି ଭାଷାଟାକୁ ହିଁ ଅନାଦର ସହିତ ଭୁଲିଗଲେ ଏବଂ ସେମାନଙ୍କଠାରୁ ନ୍ୟାୟତଃ କରାଯାଉଥିବା ପ୍ରତ୍ୟାଶାମାନଙ୍କୁ ଫାଙ୍କି ଦେଲେ ।

 

ପରିଣାମ ସ୍ୱରୂପ, ଏବେ ଯେଉଟା ଆମ ଦେଶର ସାଧାରଣ ଜୀବନରେ ସବୁଠାରୁ ଅଧିକ ଗରମ ହୋଇ ରହିଛି, ତାହାକୁ ରାଜନୀତି ବୋଲି କୁହାଯାଉଛି । ସେଥିରେ ବସ୍ତୁତଃ ରାଜନୀତି ବୋଲି କିଛି ନାହିଁ; ନୀତି ମଧ୍ୟ କୋଉଠି କ’ଣ ରହିଛି ? ରାଜନୀତିରେ ତ ସଚରାଚର କାମ୍ୟ ବୋଲି କିଛି ରହିଥାଏ ଏବଂ ତାହାରି ଆକର୍ଷଣରେ କିଛି ମନୁଷ୍ୟ ଏକାଠି ହୋଇଥାନ୍ତି ! ଏକାଠି ହୋଇ ଦଳଟିଏ ଗଢ଼ନ୍ତି । କାମ୍ୟଟାରେ ପହଂଚିବେ ବୋଲି ଏକତ୍ର ଏକ ସୁସ୍ଥ ବିବେକର ସହିତ ମାର୍ଗଟିଏ ବା ଶୃଙ୍ଖଳାଟିଏ ସ୍ଥିର କରନ୍ତି ଓ ଦେଶବାସୀଙ୍କ ଆଗରେ ତାହାର ଉପସ୍ଥାପନା କରନ୍ତି । ଦେଶବାସୀଙ୍କର ଆସ୍ଥାଭାଜନ ହୋଇ ସେମାନେ ସରକାରୀ ବ୍ୟବସ୍ଥାଭିତରକୁ ପ୍ରବେଶ କରନ୍ତି; କ୍ଷମତାରେ ରହନ୍ତି ଏବଂ ଲୋକଙ୍କ ପାଖରେ ଦେଇଥିବା ଜବାବଗୁଡ଼ିକ ଅନୁସାରେ କାର୍ଯ୍ୟ କରନ୍ତି । ସେମାନଙ୍କଠାରେ ଜନଗଣଙ୍କର ଆସ୍ଥା ରହିଥିବା ପର୍ଯ୍ୟନ୍ତକ୍ଷମତାରେ ରହନ୍ତି । ଆସ୍ଥା ହରାଇଲେ ହାରନ୍ତି ଏବଂ ବିରୋଧୀ ପକ୍ଷରେ ରହନ୍ତି । ଆସ୍ଥାପାଇଥିବା ଆଉ ଏକ ଦଳ କିମ୍ବା ଦଳମାନେ ସେତେବେଳେ ଶାସନ ଭିତରକୁ ଆସନ୍ତି । ହଁ, ବିରୋଧୀ ପକ୍ଷ ବିରୋଧ କରନ୍ତି ଏବଂ କ୍ଷମତାସୀନ ପକ୍ଷଟି ଶାସନ କରୁଥାଏ । ନିଜନିଜ ଦଳର ଆଭିମୁଖ୍ୟ ଗୁଡ଼ିକ ସମ୍ବନ୍ଧରେ ଉଭୟ ପକ୍ଷ ଉତ୍ତମ ରୂପେ ଅବଗତ ହୋଇ ରହିଥାଆନ୍ତି । ଗଣତନ୍ତ୍ରର ବେଢ଼ାଟି ଭିତରେ ତାହାକୁ ହିଁ ସମସ୍ତେ ସଂଗତିଯୁକ୍ତ ବୋଲିଗ୍ରହଣ କରିନିଅନ୍ତି । ମାତ୍ର, ଗୋଟିଏ କଥା ଉଭୟଙ୍କର ଅସଲ ଓ ସର୍ବପ୍ରଥମ ହୋଇ ରହିଥାଏ । ସେଇଟି ହେଉଛି ଯେ, ସେମାନେ ମୋଟେ ସବାଆଗ ନୁହଁନ୍ତି, ସେମାନଙ୍କର କ୍ଷମତାରେ ରହିବା ବା ନ ରହିବା ମଧ୍ୟ ଆଦୌ ସବାଆଗ ନୁହେଁ ! ଦେଶ ଓ ଦେଶବାସୀ ହେଉଛନ୍ତି ସବା ଆଗ ରାଜନୀତିକ ଇଚ୍ଛାଟି ହେଉଛି ସବା ଆଗ ।

 

ସ୍ଵାଧୀନତା-ପ୍ରାପ୍ତି ପରେ ଭାରତବର୍ଷ ସମ୍ମୁଖରେ କାହାଣ କାହାଣ କାର୍ଯ୍ୟ ଅପେକ୍ଷା କରି ରହିଥିଲା । ଏଡ଼େ ବଡ଼ ଆୟତନର ଦେଶ, ଏତେ ଏତେ ପାର୍ଥକ୍ୟ ଏବଂ ଏତେ ଏତେ ସେହି ପୁରାତନ କାଳର ମଳିଗୁଡ଼ାକ । ଏକ ଦାରୁଣ ଭାଗ୍ୟବାଦୀ ଉଦାସୀନତା ହିଁ କୋଟି କୋଟି ମନୁଷ୍ୟଙ୍କୁ କାତର କରି ରଖି ଆସିଛି ! ଏତେ ଏତେ ଧର୍ମବିଶ୍ୱାସ ଅର୍ଥାତ୍ ପାରସ୍ପରିକ ଅବିଶ୍ୱାସ ଓ ଉଚ୍ଚନୀଚ ଭାବ । ଅଳପ ମଣିଷଙ୍କର ଦାଉଗୁଡ଼ାକୁ ହିଁ ସଂସ୍କୃତି ବୋଲି କୁହାଯାଇ ଆସିଛି । ଅନବରତ ଏକ ରାହୁଗ୍ରାସ ହିଁ ଘୋଟିଥିଲା ପରି ଅତ୍ୟଧିକ ଅନ୍ଧାର ଓ ଅମାନୁଷିକତା, ଅନ୍ୟାୟ ଏବଂ ଅବହେଳା । ତେଣୁ ସ୍ଵାଧୀନତାପରେ ଭାରତବର୍ଷର ରାଜନୀତି ଶତନେତ୍ର ତଥା ସହସ୍ରଭୁଜ ହୋଇ ଆହ୍ୱାନଗୁଡ଼ିକର ସାମନା କରୁ ବୋଲି ଏକ ବହୁ ଆନ୍ତରିକତାଯୁକ୍ତ ସତ୍ପରତା ନେତୃତ୍ୱଗୁଡ଼ିକ ନିମନ୍ତେ ଚାହିଁ ବସିଥିଲା । କିନ୍ତୁ ସେହି ମୂଳରୁ କ’ଣ ସବୁ ଅବାଗର ହୋଇଗଲା ଯେ ନେତୃତ୍ୱଟା ପ୍ରାୟ ଏକ euphoria ମଧ୍ୟରେ ଭରମି ରହିଗଲା ଏବଂ ଦିନୁ ଦିନ ଅଧିକ ଅସମର୍ଥ ହୋଇଗଲା-। ମୋହାଚ୍ଛନ୍ନ ହୋଇଗଲା । ଅନ୍ଧାରଗୁଡ଼ାକର ସମ୍ମୁଖୀନ ହେବା ପରିବର୍ତ୍ତେ ସେଗୁଡ଼ାକରୁ ଫାଇଦା ଉଠାଇବାକୁ ମନ କଲାକି ? କ୍ଷମତାର ଘରମାନଙ୍କରେ ଥାନପତିମାନେ ସବାଆଗ ଆପଣକୁ ହିଁ ଦେଖିଲେ । ହେଲେ, ଏହି ମଉକାଟାରେ ତୁମେ କ୍ଷମତାରେ ରହି ଯାହା ଇଚ୍ଛା ତାହା କରିବ ବୋଲି ଧରିନେଲେ, ଏବଂ ପଥଚ୍ୟୁତ ହେଲେ । ଦିନୁ ଦିନ ଅଧିକ ପ୍ରବଳ ହେଲେ ।

 

ଏବଂ, ଚତୁରମାନେ ପ୍ରକୃତରେ କେଡ଼େ ଚଞ୍ଚଳ ଏକାଠି ହୋଇ ନଗଲେ ! ସବାଉପରେ ରାଜନୀତିର ନେତାବର୍ଗ ରହିଲେ । ଯିଏ ଯେତେବେଳେ କ୍ଷମତାରେ ରହିଲା ସିଏ ଚକ୍ରବର୍ତ୍ତୀ ବୋଲାଇଲା । ଉଚ୍ଚତମ ଅମଲାମାନେ ସେମାନଙ୍କର ପିତ୍ତଗୁଡ଼ାକୁ ଠଉରାଇ ନେଇ ପାରିଲେ କି କ’ଣ କେଜାଣି, ମଉକାଟାଏ ଆସି ପହଂଚି ଯାଇଥିବା ପରି ମୁଖ୍ୟତଃ ସେହି କ୍ଷମତାଧାରୀମାନଙ୍କର ହିଁ ପରିଚର୍ଯ୍ୟ କଲେ । ଶିକ୍ଷାଘରର ଆଚାର୍ଯ୍ୟମାନଙ୍କୁ ମଧ୍ୟ କ୍ରମେ ସେହି କାଟର କୋପନଗୁଡ଼ିକ ଆସି ମାଡ଼ିବସିଲା । ହିସାବରେ ସବୁ ବଢ଼ୁଥିଲା ସତ, ମାତ୍ର ତଳେ ମୂଳଦୁଆମାନେ ସେହିପରି ବଳହୀନ ହୋଇ ରହିଲେ । ଭଳି ଭଳି ରାଜନୀତିକ ଦଳର ଆବିର୍ଭାବ ହେଲା । ଉପରକୁ ଭଳିଭଳି ସିନା, କିନ୍ତୁ ମତଲବ ସେହି ଗୋଟାଏ । ପ୍ରାୟଜ୍ଜ୍ୱରଯୁକ୍ତ ଭାବରେ କ୍ଷମତାରେ ରହି ବାର ଲଙ୍ଗଳା ଲାଳସାଗୁଡ଼ାକ ସହିତ ସେମାନେ ନିଜ ପୁଅନାତିମାନଙ୍କ ନିମନ୍ତେମଧ୍ୟ ଗୋଟିଏ ଗୋଟିଏ ସଂସ୍ଥାନ ଯୁଟାଇ ଦେବାକୁ ଧୁରନ୍ଧରତା ଦେଖାଇଲେ । ରାଜନୀତିରୁ ସକଳବିଧ ଲୋକଭାବନା ବିଦା ହୋଇଗଲା । ଏମାନେ ସମସ୍ତେ ଗୋଟିଏ ଗୋଟିଏ ଦଳରେ ନାଆଁ ଲେଖାଇ ନିଜର ପରିଚୟ ଦେଉଥିଲେ ସିନା, ମାତ୍ର କେବଳ ନିଜ ସକାଶେ ହିଁ ଏଥିରେ ରହିଥିଲେ । ଏହି ଦେଶରେ ବିଗତ ଏତେବର୍ଷର ଅଧୋଗମନ ନିମନ୍ତେ ଉଭୟ ଦାୟୀ ହୋଇଥିଲେ ମଧ୍ୟ କ୍ଷମତାର ବାହାରେ ଥିବାପକ୍ଷଟା କ୍ଷମତାରେ ବସିଥିବା ପକ୍ଷଟାକୁ ନିନ୍ଦା କରିବାରେ ହିଁ ବଳ ବରବାଦ କଲା । ନିନ୍ଦି ନିନ୍ଦି ଯୁଗେ ଚାଲିଗଲା । ଯାବତ କଥାରେ ଉଭୟ ଦୋଷୀ ହୋଇଥିଲେ ମଧ୍ୟଇଏ ତାକୁ ନିନ୍ଦିଲା ଓ ସିଏ ୟାକୁ ନିନ୍ଦିଲା । ସେହି ପ୍ରକ୍ରିୟାରେ ହିଁ ନିଶ୍ଚୟ ଦୁହେଁ ଆବିଷ୍କାର କଲେ ଯେ ଦୁହିଁଙ୍କ ମଧ୍ୟରେ ପ୍ରକୃତରେ ଆଦୌ କୌଣସି ଫରକ ନାହିଁ । ମାର୍କାଟାରେ ହିଁ ଯାହା କିଛି ଫରକ ।

 

ତେଣୁ, ଯେତିକି ଲାଜ ତଥାପି ଥିଲା, ସେଇଟି ମଧ୍ୟ ଗଲା । ତା'ପରେ ସେମାନେ ଡିଆଁଡେଇଁ ହେଲେ । ସତକୁ ସତ କମ୍ ଡେଇଁଲେ ? ସେମାନେ ଯେ, ସମସ୍ତେ ଲକ୍ଷ୍ମୀଛଡ଼ା, ସେମାନଙ୍କର ଘର ବୋଲି ନିର୍ଭରଯୋଗ୍ୟ ଆଦୌ କୌଣସି ଭୂଇଁ ନାହିଁ, । ମାନମହତ ନାହିଁ, ଗତ ନିର୍ବାଚନ ସମୟର ସେମାନେ ଆମକୁ କେଡ଼େ ସଫା କରିତାହା ଦେଖାଇ ଦେଇପାରିଲେ । ଏହି କ୍ଷେତ୍ରରେ ଓଡ଼ିଶା ମଧ୍ୟ ଆଦୌ ପଛରେ ନାହିଁ, ସେହି ସତ କଥାଟିକୁ ପ୍ରତିପାଦିତ କଲେ । ଗଣତନ୍ତ୍ରର ମହତ ସାରିଲେ । ଅଥବା, ଆହୁରି ଅଧିକ ନିର୍ଭୁଲ କରି କହିଲେ, ସେମାନେ ଗଣତନ୍ତ୍ର ନିମନ୍ତେ, ଯେ ଗୋଟାପଣେ ଅଯୋଗ୍ୟ, ସେହି କଥାଟିକୁ ଧରା ପକାଇ ଦେଲେ । ଲୋକେ ଭାରି ହସିଲେ । ଏମିତିହସି ହସି ଏପରି ଗୋଟିଏ 'ବେଳ ଆସି ହାଉଲେ ହାଉଲେ ପହଂଚିଯିବାରେ ଲାଗିଛିଯେ, ସେମାନେ ଲୋକମାନସର ଯାବତୀୟ ମାନଦଣ୍ଡରେ ପୂରା ବର୍ଜିତ ହେବେ । ଖତଗଦାରେ ପଡ଼ି, ଆଗାମୀ ରାଜନୀତି ନିମନ୍ତେ ଖତ ହେବେ । ଆଗାମୀବିହନମାନଙ୍କର ଖୁବ୍ କାମରେ ଲାଗିବେ । ସେଇଥିପାଇଁ ତ ବର୍ତ୍ତମାନର, କାଳଟାଏମାନଙ୍କୁ ତଥାପି ସହୁଛି । ଚିହ୍ନିଲାଣି, ତଥାପି ସହୁଛି; ଅପେକ୍ଷା କରୁଛି ଓସେମାନଙ୍କର ରଙ୍ଗକୁ ଦେଖିବାରେ ଲାଗିଛି ।

 

ବିଶ୍ଵାସ କରନ୍ତୁ ସୁଧୀମାନେ, ଏମାନଙ୍କ ଭିତରୁ ଜଣେ ଜଣେ ବିଭୀଷଣ ବିଅଛନ୍ତି । ଜଣେ ଜଣେ ନୁହନ୍ତି, ବହୁତ ବିଭୀଷଣ ଅଛନ୍ତି । ସେମାନେ ଏକଜୁଟ ହେଉନାହାନ୍ତି, ପରସ୍ପରକୁ ସମ୍ଭବତଃ ଭୟ କରୁଛନ୍ତି । ପରସ୍ପର ପାଖରେ ଚିହ୍ନା ଦେଉନାହାନ୍ତି । ନେତାମାନଙ୍କ ଭିତରେ ରହିଛନ୍ତି, ହାକିମମାନଙ୍କ ଭିତରେ ଅଛନ୍ତି । ଅଧ୍ୟାପକମାନଙ୍କ ମେଳରେ ତ କେତେ କେତେ ସଂଖ୍ୟାରେ ଅବଶ୍ୟ ରହିଥିବେ । ସେମାନଙ୍କର ଉପର ବହଳଟାକୁ ଦେଖି ସେମାନଙ୍କୁ ଭର୍ସନା କରୁଥିବା ପର୍ଯ୍ୟନ୍ତସେମାନେ ତୁମପାଖରେ ମୋଟେ ଚିହ୍ନା ଦେବେନାହିଁ ।

 

ଯେତିକି ପାଖକୁ ଗଲେ ଭିତରର ଅସଲ ଦୁଃଖୀଟି ସତକୁ ସତ ଏକ ଅନ୍ୟକିସମରେ ବଳ ପାଇଯାଏ, ସେଯାଏ ପାଖକୁ ଯାଇପାରିବାର ଦରଦଟିଏ ରହି ପାରିଲେ ତୁମେ ଭୀରୁ ଏବଂ ତହୁଁ ଭୀରୁମାନଙ୍କର ଗଭୀର ପ୍ରସ୍ଥରୁ ଯାହାକୁ ପ୍ରତ୍ୟୟ ଦେଇବାହାର କରି ଆଣିପାରିବ, ସିଏ ଯାବତୀୟ ଅର୍ଥରେ ନିଜର ଏକ ବିଭୀଷଣ ପରିଚୟରେ ହିଁ ତୁମପାଖରେ ଆସି ଉଭା ହୋଇଯିବ । ସାହସର ସିନ୍ଦୁରା ସେତିକିବେଳେ ଫାଟିବ । ଭାରତବର୍ଷ ସେହି ବିଭୀଷଣମାନଙ୍କର ଅପେକ୍ଷାରେ ରହିଛି । ହଁ, ସଙ୍ଗୀମାନଙ୍କର ସେହି ମେଳଟି ନିମନ୍ତେ ଜନନୀ ସଦୃଶ ବାଟ ଚାହିଁ ରହିଛି । ବିଧାତା ହିଁ ବାଟ ଚାହିଁ ରହିଛି । ବର୍ତ୍ତମାନ କେତେଟା ଚୋର ଧରା ପଡ଼ି ଯାଉଛନ୍ତି । ବୋଲି ଧରା ନ ପଡ଼ିଥିବା ଚାରମାନେ ସମ୍ଭବତଃ ସବୁଠାରୁ ଅଧିକ ଆହ୍ଲାଦିତ ଅନୁଭବ କରୁଥିବେ । ପୃଥିବୀରେ ଏବେ ଚୋରମାନଙ୍କର ସଂଖ୍ୟା ଅତିରିକ୍ତ ବଢ଼ୁଛି; ତେଣୁ ପୋଲିସଙ୍କର ସଂଖ୍ୟା ମଧ୍ୟ ବଢ଼ୁଛି । ଆଉ ଦଳ କ୍ରମେ ବାହାରିବେ । ଯେଉଁମାନେ ପୋଲିସ ଏବଂ ଚୋର କୌଣସି ଗୋଟାଏ ହେବାଲାଗି ବି ସରାଗ ଦେଖାଇବେ ନାହିଁ । ସେମାନେ ନିଜ ଭିତରେ ତଥା ଅନ୍ୟମାନଙ୍କ ଭିତରେ ବିଭୀଷଣକୁ ହିଁ ଖୋଜି ବାହାରିବେ ।

Image

 

ରଜ୍ଜୁ ରଜ୍ଜୁ, ଭୁଜଙ୍ଗ ଭୁଜଙ୍ଗ

 

ସର୍ବବିଧ ଅବସରରେ ରଜ୍ଜୁ ଅବଶ୍ୟ ରଜ୍ଜୁ ଏବଂ ଭୁଜଙ୍ଗ ଅବଶ୍ୟ ଭୁଜଙ୍ଗ । ଭ୍ରମବଶ ହୋଇ ରକ୍ତ ମଧ୍ୟରେ ଭୁଜଙ୍ଗକୁ ଦେଖିବା, ତାହାହିଁ ମାୟା । ସତକୁ ସତ ଦେଖୁଥିଲେ ଜଣେ ଦେଖିବା ବ୍ୟକ୍ତି କ’ଣ ପାଇଁ ଯେ ରକ୍ତରେ ଭୁଜଙ୍ଗକୁ ଦେଖିବ, ତାହାର ଆଦୌ କୌଣସି କାରଣ ନାହିଁ । ଭ୍ରମବଶ ହୋଇ ଆମେ ଯାହା କିଛି ଦେଖୁ, ମାୟାର ତତ୍ତ୍ଵକାରମାନେ ତାହାକୁ ପ୍ରତିଭାସ ବୋଲି କହିଛନ୍ତି । ଗୋଟାଏ ପାଖରେ ସତ୍ୟ ଏବଂ ଆଉ ଗୋଟିଏ ପାଖରେ ପ୍ରତିଭାସ । ଅନ୍ଧାର ଭିତରେ ଥାଇ ଅନେକ ସମୟରେ ମନୁଷ୍ୟମାନେ ରକ୍ତ ଭିତରେ ସର୍ପର ଭ୍ରମ କରନ୍ତି । ଅର୍ଥାତ୍ ମୋହାଚ୍ଛନ୍ନ ହୋଇ ଯାହାକିଛି ଭାବନା ଓ ଅବଧାରଣା, ତାହା ହେଉଛି ମାୟା । ଅନ୍ଧାର ଭିତରୁ ବାହାରକୁ ବାହାରି ଆସିବା ଅର୍ଥାତ୍ ସତ୍ୟକୁ ଦେଖିବା । ଅଥବା, ଯେଉଁଠାରେ ଅନ୍ଧାର ରହିଛି, ସେଠାରେ ଆଲୋକର ପ୍ରବେଶ ଘଟାଇବା, ତାହାହିଁ ମାୟା ମଧ୍ୟରୁ ମୁକୁଳିସତ୍ୟ ମଧ୍ୟରେ ପ୍ରବେଶ କରିବାକୁ ବୁଝାଇବ । ଏହି ସଂସାର ମଧ୍ୟ ସତ୍ୟ,–ମାତ୍ର ସଂସାରକୁ ମୋହାଚ୍ଛନ୍ନ ଭାବରେ ଦେଖିବା ହେଉଛି ମାୟା, ଅସତ୍ୟ । ସଂସାରକୁ ଛାଡ଼ିଦେଲେ ବୋଲି ଯେଉଁମାନେ ମାୟା ଭିତରୁ ବାହାରି ଆସିଲେ ବୋଲି ଦାବି କରନ୍ତି, ଆମେ ନ୍ୟାୟତଃ ସେମାନଙ୍କୁ କ’ଣ ବୋଲି କହିବା ? ପୃଥିବୀଟାକୁ ଅନାଇ ଦେଖିଲେ ସଫା ଦେଖିହୁଏ ଯେ, ମାୟାରେ ପରମ ଆହ୍ଳାଦର ସହିତ ଗୁରାଇ ତୁରାଇ ହୋଇ ରହିଥିବା ବହୁ ବ୍ୟକ୍ତି ଆପେ ସତ୍ୟରେ ଅଛନ୍ତି ବୋଲି ଭ୍ରମ କରି ଅନ୍ୟ ସକଳଙ୍କୁ ହିଁ ମାୟାରେ ପଡ଼ିଥିବାର ଏକ ଏଡ଼େବଡ଼ ଘୋଷଣା କରିଦେଇ ଖୁବ୍ ଉଶ୍ୱାସ ଅନୁଭବ କରନ୍ତି ।

 

ସତ ଆଖିଟିଏ ନେଇ ମାୟାର, ସୁମାରି କରି ବସିଲେ ସେଥିଲାଗି ବହୁତ ସମୟରେ ଅତ୍ୟନ୍ତ ବିଡ଼ମ୍ବନାରେ ପଡ଼ିବାକୁ ହିଁ ପଡ଼ିଥାଏ । କେବଳ ମୋ’ରି ଗୁରୁ ହେଉଛନ୍ତି ଠିକ୍ ଏବଂ ସତ; ଓ ଆଉସବୁ ଗୁରୁ ଅସତ ଏବଂ ଅଠିକ୍, ଏପରି ଦାବିକରିବାଟା ହେଉଛି ତୁଚ୍ଛା ମାୟା, ତୁଚ୍ଛା ମୋହାଚ୍ଛନ୍ନତା । କେବଳ ମୋ’ରିଧର୍ମଟାହେଉଛି ସଦ୍ଧର୍ମ ଏବଂ ବାକୀ ସବୁଯାକ ଧର୍ମ ତୁଚ୍ଛା ଅଧର୍ମ, ମାୟାରୂପକ ଅନ୍ଧାରଟାକୁ ହିଁ ଆବୋରି ରହିଥିବା ମଣିଷମାନେ ଯୁଗେ ଯୁଗେ ସବୁଠାରୁ ଅଧିକ ତୋଡ଼ ଦେଖାଇ ଆସିଛନ୍ତି ସିନା, କିନ୍ତୁ ସେହିମାନେ ହିଁ ଘୋର ମାୟାରେ ପଡ଼ି ରହିଛନ୍ତି । ଏକଦା ଗୋରାମାନେ ପୃଥିବୀଟାକୁ ସଭ୍ୟ ଏବଂ ସଂସ୍କୃତିବନ୍ତ କରିବେ ବୋଲି ପୃଥିବୀଯାକ ଖେଦିଯାଇ କେତେ କଷଣର କାରଣ ନହେଲେ ଏବଂ କେତେ କେତେ ମଣିଷଙ୍କୁ ହତ୍ୟା ନ କଲେ, ସେମାନେ ନିତାନ୍ତ ମାୟାଗୁଡ଼ାକୁ ଯାବୁଡ଼ି ନ ରଖିଥିଲେ ସେପରି କଦାପି କରିନଥାନ୍ତେ । ଇତିହାସରେ ଏପରି ଏକ ଅହଂକାରୀ ମତଲବର ଉଦାହରଣ ରହିଛି, ଯାହାର ବୃଦ୍ଧି ଦ୍ୱାରା ପ୍ରେରିତ ହୋଇ ନିରାଟ ମହାପଣ୍ଡିତମାନେ ନିଜର ଭାଷାଟା ହେଉଛି ଦେବତାମାନଙ୍କର ଭାଷା ଓ ଆମର ଶାସ୍ତ୍ରମାନେ ସିଧା ସେହି ସ୍ଵର୍ଗରେ ଲେଖା ହୋଇଛନ୍ତି ବୋଲି ଘୋଷଣା କରିଛନ୍ତି ! ମାୟାର ଭୂତ ଲାଗିଲେ ମଣିଷମାନଙ୍କର ସତ୍ୟଟା ମଧ୍ୟ ପ୍ରକୃତରେ ବଡ଼ କଳୁଷିତ ହୋଇପଡ଼େ ଏବଂ ତା'ପରେ ଅତ୍ୟନ୍ତ ନିର୍ଲଜ୍ଜଭାବରେ ହୃଦୟହୀନ ହୁଏ । ହୃଦୟହୀନ ହୋଇ ହାସ୍ୟାସ୍ପଦ ହୁଏ । ବିବେକ ହରାଏ ଏବଂ ବିଚାରଭ୍ରଷ୍ଟ ହୋଇଯାଏ । ତା'ପରେ ଆଲୁଅଟାରେ ମଧ୍ୟ ରଜ୍ଜୁଟା ସର୍ପପରି ପ୍ରତୀତ ହୁଏ ।

 

ଭଲ ପାଇବାକୁ ଯାଇ ଯେତେବେଳେ ଆଉ ଆଉ ବିହ୍ୱଳତା ଦ୍ଵାରା ଭାସିଯାଇ ଆମେ ଆଉ କାହାକୁ ଅଥବା ଅନ୍ୟମାନଙ୍କୁ ଘୃଣା କରିବା ଲାଗି ପ୍ରବୃତ୍ତ ହେଉ, ସେତିକିବେଳେ ଆଖିଗୁଡ଼ାକୁ ହରାଇ ଆମେ ଘୋର ମାୟାରେ ଯାଇ ପଡ଼ିଯାଉ । ଯୁଗେଯୁଗେ ମାୟାବାଦୀମାନଙ୍କୁ ଆମେ ବସ୍ତୁତଃ ଧନ୍ୟ ବୋଲି କହିବା ଯେ, ସେହିମାନଙ୍କର କୃପାରୁ ମଣିଷମାନଙ୍କର ଏହି ପୃଥିବୀରେ ଘୃଣାମାନେ ହିଁ ପ୍ରାୟ ସର୍ବତ୍ର ପ୍ରବଳ ହୋଇ ଉଠିଛନ୍ତି । ଯେଉଁ ଭୂମିଟିରେ ମୁଁ ଜନ୍ମ ହୋଇଛି, ମୁଁ ଯେଉଁଟିକୁ ସବୁଠାରୁ ନିକଟରୁ ହିଁ ଚିହ୍ନିବାର ସୌଭାଗ୍ୟ ଲାଭ କରିଛି, ତାହାକୁ ମୁଁ ମୋ’ର ବୋଲି କହିବି ବୋଲି ଅପର ଭୂମିଚୟକୁ ନ୍ୟୁନ କରି ଦେଖିବି ? ନିଜକୁ ପବିତ୍ର ଅର୍ଥାତ୍ ମାର୍ଗସ୍ଥ ବୋଲି ଅନୁଭବ କରିବି ତଥା ବଞ୍ଚିପାରିବି ବୋଲି କେଉଁ ଦୁଃଖରେ ଅପରମାନଙ୍କୁ ମ୍ଳେଚ୍ଛ ବୋଲି କହିବାକୁ ଆଦୌ ଉତ୍ସାହୀ ହେବି ? ଏବଂ, ଅନ୍ୟମାନେ ମଧ୍ୟ ସେହି ମାୟାରେ ପଡ଼ି ମୋତେ ବି ମ୍ଳେଚ୍ଛ ବୋଲି କହୁଥିବେ । ଏବଂ, ତାହାରି ହେତୁ ଏହି ସମଗ୍ର ପୃଥ୍ଵୀସତ୍ୟଟା ତଥା ପୃଥ୍ୱୀଧର୍ମଟା କେବଳ ମ୍ଳେଚ୍ଛମାନଙ୍କର ତାମସାରେ ହିଁ ନିନ୍ଦିତ ହେବାରେ ଲାଗିଥିବ ?

 

ବ୍ରହ୍ମା କହିଲେ ଯଦି ଭୂମାକୁ ବୁଝାଇବ, ତେବେ ମାୟା କହିଲେ ସବାଆଗ ଆମର ଏହି ଯାବତୀୟ ପ୍ରକାରର ଅଳପକୁ ହିଁ ବୁଝାଇବା ଉଚିତ । ଭୂମାର ଅନୁଭବ ଅର୍ଥାତ୍‍ ବ୍ରହ୍ମାଣ୍ଡର ଅନୁଭବ-। ରକ୍ତ ଏବଂ ଭୁଜଙ୍ଗ ଉଭୟେ ସେହି ଗୋଟିଏ ବ୍ରହ୍ମାଣ୍ଡର ଅନ୍ତର୍ଗତ । ଏକାଠି ଗୁନ୍ଥିକରି କହିଲେ, ବ୍ରହ୍ମ ସତ୍ୟ, ତେଣୁ ବ୍ରହ୍ମାଣ୍ଡ ସତ୍ୟ; ରଜ୍ଜ୍ୱତ୍ୱ ରଜ୍ଜୁତ୍ଵ ସତ୍ୟ ଓ ଭୁଜଙ୍ଗର ଭୁଜଙ୍ଗତ୍ଵ ବି ସତ୍ୟ-। ଏହି କ୍ଷଣଗୁଡ଼ିକ ମଧ୍ୟ ଅବଶ୍ୟ ସତ୍ୟ । କ୍ଷଣଗୁଡ଼ିକୁ ମାୟା ବୋଲି ନାକ ଟେକି ଆମେ କିପରି ଯେ କ୍ଷଣାତୀତର ଏକ ନ୍ୟାୟସଂଗତ ଅନ୍ଦାଜ କରିପାରିବ, ସେକଥା ପଣ୍ଡିତମାନେ ଯେତେ ଯାହା ଶବ୍ଦ ଫିସାଦର ଚାତୁରୀ ଦେଖାଇଲେ ମଧ୍ୟ ଆଦୌ ଆମର ହୃଦୟସ୍ପର୍ଶ କଲାଭଳି କିଛି କହିପାରିବେ ନାହିଁ । ବିଶ୍ୱ ଅବଶ୍ୟ ସତ୍ୟ, –ସେହି କାରଣରୁ ଏକ ବିଶ୍ୱାତୀତ ସତ୍ୟର ଅବଧାରଣା ମଧ୍ୟ କରାଯାଇ ପାରୁଛି । ବର୍ତ୍ତମାନ ନାମକ ସତ୍ୟଟିକୁ ଆମ ଚେତନାଗତ ଚାରଣାଗୁଡ଼ିକର ପ୍ରସ୍ଥ ବୋଲି ବୁଝିଲେ ସିନା ଆମେ ଭବିଷ୍ୟତ ନାମକ, ଆମର ଅପେକ୍ଷାମାଣ ଆକାଶଗୁଡ଼ିକର କୌଣସି ଅନ୍ଦାଜ କରିପାରିବା ! ପାଖଟି ସହିତ ଅନ୍ତରଙ୍ଗ ଭାବରେ ଯୁକ୍ତ ହୋଇ ନ ରହିଲେ ଦୂରଟିର କୌଣସି ପ୍ରମାଦଶୂନ୍ୟ ନକ୍‍ଟିଏ କରିବା କିପରି ବା ସମ୍ଭବ ହେବ ? କେଉଁ ଅଲକ୍ଷଣା ପ୍ରଜ୍ଞାଟାର ପ୍ରରୋଚନାରେ ପଡ଼ି ଆମର ଏଠି ସତ୍ୟ-ପ୍ରତିପାଦନର କ୍ଷେତ୍ରରେ କାହିଁକି ଯେ ବ୍ରହ୍ମକୁ, ସତ୍ୟ ବୋଲି କହିବା ନିମନ୍ତେ ଜଗତକୁ ମିଥ୍ୟା ବୋଲି ଘୋଷଣା କରାଗଲା, ଭାରତବର୍ଷରେ ଆମର ଉତ୍ତରାଧିକାରଗୁଡ଼ିକର ଭୂମିଟି ଉପରେ ଛିଡ଼ା ହୋଇ ଚିନ୍ତା କରିବାକୁ ଗଲେ ତଥାପି ଗୋଟାଏ ମୂଳଭୂତ ବିଡ଼ମ୍ବନା ଆମକୁ ଉତ୍ପୀଡ଼ନ ଦେଉଥିବା ପରି ହିଁ ବୋଧ ହେଉଥାଏ । ବ୍ରହ୍ମଙ୍କୁଏହି ସଂସାରରୁ ବାଦ୍ ଦେଇ ଭାରତୀୟ ଅଧ୍ୟାତ୍ମକୁ ହୁଏତ ଅତ୍ୟନ୍ତ କ୍ଷତବିକ୍ଷତ କରି ରଖାଯାଇଛି-। ପୋଥିମାନଙ୍କର ପୂଜା କରାଯାଉଛି ଏବଂ ସଂସାରରେ ବହୁ ଅସୁନ୍ଦରତାକୁ ଅଗତ୍ୟା ସହ୍ୟ କରିବାକୁ ହେଉଛି ।

 

ବେଳେ ବେଳେ ରଜ୍ଜୁକୁ ରଜ୍ଜୁ ଏବଂ ଭୁଜଙ୍ଗକୁ ଭୁଜଙ୍ଗ ବୋଲି କହିବାକୁ ଆମର ସାଧୁ ତଥା ସୁହୃଦୟମାନେ କ’ଣ ପାଇଁ ଖୁବ୍ ବ୍ରହ୍ମଦରଦୀ ହୋଇ ଏକ ଆପଦ ଭଳିମନେ କଲେ କି ? ପୁନଶ୍ଚ ସେମାନେ ସଂସାରର ଆହ୍ୱାନଗୁଡ଼ାକର ସାମ୍ନା କରିପାରିଲେ ନାହିଁ ବୋଲି ସଂସାରକୁ ମିଥ୍ୟ ଓ ମାୟା ବୋଲି କହିବାକୁ ଅଧିକ ନିରାପଦ ବୋଲି ମଣିଲେ କି ? ଏବଂ, ଏହି ଜଗତ ମଧ୍ୟରେ ହିଁ ସତ୍ୟ ରହିଛି ବୋଲି କହିବା ମାତ୍ରକେ ଯେ ତୁମକୁ ଜଗତର ଅବଶ୍ୟ ସାମ୍ନା କରିବାକୁ ପଡ଼ିବ, ଏତେଗୁଡ଼ାଏ ଦାୟିତ୍ଵ ବୋହିବାକୁ ସେମାନେ ଭୟ ବି କଲେ କି ? ତାହାରି ଫଳରେ ଏଠାରେ ଜୀବନଟିଏ ବଞ୍ଚିବାର ଅର୍ଥାତ୍ ବାଟଟିଏ ଚାଲିବାର ମୂଳଭୂତ ଏକତାଟି ବଡ଼ ଶୋଚନୀୟ ଭାବରେ ଭାଙ୍ଗି ହିଁ ଗଲା । ପୃଥିବୀଟାରେ ଏହି ଯାବତୀୟ ଅଭାବ ତଥା ଅସହାୟତା, ଏଠାରେ କେହି କାହାରି ନୁହନ୍ତି, ମୋ’ର ଦୁଃଖଟା । କେବଳ ଏକାମୋହରି ଏବଂ ତେଣୁ, ମୁଁ ଅନ୍ୟ ସମସ୍ତଙ୍କ ଆଡ଼କୁ ଆଖି ବୁଜିଦେବି ଏବଂ ନିରାଲମ୍ବଭାବରେ କେବଳ ମୋ'ନିଜ ମୁଖାମାନଙ୍କର ହିଁ ସନ୍ଧାନ କରିବାରେ ଲାଗିଥିବି, –ଏହି ସଂସାରଟାକୁ ମିଥ୍ୟା ବୋଲି ମାର୍କାଟାଏ ଦେଇ ଏଠୁ ସତ୍ୟକୁ ବିତାଡ଼ିତ କରି ରଖିଥିବାରୁ ହିଁ ଏହି ବିପଜ୍ଜନକ ପାଞ୍ଚନାଗୁଡ଼ିକ ମୋତେ ଏଡ଼େ ଅଲିଅଳରେ ଅଧିକାର କରି ରହିଛନ୍ତି କି ? ଏବଂ, ସବୁଠାରୁ ତ ଜଙ୍ଗଲି ଅଭ୍ୟାସଟା ସମ୍ଭବତଃ ହେଉଛି ଯେ, ମୁଁ ମୋତେ ସେହି ତଥାକଥିତ ନିଜ ମୁଖାଗୁଡ଼ିକୁ ଲଗାଇଥିବାରୁ ମୁଁ ଭଗବାନଙ୍କ ଠାରେ କେତେ କୃତଜ୍ଞ ହୋଇରହିଛି, ତାଙ୍କୁ ତୁଷ୍ଟ କରି ରଖିବାର କେତେ କେତେ ପ୍ରୟାସ କରିବାରେ ହିଁ ଲାଗିଛି, ତାଙ୍କୁ ଆହୁରି ଅଧିକରୁ ଅଧିକ ମାଗିବାରେ ଲାଗିଛି ଏବଂ ପ୍ରାୟ ଏକ ଦାନବୀୟ ସଂସାର ବିମୁଖତା ସହିତ ତାଙ୍କର ଜୟ ଜୟକାର କରିପାରୁଛି ! ଏବଂ, ତାଙ୍କରି ପୃଥିବୀଟାକୁ କଷ୍ଟ ଦେବାରେ ଲାଗିଛି ।

 

ଏବଂ, ସତ୍ୟ ସହିତ ସତକୁ ସତ ଆତ୍ମୀୟତା ଅର୍ଜନ କରିବା ନିମନ୍ତେ ଅମଙ୍ଗହୋଇ ଆମେ ନିଜ ଭିତରେ ରହିଥିବା କୌଣସି ଖଳଟା ସହିତ ସଲା କରିଥିବା ପରି ଜଗତକୁ ମାୟା ବୋଲି କହିବାରେ ଅଭ୍ୟସ୍ତ କରିନେଉଛୁ କି ? କାରଣ, ସତ୍ୟ ସହିତ ଡୋର ଲଗାଇବାର ଆସ୍ପୃହାଟି ଆମ ଭିତରେ ସବା ଆଗକୁ ଆସି ଆମକୁ ପରିଚାଳିତ କରିବାକୁ ଆରମ୍ଭ କଲେ ତ ଆମକୁ ଜଗତଟା ମଧ୍ୟ କେତେ ଉତ୍କଳ ଦେଖାଯାଆନ୍ତା । ଏବଂ, ଯେଉଁମାନେ ଏକ ପ୍ରକୃତ ଅକୃପଣତା ତଥା ଆତ୍ମୀୟତା ସହିତ ଜଗତ ସହିତ ଏକଯୁକ୍ତ ହୋଇ ରହି ପାରୁଛନ୍ତି । ସେମାନେ ମଧ୍ୟ ସାକ୍ଷୀଟିଏ ପରି ଅବଶ୍ୟ କହିବେଯେ, ଜଗତଟା ଏଡ଼େ ନିକଟ ଓ ଏଡ଼େ ନିଜର ହୋଇ ଦିଶୁଛି ବୋଲି ଭଗବାନ୍ ତଥା ସତ୍ୟ ଆଦୌ ଅପହଞ୍ଚ ବୋଲି ଲାଗୁନାହିଁ । ଜଗତଟା ଭିତରେ ହିଁ ପରାତ୍ପର ପରମଟିକୁ । ବଞ୍ଚି ହେଉଛି ଏବଂ କପଟରହିତ ହୋଇ ଏହି ସଂସାର ଭିତରେ ସମସ୍ତଙ୍କୁ ଲୋଡ଼ି ବାଟ ଚାଲିପାରିଲେ ହିଁ ଭଗବାନ ଗୋଟାସୁଦ୍ଧା ସାଙ୍ଗରେ ଯାଉଥିବା ପରି ମନେହେଉଛି । ବ୍ରହ୍ମବିହାର ଯଥାର୍ଥରେ ସହଜ ହୋଇଯାଉଛି । ଏହି କ୍ଷଣଗୁଡ଼ିକ ଭିତରେ ହିଁ କ୍ଷଣାତୀତର ଅଭୟ ମିଳିପାରୁଛି । ତଥାକଥିତ ଭବସିନ୍ଧୁ ଭିତରେ ହିଁ ଭାବସିନ୍ଧୁର ପରିଚୟ ମିଳୁଛି । ତେଣୁ ଏହି ଭବସିନ୍ଧୁଟାକୁ ମୋତେ ତୁମେ ଶୀଘ୍ରାତିଶୀଘ୍ର ପାରି କରାଇ ନେଇଯାଅ ବୋଲି କହିବାଲାଗି କୌଣସି ପ୍ରୟୋଜନ ହିଁ ରଜ୍ଜୁକୁ ରଜ୍ଜୁ ବୋଲି ଜାଣି ହେଉଛି । ରଜ୍ଜୁଟାକୁ ଭୁଜଙ୍ଗ ବୋଲି ଭ୍ରମ କରିବାର ଆବଶ୍ୟକତା ହିଁ ନାହିଁ । ମଣିଷ ଭିତରେ କୌଣସି ପଳାୟନ-ପ୍ରବୃତ୍ତ ରହିଥାଏ ବୋଲି ସିଏ ପ୍ରାୟ ଜାଣିଶୁଣି ରଜ୍ଜୁ ଭିତରେ ଭୁଜଙ୍ଗ ଦେଖିବାର ଭ୍ରମ କରେ କି ? ଅଥବା, ଆପଣାକୁ ଆର୍ତ୍ତ ତଥା ଅସହାୟ ବୋଲି ଘୋଷଣା କରି କିଞ୍ଚିତ୍ ଦାୟିତ୍ୱଶୂନ୍ୟ ହୋଇ ରହିବାର ଏକ ପିଲାଳିଆମି ଦ୍ୱାରା ଉଦ୍‌ବୁଦ୍ଧ ହୋଇ ସିଏ ସେହିଭଳି କରିଥାଏ ।

 

ଯାହାକୁ ଛୁଇଁ ହେବ, ଆପଣାର କରିହେବ ଏବଂ ଯାହା ସହିତ ଅନୁକ୍ଷଣ ସୂତ୍ରଟିଏ ଲଗାଇ ବଞ୍ଚିହେବ, ତାହାକୁ ପିତୁଳା-ଉପାସନାର ବହୁ ବାଉଳା ଭିତରେ ପ୍ରାୟ ଜାଣି ଜାଣି ହରାଇ ବସିବା, ଏଇଟି ସତକୁ ସତ ମାୟା । ସମ୍ଭବତଃ ସବାବଡ଼ ମାୟା, ସବୁଠାରୁ ଅଧିକ ଆକର୍ଷଣକାରୀ ମାୟା; ଅସଲ ସତ୍ୟଟି ତୁମକୁ ଜନନୀ ପରି ଡାକିବାରେ ଲାଗିଥିବେ ଏବଂ ତୁମେ ନାନାବିଧ ଆଳରେ ତାଙ୍କର ପ୍ରତିମାଗୁଡ଼ାକରୁ ହିଁ ପରମ ପ୍ରସନ୍ନତା ଲାଭ କରୁଥିବ, ଏଇଟି ମାୟା । ପାଦତଳେ ମାଟି ତଥା ମୁଣ୍ଡ ଉପରେ ଆକାଶ ଅବିଚ୍ଛିନ୍ନ ଏବଂ ଅଖଣ୍ଡ ଭାବରେ ଆମ ସମସ୍ତଙ୍କ ନିମନ୍ତେ ଅସଲ ପ୍ରତିଶ୍ରୁତିର ଭରସା ଦେଇ ଯାଉଥିଲେ ମଧ୍ୟ ତଥାପି ସାହି ସାହିରେ ବିଭକ୍ତ ହୋଇ ରହିଥିବା ଅଲଗା ଅଲଗା । ଗୁରୁମାନଙ୍କୁ ଆଶ୍ରୟ କରିବାର ନାନାବିଧ ଜୟଯୁକ୍ତ ଆତୁରତାରେ ବହୁ ସଂପ୍ରଦାୟରେ ପରସ୍ପର ପାଖରେ ଅସ୍ପୃଶ୍ୟ ପ୍ରାୟ ହୋଇ ରହିଥିବା ଏବଂ ସେଇଥିରୁ ହିଁ ସତେ ଅବା କୌଣସି ମହାବଳୀର ଆନନ୍ଦ ଲାଭ କରୁଥିବା, –ଏହା ହେଉଛି ତୁଚ୍ଛା ମାୟା । ଦେଶଟାକୁ ନାନା ମୋହମଣ୍ଡନ ଦ୍ୱାରା ପ୍ରାୟ ଅଚେତ ହୋଇ କୁଣ୍ଢାଇ ଧରିଥିବା ଏବଂ ସେହି ଦେଶରେ ତୁମ ଦେହରେ ଘଷି ହେଲା ପରି ବାସ କରୁଥିବା ମଣିଷମାନଙ୍କୁ ନାନାଭାବେ ବଂଚିତ ହୋଇ ରହିବାର କାରଣ ହୋଇଥିବା, ଏହା ସଂପୂର୍ଣ୍ଣ ମାୟା । ଏହିମାୟା ଭିତରେ ପଡ଼ି ରହିଥିବା ପର୍ଯ୍ୟନ୍ତ ଆମେ ହୁଏତ ରଜ୍ଜୁକୁ ଭୁଜଙ୍ଗ ବୋଲି ଅନୁଭବ କରିବାର ଗେଲବସର ଭିତରେ ପଡ଼ି ରହିଥିବା ଓ ସେହି ମତଲବରେ ଜଗତଟାକୁ ଅନ୍ଧାର କରି ରଖିଥିବା । ପୃଥିବୀରେ ସମସ୍ତଙ୍କ ଜୀବନର ଭରଣୀ ହୋଇପାରିବା ଭଳି ସମ୍ପତ୍ତି ତଥା ସମ୍ଭାବନା ମହଜୁଦ୍‍ ହୋଇ ରହିଥିବ ଏବଂ ତଥାପି ଅନ୍ୟ ମଣିଷଙ୍କର ପେଟ ପୂରୁନଥିବ ଓ ସମସ୍ତଙ୍କୁ ନାଗରିକ ହେବାର ଅଧିକାର ମିଳିଥିଲେ ମଧ୍ୟ ବିଶିଷ୍ଟ ପାରିବାବାଲାମାନେ ସେମାନଙ୍କୁ ବଂଚିତ କରି ରଖିଥିବେ । ଭଗବାନଙ୍କ ନାମରେ ଝଣ୍ଡା ଉଡ଼ୁଥିବ ଏବଂ ବିଚରା ଭଗବାନ ଅତ୍ୟଭିମାନାମାନଙ୍କର ଭୟରେ ଆଉ କେଉଁଠାରେ ଯାଇ ଲୁଚିଥିବେ । ପାଖକୁ ଜାଣିଲେ ଯାଇ ଦୂରକୁ ଜାଣିବା ସମ୍ଭବ ହେବ । ଏହି ପ୍ରତ୍ୟକ୍ଷମାନଙ୍କର ମାଧ୍ୟମରେ ହିଁ ପରୋକ୍ଷଗୁଡ଼ିକ ସ୍ପଷ୍ଟ ହୋଇ ଆସୁଥିବେ । ରଜ୍ଜୁକୁ ରଜ୍ଜୁ ଓ ଭୁଜଙ୍ଗକୁ ଭୁଜଙ୍ଗ ବୋଲି ଅବଶ୍ୟ ଚିହ୍ନି ହେବ ।

Image